Lopamudra Parida

Inspirational

3  

Lopamudra Parida

Inspirational

କୁକୁମାରି

କୁକୁମାରି

4 mins
172


ବୁଢୀ ମୋ ହାତକୁ ମୁଠେଇକି ଧରିପକେଇଲା । ଆଖିଏ ସ୍ନେହ ପୁରେଇ ଆଖି ବୁଲେଇ ଆଣିଲା ମୋ ମୁହଁଠୁ ମଥା ଯାଏ ।

"ହେ ଝୁମ ? ମୋ ଝୁମନ? ଆଲୋ ତୁ ମୋ ଝୁମସୁନ୍ଦରୀଟି। କେଡେଟେ ହେଲୁଣିଲ ରାଣୀ ।ଆଇଚୁ କୋଉଦିନ ? ମତେ ଚିହ୍ନିପାରୁଚୁଟି, ନା ଦୋଦୋ ହଉଛୁ ବା ? ଆଉ ତୋର ସବୁ ଭଅଲ ଟି ତେଣେ ? ମାଆ ବା ମୋର । "


ଝାଡିଝୁଡି ଦେଉଥାଏ ଶିରାଳ ହାତ ବୁଲେଇ ମୋର କାନ୍ଧ ଦେହ ମିଶେଇ ବୁଢୀ ଥରକୁ ଥର ।


ମୁଁ ଆଉ ବେଢ଼ା କଣ କରିବି, ବୁଢୀକୁ ଧରି ପାର୍ବତୀକୁଣ୍ଡ ସରସୀକୂଳ ମୁଣ୍ଡି ପଥର ଉପରକୁ ଉଠିଗଲି । କହିବାକୁ ସିନା ପଥର, ହେଲେ ଏ ଚଟାଣ କେତେ କାହାଣୀର ମୂକସାକ୍ଷୀ ।ଏଇଠି ପଡିଛି କୂରୁମ ପରି ମୁହଁ ମାଡି କୋ' ଶତାବ୍ଦୀରୁ ।ସତ୍ଯ କି ତ୍ରେତୟାରୁ କେଜାଣି !


ବୁଢୀ ମୋର କେହି ନୁହେଁ, କିଛି ନୁହେଁ । କିନ୍ତୁ ସେଇ ଭାରତ ତ ଆଉ ଏଇ ଭାରତ ପରି ନଥିଲା !, ସମସ୍ତେ ସମସ୍ତଙ୍କର ଥିଲୁ ସେବେ । ପୁରା ଗାଁ ପରିବାର । ତେଣୁ ସିଏ ହିସାବରେ ଆଈ । କାହା କୋଳରେ ତମେ ବଢ଼, କି କିଏ ମଣ୍ଡାଗୁଣ୍ଡା ଖୁଏଇଥାଉ, ସଂସ୍କାର କିନ୍ତୁ ସୁନ୍ଦର କି ଖୁନ୍ଦି ହେଉଥିଲା ଏ ରକ୍ତ ମାଂସ ଦେହରେ ।


ମୁଁ ପଚାରିଲି, “କେମିତି ଅଛ ? ଆଉ ଦେହ ପା ସବୁ ? ଘରେ ସମସ୍ତେ?” ବୁଢୀ ଲୋକନାଥଙ୍କ ବାସୁଆ ପରି ଥୟଶାନ୍ତ ଦୃଷ୍ଟିଟେ ପବନଚହଲା ଥିର ମାଛଘର ଭଉଁରୀ ଉପରକୁ ପକେଇ ପୁଣି ପତା ଉଠେଇ ନେଳି ମାରି ଆସିଥିବା ପଥରସନ୍ଧିରୁ ଶାଗୁଆ ଦୁବକେନାକୁ ଚାହିଁଲା । ଆଖି ପେଜୁଆ ଧରିଆସିଲାଣି । ଲୋଳିତ ହେଲାଣି ମଥାଗାର । ଖଇରିଆ ଖାରିଆ ବଳକା ଟୁଇଁ ଗଣ୍ଠିଟେ ବେକ ସଣ୍ଡା ଉପର ଖପୁରିକୁ ଲାଖି । କପାଳ ସିଠା । ଭାଗ୍ୟରେଖା ତା ଭିତରେ କେଉଁଟି ଠଉରେଇବା ମୁସ୍କିଲ । 


ସେ ଭାଗ୍ୟରେଖା ଗୋଟେ ବାହ୍ୟରେଖା ହି ତ।


ମୋ ପ୍ରଶ୍ନର ଉତ୍ତର ଫେରିଲାନି ।


ଓଲଟି ଅନୁରୋଧଟିଏ ଆକୁତି ନେଲା । ବୁଢୀ କହିଲା,”ମୋ ଗଲା ଖବର ପାଇଲେ ରା' ବୁଡଟିଏ ପକେଇବୁଟି ଝୁମ ! ଯୋଉଠି ଥା ପଛେ ।”


ପୁଣି କ୍ଷଣ ସବୁ ହଜିଗଲେ ସିଁ ସିଁ ଶୀତଳ ବାଆପଣତରେ ସ୍ତବ୍ଧ ସ୍ତବ୍ଧ ।


ବୁଢୀ ପୁଣି କହିଲା,”ମନଅଛି ତୋର ?”


ମୁଁ ଅନେଇଲି ତା' ମୁହଁର ଭାବକୁ ।ପଢିଲି ଅଲେଖା ଅକ୍ଷର ଆଉ କହିଲି, “ହଁ ମୁଁ ଶୁଣିଛି । ବୋଉ କହୁଥିଲା ତମ କଥା। କହେ । “


ମନେ ପକେଇବାକୁ ଚେଷ୍ଟା କରୁଥିଲି ମନେ ମନେ, ତାକୁ ଜାଣିବାକୁ ନଦେଇ। ତାର ବି କୋଉ ଲକ୍ଷ୍ୟ ଥିଲା ମୋ ମୁହଁ ପଢିବାକୁ ଯେ ସିଏ ଧରନ୍ତା!


ବୁଢୀ ଏଥର ନୀଳଚଦରଘେରା ଆକାଶକୁ ହାତ ଯୋଡ଼ି ଅଁଳାବେଢ଼ାଲାଗି ପିନାକି ଶିଖରଚୂଳକୁ ହାତ ଯୋଡିଲା । କହିଲା,”କେତେ ମିନତୀ ନ ହେଇଛି ଏଇ ଭାଙ୍ଗଖିଆ ତ୍ରିଶୂଳଧାରୀକୁ ! କହନି କହନି । ଏତେ ଦିନେ ଶୁଭିଲା ତା' ଗୋଡ଼ିକାନକୁ । ମାଆ କଲିଜା ଦୁଃଖ ସିନା ! କାଏଁ ବୁଝନ୍ତା । ସିଏ କଣ ଥନରୁ ଖିର ଝରେଇ ଖୋଇ ମାଟିଝାଟି ପୋଛିଥବ ଦିନେ କାହାର ହାତନିପିରୁ !”


ଇଶାଣଙ୍କ ଉପରେ ଅଭିମାନ କେବଳ ତାଙ୍କ ସୃଷ୍ଟି ହିଁ କରିପାରେ, ଠିକ୍ ମନମରା ସନ୍ତାନର ମାଆ ପାଖେ ଅଳିଅଦଉତି ଢଳା ମାଠିଆ ପରି । ଭରସା ତ ସେଇ ମାଆ ପାଖରେ ଲାଖିଥାଏ କି ସିଏ ହି ଫଟାମାଠିଆ ଯୋଡିପାରେ ପରା ! ଈଶ୍ୱର ହିଁ ତ ସଚରାଚର ବାପମାଆ । 


ବୁଢୀ ପୁଣି କଥାବେଣ୍ଟ ଲଟେଇଲା ମଞ୍ଚାକୁ,”ଆଲୋ ଝୁଅ, ବିଲେଇ ଅଣପୁରୁଷାକୁ, ମୂଷାମାନେ କରମ କଲେଣି ବସି ।ମୋର ତ କପାଳ ପୋଡ଼ା ।ଅନ୍ତଫଟେଇ ବେଇଲି ଯେ, ଏମନ୍ତ ପୁଅ । ବିଧାତା କପାଳରେ ସିନା କର ତାଡ଼ିବି, କହିବି କାହାକୁ ! ମନକଥା ବାଢ଼ିବି କାହାକୁ !ବନପୋଡ଼ିଗଲେ ସିନା ଦୁଶେ, ଦକଦକ ମନପୋଡ଼ା କଥା ? କେତେ କହିବି ଏ ଛିଞ୍ଚଡ଼ା କଥା ! ବାଳୁତ କାଳୁ ତ ସିଏ ନିରିମାଖି ଲ ମାଆ ! ଏଡ଼ିକି ନାଣ୍ଡିବଗୁଲି ମଞ୍ଜିଟେ ପରି ହେଇଥେଲା ଲୋ, ଟିପରେ ଜାଗା ଧରିଯିବ । କାହାକୁ କିଛି କହେ, ନା କରେ ! ହେଲେ କଣ ହବ !ପୂରୁବଜନମ କରମ ବଇରି, ଦାଉ ସାଧିଲା । ସିଏ ଯା' ହଉ, ଏତେ ଦିନେ ବଟେଶ୍ୱର କରୁଣା କଲା ।ସିଏ ଗଲା । ସରଗ ଯାଉ କି ନରକ ଯାଉ ଯାଉ ବୋଲି କେତେ ନ ଗୁହାରି ପଡିଛି ମୁଁ ! ନିରୋଳ ନିର୍ଜଳାକାଷ୍ଠା । ସବୁ ମୁହଁ ପାତି ସହିଛି।

ଏଇଲେ ଆଉ ମୋର ଦକ ନାହିଁ । ଆଉ ନା ଲୋଭମାୟା । ଏଥର ଖାଲି ଦିନମାଣ ପୁରିଗଲେ ମିଳେଇଯିବି ।କପୋତ ଡେଣା ଝାଡ଼ିବ ଲ ବାୟାଣୀ ।"


କଥା ସରିଯାଇଥିଲା ତାର । ବୁଢ଼ୀ ଉଠି ଚାଲିଗଲା ଗୋଟିଏ ଗୋଟିଏ ଯଅଧାନ ବୀଜ ବୁଣିଲା ପରି ବାଟ ଯାକ।ତାର ଯିବା ବାଟରେ ହଳଦିଆ ସୋରିଷିଆ ଫୁଲ ପକା ଛିଟ ଶାଢ଼ୀର ଶେଷକାନି ତାରି ପାଦଚିହ୍ନକୁ ଲିଭେଇ ଲିଭେଇ ଲୋଟୁଥିଲେ ।


ଏମିତି ବି ପ୍ରତୀକ୍ଷା ଥାଏ ! ଏମିତି ଅପେକ୍ଷାର ଅନ୍ତରେ ବି ମାଆଟିଏ ଶାନ୍ତି ପାଏ ! ପୁଅର ମୃତ୍ୟୁ ମନାସି ! କେମିତି ଏଡେ ପଥରଛାତି ଯେ ? ପ୍ରଶ୍ନ ଲହଡ଼ି ଭାଙ୍ଗୁଥିଲା ମୋ ଭିତର ସମୁଦ୍ରରେ ।


ମନେ ପଡୁଥିଲା ବୋଉ ମୋର କହେ, ଆବୁଆ କାଳେ ଲକ୍ଷ୍ମୀବନ୍ତଟିଏ । ତା' କପାଳରେ କାଳେ ଗୋଟେ ଚକ୍ରଆବୁ ଅଛି ।ସିଏ ଗଲାବାସି ତାଙ୍କ ଘରେ କଉଡ଼ି ଘଟେଇବନି । ହେଲେ ଆମେ ଦେଖୁ ତାକୁ ଚାରିପଟର ମଣିଷ ମାନେ ଆଡ଼େଇ ଆଡ଼େଇ ରୁହନ୍ତି । ଧିକାରନ୍ତି । ଟାପରା କରନ୍ତି । ଗୋଡ ଟାଣିଦିଅନ୍ତି । କଛା ଭିଡ଼ିଦିଅନ୍ତି। ଖୋଲିଦିଅନ୍ତି ହଡ଼ାବଳଦ ତା' ଚଲାବାଟରେ ।ହେ ହେ ହା ହା ଧ ଧ କରନ୍ତି । ସିଏ କିଛି ଟାହିଖେସା ବୁଝେନି । ବୁଝି ପାରେନି । ଶକ୍ତି ଦେଇନି ସ୍ରଷ୍ଟା । ତା'ର ସେଥିକୁ ଦୋଷ ନାହିଁ । ଯାହା ଭାବେ କରିଦିଏ । ଡର ଆଖିରେ ଚାହେଁ । ମାଆ ପଛରେ ଲୁଚିରହେ । ଭିଡ଼ିଧରେ ମାଆକୁ । ଶଙ୍ଖୁଡ଼ି ଲେପିହୁଏ । ଅଳିଆରେ ଘାଣ୍ଟିହୁଏ । ଆଖିରୁ ମୂହୁର୍ତ୍ତେ ଓଝଲ ହେଲେ ପୋଖରୀ କୂଅରେ ପଶେ । କାହା ବାରିରୁ ତୋଳି ଛିଡ଼େଇ ପାଟିରେ ପୁରାଏ । କିଛି ଜାଣିପାରେନି ସମାଜର ବନ୍ଧବାଡ଼ । ଯେମିତି ପ୍ରକୃତି ତାକୁ ଗଢ଼ିଛି ନା ! ଠିକ୍ ଯେମିତି ଗାଈ, ଛେଳି, ବାଘ, ଭାଲୁ, ପଶୁପକ୍ଷୀ, ଗଛବୃଛ୍ଛ ସିଏ ସେମିତି । ସେତିକି ନିରୀହ ।ସେତିକି ପ୍ରକୃତିଦତ୍ତ । ପ୍ରକୃତି ଚାଳିତ। ନିର୍ବୋଧ।


ଲୋକେ ଖେଙ୍କାରି ଆସନ୍ତି । ଘରେ ଦାଣ୍ଡବାଟରେ ଦୁର୍ ଦୁର୍ ହୁଡ୍ ହୁଡ୍ ମାର୍ ମାର୍ । କୋଡ଼ପୋଛା ପିଲାକୁ ଆଖି ଆଗରେ ଦିନକୁ ଦଶଥର ଧିକ୍କାର ହେଉଥିବା ଦେଖି ମାଆର କଲିଜା ବିନ୍ଧାଛିଟା କରିବନି ! ଚେଙ୍ଗିପୋଡି ହୁଏ ଚମଠୁ ହାଡଯାଏ । ସହିବା ସୀମା କହିବା ସୀମା ପାରକରେ । ମାଆର ପାଟି କହେ ......


 “ଏତେ ଲୋକ ମରୁଛନ୍ତି, ଏ କୁକୁମାରିଟା ମୋର ଯା'ନ୍ତାନି ଚୁଲିକୁ ! ତରିଯା'ନ୍ତା । ଆହାରେ ବିଧାତା ! ଭିଆରେ, ମରଣ ଭିଆ ତାକୁ ବିଧାତା ! କିଏ ତା ପେଟ କଥା ବୁଝିବ ନୋହିଲେ । କର କର ଚଞ୍ଚଳ କର । “


ଚାଲୁଥିଲି ମୁଁ ଘରପଟକୁ ଅନ୍ୟମନସ୍କ ପାଦ ଟାଣି ।


 ଥିନ୍ ଥିନା ଥିନ୍ ହେଇ ଦଳେ ପିଲା କାହାକୁ ଗୋଟେ ଗୋଟେଇ ହଡେଇ ନେଇଯାଉଥିଲେ । ତାଙ୍କ ଶବ୍ଦରେ ମୁଁ ଚମକି ପଡ଼ି ଦେଖେ ତ ଆବୁହାଉଡା ! ବାଡେଇ ହଉ ହଉ ରହିଲା ମୋ ଠି' । ମୁଁ ତାକୁ ମନ୍ତ୍ରଚାଳିତବତ୍ ବଢେଇଦେଲି ଭୋଗ ଭୋଗେଇଟା ମୋ ହାତରୁ ତା ହାତକୁ। ସିଏ ମୋଠୁ ରଙ୍କପାଇଲା ଝରୀ ପରି ଏକରକମ ଲୁଚେଇନେଇ ଦଉଡ଼ମାରିଲା ଦିଅଁ ପଥୁରିଦେବାଲ ପଛକୁ । ଲୁଚିଯିବ । ଖାଇବ କି, ସଲବଲ କରିବ କେଜାଣି ? ହଉ ଖାଉ । ଖାଇଦଉ ହେଲେ କେମିତି ......


ହଠାତ୍ ମୁଣ୍ଡରେ ପଶିଲା.....


ହେ ଇଏ ତ ଅଛି, ତେବେ କଣ ସେଇ ବୁଢୀ ? ନା ନାହିଁ ! ମୁଁ ଯାହା ସାଙ୍ଗେ କଥା ହେଲି ସିଏ, ତା' ହେଲେ କଣ ...


ମୋ ପାଦ ତଳ ଥରୁଥିଲା ... ଖୋଜୁଥିଲା ଆଖି ସେଇ ସୋରିଷ ଫୁଲିଆ କାନିର ଶେଷଧାରକୁ ସୀମା ହୀନ ବିଲ ସେପାରି ଯାଏ ଆଖି ବୁଲେଇ ।


ମତେ ଗୋଟେ ଶୀତଳବାଆ ସହ ଉଷୁମ ଆଶିଷର ସ୍ପର୍ଶଟିଏ ଛୁଇଁ ଛୁଇଁ ଯାଉଥିଲା ପୋଖରୀପଟୁ ।



Rate this content
Log in

Similar oriya story from Inspirational