କଥା କାଦମ୍ବରୀଭାଗ-୮୩
କଥା କାଦମ୍ବରୀଭାଗ-୮୩
ବେଲାଳସେନ'ର ଛିନ୍ନ ମସ୍ତକ
=====
ମହାଭାରତ ଯୁଦ୍ଧ ଆରମ୍ଭ ହେବାର ଠିକ୍ ପୂର୍ବରୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବିଶ୍ଵରୂପ ଦେଖାଇ କହିଥିଲେ...
"କର ବା ନକର ରଣ ତୁମ୍ଭେ ସର୍ବେ ଧ୍ବଂସହେବେ ହସ୍ତେ ମୋର,
ଭବିତବ୍ୟ ଯାହା ଅବଶ୍ୟ ଘଟିବ ତୁମ୍ଭେ ନିମିତ୍ତ ମାତର।"
ପାପୀ ମାନଙ୍କର ଧ୍ବଂସ କରି ଧର୍ମରାଜ୍ୟ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଶ୍ରୀକୃଷ୍ଣଙ୍କର ଜନ୍ମ।ତେଣୁ ସେ ପାଣ୍ଡବ ମାନଙ୍କୁ ଆଧାର କରି ସବୁକିଛି କରୁଥିଲେ ମହାଭାରତ ଯୁଦ୍ଧରେ।ଏହା ଯୁଦ୍ଧ କ୍ଷେତ୍ରର ମଧ୍ୟଭାଗରେ ସ୍ଥାପିତ ହୋଇଥିବା ସ୍ତମ୍ଭ ଉପରେ ରହିଥିବା ବେଲାଳସେନ'ର ଛିନ୍ନ ଶିର ହିଁ ଜାଣିଥିଲା।
ବିଭିନ୍ନ ଭାଷାରେ ଲିଖିତ ଘଟୋତ୍କଚ-ପୁତ୍ର ବର୍ବରିକ ଉପାଖ୍ୟାନ ଏବଂ ଶାରଳା ଦାସ ତଥା ଅତିବଡୀଙ୍କ ଭାଗବତରେ ବର୍ଣ୍ଣିତ ଭୀମ-ପୁତ୍ର ବେଲାଳସେନ ଉପାଖ୍ୟାନ ପ୍ରାୟ ସମାନ।ଉଭୟ କ୍ଷେତ୍ରରେ ସେହି ଚରିତ୍ର ଶ୍ରୀକୃଷ୍ଣଙ୍କୁ ନିଜର ଶିର ଦାନ କରିଛି ଏବଂ ଅନୁରୋଧ କରିଛି ଜୀବିତ ରହି ରଣକ୍ଷେତ୍ରରେ ଯୁଦ୍ଧ ଦେଖିବା ପାଇଁ। ଏଠାରେ ଶାରଳା ଦାସ ଏବଂ ଜଗନ୍ନାଥ ଦାସଙ୍କ ବର୍ଣିତ ଭୀମପୁତ୍ର ବେଲାଳସେନ ଉପାଖ୍ୟାନ ଆଲୋଚନା କରିବା...
ପଣ୍ଡୁଙ୍କ ମୃତ୍ୟୁପରେ ସେତେବେଳେ କୌରବ ଏବଂ ପାଣ୍ଡବ ମାନେ ହସ୍ତିନା ରାଜ ପ୍ରାସାଦରେ ଏକତ୍ର ରହୁଥିଲେ,ଭୀମଙ୍କୁ ଏକଦା ବିଷଲଡୁ ଭୋଜନ କରାଇ, ହସ୍ତପଦ ବନ୍ଧନକରି, ଈର୍ଷା ପ୍ରଣୋଦିତ କୌରବମାନେ ଗଭୀର ଗଙ୍ଗାଜଳକୁ ଫିଙ୍ଗି ଦେଇଥିଲେ।ଭୀମଙ୍କ ଶରୀର ଯାଇ ପଡ଼ିଲା ଗଭୀର ଜଳରେ ଥିବା ନାଗଲୋକରେ।ନାଗକନ଼୍ୟା ସୁଶ୍ରୀ ବେଲାମାଳୀଙ୍କ ସେବା ଯୋଗୁଁ ଭୀମ ଅଚିରେ ସୁସ୍ଥ ହୋଇ ଯାଇଥିଲେ ସିନା କିନ୍ତୁ ନାଗକନ୍ୟାଙ୍କ ପ୍ରେମ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ ।ଭୀମ, ନାଗକନ୍ୟାଙ୍କୁ ବିବାହ କରି କିଛିଦିନ ନାଗଲୋକରେ ଅବସ୍ଥାନ କରିଥିଲେ।ଭୀମଙ୍କ ଔରସରୁ ବେଳାମାଳୀ ଏକ ପୁତ୍ର ସନ୍ତାନ ଲାଭ କରିଥିଲେ;ଭୀମଙ୍କର ଏହି ନାଗପୁତ୍ରର ନାମ ଥିଲା 'ବେଲାଳ ସେନ'।
ମହାଭାରତ ଯୁଦ୍ଧ ଆରମ୍ଭ ହେବା ସମ୍ବାଦ ପାଇ, କୁରୁକ୍ଷେତ୍ର ଯାଇ ଯୁଦ୍ଧ ଦର୍ଶନ କରିବା ପାଇଁ ବେଲାଳ ମାତାଙ୍କୁ ଅନୁରୋଧ କଲା।
ଏହି ସମୟରେ କୁରୁକ୍ଷେତ୍ର ରଣ ପ୍ରାଙ୍ଗଣରେ ଯୁଦ୍ଧର ପୂର୍ବପ୍ରସ୍ତୁତି ଚାଲିଥିଲା।ପୂର୍ବ ଭାଗରେ ପାଣ୍ଡବ ସେନା ଏବଂ ପଶ୍ଚିମ ଭାଗରେ କୌରବ ସେନା ରହି ଯୁଦ୍ଧ କରିବା ପାଇଁ, ଶ୍ରୀକୃଷ୍ଣଙ୍କ ଉପସ୍ଥିତିରେ ଉଭୟେ ସମ୍ମତ ହେଲେ।ରଣ ପ୍ରାଙ୍ଗଣର ମଧ୍ୟସ୍ଥଳରେ ଏକ ଶୁଭ ସ୍ତମ୍ଭ ସ୍ଥାପିତ କରିବା ପାଇଁ ନିଷ୍ପତ୍ତି ନିଆଗଲା। ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶକ୍ରମେ 'କୁଣ୍ଡଳୀ' ପର୍ବତରୁ ଅଗର ନାମକ ଏକ ବୃକ୍ଷ ଅଣାଗଲା ସ୍ତମ୍ଭ ପାଇଁ। ତାହା ଏକ ବିଶାଳ ବୃକ୍ଷ ହୋଇଥିଲେ ମଧ୍ୟ କୁଣ୍ଡଳୀ ପର୍ବତରୁ ସେହି ବୃକ୍ଷକୁ ଅବଲୀଳାକ୍ରମେ ଭୀମ ଉତ୍ପାଟନକରି କୁରୁକ୍ଷେତ୍ର ରଣ ପ୍ରାଙ୍ଗଣରେ ପହଞ୍ଚିଲେ। କୁରୁକ୍ଷେତ୍ରର ମଧ୍ୟ ଭାଗରେ ଏକ ବିରାଟ ଗର୍ତ୍ତ ଖନନ କରାଗଲା ଏବଂ ଅଗର ବୃକ୍ଷକୁ ସେଠାରେ ଶୁଭ-ସ୍ତମ୍ଭ ଭାବେ ସ୍ଥାପନ କରିବା ପ୍ରୟାସ କରାଗଲା। କିନ୍ତୁ ଆଶ୍ଚର୍ଯ୍ୟ କଥା ସେହି ସ୍ତମ୍ଭ ସ୍ଥିର ହୋଇ ନ'ରହି ଅଣେଇ ହୋଇ ପଡ଼ିଲା। ଶ୍ରୀକୃଷ୍ଣ ସହଦେବଙ୍କୁ ଏହାର କାରଣ ପଚାରିଲେ।ସହଦେବ କହିଲେ .. ପ୍ରଭୁ !ଆପଣ ସ୍ତମ୍ଭକୁ ତାହାର କାରଣ ଜିଜ୍ଞାସା କରନ୍ତୁ।"
ଶ୍ରୀକୃଷ୍ଣଙ୍କ ଜିଜ୍ଞାସା ଶୁଣି ସ୍ତମ୍ଭ-ପୁରୁଷ ବିଦ୍ୟମାନ ହୋଇ କହିଲେ...ସ୍ଥିର ହୋଇ ରହିବା ପାଇଁ ମୋର ବଳିଭୋଜା ଆବଶ୍ୟକ; ତାହା ପୁଣି ଜଣେ ପାଣ୍ଡବ ବଂଶଜଙ୍କର।"ଏହା ଶୁଣି ଶ୍ରୀକୃଷ୍ଣ ଏପରି ଜଣେ ପାଣ୍ଡବ ବଂଶଜ'ଙ୍କ ସନ୍ଧାନ ନେବାପାଇଁ ସହଦେବଙ୍କୁ ନିର୍ଦ୍ଦେଶ ଦେଲେ ।
ସହଦେବ କହିଥିଲେ..ଭୀମଙ୍କ ପୁତ୍ର ବେଲାଳସେନ ଯୁଦ୍ଧ ଦର୍ଶନ ଉପଲକ୍ଷେ ଆସୁଛନ୍ତି।ସେ ଜଣେ ଅଦ୍ୱିତୀୟ ବୀର।ଦିବ୍ୟାସ୍ତ୍ର ପ୍ରୟୋଗ କରି ଗୋଟିଏ ଦିନରେ କୁରୁକ୍ଷେତ୍ର ଯୁଦ୍ଧ ଶେଷ କରିଦେବାର ସାମର୍ଥ୍ୟ ତାଙ୍କର ରହିଛି। କିନ୍ତୁ ଏଭଳି ଦିବ୍ୟାସ୍ତ୍ରର ପ୍ରୟୋଗ ଉଭୟ ପକ୍ଷ ପାଇଁ କ୍ଷତି କାରକ ହୋଇପାରେ।ଭୀମସେନଙ୍କ ଅନୁମତି ନେଇ ବେଲାଳସେନଙ୍କୁ ବଳି ଭାବରେ ବ୍ୟବହାର କରାଯାଇପାରେ।"
କିନ୍ତୁ ଭୀମସେନ ନିଜ ପୁତ୍ରକୁ ବଳି ଦେବା ପାଇଁ ଘୋର ଅନିଚ୍ଛା ପ୍ରକାଶ କଲେ। ଶ୍ରୀକୃଷ୍ଣ ପ୍ରତିଶ୍ରୁତି ଦେଲେ ଯେ ଯୁଦ୍ଧ ସମୟରେ ବେଲାଳସେନର ଶିର ସ୍ତମ୍ଭ ଉପରେ ରହି ଯୁଦ୍ଧ ଦର୍ଶନ କରିବ, ଯୁଦ୍ଧ ଶେଷରେ ତାକୁ ଜୀବନ୍ୟାସ ଦିଆଯିବ।ଶେଷରେ ଏଥିପାଇଁ ଭୀମସେନ ସମ୍ମତ ହେଲେ କିନ୍ତୁ ସର୍ତ୍ତ ରଖିଥିଲେ ଯେ ସେଥିପାଇଁ ବେଲାଳସେନର ସମ୍ମତି ଆବଶ୍ୟକ।
ବେଲାଳସେନ ପାଖରେ ପହଞ୍ଚିଲେ କେଶବ। ଶ୍ରୀକୃଷ୍ଣଙ୍କୁ ଦେଖି ବେଲାଳ ନତଶିର ହୋଇ ପ୍ରଣାମ କଲା। ହାତରେ ଥିଲା ଗୋଟିଏ ମାତ୍ର ତୀର। ସେହି ତୀରର ଗୋଟିଏ ପାର୍ଶ୍ବରେ ଶାଣ ଦେଉଥିଲା ଭୀମଙ୍କ ପୁତ୍ର। ଆଶ୍ଚର୍ଯ୍ୟ ହୋଇ କେଶବ ଏପରି କରିବାର କାରଣ ପଚାରିଲେ।ବେଲାଳସେନ କହିଲା ..ପ୍ରଭୁ ! ତୀରର ମାତ୍ର ଗୋଟିଏ ପାର୍ଶ୍ବ ପାଇଁ ଏଗାର ଅକ୍ଷୌହିଣୀ କୁରୁ ସେନା ନିଅଣ୍ଟ। କିଛି ମୁହୂର୍ତ୍ତରେ କୁରୁକ୍ଷେତ୍ର ଯୁଦ୍ଧ ମୁଁ ଶେଷ କରିଦେବି।"
ଶ୍ରୀକୃଷ୍ଣ କହିଲେ .. ଏହା ମୁଁ କିପରି ବିଶ୍ବାସ କରିବି ପୁତ୍ର ? ସେଥିପାଇଁ ତୁମକୁ ପ୍ରମାଣ ଦେବାପାଇଁ ପଡ଼ିବ।" ବେଲାଳସେନ ତୀରରେ ଅଗ୍ରଭାଗରେ ସିନ୍ଦୂର ଲଗାଇ କହିଲା.. ମୁଁ ଏହି ତୀରରେ ସିନ୍ଦୂର ଚିହ୍ନ ଦେବା ପରେ ଯେଉଁ ବୀରମାନଙ୍କ କପାଳରେ ସ୍ବତଃ ସିନ୍ଦୂର ଚିହ୍ନ ଲାଗିଯିବ ସେମାନେ ସମସ୍ତେ କୁରୁକ୍ଷେତ୍ର ଯୁଦ୍ଧରେ ମୋ ହାତରେ ନିହତ ହେବେ। ଶ୍ରୀକୃଷ୍ଣ ଗୁପ୍ତରେ ଅନୁସନ୍ଧାନ କରି ଜାଣିପାରିଲେ ଯେ ବେଲାଳସେନ ଏବଂ ତାଙ୍କ ନିଜ ବ୍ୟତୀତ ଆଉ ସମସ୍ତ କୌରବ ଏବଂ ପାଣ୍ଡବ ମାନଙ୍କ ମସ୍ତକରେ ସିନ୍ଦୂର ଚିହ୍ନ ଲାଗିଥିଲା।
ଆଶ୍ଚର୍ଯ୍ୟ ଚକିତ ଶ୍ରୀକୃଷ୍ଣ ପ୍ରଶ୍ନକଲେ..କୁହ ପୁତ୍ର କିଏ ତୁମର ଗୁରୁ ?"ବେଲାଳ କହିଲା .. ଆପଣଙ୍କୁ ମୁଁ ସର୍ବଶକ୍ତିମାନ ବିଶ୍ବାଧାର ଏବଂ ଗୁରୁ-ଶ୍ରେଷ୍ଠ ଭାବେ ମାନ୍ୟତା ଦେଇ ଆସିଛି,ଆଉ ଅନ୍ୟ କିଏ ମୋର ଗୁରୁ ହୋଇପାରିବ ?"
ଶ୍ରୀକୃଷ୍ଣ କହିଲେ ..ତା ହେଲେ ଗୁରୁଙ୍କୁ ଦକ୍ଷିଣା ଦେବନାହିଁ ପୁତ୍ର ?"
ବେଲାର ସେନ କହିଲା ..ହେ ଗୁରୁଶ୍ରେଷ୍ଠ ! ଆପଣ ଯାହା ମାଗିବେ ଗୁରୁ ଦକ୍ଷିଣାରେ ମୁଁ ଦେବାପାଇଁ ପ୍ରସ୍ତୁତ।"
ଶ୍ରୀକୃଷ୍ଣ କହିଲେ ..ବତ୍ସ ! ଗୁରୁ ଦକ୍ଷିଣାରେ ତୁମ ଶିର ମୋତେ ଦାନ କର।ଶୁଭ ସ୍ତମ୍ଭରେ ବଳି ପାଇଁ ତୁମର ଶିର ଆମର ଆବଶ୍ୟକ।"
ହସିଲା ବେଲାଳସେନ,କହିଲା ..ସତରେ ତୁମେ ବଡ କପଟୀ ଶ୍ରୀକୃଷ୍ଣ ,ତୁମ ଲୀଳାର ଆଦିଅନ୍ତ କିଏ ପାଇବ ପ୍ରଭୁ ! ମହାଭାରତ ଯୁଦ୍ଧ ଗୋଟିଏ ଦିନରେ ଶେଷ କରିଦେବି ବୋଲି ଭୟକଲ କି କେଶବ ? ଠିକ୍ ଅଛି, ତୁମ ଲୀଳାରେ ମୁଁ ବାଧା ଦେବି ନାହିଁ।ଗୁରୁ ଦକ୍ଷିଣାରେ ମୁଁ ତୁମକୁ ମୋର ଶିର ଦାନ କରୁଛି, କିନ୍ତୁ ଶେଷ ପର୍ଯ୍ୟନ୍ତ ଯୁଦ୍ଧ ଦର୍ଶନ କରିବାର ସୌଭାଗ୍ୟମୋତେ ଦାନ କରନ୍ତୁ।"
ଶ୍ରୀକୃଷ୍ଣ କହିଲେ ...ତଥାସ୍ତୁ ବୀର ପୁତ୍ର,ତୁମର ଛିନ୍ନ ଶିର , କୁରୁକ୍ଷେତ୍ରର ମଧ୍ୟରେ ଥିବା ସ୍ତମ୍ଭ ଉପରେ ରହି ଯୁଦ୍ଧ ଶେଷ ପର୍ଯ୍ୟନ୍ତ ପ୍ରତିଟି କ୍ଷଣ ଦର୍ଶନ କରୁଥିବ।"
ମହାଭାରତ ଯୁଦ୍ଧ ଶେଷରେ ଯେତେବେଳେ ପାଣ୍ଡବ ବୀରମାନଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଲା କିଏ ଅଧିକ ଶତ୍ରୁ ସଂହାର କରିଛି ବୋଲି, ଶ୍ରୀକୃଷ୍ଣ କହିଥିଲେ..ଏତେ ବାଦ ବିବାଦ କାହିଁକି ?ରଣକ୍ଷେତ୍ରର ମଧ୍ୟଭାଗରେ ରହି ବେଲାଳ ଅଠର ଦିନର ଯୁଦ୍ଧର ପ୍ରତି ମୁହୂର୍ତ୍ତର ସାକ୍ଷୀ।ଚାଲ ସମସ୍ତେ,ବେଲାଳ ଠାରୁ ପ୍ରକୃତ ଘଟଣା ଜଣାପଡିବ।"
ରଣକ୍ଷେତ୍ରରେ ପହଞ୍ଚି ଭୀମସେନ ବେଲାଳକୁ ପ୍ରଶ୍ନ କଲେ .. ମହାଭାରତ ଯୁଦ୍ଧରେ କିଏ ସବୁଠାରୁ ଅଧିକ ଶତ୍ରୁ କ୍ଷୟ କରିଛନ୍ତି ପୁତ୍ର ?
ହସିଲା ବେଲାଳସେନର ଛିନ୍ନ ମସ୍ତକ, କହିଲା ..ଦୁଇ ପକ୍ଷରୁ କାହା ହାତରେ ମଧ୍ୟ ଗୋଟିଏ ବି ସୈନ୍ୟ ନିହତ ହୋଇନାହାନ୍ତି। ସମସ୍ତେ ଖାଲି କୋଳାହଳରେ ବ୍ୟସ୍ତ ରହିଥିଲେ।କେବଳ ଗୋଟିଏ ମାତ୍ର ଚକ୍ର ରଣ କ୍ଷେତ୍ରରେ ଘୂରିବୁଲି ଉଭୟ ପକ୍ଷରୁ ବୀର ମାନଙ୍କର ମସ୍ତକ କର୍ତ୍ତନ କରୁଥିଲା।"
ଅଦ୍ଭୁତ ଏହି ମହାଭାରତର କାହାଣୀ। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଦୁଇ ପକ୍ଷର ସାମରିକ ଶକ୍ତିମାନେ ବିଭିନ୍ନ କ୍ଷେତ୍ରରେ ଯୁଦ୍ଧରେ ଲିପ୍ତ ଥିଲେ। ଆମେରିକା ଯେଉଁ ଦୁଇଟି ପରମାଣୁ ଅସ୍ତ୍ର ବ୍ୟବହାର କଲା ତା ଦ୍ବାରା, ବହୁଦିନ ଲାଗିରହିବାର ସମ୍ଭାବନା ଥିଵା ଯୁଦ୍ଧ ଅଚିରେ ଶେଷ ହୋଇଗଲା। କିନ୍ତୁ ନାଗାସାକୀ ହିରୋସୀମାରେ କି ଭୟଙ୍କର ପ୍ରଭାବ ନ'ପଡ଼ିଲା ସତେ !ମାନବ ସମାଜରେ ଯେଉଁ ଧ୍ବଂସଲୀଳା ସୃଷ୍ଟି ହେଲା ତାହା ଚିନ୍ତା କଲେ ଦେହ ଶୀତେଇଯାଏ।
ବେଳାଳସେନ ଯେଉଁ ଏକମାତ୍ର ଦିବ୍ୟ ବାଣ ତା ପାଖରେ ରଖିଥିଲା ତାହା କୌଣସିପରମାଣୁ ଶକ୍ତି ଠାରୁ କମ୍ ନଥିଲା। କୌରବପକ୍ଷ ଯୁଦ୍ଧରେ ନିହତ ହୋଇଥାଆନ୍ତେ, କିନ୍ତୁ ବାଣ ପ୍ରଭାବରେ ପାଣ୍ଡବ ମାନଙ୍କର ମଧ୍ୟ କ୍ଷତି ଘଟିଥାନ୍ତା। ସେଥିପାଇଁ , ବେଲାଳ ସେନ ଯେତେବେଳେ ତୀରରେ ସିନ୍ଦୂର ଲଗାଇଲା କୌରବଙ୍କ ସଙ୍ଗେ ସଙ୍ଗେ ପାଣ୍ଡବଙ୍କ ମଥାରେ ମଧ୍ୟ ସିନ୍ଦୂର ଚିହ୍ନ ଦେଖାଦେଇଥିଲା; ହୁଏତ ଏହା ବେଲାଳସେନର ଅଜ୍ଞାତସାରରେ ଘଟିବାକୁ ଯାଉଥିଲା।ଥରେ ପରମାଣୁ ଅସ୍ତ୍ର ପ୍ରୟୋଗ କଲେ,ତାର ଫଳାଫଳକୁ ନିୟନ୍ତ୍ରିତ କରିବା ଶକ୍ତି ପ୍ରୟୋଗକାରୀ ହାତରୁ ଚାଲିଯାଏ। ଶ୍ରୀକୃଷ୍ଣ ଏହା ହୃଦୟଙ୍ଗମ କରି ପାରିଥିଲେ; ତେଣୁ ସେ ଗୁରୁ ଦକ୍ଷିଣାରେ ବେଲାଳ'ର ଶିର ମାଗିନେଲେ।