ବିନୟ ମହାପାତ୍ର

Drama Romance Inspirational

4  

ବିନୟ ମହାପାତ୍ର

Drama Romance Inspirational

କୃଷ୍ଣା

କୃଷ୍ଣା

22 mins
270



ସପ୍ତାହାନ୍ତରେ ଶନିବାର, ରବିବାର ଦୁଇ ଦିନର ଛୁଟି । ପାଞ୍ଚ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ଏଇ ଛୁଟି ଦୁଇ ଦିନ ଭଲ ତ ଲାଗେ, କିନ୍ତୁ ବିଶ୍ରାମ ପୁରା ହେଲା ପରି ଲାଗେନି । ଶନିବାର ସକାଳଟା ଶୋଇବାରେ ଚାଲି ଯାଏ, ଉପର ବେଳାଟା ସପିଙ୍ଗରେ, ସନ୍ଧ୍ୟାରେ ମେସ୍ ରେ ରେଷ୍ଟ ନେଇ ପୁରା ଦିନଟି କଟି ଯାଏ । ବାକି ବଞ୍ଚିଲା ରବିବାରଟା, ବଡ ଅଳସୁଆ ଲାଗେ, ମନ ହୁଏ କିଏ ଜଣେ ସାଙ୍ଗରେ ଥାଆନ୍ତା କି ! ଦି’ ପହରର ଅଳସ ମୁହୂର୍ତ୍ତରେ ସାଙ୍ଗ ହୋଇ ବାହାରି ଯାଆନ୍ତେ ମୁମ୍ବାଇର ରବିବାରିଆ ସରସ ରାଜ ରାସ୍ତାରେ । ରାସ୍ତା କଡର ଚଟପଟା ଷ୍ଟ୍ରିଟ୍ ଫୁଡ୍ ର ମଜା ନେଇ, ଝାଲ୍ ମୁଢି ଖାଉ ଖାଉ ସମୁଦ୍ର କୁଳରେ ଘେରାଏ ବୁଲି ଆସନ୍ତା । ବେଳାଭୂମିରେ ପାଣି ଠାରୁ ଅଳ୍ପ ଦୂରରେ ବସି ହାତରେ ହାତ ଛନ୍ଦି ଦେଇ ଢେର ସାରା ଗପନ୍ତା । ହେଲେ ଜୀବନଟା ଏତେ ସୁନ୍ଦର ନଥିଲା । ଏକୁଟିଆ, ଏକୁଟିଆ ବଡ ନିରାଶ, ନିସଙ୍ଗ, ଖାଁ ଖାଁ ଲାଗେ ଜୀବନଟା । ଆଜି ସକାଳୁ, କେଜାଣି କାହିଁକି ଆକାଶ କଥା ବହୁତ ମନେ ପଡୁ ଥିଲା । ସେ ଆସନ୍ତା ହେଲେ, ଦି' ଘଣ୍ଟା ପାଇଁ । କିନ୍ତୁ ସିଏ ବା କାହିଁକି ଆସିବ ! ସେ କଣ ମୋର ପ୍ରେମିକ ନା ଆଉ ଏମିତି କିଛି ଘନିଷ୍ଟ ସମ୍ପର୍କୀୟ? ନା ସେମିତି କିଛି ନିବିଡ ସମ୍ପର୍କ ଅଛି ତା ସହିତ?େମିକ ନା କିଛି ନିବିଡ ସମ୍ପର୍କ ଅଛି ତା ସହିତ !

ୟୁନିଭରସିଟିରେ ଏକାଠି, ଏକା ସବଜେକ୍ଟ ଏକା କ୍ଲାସରେ ପଢୁ ଥିଲେ ବୋଲି କେବଳ ଟିକିଏ ବନ୍ଧୁତା । ଆକାଶର ପଞ୍ଝାଏ ସାଙ୍ଗ ମାନଙ୍କ ଭିତରେ କୃଷ୍ଣା କେବଳ ଜଣେ ସାଧାରଣ ବନ୍ଧୁ ଥିଲା । ୟୁନିଭରସିଟିର ବେଷ୍ଟ ଷ୍ଟୁଡେଣ୍ଟ ଥିଲା ଆକାଶ, ଭଲ ଗୀତ ଗାଏ, କିଛି କିଛି କବିତା ବି ଲେଖେ, ସେଥି ପାଇଁ ସମସ୍ତେ ତାକୁ ଭଲ ପାଆନ୍ତି । ତା ସହିତ ବନ୍ଧୁତା କରିବାକୁ ମଉକା ଖୋଜନ୍ତି । ୟୁନିଭରସିଟିର ଅଧା ଝିଅ ତା ପଛରେ ପଡି ଯାଇ ଥିଲେ । କାହିଁକି ପଡିବେନି ଯେ, ସିଏ ତ ସେମିତି, କୋଟିକରେ ଗୋଟିଏ ପିଲା ଥିଲା । ପ୍ରାୟ ଛ ‘ଫୁଟର ଗୋରା ତକ୍ ତକ୍ ଡେଙ୍ଗା ପିଲାଟା, ଫିଲ୍ମ ହିରୋ ପରି ଦିଶେ । ପାଠ ପଢାରେ ଯେମିତି, ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିରେ ବି ସେମିତି ବେଷ୍ଟ ଥିଲା । ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ ଦୁଇ ବର୍ଷରେ ଦୁଇ ଥର ଟ୍ରଫି ଲଗା ତାର ଜିତିଥିଲା । ହେଲେ କାହିଁକି କେଜାଣି ଗୋଟିଏ ବି ଝିଅ ତାର ପ୍ରେମ ଜିତି ପାରିଲାନି । ପଦ୍ମ ପତ୍ରରେ ପାଣି ଢଳ ଢଳ ହେଲା ପରି ସେ ସମସ୍ତଙ୍କ ମନରେ ତ ଥିଲା, ହେଲେ କେହି ତାକୁ ଛୁଇଁ ପାରୁ ନଥିଲେ । ସମସ୍ତେ ଭାବୁ ଥିଲେ ତାର ବୋଧେ ଗୋଟିଏ ଗୁମ୍ ନାମ ପ୍ରେମିକା, କେଉଁଠି ନା କେଉଁଠି ଲୁଚିକି ରହିଛି । ନହେଲେ ଫଗୁଣର ହୋଲି ଦିନରେ ଗୋପ ବଜାରର ଗଳିରେ, ଗୋପୀ ଗହଳରେ ବୁଲି ବି ଦେହରେ ଟୋପାଏ ରଙ୍ଗ ନଲଗେଇବା ବଡ ଅଜବ କଥା ନୁହେଁ ?

କିନ୍ତୁ କୃଷ୍ଣାକୁ ଅନେକ ଥର ଏପରି କାହିଁକି ଲାଗେ, ଆକାଶ ଯେପରି ସବୁ ବେଳେ ତାର ନିକଟତର ହେବାକୁ ଚେଷ୍ଟା କରୁ ଥିଲା । ଏମିତି କିଛି ପାଠ ନଥିଲା ଯେଉଁଥିରେ ଆକାଶର ଡାଉଟ୍ ରହି ଯିବ । କ୍ଲାସର ବେଷ୍ଟ ଷ୍ଟୁଡେଣ୍ଟ ଥିଲା ସିଏ, ତଥାପି, ପ୍ରାୟ ଅନେକ ସମୟରେ ନିଜର ଡାଉଟ୍ କ୍ଲିୟର କରିବାକୁ କୃଷ୍ଣା ପାଖକୁ ଚାଲି ଆସୁ ଥିଲା, ଏମିତି ଅନେକ ଥର । କୃଷ୍ଣା ବହୁତ କ୍ଳିୟର ଭାବେ ସବୁ ବୁଝାଇ ସାରିଲା ପରେ ବି ଆକାଶ ନ ବୁଝିବାର ବାହାନା କରି ଆଉ ଥରେ ବୁଝାଇବାକୁ ଅନୁରୋଧ କରୁ ଥିଲା । କୃଷ୍ଣାକୁ କାହିଁକି ଲାଗୁ ଥିଲା ତା ସହିତ କିଛି ଅଧିକ ସମୟ ବିତେଇବା ପାଇଁ, ଏ ସବୁ ଆକାଶର ବାହାନା ଥିଲା । କୃଷ୍ଣା ଚେଷ୍ଟା କରେ, ଆହୁରି ସରଳ ଭାବେ ପୁଣି ଥରେ ସେହି ପ୍ରଶ୍ନର ଉତ୍ତର ବୁଝେଇ ଦେବାକୁ, କିନ୍ତୁ ତେବେ ବି ଆକାଶକୁ ସବୁ ଅବୁଝା ରହି ଯାଏ, ଏମିତି ବାରମ୍ବାର ହୁଏ ।

ଦୁଇ ତିନି ଘଣ୍ଟା ସମୟ ଗୋଟିଏ ପ୍ରଶ୍ନର ଉତ୍ତର ବାରମ୍ବାର ବୁଝାଇ କୃଷ୍ଣାକୁ ବିରକ୍ତ ଲାଗେ, ହେଲେ ସେ ମୁହଁ ଖୋଲି ଆକାଶକୁ କିଛି ବି କହି ପାରେନା । ଚାଲି ଯିବାକୁ ବି କହି ପାରନା । କାରଣଟା କିନ୍ତୁ କୃଷ୍ଣା ଜାଣି ପାରୁନଥିଲା, ହୁଏତ ଆକାଶର ସାନିଧ୍ୟ ତାକୁ ବି' ଭଲ ଲାଗୁ ଥିଲା । ଆକାଶ ଏମିତି ସାମ୍ନାରେ ବସି ତା ମୁହଁକୁ ଚାହିଁ ରହି ଥିବ, ବାରମ୍ବାର ଆଖିରେ ଆଖିର ଟକ୍କର ହୋଇ ଯାଉ ଥିବ ଏବଂ ଉଭୟ ଟିକିଏ ହସି ଦେଉଥିବେ, ଏବଂ ଦେହରେ ଏକ ଅଜବ ଶିହରଣ ଖେଳି ଯାଉଥିଲା, ଅପୂର୍ବ ସେ ଅନୁଭୂତି । ସେ ଅନୁଭବକୁ ମନେ ପକାଇ ଆଜି ବି କୃଷ୍ଣାର ଦେହରେ ଏକ ହିଲ୍ଲୋଳ ସୃଷ୍ଟି ହୋଇଯାଏ, ଓଠରେ ଟିକେ ଲାଜ ମିଶା ହସ ଏବଂ ଆଖି ବୁଜି ହୋଇ ଯାଏ ।

ସେ ସବୁ ଅନୁଭବ କଣ ପ୍ରେମ ଥିଲା ? ତେବେ ଆକାଶ କଣ ତାକୁ ହିଁ ପ୍ରେମ କରୁ ଥିଲା ? ହେଲେ ସେ କେବେ ବି ସେମିତି କିଛି କହିନି, ଏମିତି କିଛି ଇସାରା ବି କେବେ ଦେଇନି । କେମିତି କହି ଦେବ କୃଷ୍ଣା, ଯେ ଆକାଶ ତାକୁ ଭଲ ପାଉଥିଲା ବୋଲି । କୃଷ୍ଣା ବି' ମନେ ମନେ ଆକାଶର ପ୍ରେମରେ ପଡି ଯାଇ ଥିଲା ଯେମିତି, ହେଲେ...... ହେଲେ, ସେ କେମିତି କହି ଦେଇ ଥାଆନ୍ତା ଆକାଶକୁ, ଆଇ ଲଭ ୟୁ ବୋଲି ? କେବଳ ଗୋଟିଏ ଝିଅ ହୋଇ ଆଗୁଆ ପ୍ରେମ ନିବେଦନ କରିଲେ ଲାଜ ଲାଗିବ ବୋଲି ନୁହେଁ, ବରଂ ଆହୁରି ଅନେକ କାରଣ ଥିଲା କୃଷ୍ଣା ପାଖରେ । ସେ ମନେ ମନେ ଆକାଶକୁ ଭଲ ପାଉ ଥିଲେ ବି, ମନର ପ୍ରେମକୁ ମନରେ ଦବାଇ ରଖିବା ପାଇଁ ତା ପାଖରେ ଅଜସ୍ର କାରଣ ଥିଲା । କିନ୍ତୁ ଆକାଶ ଯଦି ଭଲ ପାଉଥିଲା, ତେବେ ସେ କାହିଁକି ନିରବ ଥିଲା ? ତା ପାଖରେ ନିଜର ପ୍ରେମ ପ୍ରକାଶ କରି ନ ପାରିବାର ଏପରି କିଛି ଗୋଟିଏ ବି କାରଣ ଥିଲା ପରି ତ କେବେ ମନେ ହୁଏନା ।

ହଠାତ କବାଟରେ କାହାର ଠକ୍ ଚକ୍ କରିବାର ଶବ୍ଦରେ କୃଷ୍ଣାର ଧ୍ୟାନ ଭାଙ୍ଗି ଗଲା, ସେ ବେଡରୁ ଉଠି କବାଟ ଖୋଲି ଯାହା ଦେଖିଲା, ସେଥିରେ ସେ କେମିତି ପ୍ରତିକ୍ରିୟା କରିବ ଭାବି ପାରୁ ନଥିଲା । ବଡ ବଡ ଆଖି କରି ଅନେଇ ରହି ଥାଏ ଆଗନ୍ତୁକଙ୍କୁ । ବଡ ଅସମଞ୍ଜସ ସ୍ଥିତିରେ ଥିଲା କୃଷ୍ଣା, ତାର ମନେ ହେଉ ଥିଲା ସତେ ଯେପରି ଧାଇଁ ଯାଇ ଆଗନ୍ତୁକର ବାହୁ ବନ୍ଧନରେ ନିଜକୁ ହଜେଇ ଦେବ । ତା ଦେହ ସାଙ୍ଗରେ ନିଜ ଦେହକୁ ମିଶାଇ ଏକ ହୋଇ ଯିବ ଅବା ତା ମୁହଁକୁ ନିଜର ଦୁଇ ହାତରେ ଜାବୁଡି ଧରି ଚୁମି ଯିବ ଆଗନ୍ତୁକର ମୁହଁ ସାରା । ପୁରା ମୁହଁକୁ ତାର ରଙ୍ଗେଇ ଦେବ ନିଜର ଲିପଷ୍ଟିକ ରଙ୍ଗର ଦାଗରେ । ହେଲେ, କିଛି ବି କରି ପାରୁ ନଥିଲା, କିଛି ବି କହି ପାରୁନ ଥିଲା ସେ । ସତେ ଯେପରି ପଥରର ମୂର୍ତ୍ତି ପରି ସ୍ଥାଣୁ ପାଲଟି ଯାଇ ଥିଲା ସିଏ ।ଏପରି ଏକ ବିଚିତ୍ର ଅବସ୍ଥା ଥିଲା କୃଷ୍ଣାର। ସେହି ମୁହୁର୍ତ୍ତର ଦୃଶ୍ୟକୁ ଠିକ ଠିକ ଭାବେ ବର୍ଣ୍ଣନା କରିବାକୁ ଶବ୍ଦ ବି ନାହିଁ ଦୁନିଆରେ ।

କୃଷ୍ଣାର ଏପରି ତଟସ୍ଥ ଅବସ୍ଥା ଦେଖି ଆକାଶ ମୁହଁ ଖୋଲିଲା । କହିଲା "ଆରେ ଏମିତି କଣ ଚାହିଁଛୁ ? ଦିନ ଦି ‘ପହରରେ ମୁଁ ଭୂତ ନୁହେଁ, ପୁରା ଜିଅନ୍ତା ମଣିଷଟେ" ଦେଖୁଛୁ ।

ଯେମିତି ସିନେମାରେ ହୁଏ, ଗୋଟିଏ ଭୟାନକ ଝଡ ସିନ୍ ମଝିରେ ହଠାତ୍ ପଜ୍ କରି ପୁଣି ପ୍ଲେ କଲେ ଯେପରି ହୁଏ । ସେପରି ଥିଲା କୃଷ୍ଣାର ରିଆକ୍ସନ, ସତେ ବା ବୁଢି ଅସୁରୁଣୀର ଅଭିଶାପରେ ଅଭିଶପ୍ତ କେଉଁ ଏକ ରାଜ କୁମାରୀର ପଥର ମୂର୍ତ୍ତି, ହଠାତ୍ ଏକ ଅଜଣା ରାଜ କୁମାର ହାତର ଯାଦୁଇ ସ୍ପର୍ଶ ପାଇ ପୁଣି ଥରେ ଜୀବନ୍ତ ହୋଇ ଗଲା । ସଦ୍ୟ ହୋସ୍ ଫେରି ପାଇଥିବା କୃଷ୍ଣା, ନିଜର ଖୁସିକୁ ଠିକ୍ ଠିକ୍ ପ୍ରକାଶ କରି ପାରୁ ନଥିଲା । ବଡ କଷ୍ଟରେ କହିଲା, ଆରେ ଆକାଶ, ତୁ ? ଏମିତି, ଏଇଠି ? ତୁ ପୁରା ଶହେ ବର୍ଷ ବଞ୍ଚିବୁ । ତୋରି କଥା ଭାବୁ ଥିଲି ଏବେ ।

ଆକାଶ ଟିକିଏ ହସି କହିଲା, ସତରେ? ମୋର କାହିଁକି ବିଶ୍ୱାସ ହେଉନି, ତୁ ମୋ କଥା ଭାବୁ ଥିବୁ ବୋଲି ।

କୃଷ୍ଣା ମିଛ ଅଭିମାନ କରି ଟିକିଏ ସୁଖିଲା ହସି ଓଠରେ ଖେଳେଇ, କହିଲା, ଠିକ୍ ଅଛି, ତା ହେଲେ ମୁଁ ଗୋଟେ ମିଛେଇ, ଏବେ ଠିକ୍ ତ? ଆ ଭିତରକୁ ଆ, କହି ଚଉକିଟାକୁ ବେଡ ପାଖକୁ ଟାଣି ଆଣି, ବସ କହି ନିଜେ ଖଟଟା ଉପରେ ଚକା ମଲି କରି ବସି ଗଲା ।

ଚା ପିଇବୁ ନା କୋଲ୍ଡ ଡ୍ରିଙ୍କ ? ଆକାଶ କହିଲା ସ୍ପ୍ରିଣ୍ଟ ଅଛି ? କୃଷ୍ଣା ଟିକେ ହସିଲା ଏବଂ ଦୁଇଟି ଗ୍ଲାସରେ ସ୍ପ୍ରିଣ୍ଟ ଭରି ନେଇ ଆସିଲା ଆଉ ପିଉ ପିଉ ପଚାରିଲା, ଆଜି କେମିତି ଦର୍ଶନ ଦେଇ ଦେଲୁ ?

ଆକାଶ କହିଲା, ମେସ୍ ରେ ବୋର ହେଉ ଥିଲି । କିଛି କାମ ନାହିଁ, ସକାଳୁ ଲାପଟପ୍ ରେ ଫିଲ୍ମ ଦେଖି ଦେଖି ଥକି ଗଲି । କେବେ ଠାରୁ ଭାବୁଥିଲି ସନ-ଡେ ଦେଖି ଥରେ ତୋ ମେସ୍ ଟା ଦେଖି ଆସିବାକୁ, କିନ୍ତୁ ଆସି ପାରୁ ନଥିଲି । ଆଜି ସମୟ ଥିଲା, ତେଣୁ ଚାଲି ଆସିଲି । ପ୍ରଥମେ ତୋତେ ଫୋନ କରି ଆସିବି ବୋଲି ଭାବୁ ଥିଲି, କାଳେ ତୁ ଥିବୁ କି ନଥିବୁ, କିନ୍ତୁ ପରେ ଭାବିଲି ହଠାତ୍ ପହଞ୍ଚି, ତୋତେ ଗୋଟେ ସର୍ପରାଇଜ୍ ଦେଇ ଦେବି, ଯଦି ତୁ ମିଳି ନଥାନ୍ତୁ ତେବେ ନିଜେ ଗୋଟେ ସର୍ପରାଇଜ ନେଇ ଫେରି ଯାଇ ଥାଆନ୍ତି । କଣ କିଛି କାମ କରୁ ଥିଲୁ ଏବେ ? ମୁଁ ଏମିତି ଆସି ତୋତେ କିଛି ଡିଷ୍ଟର୍ବ କରୁନି ତ ?

ଆକାଶ ମୁହଁରେ ନିଜର ହାତ ରଖି କୃଷ୍ଣା କହିଲା, ଆରେ, ତୁ କେମିତି କଥା କହୁଛୁ ଆକାଶ ? ତୁ ଆସିଲେ ମୁଁ ଡିଷ୍ଟର୍ବ ହେବି ? ତୁ ଆସିଲୁ, ସେଇଟା ମୋ ପାଇଁ ବଡ ଭାଗ୍ୟର କଥା । କିଛି କାମ ନଥିଲା, ମୁଁ ବି ବସି ବସି ବୋର ହେଉ ଥିଲି, ଭାବିଲି ଟିକିଏ ଶୋଇ ପଡିବି, ହେଲେ, ବେଡରେ ଯେମିତି ପଡିଲି, କାହିଁକି କେଜାଣି ୟୁନିଭରସିଟି କଥା ସବୁ ମନେ ପଡି ଗଲା, ଆଉ ତାରି ଭିତରେ ତୁ । ତୁ ତ ପୁରା ଷ୍ଟୋରିଟାକୁ କଭର କରି ଗଲୁ, ଆଉ କିଛି, କିମ୍ବା ଆଉ କାହା କଥା ଭାବିବାକୁ ସମୟ ନଥିଲା । ଯେଉଁ ଆଡକୁ ଦେଖିଲେ କେବଳ ତୁ ଆଖିରେ ଆସୁ ଥିଲୁ କହି କୃଷ୍ଣା ଟିକିଏ ଲାଜେଇ ଗଲା ।

ଆକାଶ କହିଲା, କିଛି କାମ ନାହିଁ ଯଦି ରୁମରେ ବସି ବୋର ହେବା ଅପେକ୍ଷା ଚାଲ ବାହାରୁ ଟିକେ ବୁଲି ଆସିବା । ମୁମ୍ବାଇ ଆସିବା ଛ' ମାସ ହୋଇ ଗଲାଣି, ତଥାପି କେବେ ସମୁଦ୍ର ଦେଖିବାକୁ ଯାଇନି । କହନ୍ତି ମୁମ୍ବାଇ ବିଚ୍ ବହୁତ ରୋମାଣ୍ଟିକ୍ । ଚାଲ ବିଚ୍ ଆଡୁ ଟିକେ ବୁଲି ଆସିବା ।

କୃଷ୍ଣା କହିଲା, କିଛି ସମୟ ଆଗରୁ ମୁଁ ବି ସେଇ କଥା ଭାବୁ ଥିଲି, ସବୁ ଦିନ ସେଇ ଅଫିସ ଆଉ ମେସ୍ ହୋଇ ହୋଇ ମନ ବିରକ୍ତ ହୋଇ ଗଲାଣି । କୁଆଡେ ବାହାରକୁ ଯାଇ ହେଉନି, ନୁଆ ଜାଗା, କେହି ସାଙ୍ଗରେ ନାହାନ୍ତି । ତୁ ଆସିଲୁ ଭଲ ହେଲା, ଚାଲ ମୁଁ ଦୁଇ ମିନିଟରେ ରେଡି ହୋଇ ଆସୁଛି କହି, ବାଥରୁମରେ ପଶିଗଲା କୃଷ୍ଣା ।

x    x    x    x    x   x

ସଂଧ୍ୟା ହେବାକୁ ତଥାପି ଅନେକ ଡେରି ଥାଏ । କିନ୍ତୁ ପଶ୍ଚିମ ଆକାଶରେ ସୂର୍ଯ୍ୟ ତାର ରଙ୍ଗ ବଦଳେଇ ସାରିଲାଣି, ଏବେ ଆଉ ସେ ତେଜ ନାହିଁ ନାରଙ୍ଗୀ ସୂର୍ଯ୍ୟରେ । ଆକାଶଟା ବି ବିଦାୟୀ ସୂର୍ଯ୍ୟର ରଙ୍ଗରେ ନାଲିଆ ହୋଇ ସାରିଲାଣି, ତା ସହିତ ସମୁଦ୍ରର ଢେଉ ସୂର୍ଯ୍ୟର ନାଲିଆ ରଙ୍ଗକୁ ସମୁଦ୍ର ପାଣିରେ ଯେମିତି ଫେଣ୍ଟି ଚାଲି ଥିଲେ । ନୀଳ ସମୁଦ୍ରରେ ନାଲିଆ ନାଲିଆ ଢେଉ ସବୁ କୁଳରେ ପିଟି ହୋଇ ପୁଣି ଫେରି ଯାଉ ଥାଆନ୍ତି । ଆକାଶରେ ଘର ବାହୁଡା ପକ୍ଷୀ ସବୁ ବିଚିତ୍ର ଡିଜାଇନ୍ ତିଆରି କରି, ତାଙ୍କର ଲିଡର ପଛରେ 'ଭି'ସେପ୍ ରେ ଉଡି ଯାଉ ଥାଆନ୍ତି । ସବୁ କିଛି ମିଶି, ଏକ ରୋମାଣ୍ଟିକ୍ ପରିବେଶର ସରଞ୍ଚନା ହୋଇ ସାରି ଥାଏ । ସମୁଦ୍ରର ଲୁଣ ମିଶା ପବନରେ ସତେ ଯେମିତି ପ୍ରେମର ନିଶା ଫେଣ୍ଟି ହୋଇ ବୋହି ଆସୁଛି । ହେଲେ ଏ ପ୍ରେମର ମହକ, ପାଣି ଠାରୁ ଟିକିଏ ଦୂରରେ ବସି ଥିବା ଦୁଇଟି ପ୍ରାଣୀଙ୍କ ମନରେ କିଛି ପ୍ରେମ ସଞ୍ଚାର କରି ପାରିବ, କି ନାହିଁ, ବଡ ସନ୍ଦେହ ହେଉ ଥିଲା । ମୁମ୍ବାଇ ବିଚ୍ ର ଏଇ ରୋମାଣ୍ଟିକ ପବନ ହୁଏତ ତାର ଚେଷ୍ଟା ତଥାପି ଜାରି ରଖି ଥିଲା ।

ନିରବତା ଭାଙ୍ଗି କୃଷ୍ଣା କହିଲା, ସବୁ ଦିନ ସେଇ ଗୋଟାଏ କାମ, ଅଫିସ ଯାଅ, ଦିନ ସାରା କି'ବୋର୍ଡ ସାମ୍ନାରେ ବସି ପ୍ରୋଗ୍ରାମ କୋଡିଙ୍ଗ କର, ସଫ୍ଟୱୟାର ଡେଭେଲପ କର, ସଂଧ୍ୟାରେ ଥକି ହାରି ଅଫିସରୁ ମେସକୁ ଫେର, କଣ ଟିକେ ଖାଇ ପିିଇ ଶୋଇ ପଡ । ସକାଳୁ ଉଠିଲେ ପୁଣି ସେଇ ଏକା ରୁଟିନରେ ବନ୍ଧା ଜୀବନ । ଜୀବନଟା ସତେ ଜୀବନ ପରି ଲାଗୁନି । ଲାଗୁଛି ଯେମିତି କିଏ ଆମ ଭିତରେ କିଛି ପ୍ରୋଗ୍ରାମିଂ କରି ଦେଇଛି, ଏବଂ ଆମ ହାର୍ଡଡିସ୍କରେ ଗୋଟାଏ ସଫ୍ଟଓୟାର ଡାଉନଲୋଡ କରି ଦେଇଛି । ଆଉ ସେଇ ଗୋଟିଏ ସଫ୍ଟଓୟାରେ ବନ୍ଧା ହୋଇ ଯାଇଛି ଆମ ଜୀବନ । ସଫ୍ଟଓୟାର ପରି କିବୋର୍ଡର ବଟନ' ଦବେଇ ଦେଲେ ଏଇ ଜୀବନ୍ତ ରୋବଟ୍ କାମରେ ଲାଗି ଯିବ । ରୋବଟ୍ ଆଉ ଆମ ଭିତରେ କଣ ଫରକ ରହି ଗଲା କହିଲୁ ? ସେ ତା'ର ପ୍ରୋଗ୍ରାମ ଅନୁଶାରେ ଚାଲୁଛି, ଆଉ ଆମେ, ଆମ ଭିତରେ ଯୋଉ ସଫ୍ଓୟାର ଲୋଡ ହୋଇଛି, ସେ ଯେମିତି ନଚଉଛି ଆମେ ଠିକ୍ ସେମିତି ନାଚି ଚାଲିଛେ । ଗୋଟିଏ ରୁଟିନରେ କାମ କରି ଚାଲିଛେ । ଫରକ୍ ଖାଲି ଏତିକି ରୋବଟ କାମ କରି କରି ଥକି ଯାଉନି, କି ବୋର ହେଉନି । କିନ୍ତୁ ଆମେ ଥକି ବି ଯାଉଛେ, ବୋର ବି ହୋଇ ଯାଉଛେ । ରୋବଟ ବିଜୁଳି ଖାଉଛି, ଆଉ ଆମେ, ଭାତ ଅବା ରୁଟି ।

ଜୀବନଟା ବଡ ବୋରିଂ ହୋଇ ଗଲାଣି ଅକାଶ ! ମନ କିଛି ନୁଆ ଚାହୁଁଛି, କିଛି ଚେଞ୍ଜ ଚାହୁଁଛି । ମନ ହେଉଛି, ପକ୍ଷୀଟିଏ ହୋଇ ଯାଆନ୍ତି କି ଏଇନେ । ଚଢେଇଟେ ପରି ମୋର ଦି'ଟା ଡେଣା ଲାଗି ଯାଆନ୍ତା ! ଏଇ ସାଙ୍ଗ ସାଙ୍ଗେ ଏଇଠୁ ଉଡି ଯାଆନ୍ତି, ଅନନ୍ତ ଗଗନରେ । ଆକାଶର ଖୋଲା ଅଗଣାରେ ଉଡି ବୁଲନ୍ତି, ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ, ଯେତେ ବାଟ ଆଖି ପହଞ୍ଚି ପାରୁଛି ସେ ପର୍ଯ୍ୟନ୍ତ । ନଦୀ ନାଳ ଜଙ୍ଗଲ ପାହାଡ ସମୁଦ୍ର ସବୁରି ଉପର ଦେଇ, ମୋର ଛୋଟ ଛୋଟ ଡେଣା ଝାଡି, ଉଡି ବୁଲନ୍ତି । କେବେ ସୂର୍ଯ୍ୟର ଟାଣ ଖରାରେ, କେବେ ଜହ୍ନର ମିଠା ମିଠା ଜୋତ୍ସ୍ନାରେ ଉଡିବାର ଅନନ୍ଦ ନିଅନ୍ତି । ଶିତଳ ପବନର ପ୍ରତିରୋଧକୁ କାଟି, ଆଡି ତେରେଛା ଡେଣା ବୁଲାଇ ନିଜର ସାମର୍ଥ୍ୟ ଦେଖେଇ ଦିଅନ୍ତି । ଗଳା ଫଠାଇ ଚିତ୍କାର କରନ୍ତି, କେବେ ମିଠା ସ୍ୱରରେ ଗୀତ ଗାଇ ସମସ୍ତଙ୍କୁ ଶୁଣାନ୍ତି । ଯେତେ ବେଳେ ଥକି ଯାଆନ୍ତି, କେଉଁ ଏକ ଗଛ ଡାଳରେ ଛୋଟିଆ ନୀଡଟିଏ ତିଆରି କରି ଆରାମରେ ଶୋଇ ଯାଆନ୍ତି, ନିଶ୍ଚିନ୍ତ ହୋଇ । କେହି ଉଠାନ୍ତାନି ମୋତେ, ନା' ଆଲାର୍ମ ଘଡି, ନା' ମୋବାଇଲ ରିଙ୍ଗ ଟୋନ୍ । ତୋର କଣ ସେମିତି କେବେ ମନ ହୁଏନି ଆକାଶ ? ଏତିକି କହି କୃଷ୍ଣା ଆକାଶର ମୁହଁକୁ ଉତ୍ତର ଶୁଣିବା ଅପେକ୍ଷାରେ ଚାହିଁ ରହିଲା ।

ଆକାଶ ଛୋଟିଆ ହୁଁ ଟିଏ କହି, କୃଷ୍ଣାର ମୁହଁକୁ ସେମିତି ଅନେଇ ରହି ଥାଏ, ଯେପରି ସେ କେଉଁ ଅଜଣା ସ୍ୱପ୍ନ ରାଇଜରେ ହଜି ଯାଇଛି । କୃଷ୍ଣାର ଆଖିରେ ଏବେ ବି ଖୁସିର ସେଇ ଚମକ ଦିଶି ଯାଉ ଥାଏ । ସତେ ଯେପରି ସେ ସତ ସତକା ଛୋଟ ଏକ ଚଢେଇର ଡେଣା ନେଇ, ଏବେ ଏବେ ଅନନ୍ତ ଅନ୍ତରୀକ୍ଷର ଭ୍ରମଣ କରି ଫେରି ଆସିଛି । ତା ଓଠରେ ଏବେ ବି ସେଇ ତୃପ୍ତିର ହସ ଟିକକ ଲାଖି ରହି ଥିଲା । ଆକାଶ ନିର୍ମିନେଶ ନୟନରେ କୃଷ୍ଣାର ମୁହଁକୁ ଚାହିଁ ରହି ଥାଏ, ଉଭୟ ନିର୍ବାକ, ଜଣେ ଆଉ ଜଣକୁ କେବଳ ସେମିତି ଚାହିଁ ରହି ଥାଆନ୍ତି ।

ହଠାତ୍ ଆକାଶକୁ କହୁଣି ମାରି କୃଷ୍ଣା ତାର ସ୍ୱପ୍ନାବିଷ୍ଟ ମନକୁ ଜଗେଇ ଦେଲା । କହିଲା, ଏ..ଇ ଆକାଶ, କଣ ଦେଖୁଛୁ ? ମୁଁ କିଛି ପଚାରିଲି ପରା ।

ଆକାଶ ଟିକିଏ ପ୍ରକୃତିସ୍ଥ ହୋଇ, ହସି ହସି କହିଲା, ପରାଚିଲୁ କେତେ ବେଳେ, ତୁ ତ ମୋତେ କୋଉ ଗୋଟେ ମଲ୍ଟିପ୍ଲେକ୍ସରେ ପୁରା ତିନି ଘଣ୍ଟାର ରଙ୍ଗୀନ ଫିଲ୍ମଟିଏ ଦେଖେଇ ଦେଲୁ ! ମୁଁ ବି ତୋ ସାଙ୍ଗରେ ସେଇ ସୁନୀଳ ଗଗନରେ ତୋ'ରି ପଛେ ପଛେ ଉଡି ବୁଲୁ ଥିଲି ଯେମିତି, ଆଉ ସବୁ ଦୃଶ୍ୟର ମଜା ବି ନେଉ ଥିଲି । ତୁ ବୋଧେ ମୋତେ ନୋଟିସ କରିନୁ, ମୁଁ ତୋ ସାଙ୍ଗରେ ତୋ ପଛେ ପଛେ ଉଡୁ ଥିଲି ପରା !

କୃଷ୍ଣା ମିଛ ମିଛକା ରାଗ ଦେଖେଇ କହିଲା, ଧେତ୍, ଆରେ ମୁଁ କହୁ ଥିଲି ଏଇ ରୁଟିନ ବନ୍ଧା ଜୀବନରୁ ମୁଁ ପୁରା ପୁରି ବୋର ହୋଇ ସାରିଲିଣି । ତୁ ବି କଣ ବୋର ଫିଲ କରୁନୁ ? ଆକାଶ ଟିକେ ଚୁପ ରହି କହିଲା, ଠିକ୍ କହୁଛୁ । ଜୀବନଟା ସତରେ ଗୋଟିଏ ରୋବଟ ପରି ହୋଇ ଗଲାଣି, ସତରେ ଲାଇଫ୍ ଏବେ ବୋର ଲାଗୁଛି । ହେଲେ କାମ ତ କରିବାକୁ ପଡିବ । ତୁ ଗୋଟେ କାମ କର, କିଛି ଦିନ ଛୁଟି ନେଇ ଭାକେସନରେ ଚାଲି ଯା । ଦଶ ପନ୍ଦର ଦିନ କୁଆଡେ ବୁଲା ବୁଲି କରି ଆସିଲେ ମନ ପୁଣି ଫ୍ରେସ ହୋଇ ଯିବ । ପୁଣି କିଛି ଦିନ ପାଇଁ ଜୀବନ ଆଉ ଥରେ ନୁଆ ରିଚାର୍ଯ ହେଲା ପରି ଲାଗିବ ।

କୁଆଡେ ଯିବି ? କୃଷ୍ଣା ପଚାରିଲା । ଆକାଶ କହିଲା କୁଆଡେ ବି, କିଛି ନହେଲେ ଗାଆଁକୁ ଚାଲିଯା, ବାପା ବୋଉ ଭାଇ ଭାଉଜଙ୍କ ସାଥିରେ କିଛି ଦିନ ଛୁଟି କଟେଇ ଆସିବୁ, ପାଣି ପବନ ଚେଞ୍ଜ ହୋଇ ଯିବ, ରେଷ୍ଟ ବି ମିଳି ଯିବ । ବହୁତ ଦିନ ହେବ ଗାଆଁକୁ ଯାଇନୁ, ତୋତେ ଦେଖିଲେ ସେମାନେ ବହୁତ ଖୁସି ହୋଇ ଯିବେ, ଆଉ ତୋତେ ବି ଭଲ ଲାଗିବ । ନହେଲେ ଆଉ ଗୋଟେ କାମ କର, ସିମଲା କି ନୈନତାଲ, ଆରେ ହଁ, ସିକିମ୍, ଏଇ ଖରା ଦିନ ପାଇଁ ବେଷ୍ଟ ଡେଷ୍ଟିନେସନ । ସେଠାରେ ପାହାଡ ଜଙ୍ଗଲ ଘାଟି, ନଈ ନାଳ ଆଉ ଥଣ୍ଡା ଥଣ୍ଡା ପବନରେ ତୋତେ ତୋ ଚଢେଇର ଏକ୍ସପେରିଏନ୍ସଟା ନିଶ୍ଚୟ ମିଳି ଯିବ, କିନ୍ତୁ ତୋତେ ସମୁଦ୍ର ମିଳିବନି ସେପଟ । ଫେରିଲେ ଏଇଠି ଆଉ ଥରେ ସମୁଦ୍ରକୁ ଦେଖି ନେବୁ, ତୋର ଚଢେଇ ଭ୍ରମଣଟା ପୁରା ହୋଇ ଯିବ ।

ଏଥର କିନ୍ତୁ କୃଷ୍ଣା ହସି ଦେଲା । ପଚାରିଲା ବୁଲିବାକୁ କଣ ଏକୁଟିଆ ଯିବି ? ଏକୁଟିଆ ବୁଲିବା ବଡ ବୋରିଂ ଲାଗିବ, ନୁହେଁ ?

ଏକୁଟିଆ ଯିବାକୁ କିଏ କହୁଛି, ତୁ ତୋର କିଛି ସାଙ୍ଗ ମାନଙ୍କୁ ଏଇ ପ୍ରୋପୋଜାଲ ଦେ । ମୋତେ ଲାଗୁଛି ଏତେ ସୁନ୍ଦର ପ୍ରୋପଜାଲ ଶୁଣି, ତୋର ଦୁଇ ଚାରି ଜଣ ସାଙ୍ଗ ନିଶ୍ଚୟ ଖୁସି ଖୁସି ଆକସେପ୍ଟ କରି ନେବେ । ଯଦି କେହି ନ ମିଳିବେ, ତେବେ, ମୋର ବି ମନ ହେଉଛି କୁଆଡେ ଯାଇ ଘେରାଏ ବୁଲି ଆସିବା ପାଇଁ । ତୋର ଯଦି କିଛି ଆପତ୍ତି ନଥାଏ, ତୁ ଆଉ ମୁଁ ଆମେ ସାଙ୍ଗ ହୋଇ ବୁଲି ଆସିବା । କୃଷ୍ଣା ବଡ ଆଶ୍ଚର୍ଯ୍ୟ ହୋଇ ପଚାରିଲା, ତୋ ସାଙ୍ଗରେ ?

କାହିଁକି, ମୋ ସାଙ୍ଗରେ ଗଲେ ତୋର କଣ ଅସୁବିଧା ଅଛି ? ମୋ ସାଙ୍ଗରେ ବୁଲି ଯିବାକୁ ତୋତେ କଣ ଡର ଲାଗୁଛି ? ମୁଁ ଏତେ ଖରାପ ପିଲା ତ ନୁହେଁ ? ମୋ ନାଆ ଶୁଣି ଚମକି ପଡିଲୁ ଯେ ?

କୃଷ୍ଣା ଟିକେ ଲାଜେଇ ଗଲା, କହିଲା ନା' ଚମକୁନି ଯେ, ଆଶ୍ଚର୍ଯ୍ୟ ଲାଗୁଛି, ତୁ ମୋ ସାଙ୍ଗରେ ଭାକେସନରେ ଯିବାକୁ ଟାହୁଁଛୁ ବୋଲି ।

ଆକାଶ କହିଲା ଆରେ, ତୁ' ତ ବଡ ଅଜବ ଝିଅଟେ, ମୋତେ ବନ୍ଧୁ ବୋଲି କହୁଛୁ । ଆଉ ମୁଁ ତୋ ସାଙ୍ଗରେ ଭାକେସନର ଯିବାକୁ ଚାହୁଁଛି ବୋଲି କଣ କହି ଦେଲି ଯେ ତୁ ଆଶ୍ଚର୍ଯ୍ୟ ହୋଇ ଯାଉଛୁ ! ଆମର ଏ ବନ୍ଧୁତା ଆଜିର ତ ନୁହେଁ, ୟୁନିଭରସିଟି ଦିନରୁ ଆମର ଏ ଫ୍ରେଣ୍ଡସିପ୍, ଏକା କ୍ଲାସରେ ଆମେ ପଢୁଥିଲେ । ଏଇଟା ଅଲଗା କଥା ଏବେ ମୁମ୍ବାଇ ଆସିଲା ପରେ ଏ ବନ୍ଧୁତା ଆଉ ଟିକିଏ ଘନିଷ୍ଟ ହୋଇ ଯାଇଛି ।

ଆକାଶର କଥା କାଟି କୃଷ୍ଣା କହିଲା, ଆରେ ନାହିଁ, ତୁ ଖରାପ ପିଲା ବୋଲି କହୁନି । ତୁ ମୋ କଥା ବୁଝି ପାରୁନୁ, ମୋ କହିବା କଥା ହେଲା, କୃଷ୍ଣା ଟିକିଏ ଅଟକି ଯାଇ କହିଲା, ଆଜି କାଲିକା ଲୋକେ ଖରାପ । ତୋ ସାଙ୍ଗରେ ବୁଲିବାକୁ ଗଲେ, ଲୋକେ ମୋତେ ତୋର ଗାର୍ଲଫ୍ରେଣ୍ଡ, ଆଉ ତୋତେ ମୋର ବୟଫ୍ରେଣ୍ଟ ଭାବି ନେବେ ।

ଆକାଶ ନିଜର ହସ ଅଟକେଇ ପାରିଲାନି, ହୋ ହୋ ହୋଇ ହସି ଉଠିଲା, କହିଲା କଣ ହୋଇ ଗଲା ସେଇଠୁ, ଲୋକଙ୍କୁ ଯାହା ଭାବିବାକୁ ମନ ହେବ ସେ ଭାବିବେ । ଆମେ କିଏ ସେମାନଙ୍କ ଭାବନା ଉପରେ ସେନସର କମିଟି ବସେଇବାକୁ ? ଆରେ ଲୋକେ କଣ ଭାବିବେ ନଭାବିବେ ସେ କଥାକୁ ମାର ଗୋଲି । ତୁ ଲୋକଙ୍କୁ ମିଛ ଅନ୍ଦାଜ ଲଗାଇ କିଛି ରୋମାଣ୍ଟିକ୍ ଭାବିବାକୁ ମଉକା କାହିଁକି ଦେଉଛୁ, ତୁ ସତ ସତ ମୋର ଗାର୍ଲ ଫ୍ରେଣ୍ଟ ହୋଇ ଯାଉନୁ ? ଲୋକଙ୍କୁ କିଛି ଭାବିବାକୁ ମଉକା ବି ମିଳିବନି ।

ଏଥର କିନ୍ତୁ କୃଷ୍ଣା ଖୁବ୍ ଯୋରରେ ହସି ଉଠିଲା, କହିଲା ମୁଁ ତୋର ଗାର୍ଲ ଫ୍ରେଣ୍ଟ ହୋଇ ଗଲେ ବୋଧ ହୁଏ ଦୁନିଆର ଅଧା ଝିଅ ସୁଇସାଇଟ୍ କର ଦେବେ, ଆଉ ଅଧା ପୁଅ ସେନ୍ସଲେସ ହୋଇ ଯିବେ । ଆକାଶ ପଚାରିଲା କାହିଁକି ? ତୋତେ ଏପରି କାହିଁକି ଲାଗୁଛି ? କୃଷ୍ଣା କହିଲା ଖାଲି ମୋତେ ଏମିତି ଲାଗୁନି, ଏଇଟା ମୋର ବିଶ୍ୱାସ । ତୁ ଜାଣିଛୁ, ମୁଁ ଆଇନାରେ ମୋ ନିଜ ମୁହଁକୁ ସବୁ ଦିନ ସକାଳ ସଞ୍ଜରେ ଦେଖୁଛି, ଥରେ ନୁହେଁ, ଅନେକ ଥର । ଅଫିସରେ ଫ୍ରେସ ରୁମ ଗଲେ ସବୁ ବେଳେ ଥରେ ଦୁଇ ଥର ନୁହେଁ, ନିଜ ମୁହଁକୁ ମୁଁ ବାରମ୍ବାର ଦେଖୁଛି । ମୁଁ ଜାଣେ, କେମିତି ଦିଶେ ଆଇନାରେ ମୋ ମୁହଁ । ଏଇତ ବଡମ୍ବନା, ସୁନାର ଫ୍ରେମରେ ଦର୍ପଣକୁ ଫ୍ରେମିଙ୍ଗ କରି ଦେଲେ ବି ସେ କେବେ ବି ସତ କହିବା ଛାଡି ଦେବନି । ଦର୍ପଣରେ କାଳିକା ମାତାଙ୍କ ଅବତାର ମୋତେ ଦିଶି ଯାଆନ୍ତି ମୋ ରୂପରେ। ଜନ୍ମ ବେଳେ ମୋର କଳା ରୂପ ଦେଖି, ବଡ ଶରଧାରେ ବାପା ମୋ ନାଆ ରଖି ଥିଲେ କୃଷ୍ଣା । ଆଉ ତୁ, ଗୋରା ଚିକିଟା ପିଲାଟେ, ହିନ୍ଦି ଫିଲ୍ମର ହିରୋଟେ ପରି ତୋର ଚେହେରା । ତୁ ଚୁଟୁକି ବଜେଇ ଦେଲେ, ସହରର ଶହେଟା ସୁନ୍ଦରୀ ତୋ ଚାରି ପାଖରେ ଚକ୍କର କାଟିବେ । ଆଉ ମୁଁ ଯଦି କାହାକୁ ଭୂଲରେ ଆଖି ମାରି ଦେବି ନା, ସେ ଟୋକା ସେଇଠି ବେହୋସ ହୋଇ ଯିବ, ନହେଲେ ତା ପିଚାରେ ନାଲି ଲଙ୍କାଗୁଣ୍ଡ ଲାଗିଲା ପରି ସେଇଠୁ ସେ ଡବଲ୍ ସ୍ପିଡରେ ଦଉଡି ପଲେଇବ । ତୋର ମୋର ଜୋଡି, ଚାନ୍ଦ ଆଉ ଚନ୍ଦରକାଣୀ ପରି ଦିଶିବ, କହି କୃଷ୍ଣା ଖୁବ୍ ଜୋରରେ ହସି ଉଠିଲା, ସେ ହସରେ କୃଷ୍ଣାର ହସ କମ୍ ଆଉ କାନ୍ଦ ବେଶି ଶୁଣା ଯାଉଶଥିଲା । ହସ ବନ୍ଦ କରି କୃଷ୍ଣା କହିଲା, ଛାଡ ସେକଥା, ଆଉ କିଛି ନୁଆ କଥା କହ ।

ଆକାଶ କିଛି ସମୟ କୃଷ୍ଣାର ମୁହଁକୁ ଚାହିଁ ରହିଲା, ତା ମୁହଁ ଉପରେ ନିରାଶର ଏକ କଳା ବାଦଲ ତାକୁ ସ୍ପଷ୍ଟ ଦେଖା ଯାଉ ଥିଲା, ସେ ପୁଣି କହିଲା, ତୋର ମନେ ଅଛି କୃଷ୍ଣା, ଆମ ଓଡିଆରେ ସମସ୍ତେ ଗୋଟିଏ ଢଗ କହନ୍ତି, ପିଲା ଦିନେ ବହୁତ ଥର ଶୁଣିଛି । କଉ ଢଗ ? କୃଷ୍ଣା ଉତ୍ସୁକତାର ସହିତ ପ୍ରଶ୍ନଶକଲା । ଆକାଶ ଚହିଲା ଢଗଟି ହେଲା 'ଯିଏ ଯାହାକୁ ରସିଲା, ସିଏ ତାହାକୁ କିଆ ଫୁଲ ପରି ବାସିଲା' । ଆକାଶର ଉତ୍ତର ଶୁଣି କୃଷ୍ଣା ଖୁବ୍ ଯୋରରେ ହସି ଉଠିଲା । ନିଜର ହସକୁ ବହୁତ କଷ୍ଟରେ ବନ୍ଦ କରି କହିଲା, ତା ମାନେ ତୁ କହୁଛୁ, ମୁଁ ତୋତେ କିଆ ଫୁଲ ପରି ବାସୁଛି ?

କୃଷ୍ଣା ମୁହଁର କଥା ଛଡାଇ ନେଇ ଆକାଶ କହିଲା 'ଯଦି ମୁଁ କହେ ହଁ, ତୁ ମୋତେ, କିଆ ଫୁଲ, ଗୋଲାପ, ମଲ୍ଲୀ, ହେନା ସବୁ ଫୁଲ ପରି ବାସୁଛୁ ବୋଲି, ତୁ ବିଶ୍ୱାସ କଣ କରିବୁ' ?

କୃଷ୍ଣା ତାତ୍ସଲ୍ୟ ଭରା ସ୍ୱରରେ ଖୁବ୍ ଜୋରରେ ହୋ ହୋ ହୋଇ ହସି ଉଠିଲା, ଟିକେ ଦମ୍ ନେଇ କହିଲା, ହେଃ, ଟିକେ ରହି ଯା ଆକାଶ, ହାୱା ଆନେ ଦେ । ବୁଝିଲୁ ଆକାଶ, ଜୋକ୍ କରିବାର ଗୋଟାଏ ଲିମିଟ୍ ଥାଏ, ଆଉ ତୋର ଏଇ ଜୋକ୍ ଟା ନା, ଗୋଟାଏ ବହୁତ ବଡ ଜୋକ ହୋଇ ଯାଉଛି । ମୋତେ ପ୍ରେମ କରିବାକୁ କେହି ପସନ୍ଦ କରୁଥିବ ଏକଥା ମୁଁ କେବେ ସ୍ୱପ୍ନରେ ବି କଳ୍ପନା କରିନି । ଏଇଟା ବଡ ଅସମ୍ଭବ କଥା । ଯଦି ଏପରି କେବେ କିଛି ହୁଏ, ତେବେ ସେଇଟା ବୋଧେ ସଂସାରର ଅଷ୍ଟମ ଆଶ୍ଚର୍ଯ୍ୟ ହେବ । ବଡ ନିରାଶ ହୋଇ କୃଷ୍ଣା ଏତକ କହି ତାର ମୁହଁ ବୁଲେଇ ନେଲା ।

ଦେଖ୍ କୃଷ୍ଣା ମୁଁ ଜୋକ ମାରିବା ମୁଡରେ ମୋଟେ ନାହିଁ, କିମ୍ବା ଏଇଟା କିଛି ଜୋକ ନୁହେଁ, ମୁଁ ପୁରା ସିରିୟସ ହୋଇ କହୁଛି, ରିଏଲି ଆଇ ଆମ ଭେରି ସିରିୟସ । ଏତିକି କହି ଆକାଶ ଚୁପ୍ ହୋଇଗଲା ।

ରିଏଲି? ଆର ୟୁ ସିରିୟସ ??? କୃଷ୍ଣା ଅବିଶ୍ୱାସ ଭରା ସ୍ୱରରେ ଆକାଶକୁ ପଚାରିଲା ।

ୟେସ, ୟେସ, ଆଇ ଏମ । ମୋର ଏ ପ୍ରେମ ଆଜିର ନୁହେଁ, ବହୁତ ପୁରୁଣା ମୋ ପ୍ରେମ । ତୋର ମନେ ଅଛି ଆମର ସେଇ ୟୁନିଭରସିଟିର ଦିନ ଗୁଡିକର କଥା ? ଆକାଶ ପଚାରିଲା ।

ମୋର ସବୁ କିଛି ମନେ ଅଛି ଆକାଶ । ବିଶେଷ କରି ତୋର ସବୁ କଥା । କଲେଜରେ କିଏ ଜାଣି ନଥିଲା ତୋତେ, କିଏ ଜାଣି ନଥିଲା ୟୁନିଭରସିଟିର ଅଧା ଝିଅ ତୋରି ପଛରେ ପଡି ଥିଲେ ବୋଲି ? ତୋ ସହିତ ପଦିଏ କଥା ହେବାକୁ ମଉକା ଖୋଜୁ ଥିଲେ ସମସ୍ତେ, ତୋ ପାଖରେ ବସିବାକୁ ଯେପରି କମ୍ପିଟେସନ ଚାଲି ଥିଲା ସେମାନଙ୍କ ଭିତରେ । ତୁ କ୍ଲାସ ଭିତରକୁ ଆସୁ ଆସୁ ଝିଅମାନେ କିପରି ନିଜ ପାଖରେ ତୋପାଇଁ ସିଟ୍ ରିଜର୍ଭ ରଖୁ ଥିଲେ । ତୋତେ ହାତ ଠାରି ଡାକନ୍ତି , ହେଲେ ତୁ ସିଧା ଆସି ମୋ ପାଖ ସିଟରେ ବସି ଯାଉ । ମୋ ପାଖରେ କେହି ବସିବାକୁ ପସନ୍ଦ କରନ୍ତିନି, ତେଣୁ ପ୍ରାୟ ସମୟ ମୋ ପାଖ ସିଟ୍ ଟା ସବୁ ବେଳେ ଖାଲି ଥାଏ ।

ଆକାଶ ଛୋଟିଆ ହୁଁ ଟାଏ କହି ଟିକିଏ ରହି ଗଲା, ତାପରେ କହିଲା, ଜାଣିଛୁ ତୋ ସହିତ ପଦିଏ କଥା ହେବାକୁ ତୋ ସହିତ କିଛି ସମୟ ବିତେଇ ବାକୁ ମୋତେ କେତେ କଷ୍ଟ କରିବାକୁ ପଡୁଥିଲା? କେତେ ବାହାନା ଖୋଜିବାକୁ ପଡୁ ଥିଲା ! ଆଉ ଯେତେ ବେଳେ କିଛି ସୁଯୋଗ ମିଳି ଯାଏ ମୁଁ ତୁରନ୍ତ ତୋ ପାଖକୁ ଚାଲି ଆସେ । ତୋ ସହିତ ବିତେଇ ଥିବା ପ୍ରତିଟି ମୁହୁର୍ତ୍ତ ମୋ ପାଇଁ ସବୁ ଠାରୁ ମୂଲ୍ୟବାନ ଥିଲା, ଆଜି ବି ସେ ସବୁ ମୋ ସ୍ମୃତିରେ ସେମିତି ତାଜା ହୋଇ ରହିଛି ।

ତୋର ମନେ ଅଛି, ଚିଲିକା ପିକନିକ୍ କଥା ? ନୁଆ ବର୍ଷ ପାଇଁ ଆମ କ୍ଲାସର ସବୁ ପିଲା ଯାଇ ଥିଲେ କାଳିଯାଇ । ତୁ ଭଲ ଗୀତ ବୋଲୁ ବୋଲି ସମସ୍ତଙ୍କୁ ଜଣା ଥିଲା । ମୁଁ ଗାଇ ସାରିବା ପରେ ଗୀତଟିଏ ଗାଇବା ପାଇଁ ସମସ୍ତେ ତୋ ପଛରେ ପଡି ଯାଇ ଥିଲେ । ଶେଷରେ ତୁ ଗାଇ ଥିଲୁ ଫରିଦା ଖାତୁନଙ୍କର ସେଇ ଫେମସ ଗଜଲଟା "ଆଜ୍ ଜାନେ କି ଜିଦି ନା କରୋ, ୟୁହିଁ ପେହେଲୁ ମେ ବୈଠେ ରହୋ" କତେ ସୁନ୍ଦର ଶୁଭୁ ଥିଲା ସେ ଗୀତଟି ତୋ କଣ୍ଠରେ, ମୁଁ ଆଖି ବନ୍ଦ କରି ସେ ଗୀତ ଭିତରେ ହଜି ଯାଇ ଥିଲି, ଭାବୁ ଥିଲି ସେ ଗୀତଟି ତୁ ମୋରି ପାଇଁ ଗାଉ ଥିଲୁ । ଖୁବ୍ ପ୍ରେମ ଭରା ମିନତି ଭରି ରହି ଥିଲା ସେ ଗୀତଟିରେ । ଆଜି ବି ଅନେକ ସମୟରେ ମୋ କାନରେ ଶୁଭି ଯାଏ ତୋ କଣ୍ଠରେ ସେ ଗୀତଟି । ମୋ ମୋବାଇଲରେ ଏବେ ବି ଅଛି ଅରିଜିନାଲ ଗିତଟା, କିନ୍ତୁ ଶୁଣିବାକୁ ମନ ହୁଏନା । କିହିକି ଜାଣୁ ? ମୋର ମନେ ହୁଏ ତୋ କଣ୍ଠରେ ସେଇଟା ଯେତେ ମଧୂର ଶୁଣା ଯାଉଥିଲା ହୁଏତ ଅରିଜିନାଲ ଗୀତରେ ସେ ଆପଣାପଣ ମୋତେ ମିଳିବନି ।

ହଠାତ୍ କୃଷ୍ଣା ଆକାଶର କଥା ମଝିରେ କହିଲା, ହଁ ମୋର ମନେ ଅଛି ସେ ଦିର ଘଟଣା, ମୁଁ ଗାଇ ସାରିଲା ପରେ ସୁଦେଷ୍ଣା କମେଣ୍ଟ କରି କହି ଥିଲା, ଆମ ପାଖରେ ସତରେ ଗୋଟିଏ କୋଇଲି ଅଛି । ରଙ୍ଗରେ ଯେମିତି କଣ୍ଠଟା ବି ସେମିତି କୋକିଳ କଣ୍ଠ । ତା କଥା ଶୁଣି ତୁ ବହୁତ ଚିଡି ଯାଇ ଥିଲୁ, ବହୁତ ଗାଳି କରି ଥିଲୁ ତାକୁ ଏବଂ ମୋ ପାଖରୁ କ୍ଷମା ମାଗିବା ପାଇଁ ତାକୁ ବାଧ୍ୟ କରି ଥିଲୁ, ସମସ୍ତେ ପ୍ରେସର ପକାଇବା ପରେ ସେ ସରି କହି ଥିଲା । ଏସବୁ ପରେ ତୋ ପ୍ରତି ମୋର ବହୁତ ସମ୍ମାନ ବଢି ଯାଇ ଥିଲା, ମୋ ପ୍ରେମ ତୋ ପାଇଁ ଦୁଇ ଗୁଣା ହୋଇ ଯାଇ ଥିଲା । କୃଷ୍ଣା ଟିକିଏ ରହି ଯାଇ ଆକାଶକୁ ପ୍ରଶ୍ନ କଲା, ଆକାଶ, ତୋତେ ଗୋଟିଏ କଥା ପଚିରିବି, ଖରାପ ଭାବିବୁନି ତ ? ଆକାଶ କେବଳ ମୁଣ୍ଡ ହଲାଇ ନାହିଁ କଲା ।

କୃଷ୍ଣା କିଛି ସମୟ ଆକାଶର ନିର୍ଲିପ୍ତ ମୁହଁକୁ ନିରେଖି ଦେଖିଲା, ତା'ପରେ ପଚାରିଲା, ଆକାଶ, ତୁ ମୋତେ କାହିଁକି ଭଲ ପାଉ ? ମୋର ଏଇ କଳା ରୂପ ଭିତରେ ତୁ ଏମିତି କଣ ଦେଖି ନେଲୁ ଯେ ମୋ ପ୍ରେମରେ ପଡି ଗଲୁ ?

ଆକାଶ ତଥାପି ନିରବ ଥିଲା, ତାର ଆଖି ସମୁଦ୍ରର ଶେଷ ପର୍ଯ୍ୟନ୍ତ ଦେଖୁ ଥିଲା, ଯେଉଁଠି ଆକାଶ ଆଉ ସମୁଦ୍ର ଏକ ହୋଇ ଯାଇଛନ୍ତି । ସୂର୍ଯ୍ୟ ତେବେ ବି ସେଇଠି ସେମିତି ଝୁଲିବା ଅବସ୍ଥାରେ ଲଟକି ରହିଛି । ଯେପରି ସୂର୍ଯ୍ୟ ବି ଅପେକ୍ଷା କରିଛି, ଆକାଶର ଉତ୍ତର ଶୁଣି ସାରିବା ପରେ ହିଁ ଘରକୁ ବାହୁଡି ଯିବ । ନହେଲେ, ଆକାଶ ତାର ଉତ୍ତରରେ କଣ କହିଲା ବୋଲି ଭାବି ଭାବି ରାତି ସାରା ତାକୁ ନିଦ ଆସିବନି । କୃଷ୍ଣା ବି ଉତ୍ସୁକତାଭରା ନୟନରେ ଆକାଶର ମୁହଁକୁ ଚାହିଁ ରହିଥାଏ ।

ଆକାଶ ଦୂର ଦିଗବଳୟରୁ ମୁହଁ ଫେରାଇ କୃଷ୍ଣାର ମୁହଁକୁ ଚାହିଁ କହିଲା, ସତରେ କୃଷ୍ଣା, ମୁଁ ବି ବେଳେ ବେଳେ ଭାବେ, ମୁଁ ତୋତେ କାହିଁକି ଭଲ ପାଏ ? ହେଲେ ସତ କହୁଛି ତା'ର ଉତ୍ତର ମୁଁ ନିଜେ ବି ଆଜି ଯାଏ ଖୋଜି ପାଇନି !

ତା'ଛଡା ତୁ ପଚାରିଲୁନା ତୋର କଳା ରୂପରେ କଣ ଦେଖି ମୁଁ ତୋ ପ୍ରେମରେ ପଡି ଗଲି ବୋଲି ? ଆରେ, କାହାକୁ ଆଖିରେ ଦେଖି କଣ ପ୍ରେମ କରି ହୁଏ ? ଆଖି ଉପରେ କଣ ଭରସା ଅଛି ? ଆଜି ଜଣଙ୍କ ରୂପ ଭଲ ଲାଗିଲା ତ କାଲି ଆଉ କାହା ରୂପ ଲାବଣ୍ୟରେ ଅଟକି ଯିବ ! ମନ ଜଣକୁ ଛାଡି ଆଉ ଜଣଙ୍କ ପଛରେ ଧାଇଁବ । ତା ଛଡା ରୂପ ଉପରେ କଣ ଭରସା, ଏଜି ଏ ରୂପ ଅଛି, କାଲି କିଛି ରୋଗ କି ଆକ୍ସିଡେଣ୍ଟ ହୋଇ ଗଲେ ରୂପ କୁରୂପ ହେବା ପାଇଁ କେତେ ଡେରି ଲାଗିବ ?

ହେଲେ ତୋ ପ୍ରଶ୍ନର ଉତ୍ତର କିନ୍ତୁ ମୋ ପାଖରେ ଅଛି, ତୁ ବିଶ୍ୱାସ କରିପାରିବୁ ତ ? ପିଲାଟି ଦିନରୁ ଦେଖି ଆସିଛି, ଆମ ମନ୍ଦିରରେ ପୂଜା ପାଉ ଥିବା କଳା ମୁଗୁନି ପଥରର ରାଧା କୃଷ୍ଣଙ୍କର ଜୁଗଳ ମୂର୍ତ୍ତିକୁ, ଜେଜେମା ତାଙ୍କୁ ରାଧାମାଧବ ରୂପରେ ପୂଜା କରେ । ପ୍ରତି ଏକାଦଶୀ ଦିନ ସ୍ନାନ କରାଇ ଚୁଆ ଚନ୍ଦନ ଲେପ କରେ । କେଉଁ କେତେ ଯୁଗର ପୁରୁଣା ମୂର୍ତ୍ତି ସେଇଟି, ଚୁଆ ଚନ୍ଦନ ଚର୍ଚ୍ଚିତ ହୋଇ ଆହୁରି କଳା ଆଉ ଚିକ୍କଣ ହୋଇ ଯାଇ ଥାଆନ୍ତି । ସେ ଯୁଗଳ ମୂର୍ତ୍ତିରେ ମୁଁ ଯେବେ ରାଧାଙ୍କୁ ଦେଖେ, ତାଙ୍କ ମୁହଁରେ ମୋତେ ଏକ ଅପୂର୍ବ ଜ୍ୟୋତି, ଏକ ଅନନ୍ୟ ଭାବ ଦେଖା ଯାଉ ଥିଲା । ରାଧାଙ୍କ ଅଧରରେ ସ୍ମିତ ହସ ବହୁତ ସୁନ୍ଦର ମନୋ ଲୋଭା ଦିଶେ, ଆଉ ସେଇ ଲାସ୍ୟମୟୀ, ହାସ୍ୟମୟୀ ପ୍ରେମମୟୀ ରାଧାଙ୍କ ରୂପ ମୋ ମନକୁ ମୋହି ନେଇ ଥିଲା ସତେ, ତାଙ୍କର ରୂପ ମୋ ମନ, ମୋ ମସ୍ତିସ୍କ ଆଉ ମୋର ହୃଦୟକୁ ଆବୋରି ରଖି ଥିଲା ।

ମୁଁ ଅନେକ ସମୟରେ ଭାବେ ସତରେ କଣ ଏତେ ସୁନ୍ଦର ମଣିଷ ଏଇ ଦୁନିଆରେ ଥାଆନ୍ତି ?

କିନ୍ତୁ ବଡ ଆଶ୍ଚର୍ଯ୍ୟର କଥା, ଯେଉଁ ଦିନ ମୁଁ ତୋତେ ପ୍ରଥମ ଥର ପାଇଁ କଲେଜରେ ଦେଖିଲି, ସେ ଦିନ ତୋରି ଭିତରେ ମୁଁ ମୋର ସେଇ ପ୍ରେମମୟୀ ରାଧାଙ୍କର ରୂପ ଦେଖିବାକୁ ପାଇ ଥିଲି, ସେ ଦିନ ମୋ ପ୍ରଶ୍ନର ଉତ୍ତର ମୋତେ ମିଳି ଯାଇ ଥାଲା, ହଁ ସତରେ ଏପରି ପ୍ରେମମୟୀ ରାଧା ମାନବ ଶରୀରେ ବି ମିଳି ଯାଏ । ତୋତେ ଦେଖିଲା ପରେ, ଜୀବନ ମୋର ରାଧାମୟ ହୋଇ ଯାଇ ଥିଲା । ମୁଁ ତୋ ଭିତରେ କେବଳ କୃଷ୍ଣା ନୁହେଁ ସେଇ ପ୍ରେମମୟୀ ରାଧାଙ୍କୁ ଦେଖୁ ଥିଲି । ସତ କହିବାକୁ ଗଲେ ମୁଁ ତୋ ଭିତରେ ରାଧାଙ୍କର ସେଇ, ପ୍ରେମ, ସେଇ ରୂପ, ଗୁଣକୁ ସାକାର ରୂପରେ ଦେଖିବାକୁ ପାଉଥିଲି । ଆଉ ମୁଁ ରାଧାଙ୍କ ରୂପରେ କୃଷ୍ଣାର ପ୍ରେମରେ ପଡି ଯାଇ ଥିଲି । ଏବେ ମୋତେ କେବଳ ରାଧା ନୁହେଁ ରାଧା କୃଷ୍ଣଙ୍କର ସେଇ ଯୁଗଳ ମୂର୍ତ୍ତି ଖୁବ୍ ଭଲ ଲାଗୁ ଥିଲା । ମୁଁ ମୋ ନିଜ ଭିତରେ କୃଷ୍ଣ ଆଉ ତୋ ଭିତରେ ମୋର ପ୍ରିୟତମା ରାଧାଙ୍କୁ ଦର୍ଶନ କରୁ ଥିଲି । ମୁଁ ନିଜକୁ ତୋ ଠାରୁ ଦୂରେଇ ରଖି ପାରୁ ନଥିଲି, ଆଉ ମୋ ମନରୁ ହୃଦୟରୁ ତୋତେ ଦୂରେଇ ଦେଇ ପାରୁ ନଥିଲି ।

ହେଲେ ଆକାଶ, ତୁ ଯଦି ମୋତେ ଭଲ ପାଉ ଥିଲୁ ମୋତେ ଥରଟିଏ ବି କହି ପାରିଲୁନି ? ଟିକିଏ ଇସାରା କରି ଥିଲେ ମୁଁ ତୋ ପାଇଁ ମୋ ପ୍ରାଣ ବି ଦେଇ, ଦେଇ ଥାଆନ୍ତି । ଗୋଟାଏ ଦୀର୍ଘ ନିଶ୍ୱାସ ପକାଇ କୃଷ୍ଣା ଆକାଶକୁ ଚାହିଁ ରହିଲା ।

ଆକାଶ ଗୋଟାଏ ଦୀର୍ଘ ନିଶ୍ୱାସ ଛାଡି କହିଲା, ହଁ କହି ପାରି ଥାଆନ୍ତି, ନିଶ୍ଚୟ କହି ପାରିଥାନ୍ତି । କିନ୍ତୁ କହିବାକୁ ଚାହିଁ ମଧ୍ଯ କହି ପାରି ନଥିଲି । ଥରେ ନୁହେଁ ମୁଁ ଅନେକ ଥର ଚେଷ୍ଟା କରିଛି, ତୋତେ ମୋ ମନ କଥା କହି ଦେବି ବୋଲି । ଥରେ ଦି' ଥର ପୁରା ପ୍ରସ୍ତୁତ ହୋଇ ମଧ୍ୟ ଯାଇ ଥିଲି ତୋ ପାଖକୁ, ଭାବି ଥାଏ ଆଜି କହି ଦେବି, ହେଲେ ତୋତେ ଦେଖିଲା ପରେ, ମୋର ସାହସ ହୁଏନା କହି ଦେବାକୁ, କିନ୍ତୁ ସବୁ ଥର ମୋର ବୁ ପ୍ରଚେଷ୍ଟା ବ୍ୟର୍ଥ ହୋଇ ଯାଏ, ବାରମ୍ବାର ମୁଁ ମୋର ଉଦ୍ୟମରେ ଫେଲ୍ ହୋଇଯାଏ, ଏବଂ ମନର କଥା ମନରେ ଚାପି ରଖି ନିରାଶ ହୋଇ ଫେରି ଆସେ ।

କିନ୍ତୁ କାହିଁକି ଆକାଶ ? କୃଷ୍ଣା ବଡ ବ୍ୟଗ୍ରତାର ସହିତ ପଚାରିଲା ।

ଆକାଶ କହିଲା, ମୁଁ ଜାଣିଛି, ତୁ କେତେ ସ୍ୱାଭିମାନୀ ଝିଅ ଏବଂ ତୁ ତୋର ଦେହର ରଙ୍ଗକୁ ନେଇ କେତେ ସେନସିଟିଭ ଥିଲୁ, ମାନେ ଏବେ ବି ସେତିକି ସେନସିଟିଭ ଅଛୁ । ସେଥି ପାଇଁ ସେତେ ବେଳେ ଆଜି ଅପେକ୍ଷା ତୋ ମନ ଭିତରେ ଅତ୍ୟଧିକ ହୀନଭାବନା, ଇନଫ୍ୟୁରିଟି କମ୍ଳେକ୍ସ ଡେଭେଲପ ହୋଇ ଯାଇ ଥିଲା । ସେତେ ବେଳେ ଯଦି ମୁଁ ତୋତେ ମୋ ପ୍ରେମ କଥା କହି ଥାଆନ୍ତି, ହୁଏତ ତୁ ଓଲଟା ରିଆକ୍ଟ କରି ଥାଆନ୍ତୁ । ଭାବି ଥାଆନ୍ତୁ ମୁଁ ତୋତେ ଦୟା କରି ମୁଁ ପ୍ରେମ କରୁଛି । କଲେଜ ସମୟର ସେ ପରିବେଶ ସେପରି ଥିଲା, କେତେ ସୁନ୍ଦରୀ ଝିଅ ମୋ ପାଇଁ ନିଜ ନିଜ ଭିତରେ କେତେ ପ୍ରକାରର କମ୍ପିଟେସନ କରୁଥିଲ, ସେମାନଙ୍କ ସହିତ ତୁ ତୋ ନିଜକୁ ତୁଳନା କରି, ତୋର ନିଜର ଭାବନା କେତେ ନକାରାତ୍ମକ ହୋଇ ପାରିଥାନ୍ତା, ତୁ ନିଜେ କଳ୍ପନା କରି ପାରୁଥିବୁ ।

କୃଷ୍ଣା ଥରେ ଆକାଶର ମୁହଁକୁ ଚାହିଁଲା ଏବଂ ତଳକୁ ମୁହଁ ପୋତି କହିଲା, ହଁ, ତୁ ବୋଧ ହୁଏ ଠିକ୍ କହୁଛୁ । ସେ ସମୟରେ ମୋର ମାନସିକ ପରିସ୍ଥିତି ଠିକ୍ ସେପରି ଥିଲା । କାରଣ, ମୁଁ ବି ମନେ ମନେ ତୋତେ ବହୁତ ଭଲ ପାଉ ଥିଲି ଏବଂ ତୁ କାଳେ ମୋ ପ୍ରେମକୁ ପ୍ରତ୍ୟାଖାନ କରି ଦେବୁ ସେ ଭୟରେ ମୁଁ ତୋତେ ମୋ ଭଲ ପାଇବା କଥା କେବେ କହିବାକୁ ସାହସ ଜୁଟେଇ ପାରି ନଥିଲି । ମୁଁ ତୋତେ ହରେଇ ଦେବାକୁ ଚାହୁଁ ନଥିଲି । ମୋର ଏଇ କମ୍ଲେକ୍ସ ଏବଂ ତୋର ପ୍ରତ୍ୟାକ୍ଷାନର ଭୟ ମୋତେ ଆକାଶକୁ ପ୍ରେମ ନକରିବା ପାଇଁ ବାରମ୍ବାର ଡରାଉ ଥିଲା । ଏ ସବୁ ମିଶି ମୋ ମନଟାକୁ ବହୁତ ଦୁର୍ବଳ କରି ଦେଇ ଥିଲା ।

ସଙ୍ଗେ ସଙ୍ଗେ ଆକାଶ କହିଲା ସେଇଥି ପାଇଁ ମୁଁ ଉପଯୁକ୍ତ ସମୟର ଅପେକ୍ଷାରେ ରହି ଥିଲି । ହେଲେ ସେ ସମୟ ଯେ ଆଜି ଏମିତି, ଏଇଠି ଏପରି ଭାବେ ଆସିଯିବ, ସେ କଥା ମୁଁ କେବେ କଳ୍ପନା କରି ନଥିଲି । ତୁ ଜାଣିଛୁ, ରେଜଲ୍ଟ ବାହାରିବା ପରେ ମୁଁ ସବୁ ବେଳେ ତୋତେ ପଚାରେ, ଜବ୍ ପାଇଁ ତୁ କେଉଁଠି କେଉଁଠି ଆପ୍ଲାଇ କରୁଛୁ ? ତୁ ଯେଉଁଠି ଆପ୍ଲାଇ କରୁ ଥିଲୁ ମୁଁ ବି ସେଠାକୁ ଆପ୍ଲାଇ କରୁ ଥିଲି । ମୋତେ କେତେଟା ଯାଗାରୁ ଅଫର ବି ମିଳି ଯାଇଥିଲା, କିନ୍ତୁ ମୁଁ ଜାଣିଶୁଣି ଗଲିନି । ଯେଉଁ ଦିନ ତୁ ମୋତେ କହିଲୁ, ମୁମ୍ବାଇ ଟିସିଏସରୁ ତୋତେ ଅଫର ମିଳିଛି ବୋଲି, ଠିକ୍ ତାର ଦୁଇ ଦିନ ଆଗରୁ ମୋତେ ମଧ୍ୟ ସେଠାରୁ ଅଫର ମିଳି ସାରି ଥିଲା । ଏହା ସହିତ ନଏଡାରୁ ଏବଂ ବାଙ୍ଗାଲୋରରୁ ମଧ୍ୟ ଦୁଇଟି ଅଫର ମିଳି ଥିଲା, କିନ୍ତୁ ମୁଁ ମୁମ୍ବାଇ ଜଏନ କଲି, କେବଳ ତୋରି ପାଇଁ ।

କୃଷ୍ଣାର ମୁହଁ ଉପରେ ନିରାଶର ବାଦଲ ଏବେ ବି ସେମିତି ଢାଙ୍କି ହୋଇ ରହି ଥାଏ । ନିଜର ସମସ୍ତ ଶକ୍ତିକୁ ଏକାଠି କରି ସେ କହିଲା, ତୁ ଜାଣିଛୁ ଆକାଶ, ତୋ ପାଖରେ ଠିଆ ହେଲେ, ମୋତେ ମୋ ନିଜ ଉପରେ ବହୁତ ଘୃଣା ଆସେ, ମୁଁ ଭଗବାନଙ୍କ ଉପରେ ବହୁତ ଅଭିମାନ କରେ, ପଚାରେ ଆକାଶର ରଙ୍ଗରୁ ଦିଟୋପା ଗୋରା ରଙ୍ଗ ମୋ ଦେହର ରଙ୍ଗ ସହିତ ମିଶେଇ ଦେଇ ଥିଲେ କଣ କ୍ଷତି ହୋଇ ଯାଇ ଥାନ୍ତା । ଆକାଶର ଗୋରାପଣ ତ କମ୍ ହୋଇ ନଥାନ୍ତା, କିନ୍ତୁ ମୋର କଳାରଙ୍ଗ ଟିକିଏ ତ କମ୍ ହୋଇ ଯାଇ ଥାଆନ୍ତା । ତୋ ସାମ୍ନାରେ ମୋତେ ନିଜକୁ ବହୁତ ହୀନ ଏବଂ ତୁଚ୍ଛ ଲାଗେ । ବାମନ ହୋଇ ଚାନ୍ଦକୁ ଆଶା କରିଲା ପରି ମନେ ହୁଏ । ବଡ ଲାଜ ଲାଗେ ମୋତେ । ଆମ ଦୁଇ ଜଣଙ୍କୁ ସାଥିରେ ଦେଖିଲେ ଲୋକ ଭାବୁଥିବେ ହ୍ୱାଇଟ ପେପର ପାଖରେ ଏଇ ବ୍ଲାକ ପେପରଟିଏ କିଏ ଥୋଇ ଦେଲା ? ବଡ କଣ୍ଟ୍ରାଷ୍ଟ କଲର କମ୍ବିନେସନ । ଆଉ ପ୍ରେମ କରିବା ପରେ ମୁଁ ଯେତେ ବେଳ ତୋ ମୁହଁକୁ ଦଖିବି, ମୋତେ ବହୁତ ଗିଲ୍ଟି ଫିଲ ହେବ । ମୋତେ ଲାଗିବ ତୋ ପ୍ରତି ମୁଁ ବଡ ଅନ୍ୟାୟ କରି ଦେଲି । ମୁଁ ମୋ ନିଜକୁ ସବୁ ବେଳେ ଦୋଷୀ ମନେ କରୁଥିବି । ୟୁ ଆର ଦି ବେଷ୍ଟ ଆକାଶ, ଆଣ୍ଡ ୟୁ ଡିଜର୍ଭ ଦ ବେଷ୍ଟ ଆଉଟ ଅଫ ଦ ବେଷ୍ଟ । ମୁଁ ସେଇ ଭାଗ୍ୟବତୀ ଝିଅ ନୁହେଁ, ଯିଏ ତୋ ପ୍ରେମ ପାଇଁ ଯୋଗ୍ୟ, ଏତିକି କହି କୃଷ୍ଣା ଚୁପ୍ ହୋଇ ଗଲା ।

ଆକାଶ କୃଷ୍ଣାର ମୁହଁକୁ ଦୁଇ ହାତ ପାପୁଲିରେ ତୋଳି ନେଲା, ଲାଜରେ କୃଷ୍ଣାର ଆଖି ବନ୍ଦ ହୋଇ ଆସୁ ଥିଲା । ଜୀବନରେ ପ୍ରଥମ ଥର ପାଇଁ ଏପରି କେହି ଜଣେ କୃଷ୍ଣାର ଏତେ ପାଖରୁ ତାର ମୁହଁକୁ ନିଜ ହାତରେ ଏତେ ନିବିଡତାର ସହିତ ତୋଳି ଧରିଛି । ଆକାଶ କୃଷ୍ଣାର ମୁହଁକୁ ସେହି ପରି ହାତରେ ତୋଳି ଧରି କହିଲା, କୃଷ୍ଣା, ଥରେ ମୋ ମୁହଁକୁ ଚାହିଁ ଦେଖ । ତୁ ଜାଣିଛୁ, ପ୍ରେମରେ ଗୋଟିଏ ବିଚିତ୍ର କଥା ହୁଏ । ପ୍ରେମ କଲା ପରେ ସମସ୍ତେ ନିଜ ମୁହଁ ଦେଖିବା କଥା ଭୂଲି ଯାଆନ୍ତି । କେବଳ ନିଜ ପ୍ରେମିର ମୁହଁ ଦେଖି ଦୁନିଆର ସବୁ କିଛି ଭୂଲି ଯାଆନ୍ତି । ପ୍ରେମିର ମୁହଁରେ ନିଜର ମୁହଁ, ନିଜ ସଂସାର ଆଉ ଦୁନିଆର ସବୁ କିଛି ଦେଖି ପାରନ୍ତି ସେମାନେ । ଚକୋର ଚାନ୍ଦକୁ ଚାହିଁ ଚାହିଁ ଜୀବନ କଟେଇ ଦିଏ, ସେ କେବେ ନିଜ ମୁହଁ ଦେଖେ ? ପଦ୍ମିନୀ ସୂର୍ଯ୍ୟଙ୍କୁ ଦେଖି ଝାଉଳି ଯାଏ ସିନା ନିଜ ରୂପ କଥା କେବେ ଭାବେନା । ରାଧା, କୃଷ୍ଣଙ୍କ ରୂପରେ ଏପରି ମୋହିତ ହୋଇ ଗଲେ ଯେ ସାରା ସଂସାରର ଲାଜ ମହତ, କୁଳ ମର୍ଯ୍ୟଦା ସବୁ ଭୂଲି ଗଲେ । ତୁ କଣ ମୋ ମୁହଁକୁ ଦେଖି ସେଥିରେ ତୋ ନିଜ ମୁହଁକୁ ଭୂଲି ପାରିବୁନି?

କୃଷ୍ଣାର ବନ୍ଦ ଆଖିରୁ ଦୁଇ ଧାର ଲୁହ ବୋହି ଆସୁ ଥିଲା, ଆକାଶ କୃଷ୍ଣାର ମୁହଁକୁ ନିଜ ହାତରୁ ମୁକ୍ତ କରି ଦେଇ ଥିଲା ସେତେ ବେଳକୁ । କୃଷ୍ଣା ଆଉଜି ଆସିଲା ଆକାଶର ଛାତି ଉପରକୁ, ସେଇଠି ମୁହଁ ରଖି ଛୋଟ ଝିଅଟିଏ ପରି କଇଁ କଇଁ ହୋଇ କାନ୍ଦି ଉଠିଲା । ଆଖିର ଲୁହ ତା'ର ଅମାନିଆ ନଈଟିଏ ପରି ଲୁହ ବୋହି ଚାଲି ଥିଲା । କେତେ ଦିନର, ଦିନ ତ ନୁହେଁ, କେତେ ବର୍ଷରୁ, ଯୌବନର ପ୍ରଥମ ଦିନରୁ ଜମାଟ ବାନ୍ଧିଥିବା ସବୁ ଲୁହ ଆଜି ସତେ ଏକା ବେଳେକେ ବୋହି ଯିବାକୁ ଚାହୁଁଛନ୍ତି । ଏଇ ଟିକକ ପ୍ରେମ ପାଇଁ କେତେ ବ୍ୟାକୁଳରେ ସେ ଚାହିଁ ରହି ଥିଲା ଚାତକ ପରି, କେଉଁ ଏକ ଅଜଣା ଆକାଶର କଳା ବାଦଲକୁ । କିନ୍ତୁ ଆଜି କେବଳ ବାଦଲ ନୁହେଁ, ସେ ସମ୍ପୁର୍ଣ୍ଣ ଆକାଶକୁ ଯେ ପାଇ ଯାଇଛି ନିଜ ବାହୁ ବନ୍ଧନ ଭିତରେ । ଆକାଶର ବିଶାଳ ଛାତିରେ ମୁହଁ ଗୁଞ୍ଜି ଦେଇ ସବୁ ଲୁହ, ଅସରା ଶ୍ରାବଣର ବର୍ଷା ଧାରା ପରି ଢାଳି ଦେଉଛି । ସେ ବୁଝି ପାରୁ ନଥିଲା କେଉଁ ଦୁଃଖରେ ଅବା ଅନେକ ପ୍ରତିକ୍ଷାର ଅନ୍ତରେ ମିଳି ଥିବା ଏଇ ଅସୁମାରୀ ସୁଖରେ ବୋହି ଯାଉ ଥିଲେ, ତା ଆଖିର ସବୁ ଯାକ ଲୁହ ।

***#***


Rate this content
Log in

Similar oriya story from Drama