Satyabati Swain

Children Stories

3  

Satyabati Swain

Children Stories

କୋମଳ ଜିଜ୍ଞାସା

କୋମଳ ଜିଜ୍ଞାସା

3 mins
330



ମାମାଟିଏ ପାଇଁ ବିକଳ ହେଉଥିଲି ଭାରି । ମୋ ପିଲାମନ ଅଧିର ହୋଇ ଖୋଜୁଥିଲା ମାମାଟିଏ।

କିନ୍ତୁ ଉଗ୍ର ଆଧୁନିକତାକୁ ଆପେଣେଇ ନେଇଥିବା ମାମା ପାଖେ ମୋ ପାଇଁ ସମୟ କାହିଁ !

ବାବାଙ୍କ ସହ ମୁଁ ଅଧିକ କନେକ୍ଟ୍ ଥିଲି।ମାମା ଅପେକ୍ଷା ବାବା ମୋର ଅଧିକ ଯତ୍ନ ନେଉଥିଲେ। ଗୋଟେ ପିଲାର ମାମା ଯାହା କରିବା କଥା ସେ ସମସ୍ତ ମୋ ବାବା କରୁଥିଲେ।ଗାଧୋଇଦେବା ,ଖୁଆଇବା,ଡ୍ରେସ୍ ସଫା କରିବା ଆଦି ପ୍ରତ୍ୟେକଟି କାମ ମୋର କରୁଥିଲେ ବାବା।ଗୀତ ଗାଇ କିମ୍ବା ଗପ କହି ଶୁଆଇ ଦେଉଥିଲେ।ଦେହ ଖରାପ ଥିଲେ ଅଫିସ୍ ବନ୍ଦ କରି ବାବା ହିଁ ଘରେ ରହୁଥିଲେ।ଆୟା କେବଳ ମୋ ବାବାଙ୍କ ଅଫିସ୍ ଯିବା ସମୟ ତକ ମୋତେ ଜଗୁଥିଲେ। ବାବାଙ୍କଠାରୁ ବାବା ଓ ମାମା ସମସ୍ତ ସ୍ନେହ ମମତା ପାଉଥିଲେ ବି ଜ୍ଵରରେ ବାଉଳି ହେଉ ଥିଲି ମାମା ମାମା । 


ମୋ ପାଇଁ ଅଧିକ ସମୟ ଦେଉଥିବାରୁ ବାବା ମାମାଙ୍କ ପାଇଁ ସମୟ ବାହାର କରି ପାରୁ ନଥିଲେ।ଯେଉଁଥିପାଇଁ ବାବା ମାମା ଭିତରେ ମନାନ୍ତର ହେଉଥିଲା।ମାମା ଶବ୍ଦରେ ନୁହେଁ ନୀରବରେ କ୍ଷତାକ୍ତ କରୁଥିଲେ ବାବାଙ୍କୁ।ଦୁହେଁ ଚାକିରିଆ।ଟିକେ ଫୁରୁସତ ପାଇଲେ ନିଜ ସହ ବାଣ୍ଟିବା ପରିବର୍ତ୍ତେ ମୋ ପାଇଁ ବାବା ବ୍ୟସ୍ତ ରହୁଥିବାରୁ ମାମା ତାଙ୍କ ଫ୍ରେଣ୍ଡ୍ ମାନଙ୍କ ସହ ଯୋଡି ହୋଇ ଯାଉଥିଲେ।ଡ୍ରିଙ୍କ କରି ଫେରୁଥିଲେ ବିଳମ୍ବରେ ଘରକୁ।ଯାହା ମାମା ଓ ବାବା ମଧ୍ୟରେ ଅଶାନ୍ତି ଝଡ଼ ସୃଷ୍ଟି କରୁଥିଲା।ମୁଁ ହିମାଳୟ ପରି ଠିଆ ହେଉଥିଲି ସେମାନଙ୍କ ଦାମ୍ପତ୍ୟ ଖୁସିର ରାସ୍ତାରେ।


ମୋର ଜେଜେମା ନଥିଲେ।


ଜେଜେ କୁହନ୍ତି ପୁର୍ବୀ ! ତୁ ଅଫିସ୍ ସାରି ଯାଉଛୁ କୁଆଡେ? ତୋର ଘର ସଂସାର ଅଛି। ମୁଁ ବୁଢା ମଣିଷ।ଆୟା ତ ସନ୍ଧ୍ୟା ହେବା ପୂର୍ବରୁ ଚାଲି ଯାଉଛି।ଛୁଆଟି ମାମା ମାମା ହେଉଛି।ମୋ ପ୍ରତି ବି ତୋର କର୍ତ୍ତବ୍ୟ ଅଛି।ଚାକିରିଆ ବୋଲି ସିନା ତୋତେ ମୁଁ କିଛି କାମ ବରାଦ କରେନି ।କିନ୍ତୁ ଅଂଶୁ ଖବର ତୁ ବୁଝିବୁ ନା।ବିଭୁ ପୁରୁଷ ପୁଅ। ସେ କଣ ଛୁଆ ଯତ୍ନ ଠିକ୍ ରେ ନେଇ ପାରିବ ! ପିଲାଟା ସବୁବେଳେ ମାମା ମାମା ହେଉଛି।ତୁ କେମିତିକା ମା !


ମାମା ଘରେ କାହା ପ୍ରଶ୍ନର ଉତ୍ତର ଦେବାକୁ ବାଧ୍ୟ ନୁହଁନ୍ତି। ଯିଏ ଯାହା କୁହେ ଶୁଣି ଚୁପ୍ ରୁହନ୍ତି କେମିତି ? ସେ କେବେ ହସିବା ମୁଁ ଦେଖିନି।ବାବା ମାମାଙ୍କ ମଝିରେ ମୁଁ ପାଚିରୀ ହୋଇଛି ମୋତେ ଲାଗେ।ଜାଣି ଜାଣି ଜେଜେ ପାଖେ ଶୋଇବାକୁ ଜିଦି କରେ।ଆୟା ମୋତେ ଗାଧୋଇ ଦେବେ, ଖୁଆଇ ଦେବେ ବୋଲି ଅଡ଼ି ବସେ ।


ମୁଁ କିନ୍ତୁ ଜାଣିଛି ଯେଉଁ ଦିନ ବାବା ପାଖେ ନ ଶୋଇ ଜେଜେ ପାଖେ ଶୁଏ ସେଦିନ ରାତି ସାରା ମୋତେ ନିଦ ହୁଏନି।ଶୋଇଲେ ମଧ୍ୟ ବାବା ବାବା ନିଦରେ ହେଉଥାଏ ବୋଲି ଜେଜେ କୁହନ୍ତି।ଆୟା ଖୁଆଇ ଦେଲେ ମୋ ପେଟ ପୁରେନି।କିନ୍ତୁ ମୋ ମାମା ବାବାଙ୍କ ଖୁସି ପାଇଁ ମୋତେ ଅତି ସାନ ବୟସରୁ ଏ ସବୁ କରିବାକୁ ପଡେ।


ମୁଁ ସ୍କୁଲ ଯିବାରୁ ସମସ୍ୟା ଆହୁରି ବଢିଗଲା।ମୋତେ ସ୍କୁଲ ନେବା ଆଣିବା ସହ ବାବା ଙ୍କ ରୁଟିନ ବନ୍ଧା କାମରେ ମୋ ହୋମ୍ ଟ୍ୟାକ୍ସ ବି ଯୋଡି ହୋଇଗଲା।


ବାବା ଡେରି ରାତିଯାଏ ମୋ ହୋମ୍ ଟ୍ୟାକ୍ସ କରିବାରେ ସାହାଯ୍ୟ କଲେ।ମାମା ଜୋରେ ତାଙ୍କ ବେଡ୍ ରୁମ୍ କବାଟ ବନ୍ଦ କରିବା ଶବ୍ଦ ବାବା ଓ ମୋ ଯାଏ ପହଁରି ଆସେ । ସେ ଶବ୍ଦ ମୋ ଭିତରେ ଭୂମିକମ୍ପ ସୃଷ୍ଟି କରିବାକୁ ଯଥେଷ୍ଟ ହୁଏ।


ସେ ଦିନ ଆମେ ବାବା ଓ ମୁଁ ଶୋଇବାକୁ ଜାଗା ପାଉ ନାହୁଁ।ବାବା ମୋତେ ତାଙ୍କ ଛାତି ଉପରେ ଶୁଆଇ ସୋଫା ରେ ଡ୍ରଇଂ ରୁମ୍ ରେ ରାତି କଟାନ୍ତି ଯାହା ମୋତେ ସବୁଠୁ ଯନ୍ତ୍ରଣା ଦିଏ।


ମୋ ଭିତରେ ତାରା ଭର୍ତ୍ତୀ ପ୍ରଶ୍ନ।ମାମା ମୋ ପ୍ରତି ଏତେ ବିତସ୍ଫ୍ରୁହ କାହିଁକି ? କାହିଁକି ସ୍ନେହ କରେନି, ଯତ୍ନ ନିଏନି, ଜ୍ଵରରେ ବାଉଳି ହେଲେ ମାମା ମୋ ମୁଣ୍ଡ ସାଉଁଳେଇ ଦିଏନି, ହୋମ୍ ଟ୍ୟାକ୍ସ ରେ ସାହାଯ୍ୟ କରେନି, ସ୍କୁଲ ନିଏନି କି ଆଣେନି ! ମାମା ଅଫିସ୍ ଯିବା ବାଟରେ ତ ମୋ ସ୍କୁଲ ? 


ଏପରି ଅନେକ କାହିଁକିର ପ୍ରଶ୍ନ ତୀର ମୋତେ ଲହୁ ଲୁହାଣ କରନ୍ତି।ଜେଜେଙ୍କୁ ପଚାରିଲେ ସେ କୁହନ୍ତି ମାମା କାମ କରି କରି ଥକି ପଡେ ତ ,ସେଇଥିପାଇଁ ତୋତେ ସମୟ ଦେଇ ପାରେ ନାହିଁ। 

କିନ୍ତୁ ବାବା ତ କାମ କରନ୍ତି ସେ କଣ ଥକନ୍ତିନି କି ଜେଜେ ?


ନା ରେ ଧନ ତୋ ବାବା ବା ପୁରୁଷ, ପୁଅ !ତାର ପଥରର ଆଖି ଓ ଛାତି । କର୍ତ୍ତବ୍ୟର ଦାୟ ବଦ୍ଧତା ଜଞ୍ଜିରରେ ବନ୍ଧା ହୋଇଛି ତା ମନ।ସମ୍ପର୍କ, ସଂସାର ଜଞ୍ଜାଳ ବିଷ ପିଇ ପିଇ ସେ ନୀଳକଣ୍ଠ । କାନ୍ଦି ବି ପାରେନି । ପଥର ଆଖି କଣ କାନ୍ଦି ପାରେ ? ସବୁ ପୁରୁଷ ଏମିତି ଜଣେ ଜଣେ ଅସହାୟ ମଣିଷ ।ପରିବାରର ଛାତ ଓ ଛତା ହେଉ ହେଉ ଖରା,ବର୍ଷା ଓ ଶୀତ ଖାଇ ଖାଇ ସେ ଆଉଟି ହୁଏ ପ୍ରତି କ୍ଷଣ । ଦିନେ ତୁ ବି ସେମିତି ହେବୁରେ ଅଂଶୁ।


ମୋତେ ଭୁଲାଇବା ପାଇଁ ଦୀର୍ଘଶ୍ବାସଟିଏ ଛାଡି ଜେଜେ ମୋତେ କୋଳେଇ ନେଇ କୁହନ୍ତି ବାବା ହେଉ କି ମାମା ମୋ ଅଂଶୁ ଧନର କିଛି ଅସୁବିଧା ହେଉଛି କି? ସବୁବେଳେ ମାମା କାଇଁ ପିଲାର ସବୁ କରିବେ, ବାବା କରିବାରେ ଆପତ୍ତି କେଉଁଠି ? ମୁଁ ବି ତୋ ବାବାର ସବୁ କରୁଥିଲି ।


ଜେଜେଙ୍କ ଉତ୍ତର ମୋତେ ସନ୍ତୁଷ୍ଟ କରେନି ବରଂ ଆହୁରି ବିସ୍ମୟ ଖାଈକୁ ଠେଲି ଦିଏ।


ଶୈଶବ ଅବୋଧ କଅଁଳ ମନ ମୋର ଆକ୍ତା ମାକ୍ତା ହୁଏ ।ଖାଲି କଣ ,କାହିଁକି ପ୍ରଶ୍ନ ନେଇ ଦିନୁ ଦିନୁ ଏକା ହୋଇ ନିରବେ ଖୋଜେ ଓ ନିଃଶବ୍ଦେ କାନ୍ଦେ । କାରଣ ବାବା ଙ୍କ ପରି ମୁଁ କାଳେ ପୁଅ ପିଲା ଓ ମୋତେ କାନ୍ଦିବା ଶୋଭା ପାଏନି ।


ଏ କେମିତି କଥା କାନ୍ଦରେ ବି ପୁଅ ଝିଅ !!



Rate this content
Log in