Lopamudra Parida

Drama Action Inspirational

4  

Lopamudra Parida

Drama Action Inspirational

କଙ୍କଡ଼ା

କଙ୍କଡ଼ା

6 mins
246



_ମା ,ମା ,ମା,ବୋଉ, ବୋଉ ଉଉଓ,ବୋଉ......


_ ଆରେ କଣ ? କାଇଁ ହଲାପଟା ଲଗେଇଛୁ? ଅଁଅଶ ବଂଶାନୀ ( ବଂଶଅଶାନୀ) ଯାକଙ୍କର ଖାଲି ହାଣ୍ଡି ପାଟି ।ଏଡେ ପାଟିଟେ କଣ କରୁଛୁ କିରେ ? ଛାତିରୁ କଲିଜା ଖସିଯିବ ଆଗେ ।" ବିରାଟ ମାଟିହଣ୍ଡାରେ ଚୁଲି ହୁଙ୍କାଟାରେ ଭାତ ଗାଳୁ ବୋଉ ପଚାରିଲା ।


ଚାଳିଶି କୁଟୁମ୍ବ ପରିବାରୀ, ତୁଣ ଫୁଟଣ ଯା ହଉ କି ନ ହଉ ହାଣ୍ଡି ରେ ଭାତ ମୁଠାଏ ପରା ଲକ୍ଷ୍ମୀ ଚିହ୍ନ ।ଯେଝା ବେଳରେ ଯିଏ ଆସନ୍ତି ଖାନ୍ତି ।ଚୁଲିରେ କାଠ ଦକଦକ ଜଳୁଥାଏ, ହାଣ୍ଡିଶାଳରେ ଚୁଡି ରୁଣୁଝୁଣୁ ଶୁଭୁଥାଏ ରାତି ପାହିଆଠୁ ଯେ ରାତି ଗଡିଆ ଯାଏ ।ସେଇ ସରଗ, ସେଇଠି ଗହଳି ।ଆଘେ ଭାତ ହାଣ୍ଡି ଟା ହେଇଗଲେ ତେଣିକି ଟୁଣୁକା ଟୁଣୁକି ଭଜା ଭଜି, ବଡି ଚୁରା, ଶାଗ ଖରଡା, ଆଳୁ ପୋଡା, ଜହ୍ନି ,କଲରା ସିଝା,ଧନିଆ ଚଟୁଣି, ନଡିଆ ବରା, ହଳଦୀ ପାଣି,ଚୁନାକେରାଣ୍ଡି,ଚେଚାଚୁଙ୍ଘୁଡି, ମାଗୁର, ଭାକୁର ଯାହାର ଯେମନ୍ତ ବରାଦ ।ଭଲ ମନ୍ଦ ଦିନ ମାନରେ କି କୁଣିଆ ମଇତର ଯୁଟିଲେ ଡାଲି ଟୋପା ହଏ ।ବାପା, ଦଦେଇ, ଦେଠେଇ,କକେଇ, ବଡନନା, ଏମାନେ ଯେତେଥର ତୁଠରୁ ଆସି ବୃନ୍ଦାବତୀଠି ଓଳିଗି ହେଇ ଜେଜ ଙ୍କୁ ଦାଣ୍ଡ ହଂସିଆ ଠି ଜୁହାର ହେଇ ଖାଇ ବସିବେ ସେତେ ଥର ଆଉ ଗୋଟା ନୂଆ ଦରବ ରନ୍ଧା ର ବାସନା ଚହଟିବ, ସେତେଥର ଆମେ ପିଲା ପନ୍ଝାକ ମଝି ଅଗଣାରୁ ଖେଳ ଛାଡି ଆଁ ଟି ମାନ ଦେଖେଇ ସରଧା ଗୋଳା ବଡ ବଡ ଗୁଣ୍ଡା ଟିଏ ଲେଖାଁ ପାଟି ରେ ପୁରେଇ ପୁଣି ଅଧା ଖେଳକୁ ବାହୁଡିବୁ ।ନାନୀ ମାନେ ଆଁ କଲେ ଆମ ବୁଢୀ ମା ପେଁ ପେଁ ହବ କହିବ ,ଆ ଲୋ ମାଇକିନିଆ ଝୁଅ ଗୁଡା, ଏଡେ ଅହଣ୍ଡିଆ ହେଲେ କୋଉଠି ଚଳିବ କିଲୋ? ଯାଉନ ମା ଖୁଡୁତା ମାନଙ୍କଠୁ ଟିକେ ପୁରାଣ ପଢା, ପିଠା ଗଢା ଶିଖିବ? ଏ ମରଦ ପିଲାଙ୍କ ସାଙ୍ଗରେ ଏମିତି ଘୋଡାଗୁହାଳି ଭଳିଆ ଡିଆଁ କାଇଁ ମାରୁଛ? ଆଉ ଆମ କୁ କହିବ, ଦେ ଲୋ ଦେ ଆଉ ଗୁଣ୍ଡାଟାଏ ନେଇ ଯା ।ଏଇଠି ବ ,ବାପ ପାଖରେ ଖା ।ଆଲୋ କିଏ ଅଛ ଭାତ ଆଉ ଗଣ୍ଡା ଦେଇଯ ।"ମରଦ ପିଲେ ଖାଇସାଇଲେ ନଗେଇ ଖାଇବାକୁ ବୋଉ ଭରିଆଙ୍କୁ ତ ଶୋଡକାଏ ମରିଚଘୋଟା ପାଣି ବି ଢେର୍ ।


ଜେଜୀ ବୁଢୀ ସେପଟୁ ଉଠି ଆସି କହିଲେ, 


_ ଦେ ଲୋ ଝୁଅ,ଗୋଟିଏ ବୋଲି ତ କୋଳପୋଛା ଘରମଣି ।ଚହଳ ପକେଇବନି?ଗହଳ ଲଗେଇବନି?କି କଥା ? କଣ ଏମିତି ମାଟି ହାଣୁଛ କି ? ଶୁଣି ଯାଉନା ତା କଥା ! 


ମୁଁ ସେତବେଳକୁ ବୋଉ କାନି ପଛପଟେ, ତାକୁ ଥିରିକି କହିଲି ,ବୋଉ ଦେଖିଯା ଗୋଟେ ଜିନିଷ ।ଆସୁନୁ ଟିକେ ।ଟିକେ ଆ ।


_ ରହ ରେ ଭଜା ଜଳି ଯିବ ।ପୁଣି ସଭିଁଙ୍କି ଅରୁଚି ଧରିବ।ଜାଳ କମେଇ ଦିଏ କି ଜରୁଥାଉ ,ସୁଆଦିଆ ଲାଗିବ ।ପାଳ କୁଟା ମୁଠାକୁ ନିଆଁ ସହ ବାହାରକୁ ଟାଣି ଆଣି କହିଲା, ଚାଲ ଚଞ୍ଚଳ ।


_ ଦେଖ ବୋଉ ମୁଁ କଣ ଧରିଛି ।ମୋ ଓଠରେ ହସ ଥିଲା ଆଉ ବୋଉ ଆଖି ହାଁ କରିଗଲା ।କହିଲା, ଛାଡ ଛାଡ ତାକୁ, ଚଞ୍ଚଳ ନେଇକି ତାକୁ ତା' ଥାନରେ ରଖିଆ ।ଘରେ କିଏ ଦେଖିଲେ ଏଇନା ମାହାଭାରତ ପ୍ରଳୟଖଣ୍ଡ ।ଗଲୁ? 


ସିଏ ତା 'ଗୋଡରେ ମୁଁ ବାନ୍ଧି ଥିବା ସୁତାଖଣ୍ଡକୁ କାଟି ଗୁଡେଇ ହବା ଚେଷ୍ଟାରେ ପୁରା ଛନ୍ଦି ହେଇ ପିଠିପଟିଆ ଲେଉଟିକି ଆସକାତିଆ ହେଇକି ନିସ୍ତେଜ୍ ।ମୁକ୍ତି ଦିଅ ନହେଲେ ମୁଁ ଲାଗିଥିବି ମୁକ୍ତି ନେଲାଯାଏ ।

ସକାଳୁ ମୁଁ ବାହାରେ ଖେଳୁଥିଲି ଆମ ଚଉରାଠି ।ଇଏ ତାର ନିଜେ ନିଜେ ଚଢି ଚଢି ଆଇଲା ।ମୋ ନଜର ପଡନ୍ତେ ମୁଁ କୁରୁଳିଗଲି ଆପେ ।ମନେ ପଡିଗଲା ଜେଜୀର ଭାଇଘର ଗାଁ ଠି ..... ଯୋଉ ମହକ .... ଆଉ କୁହନା ।ସେଇଠୁ ପାଟିରୁ ତ ଖାଲି ନାଳ ଗଡିଲା ଆଉ ।ପୁଣି ମନେପଡିଲା ବହିରେ ଲେଖା ହେଇଥିଲା ବୁଦ୍ଧ ବୋଲି ଜଣେ କିଏ କହୁଥିଲେ, ' ଜୀବେ ଦୟା ' ସେଇଠୁ ଆପେ ପୁଣି ନରମି ତ ଗଲି ଆଉ ।ବୁଦ୍ଧ ମାନଙ୍କ କଥା ଆପେ ମାନିହେଇଯାଏ, ନା ......ବୋଉ କଥା ଯେମିତି ।ତମର ଏଡେଇ ଯିବାକୁ ମନବଳିବକି ଆଗେ ।ବୋଉ କହିଛି ଛାଡିଦେ, ଛାଡିଦେବିନାଉ ।


ମୁଁ ତାକୁ ନହକ ତେଲ ପିଆ କାନ୍ଥ ଡେରା ପିଠିଫଟା ପାଞ୍ଚଣ ଟା ଦେଖେଇଲି ।ସିଏ ଜଡସଡ ହେଇ ଅପେକ୍ଷା କଲା ପରି ଧାଡୁକିନା ଦଶମୁନିଆଁନଖିଆ ହାତରେ ତାର ଜାବୁଡି ଧଇଲା ଥିରିକି ସାବଧାନେ ନେଇକି ତାକୁ ହୁଡାଠି ଛାଡିକି ଆସିଲି ।ସେ ଚାଲି ଚାଲି ଗଲା ତା ଠିକଣା ଖୋଜିବାକୁ ।ତାଙ୍କର ବି ପାଣିତଳ ଗାଁ ଗଣ୍ଡା ଥିବକି ନାଇଁ ତାର ତ ପୁଣି ମୋରି ଭଳିଆ ବୋଉ, ଇସ୍କୁଲୁ, ଜେଜୀ, ନାନୀ, ଫୁଲବାରି, ତାଟିଶଡଗ, ମନୁଆ, ଝୁନିଆ, ଆମ୍ବୁଲ ଖଟା ସବୁ ଥିବ କି ନାଇଁ ।ଯାଉ ସିଏ ।ନହେଲେ ତାଙ୍କର ସମସ୍ତେ ତାକୁ କେତେ ଖୋଜିବେନି କୁଆଡେ?ଆମ ଘରେ କେମିତି ମତେ ଗୋଡେ ଗୋଡେ ଜଗନ୍ତି ।ଏଇଟା ଟିକେ ବଗୁଲିଆ ଟା କି କଣ ନହେଲେ ଆଇଲା କେମିତି ,ବାଟ ଭୁଲିଲା କେମିତି ।


ଯା 'ଯେତେ କହିଲେ କଣ ଅଛି, ସୁଆଦ ଟା ତାର ନିଆରା ନାଉ ।ଆଉ ସବୁକୁ ଗୋଳି ମାର ହେ ,ଆଗେ ଆତ୍ମା ଶାନ୍ତି ।ଜିଭ ଲୋଭ କୁ କିଏ ଟାଳିଲାଣି ନା ପାରିବ? ପାରିଲେ ସେଇ ବୁଦ୍ଧ ପାରୁଥିବେ ସିନା ।ହେଇ ପା ସେଦିନ ଜିନାଘର ବୁଢୀ ତାରି ଝୋଳ କୁ ଝୁରି ଝୁରି ଆଖି ବୁଜି ପ୍ରେତପୁରୀ ଗଲା ଆଉ ଥରେ ଜନମିବ କି କଣ .... କୁହାକୁହି ହଉଥେଲେ ତ ସମସ୍ତେ .... ନୋଭ ନେଇ ଗଲା ପରା ନଫେରିଲେ ମୁକତି କୋଉବାଟେ?


****


ସେ ବେଢା କରେ କରେ ଗଲେ ବି ତମକୁ ପବିତ୍ର ପବିତ୍ର ଲାଗିବ ଏମିତି ମେଲା ସିଏ ।କାହାର ସାହାସ ଯମିନି ଆଜିଯାଏ ଅଗାଧୁଆ ସେ ଜେଗା ଦେଇ ଯିବାକୁ।ପ୍ରତ୍ୟକ୍ଷ ଦିଅଁଟି ଗୋଟା ଗିଳିଦେବେ ଭେଟେଣା ହେଇଯିବେ ।ତାଙ୍କର ସବୁ ଅମୁଣିହା ।କିଛି ମାରାପତର ସିଏ ସହିବେନି ।ଏମିତି କି ମନ ତଳେ ପୋଷାପାପକୁ ଛାପକୁ ବି ଲୋକେ ତାଙ୍କ ଦୁଆର ଚଢିବା ଆଗରୁ ଜାଗତିଆର କି ସିନ୍ଧୁକ ରେ କୋଲପ ଦେଇ ହଉ ଗାଡିଆରେ ଓଲ୍ହାରି ଦେଇ ହେଉ ଆସନ୍ତି ।


ପଥର ଦେଉଳ କୋଉ ରଜା ଅମଳରେ କୋଉ ପୁରୁଷୋତ୍ତମ ଗଢେଇଥିବେ ।ବୃଷଭ ନନ୍ଦି, ବୃନ୍ଦି ଦ୍ବୟ ମୁଣ୍ଡ ହଲାନ୍ତି, ଚକଡାରେ ଚକଡା ମାଡି ବସି ହାରିଗୁହାରି ଆଗ୍ରହୀ ଦିଅଁଙ୍କ ମୁଣ୍ଡ ଥଣ୍ଡା ବେଳ ଦେଖି ଦୁଃଖ ଜଣାନ୍ତି ।ପାଟପୋଖରୀରେ ବୁଡଟେ ପକେଇ ଗାଁ ଟା ଯାକର ପିଲା ଠୁ ବୁଢା, ମାଇପେ, ମିଣିପେ ସମସ୍ତେ ନନ୍ଦି ଶିଙ୍ଘରେ ଟିପଦେଇ କାନରେ ମନବାଞ୍ଛା ଫୁସୁଫୁସାନ୍ତି ।


ଯିଏ ଖଚମିଛ କହେ,ପାପତାପ କରେ,ବାରଣ ତାରଣ ମାନେନି, ଗୋଳିଆ ଗୋଳି କରେ ସମସ୍ତେ ୟାଙ୍କରି ଧଣ୍ଡା ଛୁଇଁ ରାଣନିୟମ କରାନ୍ତି ।ରାତିଆ ଫଁ ଫଁ ଗର୍ଜୁ ଥିବା ଶବ୍ଦ ଭୟରେ ସତ ମାନି ମାନତି ପଡନ୍ତି ଲୋକେ ।


ମାନସିକ ପୁରଣ ପାଇଁ ଅଧିଆ ପଡନ୍ତି ।ଯୋଡାକଦଳୀ ,କାଳିଗାଈ ଖିର ଘର୍ଷଣ ଶାକର ସହ ଯାଚନ୍ତି ।

ଅହିରାଜ କାମୁଡିଥିଲେ ବି ଏ ପାଣିପାଦୁକ ସିଞ୍ଚି ଗରା ଗରା ପାଣି ୟାଙ୍କରି ଚକଡାରେ ଓଜାରି ଦିଅଁଙ୍କୁ ହାତ ଟେକି ପାଣି ଛଡେଇଦେଲେ ସବୁ ' ଛୁ ' ,ଝାଡିଝୁଡି ହେଇ ଠିଆ ହୁଏ ମଣିଷ ।ଭାଆରି ପ୍ରତ୍ୟକ୍ଷ ।ଡାକ ଦେଲେ 'ଓ'କରିବା ଦିଅଁ ଜାଣି ।


ମାଳି ପୂଜା କରେ ,ଦେହୁରୀ ସାଜେ ,ହୁକୁମ ଡାକେ ।ସିଏ ହି କହିଲା, ଗ୍ରାମେଶୋର ସପନେଇସନ୍ତି,ଗାଁ ରେ ଶୁକୁଲା ଶୁକୁଆମାଛ ହବନି କି ସେ ଆଠଦଶ ଗୋଡିଆ ଜୀବ କଙ୍କଡା କା'ରି ଘରେ ଯେମନ୍ତ ରନ୍ଧା ନ ହୁଏ ।ଦିଅଁଙ୍କ କୋପକୁ ପରତେ ଯ ।ବଂ ଭୋଲେ ବଂ ଭୋଲେ ।କୋଣ ମୁଣ୍ଡ ରେ ଘରିକିଆ ଏକପଟିଆ ଦେଉଳବାଡାକୁ ଲାଗି ତାଙ୍କ ଚାଳିଆ ।


ନିଜେ ଆଜ୍ଞାମାଳ ପାଇଲା ପରି ଅମୁହାଁ କି ସମସ୍ତେ ମାନିଗଲେ ଏମୁଣ୍ଡୁ ସେମୁଣ୍ଡ ଗାଁ ଟା ଯାକ ।କାହାର ଜୀବନକୁ ଭଲା ଲୋଭ ନାଇଁ କହୁନ ।


*****


ସୁନିଭାଉଜର କଣ ପିଲାପିଲି ହବ ।ଏଇ ଆର ସନ ନୂଆଉ ହେଇ ଆମ ଗାଁ ରେ ପାଦଦେଇ ତୁଠ ଚହଟେଇ ଦେଇଥିଲା ଟି ସିଏ ।ଏଡିକି ସୁନ୍ଦରୀ ତା'ସାଙ୍ଗକୁ ନାକଗୁଣା ଖଣ୍ଡେ ହୀରା ଭଳିଆ ଝଟକେ ତା'ଖଣ୍ଡାମିତି ନାକରେ ... ଯେତେବେଳେ ସିଏ ଗ୍ରାମେଶୋରଙ୍କ ବୃଷଭ କାନରେ ଗୁପତ ଜାଚଜ୍ଞା ଟା କହିଦେଇ ଜୁହାର କରି ଉଠେ ।ଆଉ କଣ କିଛି ଦୁଶେ କି ,ହାତେ ଓଢଣା ପାରେ ପରା ,ସମସ୍ତେ ସୁଖ ପାନ୍ତି ବୋଲି ।କେମିତି ଝୁଣ୍ଟିକି ପଡେନି କେଜାଣେ?


ପୋଖତି ହବା ଦିନ ଦିନ ଦିପହର ଯାଏ କି ରଡି ଛାଡିଲା ଲୋ ,ପେଟ ଫିଟିଲାନି ତଥାପି ..... ଗାଁ ଫାଟିଲା ପଛେ ।କଥା କଣ ? କାଇଁକି ମାଟିରେ ପଡୁନି ପିଲା? କଣ ମନ ଥିଲା କି ତୋର ଖାଇଆ, ପିନ୍ଧିଆକୁ?ଲାଜ ,ଭୟ, ସନମାନ ଜଗି କହିନୁ କି ?କହିଦେ ଏଇନା ।ତରିଯିବୁ ଲୋ ।ନୋହିଲେ ଏଇନା ଯୋଡେ ପରାଣ........ ପିତାଶୁଣୀ ହବୁ ସିନା ମାଗଣାପଦା ଟାରେ । 


ଧକେଇ ଧକେଇ ଭାଉଜ କହିଲା, କ.....ଙ୍କ.....ଡା ଝୋ.....ଳ ।ଚେତା ହରେଇଲା ।


ହେ ବୋଉ କିଲୋ ।ଏ କି କରମ କଲା ଲୋ ମା।କି ବଉଁଶବୁଡା କଥା ତା ଜିଭରେ କେମନ୍ତ ଲେଉଟିଲା ଲୋ ।ଦିଅଁ ଙ୍କ ସାଙ୍ଗରେ ବାଦ ପେଶିଲା ।କି ବୁଦ୍ଧି କରିବା, ହେ ଗ୍ରାମେଶୋର ବାଳୁତ ପିଲା ଭାବି ଉଦ୍ଧାର କର ।କ୍ଷମା ଜାଚନା ପ୍ରଭୁ ।ତୁମେ ପରା ଆଶୁତୋଷ ।ତା ଶାଶୁ ଗୁହାରିଆ ପଡିଲା ।ତା ବର ବିନୁଭାଇ ତାକୁ କୋଳରେ ଉଠେଇ ସେମିତି ଅଛାଡ ଅବସ୍ଥାରେ ଟେକି ନେଇ ପାଖ ସଦର ମେଡିକଲକୁ ଗଲାହେରି ଗାଁ ମକୁଭାଇର ଅଟୋ ଗାଡିରେ ପକେଇ ।ବୁଢୀ ଧଉଡି ଧଉଡି ଲୁଗାକନା ବୁଜୁଳାଏ ଡାଲା ପଛକୁ ଫୋପାଡି ଦେଇ ଆକାଶକୁ ହାତ ଟେକି ଦେଲା ବାଦେ ପବନରେ ଉଡିଗଲା ଧାଡିଏ କଥା ,ମୋ ବୋହୁକୁ ଜୀଅନ୍ତା ଫେରେଇ ଆଣିବୁରେ ବିନୁ .......


*****


ଏ କଥାର ଆଠଦିନ ଅନ୍ତେ, ଭାଉଜ ତାର ଜାଆଁଳା ପୁଅଝୁଅ ହଳେ ଧରିକି ଆସିବା ଅନ୍ତେ,ଶାଶୁ ବୁଢୀ ତାର ରୁଦ୍ରାଭିଷେକ ଦେଇ ଶୂଳପାଣିଙ୍କୁ ଶୀତଳ କରିବା ଅନ୍ତେ ଗାଁରେ ଝାମୁଜାତ ମେଲଣ ।ପାଖଆଖ କେତେଆଡୁ କେତେ ଗହଳି ।ଆଜିକାଲି ତ ଗାଁ ତା'ଖୋଳପା ଛାଡି ସହରବଜାରର ସାଟ ଟା ମଡେଇଲାଣି ଯେ ଯେତେ ପ୍ରକାର ବିପରୀତମୁଖି କଥା ଗୁମୁଟ ଭିତରକୁ ମୁଖବନ୍ଧ ଦେଇ ପଶିଆସିଲେଣି ।ମେଲଣ, ଯାତରା ଜୋର ଧରି ରାତି ର ଗାଢା ରଙ୍ଗ ଓଢଣୀ ତଳେ ବସୁ ହସୁ ମନ୍ଦିର ପଛପଟ ଗୁହାରେ ଶିବଭକ୍ତ ବୋଲାଉଥିବା ଦଳେଙ୍କର ଦୁକ୍ ଦୁକି ରେ ନିଆଁ ଧରୁଥିଲା ଜୁକ୍ ଜୁକ୍ କରି ।ଭାଙ୍ଗ ମାଡ ହେଲେ ବି ଗୋଟେ କଥା ,ଆଜି କାଲି କିଏ କଣ ଆଉ ଅଳପରେ ଅଛି?ଦୂର ବୁଦାରେ ବିଲୁଆ ଆଁ ରେ ନୀଳ ନିଆଁ ଦହକିଲା ବେଳ ହବଣିକି କଣ କା' ଘର ବାରି ପଟ ରୋଶଘର ଚାଳିଆଠୁତଉ କି କଣ ହୁତ୍ କିନା ହୁଳା ଉଠିଲା ଆଉ ।


ହାଁ ହାଁ ହାଁ ଧାଁଧପଡ ଲାଗିଲା, କେ କୁଆଡେ ବାଡେଇଛାଟି ହେଇ ଦୁଆର ବନ୍ଧ ଡେଇଁ ଦାଣ୍ଡମଝିକୁ ଓହ୍ଲେଇ ଆଇଲେ ।ଫୁ 'କରି ଜଳିଗଲା ଗାଁ ,ଚଉତାକାଗଜ ପରି ।ହେ ହେ ହେ ପାଣି ଛାଟ ଛାଟରେ ଶୁଭୁଥିଲା ।ମେଳାଖେଳା ଜାଳ ହେଇଗଲା ।ସକାଳକୁ ପାଉଁଶ ମୁଠା ପରି ଦିଶୁଥିଲା ସକଳ ଦରବ ।ଭାଗ୍ୟକୁ କେମିତି କାହାରିଠି ଟିକିଲି ମାପର ଫୋଟକାଟେ ହେଇନଥିଲା, ସମସ୍ତେ ବର୍ତ୍ତି ଗଲେ ।ମାଳି ନନାଙ୍କ ଘରେ ଧୂଳି ମଳି ଲାଗିନଥିଲା ।ଲୁହ କିନ୍ତୁ ସବୁରି ଆଖିରେ ଢେଉ ଭାଙ୍ଗୁଥିଲା ।ପାଖ ଗାଁ ରୁ ଲୋକେ ଘରପୋଡିର ଦୃଶ୍ୟ ରଚନା ଲେଖିବାକୁ ଆଗୁସାର ହେଇ ଆସିବା ଆରମ୍ଭୁଥିଲେ ।


କିଏ କହୁଥିଲା, ଏ ମେଳାରେ ଟୋକାଏ ବିଡି ଟାଣି ଛାଡିଦେଇଛନ୍ତି ।କିଏ କହୁଥାଏ ଖରାଦିନ, ଶୁକୁଲା ଚାଳକୁ ଧାସ ଧରିଦେଲା ।କିଏ କହୁଥିଲା ଆଉ କଣ, ଆଉ କଣ ।କିଏ କହୁଥିଲା, ଦିଅଁ ଙ୍କ କୋପାଗ୍ନି ।ଯା 'ହଉ ଭାଙ୍ଗପଣା ଢଳା ହେଇଥିଲେ ବୋଲି କୃପାମୟ ଚାହିଁଲେ, କାହାର ଘା'ଟେ ବି ହେଲାନି ।


ସୁନିଭାଉଜ କହୁଥିଲା,ସିଏ ରାତିକି ବାହାରକୁ ଉଠିଥିଲା ବେଳେ ଦେଖିଥିଲା ,ଗ୍ରାମେଶୋରଙ୍କ ବେଢାରୁ ଫଅଁ କାଢିଥିବା ତା'ରି ମେଲା ଆଁ ରୁ ହୁଳା ହୁଳା ନିଆଁ ଗାଁ କୁ ମାଡିଆଉଥିଲା ଫୁ ଫୁ କରି ।


ମାଳି ଅର୍ଦ୍ଧନିମିଳିତ ଆଖି ମୁଦି କହିଲା, " ସେ ଗୋଡଟଣା ଜୀବଙ୍କୁ କିଏ ଜିଭାଲାଳସା ନ ପାରି ଚଳୁ କରିଛ ଭଲେ ଭଲେ ମାନିଯ, ନହେଲେ ସବୁ ଏମନ୍ତ ଧ୍ବଂସ ଯିବରୈ । " 


*****


Rate this content
Log in

Similar oriya story from Drama