Nityananda Nandi

Classics Inspirational

4  

Nityananda Nandi

Classics Inspirational

କଲ୍ୟାଣୀ

କଲ୍ୟାଣୀ

5 mins
167


 

ଦୁଇ କାମବାଲୀଙ୍କୁ ପାଖକୁ ଡାକି ପୁଷ୍ପାଞ୍ଜଳି କହିଲେ, କାଲିଠୁ ଯିଏ ହେଲେ ଜଣେ ଆସିବ। ବାବୁଙ୍କ ନିର୍ଦ୍ଦେଶ। ଦୁଇଜଣ କଥା ହୋଇ ନିଷ୍ପତ୍ତି ନିଅ କିଏ ଆସିବ ! କହୁ କହୁ କିଛିଟା ଭାବ ବିହ୍ୱଳ ହୋଇଗଲେ ପୁଷ୍ପାଞ୍ଜଳି, ବାଷ୍ପ ରୁଦ୍ଧ ହୋଇଗଲେ କିଛି ମୁହୂର୍ତ୍ତ ପାଇଁ। ଚାଲିଗଲେ ସେ ଘର ଭିତରକୁ। ସମ୍ପର୍କ ସିଡ଼ିରେ ଆକାଶ ପର୍ଯ୍ୟନ୍ତ ଯାଇ ହଠାତ୍ ତଳକୁ ଫେରି ଆସିବା କଥା ମନଟା କିନ୍ତୁ କିଛି ବୁଝେନି, ମନ ଚାହେଁ ଘରଟିଏ ବନେଇବାକୁ ସ୍ନେହ, ଶ୍ରଦ୍ଧାର ଘେର ଭିତରେ ଫେରିବାର ରାସ୍ତା କିନ୍ତୁ ହଜେଇ ଦେଇଥାଏ ସ୍ନେହ ପିପାସୁ ମନଟା। ନିରନ୍ତର ଆଗେଇ ଯାଇଥାଏ ସେ ଅନେକ ଆଗକୁ। ସ୍ମୃତିକୁ ସାଉଁଟି ଫେରିବା ବି ଏତେ ସହଜ ନୁହେଁ ।


ଅନେକ ବୁଝେଇଛନ୍ତି ସେ ତାଙ୍କ ବାବୁଙ୍କୁ। ପିଲା ଦିନରୁ ଆମ ଘରେ କାମ କରି ଆସିଛନ୍ତି ସେମାନେ। ଆମ ଛୁଆ ପିଲାଙ୍କ କେତେ ସେବା କରିଛନ୍ତି, କଳନାର ବାହାରେ। ଏମିତି ଅଚାନକ ବାହାର କରିଦେବା କଣ ଠିକ୍ ହେବ ! ବାବୁ କିନ୍ତୁ ଜମାରୁ ରାଜି ହେଲେନି। । କହିଲେ ପୁଅ, ଝିଅ ଏବେ ବଡ ହୋଇ ବାହାରେ ପଢୁଛନ୍ତି। ଏମିତି ବି ଆଗ ମାସରୁ ଦରମା ପ୍ରାୟ ଅଧା କମିଯିବ ବୋଲି କମ୍ପାନୀ ଘୋଷଣା କରିଛି। ଆମେ ଦୁଇ ଜଣ, ଦୁଇ ଦୁଇ ଜଣ ଚାକରାଣୀ ! ନା ଆଉ ସମ୍ଭବ ନୁହେଁ। ତମେ ଜଣକୁ ରଖି ପାର ପୁଷ୍ପାଞ୍ଜଳି।


ପୁଷ୍ପାଞ୍ଜଳିଙ୍କ ପାଖରେ ଆଉ କିଛି ଉପାୟ ନ ଥିଲା। ରୋକ ଠୋକ ମନା କରିବାକୁ ହିଁ ପଡ଼ିଲା। ସ୍ନେହ ଗୋଟାଏ ଶବ୍ଦ ନୁହେଁ ଯେ ଉଚ୍ଚା ନିଚା ପାହାଡ ଦେହରେ ଧକା ଖାଇ ଫେରିଯିବ। ସ୍ନେହ ଓ ମମତା, ମନ ସାଥିରେ ମିଶିଯାଇ ହୃଦୟରେ ପ୍ରତିଟି କୋଷରେ ଅଠା ପରି ଲାଖିଥାଏ, ସେଇଥି ପାଇଁ ବୋଧେ ଭାବ ପ୍ରବଣ ହୋଇଗଲେ ପୁଷ୍ପାଞ୍ଜଳି, ଶବ୍ଦ ଶୂନ୍ୟ ହୋଇଗଲା ତାଙ୍କ ଗଳାଟା ।


ରୁବି ଆଉ କଲ୍ୟାଣୀ, ଦୁଇ ଚାକରାଣୀ। ଚୁପ୍ ଚାପ୍ ବାହାରି ଗଲେ ପୁଷ୍ପାଞ୍ଜଳିଙ୍କ ଘରୁ। ବିପରୀତ ଦିଗରେ ଚାଲିଲେ ସେମାନେ ଯେ ଯାହା ଘରକୁ। ରୁବି ଭାବିଲା ଝିଅ ମାଧ୍ୟମରେ କଲ୍ୟାଣୀ ଫୋନ କରି କିଛି କହିବ, କଲ୍ୟାଣୀ ଭାବିଲା ରୁବି ଫୋନ କରିବ।ରାତି ଆଠଟା କିଛି ଫୋନ ଫାନ୍ କିମ୍ବା କଥା ବାର୍ତ୍ତା ନାହିଁ। ରାତି ନ ଟାରେ ରୁବି ଫୋନ କରି କଲ୍ୟାଣୀ କୁ ପଚାରିଲା ଦିଦି କିଛି ଭାବିଲ ?

କଲ୍ୟାଣୀ ଜନ୍ମରୁ ମୂକ। ହଁ, ନା ଦୁଇଟି ଶବ୍ଦ ଛାଡ଼ିଦେଲେ କିଛି କହି ପାରେନି। 

କହିଲା ନା

ଦିଦି !

ଯାହା କହୁଛି ଶୁଣ। ତମ ଝିଅ ବାହା ହେବାକୁ ବସିଲାଣି, ବାହାଘର ପରେ ତମର ଆଉ ଖର୍ଚ୍ଚ କଣ ? ଭାଇନାଙ୍କ ସାଥିରେ ଆରାମରେ ଦିନ କାଟିବ। ମୋର କିନ୍ତୁ ଆରମ୍ଭ ମାତ୍ର। ପୁଅ ସ୍କୁଲ ଯିବ, ଦିନକୁ ଦିନ ଖର୍ଚ୍ଚ ବଢ଼ିବ। ତମେ ଯାଅନି କାଲିଠୁ। ମୁଁ ଯିବି ।

ହଁ, କହି ଫୋନ ରଖିଦେଲା କଲ୍ୟାଣୀ

ନିଦ ହେଉନି , ଭାବନା ରାଇଜରେ ବୁଡିଗଲା ରୁବି। 

"କଲ୍ୟାଣୀ ଦିଦି ଖାଲି ଦିଦି ନୁହେଁ, ମାଆ ପରି ସ୍ନେହ କରେ ମୋତେ। ପୁଅର ଦେହ ପା ଖରାପ ହେଲେ ଦିଦି ଇଙ୍ଗିତରେ କହେ, ତୋତେ ଆସିବାକୁ ହେବନି। ଛୁଆ କଥା ବୁଝ୍। ତୋ କାମ ମୁଁ କରିଦେବି । ମାସକୁ ପ୍ରାୟ ପାଞ୍ଚ ଦିନ ମୁଁ କାମକୁ ଆସି ପାରେନି। ପ୍ରତିମାସ ଦରମା ପାଇ ପାଞ୍ଚ ଶହ ଦିଦି ହାତରେ ଗେଞ୍ଜି ଦିଏ, ସେ ଆଖି ଦେଖାଏ। କାଉ କୋଇଲି ସଂଘର୍ଷର ବାହାରେ ବି ଏକ ବିଚିତ୍ର ପୃଥିବୀ ଅଛି ବୋଲି ସେମାନେ କଣ ଜାଣନ୍ତି ! ମୁଁ କିନ୍ତୁ କେତେ ଥର ଅନୁଭବ କରିଛି ସୁନ୍ଦର ପୃଥିବୀଟା ହାତ ପାଆନ୍ତାରେ ଥାଏ ବୋଲି। ସ୍ନେହ ଶ୍ରଦ୍ଧାର ସଉଦା ହୁଏନି ସେଇ ପୃଥିବୀରେ। କିଛି ପାଇଥିଲେ ମନ ଭରି କିଛି ଦେବାକୁ ଇଚ୍ଛା ହୁଏ। ଅସୁମାରୀ ପ୍ରଶ୍ନ ଗୁଛ ମୋ ମନ ଭିତରେ କଣ କରିବି, କଣ ଦେବି ମୁଁ କଲ୍ୟାଣୀ ଦିଦିକୁ ?


ମାଉସୀଙ୍କ ଘରୁ ବାହାରି ପ୍ରତିଦିନ ତାଙ୍କ ଗେଟ ପାଖରେ ଥିବା ଗୁମୁଟି ପାଖରେ ଆମେ ଦୁହେଁ ଚା ପିଉ। ଭାରି ମେଳାପି ମୋ କଲ୍ୟାଣୀ ଦିଦି। ଯେ ଯାହା ରାସ୍ତାରେ ଯିବା ପୂର୍ବରୁ ମୋ ପ୍ଲାଷ୍ଟିକ ବେଗ ଭିତରେ ଗୋଲ ଗୋଲ ମିଠା ପାଉଁରୁଟି ଭରି ଦେଇ ଠାରି ଦେଇ କହେ ଏଇଟା ତୋ ପୁଅ ପାଇଁ..

ଭାରି ଶ୍ରଦ୍ଧା କରେ ମୋ ପୁଅକୁ।

କଣ କରିବି, ସେ କିଛି କହି ପାରେନି ବୋଲି ଜବରଦସ୍ତ କରି ତାଠୁ କାମ ଛଡେଇ ନେବା ଅନ୍ୟାୟ ନୁହେଁକି ! ଜୋର୍ ଯା'ର, ମୂଲକ ତା'ର । କଥା କହି ପାରୁଥିଲେ ଫୋନ୍ ରେ ଦୁଇ କଥା ମୋତେ ଶୁଣେଇ ଥାଆନ୍ତା। କଜିଆ ବି କରିଥାନ୍ତା ମୋ ସହିତ।ସେ କିନ୍ତୁ ସେମିତି ନୁହେଁ, ତେବେ ମୁଁ କାହିଁକି ସେମିତି ହେବି। ମିଛ ମିଛିକା ସତ ରଞ୍ଜ ଖେଳରେ ରାଜା ମରିଗଲେ କେହି କଣ ସତରେ ଦୁଃଖ କରେ ? ଏ ଖେଳ କିନ୍ତୁ ସତ ସତିକା। ମୁଁ ମୋ ହାତ ପା'ନ୍ତାରେ ସମସ୍ତ ବିଶ୍ବାସକୁ, ଭରସାକୁ ତିଳ ତିଳ ହତ୍ୟା କରୁଛି।"


ରାତି ସାରା ଶୋଇନି ରୁବି, ବିଛଣାରେ ଗଡ଼ପଡ଼ ହେଇଥାଏ। ରାତି ଚାରିଟା, ଫୋନ କଲା ସେ କଲ୍ୟାଣୀ କୁ

ଦିଦି

ହଁ ! ଗୋଟାଏ କଥା, ହଠାତ୍ ମନେ ପଡ଼ିଲା। ମାଉସୀ କହିଥିଲେ ନା ତୋ ଝିଅ ବାହାଘରକୁ ଦଶ ହଜାର ଟଙ୍କା ସାହାଯ୍ୟ କରିବେ।

ଝିଅ ବାହାଘର କଥା, କେତେ ଖର୍ଚ୍ଚ ଅଛି ! ଏମିତି ସୁଯୋଗ ହରେଇବା ଠିକ୍ ହେବନି। ଦିଦି ! ତୁ ଯା କାମ କର ମାଉସୀଙ୍କ ଘରେ। ମୁଁ ଆଉ କୋଉଠି କାମ ଖୋଜିନେବି। ଏମିତି ବି ତୁ କଥା ହେଇ ପାରୁନୁ ଜାଣିଲେ କାମ ମିଳିବା ବହୁତ କଷ୍ଟ ହେବ ତୋ ପାଇଁ। ମଉସା ମାଉସୀ ତୋ ଠାର ଇଙ୍ଗିତ ସାଥିରେ ଉତପ୍ଲୁତ ଭାବେ ଜଡ଼ିତ। ଗୋଟାଏ ଘରେ କାମ କରୁଛୁ ତୁ ପିଲା ଦିନରୁ। ମୁଁ ଆଜିଠୁ ଯିବିନି, ତୁ ହିଁ ଯା

ତା ପରଦିନ ସକାଳ। କଲ୍ୟାଣୀ କାମ କରୁଛି ବଗିଚାରେ..

ଘରଟା ଶୂନଶାନ। ନା ଚା'ର ମନ ଲୋଭା ବାସ୍ନା ଆସୁଛି ରୋଷେଇ ଘରୁ ନା ବାସନ କୁସନ ପଡ଼ିବାର ଶବ୍ଦ ଶୁଭୁଛି। ମନକୁ ମାରି ବସିଛନ୍ତି ପୁଷ୍ପାଞ୍ଜଳି ସୋଫା ଉପରେ। ବାବୁ ନାହାନ୍ତି। ନିଜେ ଚା ବନେଇ ପିଇବାର ଅଭ୍ୟାସ ନାହିଁ ବୋଲି ବହୁତ ମନେ ପଡୁଛି ବୋଧେ ରୁବି କଥା। ରୁବିର ସ୍ନେହ ବୋଳା ଚା'ର ବାସ୍ନା ନିଆରା। ବିଚାରୀ ଛୁଆ ବେଳଠୁ ତାଙ୍କରି ଘରେ ପୁଷ୍ପାଞ୍ଜଳି ଙ୍କୁ ନିଜ ମଥା କୁଣ୍ଡେଇ ଆସେନି, ବାହା ହୋଇ ଆସିବା ପରଠୁ ରୁବି ହିଁ ପ୍ରତିଦିନ ତାଙ୍କ ମୁଣ୍ଡରେ ନଡ଼ିଆ ତେଲ ଲଗେଇଦିଏ । ପାନିଆ ଧରି କୁଣ୍ଡେଇ ଦିଏ ମଥା ଚୁଟିକୁ। ବଗିଚାରୁ ରଙ୍ଗଣୀ ଫୁଲ ଆଣି ଲଗାଇଦିଏ ତାଙ୍କ ଚୁଟିରେ। ଭାରି ଗପୁଡ଼ି, ସକାଳ ରୁ ସଂଜ ଯାଏ ଗପ ପେଡ଼ି ଖୋଲି ଦେଇ ଖୁବ୍ ଗପେ ମାଉସୀଙ୍କ ସହିତ

କଲ୍ୟାଣୀ ବଗିଚା କାମ ସାରି ଅତି ବେଶିରେ ବାସନ ମାଜି ପାରିବ। ରୋଷେଇ କରିବାକୁ ପଡ଼ିବ ପୁଷ୍ପାଞ୍ଜଳିଙ୍କୁ। ରୋଷେଇ ଘରେ କୋଉଠି କଣ ଅଛି ସେ କଣ ଜାଣିଛନ୍ତି ! ଭାରି ହିନସ୍ତା ହେବାକୁ ପଡିବ ଆଜିଠୁ। ଭାରି ମନେ ପଡ଼ିଲା ରୁବି କଥା।


କଲ୍ୟାଣୀ ବାସନ ମାଜୁ ମାଜୁ ହାତ ଠାରରେ କିଛି କହୁଥିଲା ବୋଧେ ମାଉସୀଙ୍କୁ। ମାଉସୀ କଲ୍ୟାଣୀର ସବୁ କଥା ବୁଝି ପାରନ୍ତି। ଭାରି ଭଲ ପାଆନ୍ତି ବି କଲ୍ୟାଣୀକୁ। ଅତି କଷ୍ଟରେ ସେ ବୁଝିଲେ ତା ଠାରକୁ। କଲ୍ୟାଣୀ କହୁଛି ଗୋଟାଏ ଦିନ ସେ କାମ କରିବ, ଆଉ ଗୋଟେ ଦିନ ରୁବି କାମ କଲେ କଲେ କେମିତି ହୁଅନ୍ତା। ଚୁପ୍ ରହିଲେ ପୁଷ୍ପାଞ୍ଜଳି। ଜୀବନ, ସ୍ନେହ, ମମତା, ଦାୟିତ୍ଵ ଓ ବୁଝାମଣା ର ସଂଜ୍ଞା ଆଖି ଆଗ ଶୂନ୍ୟତା ଭିତରେ ଦୃଶ୍ୟମାନ ହୋଇ ଉଠୁଥିଲା। କଠୋର ତମ ଅଗ୍ନି ପରୀକ୍ଷା କଣ କହିବେ, ବୁଝିପାରିଲେନି ପୁଷ୍ପାଞ୍ଜଳି।


କଲ୍ୟାଣୀକୁ କ୍ଷୀର ଚା ବନେଇ ଆସେନି। ଲେମ୍ବୁ ଚା କପ୍ ଟିଏ ବଢେଇ ଦେଲା ମାଉସୀଙ୍କୁ। ନିଜେ ବଗିଚାରେ ଥିବା ବେଞ୍ଚ ଉପରେ ବସି ଚା ପିଇଲା କଲ୍ୟାଣୀ। 

ପାଖରେ ରୁବି ବସିଥାଏ ଏଇ ପଥର ବେଞ୍ଚ ଉପରେ। ଦୁହେଁ ମିଶି ସାଥିରେ ଚା ପିଅନ୍ତିଏକ ଅଦୃଶ୍ୟ ନିସ୍ତବ୍ଧତା ଜାବୁଡ଼ି ଧରିଲା କଲ୍ୟାଣୀକୁ। ନିତିଦିନିଆ ଜୀବନ ଶୈଳୀରେ କିଛିଟା ବ୍ୟତିକ୍ରମ ମନ ଭିତରେ ଅସଂଖ୍ୟ କ୍ଷତ ସୃଷ୍ଟି କରେ, ଉଠା ପକା ଖେଳର ଏ ଜୀବନ। ଆପୋଷ ବୁଝାମଣା ହିଁ ଏକମାତ୍ର ଅସ୍ତ୍ର। ଭାବପ୍ରବଣ ହୋଇଗଲା କଲ୍ୟାଣୀ।

ପୁଷ୍ପାଞ୍ଜଳି ଘର ଭିତରୁ ବସି ଦେଖିଲେ କଲ୍ୟାଣୀ ବାର ବାର ଆଖି ପୋଛୁଛି ଲୁଗା କାନିରେ।

ହୃଦୟଟା ମାଟି ପଥର ନୁହେଁ ଯେ ବର୍ଷା ହେଲେ ବହିଯିବ। ମାଟି ବହିଯାଏ, ପଥର ପୃଥିବୀକୁ ଜାବୁଡି ଧରି ପଡି ରହିଥାଏ। ସୂକ୍ଷ୍ମ ସୂକ୍ଷ୍ମ ମାଂସ ପେଶିରେ ଗଢିଥିବା ହୃଦୟ ତରଳି ଯାଇ ବହିଯାଏ ଆଗକୁ, କିନ୍ତୁ ସବୁ ସମ୍ପର୍କକୁ ସାଥିରେ ଧରି। ପୁଷ୍ପାଞ୍ଜଳିଙ୍କ ହୃଦୟ ତରଳିଗଲା

ଫୋନ ଲଗେଇଲେ ରୁବିକୁ। କଲ୍ୟାଣୀକୁ ଶୁଣେଇ ଶୁଣେଇ କହିଲେ ଆଲୋ ରୁବି ! କଣ ହେଲା କି ଲୋ, ଆଜି ଆସିନୁ।

- ମାଉସୀ ! ତମେ କହିଲ ନା ଯିଏ ହେଲେ ଜଣେ ଆସିବ !

- ଓଃ ପାଗଳୀ ! ହସ ମଜା ରେ କହିଥିଲି ପରା କାଲିଠୁ ଆସିବୁ କହି ଫୋନ ରଖିଦେଲେ ପୁଷ୍ପାଞ୍ଜଳି।

ସବୁ ଶୁଣୁ ଥିଲା କଲ୍ୟାଣୀ। ଚେହେରା ପୁରା ବଦଳି ଗଲା କଲ୍ୟାଣୀର।  ମଲ୍ଲିଫୁଲିଆ ହସ ତା ମୁହଁରେ, ବଗିଚାରେ ଥିବା ଟେପ୍ ପାଖରେ କପ୍ ଧୋଉଥିଲା ସେ ଅତି ଖୁସି ହୋଇ। ଯୁଦ୍ଧ ଜିତି କେହି କେବେ ଏତେ ଖୁସି ହୁଏନି, ଯେତେ ଖୁସି ହେଉଥିଲା କଲ୍ୟାଣୀ ରୁବି ଆଉ ଥରେ ଆସିବ ବୋଲି ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲା । ବେଞ୍ଚ ଉପରେ ବସି ଅନାଉଥିଲା ଦୂର ଦିଗନ୍ତ ଆକାଶକୁ। କଳା ଧଳା ମେଘ ସବୁ ଅପସରି ଯାଇଥିଲେ ଆକାଶରୁ। ପରିଚ୍ଛନ୍ନ ଆକାଶରେ ଆଉ କଣ ଖାଲି ଆଶାର ସୂର୍ଯ୍ୟ ଆଉ ଜହ୍ନକୁ ହିଁ ଦେଖି ହୁଏ।

ପୁଷ୍ପାଞ୍ଜଳି ମନେ ମନେ ଭାବୁଥିଲେ ଦୁଇ ଜଣ ଆସନ୍ତୁ ! ଯେମିତି ହେଉ ମିଛ ସତ କହି ବାବୁଙ୍କୁ ମନେଇ ନେବି, ଦୁଇ ଜଣ ଯାକ ଆମ ଝିଅ ପରି। ଏମିତି କାମ ଛଡେଇ ନେବା ଠିକ୍ ହେବନି। ଦରମା କମିଗଲେ କଣ ହେଲା, ଆମ ପାଖରେ କଣ ପଇସା ନାହିଁ ।



Rate this content
Log in

Similar oriya story from Classics