Sachidananda Kar

Romance

3  

Sachidananda Kar

Romance

କେତେ ଆକର୍ଷଣ

କେତେ ଆକର୍ଷଣ

2 mins
234



              ଶଦ୍ଦମନସ୍କ।


              ହଁ,ବେଳେବେଳେ ମୁଁ ଶଦ୍ଦମନସ୍କ ହୁଏ।


              ଶ୍ରାବଣ ରାତିରେ ମେଘର ରୋଶଣି ଭିତରେ ଘଡଘଡିର ପ୍ରଚଣ୍ଡ ଶଦ୍ଦ ମୋତେ ଚମକାଇ ଦେଲା ପରି ମୋତେ ସତେ ଚମକାଇ ଦିଏ ସିଏ।ଅଚାନକ ବିଜୁଳି ଖେଳେଇ ହୋଇଯାଏ ମୋ ଦେହସାରା।


             ବେଳେବେଳେ ତ ଏମିତି ହୁଏ ମୁଁ ତାକୁ ଖୋଜୁଥାଏ ଏଠି,ସେଠି,ସବୁଠି।କେବେ କେବେ ଖୋଜି ପାଇଯାଏ ତ କେବେ ଖୋଜି ପାଏନି।


             ସେ କେବେ ସୁନ୍ଦରୀ ଝିଅ ଟିଏ ପରି ତା'ର ସୁନ୍ଦର କେଶଗୁଡିକୁ ଖୋଲିଦେଇ ହସହସ ମୁହଁରେ ମୋ ପାଖରେ ବସିଯାଏ ତ ପୁଣି କେବେ ଛାତିରୁ ଅଧା ଖସି ଯାଇଥିବା ସୋରିଷଫୁଲିଆ ଲୁଗା ପିନ୍ଧି ଲଜ୍ଜାଶୀଳା ସୁନ୍ଦରୀ ତରୁଣୀଟେ ପରି ଆସି ଉଭା ହୋଇଯାଏ ମୋ ସାମ୍ନାରେ।


             ସେ ଯେ ଗୋଲାପ।ସେ ପୁଣି ରଜନୀଗନ୍ଧା।ତା'ର ଦେହ ମଲ୍ଲୀର ମହକରେ ଖୁନ୍ଦା।ତାକୁ ଦେଖିଲେ ମୋତେ ଲାଗେ ଯେମିତି ସେ ମୋର ସମ୍ବଳ - ଆଜିର, ଆସନ୍ତାକାଲିର ମଧ୍ୟ।


             ଘରେ ମୋର ବୃଦ୍ଧ ବାପା, ବୃଦ୍ଧା ମାଆ।ବାପାଙ୍କୁ ବୟାଅଶୀ ହେଲାଣି, ମାଆଙ୍କୁ ପଚସ୍ତରୀ।ସେମାନଙ୍କୁ ଦେଖୁଥାଏ ନିତି।ମୋତେ ଲାଗେ ସେମାନେ ଯେମିତି କାହାକୁ ଅପେକ୍ଷା କରି ରହିଥାନ୍ତି ସବୁବେଳେ।ଯାହା ପାଇଁ ସେମାନଙ୍କର ଅପେକ୍ଷା ଥାଏ ତାହା ମୃତ୍ୟୁ କି ଆଉ କିଏ ମୋତେ ଜଣା ନ ଥାଏ।ମୁଁ ଏତେ ଶଦ୍ଦମନସ୍କ ଯେ ସେମାନଙ୍କ ଆକର୍ଷଣ ମୋ ଆଖିରେ କମ୍।


             ବସନ୍ତର ପତ୍ରଝଡା ଗଛ ପରି ସେମାନେ।ବାର୍ଦ୍ଧକ୍ୟର ଚେହେରା ସେମାନଙ୍କ ଠାରେ ସୁସ୍ପଷ୍ଟ।ଆଶାହୀନ ସେମାନଙ୍କ ଆଖିରେ ମୁଁ କିଛି ଦେଖିପାରେ ନାହିଁ।ଆଖି ଫେରାଇ ଆଣେ।


             ମୋର ଜଣେ ଭଉଣୀ ଏବେ ତା'ର ପୁଅ ପାଇଁ ଝିଅ ଖୋଜୁଛି।ଆଉ ଜଣେ ଭଉଣୀ ଖୋଜୁଛି ତା'ର ଝିଅ ପାଇଁ ବର।ମୋତେ ସେମାନେ କେତେ ବାର ଫୋନ୍ କରି କହିଲେଣି।ମାମୁ ହିସାବରେ ମୋର ବି କିଛି କର୍ତ୍ତବ୍ୟ ଅଛି ନିଶ୍ଚୟ।ହେଲେ କି ଶଦ୍ଦ ପ୍ରେମରେ ମୁଁ ପଡିଛି କେଜାଣି ! ସବୁକଥା ମୋର ଏ କାନରେ ପଶି ସେ କାନରେ ବାହାରି ଯାଉଛି।


             ଭିଣୋଇ ଦୁହେଁ ପ୍ରମୋସନ୍ ପାଇଁ ବ୍ୟସ୍ତ।ମୁଁ ଚେଷ୍ଟା କଲେ କୁଆଡେ ହୋଇଯାନ୍ତା ସେମାନଙ୍କ ପ୍ରମୋସନ୍।ତା' ଛଡା ରାଜଧାନୀରେ ପ୍ଲଟ୍ ଚକ୍କରରେ ମଧ୍ୟ ଅଛନ୍ତି ଦୁହେଁ।ମୋ ସାଙ୍ଗରେ ସେଥିପାଇଁ ଲଗାଇଛନ୍ତି।ବାରମ୍ବାର ଫୋନ୍ କରୁଛନ୍ତି।ଅଥଚ ମୁଁ ଶଦ୍ଦମନସ୍କ।ସେମାନଙ୍କୁ ଠକି ଠକି ଚାଲିଛି।ସୀମାହୀନ ଭାବନାର ଗନ୍ତାଘରେ ଅନେକ ସ୍ବପ୍ନର ମିନାର ତୋଳୁଛି।


            ଶଦ୍ଦ ଏବେ ମୋ ଆଖିରେ ଚିତ୍ରଲେଖା,ରମ୍ଭା କିମ୍ବା ମେନକା ପାଲଟିଛନ୍ତି।ସେମାନଙ୍କୁ ପାଇବାକୁ ସନ୍ନ୍ୟାସୀ ସାଜି ସବୁ ମୁହୂର୍ତ୍ତରେ ତପସ୍ୟାରେ ବସିପଡୁଛି ମୁଁ।


            ଭାଇମାନେ ମଝି ପାହାଚରେ ଅଛନ୍ତି।ଉପରକୁ ଉଠିବାକୁ ସେମାନେ ମୋର ସାହାଯ୍ୟ ଖୋଜୁଛନ୍ତି।ମୁଁ ସେମାନଙ୍କୁ ହଁ ହାଁ କହିଦେଉଛି ତ ପର ମୁହୂର୍ତ୍ତରେ ସେମାନଙ୍କ କଥା ଆଉ ମନେପକାଇ ପାରୁନି।


             ପିଲାମାନଙ୍କ ଭବିଷ୍ୟତ ନେଇ ପତ୍ନୀ ବ୍ୟସ୍ତ।ମୋତେ ଅନ୍ୟମନସ୍କ ଦେଖି ମୋ ଉପରେ ରାଗି ଗରଗର ହେଉଛନ୍ତି ସେ।ମୋତେ କେତେ କଥା କହୁଛନ୍ତି।କହୁଛନ୍ତି - "ବାହା ହେଲ।ପାଖରେ ମୋ ପରି ସୁନ୍ଦରୀ, ଶିକ୍ଷିତା ସ୍ତ୍ରୀ ଥାଉ ଥାଉ ତୁମେ ଏତେ ଗୋଟେ ଅନ୍ୟମନସ୍କ ହେଉଛ କ'ଣ ? "


             ତାଙ୍କୁ କ'ଣ ଉତ୍ତରରେ କହିବି ଜାଣିପାରୁନି ମୁଁ।ନିଜେ ବି ଜାଣିପାରୁନି ମୁଁ କାହିଁକି ଶଦ୍ଦମନସ୍କ।ଶଦ୍ଦର କ'ଣ ଏମିତି ଚମକପଣ ଅଛି ଯେ !


             ଜୀବନ ଜୀଇବାର ଏକ ନୂଆ ଅନୁଭବ ଏବେ ମୋ ଭିତରେ।କେତେ ଆକର୍ଷଣ ସତେ ସେଇ ଶଦ୍ଦର ! - - - କେତେ ଆକର୍ଷଣ ! ! - - - କେତେ ଆକର୍ଷଣ ! ! !


Rate this content
Log in

Similar oriya story from Romance