କବିତାରେ ସାମର୍ଥ୍ୟ ବୋଧ
କବିତାରେ ସାମର୍ଥ୍ୟ ବୋଧ


ସମୟର ଅନନ୍ତ ଗର୍ଭରେ ସବୁ ହଜିଯାଏ । ହଜିଯାଏ କବି; କିନ୍ତୁ ବଂଚି ରହନ୍ତି ତା'ର ସାରସ୍ବତ ସର୍ଜନାର ସମର୍ପିତ ସାମର୍ଥ୍ଯ ରେ ଭରପୁର ପୃଷ୍ଠାମାନ । ସଂସ୍କୃତରେ ଲେଖାଟିଏ ଅଛି...ବିପୁଳାଶ୍ଚ ପୃଥ୍ବୀ , ବହୁଳାଶ୍ଚ ବିଦ୍ୟା" ଲେଖା ଅବିଶ୍ରାନ୍ତ ଚାଲିଛି,ଚାଲିଥିବ । କବିଟିଏ ଧରାବତରଣ କରିଥାଏ ଈଶ୍ବରଙ୍କ ର ଅପାର କରୁଣାରୁ ଏଇ ସୁନ୍ଦର ଧରଣୀରେ । ସୁକ୍ଷ୍ମ ଚିନ୍ତନରେ ସେ ମହକ ଦିଏ, ମହାନ ଉପାଖ୍ୟାନ ଯୋଡେ,ସମର୍ଥ ଭାବ ଦିଏ । କବିତା ପାଠ ପରେ ପାଠକ ସବଳ ହୁଏ । ସମର୍ଥ ଭାବଟିଏ ପାଇ ସାହାସ ନିଏ ମନରେ ବିଶ୍ୱାସରେ ବାଟଚାଲିବାକୁ । କବିତାର ଧାଡିରେ ମୁଗ୍ଧ ହୁଏ । ଲୁହ ଗଡାଏ, ହସେ, ରସିକ ହୁଏ । ବୈରଗ ବୈଷ୍ଣବ ହୋଇଯାଏ । ବହୁଳ ଭାବେ ପ୍ରଚାରିତ କବିତା....ଭଜୁକି ନା ରାମ ନାମରେ କୁମର / ଭଜୁକିନା ରାମ ନାମ/ ଭଜି ନ ପାରିଲେ କୁଳଚନ୍ଦ୍ରମାରେ ବାନ୍ଧି ନେବେ କାଳଯମ।"କବିଟିଏ ତ୍ରିକାଳଦର୍ଶୀ । କାବ୍ୟିକ ନ୍ଯାୟରେ ସେ ସାମର୍ଥ୍ଯ ଦେଖାଏ । ସତ୍ ମାର୍ଗ ରେ ଚାଲିବାକୁ କହେ । ଯଥାର୍ଥ ରେ ସେ ମାର୍ଗ ଦର୍ଶୀଟିଏ । ବହୁ ଉପାଖ୍ୟାନ କୁ ଉପାଦେୟତା ମଧ୍ଯରେ ଧରି ରଖେ ସୁନ୍ଦର ଭାବନାଟିଏ ଦେଇ । ଜୀବନର ସବୁଦିଗକୁ ଛୁଇଁବାକୁ ଚେଷ୍ଟାକରେ । ସେ ଦୃଢ ବିଶ୍ବାସୀ ହୋଇ ବିଶ୍ବାସର ମନ୍ତ୍ର ପାଠକରେ । ସମୟକୁ,ସମାଜକୁ ସମ୍ଭାବନାର ସୂତ୍ର ଦିଏ କବିଟିଏ, ସ୍ରଷ୍ଟାଟିଏ । ମିତବ୍ୟୟିତା ଶିଖାଏ । ଝଡ ଝଞ୍ଜାରେ , ବିପଦରେ ଦୁଃଖ ଭୁଲିବାକୁ, ବେଦନାର ମୁହୂର୍ତ୍ତ କୁ ଆନନ୍ଦ ମୟ କରିବା ଦୁର୍ବାର ସାମର୍ଥ୍ଯ ଓ ସାହାସ ସ୍ରଷ୍ଟାଟିଏ । ନୈତିକ ମୂଲ୍ୟ ବୋଧ ଭାବି ସମାଜ ପାଇଁ ନୈବେଦ୍ୟ ଦିଏ । କବି ହିତ ଚିନ୍ତାକରେ ।ମୂଲ୍ଯବୋଧ ଭିତ୍ତିକ ଓ ସଂସ୍କାରଭରା ଅମୃତ ସୃଷ୍ଟି କରେ । କବିତାର ପ୍ରତ୍ଯେକ ଧାଡିରେ କବି ଭରି ଦିଅନ୍ତି ଭକ୍ତି, ଶକ୍ତି,ବିଭକ୍ତି, ଭୂତି, ବିଭୂତି ଓ ଭାବ ଭାବନାର ଉତ୍ତରଣର ମୁହୂର୍ତ୍ତ । ସ୍ରଷ୍ଟାଟିଏ ପ୍ରଶାନ୍ତିରେ ଭରିଦିଏ, ପାଠକକୁ ,ଆତ୍ମ ନିର୍ଭରଶୀଳ କରିଦିଏ । ବିଭ୍ରାଟର କାଠଗଡାରେ ନୁହେଁ,ବିଭୋରତା କାଠଗଡ଼ାରେ ଠିଆ କରିଦିଏ । ବାଲ୍ମୀକଙ୍କ ଠାରୁ ଆଜି ପର୍ଯ୍ୟନ୍ତ ଯେତେ ସାହିତ୍ଯ ସୃଷ୍ଟି ହୋଇଛି ସମସ୍ତଙ୍କ ସୃଜନ ସଂପଦରେ ଏହି କଥାଟି ମିଳିଥାଏ। କାବ୍ୟିକ ନ୍ଯାୟରେ ବାଲ୍ମୀକଙ୍କ ସାମର୍ଥ୍ଯକୁ ଦେଖିଲେ ବାରିହୋଇ ପଡେ କବିତାର ଧର୍ମ ଆଉ ସାମର୍ଥ୍ଯ । ପାଖା ପାଖି ରହିଥାଆନ୍ତି ସମ୍ପର୍କ ସମ୍ବନ୍ଧ ଏବଂ ଅଲୌକିକ । କବିତାର ସୂକ୍ଷ୍ମ ମନନର ଧାରାଟିଏ କବିତାରରୁ ଛାଏଁ ନିର୍ଝରିତ ହୋଇଥାଏ । ଏହାକୁ କବି ଜାଣି ନ ଥାନ୍ତି, କିନ୍ତୁ ପାଠକ ଜାଣିପାରିଥାଏ । କବିଙ୍କ ଠାରୁ ଚତୁର ପାଠକ। "ଜୀବନ ପାତ୍ର ମୋ ଭରିଛ କେତେମତେ / ନ ଦେଲ ବୋଲି କିଛି କହିବି କି ହେ ଆଉ / ଜୀବନ ପ୍ରିୟତମ ହରିଛ ମୋ ଭ୍ରମ ତରଣୀ ମୋର ତବ ସାଗରେ ଭାସି ଯାଉ। (ବୈକୁଣ୍ଠନାଥ) କହଇ ମନ ଆରେ ମୋ ବୋଲ କର/କଳାଶ୍ରୀ ମୁଖବାରେ ଦେଖିବା ଚାଲରେ।"*(ଭକ୍ତ ଚରଣ)" କେ ରହିଛି ଭବେ ବାସ୍ତବ ବିଶ୍ବେ ସୁବର୍ଣ୍ଣ ମୁକୁଟ ବାନ୍ଧି / ଯଶ ଅପଯଶ ନୋହିବ କାଳବଶ ହୁଅ ନ୍ତି ତା' ପ୍ରତିବାଦୀ । "* (ଗଂଗାଧର) ବିଦ୍ଯା ଅଟ ଇ ମହାଧନ/ବାଳକେ କର ଉପାର୍ଜନ। "(ମଧୁସୂଦନ)"ଅଳସ ଲୋକର ପାଶକୁ ନ ପଶଇ ସଂପଦ/ ମଧୁ ଆସି ମୁଖେ ନ ପଶେ ଶୋଇଥିଲେ ଷଟପଦ । "(ଗଂଗାଧର) ସ୍ରଷ୍ଟାଟିଏ ନ୍ୟାୟାଳୟକୁ ନିଏ ନାହିଁ ପାଠକ କୁ, ସାମର୍ଥ୍ଯ ପୂର୍ଣ୍ଣ ନ୍ଯାୟାଳୟଙ୍କ ପ୍ରଦାନ କରିବାରେ ଅବହେଳା ଦେଖାଏ ନାହିଁ। କାବ୍ୟକାର କୁରୁ ସଭାରେ ଦ୍ରୌପଦୀଙ୍କ ପାଇଁ କୃଷ୍ଣ ଙ୍କ ମାଧ୍ୟମ ରେ ଆଣି ଦେଲ ଛନ୍ତି କୋଟିଏ ବସ୍ତ୍ର । ସଂସ୍କୃତିର ସୁରକ୍ଷିତ ନିମିତ୍ତ କେତେ ପ୍ରଚେଷ୍ଟା କବିତାରେ କାବ୍ୟରେ କବିଟିଏ ସତେ ?ଯଶୋଦାଙ୍କୁ କବି ଦେଖାଇ ଦେଲେ ବିଶ୍ବାସ ର ବିଶ୍ବକୁ କୃଷ୍ଣଙ୍କର ପାଟିରେ । ମାତାଶ୍ରୀ ଆଶ୍ଚର୍ଯ୍ୟ ଅଭିଭୂତ । ଏ କି ଦୃଶ୍ଯ ଆଉ ଦୃଶ୍ଯାନ୍ତର ସତେ? ଏଇଥି ପାଇଁ ସିଏ କବି । ଜଗତ କୁ ବିଭବ ଦିଏ, ବିଭୋର ତା ଦିଏ, କିନୁ ବିଭାଜନର କଥା କୁହେ ନାହିଁ। କବିତା ଶୁଣାଇ ବୈରଗୀକୁ ବଡଦାଣ୍ଡ କୁ ଟାଣିଆଣେ । ପିକ କୁ ବସନ୍ତ ପାଖକୁ ଆଣେ । ଗାଏ ଅମୃତର ବାଣୀ..."ବନ୍ଧୁ ନିକଟରେ ମନକଥା ସବୁ କହିବାକୁ ଲାଗେ ସୁଖ/ସେଥିପାଇଁ ସିନା ବସନ୍ତ ନିକଟେ ପିକ ହୁଏ ବାବଦୂକ।"*(ଗଂଗାଧର).ମଧୁସୂଦନ ରାଓ ଲେଖନୀଟିଏ ଚଳାଇ କହିଲେ...ରେ ଆତ୍ମନ !! ନିଦ୍ରା ପରିହରି,ଫେଡି ଚିନ୍ତାର ଲୋଚନ କର କର ନିରୀକ୍ଷଣ ନିଃଶବ୍ଦେ ଜୀବନ ସ୍ରୋତ ଧାଉଁଛି କିପରି, ଫେଡିବାକୁ ମୃତ୍ୟୁସଂଖ୍ୟା କରାଳ ଲହରି।"ରହସ୍ଯ ମଧ୍ଯ ରେ ସେ ଅଟକି ଯାଏ ନାହିଁ,ରହସ୍ଯ କୁ ଭେଦକରାଯାଇଥାଏ ପାଇଁ ନିଜକୁ ସମର୍ପି ଦେଉଥାଏ ସଂସାର ସାଗରର।ମୌଳିକ ତା କେଉଁ କବିର କେତେ ମାତ୍ରାରେ ଅଛି ତାହା ସୃଷ୍ଟିରୁ ଜଣାପଡେ । ବିଶ୍ବାସ ର ଓମ୍ କାର କବିତାର ଦିଗ ଦିଗନ୍ତ ଆଲୋକିତ ହୋଇଉଠେ । କବିତା ଆତ୍ମ ଶୁଦ୍ଧିଦିଏ । ମଣ୍ଡଳ ଜଗତକୁ ମନନର ବାକ୍ଯ ଶୁଣାଏ । ଏହାହିଁ ଭଲ କବିତାର ଓ କବିର ବୈଶିଷ୍ଟ୍ୟ । କବିର ଅମୃତ ଭରା ଲେଖନୀଟିଏ କ'ଣ ନ ଲେଖିଦିଅ ସତେ ? ବାଲ୍ମୀକଙ୍କ ରାମାୟଣ, ବ୍ୟାସଙ୍କ ମହାଭାରତ କାଳଜୟୀ ହୋଇପାରିବାର ସମର୍ଥ ହୋଇଛନ୍ତି। ପ୍ରତିଟି ପୃଷ୍ଠାରେ ସଂପଦ, ସମର୍ଥ ଓ କାବ୍ୟିକ ନ୍ଯାୟ ଭରପୁର। ମାନବବାଦର ଜୟଗାନରେ ଆଶୀର୍ବାଦ ଆଶ୍ବସ୍ତ ଓ ଆଶିଷମୟ । ସୃଜନୀ ଶକ୍ତିର ଓସ୍କାର ଅପରାଜିତ। କବିଟିଏ ଭାଷା,ପରିଭାଷା,ପ୍ରତିଲିପି ଓ ପ୍ରତ୍ଯାଶା ରେ ସମାଜ ପାଇ ଶିକ୍ଷକ ହୁଏ।ଜଣେ କବି ନିଜ ର ଅପାର ସାମର୍ଥ୍ଯ ରେ ଅନ୍ୟକୁ ଶିଖାଏ, ବାଟ ଦେଖାଏ । ହେ କାବ୍ୟିକ ପ୍ରତିଭାର ଅଧିକାରୀ ମାନେ,ହେ ଯୁଗ ସ୍ରଷ୍ଟାମାନେ,ଭରୁଥାଆନ୍ତୁ ସାମର୍ଥ୍ଯ ର ଅଧିବାସ ମନ୍ତ୍ର କୁ,କାବ୍ୟିକ ନ୍ଯାୟକୁ।ସମାଜ ର ମଂଗଳ ସାଧନ ହେଉ । ଗାଇବା ମହା ସଂଗୀତକୁ .......ଅୟଂ ନିଜଃ ପରୋବେତି ଗଣନା ଲଘୁଚେତସାମ୍ / ଉଦାର ଚରିତାନାଂ ତୁ ବସୁଧୈବ କୁଟୁମ୍ବକମ୍...