କବି କହିଛନ୍ତି
କବି କହିଛନ୍ତି
କଟକସ୍ଥିତ ଜାତୀୟକବି ବୀରକିଶୋର ମହାବିଦ୍ୟାଳୟର ଯୁକ୍ତ ଦୁଇ ବାଣିଜ୍ୟ କକ୍ଷ। ସମୟ ଅପରାହ୍ନ ସାଢ଼େ ତିନି। ଶେଷ ନିର୍ଘଣ୍ଟ ଓଡ଼ିଆ ବିଷୟ ନିମନ୍ତେ ଉଦ୍ଦିଷ୍ଟ। ଛାତ୍ର ବତ୍ସଳ ଓଡ଼ିଆ ଭାଷା ସାହିତ୍ୟର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଶୁଭ ନାରାୟଣ ସ୍ବାଇଁ ରୋଲ୍ କଲ୍ ପରେ ଆରମ୍ଭ କଲେ ବକ୍ତବ୍ୟ ଆପଣାର ଚିରାଚରିତ ଅଥଚ ନିଆରା ଢଙ୍ଗରେ। ରୀତିଯୁଗର ଜନୈକ କବିଙ୍କ ବିରଚିତ କାବ୍ୟର ଅଂଶବିଶେଷ ଥିଲା ପାଠ୍ୟକ୍ରମର ଆଲୋଚ୍ୟ ବିଷୟବସ୍ତୁ।
"କବି କହିଛନ୍ତି..."
ପଛଧାଡ଼ିରେ ବସିଥିବା ଛାତ୍ରଙ୍କ ମଧ୍ୟରୁ କେହି ଜଣେ କହି ଉଠିଲା, "ସାର୍! କବି ଯାହା କିଛି ବି କହିଛନ୍ତି ଟିକେ ଶୀଘ୍ର କୁହନ୍ତୁ..."
ଅଚାନକ ଛାତ୍ରଟିର ଏତାଦୃଶ ବିଶୃଙ୍ଖଳିତ ଆଚରଣରେ ଅଧ୍ୟାପକ ମହାଶୟଙ୍କର ଏକାଗ୍ରତା ଭଗ୍ନ ହେଲା। ଛାତ୍ରଟି ଉପରେ ବିରକ୍ତ ହେବା ପରିବର୍ତ୍ତେ ତାକୁ ପଚାରିଲେ,"ବାବୁ! ଆଜି କଣ ହୋଇଛି ତୁମର? ଏତେ ବ୍ଯତିବ୍ଯସ୍ତ ବ୍ଯଗ୍ର ବିବ୍ରତ କାହିଁକି?"
ଅଧ୍ୟାପକ ମହାଶୟଙ୍କର ଅଭୟ ପାଇ ଛାତ୍ରଟି କହି ଉଠିଲା,"ସାର୍! ଆପଣ ଅତି ମନ୍ଥର ଗତିରେ ପାଠ ଆଲୋଚନା କରି କରି ସବୁଦିନ ଡେରି କରୁଛନ୍ତି। ନିର୍ଦ୍ଧାରିତ ସମୟ ଠାରୁ ଢେର୍ ଅଧିକ ସମୟ ଆମକୁ ଏଠି ଅଟକାଇ ରଖୁଛନ୍ତି ଏଇ କବିଙ୍କ କଥା କହି କହି। ଗାଁକୁ ଯିବାପାଇଁ ଶେଷ ବସ୍ ଆମର ଫେଲ୍ ହେଉଛି। ବଡ଼ ଦହଗଞ୍ଜ ହେଉଛୁ ଆମେ ଆପଣଙ୍କ ଏଇ କବିଙ୍କ ପାଇଁ। ଟ୍ରେକରରେ ଆଳୁ ବସ୍ତା ଲଦା ହେବା ପରି ଫେରିବାକୁ ପଡୁଛି ଗାଁକୁ, ତା'ଉପରେ ପୁଣି ଭଡ଼ା ଅଧିକା। ଘରେ ପହଞ୍ଚୁ ପହଞ୍ଚୁ ରାତି। ସକାଳୁ ଗଣ୍ଡାଏ ପଖାଳ ଖାଇ ଆସୁଛୁ ଯେ, ହଂସା ଉଡି ଯାଉଛି ଆମର "
: ଆରେ ବାବୁ! କଥାରେ ନାହିଁ, ଚାଷ ତରତର ବଣିଜ ମଠ! ତୁମେମାନେ ତ ବାଣିଜ୍ୟର ଛାତ୍ରଛାତ୍ରୀ। କୋଉ ଧାନବିଲରେ ତଳି ରୁଇଁବାକୁ ଯିବ ଯେ ଏତେ ଅଝଟ ହେଉଛ? କହିଲ ଦେଖି କବି ମହୋଦୟ କେଡ଼େ ସୁନ୍ଦର କାବ୍ୟ ରଚନା କରି ଯାଇଛନ୍ତି ତୁମମାନଙ୍କ ପାଇଁ କେତେ କେତେ ବର୍ଷର ସାଧନା
: ସାର୍! ଆପଣଙ୍କ କଥା ସତ। କବିଙ୍କର କଣ ଅଛି? ରାଜା ମହାରାଜାଙ୍କ ପୃଷ୍ଠପୋଷକତା ପାଇଲେ, ମନ ଇଛା କାବ୍ଯ କବିତା ଲେଖିଲେ। ଆକାଶରୁ ଜହ୍ନ ତାରା ତୋଳି ଆଣିଲେ ନିଜର ପ୍ରିୟତମାଙ୍କ ପାଇଁ। ଆମକୁ ସେସବୁକୁ ପଢିବାକୁ ପଡିବ। ଘୋଷି ଘୋଷି ମନେ ରଖିବାକୁ ପଡିବ। ପୁଣି ତିନି ଘଣ୍ଟାରେ ପ୍ରଶ୍ନୋତ୍ତର ଲେଖି ପାସ୍ ନକଲେ ଆମ ପେଟ ଅପୋଶା ରହିବ। ଆପଣଙ୍କ ସବୁଦିନ ବିଳମ୍ବିତ ସମୟରେ ଆମକୁ ଛାଡୁଛନ୍ତି। ରାତିରେ ଗାଁରେ ପହଞ୍ଚି ଧାନ ଭାର ବିଲରୁ ଘରକୁ ନ ଆଣିଲେ ବାପାଙ୍କ ରାଗ ପଞ୍ଚମରେ। ଅସରାଏ ବର୍ଷା ହେଲେ ତାଙ୍କର ସବୁ ପରିଶ୍ରମ ମାଟିରେ ମିଶିବ। ଆମ ପାଠ ପଢ଼ାରେ ଡୋରି ବନ୍ଧା ହେବ ଆପଣଙ୍କ କବି ତ ଆଉ ଆମ ଦୁଃଖ ବୁଝିବେ ନାହିଁ ଅଧ୍ୟାପକ ମହାଶୟ ମଧ୍ୟ ଏମିତି ଦିନେ ସଂଘର୍ଷ କରି ପାଠ ପଢିଥିଲେ।ଜୀବନର ବାସ୍ତବତାକୁ ଅନର୍ଗଳ କହି ଚାଲିଥିବା ଛାତ୍ରଟି ମଧ୍ୟରେ ନିଜର ପ୍ରତିଛବିକୁ ପ୍ରତିବିମ୍ବିତ ହେବାର ଦେଖୁଥିଲେ। କ୍ଷୁବ୍ଧ ହେବା ପରିବର୍ତ୍ତେ ଛାତ୍ରଟିକୁ ଆଶୀର୍ବାଦ କରୁଥିଲେ ଅନ୍ତର୍ମନରେ ।