କୈଫତ
କୈଫତ


ଏମିତି ଭାବରେ ରାମର ବାହାଘର ହୋଇଥିଲା ଯେ ଖାଲି କୈଫତ ଦେଇ ଦେଇ ଜୀବନ ବିତୁଥିଲା ତାର . ତା ଭିତରେ ସ୍ତ୍ରୀ କରି ଆଣିଥିବା ଝିଅଟିର ମନକଥା ବୁଝିବା ଦୂରେ ଥାଉ ଏପର୍ଯ୍ୟନ୍ତ ତାକୁ ଆଖି ପୁରେଇ ଭଲକରି ଦେଖି ହିଁ ନଥିଲା ରାମ. ଭଉଣୀ ବାହାଘର ତିଥିରେ ନିଜେ ବାହାହୋଇ, ଭଉଣୀ ବାହାଘର ଭୋଜିକୁ ଡକା ଯାଇଥିବା କୁଣିଆ ମଇତ୍ର ବନ୍ଧୁ ବାନ୍ଧବ ସାଙ୍ଗ ସାଥିଙ୍କୁ ନିଜ ବାହାଘର ଭୋଜି ଖୁଆଇ ଖୁଆଇ ସେ ଭୁଲି ଯାଇଥିଲା ଆଉ ଗୋଟେ ଦିନ ବାକି ଥିବା ବାହାଘର ତିଥିରେ ଝିଅ ଠିକ କରିବା ଦାଇତ୍ୱ ବାପା ବୋଉ କିପରି ସ୍ଥିର କରିପାରିଲେ, ପଚାରିବ ପଚାରିବ ବୋଲି ପଚାରି ପାରି ନଥିଲା ରାମ ଏପଯ୍ୟନ୍ତ ବୋଉ କି ବାପା ଅବା ଜୀବନସାଥି ସୀତାକୁ. ସେହି ବାହାଘରର ବାସି କାମ ଯଥା କାହାର ବାକି ଶୁଝିବା, ବନ୍ଧୁ ମର୍ଯ୍ୟାଦା ଦେବା, କାହାଠୁ କଣ ଆସିଥିଲା ଫେରେଇବା ଇତ୍ୟାଦି କଥା ବୁଝୁ ବୁଝୁ ସେଦିନ ରାମ ବୋଉକୁ ପଚାରି ଦେଇଥିଲା ତୋ ଏ ସୀତା ପରି ଝିଅଟିକୁ ବୋହୁ କରିବାକୁ ରାତି ଭିତରେ କୋଉଠୁ ପାଇଲୁ? ବୋଉ ହସିଦେଇ ବାଟ ଭାଙ୍ଗି ରୋଷେଇ ଘରକୁ ଚାଲି ଯାଉ ଯାଉ ନବବିବାହିତା ପତ୍ନୀ ସୀତା ହାତରୁ ଚା କପଟିକୁ ନେଉ ନେଉ ତା ମୁଁହକୁ ଚାହିଁ ଚମକି ପଡିଲା ରାମ. ଆଗରୁ କୋଉଠି ଏ ଝିଅକୁ ସେ ଦେଖିଛି. ଖାଲି ଦେଖିଛି ନୁହେଁ, ହୃଦୟର କେଉଁ ଏକ ନିବୃତ୍ତ କୋଠରୀରେ ବନ୍ଦୀ କରି ରଖିଥିବା ଝିଅର ଫଟୋର ଜୀବନ୍ତ ଚେହେରା ତ ଏଇ ସୀତା. ଚମକି ପଡିଲା ରାମ, ଏହା କେମିତି ସମ୍ଭବ??
ସେହି ଦିନ ଥାଏ ରାକ୍ଷୀ ପୂର୍ଣ୍ଣମୀର ପୂର୍ବ ଦିନ. ଫୋନ ଆସିଲା ଭଉଣୀ ରାଧାର. ବାହାଘର ଆଉ ଗୋଟେ ଦିନ ବାକି ଥିବା ବେଳେ ଘରୁ ଗୋଡ଼ କାଢ଼ି ଅଶୋକ ସହିତ ସଂସାର ବାନ୍ଧିବାରୁ ବାପା ମାଆ ଦୂରେଇ ଦେଇ ତାର ଶୁଦ୍ଧିଘର କରି ସେହି ତିଥିରେ ରାମର ବାହାଘର କରିଥିଲେ. ରାମ ହୃଦୟରେ କୋଉଠି ନା କୋଉଠି ରାଧା ପାଇଁ ବ୍ୟାକୁଳ ହେଉଥିବା ବେଳେ ରାଧାର ଫୋନ ରାମୁକୁ ଯେତିକି ଚମତ୍କୃତ କରିଥିଲା, ରାଧା ମୁହଁରୁ ଭାଉଜ ବିଷୟରେ ବୁଝିବା ତତୋଧିକ ଆଶ୍ଚର୍ଯ୍ୟ କରିଥିଲା ରାମୁକୁ. ଏ ବାହାଘର ଭିତରେ ରାମୁ ଯେତିକି ସୀତା ବିଷୟରେ ଜାଣିନଥିଲା ରାଧା ସେତିକି ଜାଣିଥିଲା, ହେଲେ କେମିତି? ରାଧା ମନେପକାଇ ଦେଇଥିଲା ରାମୁକୁ ସେଦିନର କଥା.ରାଧା ସିଟି ପାସ କରିବା ପରେ ପରେ ପୋଷ୍ଟିଙ୍ଗ ପାଇଯାଇଥିଲା. ଜିନିଷ ପତ୍ର ସଜାଡୁ ସଜାଡୁ ମନେ ପଡିଲା ତାଙ୍କ ନିର୍ଦ୍ଦିଷ୍ଟ ଦୋକାନର ନିର୍ଦ୍ଦିଷ୍ଟ ପାଖାଳ ମିକ୍ସଚର କଥା. ଯୋଉ ମିକ୍ସଚରରେ ଅଧିକା ଥାଏ ବଡି ଭଜା ଓ ଶୁଖିଲା ଲଙ୍କାର ଛୁଙ୍କ.ଦୁଇ ଭାଇ ଭଉଣୀ ସଙ୍ଗେ ସଙ୍ଗେ ବାହାରିଥିଲେ ବଜାର. ରାଧା ଦୋକାନ ଭିତରେ ପଶି ପାଞ୍ଚ ପ୍ୟାକେଟ ମିକ୍ସଚର ଆଣୁ ଆଣୁ ଟିକେ ଅପେକ୍ଷା କରିଥିଲା ରାମ ବାହାରେ, ହଠାତ ତାର ନଜର ପଡିଥିଲା ଗୋଟେ ଝିଅ ଉପରେ, ଯିଏ ଟିକେ ଦୂରରେ ଇଲେକ୍ଟ୍ରି ଖୁଣ୍ଟି ତଳେ ଠିଆ ହୋଇ ଜଣେ ବୟସ୍କା ମହିଳା ସହ ଭିଜୁଥିଲା ବର୍ଷାରେ. ତା ଉପରେ ନଜର ପଡିବା ମାତ୍ରେ ରାମ ମନରେ ସହୃଦୟତା ଜାଗିଥିଲା ତ ସେ ପାଖରେ ଥିବା ଦୁଇଟି ଛତା ଭିତରୁ ଗୋଟିଏ ନେଇ ଟେକି ଧରିଥିଲା ସେହି ଝିଅ ଓ ବୟସ୍କା ମହିଳାଙ୍କ ଉଦେଶ୍ୟରେ କିନ୍ତୁ ବୟସ୍କା ମହିଳା ଜଣଙ୍କ ଛତା ନେବା ଦୂରେ ଥାଉ, ଖୁବ ଚିଡି ଥିଲେ ପାଖରେ ଠିଆ ହୋଇଥିବା ସୁନ୍ଦରୀ ଝିଅ ଉପରେ. ରୀତିମତ ଗାଳି ବର୍ଷଣ କରୁଥିଲେ. ଆଜିକାଲି ପାଠ ପଢା ଝିଅଙ୍କ ଢଙ୍ଗ ରଙ୍ଗ ଭଲ ନୁହେଁ କହି ନାତୁଣୀର ହୃଦୟ ଭିଜାଇ ଦେଇଥିଲେ ଗାଳି ଓ ଅପମାନରେ.ବର୍ଷାରେ ଶରୀର ଭିଜିବା ସହ ହୃଦୟ ତନ୍ତ୍ରୀରେ ଜେଜେମାଆଙ୍କ ଗାଳି ବର୍ଷଣରେ ଝିଅଟି କହୁଥିଲା ମୁଁ ତାଙ୍କୁ ଚିହ୍ନିନି ମାଆ. ମଣିଷପଣିଆ ତଥାପି ବଞ୍ଚିଛି ବୋଲି ସେ ଆମକୁ ଛତା ଦେଉଛନ୍ତି ଏଥିରେ ମୋ ଭୁଲ କୋଉଠି?? ହଠାତ ସେଠି, ଝିଅଟିର ସାଙ୍ଗ ରାଧା ପହଞ୍ଚି କହିଥିଲା ନିଶ୍ଚୟ ଭୁଲ ତୋଠି. ତୋ ଏ ସୁନ୍ଦର ମୁହଁ ସହ ସୁନ୍ଦର ଚେହେରା ଦେଖି ମୋ ଭାଇ ଫସିଛି ତୋ ପ୍ରେମ ଜାଲରେ, ନହେଲେ ମୋ ନୂଆ ଛତା ଦେବାକୁ ଆସି ଜେଜେମାଙ୍କ ପରୋକ୍ଷ ଗାଳି ଶୁଣିନାଥାନ୍ତା. କଥାଟା ସେଇଠି ଆରମ୍ଭ ହୋଇ ସେଇଠି ଶେଷ ହେଇଯାଇଥିଲା ସତ ହେଲେ ରାମ ହୃଦୟରେ ସେ ଝିଅର ଅସ୍ପଷ୍ଟ ଗୋଟେ ଅନ୍ଧାରୁଆ ଛବି କେବେ କେବେ ଆଲୋକିତ କରେ ପ୍ରତିଛବି ହୋଇ.ସେକଥା ମନେ ପକେଇ ଦେବା ସହ ରାଧା ପୁଣି କହିଚାଲିଥିଲା ଅନେକ କିଛି ଏତେଦିନ ପରେ ସୁଯୋଗର ସଦବ୍ୟବହାର କରି.
ରାଧା କ୍ଷମା ମାଗୁଥିଲା ଭାଇକୁ. ଆଉ କହିଥିଲା ସେଦିନ ଅଶୋକ ସହିତ ଗୋଡ଼ କାଢ଼ି ଚାଲିଆସିବା ପରେ ବାପା ବୋଉ ଓ ତୋ କଥା ଭାବି ଢେର କାନ୍ଦିଛି ଭାଇ. ଗୋଟେ ଦିନ ପରେ ମୋ ବାହାଘର, କଣ କେମିତି କରିବେ ମୋ ବାପା ବୋଉ ଓ ଭାଇ? ସେହି କଥା ଭାବି ମୁଁ ଅଶୋକଙ୍କ ସଙ୍ଗରେ ପ୍ରଥମେ ଯାଇଥିଲି ରୀନା ଘରକୁ ତୋ ପ୍ରସ୍ତାବ ନେଇ. ଆଉ ତା ଜେଜେମା ବାପା ଓ ବୋଉ ତଥା ସାନ ଭଉଣୀକୁ ରାଜି କରି ଆମ ଘରକୁ ପଠାଇଥିଲି. ବାପା ବୋଉ ମଧ୍ୟ ରାଜି ହୋଇ ରୀନାକୁ ସୀତା ରୂପେ ନେଇଗଲେ ଘରକୁ ବୋହୁ କରି ତୋ ପାଇଁ. ରୀନା ଏକଥା ଜାଣେ, ତୁ ଜାଣିନୁ ଭାଇ?? ରାମ ଚାହିଁଥିଲା ଏକଲୟରେ ସୀତାକୁ ଆଉ କହିଥିଲା ଜିନିଷ ପତ୍ର ସଜାଡ଼ ରାଧା ଘରକୁ ଯିବା. ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା ତ ବାପା ମାଆ ମଧ୍ୟ ସାମିଲ ହୋଇଥିଲେ ରାକ୍ଷୀ ପୂର୍ଣ୍ଣମୀ ଭାର ବୋଝ ସହ ଯାତ୍ରାରେ.ସେ ବର୍ଷ ଝିଅ ସାଥିରେ ତା ସଂସାରରେ ଗଣେଷ ପୂଜାରେ ସାମିଲ ହୋଇ ସମସ୍ତେ ଖୁସି ହୋଇ ଜୀବନରେ ଘଟିଥିବା ସମସ୍ତ ବିଘ୍ନକୁ ଦୂରେଇ ଦେଇ ପ୍ରଣତି ଢାଳିଥିଲେ ଗଣେଷ ଠାକୁରଙ୍କୁ.।