Arati Sahoo

Tragedy

4  

Arati Sahoo

Tragedy

କାଚ

କାଚ

6 mins
485



  କାଚ ନେବ କି ଗୋ କାଚ । କାଚ ପିନ୍ଧବୁ କି ଗୋ ବୋହୁ ? ଭଲ ନାଲ୍ ଟକଟକିଆ କାଚ ଆଣିଛେଇଁ । ଔରଙ୍ଗାବାଦୀ କାଚ ।

 କାଚରାଣୀ ଝି ମାଆକୁ କାଚ ପିନ୍ଧେଇ ଦିଅନ୍ତି କଛି କଛି । ପୁରୁଣା କାଚ ତୁଟେଇ ଦିଅନ୍ତି । ମାଆ ଏକଛୁଟି ନୁଗା ପାଲଟି କାଚ ପିନ୍ଧେ । କାଚରାଣୀ ଝି ( ପିଇସୀ ) ପଠାଣ ଘରର । ତେଣୁ ନୁଗା ପାଲଟି ପିନ୍ଧନ୍ତି ସମସ୍ତେ । ପିନ୍ଧି ସାରିଲା ପରେ ମାଆ ଜୁହାର ହୁଏ ଭୁଇଁରେ ମୁଣ୍ଡ ଗାଡ଼ି , ପାଦ ଛୁଇଁ ।


- ବୁଢ଼ୀ ହେଇଥା , ପାଚଲା ମୁଣ୍ଡରେ ସିନ୍ଦର ପିନ୍ଧ , କାଚ ସିନ୍ଦର ବଜ୍ର ହେଉ ।


 - ଛୁଆ କାଚ ଆଣିଛ କିଗୋ ନାନୀ , ଆମର୍ କୁନି ପିନ୍ଧତା । 


  ମୁଁ ମଧ୍ୟ ଆଗଭର ହେଇ ବସିପଡେ । ଆମେ ସାନଛୁଆ । ନାବାଳିକା , ତେଣୁ ଲୁଗା ପାଲଟିବା ଦରକାର ନାହିଁ ।


  ଟିକି ଟିକି ନାଲି ନେଳି କାଚ ମୋତେ ଭି ପିନ୍ଧେଇ ଦିଅନ୍ତି ବିନା ପଇସାରେ । ତେଣିକି ମୋ କାଚ ମୋ ହାତରେ ଓଳିଏ ରହୁ କି ଦିନେ ଦି ଦିନ । ମାଆ ପରି ମୋର କାଚ ବଜ୍ର ହେବାର ସମୟ ଆସି ନଥିଲା ସେତେବେଳେ ? ସତରେ ମାଆ ଯେତେ କାମ କଲେ ବି ସେମିତି ବଜ୍ର ପରି ରହିଥାଏ କାଚ ତା ହାତରେ ମଳିଛିଆ ହେବା ପର୍ଯ୍ୟନ୍ତ , ଛଅମାସ ବରଷେ । ପୁଣି ଝି ନିଜେ ଆସନ୍ତି କିମ୍ବା ଭାଇ ଡାକି ଆଣେ । 


  କେମିତି ଅପୂର୍ବ ସମ୍ପର୍କ , କି ଅଦ୍ଭୁତ ସମନ୍ଵୟ , କି ସହୃଦୟତା ? ଯେ ଯାହା ସ୍ଥାନରେ ଔଚିତ୍ୟ ଦର୍ଶେଇ କାମ କରି ଯାଆନ୍ତି । ମନ ଛୋଟ କରନ୍ତି ନାହିଁ । କେହି କାହାପ୍ରତି ଦୁର୍ଭାବନା ଆଣନ୍ତି ନାହିଁ । ପଠାଣ ସାହିରେ , ପଠାଣ ପଠାଣୁଣୀ ମାନେ ସୌଭାଗ୍ୟ ଦାୟକ , ସୌଭାଗ୍ୟ ଦାୟିନୀ । ତାଙ୍କରି ହାତରୁ କାଚ ସିନ୍ଦୁର ନାଇଲେ ଶ୍ରୀମନ୍ତିନୀ ହେବେ ଝିଅ ବୋହୁ । 


 ସମାଜ ଏହାକୁ ହିଁ କୁହାଯାଏ ।


  ଆମେ ଯେତେବେଳେ ମିଡିଲ ସ୍କୁଲରେ ପଢୁଥିଲୁ ହାତରେ କାଚ ନଥିଲେ ମନିନ୍ଦ୍ର ମାଷ୍ଟର ମଣିବନ୍ଧ ଗଣ୍ଠିକୁ ଛାଟରେ ପିଟୁଥିଲେ । ତେଣୁ ହାତରେ ଚୁଡି଼ ଥିବା ନିହାତି ଆବଶ୍ୟକ ଥିଲା । ତାପରେ ସମୟ ଆସିଲା,


ଏକ ହାତେ ଏଚଏମଟି ଘଡି଼

ଆରହାତେ ସୁନାଚୁଡି଼ ।


ବର୍ତ୍ତମାନ ପାଣିକାଚ ନିହାତି ଜରୁରୀ ନୁହେଁ । ଯିଏ ମାନିଲା ଯିଏ ନ ମାନିଲା ।


ସେଥିପାଇଁ ମୋର ଜଣେ ଫେସବୁକ ଅଦେଖା ଭାଇ ବୋଧେ ଖୁସିରେ ଲେଖିଲେ ,


""ତମ ଫୋଟୋ କୁ ନିରେଖି ଦେଖିଲି,


ହଁ, କାଚ ଅଛି ହାତରେ. ।


  ମୁଁ ଚାରି ପାଞ୍ଚ ବରଷର ହେଇଥାଏ । ଆମକୁ ବାଖୁଣୀ ( କାହାଣୀ ) ଶୁଣାନ୍ତି ଦମୟନ୍ତୀ ଝି । ଟିକେ ଦୂର ସମ୍ପର୍କୀୟା । ଅର୍ଦ୍ଧ ଶତକ ପାର କରିଥିଲେ ସୁଦ୍ଧା କୋମଳାଙ୍ଗି , ଷୋଡ଼ଶୀ ମାନଙ୍କ ପରି । ଛୁଇଁ ଦେଲେ ସତେ ଯେମିତି ଦାଗ ପଡ଼ିଯିବ । ଆମଘରେ ତାଙ୍କର ବାସ । ବାଲ୍ୟ ବିଧବା । ମାଆର ବୋଲହାକ କରନ୍ତି । ପ୍ରାୟ ଆମଘରେ ଖାଆନ୍ତି ପିଅନ୍ତି । ସାରାଦିନ ରୁହନ୍ତି 


  ତାଙ୍କର ଗୋରା ତକତକ ରଙ୍ଗକୁ ସାଦା ମଝଲା ( ବିଧବା ଧୋତି ) ମୋତେ ଭଲ ଲାଗେ ନାହିଁ ( ସବୁବେଳେ କିନ୍ତୁ ଧଳା ପିନ୍ ପିନ୍ ) । ହାତ ଖାଲି , ସିନ୍ଥା ଖାଲି , କପାଳ ଖାଲି , ପାଦ ଖାଲି । 


 କାହାଣୀ କହିଲା ବେଳେ ସମସ୍ତେ ଶୁଣୁଥାନ୍ତି , ମୁଁ କିନ୍ତୁ ଗପଟିକୁ ଦେଖୁଥାଏ ତନ୍ମୟ ହେଇ । ଦମୟନ୍ତୀ ଝିକୁ ନାୟିକା ରୂପରେ ରଖି । ଗୋରା କପାଳରେ ସକାଳର ଲାଲ୍ ବାଳସୂର୍ଯ୍ୟ ପରି ସିନ୍ଦୁର ବିନ୍ଦୁ , ସିନ୍ଥା ଭର୍ତ୍ତି ସିନ୍ଦୁର , ନାକରେ ଟିକେ ସିନ୍ଦୁର ଛିଟିକା , ହାତରେ କହୁଣି ପର୍ଯ୍ୟନ୍ତ ନାଲି କାଚ ଆଉ ପାଦରେ ରୁଣୁ ଝୁଣୁ ଚଉଡ଼ା ପାଉଁଜି । ନାଲି ଆମ୍ବକଷିଆ ପାଟ ଓଢ଼ଣା ଭିତରେ ଗୋଲାପ ପାଖୁଡ଼ା ରଙ୍ଗର ପତଳା ଓଠ ମଝିରେ କମନୀୟ ହସଟିଏ ।


  ଝି କୁହନ୍ତି ,


- କୁନି ଗୋ ଝୁମଉଛୁ କି , ତୁଇ ହୁଁ ନାଇଁ ମାରଲେ ବାଖୁଣୀ ନାଇଁ କହିବି ।


- ହୁଁ , ହୁଁ , ହୁଁ 


ମୋର ସ୍ଵପ୍ନ ଭାଙ୍ଗିଲେ ସବୁ ହୁଁ ଯାକ ଏକା ବେଳକେ ବାହାରି ପଡ଼ନ୍ତି ମୁହଁରୁ ।


ଝି ମିଛ ରାଗରେ କାହାଣୀ ଅଧାରେ ରଖି ପଦ ଯୋଡ଼ନ୍ତି ,


- ବାଖୁଣୀ ବାଖୁଣୀ ବାଖୁଣୀ

ତୋର ମୁଣ୍ଡରେ ବେଡେ ଉକଣୀ ।


 କଂସା ଥାଳିରେ ବର କନ୍ୟାକୁ ଶୋଇ ପକେଇ କୁଆଡ଼େ ତାଙ୍କର ବାହାଘର ହେଇଥିଲା । ସତ୍ୟ କରାକରି ହେଇଥିଲେ ଉଭୟ ପକ୍ଷର ମାଆ ବାପ । ରୂପ କାହାଣୀ ପରି ।


ପୁଅ ହେଲେ ମଇତ୍ର ବସେଇବି , ଝିଅ ହେଲେ ବିଭା କରେଇବି ।


  କନ୍ୟା ହୋସ୍ ସମ୍ଭାଳିବା ବେଳକୁ ତାର ଛୁଆ ବର ହଇଜାରେ ବାହା ଗଣ୍ଠିଆଳି ଛିଣ୍ଡାଇ ଚାଲିଗଲା ଚିରଦିନ ପାଇଁ । ଏତେ ବଡ଼ ଜୀବନଟା ରଙ୍ଗହୀନ କରି । ସମ୍ପୂର୍ଣ୍ଣ କଳାଧଳା ।


  ମୁଁ ଦେଖିଛି , କାଚ ଦେଖିଲେ ତାଙ୍କର ଆଖିରେ ଚମକୁଥିବା ତାରା ଦୁଇଟି ଆହୁରି ତେଜୋଦୀପ୍ତ ହେଇ ଜଳେ । ସେ କାଚରାଣୀ ଝିକୁ ଡାକି ତାଙ୍କ କାଚ ମାନଙ୍କରେ ହାତ ବୁଲାନ୍ତି । ଅତି କୋମଳ ଭାବରେ ଆଉଁସି ଦିଅନ୍ତି । ସତେ କି ଆଉଁସୁଛନ୍ତି ନିଜର ବେରଙ୍ଗ ଜୀବନକୁ । କିଛି ଛୋଟ ଛୋଟ ନାଲି , ନେଳି ଶାଗୁଆ କୁନି କାଚ କିଣି ରଖନ୍ତି । ମୁଁ ସ୍କୁଲରୁ ଆସିଲେ ମୋ ହାତରେ ପିନ୍ଧେଇ ଦିଅନ୍ତି ଅତି ସରାଗରେ । 


  ମୋ ଜେଜୀମା ବିରକ୍ତ ହୁଏ ତାଙ୍କ ହାତରୁ କାଚ ପିନ୍ଧୁଛି ବୋଲି ।


- ଅମଙ୍ଗଳିଆଣିଟା , ଛୁଆ ଦିନରୁ ଘ କୁ ଖାଇଲା । ତା ହାତରୁ କାଚ ପିନ୍ଧୁଛୁ ନା ? ଆଉ ଦିନେ ଦେଖିଲେ ହାଡ଼ଗୋଡ଼ ଭାଙ୍ଗିଦେବି ।


ମୁଁ ଏ କାନରେ ପୁରେଇ ସେ କାନରେ ବାହାରେଇ ଦିଏ । ଠାକୁର ସେଇଥିପାଇଁ ପା ଦୁଇଟା କାନ ଦେଇଛନ୍ତି । ଏଣ୍ଟ୍ରି , ଏଗ୍ଚିଟ୍ ।


ଝି ତୁଣ ତରକାରୀ ବଡ଼ ନିକ୍ ଜିକ୍ ରେ ସୁଆଦିଆ କରି ରାନ୍ଧନ୍ତି । ବଡି଼ ଆଳୁ ସୋରିଷ , ଆଳୁ ପୋସ୍ତ , ଜହ୍ନି ଚୋପା ରାଇ , ଆଳୁଚୋପା ଭଜା ଆଉ ଚେଙ୍କା ( ଖଟା ) ତୋରାଣି କାଞ୍ଜି । ଆଃ ବର୍ତ୍ତମାନ ମଧ୍ୟ ପାଟି ନାଳେଇ ଯାଉଛି । ମୋ ପାଇଁ ଯେମିତି ହେଲେ ଟିକେ ରଖି ଥିବେ ଯଦି କେବେ ଆମଘରେ ନଖାଇ ନିଜେ ରାନ୍ଧିଥାନ୍ତି । ଆମ ଗଳିକୁ ଲାଗି ତାଙ୍କର ନୁଆଁଣିଆ ଚାଳିଆ ଖଣ୍ଡେ । 


 - କେଡ଼େ ଚେଙ୍କା କାଞ୍ଜି ଗା ଗୋ , କୁକୁର ପିଛାରେ ଦେଲେ କାଏଁ କରିବ ।


ଜେଜୀ କହି ନାଗିଥିବ ଇଆଡେ ସୁଡୁକି ଯାଉଥିବ କାଞ୍ଜି ।


ଭାରି ହୀନ କପାଳୀ ମୋର ସେଇ ସ୍ନେହୀ ଦମୟନ୍ତୀ ଝି । 


  ମୁଁ ଯେତେବେଳେ ଟିକେ ବୁଝିବାର ହେଲି , ଝି ର କାହାଣୀର ମୋଡ଼ ବଦଳିଗଲା । ରୂପ କାହାଣୀରୁ ନିଜ ଅଙ୍ଗେନିଭା କାହାଣୀ । 


 ସାରା ଖରାବେଳ ମୋର ତାଙ୍କରି ନିଜ ଦିହର , ନିଜ ଅନୁଭବର ଗପ ଶୁଣି ତାଙ୍କରି ଚାଳିଆରେ ବିତେ । 


 ତାଙ୍କ ମାଆ କାଚ ପିନ୍ଧନ୍ତି ତାଙ୍କଠାରୁ ଲୁଚି । ସେ ଛୋଟ ଥିଲାବେଳେ । ସେ ଦେଖିଦେଲେ କଥା ସରିଲା ।


- ମାଆ ଗୋ , ମୁଇଁ ଭି ପିନ୍ଧବି ଗୋ କାଚ । ତୁଇ ଏକଲା ପିନ୍ଧି ପକଉଛୁ । ଏ ବାପା , ଦିଅନା ପଇସା । ମୁଇଁ କାଚ ପିନ୍ଧବି । ଏ କାଚରାଣୀ , ମୋତେ ବି ପିନ୍ଧେଇ ଦିଅ ନା ଗୋ ।


ରାହା କାଢ଼ି କାନ୍ଦି କାନ୍ଦି ମାଟିରେ ଲୋଟି ଯାଆନ୍ତି । ପଠାଣ କାଚରାଣୀ ବି କାନ୍ଦି ପକାଏ । କେମିତି ରିଓ୍ଵାଜ ଏମାନଙ୍କର ? ଛୋଟ ଛୁଆଟାକୁ ବେରଙ୍ଗ କରି ରଖି ଦେଇଛନ୍ତି । ବିଧବା ହେଲା ତ ଦୋଷ କଣ ତାର ? ଛୋଟ ଛୁଆରୁ ନିକାହ କରି ଦେଉଛନ୍ତି । ଆଃ !!


  ସେ ଲୁଚାଇ ଆଖି ପୋଛି ପକାନ୍ତି । ତାଙ୍କର ମଜହବରେ ସେ ପଶିବାକୁ କିଏ ?


  ଆହୁରି ଅନେକ ଗୁପ୍ତ କଥା ,


ଝି ଯେହେତୁ ସୁନ୍ଦରୀ ଥିଲେ , ଅନେକ କୁତ୍ସିତ ନଜର ପଡୁଥିଲା ତାଙ୍କ ଉପରେ । ଜଣେ ବୟସ୍କ ଗୁମାସ୍ତା ତାଙ୍କର କମଜୋରି ( କାଚ ପ୍ରତି ) ଧରିପକାଇ , ତାଙ୍କୁ କାଚ ଲୋଭ ଦେଖାଇ ନେଇ ଯାଇଥିଲେ ତାଙ୍କ ଖଳା ବାଡି଼କୁ । ତାପରର ଘଟଣା ଚୁମ୍ବକରେ କହିଥିଲେ ସେ । କିନ୍ତୁ ପରି , କିମ୍ବା ଝରାଫୁଲ ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ସେ । 


  ଆହୁରି ମହାପାତ୍ର ସାହିର ଦେବୀ ପ୍ରଶନ୍ନଙ୍କର ନିରବ ପ୍ରେମ ତାଙ୍କ ପ୍ରତି । ଜାଗର ମେଳାରେ ନିରବରେ ମାଳେ ନାଲି ନେଳି କାଚ ପୁରେଇ ଦେଇଦେବା ତାଙ୍କ ଅଣ୍ଟିରେ । ସେଥିପାଇଁ ଉଭୟେ ଘରେ ମାଡ଼ ଖାଇବା । ଦେବୀ ପ୍ରଶନ୍ନଙ୍କୁ ପଢିବା ପାଇଁ ତାଙ୍କ ଠାରୁ ଦୂରକୁ କଲିକତା ପଠାଇ ଦେବା । ଏମିତି ଅନେକ କିଛି ।


  ମୋ ବାହାଘର ବେଳକୁ ଭାଇମାନେ ଆଧୁନିକ ବିଚାରଧାରାରେ ଅନୁପ୍ରାଣିତ ହେଇ ସାରିଥିଲେ । ତେଣୁ ଝିଙ୍କୁ ବାରଣ ନଥିଲା ବେଦୀ ପାଖରେ । କିନ୍ତୁ ସେ ଆସି ନଥିଲେ ଜାଣି ଜାଣି । କାଳେ ମୋର ଅମଙ୍ଗଳ ହେବ ।


  ବିଦାୟ ବେଳେ ନୁଆ ନାଲି ସାଲୁକନା ପୁଟୁଳିଟିଏ ଗୁଞ୍ଜି ଦେଇଥିଲେ ଝି ମୋର ହାତରେ ସମସ୍ତଙ୍କ ନଜର ଆଢୁଆଳରେ । 

  ମୁଁ ଶାଶୁଘରେ ତାକୁ ଖୋଲି ଦେଖିଥିଲି । ମାଳେ ନାଲି ନେଳି କାଚ । ସମୟର ଧୂଳିରେ ମଳିଛିଆ ହେଇ ଯାଇଥିଲା । ମୁଁ ଲୁହରେ ଅଥୟ ହେଇ ପଡ଼ି ଥିଲି । ବିଦା ଲୁହ ସାଙ୍ଗରେ ଏଇ ଲୁହ ମିଶି ଯାଇଥିଲା । 


  ମୋ ବାହାଘର ବର୍ଷେ ପରେ ଝିଙ୍କୁ ପକ୍ଷାଘାତ ହେଇ ଗୋଡ଼ ଦୁଇଟା ଅଚଳ ହେଇ ଯାଇଥିଲା । ଚିକିତ୍ସା କରେଇ ଥିଲେ ମୋ ଭାଇମାନେ କିନ୍ତୁ ଧାଇଁ ଧାଇଁ କାମ କରୁଥିବା , ନଈକୁ ଯାଉଥିବା , ପାଣି ଆଣୁଥିବା ସଜ ଫରଫର ମଣିଷଟା ଅଥର୍ବ ପଙ୍ଗୁ ହେଇ ଯାଇଥିଲା , ଅଚଳ ,ସ୍ଥିର ।


  ମୁଁ ଯାଇଥିଲି କିଛିଦିନ ପରେ । ସେମିତିରେ ବି ସେ ଘୁସୁରି ଘୁସୁରି ମୋ ପାଇଁ ବଡି଼ ସୋରିଷ ଆଉ ଜହ୍ନି ଚୋପା ରାଇ କରି ଦେଇଥିଲେ । ଧଳା ପିନ୍ ପିନ୍ ମଝଲାଟା ତାଙ୍କର ପ୍ରଥମ ଥର ପାଇଁ ମଳିଛିଆ ଦେଖିଲି । ପଚାରି ଥିଲେ , 


- କାଚଗା ପିନ୍ଧିଲୁ କିଗୋ କୁନି ? 


ମୋର କଲିଜା ଭିତରେ କଣ ସବୁ ଭାଙ୍ଗିରୁଜି ଯାଉଥିଲା । 


ମୁଁ ଫେରିବାର ମାସେ ପରେ ପୁଣି ମୋତେ ଯିବାକୁ ପଡିଥିଲା । ଝି ମୋର ରାତିରେ ଶୋଇ ଆଉ ସକାଳୁ ଉଠି ନଥିଲେ ।


  ମୁଁ ସାଲୁକନା ପୁଟୁଳି କାଢ଼ି ପନ୍ଦର ବର୍ଷୀୟା ହାତ ମାପର କାଚ ପୁରେଇବାକୁ ଚେଷ୍ଟା କରୁଥିଲି ମୋର ସତେଇସ ବର୍ଷୀୟା ହାତରେ । ବୃଥା ଚେଷ୍ଟା । 


  ଶୀଘ୍ର ଆମେ ପହଞ୍ଚି ଥିଲୁ ଆମ ଗାଁରେ । ମୋ ପାଇଁ ଶବକୁ ରଖା ହେଇଥିଲା । ଶବଦାହ ପାଇଁ ସବୁ ସଜିଲ୍ ହେଇ ସାରିଥିଲା । ମୁଁ ଥିରକିନି ଯାଇ ଝିର ମୁଣ୍ଡ ପାଖରେ ସାଲୁକନା ପୁଟୁଳିଟା ଥୋଇ ଦେଇଥିଲି ।


  ବାଖୁଣୀ କୁହା ବାଖୁଣୀଟିଏ ସବୁଦିନ ପାଇଁ ନିରବୀ ଯାଇଥିଲା । ବାଖୁଣୀ ବନି ଯାଇଥିଲା ।



Rate this content
Log in

Similar oriya story from Tragedy