Padmalaya Padhy

Inspirational

4.1  

Padmalaya Padhy

Inspirational

ଜ୍ଞାନୋଦୟ

ଜ୍ଞାନୋଦୟ

8 mins
331



ସେ କିଛି ଗୋଟେ ମହତ୍ୱପୂର୍ଣ୍ଣ କାମ କରୁ ନଥିଲା କି ଜଣେ ମହାନ ସତ୍ତା ନଥିଲା l ଯେଉଁଆଡେ ଯାଉଥିଲା ସେଇଠି ଗୋଟେ ବିରାଟ ପ୍ରଳୟ ସୃଷ୍ଟି କରି ଚାଲି ଆସୁଥିଲା l ସେ ଘରେ ଚିନ୍ତା ବାହାରେ ଚିନ୍ତା ଏବଂ ସ୍କୁଲରେ ଶିକ୍ଷକ ମାନଙ୍କର ମୁଣ୍ଡବଥାର ମୁଖ୍ୟ କାରଣ ଥିଲା l ଏ ସୃଷ୍ଟିରେ ସିଏ ଥିଲା ସକଳ ପ୍ରକାର ଅଶାନ୍ତିର ମୂଳଦୁଆ l ସେ ଥିଲା ଅଜେୟ ନାମଧାରୀ ଏକ ଅଶାନ୍ତ ଆତ୍ମା ଏଇ ପୃଥିବୀ ପୃଷ୍ଠରେ l ସାଇ ପଡିଶା ବେଳେ ବେଳେ ତା ମାଆକୁ ପ୍ରଶ୍ନ କରନ୍ତି

—ତୁ କିମ୍ବା ବୁଡୁ ପିଲାଦିନେ କିଏ ଏମିତି ଥିଲା ଲୋ ଟୁବି ? ଏ ପିଲାଟି ବାପା ନା ମାଆ କାହାର ଗୁଣ ରଖିଛି କହିଲୁ ?

ମନେ ମନେ ଲଜ୍ଜିତ ହୁଏ ଟୁବି - ତା ମାଆ l ସ୍ୱାମୀ ବୁଡୁ ଆସିଲେ କହିବସେ l ବୁଡୁ କିଛି କହେନାହିଁ କେବଳ ପଖାଳ କଂସାରେ ହାତ ଘାଣ୍ଟି ଘାଣ୍ଟି ଉଠିଯାଏ l ହଅ କୋଉ ସ୍ବପ୍ନ ଏବେ ରହିଛି ଯେ ଏଇଟା ରହିବ l ଛାଡ଼ ଯାହା ଭାଗ୍ୟରେ ଥିବ ହେବ l ବହୁତ ଇଚ୍ଛା ଥିଲା ଗୋଟେ ବୋଲି ପୁଅ ଅଜେୟ ପାଠ ପଢ଼ି ବଡ଼ ମଣିଷ ହେବ ବୋଲି l ବଡ଼ ମଣିଷ ତ ଦୂରର କଥା ମଣିଷ ହେଲେ ବହୁତ ବୋଲି ଭାବିବ l ଅଜେୟ ନବମ ଶ୍ରେଣୀରେ ତିନିଥର ଫେଲ ହେଲାଣି ନହେଲେ ଏତେବେଳକୁ କଲେଜରେ ପଢୁଥାନ୍ତା l


ଆଦର୍ଶ ବିଦ୍ୟାଳୟରେ ସିଏ ହିଁ ଏକମାତ୍ର ଛାତ୍ର ଯିଏ ଫେଲ ହେଇଛି ନହେଲେ ସେଠାରେ ଫେଲ ପିଲାଙ୍କ ସଂଖ୍ୟା ଗୋଟେ ଅଧେ କେତେବେଳେ କେମିତି ଦେଖିବାକୁ ମିଳେ l ବୁଡୁର ଗୋଡ଼ହାତ ଧରି ନେହୁରା ହେବା ଦେଖି ହେଡ଼ ମାଷ୍ଟର ଅଜେୟକୁ ସ୍କୁଲ ଆସିବାକୁ ଯାହା ଅନୁମତି ଦେଇଛନ୍ତି l ଏଇଟା ତାର ଶେଷ ବର୍ଷ l ଯଦି ଏଥର ପାସ ନହୁଏ ସେଇ ସ୍କୁଲରେ ତାର ପ୍ରବେଶ ନିଷେଧ l ଘରେ ରହି ପରୀକ୍ଷା ଦେବ l

ଖାଲି ଫେଲ ହେଇଥିଲେ ଯାହା ବି ହେଉ କ୍ଲାସରେ ବସିବାକୁ ହେଲେ ଅନୁମତି ମିଳିଥାନ୍ତା କିନ୍ତୁ ବଦମାସିର ସୀମା ଟପି ଯିବାରୁ ହେଡମାଷ୍ଟ୍ରେ ଏ ବର୍ଷ ହିଁ ଶେଷ ବର୍ଷ ବୋଲି ଅଜେୟର ବାପାକୁ ଧମକାଇଛନ୍ତି l କାହାକୁ ବାଡ଼େଇବ କାହା ଆଖିରେ ଲଙ୍କାଗୁଣ୍ଡ ଛାଡିବ କାହା ସାର୍ଟରେ ବିଛୁଆତି ଆଣି ଘଷିବ, ଯଦି କୋଉ ପିଲାର କିଛି ହୋଇଯାଏ ସେ ସବୁର ଦାୟୀ ରହିବେ ଖୋଦ ହେଡମାଷ୍ଟ୍ରେ l ତେଣୁ କାଦୁଅକୁ ଯିବେ କାହିଁକି ଗୋଡ଼ ଧୋଇବେ କାହିଁକି ନ୍ୟାୟରେ ଏବର୍ଷ ଅଜେୟର ଶେଷ ବର୍ଷ ବୋଲି ଚରମ ନିଷ୍ପତ୍ତି ଶୁଣାଇ ଦେଇଛନ୍ତି l ଯାହା କରୁଛି କରୁ ଯୁଆଡେ ଯାଉଛି ଯାଉ ଭାବି ବଡୁ ବି ପୁଅ କଥା ମୁଣ୍ଡକୁ ନେଉ ନଥିଲା l


କିନ୍ତୁ ଅଜେୟର ମନ ଭିତରେ କଣ ଚାଲିଥିଲା କେବଳ ସେ ହିଁ ଜାଣେ l ଅଜେୟର ମନ ଭିତରେ ତ କେବଳ ରାଣୀ ହିଁ ଘୁରି ବୁଲୁଥିଲା l ତାର କୋଉ ପାଠପଢ଼ାରେ ଆଗ୍ରହ ଥିଲା ଯେ ସେ ତ ରାଣୀକୁ ଦେଖିବା ପାଇଁ ସ୍କୁଲକୁ ଯାଉଥିଲା l ଅଜେୟର ରାଣୀ ଏବଂ ରାଣୀର ଅଜେୟ ବୋଲି ଭାବିଲେ ଭଲ ଲାଗୁଥିଲା l ସ୍କୁଲ ବନ୍ଦ ହୋଇ ଗଲେ ରାଣୀର ଆଉ ଦେଖା ଦର୍ଶନ ମିଳିବ ନାହିଁ l ଆଗଧାଡ଼ିରେ ବସୁଥିବା ରାଣୀକୁ ଦେଖିଦେଲେ ଅଜେୟର ସବୁ ପ୍ରକାର ବଦମାସି ଉଡ଼ିଯାଏ l ବାଁରେଇ ବାଁରେଇ ସେ ଜାଗା ଛାଡି ଅନ୍ୟ ଆଡେ ଯିବାକୁ ସେ ବାହାନା ଖୋଜେ l



ହେଲେ ବି ରାଣୀ ପଛେ ପଛେ ଆସି ଡାକେ

ଦେଖ ଜୟ ତୁ ଲେଖିବାକୁ ଚାହିଁଲେ ମୋ ଖାତା ଦେଖି ଉତାରିଦେ ନହେଲେ ସାର ଆଜି ତୋ ପିଠିରୁ ଛାଲ ଉତାରି ଦେବେ l ସେ ପିଲା ମାନଙ୍କ ସହ କଥା ହେବୁନି ଦେଖ ତୋତେ ମୋ ରାଣ l ରାଣୀ ଜାଣିଛି କ୍ଲାସରେ ଯାହା ପଢ଼ା ହୁଏ ଅଜେୟ କିଛି ବୁଝେନାହିଁ ତେଣୁ କମସେ କମ ରାଣୀର ଖାତାରୁ ଉତାରି ଲେଖିଲେ ଅନ୍ତତଃ ମାଡ଼ରୁ ମୁକ୍ତି ମିଳିବ ତ ! ରାଣୀର ରାଣ ଶୁଣିଲେ ଅଜେୟର ମନଟା କେମିତି ଗୋଟେ ହୋଇଯାଏ l ମନ ହୁଏ ସବୁ ବଦମାସି ଛାଡି ଛୁଡ଼ି ଦେଇ ବାସ ରାଣୀଠାରୁ ଖାଲି ଶୁଣନ୍ତା ପାଠ ଆଉ ପାଠ l ଅସରନ୍ତି ପାଠ ଯେ ସେ ପାଠ ଆଉ ସରନ୍ତା ନାହିଁ l କିନ୍ତୁ ଭାବନା ଭାବନାରେ ହିଁ ରହିଯାଏ l ପୁଣି ଶୃଙ୍ଖଳା ଭଙ୍ଗ କରୁଥିବା କିଛି ଦୁଷ୍ଟ ପିଲାଙ୍କର ଲୋଭନୀୟ ପ୍ରସ୍ତାବକୁ ଏଡେଇ ନପାରି ଯାଇ ତାଙ୍କ ସହିତ ମିଶିଯାଏ ଏବଂ କରି କରାଉ ଥାଏ ମୁହିଁ ନ୍ୟାୟରେ କରନ୍ତି ସେମାନେ ନାଁ ପଡେ ଅଜେୟର l ସେଇଠୁ ଚାଲେ ପୁଣି ତନାଘନା l ବାପାଠାରୁ ଆରମ୍ଭ କରି ହେଡ଼ ମାଷ୍ଟରଙ୍କ ପର୍ଯ୍ୟନ୍ତ ଖୋଳତାଡ଼ l


ଦିନେ ରାଣୀ କହିଲା

ଅଜେୟ ଗୋଟେ କଥା ପଚାରିବି ତୁ ସତ କହିବୁ ନା ? ନ କହିଲେ ବି ଚଳିବ କିନ୍ତୁ ଯଦି କହିବୁ କେବଳ ସତ ହିଁ କହିବୁ l

ଗୋଟେ କାହିଁକି ଲୋ ଶହେଟା ପଚାର l

ତୁ ମୋତେ ଭଲ ପାଉ ନା ଜୟ ? ସତ କହିବୁ ତୋତେ ମୋ ରାଣ l

ଅଜେୟକୁ ଏ ପ୍ରଶ୍ନଟି ଯେତିକି କଷ୍ଟ ଲାଗିଥିଲା ଶ୍ରେଣୀ ଗୃହର ପ୍ରଶ୍ନ ଗୁଡିକ ସେତିକି କଷ୍ଟ ଲାଗୁ ନଥିଲା l କେମିତି ତଡିତ ବେଗରେ ଗୋଟେ ଶିହରଣ ଖେଳିଗଲା ଦେହ ଭିତରେ l

ହଁ ଲୋ ଭଗବାନଙ୍କ ରାଣ ମୁଁ ତୋତେ ଭଲ ପାଏ l

ତେବେ ଶୁଣ l ଏ ବର୍ଷ ତ ତୋତେ ସ୍କୁଲରୁ କାଢ଼ି ଦେବେ ଏବଂ ତୁ ଘରେ ରହି ପରୀକ୍ଷା ଦେବୁ l ମୁଁ ଯଦି ତୋତେ ପଢ଼ାଏ ତୁ ମୋ ପାଖରେ ପଢ଼ିବୁ ନା ଜୟ ?


ଅଜେୟର ହାତ ପାଆନ୍ତାରେ ସତେ ଯେପରି ପୁରା ସ୍ବର୍ଗଟା ଏକାବେଳକେ ଖସି ପଡିଲା l ସାଙ୍ଗେ ସାଙ୍ଗେ ମୁଣ୍ଡ ହଲାଇ ହଁ ମାରିଲା ଏବଂ ଏଥରକ ମିଛରେ ନୁହେଁ ହୃଦୟରୁ ହିଁ କହିଥିଲା l କଥା ଥିଲା ବାର୍ଷିକ ପରୀକ୍ଷା ତ ଆଉ ଦୁଇ ମାସ ରହିଲା ଏବଂ ଅଜେୟ ଏଥର ବି ନିଶ୍ଚୟ ଫେଲ ହେବ l ସୁତରାଂ ମାମୁଁ ସହିତ ସୁରଟ ଯିବାପାଇଁ ଯେଉଁ ଯୋଜନା ଚାଲିଛି ତାହାକୁ ଗୋଟେ ବର୍ଷ ପାଇଁ ସ୍ଥଗିତ ରଖାଯାଉ l ରାଣୀର ତତ୍ୱାବଧାନରେ ସିଏ ପଢ଼ିବ ଏବଂ ନବମ ଯଦି ପାସ କରେ ତେବେ ଦଶମ ପରୀକ୍ଷା ବି ଘରେ ରହି ଦେବ l ରାଣୀର ଦୃଢ଼ ବିଶ୍ୱାସ ଥିଲା ଅଜେୟକୁ ପାସ କରାଇ ଦେବ l ଅଜେୟର ମନ ଧୀରେ ଧୀରେ ସ୍କୁଲରୁ ଛାଡି ଛାଡି ଆସି ଘର ମୁହାଁ ହେଉଥିଲା l କିନ୍ତୁ ବିଧିର ବିଧାନ ଅତି ବିଚିତ୍ର l ବାର୍ଷିକ ପରୀକ୍ଷାକୁ କେତେ ଦିନ ଥିଲା ହଠାତ ତାର ଦେହ ଖରାପ ହୋଇଗଲା l ପ୍ରଥମେ ଭାବିଲା ହଉ ଗୋଟେ ଦିଗରୁ ଭଲ ହେଲା l ପରୀକ୍ଷା ଦେଇଦେଲେ କୋଉ ପାସ ହୋଇ ଯାଇଥାନ୍ତା ଯେ ବରଂ ପରୀକ୍ଷା ନଦେଇ କେତେଦିନ ଆରାମରେ ଶୋଇ ତ ପାରିବ l


କିନ୍ତୁ କେତେଦିନ ନୁହେଁ ଜରଟା ମାସେ କାଳ ଲାଗି ରହିବାରୁ ବୁଡୁ ଯାଇ ଗାଁ ପାଖରେ ଥିବା ଜଣେ ଡାକ୍ତରଙ୍କୁ ପଚାରିଥିଲା l ଡାକ୍ତର ଜଣକ ନିଜର ସମସ୍ତ ବିଦ୍ୟା ବୁଦ୍ଧି ଖଟାଇ ସାରି ଅନେକ ପରୀକ୍ଷା ନିରୀକ୍ଷା କଲା ପରେ କହିଥିଲେ ଯେ ଅଜେୟକୁ ବ୍ଲଡ଼ କ୍ୟାନ୍ସର ହୋଇଛି l ସୁତରାଂ ବଞ୍ଚିବାର ଆଶା ନାହିଁ l ଘରେ କାନ୍ଦ ବୋବାଳି ପଡି ଯାଇଥିଲା l ଗୋଟିଏ ବୋଲି ପୁଅ, ହେଉ ପଛେ କୁଳାଙ୍ଗାର ନିଜର ରକ୍ତ ତ l ବୁଡୁର ନାଁ କୁ ଆଗକୁ ବଢ଼ାଇ ଥାଆନ୍ତା ଅଥଚ ଅକାଳରେ…l କେମିତି ତୁମର ଲୀଳା ହେ ଲୀଳାମୟ l ଯାହାକୁ ଦେଉଛ ଦେଇ ଚାଲିଛ ଆଉ ଯାହାକୁ ଦେଉ ନାହଁ ଥିବା ଜିନିଷ ବି ଛଡାଇ ନେଉଛ ତୁମେ l ବୁଡୁ ବାରିପଟ ଅଗଣାରେ ବସି କାନ୍ଦି ଚାଲିଥିଲା l ସନ୍ଧ୍ୟା ହେଲାଣି ଆସି l ଟୁବି ହେଲେ ଆଜି ତୁଳସୀ ଚଉରା ମୂଳେ ସନ୍ଧ୍ୟା ଆଳତି ଦେଇନାହିଁ l ଚୁଲି ପାଖେ ବସି ଭାବି ଚାଲିଛି l ବାହା ହେଲା ପରେ କେତେ ଯୋଜନା କେତେ ସ୍ବପ୍ନ l ଏକମାତ୍ର ସନ୍ତାନ ତାଙ୍କର ସିଏ ପୁଣି ଏମିତି ସେମିତି ନୁହେଁ ଦଶ ଜଣରେ ଜଣେ ଗଣା ହେବ ବୋଲି ସ୍ୱାମୀ ସ୍ତ୍ରୀ ଯେଉଁ ସ୍ବପ୍ନ ଦେଖିଥିଲେ ସେଥିରେ ବୋଧେ କାହାର ନଜର ଲାଗିଗଲା l ନହେଲେ ସବୁ ଯାକ ସ୍ବପ୍ନଯାକ ଗୋଟିଏ ପରେ ଗୋଟିଏ ଏମିତି ଧୂଳିସାତ ହୋଇ ଯାଇଥାନ୍ତା କିପରି l


ଅଜେୟ ଶୋଇବା ଘରେ ଶୋଇଛି l ଜରରେ କ'ଣ ନିଦ ହେଉଛି କି l ଏ ଚିକିଟା ଜରଟା ବି ଛାଡ଼ୁନାହିଁ l ଓଷଦ ଗୁଡାକ ଗିଳି ଗିଳି ପାଟିର ସ୍ୱାଦ ବାରି ହେଉନାହିଁ l ବାପା ବୋଉ କେତେ ଦିନ ହେଲା ଲୁଚି ଲୁଚି କାନ୍ଦୁଛନ୍ତି l ପ୍ରଥମେ ତ ସେ କାରଣ ଜାଣି ନଥିଲା l ଶୋଇ ଶୋଇ ବିରକ୍ତ ଲାଗିବାରୁ ଦିନେ ଦାଣ୍ଡ ଆଡେ ଘେରାଏ ବୁଲି ଆସିବାକୁ ମନ କଲା l ରାଣୀ ସହିତ ବି କୋଉଠି ନା କୋଉଠି ଦେଖା ହୋଇ ଯାଇ ପାରେ l ଘର ପାଖାପାଖି ବୁଲୁଥିଲା ଅଜେୟ l ହଠାତ ଦେଖିଲା ତାଆରି ଆଡକୁ ପଡିଶା ଘରର ସାରଙ୍ଗ ଦୌଡ଼ି ଦୌଡ଼ି ଆସୁଛି l ସାରଙ୍ଗ ଆସି ପହଞ୍ଚି କୁଣ୍ଢେଇ ପକାଇଲା ଅଜେୟକୁ l

ବିଶ୍ୱାସ ହେଉନିରେ ଅଜେୟ. ବିଶ୍ୱାସ ହେଉନି ଏମିତି କଣ ହୋଇଗଲା l ପ୍ରଥମେ ତ ସାରଙ୍ଗ କଣ କହିବାକୁ ଚାହୁଁଛି ଅଜେୟ ବୁଝି ପାରିଲା ନାହିଁ l ତା ପରେ ଯେତେବେଳେ ସାରଙ୍ଗ କହିଲା ଯେ ଅଜେୟ ଏ ଦୁନିଆରେ ଆଉ ଅଳ୍ପ ଦିନର ଅତିଥି ସେତେବେଳେ ଯେମିତି ତା ପାଦ ତଳୁ ମାଟି ଖସିଗଲା l ସେ…ମରିଯିବ…ନା…. ନା…. l ତାର ତ ଜୀବନରେ କେତେ ସ୍ବପ୍ନ ବାକି ଅଛି l ସେ ପାଠ ପଢ଼ିବ ରାଣୀ ତାକୁ ପାଠ ପଢ଼ାଇବ l ପରୀକ୍ଷାରେ ପାସ କରି ସେ ବାପା ବୋଉଙ୍କୁ ଦେଖାଇଦେବ ଯେ ସେ ନିର୍ବୁଦ୍ଧିଆ ନୁହେଁ l କିନ୍ତୁ ତା ପୂର୍ବରୁ…? ସେଥିପାଇଁ ତେବେ ବାପା ବୋଉ ଏତେଦିନ ହେଲା ଲୁଚି ଛପି କାନ୍ଦୁଛନ୍ତି ଏବଂ ତାକୁ ଦେଖିଦେଲେ ଏମିତି ହେଉଛନ୍ତି ସତେ ଯେପରି କିଛି ହୋଇନାହିଁ lସେଦିନ ପରେ ସେ ଆଉ ବାହାରକୁ ଯାଇନାହିଁ l ଚଳଚିତ୍ର ପରି ଆଖି ସାମ୍ନାରେ ପୁରୁଣା ଦୃଶ୍ୟ ସବୁ ଭାସି ଉଠୁଛି l ହେଡ଼ ସାରଙ୍କ ରୁମ ଭିତରେ ବାପାଙ୍କର ସେଇ କରୁଣ ମୁଖ ମଣ୍ଡଳ l


ଭାତ ବାଢ଼ୁ ବାଢ଼ୁ ବୋଉର ପିଠି ଆଉଁସା ଓ ଉପଦେଶ ମନେ ପଡୁଛି lପାଞ୍ଚଟା ନାହିଁ କି ଦଶଟା ନାହିଁରେ ବାବୁ ତୁ ଆମର ଗୋଟିଏ l ଆମ ଦୁଃଖ ତୁ ନବୁଝିଲେ କିଏ ବୁଝିବ କହ ତ l ତୁ ପାଠ ନପଢ଼ିଲେ ନାହିଁ ବାପାଙ୍କ ସହିତ ଗୁଡ଼ ସାହୁକାରର ଦୋକାନରେ ଯାଇ ସାହାଯ୍ୟ ତ କରି ପାରିବୁ l ଘରକୁ ଦି ପଇସା ଆସନ୍ତା l ତୁ ଏମିତି ସବୁଦିନ କଳିଗୋଳ କଲେ କେମିତି ହେବରେ ବାପା ମୋର l ତୋ ଚିନ୍ତାରେ ଆମେ ନିତି ମରି ମରି ବଞ୍ଚୁଛୁରେ ଧନ l ଆଜି ସେସବୁ ମନେ ପଡି ଲୁହ ଧାର ଗୁଡାକ ବୋହି ଯାଉଛି l କେତେବେଳୁ ଅନ୍ଧାର ମାଡି ଆସିଲାଣି l ବୋଉ ଆଜିକାଲି ତୁଳସୀ ଚଉଁରା ମୂଳରେ ସଞ୍ଜବତୀ ଦେଉନାହିଁ l ଡାକ୍ତରଙ୍କ କଥା ଶୁଣିବା ଦିନଠାରୁ ବାପା ବୋଉ ମୁକ ବଧିର ହୋଇଗଲେଣି l କାହା ପାଟିରୁ କଥା ବାହାରୁ ନାହିଁ l ଗୁଡ଼ାଏ ଦିନ ଅଗାଧୁଆ ରହିବା ପରେ ଆଜି ଟିକିଏ ଗାଧେଇଛି ଅଜେୟ lଧୀରେ ଉଠି ବସିଲା l ଚାରିଆଡେ ଚାହିଁ ଦେଖେ ତ ଅନ୍ଧକାରମୟ l ବୋଧେ ସନ୍ଧ୍ୟା ହୋଇଗଲାଣି l ବଳିତାଟିଏ ହାତରେ ଧରି ଧୀରେ ଧୀରେ ବାହାରି ଗଲା l ତୁଳସୀ ଚଉଁରା ପାଖରେ ତାକୁ ଥୋଇ ଯେମିତି ଘଣ୍ଟି ବଜାଇଛି ବୋଉ ଭିତରୁ ଧାଇଁ ଆସିଲା ଏବଂ ଅଗଣାରେ ବସିଥିବା ବାପା ବି ଚମକି ଉଠିଲେ l ଅଜେୟକୁ କୁଣ୍ଢାଇ ଧରି ବୋଉ ଭେଁ ଭେଁ କାନ୍ଦିବାକୁ ଲାଗିଲା l ଅଜେୟ ବାପାଙ୍କ ହାତଟିକୁ ଭିଡି ଧରିଥାଏ l ତିନିହେଁ ଆକାଶକୁ ଚାହିଁ କେଉଁ ଅଦୃଶ୍ୟ ଶକ୍ତି ସମ୍ମୁଖରେ ସମ୍ପୂର୍ଣ୍ଣ ଭାବେ ନିଜକୁ ସମର୍ପଣ କରି ଦେଇଥିଲେ ସେଦିନ l ବଳିତାଟି କେତେବେଳୁ ଲିଭି ସାରିଛି l ସେଦିନ ଅନେକ ରାତି ଯାଏ ତିନିଜଣ ବାହାରେ ବସି ରହିଥିଲେ ସିନା କେହି କାହାରିକୁ କିଛି କହୁ ନଥିଲେ l


ଏହା ପରର ଘଟଣା ଅତି ସଂକ୍ଷିପ୍ତ ଥିଲା l ବୁଡୁର କାମରେ ଅନେକ ପୂର୍ବରୁ ପ୍ରୀତ ହୋଇଥିବା ଗୁଡ଼ ସାହୁକାର ଖୋଦ ନିଜ ଗାଡ଼ିରେ ଅଜେୟ ଏବଂ ବୁଡ଼ୁକୁ ନେଇ ବଡ଼ ମେଡିକାଲରେ ଦେଖାଇ ଥିଲେ l ବଡ଼ ମେଡ଼ିକାଲରେ ପୁଣିଥରେ ସମସ୍ତ ପରୀକ୍ଷା ନିରୀକ୍ଷା ହେଲାପରେ ଜଣାଗଲା ଯେ ଅଜେୟକୁ ଫାଇଲେରିଆ ଜର ହୋଇଛି l ଜଣ ଭଲ ହେଉଛି ଏବଂ ପୁଣି ଫେରୁଛି l ସୁତରାଂ ପ୍ରଥମ ରିପୋର୍ଟଟି ପୁରା ଭୁଲଥିଲା ବୋଲି ପ୍ରମାଣିତ ହେଲା l ଓଷଦ ପତ୍ର ନେଇ ଅଜେୟ ବାପା ସହିତ ଫେରି ଆସିଥିଲା ଘରକୁ l ଏହା ପରେ ଅଜେୟ ଆଉ ପୂର୍ବର ଅଜେୟ ହୋଇ ରହି ନଥିଲା l ଲାଗୁଥିଲା ସତେ ଯେପରି ଏହାରି ଭିତରେ ତାର ବୟସ କୋଡିଏ ତିରିଶ ବର୍ଷ ବଢ଼ି ଯାଇଛି l


ଏଣେ ବାପା ବୋଉ ମନ୍ଦିର ଯାଇ ଠାକୁରଙ୍କୁ ଯାଚିଥିବା ମାନସିକ ପୂରଣ କଲାବେଳେ ତେଣେ ସେ ନିଜ ବ୍ୟକ୍ତିତ୍ୱର ଅନୁଶୀଳନ କରିବାରେ ଲାଗି ପଡିଥିଲା l ଯାହାଙ୍କ ଇଙ୍ଗିତରେ ନିଶ୍ୱାସ ପ୍ରଶ୍ୱାସ ପ୍ରବାହିତ ହେଉଛି ସେଇ ଈଶ୍ୱର, ଯେଉଁମାନେ ଜନ୍ମ ଦେଇ ପାଳି ପୋଷି ବଡ଼ କରୁଛନ୍ତି ସେଇ ଜନ୍ମଦାତା ମାନେ, ଯେଉଁମାନେ ହାତ ଧରି ଆଗକୁ ବଢ଼ିବାକୁ ରାସ୍ତା ଦେଖାଉଛନ୍ତି ସେଇ ଶିକ୍ଷକ ବୃନ୍ଦ ଏବଂ ଯେଉଁମାନେ ଭଲ ଚାହୁଁଛନ୍ତି ଏବଂ ଭଲ ପାଉଛନ୍ତି ସେଇ ବନ୍ଧୁଗଣଙ୍କ ପ୍ରତି ଯଥୋଚିତ କର୍ତ୍ତବ୍ୟ ପାଳନ କରିବ ଏବଂ ଏଇ ଜନ୍ମରେ ହିଁ ସେମାନଙ୍କର ଋଣ ନିଶ୍ଚୟ ସୁଝିବ l

ଯେବେଠାରୁ ତାର ଦେହ ଖରାପ ସେବେଠାରୁ ରାଣୀ ସହ ଦେଖା ହୋଇନାହିଁ l ସାରଙ୍ଗ କହୁଥିଲା ସେ ପୁଣି ଆଜିକାଲି ଦୁଃଖୀ ଦୁଃଖୀ ରହୁଛି ବୋଲି l ରାଣୀକୁ ଡାକି ଆଜି ସନ୍ଧ୍ୟାବେଳେ ପାଠ୍ୟସୂଚୀ ପ୍ରସ୍ତୁତ କରିବାକୁ ହେବ l କେତେବେଳେ କୋଉ ବିଷୟ କେତେ ସମୟ ପଢ଼ିବ ରାଣୀ ବତେଇ ଦେବ l କାଲି ଠାରୁ ଦିନବେଳା ଦୁଇ ଘଣ୍ଟା ବାପାଙ୍କୁ ଗୁଡ଼ ସାହୁକାରଙ୍କ ଦୋକାନରେ ଯାଇ ଦୋକାନ କାମରେ ସାହାଯ୍ୟ ବି କରିବ l ତା ଭାଗର ପଇସାରେ ବୋଉ ପାଇଁ ଗୋଟିଏ ନୂଆ ଶାଢ଼ୀ ଆଣିବ l ବୋଉର ପସନ୍ଦର ରଙ୍ଗ ହେଲା ଶୁଆ ରଙ୍ଗ…ସେଇ ରଙ୍ଗଟି ତାକୁ ବହୁତ ମାନେ l ଶୁଆ ରଙ୍ଗର ଶାଢ଼ୀ ପିନ୍ଧି ବୋଉ ବହୁତ ସୁନ୍ଦର ଦିଶିବ l


Rate this content
Log in

Similar oriya story from Inspirational