STORYMIRROR

Kulamani Sarangi

Inspirational

4  

Kulamani Sarangi

Inspirational

ଜୀବନସାଥୀ

ଜୀବନସାଥୀ

4 mins
19



ସତରେ କିଏ ସ୍ଵର୍ଗ ଦେଖିଛି ! କିନ୍ତୁ କୁହାଯାଏ ବାହାଘର ସ୍ବର୍ଗରେ ନିର୍ଣ୍ଣୟ କରାଯାଇଥାଏ। ରାମମୋହନ ଯେତେବେଳେ ରାଧିକାଙ୍କୁ ଦେଖିବାକୁ ଯାଇଥିଲେ,ପ୍ରଥମ ଦେଖାରେ ହିଁ ତାଙ୍କ ଅନ୍ତର୍ଚକ୍ଷୁରେ ସେ ରାଧିକାଙ୍କ ହୃଦୟ ପଢି ପାରିଥିଲେ।ଝିଅ ଦେଖାରେ ଏତେ ନଖରା କରୁଥିବା ରାମମୋହନ କେମିତି କେଜାଣି ରାଧିକାଙ୍କୁ ଦେଖି କ୍ଲିନ୍ ବୋଲ୍ଡ ହେଇଗଲେ ! ତାଙ୍କ ସହିତ ସାଙ୍ଗରେ ଯାଇଥିବା ଲଙ୍ଗୁଟିଆ ବନ୍ଧୁ ବ୍ରଜ ମୋହନ ଆଶ୍ଚର୍ଯ୍ୟ ହୋଇ କହିଥିଲା.. ଏତେ ଗୋରୀ ଚମଡୀ, ଗୋଟିଏ-ଚାଉଳ-ଗଢା, ସ୍ମାର୍ଟ୍ ଝିଅ ଖୋଜୁଥିଲୁ,ଏ ସାବେନୀ ଧାର-ମୁହୀଁ ଆଗରେ କେମିତି ଆତ୍ମ ସମର୍ପଣ କରିଦେଲୁ ? ହ,ଆମର କଣ ଯାଇଚି;ଆମେ ତ ଭୋଜି ଖାଇବା ଲୋକ।"


ରାଧିକାଙ୍କୁ ଦେଖିବାପରେ ନିଦ ହଜିଯାଇଥିଲା ରାମମୋହନଙ୍କ ଆଖିରୁ।ରାଧିକାଙ୍କ ଅଭିବ୍ୟକ୍ତିପୂର୍ଣ୍ଣ ଆଖିର ଅଥଳ ସାଗର ଭିତରେ ନିଜକୁ ହଜାଇ ଦେଇ କେଉଁ ଅମୂଲ୍ୟ ମୁକ୍ତା ସେ ଖୋଜୁଥିଲେ,ସେ ନିଜେ ଜାଣନ୍ତି।

ଅତି ଶୀଘ୍ର ରାଧିକାଙ୍କୁ ଅଙ୍କଲକ୍ଷ୍ମୀ କରି ରାମମୋହନ ଘରକୁ ନେଇ ଆସିଲେ।

ସାନଭାଇ ଜଗମୋହନ, ଭାଇଙ୍କ ବାହାଘର ପାଇଁ ଅପେକ୍ଷା କରି ବସିଥିଲା।ଗତ ତିନିବର୍ଷ ଧରି ତାକୁ ପ୍ରେମ କରୁଥିବା ଝିଅଟି ସବୁବେଳେ ତାଗିଦ୍ କରି କହୁଥିଲା... ଶୀଘ୍ର ମତେ ନେଇଯାଅ,ନହେଲେ ବାପାବୋଉ ଆଉ କେଉଁଠି ବାହା କରେଇ ଦେବେ; ସେତେବେଳେ ଦିନରେ ତାରା ଖୋଜୁଥିବ ।" 


ତେଣୁ ଜଗମୋହନ ଗୋଟିଏ ଦିନ ବି ଅପେକ୍ଷା ନକରି ପ୍ରେମିକା 'ପରିଣତି'କୁ ବାହାହେଇ ଘରକୁ ନେଇ ଆସିଲା।ଦୁଇ ଯାଆଙ୍କ ଉପସ୍ଥିତିରେ ଘର ହସି ଉଠିଲା।ଶାଶୂ ଶଶୁର ଆଗରୁ ଉପରକୁ ଚାଲି ଯାଇଥିବାରୁ ଘରଟି ମୂରବୀହୀନ ହୋଇ ରହିଥିଲା। ରାଧିକା ମୂରବୀ ଦାୟିତ୍ଵ ନେଇ ଘରକୁ ସ୍ବର୍ଗରେ ପରିଣତ କରିଦେଲେ।ଦୁଇ ଯାଆ ଦୁଇ ଭଉଣୀ ପରି ଚଳିଲେ।


ରାମମୋହନ ଗାଁ ସ୍କୁଲରେ ଶିକ୍ଷକତା କରୁଥାନ୍ତି।ସାନ ଭାଇ ଜଗମୋହନ ଓଡିଶା ସେକ୍ରେଟେରିଏଟ୍'ରେ କିରାଣୀ। ଭୁବନେଶ୍ଵରଠାରୁ ଗାଁ ମାତ୍ର ତିରିଶି କିଲୋମିଟର ହୋଇଥିବାରୁ ଜଗୁ (ଜଗମୋହନ) ସବୁଦିନ ସଟଲ୍ ଟ୍ରେନରେ ଯିବା ଆସିବା କରନ୍ତି।

ରାଧିକା ସକାଳୁ ଉଠି, ଘରଦ୍ଵାର ଲିପାପୋଛା କରି ,ଗାଧୁଆପାଧୁଆ ସାରି,ଠାକୁରଙ୍କ ପାଇଁ ଫୁଲ ଯୋଗାଡିଦେଇ, ଆଠଟା ସୁଦ୍ଧା ରୋଷେଇବାସ ସାରିଦିଅନ୍ତି।ଜଗମୋହନଙ୍କ ପାଇଁ ମଧ୍ୟ ଟିଫିନ୍ ରେଡ଼ି କରିଦିଅନ୍ତି।ରାମମୋହନ ନିତ୍ୟକର୍ମ ସାରି ଗାଧୋଇବା ପାଇଁ ଗଲେ ତାଙ୍କ ପ୍ୟାଣ୍ଟ୍ ସାର୍ଟ ଇସ୍ତ୍ରୀ କରିବାରେ ଲାଗିପଡନ୍ତି ରାଧିକା। ଏତେ କାମ ସେ ସକାଳୁ ସକାଳୁ ବିଜୁଳି ବେଗରେ କରନ୍ତି ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ କହନ୍ତି....ଇଏ ତ ବିଜୁଳି କନ୍ୟା !" ରାମମୋହନଙ୍କ ମନରେ ଅପାର ଆନନ୍ଦ। ଦିଅଁ ପୂଜା ଏବଂ ସକାଳ ଭୋଜନ ଶେଷ କରିବାପରେ ଇସ୍ତ୍ରୀକରା ପ୍ୟାଣ୍ଟ୍ ସାର୍ଟ ପିନ୍ଧି ରାମ ମୋହନ ପ୍ରାୟ ସବୁଦିନ ରାଧିକାଙ୍କୁ ବେଡ ରୁମକୁ ଡାକି,କବାଟ ଅଧା ଆହୁଜା କରି କୋଳେଇ ନେଇ କପାଳରେ ଚୁମାଟିଏ ଦେଇ କହନ୍ତି...ମଧୁରେଣ ସମାପୟେତ୍, ଅର୍ଥାତ୍ ଭୋଜନ ପରେ ମିଠା ଖାଇବା କଥା।ଏଇ ଚୁମାଟି ରସଗୋଲା ସହିତ ସମାନ।ବୁଝିଲ ରାଧା !


ରାଧିକା ଲାଜେଇ ଯାଇ କହନ୍ତି... ଧେତ୍,ସବୁଦିନ ମୁଁ ତୁମକୁ ରସଗୋଲା ଦେଇ ପାରିବିନି।

ରାମମୋହନଙ୍କ ଘର ଏବେ ଏକ ପରିପୂର୍ଣ୍ଣ ସଂସାର। ଆଜିକାଲି ଘରେ ବନ୍ଧୁ ବାନ୍ଧବମାନଙ୍କ ଭିଡ଼ ଅଧିକ। ରାଧିକା ସମସ୍ତଙ୍କୁ ଯଥୋଚିତ ସ୍ନେହ ଓ ସମ୍ମାନ ଦିଅନ୍ତି। ଭଣଜା ଭାଣେଜୀ ଆସିଲେ ତାଙ୍କ କାନି ଧରି ପଛେ ପଛେ, ମାଇଁ ମାଇଁ କହି ବୁଲୁଥାନ୍ତି; ରାଧିକା ସେମାନଙ୍କର ସବୁ ଫରମାଇସ୍ ପୂରଣ କରନ୍ତି।


ବାଡିରେ ସବୁପ୍ରକାରର ପରିବାପତ୍ର ଲଗାନ୍ତି ରାଧିକା।ମୁକ୍ତକେଶୀ ବାଇଗଣ ଗଛଗୁଡିକ ଫଳ ଭାରରେ ନଇଁ ପଡନ୍ତି।ପାଛିଆ ପାଛିଆ ଝୁଡୁଙ୍ଗ ଓ ଭେଣ୍ଡି ସବୁଦିନ ସକାଳୁ ତୋଳା ହୁଏ। କିଛି ଖିଆ ହୁଏ, କିଛି ବଣ୍ଟା ହୁଏ ଏବଂ କିଛି ବନ୍ଧୁବାନ୍ଧବଙ୍କ ଘରକୁ ପଠାହୁଏ।ଘର ଆଗରେ ଥିବା ବଗିଚା ନାନାଜାତିର ରଙ୍ଗ ବେରଙ୍ଗୀ ଫୁଲରେ ଲଦି ହୋଇଥାଆନ୍ତି। ସବୁଦିନ ଦିପହରେ ଦୁଇ ଯାଆ ବଗିଚା କାମରେ ହିଁ ଲାଗିଥାନ୍ତି। ଟିଭିରେ ଅଯଥା ଶାଶୂବୋହୂ କଳହ ଦେଖିବା ଅପେକ୍ଷା ଗଛଲତାଙ୍କର ସେବା କରିବା କଣ ନାକରା କଥା ? ରାଧିକା କହନ୍ତି..ଗଛପତ୍ର ସେବା ହେଉଛି ମାତୃସେବା ସହିତ ସମାନ।ମାଆ ଯେମିତି ଖାଇବାକୁ ଦିଏ,ବୃକ୍ଷଲତାମାନେ ମଧ୍ୟ ସେମିତି ଆମ ପେଟକଥା ବୁଝନ୍ତି।


ଗଛଲତାମାନେ ମଧ୍ୟ ରାଧିକାଙ୍କୁ ବହୁତ୍ ଭଲ ପାଆନ୍ତି। ରାଧିକା ସେମାନଙ୍କୁ ଆଉଁସି ଦେବା ସମୟରେ ଏକ ଅବ୍ୟକ୍ତ ଭାବରେ ଆଦାନ ପ୍ରଦାନ ସେମାନଙ୍କ ମଧ୍ୟରେ ହୁଏ।


ରାମମୋହନଙ୍କ ଘର ପୁରୀଠାରୁ ଅଳ୍ପ ବାଟ। ମାସକୁ ଥରେ ଦିଥର ରବିବାର ଦେଖି ରାମମୋହନ ରାଧିକାଙ୍କୁ ନେଇ ପୁରୀ ଯାଆନ୍ତି।ବଡ଼ ଠାକୁର

ଙ୍କ ଦର୍ଶନ ପରେ ସମୁଦ୍ର କୂଳରେ ଅନେକ ସମୟ ବିତାନ୍ତି ସେ ଦୁହେଁ। ରାମମୋହନଙ୍କ କୋଳରେ ଶୋଇରହି ରାଧିକା କହନ୍ତି..ଏଇଟି,ଶୁଣୁଚ।ଏଠୁ ଯିବାକୁ ମନ ହଉନି;ରାତି ସାରା ଏଇଠି ବସିଥିବା।


ଭାବପ୍ରବଣ ହୋଇ ଉଠନ୍ତି ରାମମୋହନ; କହନ୍ତି.. ସତରେ ରାଧିକା ତୁମ ବ୍ୟତୀତ ମୋ ଜୀବନ ଅପୂର୍ଣ୍ଣ।ମୋର କେତେ ଖିଆଲ ରଖୁଛ ତମେ,ମୋ ଘରକୁ ତୁମେ ସ୍ବର୍ଗରେ ପରିଣତ କରି ଦେଇଛ; କିନ୍ତୁ ମୁଁ ତୁମକୁ କଣ ଦେଇଛି? ପ୍ରାଇମେରୀ ସ୍କୁଲର ଜଣେ ନିସ୍ବ ଶିକ୍ଷକ ତୁମକୁ କଣ ବା ଦେଇପାରିବ !"

ରାମମୋହନଙ୍କ ପାଟିରେ ହାତ ରଖି ରାଧିକା କହନ୍ତି..ଛି, ସେମିତି କୁହନି।କିଏ କହିଲା ତମେ ନିସ୍ବ ? ତମେ ହିଁ ମୋର ବିଶ୍ବ।ମୋ ପଣନ୍ତରେ ତୁମେ ଭଗବାନଙ୍କର ଶ୍ରେଷ୍ଠ ଉପହାର।"


ବାହାଘରର ବର୍ଷଟିଏ ଗଡିଯାଇଥିଲା।ରାମମୋହନଙ୍କୁ ଲାଗିଲା..ରାଧିକା ତାଙ୍କ ଜୀବନର ସବୁ ଶୂନ୍ୟସ୍ଥାନ ପୂରଣ କରି ଦେଇଛନ୍ତି।

ଆଃ ! ସମୟର ବକ୍ର ଦୃଷ୍ଟି ଦିନେ ରାମମୋହନଙ୍କ ସୁନା ସଂସାର କୁ ଚୂନା କରିଦେଲା। ସେଦିନ ସକାଳେ ଖିଆପିଆ ଶେଷକରି ରାମମୋହନ ଡାକିଲେ...ରାଧିକା,ମୋ ଇସ୍ତ୍ରୀକରା ପ୍ୟାଣ୍ଟ୍ ସାର୍ଟ୍ କୋଉଠି ରଖିଲ ? ଶୀଘ୍ର ଆସ ମୋର ସ୍କୁଲ ବେଳେ ହେଇଯାଉଚି।

ରାଧିକା ବାଡିପଟ ବଗିଚାରେ ଥିଲେ। ହଠାତ୍ ଦଉଡି ଆସୁଆସୁ ପଥର ପାହାଚରେ ଗୋଡ ଖସିଗଲା। ମୁନିଆଁ ପଥର ଉପରେ ମୁଣ୍ଡ ମାଡ଼ ହେଲା।ମୁଣ୍ଡରୁ ବହି ଯାଉଥାଏ ଧାରଉଧାର ରକ୍ତ। ସେଇଠି ଚେତାଶୂନ୍ୟ ହୋଇ ପଡ଼ିଗଲେ ରାଧିକା। ନିକଟରେ ଥିଲା ପରିଣତି। ଚିତ୍କାର କଲା... ଧାଇଁ ଆସ , ନାନୀ ପଡ଼ିଗଲେ।"


ରାମମୋହନଙ୍କ ହୃଦୟର ସ୍ପନ୍ଦନ ସତେ ଯେମିତି ବନ୍ଦ୍ ହେଇଗଲା।ରାଧିକାଙ୍କୁ ସେ ଟେକିନେଇ ପଡୋଶୀ ସୁଦର୍ଶନ ବାବୁଙ୍କ କାରରେ ଭୁବନେଶ୍ଵରର ନେଇଗଲେ। ରାଧିକା ଚେତାଶୂନ୍ୟ ହୋଇ ରାମମୋହନଙ୍କ କୋଳରେ ଶୋଇଥାନ୍ତି।ରାମ ମୋହନଙ୍କ ଆଖିରୁ ଦୁଇ ବୁନ୍ଦା ଲୁହ ରାଧିକାଙ୍କ ମଥା ଉପରେ ଝରିପଡିଲା।

ଏମରଜେନ୍'ସି ଓ୍ବାର୍ଡରେ ଦୁଇଦିନ ରହିବାପରେ ଚେତା ଫେରି ପାଇଲେ ରାଧିକା। କିନ୍ତୁ ସବୁଦିନ ପାଇଁ ବାକ୍ ଶକ୍ତି ହରାଇ ବସିଥିଲେ। ସେଠାରୁ ଘରକୁ ନଫେରି ବଡ଼ ବଡ଼ ବିଶେଷଜ୍ଞଙ୍କ ସହିତ ପରାମର୍ଶ କଲେ ରାମ ମୋହନ। କିନ୍ତୁ ସବୁ ବେକାର।


ଘରକୁ ଫେରିଲେ ରାଧିକା। କିନ୍ତୁ ସେ ଏକ ଭିନ୍ନ ରାଧିକାରେ ପରିଣତ ହୋଇ ଯାଇଥିଲେ। ଅନେକ ସେବା ସୁଶ୍ରୁଷା ପରେ ସେ ଧୀରେ ଧୀରେ ଚାଲିବା ଆରମ୍ଭ କଲେ; କିନ୍ତୁ ମାନସିକ ସ୍ତରରେ ଛୋଟ ପିଲାଟିଏ ପାଲଟି ଯାଇଥିଲେ ରାଧିକା। ଦିନରାତି ତାଙ୍କ ସେବାରେ ଲାଗିଥିଲେ ରାମମୋହନ। ତାଙ୍କୁ ଗାଧୋଇ ଦେବା ଠାରୁ ଆରମ୍ଭ କରି ଶାଢ଼ି ପିନ୍ଧାଇଦେବା,ମୁଣ୍ଡ କୁଣ୍ଡେଇ ଦେବା ଏବଂ ଖୁଆଇ ଦେବା ପର୍ଯ୍ୟନ୍ତ ସବୁ କାମ ତୁଲାଇଥିଲେ ରାମମୋହନ।ଶେଷରେ ଚାକିରି ଛାଡିବାକୁ ପଡ଼ିଲା। ହୋମିଓପାଥି ପ୍ରକ୍ଟିସ୍ କରି ଯାହାକିଛି ମିଳୁଥିଲା,ଦୁଃଖେ ସୁଖେ ସଂସାର ଚଳାଇଥିଲେ ରାମମୋହନ।ସାନ ଭାଇ ମଧ୍ୟ କିଛି କିଛି ସାହାଯ୍ୟ କରୁଥିଲେ ।


ମାଗଣାରେ ପରାମର୍ଶ ଦେବା ଲୋକଙ୍କର ଅଭାବ ନାହିଁ ଦୁନିଆଁରେ। କିଛି ଲୋକ ରାମ ମୋହନଙ୍କୁ ପରାମର୍ଶ ଦେଲେ ଆଉ ଥରେ ବାହା ହେବାପାଇଁ;ନହେଲେ ବଂଶ ରକ୍ଷା ହେବ କେମିତି ? କିଛି ଲୋକ କହିଲେ... ତାକୁ ଛାଡିଦିଅ,ବାପଘରେ ଯାଇ ରହୁ;ପାଗଳାଣୀକୁ ପାଖରେ ରଖି ଏତେ ଜଞ୍ଜାଳ କାହିଁକି ମୁଣ୍ଡେଇବ?


ଉପଦେଶ ଦାତା ମାନଙ୍କୁ ରୋକଠୋକ୍ ଶୁଣେଇ ଦେଇଥିଲେ ରାମମୋହନ... ରାଧିକା ମୋର ଅର୍ଦ୍ଧାଙ୍ଗିନୀ,ମୋର ଗୋଟିଏ ଅଙ୍ଗ ଅଚଳ ହୋଇଗଲେ ମୁଁ କଣ ସେହି ଅଙ୍ଗକୁ କାଟି ଫୋପାଡି ଦେବି ? ଦୁର୍ଘଟଣା ରାଧିକାର ନହୋଇ ଯେବେ ମୋର ହୋଇଥାନ୍ତା; ରାଧିକା କଣ ମୋତେ ଛାଡି ଚାଲି ଯାଇଥାନ୍ତା ?ଆଉ ବଂଶ ରକ୍ଷା ପାଇଁ ପୁନଃ ବିବାହ କଥା କହୁଛ ? ରାଧିକା ମୋର ପୁଅ ଝିଅ ସବୁ କିଛି।"

ଉପଦେଷ୍ଟା ମାନଙ୍କର ମୁହଁ ବନ୍ଦ୍ ହୋଇଯାଇଥିଲା।

      

ଯୈାବନ ଅତିକ୍ରମ କରି ପରିଣତ ବୟସରେ ଏବଂ ତତ୍ପରେ ବାର୍ଦ୍ଧକ୍ୟରେ ପହଞ୍ଚିଲେ ରାମମୋହନ ଦମ୍ପତି।ରାମମୋହନଙ୍କ ଶେଷ ସମୟ ଆସିଗଲା।ଏଇ କିଛି ମାସ ତଳେ ସେ ଶେଷ ନିଶ୍ବାସ ତ୍ୟାଗ କଲେ। ମୃତ୍ୟୁ ସମୟରେ ତାଙ୍କର ଗୋଟିଏ ମାତ୍ର ଚିନ୍ତା ଥିଲା...ତାଙ୍କ ପରେ ରାଧିକାଙ୍କ କଥା କିଏ ବୁଝିବ।ଶେଷ ସମୟ ଆସିବା ଜାଣି ସେ ସାନ ଭାଇକୁ କହିଥିଲେ..ଜଗୁ,ମୋ ରାଧିକାକୁ ହତାଦର କରିବନି ରେ,ତାର ଆଉ କିଏ ଅଛି ?ମୁଣ୍ଡ ପାଖରେ ବସିଥିଲେ ରାଧିକା...ନିର୍ଲିପ୍ତ ପ୍ରତିକ୍ରିୟା ହୀନ ଥିଲା ତାଙ୍କର ମୁଖ ମଣ୍ଡଳ;ସତେ ଯେପରି ସେ ମୃତ୍ୟୁକୁ ଚିହ୍ନି ମଧ୍ୟ ଚିହ୍ନି ପାରୁନଥିଲେ।

ରାମମୋହନଙ୍କ ଦଶାହ ଦିନ ରାଧିକା ମଧ୍ୟ ଚାଲିଯିବା ଖବର ଆମେ ପାଇଲୁ। ମୃତ୍ୟୁର କାରଣ କେହି ଜାଣନ୍ତି ନାହିଁ।ବସିବା ଯାଗାରେ ହିଁ ସେ ଟଳି ପଡ଼ିଲେ।



Rate this content
Log in

Similar oriya story from Inspirational