suchismita Panda

Drama Fantasy Inspirational

3  

suchismita Panda

Drama Fantasy Inspirational

ଜୀବନର ଯାତ୍ରା

ଜୀବନର ଯାତ୍ରା

4 mins
153


     ଛୁକ ଛୁକ, ଛୁକ ଛୁକ ଶଦ୍ଦ କରି ପ୍ଲାଟଫର୍ମ ନମ୍ବର ତିନିକୁ ମାଡି ଆସିଲା କଳିଙ୍ଗ ଉତ୍କଳ ଏକସ୍ପ୍ରେସ ତାର ନିର୍ଦ୍ଧିଷ୍ଟ ସମୟଠୁ ଅଧଘଣ୍ଟା ଡେରିରେ । ଅପେକ୍ଷା ରତ ଯାତ୍ରୀଙ୍କ ଭିତରେ ହଲଚଲ ଖେଳିଗଲା କ୍ଷଣିକ ଭିତରେ । ଜେନେରାଲ କୋଚରେ ଚଢିବା ପାଇଁ ଲୋକଙ୍କ ଗହଳି ବେଶୀ । ଠେଲା ପେଲା ଭିଡ ଭିତରେ ସମସ୍ତେ ଟ୍ରେନର ରହଣି ସମୟ ଭିତରେ ଚଢିଗଲେ । ଏକକୁ ଆରକ ଧସ୍ତା ଧସ୍ତି ହୋଇ ସମସ୍ତେ କେବଳ ନିଜ ନିଜ ଷ୍ଟେସନର ଅପେକ୍ଷାରେ ରହିଲେ । ଏଇ ଭିଡ ଭିତରେ ସାମିଲ ଥିଲେ ଅନିଲ । ଭୁବନେଶ୍ବରର ଏକ ବେସରକାରୀ କମ୍ପାନୀରେ କାର୍ଯ୍ୟରତ ଅନିଲ ରାକ୍ଷୀ ଛୁଟି ସହ କିଛି ଅଧିକା ଛୁଟି ନେଇ ସେ ଯାଉଥାନ୍ତି ଘରକୁ। 

     ପାଖାପାଖି ତିନି ଘଣ୍ଟାର ବାଟ ଭୁବନେଶ୍ବର ଠୁ ଭଦ୍ରକ । ବସିବା ପାଇଁ ଜମାରୁ ସିଟ ଖାଲି ନଥାଏ ବୋଲି ସମସ୍ତେ ଛିଡା ହୋଇଥାନ୍ତି ଏକକୁ ଆରକ ଲାଗି ରହି । ଏଇ ସମୟରେ ଅନିଲର ଆଖି ପଡେ ତା ପଛକୁ ଆଉଜେଇ ଛିଡା ହୋଇଥିବା ବୃଦ୍ଧଙ୍କ ଉପରେ । ବୟସ ପାଖା ପାଖି ସତୁରୀ ଡେଇଁ ସାରିଥିବ ବୋଧେ । ହାତରେ ତାଙ୍କ ମୁଣିଟିଏ । ହାବ ଭାବ ବେଶ ପୋଷାକ ସବୁ କହି ଦେଉଥାଏ ସେ ନିହାତି ଜଣେ ଗରିବ ମଣିଷ । ପୁଣି ଦେହରୁ ଆସୁଥିବା ଭୁରୁ ଭୁରୁ ଶୁଖୁଆ ଗନ୍ଧରୁ ଜଣାପଡୁଥାଏ କି ସେ ଶୁଖୁଆ ଚିଙ୍ଗୁଡି ବ୍ୟବସାୟ କରି ମିଳୁଥିବା ଦି'ପଇସାରେ ଗୁଜୁରାଣ ମେଣ୍ଟାଉଥିବେ । 

     ଅନିଲ ଏଇ ଶୁଖୁଆ ବ୍ୟବସାୟୀଙ୍କୁ ଦେଖି ପୁରୁଣା କିଛି ସ୍ମୃତିକୁ ମନେ ପକେଇବାରେ ଲାଗିଲା । ଭିଡ ଭିତରେ ସେ ସେମିତି ଛିଡା ହୋଇ ମଧ୍ୟ ସେ ନଥିଲା ସେଠି ସେ ହଜିଥିଲା ବାଲ୍ୟ ସମୟରେ ବିତେଇଥିବା ମାମୁଁ ଘରେ । ସେତେବେଳେ ସେ ଛୋଟ ଥିଲା । ଶୁଖୁଆ ଭଜା ତାକୁ ଭାର ପସନ୍ଦ ଥିବାରୁ ଯେବେ ବି ମାମୁଁ ଘରକୁ ଯାଉଥାଏ ମାଇଁ ତା ପାଇଁ ଖାସ କରି ଶୁଖୁଆ ଭାଜି ଦେଇଥାନ୍ତି । ପୁଣି ଗରମ ଗରମ ଭାତକୁ ଡାଲି ଏବଂ ଟମାଟୋ ଚକଟା ସହ ଖଣ୍ଡେ ଶୁଖୁଆ ଭଜା ଥାଳି ପାଖରେ ରଖି ମାଇଁ ଖୁଆଇ ଦେଇଥାନ୍ତି ଗୋଟେ ପରେ ଗୋଟେ ଗୋଳା କରି। ହେଲେ ଏକଦା ରାସ୍ତାରେ ଯାଉଥିବା ବେଳେ ଦୁର୍ଘଟଣା ଯୋଗୁଁ ମାମୁଁ ମାଇଁ ଆରପାରିକୁ ଚାଲିଗଲା ପରଠୁ ଆଉ ସେ ସ୍ବାଦ ତାକୁ ମିଳିନି କେବେ । ବୋଉର ଶୁଖୁଆ ଭଜା ସହ ମାଇଁଙ୍କ ଶୁଖୁଆ ଭଜାର ତୁଳନା ନଥାଏ । ଆଉ ମାଇଁ ହାତର ଶୁଖୁଆ ଭଜାକୁ ସେ ଭୁଲିନଥାଏ । ଏଇ ଭିତରେ କଟକ ଷ୍ଟେସନ ଆସିବାଳୁ କିଛି ସିଟ ଖାଲି ହେଲା । ଦୌଡି ଦୌଡି ସମସ୍ତେ ବସିବା ଭିତରେ ମାତ୍ର ବଳକା ରହିଲା ଗୋଟେ ସିଟ ଅନିଲ ପାଇଁ । କିନ୍ତୁ ଅନିଲ ସେ ସିଟରେ ନିଜେ ନବସି ଶୁଖୁଆ ବେପାରୀ ବୃଦ୍ଧଙ୍କୁ ବସିବାକୁ ଦେଲା । ବୃଦ୍ଧ ଜଣକ ଖୁସିରେ ବସିଲେ ।

      କିଛି ସମସ୍ତ ପରେ ଅନିଲ ପୁଣି ମନେ କଲା ଶୁଖୁଆର କଥା । ଏମିତି ଥରେ ଶୁଖୁଆ ଖାଇବାର ଇଚ୍ଛା ଯୋଗୁଁ ସେ ଘରେ ତିଆରି ହୋଇଥିବା ସବୁ ଖାଇବାକୁ ଦେଖି ନାକ ଟେକି ବସିଲା । ନଖାଇ ରୁଷି ଶୋଇଲା । ବାପା ତାର ଏଭଳି ମନ ଦୁଃଖ ଦେଖି ନପାରି ସଂଗେ ସଂଗେ ସାଇକେଲଟା ନେଇ ଶୁଖୁଆ କିଣି ଆଣିଲେ । ବୋଉ ବାପା ଆଣିବା ପରେ ସଂଗେ ସଂଗେ ଭାଜି ଦେଇ ମୋତେ ଖାଇବାକୁ ଦେଲେ ଆଉ ମୁଁ ଶୁଖୁଆ ଖଣ୍ଡେ ଦେଖି ଖୁସିରେ ସବୁ ଖାଇଦିଏ । ଏମିତି ମନେ କରୁଥିବା ବେଳେ ବୃଦ୍ଧ ଜଣକ ଆଗତୁର ହୋଇ ପଚାରିଲେ-" କୁଆଡେ ଯିବ ବାପା ?"

ଅନିଲ-ଭଦ୍ରକ 

ବୃଦ୍ଧ- ଭୁବନେଶ୍ବରରେ ପାଠ ପଢୁଛ କି ?

ଅନିଲ- ନାଇଁ ମଉସା । ଛୋଟ ଚାକିରୀ ଟିଏ କରୁଛି ।

ବୃଦ୍ଧ - ଭଲ । ହେଲେ ଦେଖି ରଖି ଚଳିବ ବାପା । ଏଠି କାହାରିକୁ ଭରଷା କରିବନି । ଆଉ ବେଶୀ କଥା କହିବନି । ଆମ୍ବ ଗଛେ ଜାମୁ ଫଳିଛି କହିଲେ ମଧ୍ୟ ହଁ ଟିଏ ମାରି ନିଜ ବାଟେ ରହିବ ।

ଅନିଲ- (ଖୁବ୍ ଆର୍ଶ୍ଚଯ୍ୟ ହୋଇ ) ହଁ ମଉସା । 

ବୃଦ୍ଧ- ଖରାପ ଭାବିବନି ବାପା ଅଜଣା ମଣିଷଟିଏ ହୋଇ ଏତେ ସବୁ କହିଲି ବୋଲି । ଯେତେ ହେଲେ ବି ତୁମେ ମଧ୍ୟ ଗୋଟେ ମାଆବାପାର ପୁଅ । ସେଥିପାଇଁ କହିଦେଲି । 

ଅନିଲ- କିଛି ନାଇଁ ମଉସା । ନିଜର ଭାବି ତ କହିଲ ସେଥିରେ ଖରାପ କଣ ଅଛି ଯେ ।

   ବୃଦ୍ଧ ଜଣକ ଏକ ଛୋଟ ସ୍ମୃତ ହସ ଭିତରେ କଥା ସମାପ୍ତ କରିଦେଲେ । ଅନିଲ ଏଥର ଟିକେ ମନ କଲା ଜାଣିବାକୁ ଯେ ସେ ଏତେ ବୟସରେ କାଇଁ ଏମିତି ଦିନ ରାତି ପରିଶ୍ରମ କରୁଛନ୍ତି । ପଚାରିବ ନପଚାରିବ ଭିତରେ ସେ ଶେଷକୁ ପଚାରି ହିଁ ଦେଲା । 

ବୃଦ୍ଧ - ଆଉ କଣ ରାସ୍ତା ଅଛି ଯେ । ଏଇ ବେପାର କରି କରି ବୟସ ସରି ଆସିଲା । ଭାବିଥିଲି ପୁଅ ବଡ ହେବା ପରେ ଆଉ କଷ୍ଟ ହେବନି । କିନ୍ତୁ .....

ଅନିଲ - କଣ ହେଲା । ଅଟକି ଗଲେ କାହିଁକି ! କଣ ଆପଣଙ୍କ ପୁଅ ଅନ୍ୟ ମାନଙ୍କ ପରି ଏଇ ବୟସରେ ଆପଣଙ୍କୁ ଉପାର୍ଜନ ପାଇଁ କହୁଛନ୍ତି ।

ବୃଦ୍ଧ- ନାଇଁ ବାପା ସେଇଟା ନୁହେଁ । ପୁଅ ମୋର ଭାରି ଭଲ ଥିଲା । ଠିର ତମ ପରି ସରଳ ଏବଂ ନିରୀହ । ଏଇ ଭୁବନେଶ୍ବରକୁ ଆସିଥିଲା ପାଠ ପଢିବା ପାଇଁ । ହେଲେ ଏଠି ସେ ଆମ୍ବକୁ ଆମ୍ବ ହିଁ କହିଲା । ଚକ୍ରାନ୍ତକୁ ବୁଝିବାକୁ ସକ୍ଷମ ନହୋଇ ସେଇ ଜାଲରେ ଛନ୍ଦି ହୋଇଗଲା । ଫଳରେ ବିଶ୍ବାସ କରୁଥିବା ବନ୍ଧୁ ହିଁ ତା ସହ ବିଶ୍ବାସ ଘାତକତା କରି ତା ନିଶ୍ବାସ ଛଡାଇନେଲା ।

( ଆଖି କୋଣରୁ ଝରି ପଡିଲା ଦରଦୀ ଭରା ଅଶ୍ରୁ )

ଅନିଲ- କ୍ଷମା କରିବେ ମଉସା । ମୋତେ ଏମିତି ପଚାରିବାର ନଥିଲା । 

ବୃଦ୍ଧ- କିଛି ନାହିଁ ପୁଅ । ମୁଁ ତ ବାପା ଭାବେ ତୁମକୁ କିଛି କହିଲି । ପୁଅ ଯିବା ଦିନଠୁ ସେଇ ଦୁଃଖ ପତ୍ନୀ ପାଗେଳୀ । ତା ଖର୍ଚ୍ଚ ଉଠେଇବାକୁ ତ ଏଇ ବ୍ୟବସାୟ ଚଲାଉଛି । ଦିନ ରାତି ଭିତରେ କିଛି ହାତକୁ ଆଣୁଛି ।

    ଅନିଲ ଭାବ ବିହ୍ଵଳ ହୋଇପଡେ ଏଇ ଭିତରେ । କେତେ କଷ୍ଟ ଏଇ ଜୀବନଟା ସତରେ । ଯେଉଁ ଶୁଖୁଆ ଭିତରେ ମନ ଶାନ୍ତି ହୁଏ କେତେକ ବ୍ୟକ୍ତିଙ୍କ ସେଇ ଶୁଖୁଆ ବିକାଳୀ କେତେ ଅଶାନ୍ତିକୁ ମନରେ ଜାକିରଖି ଥାଏ ବିନା କଷ୍ଟରେ । ଏମିତି ହିଁ ସଭିଙ୍କ ଜୀବନ । ସଭିଙ୍କ ଜୀବନରେ ରହିଛି କିଛି କିଛି ଦରଦ କିଛି କିଛି ଅଶାନ୍ତି କିଛି କିଛି ନାହିଁ ନଥିବା କଷ୍ଟ । ତଥାପି ସଭିଏଁ ଏଇ ନିତିଦିନିଆ ଟ୍ରେନ୍ର ଗତି ପରି ଜୀବନର ଗତିକୁ ବଢାଇ ଚାଲିଛନ୍ତି କେତେବେଳେ ଧୀମାରେ ତ ଆଉ କେତେବେଳେ ତୀବ୍ରରୂପରେ । ଆରମ୍ଭ ସଭିଙ୍କ ସମାନ । ଶେଷ ମଧ୍ୟ ସମାନ । କେବଳ ମଝି ଯାତ୍ରା ଯାହା ଅସମାନ୍ତଳ ।



Rate this content
Log in

Similar oriya story from Drama