Santosh Kumar Nayak

Abstract Tragedy Others

3  

Santosh Kumar Nayak

Abstract Tragedy Others

ଝିଅ ପାଇଁ ମାଆ ଟିଏ

ଝିଅ ପାଇଁ ମାଆ ଟିଏ

3 mins
307



ଝିଅଟିଏ । ନାଆଁ ତାର ସୁମନି । ପିଲାଟି ଦିନରୁ ମାଆକୁ ହରେଇଛି । ଘରେ କେବଳ ବାପା ଆଉ ସେ । ପାଠ ପଢାରେ ତାର ମନ ଲାଗେନା । ତେଣୁ ସ୍କୁଲ ଉପସ୍ଥାନ ପୁସ୍ତିକାରେ ତା ନାଆଁ ଥିଲେ ବି, ସେ ସ୍କୁଲ୍ ଯାଏନି । ତାକୁ ପ୍ରଜାପତି ଧରିବାକୁ ଭଲ ଲାଗେ, ଫୁଲ ତୋଳିବାକୁ ଭଲ ଲାଗେ ଆଉ ସାଙ୍ଗ ପିଲାଙ୍କ ସାଥିରେ ଖେଳିବାକୁ ଭଲ ଲାଗେ ।


   ସୁମନିର ବାପା ହରିଶ୍ଚନ୍ଦ୍ର । ଗାଆଁରେ ସମସ୍ତେ ତାକୁ ହରିଆ ବୋଲି ଡାକନ୍ତି । ଦିନ ସାରା ପରିଶ୍ରମ ଆଉ ରାତିରେ ମଦ ପିଇ ଶୋଇବା ବ୍ୟତୀତ ସେ ଆଉ କିଛି କରନ୍ତି ନାହିଁ କହିଲେ ଚଳେ । ସୁମନି ସକାଳୁ ଉଠି ନିତ୍ୟ କର୍ମ ସାରି ରୋଷେଇ କରେ । ରୋଷେଇ ସରିଲା ପରେ ସେଥିରୁ ଟିକେ ଖାଇ ସାଙ୍ଗଙ୍କ ସହ ଖେଳିବାକୁ ଚାଲିଯାଏ । ତା ବାପା ବି ଝିଅ ରାନ୍ଧିଥିବା ଖାଦ୍ୟରୁ ମୁଠାଏ ଖାଇ ଚାଲିଯାଆନ୍ତି ନିଜ କର୍ମକ୍ଷେତ୍ରକୁ । ଦିନ ସାରା କୁଲି କାମ କରି ଯାହା ଅର୍ଜନ କରନ୍ତି, ସେଥିରୁ ଅଧା ଟଙ୍କା ନେଇ ଗଣି ଦିଅନ୍ତି ଗାଆଁ ମଦ ଭାଟିରେ । ରାତିରେ ପାଦ ଟଳମଳ କରି ଆସନ୍ତି । କେବେ ଖାଆନ୍ତି ତ କେବେ ଭୋକରେ ଶୋଇ ପଡନ୍ତି । ବାପା ଶୋଇଲା ପରେ ଝିଅ ସୁମନି କିଛି ସମୟ ତାଙ୍କ ଗୋଡ଼ ମୋଡିଦିଏ । ତାପରେ ନିଜେ ସକାଳର ରନ୍ଧା ଖାଦ୍ୟ ଖାଇ ଶୋଇପଡେ ।


   ଏମିତି ନିତିଦିନ ଚାଲେ । କିନ୍ତୁ ସେଦିନର ଘଟଣା କିଛି ଭିନ୍ନ ଥିଲା । ବାପା ଖାଇସାରି କାମକୁ ଚାଲି ଗଲେଣି । ସୁମନି କିନ୍ତୁ କିଛି ଖାଇ ନାହିଁ । ମୁହଁ ଶୁଖି ଯାଇଛି । ଖାଇବାକୁ ମନ ଲାଗୁନି । ସାଙ୍ଗ ମାନଙ୍କ ସହ ଖେଳିବାକୁ ଯାଇନି । ଘର ପାଖାପାଖି ପ୍ରଜାପତି ମାନେ ଉଡି ବୁଲୁଛନ୍ତି । ସୁମନିର କିନ୍ତୁ ସେମାନଙ୍କ ଆଡେ ନଜର ନାହିଁ । ଜାତିଜାତିକା ଫୁଲ ସବୁ ସୁମନିକୁ ହାତ ଠାରି ଡାକୁଛନ୍ତି, କିନ୍ତୁ ସୁମନିର ମନ ଟାଣୁନି । ତାକୁ ଲାଗୁଛି ସତେ ଯେମିତି ତା ଭିତରେ ଏକ ବିରାଟ ପରିବର୍ତ୍ତନ ବସା ବାନ୍ଧି ବସିଛି । ମାଆ ଥିଲେ ହୁଏତ କିଛି କହି ପାରନ୍ତା । କିନ୍ତୁ ବାପାଙ୍କୁ କହିବାକୁ ସାହାସ ହେଲାନି ବୋଲି କହି ପାରିଲାନି । ବାପା ପୁଣି ସଂଜକୁ ଫେରିବେ । ଆସିଲା ବେଳେ ସେ ମଣିଷ ଅବସ୍ଥାରେ ନଥିବେ । ଦିନ ସାରା ମନ ମାରି ବସିଲା ସୁମନି । ରାତି ସାତଟାରେ ବାପା ଫେରିଲେ ପୁଣି ଅମଣିଷ ହେଇ । ପାଦ ଟଳମଳ ଆଉ ପାଟିରେ କିଛି ଅସଭ୍ୟ ଭାଷା । ସୁମନି ପାଖକୁ ଗଲାନି । ବାପା ବି ଦଉଡିଆ ଖଟ ଉପରେ ଶୋଇଗଲେ । ବାପା ଖାଇ ନାହାଁନ୍ତି କି ସୁମନି ବି ଖାଇନି । ଆଗ ଭଳି ସୁମନି ତା ବାପର ଗୋଡ଼ ମୋଡିଲାନି । କାନ୍ଦି କାନ୍ଦି ଘର କୋଣରେ ଶୋଇଗଲା । 


   ସକାଳ ହେଲା । ବାପା ପୁଣି ଅମଣିଷରୁ ମଣିଷ ହେଲେ । ସୁମନିର ଶୁଖିଲା ମୁହଁ ଦେଖି ସେ ଜାଣି ପାରିଲେ ଯେ ତାର କଣ ଗୋଟେ ହେଇଛି । ବାପା ପଚାରିଲେ, 'କଣ ହେଲା ରେ ମାଆ, ତୋ ମୁହଁ ଶୁଖି ଯାଇଛି କାହିଁକି?' ସୁମନି କିଛି ନ କହି ଘର ଛାଡ଼ି ନଈ କୁଳ ଆଡେ ଦଉଡ଼ି ଗଲା । ବାପା ବି ତା ସହ ଦୌଡିଲେ । କିନ୍ତୁ କିଛି ବାଟ ଗଲା ପରେ ଅଟକି ଗଲେ ।


ଦେଖିଲେ ମୋତି ମାଉସୀ ସୁମନିକୁ ସାଥିରେ ନେଇ ଆସୁଛନ୍ତି ।

ମୋତି ମାଉସୀ ପାଖକୁ ଆସି କହିଲେ," କି ରେ ହରିଆ । ଖାଲି ମଦ ପିଇ ଗଡୁଥା । ଆରେ ଝିଅ ପରା ତୋର ପୁଷ୍ପ ବତୀ ହେଲା । ଝିଅ ବଡ଼ ହେଇ ଗଲା । ଏଥର ଅନ୍ତତଃ ମଦ ପିଇବା ଛାଡ଼ିଦେ ।" ମୋତି ମାଉସୀ ଝିଅକୁ ଗାଧେଇ ଦେଇ ଘରକୁ ନେଲା । ହରିଆ ସେଦିନ ତା ସ୍ତ୍ରୀ କୁ ମନେ ପକାଇ ବହୁତ୍ କାନ୍ଦିଲା । ସେଦିନ ଠାରୁ ହରିଆକୁ କେହି ମଦ ଭାଟିରେ ଦେଖିନି ।



Rate this content
Log in

Similar oriya story from Abstract