ଜାନେମନ୍
ଜାନେମନ୍
ଜାନେମନ୍
ହାଲୋ ବେ ବି !
କୈସେ ହୋ ଜାନେମନ୍ ? ଭଗା କର୍ ଲେ ଆଏଗି ଏକ୍ ଦିନ୍ ହସି ହସି କହିଲି ମୁଁ ।
ବେବି !
କଣ ହୋଇଛି ତୋର !!
ପ୍ରାୟତଃ ସେ ଫୋନ୍ କଲେ ମୁଁ ଏମିତି କୁହେ ଓ ସେ ଖିଲି ଖିଲି ହସରେ ଫାଟି ପଡେ ଫୋନ୍ ସେପଟେ । କିନ୍ତୁ ଆଜି ତା ସ୍ୱର କାନ୍ଦ ଓ ଭୟରେ ଯେପରି ମୋ ଛାତି ଫଟେଇ ଦେବ ଲାଗୁଥିଲା ।
ମୁଁ ହଠାତ୍ ସିରିଅସ୍ ହୋଇ ପଚାରିଲି କଣ ହୋଇଛି ?
ଏଇ ସଂଗେ ସଂଗେ ମୋର କିଛି ଟଙ୍କା ଦରକାର; ଦେଇ ପାରିବୁ ?
ମୁଁ ସ୍ତମ୍ଭୀଭୂତ ହୋଇଗଲି । ସ୍ଥିତିବାନ ଘରର ଝିଅ,ବୋହୁ । ନିଜେ ଜଣେ ଶିକ୍ଷିକା । ପ୍ରଚଣ୍ଡ ସ୍ୱାଭିମାନୀ । ଏତେ ଦିନ ବନ୍ଧୁତା ଭିତରେ କାରଣ ଯେତେ ବଡ଼ ହେଉ ନା କାହିଁକି ଟଙ୍କା ଦରକାର କାହାକୁ ତ କାହାକୁ ମୋତେ କହିବା ମୁଁ ଜାଣିନି । ଯଦିଓ ଆମ ବନ୍ଧୁତ୍ୱ ଖୁବ୍ ଦୃଢ଼, ବିଶ୍ୱାସ, ଭରସା ଉପରେ ଠିଆ । କଣ ଏତେ ଜରୁରୀ ଅର୍ଥ ଆବଶ୍ୟକତା ପଡିଲା ତାର ! ବିସ୍ମିତ ହୋଇ ଅନ୍ୟମନସ୍କ ହୋଇଗଲି ।
ସେ ପଟୁ ଶୁଭିଲା ସମୟ ବହୁ କମ୍, ପାରିବୁ କିଛି ଟଙ୍କା ଦେଇ !
କଣ କହୁଛୁ? ତୋର ଟଙ୍କା ଦରକାର ମୁଁ ଦେବି ନାହିଁ ? କହ କେତେ ଟଙ୍କା ?
କୋଡିଏ ହଜାର।
ଫୋନ୍ ପେ ରେ ତା ଆକାଉଣ୍ଟକୁ ଟଙ୍କା ପଠେଇ ଦେଲି ।
ଦୁଇ ଦିନ ପରେ ତା ହଜବ୍ୟାଣ୍ଡ୍ ମୋତେ କହିଲେ ତୁମ ଜାନେମନର ଗୋଟିଏ ଝିଅ ହୋଇଛି । ସିଜରିଆନ୍ ହୋଇ ।
ବହୁତ ବହୁତ ଖୁସି ଲାଗିଲା । ଦଶ ବର୍ଷ ହେଲା ତାର ମ୍ୟାରେଜ୍ ହେଲେ ବି ପିଲାଟିଏ ହେଉ ନଥିଲା । ଅନେକ ଚେଷ୍ଟା ପରେ ଯା ହେଉ ପିଲାଟିଏ ଈଶ୍ୱର ତାକୁ ଦେଲେ । ଶିକ୍ଷିତ ହେଲେ ବି ଡାକ୍ତରୀ ବିଦ୍ୟା ସହ କେତେ କୁଆଡୁ କାଟ ପାଣି, ଚେରମୂଳି, ମାନସିକ ଓଷା ବ୍ରତ କରିଛି ଓ ଯିଏ ଯାହା କହିଛି ଖାଇଛି । ପିଲାଟିଏ ପାଇଁ ବିଚାରୀ କି ଆକୁଳ, ଅଧୀର ହୋଇଛି ! ତା କଷ୍ଟ ପିଲାଟିଏ ପାଇଁ କୌଣସି ତପସ୍ୟା ଠାରୁ କମ୍ ନଥିଲା ।
ଅଦ୍ଭୁତ... ମ୍ୟାରେଜ୍ ପରେ ଦମ୍ପତି ମାନେ ନିହାତି ପିଲାଟିଏ ପାଇଁ କାହିଁକି ପାଗଳ ହୋଇଯାଆନ୍ତି କେଜାଣି । ପିଲା ମୋହର ଆସକ୍ତି ଏତେ ଯେ କିଛି ବି କରିବାକୁ ପଛାନ୍ତି ନାହିଁ । ପିଲା ନଥିବା ମାଆର ବ୍ୟାକୁଳତା କେତେ ମୁଁ ମୋ ଜାନେମନ୍ କୁ ପାଖରୁ ଦେଖି ସ୍ତମ୍ଭିଭୁତ ହୋଇଛି ।
ମୋ ସିଟି ଟ୍ରେନିଂ ମେଟ୍ ସେ । ଏତେ ଭଲ ପାଏ ମୋତେ ନ କହିବା ଭଲ । ମୋ ମ୍ୟାରେଜ୍ ବେଳକୁ ତାକୁ ଇନ୍ ଭାଇଟ୍ କରିବାକୁ ନୟାଗଡ଼ ଯାଇଥିଲି ଯେ ପଚିଶି ପ୍ରକାର ଆଇଟମ୍ କରି ଚାହିଁ ବସିଥିଲା ମୋ ବାଟକୁ ।
ଆହୁରି ଗୋଟେ ଅବସୋସ ବି ତାର ଥିଲା । ସିଏ ଯାହାକୁ ଭଲ ପାଉଥିଲା ତା ସାନ ଭଉଣୀଟି ସେଇ ଏକା ଲୋକଙ୍କୁ ଭଲ ପାଇ ତା ସହ ପଳେଇ ମ୍ୟାରେଜ୍ କରିଦେଲା । ତା ପ୍ରେମିକଟି ତା ସହ ଖେଳି ତାରି ଆଗରେ ତା ସାନ ଭଉଣୀକୁ ମ୍ୟାରେଜ୍ କରିବା ଯାଏ କଥା ଗଲା ଯେ ଏତେ ଟିକେ ସୁରାଗ ପାଇ ନଥିଲା ସେ । ଖୁବ୍ ସରଳ ସ୍ନେହୀ ଝିଅଟିଏ । ଆଜିକା ଡେଟ୍ ର ଝିଅଙ୍କ ପରି ଈର୍ଷା, ଅସୂୟା, ଛନ୍ଦ କପଟ ଆଦୌ ନଥିଲା ତା ମନରେ । ଈଶ୍ୱର କାହିଁକି କେଜାଣି ଏପରି ସଫା ସ୍ନେହୀ ହୃଦୟର ମଣିଷଙ୍କୁ ଏତେ କଷଟି ପଥରେ ପରୀକ୍ଷା କରନ୍ତି ?
ମୁଁ ତାକୁ ଜାନେମନ୍ ଏବଂ ସେ ମୋତେ ବେବି ବୋଲି ଡାକେ । ଘନିଷ୍ଠ ଅନାବିଳ ବନ୍ଧୁତ୍ୱ ଆମର । ଆରେଞ୍ଜ ମ୍ୟାରେଜ୍ ପରେ ସେ ଯାହାକୁ ପାଇଲା ଖୁବ୍ ଭଲ ବୁଝିବାର ମଣିଷଟିଏ ଥିଲେ । ସବୁ ଭୁଲି ଆଗକୁ ବଢ଼ିଲା ବେଳକୁ ପିଲା ନ ହେବା ପ୍ରୋବ୍ଲେମ୍ ତାକୁ ଖୁସିରେ ଟିକେ ବଞ୍ଚିବାକୁ ଦେଉ ନଥିଲା ।
ଖୁସି ମିଳିଲା ବେଳକୁ ସେ ବେହୋସ୍ ଓ ଆଇ ସି ୟୁ ରେ ଥିଲା । ଡେଲିଭରିରେ କଣ ତାର ଗୁଡାଏ କଂପ୍ଲିକେସନ୍ ଥିଲା ।
କହିବାକୁ ବହୁ କଷ୍ଟ ଲାଗୁଛି ତା ପିଲାଟି ଚାରିଦିନ ପରେ ମରିଗଲା । ନା ଜନ୍ମ କଲା ଛୁଆ ମୁହଁ ମୋ ଜାନେମନ୍ ଦେଖିଲା ନା କୁନି ଛୁଆଟିର ମରଣ ଜାଣି ପାରିଲା । କେତେ ଦୁଃଖ ତା ଭାଗ୍ୟେ ଷଠି ଦୁତି ଲେଖିଥିଲେ କେଜାଣି !
ଏ କଥା କି କଷ୍ଟରେ ଲେଖୁଛି କେବଳ ମୁହିଁ ଜାଣୁଛି । କୋଡିଏ ଦିନ ପରେ ଆଜି ସକାଳୁ ସକାଳୁ ଓହୋ କେମିତି କହିବି ମୋ ଜାନେମନ୍ ଆଇ ସି ୟୁ ରେ ଜୀବନ ମରଣ ସହ ଯୁଝି ଯୁଝି ଗୁଡାଏ ଦୁଃଖ, ଯନ୍ତ୍ରଣା ନେଇ ଚିର ଦିନ ଏ ଦୁନିଆଁ ଛାଡ଼ିଲା ମାତ୍ର ତିରିଶି ବର୍ଷରେ । ଏଇ ବର୍ଷକ ତଳେ ରେଗୁଲାର ଶିକ୍ଷିକା ହୋଇ ଥିଲା ସେ ।
ମଲେ ମଣିଷ କୁଆଡେ ଯାଆନ୍ତି !! କେହି ତ ବତାଅ । ଆଉ ଲେଖି ପାରିବି ନାହିଁ ।
ଓ ଜାନେମନ୍ ! ଏମିତି କରନ୍ତି !!
ମୁଁ ତୋତେ ଅନୁଭବ କରୁଛି ତୁ ଗିଫ୍ଟ୍ କରିଥିବା ହାଫ୍ ଗାର୍ଲ ଫ୍ରେଣ୍ଡ, ,ଅଫ୍ କୋର୍ସ ଆଇ ଲଭ୍ ୟୁ, ଓ ଶେଷ ଈଶ୍ୱର ଭିତରେ । ମୋ ଜନ୍ମ ଦିନରେ ଦେଇଥିବା ଷ୍ଟଲଟି ଏବେ ଛୁଇଁଲେ ମୋତେ ବହୁ କଷ୍ଟ ଲାଗୁଛି । ପୁରୀ ବିଚ୍ ଫୋଟୋ ମୋତେ ଖତେଇ ହେଉଛି । ତୁ ଦୌଡୁଥିଲୁ ବାଲି ଓ ପାଣି ଉପରେ, ମୁଁ ଧାଉଁଥିଲି ତୋତେ ଛୁଇଁବାକୁ ।
ମୋତେ ଦିଶୁଛି ତୁ ଦଉଡ଼ି ଦଉଡ଼ି ସମୁଦ୍ର ଭିତରକୁ ପଶି ପଶି ଯାଉଛୁ । ମୁଁ ଵେକେ ପାଣି ଯାଏ ଆକୁଳରେ ରଡି ଛାଡ଼ୁଛି ଜାନେମନ୍, ଫେରି ଆ, ବୁଡିଯିବୁ ।
ତୁ ପଛକୁ ଛାହି ମୁହଁ ଶୁଖେଇ କହୁଛୁ ମୋତେ କିଏ ଟାଣି ନେଉଛି ବେବି । ମୋତେ ବଞ୍ଚା ବେବି, ମୋତେ ବଞ୍ଚା ।
ତାପରେ ସବୁ ଶେଷ । ଆଉ ତୁ ଦିଶୁନୁ । ଖାଲି ସମୁଦ୍ର ପାଣି ଉପରେ ଭାସୁଛି ତୋ ଓଢଣୀ ।
ମୁଁ ଖୁବ୍ ଏକା ବେଳାଭୂମି ପରେ ଠିଆ ହୋଇ କହୁଛି, ଦେ ଫେରେଇ ଦେ ମୋ ଜାନେମନ୍ କୁ। କିନ୍ତୁ ସମୁଦ୍ର ଗର୍ଜନ ଓ ଢେଉ ଛଡା ଆଉ କିଛି ଦିଶୁନି ।
ମୁଁ ଭାରି ଏକଲା ହୋଇଗଲି ଲୋ ଜାନେମନ୍ ।
ମୁଁ ଜାଣିନି ତୁ ଏବେ କେଉଁ ତାରା କି କେଉଁଠି କେମିତି ଅଛୁ । ଯେଉଁଠି ଥା ତୋ ଆତ୍ମାର ସଦ୍ଗତି ହେଉ ।
ଯଦି ଆରଜନ୍ମ ଥାଏ ତୁ ମୋ ଜାନେମନ୍ ହେବୁ ତ !!