Sambit Srikumar

Children Stories Classics Inspirational

4.3  

Sambit Srikumar

Children Stories Classics Inspirational

ଇର୍ଷା

ଇର୍ଷା

2 mins
264



ମୁଁ ଆଉ ମୋର ଯାଆଁଳା ଭାଇ ସୁମିତ୍ ଏକଇ ମୁଦ୍ରାର ଦୁଇ ପାର୍ଶ୍ଵ ସଦୃଶ। ଏକ ଓ ଅଭିନ୍ନ! ଏକ ପ୍ରାଣ ଦୁଇ ପିଣ୍ଡ। ତାକୁ ଜ୍ଵର ହେଲେ ମୋତେ କମ୍ପ ଆସେ, ମୁଁ କଷ୍ଟ ପାଇଲେ ସେ କାନ୍ଦେ। ତା ଆଖିରୁ ଲୁହ ବହିଲେ ମୋର କୋହ ଉଠେ। ମୁଁ ତା' ଠାରୁ ମାତ୍ର କେଇ ମୁହୂର୍ତ୍ତ ବଡ଼। ଚେହେରାରେ ବି ଅନେକ ସାଦୃଶ୍ଯ, ଯେ' କେହି ବି ଧୋକା ଖାଇଯାଏ, କିଏ ସୁଜିତ୍, କିଏ ସୁମିତ୍??

ସବୁବେଳେ ଏକା ପ୍ରକାରର ପୋଷାକ ପରିଧାନ କରୁ ଆମେ ଦୁଇ ଜଣ। ଗୋଟିଏ ଥାଳିରେ ଭାତ ଖାଉ। ଗୋଟିଏ ଖଟରେ ଶୋଉ। ଗୋଟିଏ ସାଇକେଲରେ ସ୍କୁଲ ଯାଉ। କଳି ତକରାଳ କେବେ ବି କରୁନି ନା ନିଜ ଭିତରେ ନା ଆଉ କାହା ସହ। ପୁରା ଶାନ୍ତ ସୁଧାର ଜମଜ ସନ୍ତାନ ଆମ ମାତାପିତାଙ୍କର!

ଆମେ ଦୁହେଁ ଦୁହିଁଙ୍କର ଶ୍ରେଷ୍ଠ ବନ୍ଧୁ। ସତ କହିବାକୁ ଗଲେ, ଆମ ଦୁହିଁଙ୍କର ବାହାର ବନ୍ଧୁଙ୍କ ସଂଖ୍ୟା ନଗଣ୍ୟ। ପିଲାଟି ଦିନରୁ କେବେ ବି କାହାକୁ ଏକୁଟିଆ ଛାଡି ଦଣ୍ଡେ ରହି ନାହୁଁ। ଯେଉଁଠିକି ବି ଯାଉ ଏକାଠି ହିଁ ଯାଉ, ନହେଲେ ନାହିଁ। ଦିନରେ ମାତ୍ର କିଛି ସମୟ ବ୍ୟତୀତ ଆମେ ଦୁହେଁ ସବୁବେଳେ ଏକାଠି ହିଁ ଥାଉ। ଆମକୁ ଜାଣିଥିବା ସବୁଲୋକ କହନ୍ତି ଯେ, ଆମ ଭିତରେ କାଳେ ପାଣି ଗଳେ ନାହିଁ!!

ସମୟର ଚକ ଗଡ଼ି ଚାଲିଲା, ଆମେ ଦୁହେଁ ବଡ଼ ହେଲୁ। ସ୍କୁଲ୍ ଯିବାରେ ଲାଗିଲୁ। ଗୋଟିଏ ସ୍କୁଲରେ ଗୋଟିଏ ଶ୍ରେଣୀରେ ଗୋଟିଏ ବିଭାଗରେ ପଢିଲୁ, ଗୋଟିଏ ସେଟ୍ ବହି ଅବଶ୍ୟ ଖାତା ଅଲଗା ଅଲଗା। ବେଳେ ବେଳେ ମୁଁ ସୁମିତ୍ ର ସୁନ୍ଦର ହସ୍ତାକ୍ଷର ସମ୍ବଳିତ ନୋଟ୍ ସବୁକୁ ମୋର ବୋଲି କହି ଗୁରୁଜୀ ଗୁରୁମାଙ୍କ ଆଗରେ ପ୍ରଦର୍ଶିତ କରାଇ ବାହାବା ନିଏ। ସୁମିତ୍ କେବେ ବି କିଛି ପ୍ରତିବାଦ କରିନି ବରଂ ମୁରୁକି ହସି ଦିଏ। ତାର ସେଇ ମୁଚୁକୁନ୍ଦ ହସରେ ମୁକ୍ତା ଝରେ!

ଆମ ଭିତରେ କେବେ ବି କୌଣସି ପ୍ରତିଦ୍ୱନ୍ଦିତା ନଥାଏ ପାଠପଢ଼ାରେ। ମୁଁ ଅପେକ୍ଷାକୃତ ଭାବେ ସୁମିତ୍ ଠୁ ମେଧାବୀ, ଶ୍ରେଣୀରେ ପ୍ରଥମ ହେଉ ଥିବା ବେଳେ ସେ ଦ୍ବିତୀୟ ସ୍ଥାନ ଅଧିକାର କରେ ସର୍ବଦା। କିନ୍ତୁ ନମ୍ବରର ଫରକ ବିଶେଷ ନଥାଏ। ମାତ୍ର ପାଞ୍ଚ ସାତ ନମ୍ବରର ଫରକ ଯାହା। ଖେଳା ଖେଳି ଦୌଡ଼ କୁଦରେ କିନ୍ତୁ ସୁମିତ୍ ଆଗୁଆ ରହେ ସବୁବେଳେ ମୋ ଠାରୁ। ଏମିତି ଗଡ଼ି ଚାଲିଥାଏ ସମୟର ଚକ୍ର ଆଗକୁ ଆଗକୁ। ଆମ ଦୁଇ ଭାଇଙ୍କୁ ନେଇ ଆମ ପରିବାରର ସଭିଏଁ ଟିକେ ହାଲୁକା ଗର୍ବ ଅନୁଭବ କରନ୍ତି। କରିବା ମଧ୍ୟ ସ୍ବାଭାବିକ କିନ୍ତୁ ବାହାରେ କାହା ଆଗରେ ଏହାକୁ ପ୍ରଦର୍ଶନ କରନ୍ତି ନାହିଁ କେବେ ବି। ବରଂ ଆମର ପ୍ରଶଂସା ଶୁଣି ନୀରବ ରୁହନ୍ତି।

                                  

ଯେଉଁଦିନ ଆମର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହେଲା, ସେହିଦିନ ମୁଁ କିଛି ଅସ୍ବାଭାବିକ ଅନୁଭବ କରୁଥିଲି। ମନରେ ମୋର ନିଆଁ ଜଳୁଥିଲା, ଛାତିରେ ଦୁଃସହ୍ଯ କୋହ ଭରିରହିଥିଲା। ନା ମୁଁ କାହାକୁ କିଛି କହିପାରୁଥିଲି ନା କିଛି କରିପାରୁଥିଲି। ଜୀବନରେ ଏମିତି ଆଗରୁ ମୋ ସହ କେବେ ବି ହୋଇନଥିଲା। ବଡ଼ ଅସ୍ବସ୍ତି ବୋଧ ହେଉଥିଲା। ମୋର ଅଷ୍ଟାଙ୍ଗ ଶରୀର ଯୁଗପତ୍ କ୍ରୋଧ ଆଉ ଭୟରେ ଥରିଉଠିଲା, ଯେବେ ମୁଁ ଦେଖିଲି ମୋ ଭାଇ ସୁମିତ୍ ପ୍ରଧାନର ନାମ ବେଷ୍ଟ-ଟେନ୍ଥ ଲିଷ୍ଟର ଅଷ୍ଟମ ସ୍ଥାନରେ.... ଆଉ ମାତ୍ର ପାଞ୍ଚ ନମ୍ବର ପାଇଁ ମୁଁ ରହିଯାଇଥିଲି ଦୌଡ଼ରେ ବହୁ ପଛରେ।

ଘର ପରିବାର ସାହି ପଡିଶା ବନ୍ଧୁ ବାନ୍ଧବ ଏପରିକି ମିଡିଆବାଲାଏଁ ସଭିଏଁ ତାକୁ ବାଃ ବାଃ କରୁଥିଲେ ଆଉ ପ୍ରଶଂସାରେ ପୋତି ପକାଉଥିଲେ। ସେ କିନ୍ତୁ ନିର୍ବିକାର ଥିଲା। ପ୍ରତିକ୍ରିୟା ଶୂନ୍ଯ ଥିଲା। ପୂର୍ବପରି ସେମିତି ମୁରୁକି ମୁରୁକି ହସୁଥିଲା ଯାହା। ସେଦିନ ବି ତାର ମୁଚୁକୁନ୍ଦ ହସରୁ ମୁକ୍ତା ଝରୁଥିଲା। କିନ୍ତୁ କେଜାଣି କାହିଁକି ମୋତେ ସେଇ ମୁକ୍ତା ସବୁ ବିଦ୍ରୁପ କରୁଥିଲେ...



Rate this content
Log in