ହିସାବ ନିକାସ
ହିସାବ ନିକାସ


ମଣିଷ ଯେମିତି ନିଜ ଦୈନଦିନ ଚଳଣି ଭିତରେ ଆର୍ଥିକ ହିସାବ କିତାବକୁ ଖାତାରେ ଟିପି ରଖି ମିତାବ୍ୟୟି ହେବାକୁ ଚେଷ୍ଟା କରେ,ନିଜ ବ୍ୟକ୍ତି ଗତ ଅଭାବ ଅସୁବିଧା,ମାନ ସମ୍ମାନକୁ ଡାଇରୀରେ ଟିପି ରଖି ନିଜ ଭୁଲକୁ ସୁଧାରେ, ମାନ ଅପମାନ ଭୁଲି କେମିତି ଭଲ କାମ କରିବ ତାହାର ହିସାବ ନିକାଶ କରୁଥାଏ,ଓ ନିଜ ପ୍ରତିଭାର ହିସାବ ନିକାଶକୁ ସାହିତ୍ୟ,ଚିତ୍ରକଳା, ନାଚ, ଦାଶକାଠିଆ, ପାଲା, ଡ୍ରଇଂ ଇତ୍ୟାଦିକୁ କମ୍ପ୍ୟୁଟର ଭିତରେ ସାଇତି ରଖି ତାକୁ ସବୁ ମାର୍ଜିତ ଓ ପରିମାର୍ଜିତ କରୁଥାଏ ସମୟର ତାଳେ ତାଳେ ହିସାବ ନିକାଶ କରି। ଠିକ ସେମିତି ବିଧାତା ମଧ୍ୟ କେତେବେଳେ କୋଉ ରୂପରେ ହିସାବ କରୁଥାନ୍ତି ମଣିଷର ତଥା ଜୀବଜନ୍ତୁଙ୍କର ଭଲ ଓ ମନ୍ଦ କର୍ମସବୁକୁ।
ସେହି ଏକ ଗାଁଟିର କଥା। ଜଗନ୍ନାଥଙ୍କ ପାଇଁ ଅବଢ଼ା କୁଡୁଆ ତିଆରି କରି ନେଇ ପୁରୀ ଧାମରେ ଦେଇ ଉପାର୍ଜ୍ଜନରୁ କୁଟୁମ୍ବ ପ୍ରତିପୋଷଣ କରନ୍ତି ନୀଳମାଧବ। ପୁଅ ସାହାଯ୍ୟ କରେ ସାତପୁରୁଷି କୌଳିକ ବୃତ୍ତିରେ ବାପାଙ୍କୁ ଅବସର ସମୟରେ ଆଉ ସ୍କୁଲ ଯାଉଥାଏ ପ୍ରତିଦିନ। ଭଲ ପଢେ ବୋଲି ତାକୁ ସମସ୍ତେ ଭଲ ପାଆନ୍ତି ଖୁବ। ସେ ବର୍ଷ ଗଣେଷ ପୂଜା ପୂର୍ବରୁ ପରୀକ୍ଷା ରେଜଲ୍ଟ ବାହାରି ସାରିଥାଏ ଓ ନୀଳମାଧବଙ୍କ ପୁଅ ରୋହିତ କ୍ଲାସରେ ଫାଷ୍ଟ ହୋଇଥିବାର ଖବର ଗ୍ରାମ ମୁଖିଆଙ୍କ କାନକୁ ଯାଏ। ଏତେ ଯାକଜମକରେ ଗଣେଷ ପୂଜା ପାଳନ କରି ଦେବ ଦେବ ବିଘ୍ନବିନାଶନଙ୍କ ପୂଜା କରୁଥିବା ଗ୍ରାମ ଜମିଦାର ତଥା ମୁଖିଆଙ୍କ ପୁଅ ଚନ୍ଦ୍ରଭାନୁ ପରିବର୍ତ୍ତେ ରୋହିତ କ୍ଲାସରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ, ଜମିଦାର ରାଗି ପାଚି ନୀଳମାଧବ ଘରକୁ ଯାଇ ସେଦିନର କୁଡୁଆ ଗୁଡିକ ଭାଙ୍ଗିଦେଇଥିଲେ। ନୀଳମାଧବ ମନଦୁଃଖରେ ଜଗନ୍ନାଥଙ୍କୁ ହାତଯୋଡି କ୍ଷମା ମାଗିଥିଲେ ପ୍ରଭୁ ଷାଠିଏ ପଉଟି ମଣୋହିରେ ଆଜି ମୋ କୁଡୁଆ ଲାଗିପାରୁନି। ଜଗତର ନାଥ ଜଗନ୍ନାଥ, ଭକ୍ତର ଆରତ ଶୁଣନ୍ତି, ଅହଙ୍କାରୀ ଲୋକକୁ ଉଚିତ ଶିକ୍ଷା ଦିଅନ୍ତି। ସେହି ଦିନ ଜମିଦାରଙ୍କୁ ସର୍ପ ଦଂଶନ କଲା। କେହି ଦଉଡି ଆସିନଥିଲେ ମଧ୍ୟ ନୀଳମାଧବ ଓ ରୋହିତ ଦଉଡି ଆସିଥିଲେ। ଜଗନ୍ନାଥଙ୍କ ନାମ ଉଚ୍ଚାରଣ କରି ନୀଳମାଧବ ଝାଡ଼ି ଦେଇଥିଲେ ଜମିଦାରଙ୍କୁ ତ ରୋହିତ ବିଘ୍ନ ବିନାଶନଙ୍କ ସ୍ତୋତ୍ର ବୋଲି ସାଙ୍ଗର ବାପାଙ୍କୁ ଠିକ କରିଦିଅ ପ୍ରଭୁ ଗଣନାଥ କହୁଥିଲେ। ସେ ଦୁହିଁଙ୍କ ଆଶୁ ଚିକିଚ୍ଛାରେ ସୁସ୍ଥ ହେଲା ପରେ ଜମିଦାର କ୍ଷମା ମାଗି ଅନୁତାପ କରି କହିଥିଲେ କୁକର୍ମ ଓ ସୁକର୍ମର ହିସାବ ନିକାଶ ଭଗବାନ ହିଁ କରିଥାନ୍ତି। ବିଶ୍ୱାସେ ଠାକୁର ନାମାନିଲେ ପଥର। ଆତ୍ମବଡ଼ିମା ଓ ଅହଙ୍କାର ଭଗବାନ ସହ୍ୟ କରନ୍ତି ନାହିଁ। ସବୁ ହିସାବ ତାଙ୍କ ପାଖରେ।ବିନୟ ବଚନ।। କହି ତୋଷିବ ଜନମନ, ଏହା ଜଗନ୍ନାଥ ଦାସ ଲେଖିଯାଇଛନ୍ତି। ଆଜି ଜମିଦାରଙ୍କ ମୁଁହରୁ ମିଷ୍ଟ ବଚନ ଶୁଣି ନୀଳମାଧବ ଚୁପ ରହିଲେ। ଆଉ ଆଗ ଅପେକ୍ଷା ମାନଧ୍ୟାନ ଦେଇ କୁଡୁଆ ତିଆରି କରି ଚାଲିଲେ। ଏଣିକି ପ୍ରତିବେଶୀ ହିସାବରେ ଜମିଦାର ନୀଳମାଧବଙ୍କ ପରିବାର ପ୍ରତି ଶୁଭେଛୁ ରହିଲେ ଜଗନ୍ନାଥ ଓ ଗଣେଷ ପ୍ରଭୁଙ୍କ ମହିମାରେ। ରୋହିତ ଓ ଚନ୍ଦ୍ରଭାନୁ ମନ ଦେଇ ପାଠ ପଢି ଭଲମଣିଷ ହେବାକୁ ଶପଥ ନେଇଥିଲେ।
ଚନ୍ଦ୍ରକଳା ପରି ବଡ଼ ହେଉଥିଲେ ରୋହିତ ଓ ଚନ୍ଦ୍ରଭାନୁ। ଦୁହେଁ ଦୁହିଁଙ୍କ ଭଲ ସାଙ୍ଗ ଥିଲେ ସତ ହେଲେ ରୋହିତ ଭଳି ଚନ୍ଦ୍ରଭାନୁ ସମସ୍ତଙ୍କ ସହ ସୁସମ୍ପର୍କ ରଖୁନଥିବାରୁ ରୋହିତ ବ୍ୟସ୍ତ ହୋଇ ସମସ୍ତଙ୍କ ସହ ମିଳିମିଶି ଚଳିଲେ ବିପଦ ବେଳେ ସମସ୍ତେ ସାହାଯ୍ୟ ସହଯୋଗ କରିବେ କହି ରୋହିତ, ଚନ୍ଦ୍ରଭାନୁକୁ ଏକ କାହାଣୀ ଶୁଣେଇ ଥିଲା।ବଣରେ ଥିବା ହନୁମାଙ୍କଡ଼ ଏକମାତ୍ର ବୁଢାମାଙ୍କଡ଼କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ଖିଙ୍କାରି ଗୋଡ଼ାଉଥିଲା ତ କେହି ତାକୁ ଭଲ ପାଉନଥିଲେ। ବୁଢାମାଙ୍କଡ଼ ସବୁବେଳେ ବୁଝାଇଲେ ମଧ୍ୟ ହନୁମାଙ୍କଡ଼ ତାଙ୍କ କଥା ଶୁଣୁନଥିଲା। ଏମିତି ପ୍ରକୃତି ଯୋଗୁଁ ତାକୁ କେହି ସଙ୍ଗତ କି ପଙ୍ଗତରେ ଲୋଡୁନଥିଲେ। ଭୋଜି ଭାତ କରିବା, ଡ଼ାଳମାଙ୍କୁଡ଼ି ଖେଳିବା କି ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାରେ ହନୁମାଙ୍କଡ଼ ସାଙ୍ଗ କେହି ହେଉନଥିଲେ। ଆସ୍ତେ ଆସ୍ତେ ବୁଢ଼ାମାଙ୍କଡ଼ ମରିଗଲା ପରେ, ସମସ୍ତେ ବଣର ଫଳମୂଳ ସରିଯିବା ପରେ ସେ ବଣ ଛାଡ଼ି ଅନ୍ୟ ଏକ ବଣକୁ ଗଲାବେଳେ ତାକୁ କେହି ସାଙ୍ଗରେ ଧରି ନେଇନଥିଲେ। କାରଣ ସେତେବେଳକୁ ସେ ବୁଢା ହୋଇସାରିଥିଲା। ତା ଦେହରେ ଆଉ ବଳ ନଥିଲା। ଗୁରୁ ତୁଲ୍ୟ ବୁଢାମାଙ୍କଡ଼ ମରିଯିବା ପରେ କେହି ତାକୁ ଭଲ ପାଉନଥିଲେ। ସେ ତେଣୁ ଏକାକି ସେହି ବଣରେ ଥାଏ। ସେଦିନ ସେ ବାଟ ଦେଇ ବାଘ ଯିବା ବେଳେ ହନୁମାଙ୍କଡ଼କୁ ଦେଖି ଖାଇବ ବୋଲି ଭାବି ଛକି ରହିବା ଦେଖି। ସେ ବଣମୂଲକକୁ ଆସିଥିବା ଦଳେ ନୂଆ ମାଙ୍କଡ଼, ହନୁମାଙ୍କଡ଼ ପାଖାପାଖି ରହିବାରୁ ବାଘ ସାହାସ କରି ଆଉ ହନୁମାଙ୍କଡ଼କୁ ମାରି ଖାଇ ନପାରି ଚାଲିଗଲା। ଗୁରୁ ପରି,ଏକତା ହିଁ ବଳ ବୋଲି କହୁଥିବା ବୁଢା ମାଙ୍କଡ଼କୁ ଝୁରି ଝୁରି ବୁଢା ହୋଇ ମରିବା ପୂର୍ବରୁ ସେ ବୁଝିସାରିଥିଲା ମିଳିମିଶି ଚଳିଲେ ଶତ୍ରୁ ତୁମ ପାଖେ ପଶିବାକୁ ସାହାସ କରିବନାହିଁ।
ଚନ୍ଦ୍ରଭାନୁ ଏକଥା ଶୁଣିବା ପରେ ନିଜକୁ ବଦଳାଇବା ପାଇଁ ସର୍ବଦା ଚେଷ୍ଟା କରୁଥିବା ବେଳେ କଣ କରିବାକୁ ହେବ ଭାବି ଜଣେ ଗୁରୁଙ୍କ ପରାମର୍ଶ ପାଇବା ପାଇଁ ସାଧୁଙ୍କୁ ଭେଟିବା ପରେ, ସେ କହିଥିଲେ ମିଳିମିଶି ଚଳିବା ତ ଠିକ କଥା କିନ୍ତୁ ମହୁମାଛି ଭଳି ନିଜ କର୍ମ କରି ଚଳିଲେ ବିଜୟ ସୁନିଶ୍ଚିତ। କାହାର ଅମଙ୍ଗଳ ଚିନ୍ତା ନକରି ମନରେ ରାଗ ରୋଷ ଦ୍ୱେଷ ହିଂସା ନରଖି କର୍ମ କରିଚାଲିଲେ ନିଶ୍ଚୟ ସଫଳତା ତୁମ ଚରଣ ସ୍ପର୍ଶ କରିବ। ସେହିଦିନୁ ରୋହିତ ମନଧ୍ୟାନ ଦେଇ ପାଠ ପଢିବା ସହ ସେଵା,ଦାନ, ମଣିଷପଣିଆ ଗୁଣ ଗୁଡିକୁ ଆହାରଣ କରିବା ପାଇଁ ଲାଗି ପଡିଲା। ଗାନ୍ଧିଜୀଙ୍କ ଅହିଂସା ନୀତି ଓ ଗୋପବନ୍ଧୁଙ୍କ ସେଵା ଓ ତ୍ୟାଗର ନିଦର୍ଶନ ଦେଖି ଶୁଣି ପଢି ସେ ଦିନେ ରୋହିତ ପରି ଭଲମଣିଷ ହେବା ସହ କଲେକ୍ଟର ହୋଇପାରିଲା।କିନ୍ତୁ ରୋହିତ ସହ ମିଶି ଧର୍ମ ବାଖ୍ୟା ଓ ଯୁଗର ବାଖ୍ୟା କରି ସାହିତ୍ୟ ସୃଷ୍ଟି କରିବାକୁ ବ୍ରତୀ ହୋଇ ସମାଜର କଲ୍ୟାଣ କରିଚାଲିଥିଲେ।