Satyabati Swain

Classics

4  

Satyabati Swain

Classics

ହେ ସ୍ରଷ୍ଟା

ହେ ସ୍ରଷ୍ଟା

5 mins
259


 ଗୋଟିଏ ମନ ଅଛି କେହି କଣ ବୁଝିଲେ !

ହେ ସ୍ରଷ୍ଟା! କାହିଁକି ନାରୀକୁ ଦେଲ ଅମାପ ସୌନ୍ଦର୍ଯ୍ୟ; ପୁଣି ପୁରୁଷ ଆଖିରେ ଦେଲ ସୌନ୍ଦର୍ଯ୍ୟର ଅଦମ୍ୟ ପିପାସା !

ଦ୍ୟୁତ କ୍ରୀଡ଼ାରେ ଯୁଧିଷ୍ଟିର ହାରିବା ପରେ ବାରମ୍ବାର ଡାକରା ଆସିଲେ ବି ମୁଁ ଯାଉ ନଥିଲି ସଭାଗୃହକୁ।ଋତୁସ୍ରାବ ନାରୀ ସାତ ଦିନ ପୁରୁଷ ମୁଖ ଦର୍ଶନ କରିବା ବିଧି ନାହିଁ।କେମିତି ଯିବି ଏକବସ୍ତ୍ର ପରିହିତା ହୋଇ ଶହ ଶହ ପୁରୁଷ ଆଖି ପାଖକୁ ? ଯେଉଁ ଆଖିରେ ଅଶ୍ଳୀଳ ଭାଵ ଭର୍ତ୍ତୀ।!

ଏ ପ୍ରଶ୍ନ ମୋତେ ଯେତିକି ଚକିତ କରିଥିଲା ତାଠାରୁ ଆହୁରି ଲଜ୍ଜାଜନକ ପରସ୍ଥିତି ମୋତେ ହୁଏତ ଅପେକ୍ଷା କରିଥିଲା।

ନାରୀ ମୁଁ, ପୁରୁଷର ସ୍ୱାଭିମାନ।ମୋ ସମ୍ମାନର ସୁରକ୍ଷା ପୁରୁଷ ହାତରେ।କିନ୍ତୁ ମୋ ସୁରକ୍ଷା ବାଡ଼ କ୍ଷେତକୁ ଖାଇବାକୁ ଚାହିଁଲେ କିଏ ବା ଆଉ ରକ୍ଷା କରିବ?

ଦୁଷ୍ଟ ଦୁଃଶାସନ ମୋତେ ବଳ ପୂର୍ବକ ମୋ କେଶ ଧରି ଟାଣି ଟାଣି ସଭାକୁ ନେଇଗଲା।ମୁଁ ଯଜ୍ଞରୁ ଜନ୍ମ ଯାଜ୍ଞସେନୀ,ଦ୍ରୌପଦୀ ସଭା ଗୃହରେ ଆକୁଳ ପାର୍ଥନା କଲି। ମୋ ନାରୀ ଧର୍ମ ରକ୍ଷା କରିବାକୁ ଗୋଟି ଗୋଟି ମୋ ପିତୃ ପିତୃବ୍ୟ ଗୁରୁଦେବ ସମସ୍ତଙ୍କୁ ପଚାରିଲିଥିଲି ଏ କେଉଁ ବ୍ୟବସ୍ଥା! ଏ କେଉଁ ନ୍ୟାୟ!।କାହିଁକି ମୁଁ ଲାଞ୍ଚିତା,ଅପମାନିତା!

କିନ୍ତୁ ପୁରୁଷଟିଏ କେବଳ ମାତ୍ର ପୁରୁଷଟିଏ।ସେ ସମ୍ପର୍କ ଖୋଳପା ସିନା ପିନ୍ଧିଥାଏ କିନ୍ତୁ ତା ଭିତରେ ହିଂସ୍ର ପୁରୁଷ ପଶୁ ପ୍ରବୃତ୍ତିର ପୁରୁଷଟିଏ ହିଁ ଥାଏ।ସଭାଗୃହର ଉପସ୍ଥିତ ପ୍ରତି ମାନ୍ୟ ଗଣ୍ୟ ବ୍ୟକ୍ତି ହିଁ ସେଠି ହିଁ ପୁରୁଷ ଆଉ ମୁଁ ଏକମାତ୍ର ଅସହାୟ ନାରୀ।କରୁଣ ଚିତ୍ତରେ ଏ କେଉଁ ନ୍ୟାୟ,ଏ କେଉଁ ଶାସ୍ତ୍ର ଅନୁମୋଦିତ ବୋଲି ପ୍ରଶ୍ନ କରୁଥିଲି।ମୋର ପଞ୍ଚ ପତି ମଧ୍ୟ ନିରୁପାୟ ଦୁର୍ବଳ ପରି ମୁହଁ ତଳକୁ କରି ବସିଥିଲେ।

ଆଉ ଦୁଃଶାସନ ମୋତେ ଅରକ୍ଷିତ ନାରୀ ପରି କୁ ଭାଷା କୁ ଇଙ୍ଗିତ କରୁଥାଏ।ଦୁର୍ଯ୍ୟୋଧନ ମୋତେ ତା ଜଙ୍ଘ ଉପରେ ବସାଇବାକୁ ସଂକେତ ଦେଉଥାନ୍ତି।କି ଅପମାନ ,ଲଜ୍ୟା !

ଦୁଃଶାସନ ମୋତେ ଉଲଗ୍ନ କରିବା ପାଇଁ ମୋ ବସ୍ତ୍ର ଟାଣିବାକୁ ଲାଗିଲା।ମୋର ଅସହାୟ ଭାବ ଦେଖି ତୁମେ କଣ ଦୟା କଲ ?ଆଶ୍ଚର୍ଯ୍ୟ ଏଇ ଟିକକ ପୂର୍ବରୁ ଯେଉଁ ଦୁଃଶାସନ ବାହାସ୍ପୋଟ ମାରୁଥିଲା ବସ୍ତ୍ର ଟାଣି ଟାଣି ସେ ହାଲିଆ ହୋଇ ପଡିଲା। ଶୁନ୍ୟରୁ ଲମ୍ବି ଆସୁଥିଲା ଖଣ୍ଡିଏ ପରେ ଖଣ୍ଡିଏ ବସ୍ତ୍ର ଅଦୃଶ୍ୟରେ।ଦେଖୁଥିଲି ମୁଁ,କିନ୍ତୁ ଦେଖୁ ନଥିଲେ କେହି।

ସବ୍ଧ ଚକିତ ସଭା ଗୃହର ଉପସ୍ଥିତ ପ୍ରତ୍ୟେକ ରାଜା,

ବିଦ୍ୱାନ,ବିଜ୍ଞ,ଗୁରୁ ଗୁରୁ ଜନ।କାହା ମୁହଁରୁ ସ୍ଫୁରୁ ନଥିଲା ଭାଷା।ଏ କି ବିଚିତ୍ର ଘଟଣା ! ମୋ ଦେହରୁ ବସ୍ତ୍ର ଶେଷ ହେବାର ନାଁ ନେଉ ନଥିଲା।ପାହାଡ଼ ପରି ଗଦା ହୋଇଥିଲା ବସ୍ତ୍ର।ସଭାଗୃହ ସମବେତ ସମସ୍ତ ବ୍ୟକ୍ତି ସ୍ତମ୍ଭିଭୂତ ହୋଇ ସତୀ ସତୀ ବୋଲି ପ୍ରଶଂସା ଅଜାଡି ପକାଉଥିଲେ।ଏଇ ଟିକକ ପୂର୍ବରୀ ଯେଉଁ ମାନଙ୍କ ଲୋଲୁପ ଦୃଷ୍ଟି ଚାହିଁ ରହିଥିଲା ଦେଖିବାକୁ ମୋ ଉଲଗ୍ନ ରୂପ ଯୌବନ।

ଅପମାନରେ ଜର୍ଜରିତ ମୋର ଦେହ ଆତ୍ମା।କେବଳ ମାତ୍ର କେବଳ ଦୁର୍ଯ୍ୟୋଧନ ସମେତ କୁରୁ ବଂଶ ଧ୍ୱଂସ ହିଁ ଚାହୁଁ ଥିଲି।ଜଣେ ନାରୀ ଆଖି ଲୁହରେ ନିଶ୍ଚୟ ନାଶ ହେବ କୁରୁକୂଳ,ଏହା ହିଁ ମୋର ସେବେଠାରୁ ପରମ ଓ ପ୍ରଥମ ଲକ୍ଷ୍ୟ ହେଲା।ବାରବର୍ଷ ବନବାସ ଓ ଏକ ବର୍ଷ ଅଜ୍ଞାତ ବନବାସ ଦଣ୍ଡ ଦିଆ ଗଲା ହାରି ଯାଇଥିବା ଧର୍ମରାଜ ସମେତ ପଞ୍ଚ ପାଣ୍ଡବଙ୍କୁ। ପତି ମାନଙ୍କ ସହ ମୁଁ ବି ଗଲି ମୋ ପତ୍ନୀ ଧର୍ମ ନିଭାଇବା ପାଇଁ।

ଯେଉଁଠିକୁ ଗଲେ ବି କଷଣ ମୋ ପିଛା ଛାଡୁ ନଥିଲା।ମୋ ନାରୀ ଜୀବନର ପ୍ରତି କ୍ଷଣେ ଧୈର୍ଯ୍ୟ ଓ ଧର୍ମର ପରୀକ୍ଷା ନିଆ ଯାଉଥିଲା।ଏତେ କଷ୍ଟ,କି ପୀଡା କଣ ଗୋଟିଏ ଜନ୍ମରେ କେହି ସହିପାରେ ! କିନ୍ତୁ ମୁଁ ପାଇଥିଲି ଏପରି କଷ୍ଟ।ମୋ କଷ୍ଟ କାଳେ ପୃଥିବୀ ବକ୍ଷରେ ଧର୍ମ ସଂସ୍ଥାପନ କରିବ ! ଧନ୍ୟ ହେ ବିଧାତା ତୁମ ଧର୍ମ ସଂସ୍ଥାପନା ପାଇଁ ମୁଁ ହି ବଳି ପଡୁଥିଲି !!

ଜୀବନଟି ମୋର କେବଳ ପରୀକ୍ଷା ଆଉ ପରୀକ୍ଷାରେ ପୂର୍ଣ୍ଣ।ପରୀକ୍ଷା କିନ୍ତୁ ସରୁ ନଥିଲା।ହେଉ ନଥିଲା ମୋ କଷ୍ଟର ଅନ୍ତ।ଅଜ୍ଞାତ ବନବାସ ସମୟରେ କାମ୍ୟକ ବନରେ କିଛିଦିନ ରହିଲା ପରେ ବଣରୁ ବଣ ଘୁରି ଘୁରି ବାର ବର୍ଷ ବନବାସର ଅବସାନ ସିନା ହେଲା ;କିନ୍ତୁ ଯେଉଁ ଏକ ବର୍ଷ ଅଜ୍ଞାତ ବନବାସ କରିବାର ଥିଲା

,ତାହା ସବୁଠାରୁ କଠିନ ସମୟ ଥିଲା।ଚିହ୍ନା ପଡିଲେ ସର୍ତ୍ତ ଅନୁଯାୟୀ ପୁଣି ବାର ବର୍ଷ ବନବାସୀ ହେବାକୁ ପଡିବ।ଏଣୁ ଖୁବ୍ ସାବଧାନର ସହିତ ମତ୍ସ ଦେଶର ରାଜଧାନୀ ବିରାଟ ନଗରୀରେ ଆମେ ସମସ୍ତେ ଛଦ୍ମ ବେଶ ଧାରଣ କରି ରହିଲୁ।ଧର୍ମରାଜ ଯୁଧିଷ୍ଠିର କଙ୍କ ବ୍ରାହ୍ମଣ ନାମରେ ରାଜାଙ୍କୁ ଖୁସି ଦେବା ପାଇଁ ଓ ପଶା ଖେଳରେ ସହଯୋଗ ଦେବାପାଇଁ ରହିଲେ।ଭୀମ ବଲ୍ଲଭ ରୋଷେଇଆ ଭାବେ,ଅର୍ଜୁନ ନପୁଂସକ ବୃହନ୍ନଳା ରୂପେ ରାଜ କୁମାରୀ ଉତ୍ତରାଙ୍କ ନାଚ ଶିକ୍ଷକ ହେଲେ।ନକୁଳ ଗ୍ରନ୍ଥିକ ନାମରେ ଅଶ୍ୱ ରକ୍ଷକ ଓ ସହଦେଵ ତନ୍ନପାଳ ରୂପେ ଗୋରୁ ଗାଈଙ୍କ ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିଲେ।

ନିଜ ପତି ମାନଙ୍କୁ ଦାସ ଭାବେ ଖଟିବା ଦେଖି ମୋ ପତ୍ନୀ ପ୍ରାଣ ବିକଳ ହେଉଥିଲା ପ୍ରତି କ୍ଷଣେ।ବିଶେଷ କରି ଅର୍ଜୁନଙ୍କ ନପୁଂସକ ବେଶ ମୋତେ ଗଭିର କ୍ଷତାକ୍ତ କରୁଥିଲା।ଏଇ ମୋର ବୀର ଶ୍ରେଷ୍ଠ ଇପ୍ସିତ ପୁରୁଷ ଯାହାଙ୍କୁ କାମନା କରି କେତେ ବିରହ ବ୍ୟଥା ଅଭିମାନରେ କଟେଇଛି ;ସେ ଆଜି ନପୁଂସକ,ନୃତ୍ୟ ଗୁରୁ! ନାଚୁଛନ୍ତି ଅଣ୍ଟା ମୋଡି,ଆଖି ନଚାଇ।ଗୋଟେ ସ୍ତ୍ରୀ ପକ୍ଷେ ଏ ଦୃଶ୍ୟ କେତେ ଦୃଷ୍ଟିକଟୁ!

ଅନଳରୁ ଜାତ ,ସେଇପାଇଁ ବୋଧେ ଜଳୁଥିଲି ପ୍ରତି ମୁହୂର୍ତ୍ତ।

ମୋ ଜୀବନରେ ପୁଣି ଏକ ବିଡ଼ମ୍ବିତ ଅଧ୍ୟାୟ ସୃଷ୍ଟି ହେଲା।ମୁଁ ସୈରୀନ୍ଧ୍ରି ନାମକ ଦାସୀ ଭାବେ ବିରାଟଙ୍କ ରାଣୀ ସୁଦେଷ୍ଣା କେଶ ବିନ୍ୟାସ କରିବା ପାଇଁ ରହିଲି।

ମୋ ପଞ୍ଚ ପତି ଦାସ ଓ ମୁଁ ଦାସୀ ଭାବେ ବିଭିନ୍ନକାମରେ ନିଯୁକ୍ତ ହୋଇ ରହିଲୁ। ଏକ ବର୍ଷ ପୁରିବାକୁ ଆଉ ଅଳ୍ପ ଦିନ ଥାଏ।କୁହନ୍ତି କୀଚକ ବଳରେ ବିରାଟ ରାଜା। ରାଣୀ ସୁଦେଷ୍ଣାଙ୍କ ଭାଇ କୀଚକ।ତାର ଲୋଲୁପ ଦୃଷ୍ଟି ମୋ ଉପରେ ପଢିଲା। ଭୀମସେନ କୀଚକକୁ ମାରି ନ ଥିଲେ ମୋ ଇଜ୍ଜତ ଯାଇକି ଥିଲା।

ଅଜ୍ଞାତ ବନବାସ ସରିଗଲା।କିନ୍ତୁ ମୋ ଜୀବନରୁ ଦୁଃଖ ସରୁ ନଥିଲା।ଦୁର୍ଯୋଧନ ବିନା ଯୁଦ୍ଧରେ ଛୁଞ୍ଚି ମୁନରେ ମୁନେ ଜାଗା ପାଣ୍ଡଵ ମାନଙ୍କୁ ଦେବ ନାହିଁ ବୋଲି ମନା କରିଦେଲେ।ସ୍ୱୟଂ କୃଷ୍ଣ ଶାନ୍ତି ସନ୍ଧି ପ୍ରସ୍ତାବ ନେଇ ଗଲେ ବି ଦୁର୍ଯୋଧନ ବିନା ଯୁଦ୍ଧରେ ପାଣ୍ଡଵ ମାନଙ୍କୁ ଟିକିଏ ବି ଭୂମି ଦେବ ନାହିଁ ଘୋଷଣା କଲେ।ଏଣୁ ଯୁଦ୍ଧ ଅଵଶ୍ୟ

ମ୍ଭାବୀ।ଧର୍ମ କ୍ଷେତ୍ର କୁରୁ କ୍ଷେତ୍ରରେ ଅଠର ଦିନ ଧରି କୌରବ ପାଣ୍ଡବଙ୍କ ଯୁଦ୍ଧ ହେଲା।ଏଥିରେ ଉଭୟ ପକ୍ଷରୁ ସହସ୍ର ସହସ୍ର ଯୋଦ୍ଧା ମୃତ୍ୟୁ ବରଣ କଲେ।କୌରବ ପକ୍ଷର ସମସ୍ତେ ମଲେ।ସପ୍ତରଥୀ ମିଳି ମୋ ପୁତ୍ର ଅଭିମନ୍ୟୁକୁ ମାରିଲେ।ଭୀଷ୍ମ ପିତାମହ ଶରଶର୍ଯ୍ୟା ରେ ଶୋଇ ରହିଲେ ଯୁଦ୍ଧକ୍ଷେତ୍ରରେ।ଦୁଃଶାସନ ରକ୍ତ ଆଣି ଭୀମସେନ ମୋତେ ମୋ କେଶ ବାନ୍ଧିବାକୁ ଦେଲେ।

ପ୍ରତିଜ୍ଞା କରିଥିଲି ଦୁଃଶାସନ ରକ୍ତରେ କେଶ ପଖାଳିବି ବୋଲି।ମାତ୍ର ରକ୍ତ ତ ମିଳିଲା; ମୁଁ ଖୁସି ହୋଇ ପାରୁ ନଥିଲି।ମୋତେ ସେ ରକ୍ତ ଅଭିମନ୍ୟୁର ରକ୍ତ ପରି ଲାଗୁଥିଲା।ମୁଁ ଅବସନ୍ନ ହୋଇ ପଡୁଥିଲି।ମୋର ଧୃଷ୍ଟଦ୍ୟୁମ୍ନ ଭାଇ ସହ ଅନ୍ୟ ଛୋଟ ଅଳ୍ପ ବୟସର ପାଞ୍ଚ ପୁଅ ମାନେ ବି ମଲେ।।ଶେଷରେ ମହାମାନୀ ଦୁର୍ଯ୍ୟୋଧନର ଉରୁ ଭାଙ୍ଗି ଭୀମସେନ କୌରବ ବଂଶର ଶେଷ ଦୀପ ଶିଖାକୁ ଲିଭାଇ ଦେଲେ।ଯେଉଁ ଉରୁରେ ମୋତେ ବସାଇବା ପାଇଁ ପାପୀ ଅଶ୍ଳୀଳ ଇଙ୍ଗିତ କରିଥିଲା କୁରୁ ସଭାସ୍ଥଳେ। ସବୁ ଶେଷ ହେଲା ପରେ ମଧ୍ୟ ମୋତେ ଶାନ୍ତି ମିଳୁ ନ ଥିଲା।

ଯୁଦ୍ଧ ରକ୍ତ ,ଲୁହ ଆର୍ତ୍ତନାଦ ଓ ହାହାକାର ଦିଏ।

ଯୁଦ୍ଧରେ ସମାଧାନ ନୁହେଁ ସମାଧି ଦେବାକୁ ପଡ଼େ ଆତ୍ମୀୟ ସ୍ୱଜନଙ୍କର।

କାହାର ମୃତ୍ୟୁ କି ଯୁଦ୍ଧ କେବେ କାହାକୁ ଶାନ୍ତି କି ଖୁସି ଦେଇ ନ ପାରେ ମୁଁ ଏତିକି ବୁଝିଥିଲି ଶେଷରେ।

ଶେଷ ବି ମୋର ଆହୁରି କରୁଣ।ପାଣ୍ଡଵ ପାଞ୍ଚ ଭାଇ ଓ ଧର୍ମ ରାଜ ହସ୍ତିନାପୁର ରାଜ୍ୟରେ ଧର୍ମ,ଶାନ୍ତି ସ୍ଥାପନା କରିକିଛି କାଳ ରାଜତ୍ୱ କରିବା ପରେ,ପୃଥିବୀରୁ ବିଦାୟ ନେବା ବେଳ ଆସିଗଲା ।ଅଭିମନ୍ୟୁ ପୁତ୍ର ପରୀକ୍ଷିତଙ୍କୁ ରାଜ୍ୟ ଭାର ସମର୍ପି ସ୍ଵଦେହରେ ସ୍ୱର୍ଗ ଆରୋହଣ ନିମନ୍ତେ ହିମାଳୟ ଉପରକୁ ଚଢ଼ିଲେ।ସେମାନଙ୍କ ସଂଗେ ମୁଁ ବି ଗଲି।ଯାଉ ଯାଉ ମୋ ପାଦ ଖସି ଗଲା ଏବଂ ମୁଁ ପଡ଼ିଗଲି।ଭୀମସେନ କହିଲେ ଧର୍ମରାଜଙ୍କୁ " ପାଂଚାଳି ପଡିଗଲେ"।ଯୁଧିଷ୍ଠିର ଟିକେ ବି ପଛକୁ ନ ଚାହିଁ "ସେ ପଡନ୍ତୁ ତୁମେ ବ୍ୟସ୍ତ ନ ହୋଇ ଚାଲିଆସ।ପାଞ୍ଚାଳୀ ନିଜେ ହିଁ ନିଜ ଅଧୋପତନର କାରଣ " କହି ସ୍ୱର୍ଗ ଅଭିମୁଖେ ଭାଇ ମାନଙ୍କ ସହ ଯାତ୍ରା କଲେ ।

ଏଇ କଣ ମୋ ତପସ୍ୟା ଫଳ।ତିଳେ ତିଳେ ଜଳି ଥିଲି ଏମିତି ଶେଷଟେ ପାଇଁ!

ଯେଉଁ ପାଞ୍ଚ ପତିଙ୍କ ପାଇଁ ମୁଁ ପଞ୍ଚଧା ବିଭକ୍ତ ହୋଇ

ଥିଲି,ଯେଉଁ ମାନଙ୍କ ଖୁସି ପାଇଁ ସମାନ ପାଞ୍ଚ ଭାଗ କରି ବାଣ୍ଟି ଦେଇଥିଲି ନିଜକୁ;ଯେଉଁ ମାନଙ୍କୁ ପତି ରୂପେ ପାଇଁ ନିଜକୁ ଧନ୍ୟ ମନେ କରୁଥିଲି ସେହିମାନେ ମୋ ଜୀବନ ସାଥୀ ଅତି ସ୍ୱାର୍ଥପର ଭାବେ ଅଧା ବାଟରେ ମୋତେ ମରଣ ମୁହଁରେ ଅତି ଅଦରକାରୀ ବର୍ଜ୍ୟ ବସ୍ତୁ ଭଳି ପଛରେ ଛାଡି ଆଗକୁ ଗଲେ।ସ୍ୱର୍ଗ ମୋହ ତାଙ୍କୁ ଟାଣି ନେଲା।କି ଦୁଃଖଦ ମୋର ଶେଷ ପରିଣତି ହେଲା ! ଗୋଡ଼ ହାତ ଅଚଳ ହୋଇ ଆସୁଥାଏ,ମୁଁଅବସନ୍ନ ,ପରାଜିତ ,ମୋର ଶାନ୍ତି ଦରକାର,ଚିର ବିଶ୍ରାମ ଦରକାର। କେତେ ନିଷ୍ଠୁର ହୃଦୟ ମୋ ପତିମାନଙ୍କର! କାହା ଭିତରେ ଟିକେ ଦରଦ କି ସ୍ନେହ ନଥିଲା ମୋ ପ୍ରତି।

ଏଇଠି ଅନୁଭବ କଲି, ମୁଁ ଗୋଟିଏ ଦ୍ରବ୍ୟ।ନାରୀ ଭୋଗର ଦ୍ରବ୍ୟ।ନାରୀ ଭାଗ ହେବାର ଦ୍ରଵ୍ୟ।

ତେବେ ଏତେଦିନ ମୁଁ କାହା ପାଇଁ ଏତେ ଯନ୍ତ୍ରଣା ସହୁଥିଲି ! କାହିଁକି ଜାଳୁଥିଲି ତିଳ ତିଳ କରି ନିଜକୁ!ଏଇ ପତି ପରମେଶ୍ବରଙ୍କ ପାଇଁ! ଯେଉଁ ମାନେ ନିହାତି ସ୍ୱାର୍ଥପର ଭାବେ ମୋତେ ମରିବାକୁ ଛାଡି ଦେଇ ଚାଲି ଗଲେ!!

ସେତିକି ବେଳେ ମୁଁ ଅନୁଭବ କଲି ଏ ଜଗତ,ପତି,ପ୍ରେମ,ଜୀବନ ସାଥୀ ,ସଂସାର,ସବୁ ମିଛ।କେବଳ ସତ ମୋ ସଖା କୃଷ୍ଣ।

ହେ ପ୍ରାଣ ବାନ୍ଧବ ସଖା କୃଷ୍ଣ ! କୁଆଡେ ଛାଡି ଚାଲିଗଲ ତୁମ ସଖୀକୁ ଏକା କରି।ସବୁ ବିପଦରୁ ରକ୍ଷା କରିଥିଲ।ଏବେ କୁଆଡେ ଗଲ,ମୁକ୍ତି ଦିଅ ସଖା ।ଏ ଲାଂଛିତ,ଅତ୍ୟାଚାରିତ,ଅଶାନ୍ତ ଜୀବନରୁ ମୁକ୍ତି ଦିଅ।ମୁଁ ତୁମର ସଖା।ଏ ସଖୀ ଆଜୀବନ ତୁମର।ମୋତେ ମୁକ୍ତି ଦିଅ ସଖା।

ବଂଶୀ ସ୍ଵନ ଭିତରେ ଲୀନ ହୋଇଗଲା ମୋର ସମଗ୍ର ସତ୍ତା।ଆତ୍ମା ଲୀନ ହୋଇଗଲା ପରମଆତ୍ମାଙ୍କ ଭିତରେ।ଶେଷ ହେଲା ଗୋଟିଏ ଲାଞ୍ଚିତ,ଅପମାନିତ ଜୀବନ ଚିରଦିନ।

କିନ୍ତୁ ଯୁଗେ ଯୁଗେ ଅନେକ ଦ୍ରୌପଦୀ ଏବେ ବି ମୋ ପରି ନିଷ୍ପେସିତ,ଲାଞ୍ଚିତ। ଦ୍ରୌପଦୀମାନଙ୍କର କଷ୍ଟର କଣ ଶେଷ ନାହିଁ ବିଧାତା !

          


Rate this content
Log in

Similar oriya story from Classics