ଗୁରୁଦେବ ସୂର୍ଯ୍ୟଚନ୍ଦ୍ର
ଗୁରୁଦେବ ସୂର୍ଯ୍ୟଚନ୍ଦ୍ର


ବାପା ଚାଲିଯିବା ପରେ ବୋଉ କି ରାତି କି ଦିନ ପାନବଟା ପାଖେ ବସିଥାଏ. କିଏ କେମିତି ଗଲା ଆସିଲା ଲୋକଙ୍କୁ ପାନ ଭାଙ୍ଗି ଦେଇ ସାରି ନିଜେ ଦୁଇଖଣ୍ଡ ଭାଙ୍ଗି ରଖି ବାପାଙ୍କ ଟେବୁଲ ଉପରେ ଥୁଏ. ଏମିତିରେ କୋଉ ଦିନ ସେଇ ଦୁଇଖଣ୍ଡ ତ କୋଉ ଦିନ ଦୁଇ ଗୁଣା ହିସାବରେ ଯଥା ଚାରି, ଛଅ, ଆଠ ଏମିତି ହିସାବରେ ସନ୍ଧ୍ୟା ଯାଏଁ ପାନ ଶୁଖୁଥିବ. ପାନ ସରିଗଲେ ଭାଇଙ୍କୁ କହୁଥିବ ଆରେ ବାପାଙ୍କ ପାନ ସରିଗଲାଣି. କୋଉଦିନ କହୁଥିବ ଗୁଆ ତ କୋଉଦିନ କହୁଥିବ କଞ୍ଛାଗୁଣ୍ଡି ଆଣିବୁ ଆଉ ମୋ ପାଇଁ ଚମନବାହାର ଡବା ଆଣିବୁ. ମୋ ଦେଖାଦେଖି ତୋ ବାପା ବି ଖାଉଛନ୍ତି ତ ଶୀଘ୍ର ସରି ଯାଉଛି. ତାର ଏମିତି ବାଚାଳାମିକୁ ଭାଇ ଲୁହ ଦୁଇ ଟୋପାରେ ହଜମ କରି ନେଇଆସନ୍ତି ବୋଉ ବରାଦରେ ପାନବଟା ପାଇଁ ସରଞ୍ଜମ. ଭାଉଜ ମଧ୍ୟ ବାପାଙ୍କ ଟେବୁଲରେ ଥୁଆ ହୋଇଥିବା ପାନ ଖିଲ ସବୁ ଦେଇଦେଇଥାନ୍ତି ହରିଆ ନନାକୁ. ଠାକୁର ପୂଜା କରୁଥିବା ହରିଆ ନନା ହାତକୁ ବୋଉ ଯେବେ ଖିଲିପାନ ଦୁଇ ଖଣ୍ଡ ବଢ଼ାଏ ସେ କୁହନ୍ତି, ନେଇଛି ମାଆ ଥାଉ ତ ବୋଉ ଧଡ଼ପଡ଼ ଉଠି ବାପାଙ୍କ ଟେବୁଲକୁ ଚାହିଁ ପାନ ନଥିବା ଦେଖି କହୁଥାଏ ଜାଣିଛି ପରା ସେ ତମକୁ ତାଙ୍କ ଭାଗରୁ ଦେଇସାରି ମତେ ବରାଦ କରିବେ ପୁଣି ଚାରିଖଣ୍ଡ ଭାଙ୍ଗିକି ଦେଲ ପମା. ଭାଉଜ ଜିଭ କାମୁଡି କାନ୍ଦି ପକାନ୍ତି ।
ସେ ଏ ଘରକୁ ବୋହୁ ହୋଇ ଆସିବାଠୁ ଦେଖିଛନ୍ତି ବାପାଙ୍କ ସଙ୍ଗେ ବୋଉଙ୍କର ସେଇ ମଧୁର ସମ୍ପର୍କ. କୁଆଡେ ଯାଇଥିବେ ବୋଉ ଯଦି, ଭାତ ବାଢ଼ିବି ବାପା କହିଲେ କହିବେ ପମା ଆସୁ. ବୋଉଙ୍କ ନାମ ପ୍ରମିଳା ହୋଇଥିବାରୁ ବାପା ପମା ବୋଲି ଡାକନ୍ତି ସ୍ନେହ ଓ ଶ୍ରଦ୍ଧାରେ. ପ୍ରଥମେ ପ୍ରଥମେ ଲାଜ ମାଡୁଥିଲେ ବି ସେ ଅନୁଭବ କରନ୍ତି ସ୍ୱାମୀ ସ୍ତ୍ରୀଙ୍କ ଭିତରେ ପବିତ୍ର ପ୍ରେମର ମୋହ ଯୋଗୁଁ ତ ପରିବାର ରୂପକ ଡ଼ଙ୍ଗା ବାହିବାରେ କେହି କାର୍ପଣ୍ୟ କରିନଥାନ୍ତି.ସହଜେ ବୋଉଙ୍କ ତାଙ୍କ ପ୍ରତି ନିଜ ଝିଅ ପରି ସ୍ନେହ ଶ୍ରଦ୍ଧାର ଋଣ ଶୁଝିବାକୁ ତାଙ୍କୁ ହୁଏତ କେତେ ଜନ୍ମ ନେବାକୁ ପଡିବ ଭାବୁ ଭାବୁ ପିତୃତୁଲ୍ୟ ଶଶୁର ଚାଲିଗଲେ ହାର୍ଟ ଆର୍ଟାକରେ, ଆଉ ବୋଉ ହୋଇଗଲେ ଭିର୍ନ୍ନ ମଣିଷ.ବାପାଙ୍କ ପାନବଟା ଭିତରେ ବଞ୍ଚୁ ବଞ୍ଚୁ ଦିନ ପାହି ରାତି ଆସୁଛି ହେଲେ ବୋଉ ବୁଝିବାକୁ ପ୍ରସ୍ତୁତ ନୁହଁନ୍ତି ବାପା ଆଉ ନାହାଁନ୍ତି ।
ମଝି ଅଗଣାରେ ବସି ଭାତ ଖାଉଥାଆନ୍ତି ବୋଉ. ଡାକ ଛାଡିଲେ ବାପାଙ୍କ ଥାଳି ଆଣିଲୁ, କଣ ସବୁ ଅଲରା ବାଲୁରା କରି ଖାଇଥିବେ, ମୁଁ ଚଞ୍ଚଳ ଖାଇନେଇ ପାନ ଭାଙ୍ଗେ, ରଖେଇ ଦେବେନି ଏବେ. ଝିଅ ରେଣୁ ଭାଉଜଙ୍କ ନିର୍ଦେଶରେ ଭାଇଙ୍କ ଅଇଁଠା ଥାଳି ବୋଉ ପାଖରେ ଥୋଇ ବୋଉକୁ ଯେବେ କହିଲା, ବାପା ଆଉ ନାହାଁନ୍ତି ବୋଉ, ବୋଉ ଚାହିଁଲା ରେଣୁ ମୁଁହକୁ କିଛି ସମୟ ଆଉ କହିଲା ଆଲୋ ମାଆ ଆକାଶକୁ ଦେଖୁନୁ? ସୂର୍ଯ୍ୟ ଜଳୁଛନ୍ତି ତ ବାପା ପରା ତୋର ଚନ୍ଦ୍ର, ସେ କେମିତି ଦେଖାଦେବେ?ଦିନଯାକ ଚନ୍ଦ୍ର ହୋଇ ରୁହନ୍ତି ଆଉ ରାତି ସାରା ସୂର୍ଯ୍ୟ ହୋଇ ଲୁଚିରହନ୍ତି.ତତେ ପରା ଏତେ ପାଠ ପଢେଇଛନ୍ତି ତୁ ଏକଥା ବୁଝିପାରୁନୁ?,ଯୋଉକଥା ମୁଁ ବୁଝିପାରୁଛି ମୂର୍ଖ ଲୋକଟା ହୋଇ. ରେଣୁ ଲୁହ ପୋଛୁ ପୋଛୁ ଭାବୁଥିଲା, ବାପାଙ୍କ ନାମକୁ ନେଇ ବୋଉର ଏ ଖରା ଛାଇ ଖେଳର ଜୀବନ ଏମିତି ଗଡି ଚାଲିଛି . ରେଣୁର ଭାବନା ଭିତରେ ବୋଉ ଧଡ଼ପଡ଼ ହୋଇ ଉଠି ପାନଡାଲା ପାଖେ ହାଜର. ଭାଉଜ ନିଶବ୍ଦରେ ବୋଉର ଥାଳି ଉଠାଉଥିଲେ ତ ରେଣୁ ଭାବୁଥିଲା ବାପାଙ୍କ ନାମଟା ସୂର୍ଯ୍ୟଚନ୍ଦ୍ର ବୋଲି ବୋଉ ଖରା ଛାଇର ଖେଳ ଖେଳିଚାଲିଛି ନିଜ ସହ,ଦିନରେ ସୂର୍ଯ୍ୟଙ୍କୁ ଓ ରାତିରେ ଚନ୍ଦ୍ରଙ୍କୁ ଦେଖୁ ଦେଖୁ.ପତିଙ୍କୁ ପରମ ଗୁରୁ ବୋଲି ମାନିଆସୁଥିବା ବୋଉ ବାପାଙ୍କ ଅଇଁଠା ଥାଳି ବୋଲି ଭାଇ ଅଇଁଠା ଥାଳିରେ ଖାଉଥିଲା ଏଯାଏଁ. ରେଣୁ ଆଖିରୁ ଝରିପଡୁଥିଲା ଲୁହ ଦୁଇ ବୁନ୍ଦା ।