Minakshi Samal

Tragedy Inspirational

3  

Minakshi Samal

Tragedy Inspirational

*** ଗର୍ବ ***

*** ଗର୍ବ ***

3 mins
219



ପିଲାଦିନେ ବଡ ମାନେ କହିବାର ଶୁଣିଛି 'ଗର୍ବ କଲେ ଖର୍ବ ହୁଏ' । ମାନେ ବୁଝି ହୁଏନି କିନ୍ତୁ ମନ ଭିତରେ କଥାଟା ଗଣ୍ଠି ହୋଇ ରହିଯାଇଥାଏ । ସ୍କୁଲରେ ପଢିବା ଆରମ୍ଭ ହେବା ଦିନଠାରୁ ଅନେକ କିଛି ଉପଦେଶାତ୍ମକ କଥାଗୁଡିଏ ଶୁଣେ ସେ । ପ୍ରତ୍ୟେକ କଥାକୁ ମନେରଖି ଜୀବନରେ ଲଗାଇବା ପାଇଁ ମନ ବଳେଇଥାଏ ସେ । ସାହିତ୍ୟ ଗୁରୁମା ପଞ୍ଚମ ଶ୍ରେଣୀରେ ଗୋଟିଏ କବିତା ପଢାଇବା ବେଳେ ବୁଝୋଉଥିଲେ......ଗର୍ବ ଓ ଅହଙ୍କାର ମଣିଷର ବଡ ଶତ୍ରୁ । ଏହା ବିନାଶ ଆଡକୁ ରାସ୍ତା ଦେଖାଇଥାଏ । ଗର୍ବ ଦେଖାଇ ରାଜାଟିଏ ଭିକାରି ହେବାର ଦୃଷ୍ଟାନ୍ତ ମଧ୍ୟ ଗୁରୁମା ଦେଇଥିଲେ । ଏଥର ତା'ର ସନ୍ଦେହ ଦୂରୀଭୂତ ହୋଇଥିଲା । ସେ ଭଲଭାବେ ବୁଝିପାରିଥିଲା ପୂର୍ବରୁ ଶୁଣି ଆସିଥିବା ଲୋକ ଉକ୍ତିଟି । 


ସମୀର ଓ ସେ ଭାରି ଅନ୍ତରଙ୍ଗ ବନ୍ଧୁ । ଶ୍ରେଣୀରେ ଅନ୍ୟ ତିରିଶ ଜଣ ପୁଅ ପଢୁଥିବା ବେଳେ ସେ ସମୀରକୁ ନିଜର ଭଲ ସାଙ୍ଗର ତାଲିକାରେ ରଖିଦେଇଥିଲା । ସମୀର ଓ ତା'ର ଚିନ୍ତାଧାରା ଏକଦମ ଏକାପରି ଥିଲା । ଛୋଟ ସହରରେ ଏକାଠି ଦଶମ ପର୍ଯ୍ୟନ୍ତ ପଢିବା ପରେ ଠିକ ପରୀକ୍ଷା ବେଳକୁ ସମୀରର ବାପାଙ୍କ ବଦଳି ଖବର ମିଳିଲା । ପରୀକ୍ଷା ପର୍ଯ୍ୟନ୍ତ ଅପେକ୍ଷା କରି ସପରିବାର ପ୍ରସ୍ଥାନ କଲେ ସୁଦୂର ରାଉରକେଲା ସହରକୁ । ସାଥୀହରା ହୋଇଗଲା ଶେଖର । କାହା ଆଗରେ ପ୍ରକାଶ ନକରି ପାରିଲେ ମଧ୍ୟ ଭିତରେ ଭିତରେ ଦୁଃଖରେ ସନ୍ତୁଳି ହେଉଥିଲା ସେ । 


ସମୟ ତା ବାଟରେ ଗଡି ଚାଲିଥିଲା । ଅନ୍ୟ ସାଙ୍ଗମାନଙ୍କ ସହିତ ଗାଆଁ ପାଖ କଲେଜରେ ପଢା ଶେଷ କରି ଶେଖର କର୍ମ ସଂସ୍ଥାନ ପାଇଁ ମନ ଧ୍ୟାନ ଲଗାଇଲା । ବର୍ଷଟିଏ ଲାଗିଲାଗି ରେଲଓ୍ବେରେ କ୍ଲରିକାଲ ଚାକିରୀଟିଏ ପାଇଲା । ଠାକୁରଙ୍କ ଉଦ୍ଦେଶ୍ୟରେ ଜୋଡହସ୍ତ ହୋଇ ମା' ବାପାଙ୍କର ଆଶୀର୍ବାଦ ନେଇ ଖୋର୍ଦ୍ଧାରୋଡରେ କର୍ମସ୍ଥଳରେ ଯୋଗ ଦେବାକୁ ବାହାରିଲା ସେ । ଧୀରେ ଧୀରେ ସହକର୍ମୀଙ୍କ ସହ ଆଳାପ ଆଲୋଚନା କରି ସେଇଠି ଗୋଟିଏ ଭଡାଘରେ ରହିବାକୁ ଲାଗିଲା । 


ବଡ ଭଉଣୀ ଦୁଇଜଣ ହାତକୁ ଦିହାତ ହୋଇସାରିଥା'ନ୍ତି । ବାପା ମା'ଙ୍କର ଆଉ କିଛି ଚିନ୍ତା ଦକ ନଥାଏ । ଭଲ ବୋହୁଟିଏ ର ସନ୍ଧାନରେ ଥାଆନ୍ତି ସେମାନେ । ଦଶହରା ବେଳେ ଶେଖର ଆଠଦିନ ଛୁଟି ନେଇ ଆସିଥାଏ । ସେଇ ସମୟରେ ବୋହୁଦେଖା କାମଟା ସାରିଦେବା ଠିକ ହେବ ଭାବି ଆଖପାଖ ଗାଆଁରୁ ଆସିଥିବା ଭଲ ପ୍ରସ୍ତାବଗୁଡିକ ଶେଖର ଆଗରେ ରଖି ଝିଅମାନଙ୍କର ଫଟୋ ଗୁଡିକ ଦେଖାଉଥା'ନ୍ତି ମା' ସତ୍ୟଭାମା । 


ଗୋଟିଏ ଫଟୋ ପାଖରେ ଶେଖରର ନଜର ଅଟକିଗଲା । ହଠାତ୍ ମା'ଙ୍କୁ କହିଲା, ମା'ଏଇ ଝିଅଟିର ବ୍ୟବହାର,ଚାଲିଚଳନ କେମିତିଆ କହିଲୁ?


ମା' କହିଲେ, ପୁଅରେ ସବୁ କଥା ଆମେ ବୁଝାବୁଝି କରି ରଖିଛୁ । ତୋ ମନ ବୁଝିବାକୁ ହେଲେ ତୁ ଯାଇ କିଛି ଖବର ଏକାଠି କରି ଆଣେ । ତାପରେ କଥା ପକେଇ ଭଲ ତିଥି ଦେଖି ବିଭାଘର କାମଟା ବଢେଇ ଦବା । 


ସେଇ ଆଠଦିନର ରହଣୀ ଭିତରେ ଗାଆଁର ସାଙ୍ଗମାନଙ୍କ ମେଳରେ ସୁଯୋଗ ଉଣ୍ଡି ଫଟୋର ସେଇ ଝିଅଟିକୁ ଲୁଚେଇ ଲୁଚେଇ ଦେଖୁ ଦେଖୁ ସେଇଠି ତା ମନ ଲାଗିଗଲା । 

ବାସ୍ ତାପରେ ଆଉ କ'ଣ । ଭଲ ତିଥି ଦେଖି ବାପା ମା' ପୁଅର ବିବାହ କାର୍ଯ୍ୟଟା ବଢାଇଦେଲେ । 

 ବିବାହର ପନ୍ଦର ଦିନ ଅନ୍ତେ ଶେଖର ବାହାରିଗଲା କାର୍ଯ୍ୟସ୍ଥଳୀକୁ । ନବବିବାହିତା ପତ୍ନୀକୁ ସାଙ୍ଗରେ ନେଇଯିବାକୁ ଭାରି ଇଚ୍ଛା ଥାଏ ତାର । ଗାଆଁ ଗହଳିରେ ବିବାହ ପରେ ବୋହୁକୁ କିଛିଦିନ ଗାଆଁରେ ରହିବାକୁ ହୋଇଥାଏ । ବୋହୁଟି ବିନା ପ୍ରତିବାଦରେ ଶାଶୁଶ୍ୱଶୁରଙ୍କ ସହିତ ରହିବାକୁ ଶେଖରକୁ ବୁଝାଇଥିଲା । ମନକୁ ବୁଝାଇ ଶେଖର ବାହାରି ଯାଇଥିଲା ଖୋର୍ଦ୍ଧାରୋଡ । 

ସମୟ ଗଡିଚାଲିଲା ତା ବାଟରେ । ଏ ଭିତରେ ଶେଖର ପରିବାରରେ ଦୁଇଜଣ ନୂଆ ସଦସ୍ୟ ମଧ୍ୟ ଯୋଡି ହୋଇ ଯାଇଥିଲେ । ବାପା ମାଆ,ପତ୍ନୀ ଓ ଦୁଇ ପୁଅଙ୍କୁ ନେଇ ହସଖୁସିରେ ଶେଖରର ସମୟ କଟି ଯାଉଥିଲା । ଭୁବନେଶ୍ୱରକୁ ବଦଳି ହେବା ପରେ ସମସ୍ତଙ୍କୁ ଗାଆଁରୁ ନେଇଆସିଥିଲା ସେ । 


ସେଦିନ ରେଲଓ୍ବେ ଟିକେଟ କାଉଣ୍ଟରରେ କାର୍ଯ୍ୟରତ ଥିବା ସମୟରେ କିଏଜ ଣେ ତା'ର ନାଁ ଧରି ଡାକିବାରୁ ଆଶ୍ଚର୍ଯ୍ୟାନ୍ୱିତ ହୋଇ ମୁହଁ ଟେକି ଉପରକୁ ଚାହିଁ ଦେଖିଲା ଜଣେ ବୃଦ୍ଧା ତା ଆଡକୁ ନିର୍ନିମେଷ ନୟନରେ ଚାହିଁଛନ୍ତି । 

ମତେ ଚିହ୍ନିପାରୁନୁ ବାପ?

କାଉଣ୍ଟରରୁ ବାହାରକୁ ଚାହିଁ ଦେଖିଲା ଶେଖର । ଫାଙ୍କାଥିଲା ଲାଇନଟି ସଂଯୋଗ ବଶତଃ । ବାହାରକୁ ଆସି ନିରିଖେଇ ହୋଇ ଦେଖିଲା ବୃଦ୍ଧାଙ୍କ ମୁହଁକୁ । ନା, ଚିହ୍ନିପାରିଲାନି । 


ବାପ ଶେଖର କେମିତି ଅଛୁ?


କିଛି ମନେ ନକରି ଚିହ୍ନା ଦିଅନ୍ତୁ ମାଉସୀ । 


ଏକାଠି ଏକା ଶ୍ରେଣୀରେ ପଢୁଥିଲୁ ତୁ ମୋ ପୁଅ ସମୀର ସାଙ୍ଗରେ । ମଉସାଙ୍କ ବଦଳି ହେବାରୁ ଆମେ ଚାଲି ଆସିଲୁ ରାଉରକେଲା । ଯେଉଁଦିନ ସାଲେପୁର ଛାଡିଲୁ ସେଦିନ ତୁ ଆମ ଘରକୁ ଆସି ସମୀରକୁ ଧରି କେତେ ବିକଳ ହେଇ କାନ୍ଦିଥିଲୁ ବାପ । 


ସବୁକଥା ଜଳ ଜଳ ହୋଇ ଶେଖରର ଆଖି ସାମନାରେ ଦେଖା ଯାଉଥିଲା । 


ମାଉସୀଙ୍କ ପାଦ ଛୁଇଁ ପ୍ରଣାମ କଲା । ସମସ୍ତଙ୍କ ଖବର ପଚାରି ବୁଝିଲା । ମୁହଁଟି ଗମ୍ଭୀର ହେବାକୁ ଲାଗିଥିଲା ତାର । 


ସାଙ୍ଗ ତାର ବହୁତ ବଡ ଅଫିସରଟିଏ ହୋଇଯାଇଛି ଷ୍ଟିଲ ଅଥରିଟି ଅଫ ଇଣ୍ଡିଆରେ । ବିଧବା ମା'ର ତତ୍ତ୍ୱ ନେବାକୁ ସମୟ ନାହିଁ କିନ୍ତୁ । ବାକି ସମସ୍ତେ ଯେମିତିକି ସ୍ତ୍ରୀ ପିଲା ଏମାନଙ୍କୁ ଛାଡିଦେଲେ ଆଜିକାଲି ତା ପାଖରେ ବଳକା ସମୟ ଶୂନ୍ୟ । ହତାଦର ସହି ନପାରି ମା' ନିଜେ ନିଜେ ଟିକେଟ କାଟି ଗାଆଁକୁ ଯାଉଛନ୍ତି । 

ଛାତି ଫାଟିଯାଉଥିଲା ଏସବୁ ଶୁଣି । 


କିନ୍ତୁ ଏଥର ସେ ଗର୍ବରେ କହୁଥିଲା .....ମୁଁ ବଡ ଚାକିରୀ କରି ପାରିନି । କିନ୍ତୁ ମୋ ବାପା ମାଆଙ୍କୁ ନିଜ ପାଖରେ ରଖିଛି । ୟା ଠାରୁ ଗର୍ବର କଥା କ'ଣ ହୋଇପାରେ । 




Rate this content
Log in

Similar oriya story from Tragedy