ଗ୍ରାହକ
ଗ୍ରାହକ




ପରଦା ଆଡେଇ ଗ୍ରାହକ ଜଣକ ପଶି ଆସିଲେ ଭିତରକୁ।
ଝିଅଟି ଟିକେ ସଂକୁଚିତ ହୋଇଗଲା କାରଣ ଏସବୁ କ୍ଷେତ୍ରରେ ସେ ମୋଟେ ପ୍ରବିଣା ନଥିଲା ।
ଗ୍ରାହକ ଜଣକ ଖଟ ଉପରେ ବସି ନୀରବରେ ଝିଅଟି ମୁହଁ କୁ ପାଞ୍ଚ ମିନିଟ୍ ଚାହିଁଲେ ତା'ପରେ କହିଲେ
-- " କେତେ ଦିନ ହେବ ଏଠାରେ ଅଛ ? ତୁମ ଘର ? "
ଝିଅଟି ବିରକ୍ତି ଭରା କଣ୍ଠ ରେ କହିଲା -- " ତୁମର ସେଥିରୁ କ'ଣ ମିଳିବ ? ତୁମେ ତୁମ କାମ ସାରି ଯାଅ । "
ପୁଣି କିଛି ସମୟ ଚୁପ୍ ରହିଛି ତାପରେ କହିଲେ ଗ୍ରାହକ ଜଣକ -- " ଆଛା ତୁମକୁ କେତେ ଟଙ୍କା ଏଠାରୁ ମିଳୁଛି ? ମାନେ ମାସକୁ କେତେ ରୋଜଗାର?"
ଝିଅଟି ଏଥର ଚିଡ଼ି ଗଲା
-- " ତୁମର ଏତେ ପ୍ରଶ୍ନ ର ମୁଁ ଉତ୍ତର ଦେଇ ପାରିବିନି । ତୁମ କାମ ସାରି ଯିବ ଯଦି ଯାଅ ନହେଲେ ମୁଁ ଖୁମଣା ଅପାକୁ ଡାକିବି । "
ଏଥର ଗ୍ରାହକ ଜଣକ ଝିଅଟି ର ହାତକୁ ଦୁଇହାତରେ ଚାପି ଧରି କହିଲେ
-- " ଶୁଣ ରାଗନି , ମୁଁ ତୁମକୁ ଗୋଟେ ପ୍ରସ୍ତାବ ଦେଉଛି ଯଦି ଭଲ ଲାଗିବ ତେବେ ହଁ କରିବ ନହେଲେ ତୁମ ଇଛା
ଦେଖ ଏଠି ନିଜକୁ ଅନେକଙ୍କ ଠାରୁ କ୍ଷତାକ୍ତ କରି ଟଙ୍କା କମେଇବା ଅପେକ୍ଷା । ମୋ ପାଖରେ ରହିବ ଏଠି ଯେତେ କମଉଛ ତମକୁ ସେତିକି ଦେବି , କିନ୍ତୁ ମୋ ଇଛାରେ ନୁହେଁ ତୁମ ଇଛା ମୁତାବକ ମୁଁ ତୁମକୁ ବ୍ୟବହାର କରିବି । ଯଦି
ରାଜି ତେବେ ଆସ ମୋ ସହ ଆଜି । "
-- " ଏତେ ଦୟା କ'ଣ ପାଇଁ ଟିକେ ଶୁଣେ "
-- " କାହିଁକି ନା ତୁମେ ମୋର ବହୁତ ପସନ୍ଦ "
-- " ତୁମ ଉପରେ ମୁଁ କେମିତି ଭରଷା କରିବି ତୁମେ ଟାଉଟର ନହୋଇ ଥିବ ସେ କଥା କିଏ କହିବ "
-- " ତୁମ ଆକାଉଣ୍ଟ ନମ୍ବର ଦିଅ "
ଝିଅଟି ନିଜ ଆକାଉଣ୍ଟ ନମ୍ବର ଦେଲା , ଗ୍ରାହକ ଜଣକ ସେଥିରେ ସାଙ୍ଗେ ସାଙ୍ଗେ ୩୦ ହଜାର ଟଙ୍କା ପଠେଇ ଦେଲେ ।
--" ଚେକ୍ କର , ଠିକ୍ ତିରିଶ ହଜାର ଅଛି ତ ? ତମକୁ ଯଦି ଲାଗିଲା ମୁଁ ଟାଉଟର ତେବେ ଏ ଟଙ୍କା ତୁମର । "
--" ମୁଁ ଏଠାକୁ ନୂଆ ଆସିଛି ଖୁମଣା ଅପା ଛାଡିବନି । "
--" ତମେ ସେ କଥା ଚିନ୍ତା କରନି "
ଝିଅଟି ଜାଣିନି ଖୁମଣା ଅପା ସହ କି କଥା ହେଲେ ସେ ଗ୍ରାହକ ଜଣକ ।
ସେ ପାଞ୍ଚ ଘଣ୍ଟାର ରାସ୍ତା ପରେ ପହଞ୍ଚିଲା ସେ ଗ୍ରାହକ ଙ୍କ ଘରେ ।
ସେ କହିଲେ --" ଯାଅ ସେପଟ ବାଥରୁମ୍ ଅଛି ଗାଧୋଇ ଆସିବ । "
ଝିଅଟି ମନେ ମନେ ସେୟା ହିଁ ଚାହୁଁଥିଲା । ତେଣୁ ମର ଭରି ସାଓ୍ବାର୍ ରେ ଗାଧୋଇ ପଡ଼ିଲା । ବାଟରୁ ସେ ଗ୍ରାହକ ଜଣକ କିଣେଇ ଦେଇଥିବା ନୂଆ ଚୁଡିଦାର ସେ ପିନ୍ଧିଲା । ହୋଟେଲ ରୁ ଆଣିଥିବା ଖାଇବା ସାଙ୍ଗ ହୋଇ ଖାଇଲେ ।
ଗ୍ରାହକ ଜଣକ ଝିଅ ଟିକୁ ନେଇ ତାଙ୍କ ଶୋଇବା ଘର କୁ ଗଲେ । କବାଟ ଝରକା ସବୁ ବନ୍ଦ କରି ଏ.ସି ଅନ୍ କରି ଦେଲେ । ତାପରେ ପାଖରେ ବସି କହିଲେ
-- "ଆଛା ଗୋଟେ କଥା ପଚାରିବି ସତ କହିବ ?"
--" ହୁଁ , ପଚାର "
--" ଆଛା ତୁମେ ଏ କାମ ପରିସ୍ଥିତି ର ଚାପାରେ ଅଭାବ ରେ ପଡ଼ି କରୁଛ ନା ସଉକ ରେ କରୁଛ ? "
ଝିଅଟି ଅନ୍ୟମନସ୍କ ହୋଇ ଏ.ସି କୁ ଚାହିଁ ରହିଲା ତାପରେ କହିଲା --" ସଉକ ରେ ଏକାମ ସେଇମାନେ କରନ୍ତି ଯେଉଁ ମାନେ ଚରିତ୍ରହୀନା ହୋଇଥାନ୍ତି ମୁଁ କିନ୍ତୁ ଚରିତ୍ରହିନା ନୁହେଁ । ଦୂର୍ଘଟଣା ରେ ଭାଇକୁ ହରେଇବା ଦୁଃଖ ରେ ବାପା କୋମାକୁ ଚାଲିଯିବା ପରେ । ସାନ ଭାଇ ଭଉଣୀ ଙ୍କର ପଢା ପଢି ଖର୍ଚ୍ଚ , ପାଞ୍ଚ ପ୍ରାଣୀ ପେଟକୁ ଦାନା ଏ ସବୁ ଯେତେବେଳେ ମୁଣ୍ଡ ଉପରେ ବୋଝ ହେଲା । ସାଙ୍ଗର କଥାରେ ପଡି ଏଇ ବାଟକୁ ବାଛିନେଲି । "
- " କାଇଁ ଆଉ କିଛି ଭଲ ବାଟ କିଛି ନଥିଲା କି ?"
--" ଯେତେବେଳେ ଗୋଟେ ବଢିଲା ଝିଅ ରୋଜଗାର ପାଇଁ ପଦାକୁ ଏକା ଗୋଡ଼ କାଢେ ନିଜ ଦୂର୍ବଳତା ଜଣେଇ ଯାହା ପାଖରେ ଗୁହାରି କରେ ସେମାନେ କେବଳ ଏଇ ଦେହ ଟାକୁ ହିଁ ଚାହିଁ ଥାନ୍ତି । ସାତ ଆଠ ଜାଗା ନିଜ ଦେହଟାକୁ ଆଡ କରି ରୋଜଗାର ର ବିଫଳ ହେଲା ପରେ ସାଙ୍ଗ ର ସେଇ କେଇ ପଦ କଥା ମନେ ପଡ଼ିଗଲା ।
--" ଏ କୁକୁର ଜାତି ଗୁଡା ଅଇଁଠା ଖାଇବାକୁ ବେଶି ପସନ୍ଦ କରନ୍ତି ଲୋ । କେତେ ଦିନ ଏ ଭୋକିଲା କୁକୁର ମାନଙ୍କ ଠାରୁ ନିଜକୁ ବଞ୍ଚେଇ ରଖି ପାରିବୁ ? ଅଇଁଠା କରିବାକୁ ସେ ପରା ସବୁଆଡେ ଘେରି ବସିଛନ୍ତି । ଆ ତା ଆଗରେ ମୁଣ୍ଡ ବାଡେଇବା ଅପେକ୍ଷା ଭଲ ହେବ ନିଜକୁ ଅଇଁଠା କରିଦେ । ତୋତେ ଆଉ ତାଙ୍କ ପଛରେ ଗୋଡାଇ ବାକୁ ପଡ଼ିବନି ବରଂ ତାଙ୍କ ଭଳି କେତେ ତୋ ପଛରେ ଗୋଡାଇବେ ।
ସେତେବେଳେ ଖାଲି ମୋତେ ବାପାଙ୍କ ଦେହ ବୋଉର ଅସହାୟତା ଆଉ ଭାଇ ଭଉଣୀ ଙ୍କର ଅନ୍ଧାର ଭବିଷ୍ୟତ ଜଳ ଜଳ ହୋଇ ଦେଖା ଯାଉଥିଲା ମୁଁ ନିରୁପାୟ ହୋଇ ଏଇ ବାଟଟିକୁ ଆଦରି ନେଲି । ମୋର ଦୁର୍ଭାଗ୍ୟ କି ସୌଭାଗ୍ୟ ମୁଁ ଜାଣିନି ପ୍ରଥମ ଦିନରେ ହିଁ ତୁମ ସହ ଭେଟ ଆଉ ଏଠି ତୁମ ସାଥିରେ । "
-" ଆଛା ମୁଁ ଯଦି ସବୁ ଅଭାବ ଅସୁବିଧା କୁ ଦୂର କରିଦିଏ ତୁମ ପରିବାର ସବୁ ଦାୟିତ୍ଵ ମୋ ଉପରକୁ ନିଏ । ତେବେ ତୁମେ ଏ ରାସ୍ତା ଛାଡ଼ି ଦେବ ତ ? "
-- " କ'ଣ ଥଟ୍ଟା କରୁଛ ?"
--" ନାଇଁ ଥଟ୍ଟା ନୁହେଁ ସତ "
- " ତୁମେ ତ ପୁଣି ମୋତେ ଉପଭୋଗ କରିବାକୁ ଆଣିଛ ? ଓଃ ତୁମ ପାଖରେ ଅସତୀ ହୋଇ ଦୁନିଆଁ ଆଗରେ ସତୀ ହେବି ସେୟା ଚାହୁଁଛ ? "
- " ନାଇଁ ସେମିତି ନୁହେଁ , ମୁଁ ଚାହେଁ ତୁମେ କେବଳ ତୁମ ସ୍ବାମୀଙ୍କର ହିଁ ଭୋଗ୍ୟା ହୁଅ । "
- " ଓଃ , ତା ମାନେ ଆପଣ ମୋତେ ବିବାହ କରିବେ ? "
ବ୍ୟକ୍ତି ଜଣକ ମୁରୁକି ହସିଲେ ତାପରେ ଡାକିଲେ ,
" କୁନି କ'ଣ ଚାହା କରିବାକୁ ଏତେ ସମୟ ଲାଗୁଛି ତୁମକୁ ?"
"ଯାଉଛି ଯାଉଛି " ଭିତରୁ ଶବ୍ଦ ଆସିଲା
କିଛି ସମୟ ପରେ ଚାହା ହାତରେ ଧରି ଆସିଲେ ସୁନ୍ଦରୀ ପ୍ରବିଣା ଗୃହିଣୀଟିଏ କବାଟ ଠକ୍ ଠକ୍ କଲେ ।
ବ୍ୟକ୍ତି ଜଣକ ଏଥର ଝିଅଟିକୁ କହିଲେ ଯାଅ କବାଟ ଖୋଲି ଆସ ।
- " ଏ ମୋ ପତ୍ନୀ "
ଝିଅଟି ଟିକେ ଅସ୍ବାଭାବିକ ମନେକଲା ।
କୁନି , ଝିଅଟିର ହାତକୁ ଧରି କହିଲେ , ଭୟ କରନି କି ଅନ୍ୟକିଛି ଭାବନି ।
ମୁଁ କହିଥିଲି ୟାଙ୍କୁ ତମକୁ ସେଠାରୁ ଆଣିବା ପାଇଁ , ମୋର ସେଠି ଜଣେ ବିଶ୍ବସ୍ତ ଲୋକ ଅଛି , ଯାହାଙ୍କ ଠୁ ମୁଁ ଖବର ସଂଗ୍ରହ କରେ କିଏ ନୂଆ ପିଲା ଆସିଲେ , ୟାଙ୍କର ପତ୍ନୀ ହେବା ପୂର୍ବରୁ ସେଠି ଖୁମଣା ଅପା ପାଖରେ ଥିଲି ବର୍ଷେ ।
ବହୁତ ଲୋକ ଏଇ ଦେହଟାକୁ ଚାହିଁଛନ୍ତି କିନ୍ତୁ ଏ ମୋତେ ଚାହିଁଲେ । ତମଠୁ ବି ମୋ ପରିସ୍ଥିତି ଆହୁରି ଜଟିଳ ଥିଲା ସେତେବେଳେ , ୟାଙ୍କ ସହ ଭେଟ ହେବା ପରେ ୟାଙ୍କ ପ୍ରସ୍ତାବ ଥିଲା ମୋତେ ସେଠୁ ଉଦ୍ଧାର କରିବେ । ମୋ ସର୍ତ୍ତ ଥିଲା ଯଦି ସତସାହସ ଅଛି ମଥାରେ ସିନ୍ଦୂର ଦେଇ ଏଠାରୁ ନେଇ ପାର , ତୁମ ଦୟାରେ ମୁଁ ବଞ୍ଚିବା ଅପେକ୍ଷା ତମ ପତ୍ନୀ ହୋଇ ସମ୍ମାନ ପାଇବା ମୋ ପାଇଁ ବହୁତ କିଛି । ସେଦିନ ଠୁ ଏ ମୋ ପାଇଁ ଦେବତା ହୋଇଗଲେ । ତୁମ ପାଇଁ ବି କୋଉ ମହାପୁରୁଷ ଠାରୁ କମ୍ ନୁହନ୍ତି । ତୁମେ ୟାଙ୍କୁ ନିଜ ଭାଇ ପରି ଦେଖିପାର । ଆଉ ହଁ ସେ ଯାଗାରେ ଆଉ କେବେବି ପାଦ ଦେବନି । ସେ ଦୁନିଆଁ ତମ ପାଇଁ ନୁହଁ । "
ଝିଅଟି ଆଖିରେ ଲୁହ ଜକେଇ ଆସିଲା ସେ ଖାଲି ଭାବୁଥିଲା ସତରେ କ'ଣ ଏ ସ୍ୱାର୍ଥପର ଦୁନିଆଁରେ ଏମିତି ଲୋକ ଅଛନ୍ତି ।
------------------୦---------------