Gangadhar Nanda

Abstract Drama Tragedy

3.6  

Gangadhar Nanda

Abstract Drama Tragedy

ଗୋଟିଏ ଅବିସ୍ମରଣୀୟ ପ୍ରତିଜ୍ଞା

ଗୋଟିଏ ଅବିସ୍ମରଣୀୟ ପ୍ରତିଜ୍ଞା

9 mins
142


ଆଖପାଖର ପ୍ରାୟ ତିରିଶଟି ଗ୍ରାମକୁ ନେଇ ଗଠିତ ସୀତାପୁର ଗ୍ରାମପଞ୍ଚାୟତକୁ ମଝିରୁ ଦୁଇଭାଗ କରି ବହିଯାଇଛି ଛୋଟିଆ ନଈଟିଏ । ନଈର ଉଭୟ ପାର୍ଶ୍ଵର ଅନୂଚ୍ଚ ବନ୍ଧକୁ ଲାଗି କେଉଁ ଆବାହମାନ କାଳରୁ ବାସ କରିଆସୁଛନ୍ତି ଅଳ୍ପ କେତେଗୋଟି କେଉଟ ପରିବାର । ମାଛଧରା ଓ ଡଙ୍ଗା ଦ୍ଵାରା ଲୋକମାନଙ୍କୁ ନଈପାରି କରାଇବା ଥିଲା ସେମାନଙ୍କର ମୂଖ୍ୟ ବେଉସା । ଏକ ସାପ୍ତାହିକ ହାଟ , ଗୋଟିଏ ଛୋଟିଆ ବଜାର ଓ ପୋଷ୍ଟଅଫିସ ନଦୀର ଗୋଟିଏ ପାଖରେ ଅବସ୍ଥିତ ଥିବାବେଳେ ଅନ୍ୟପାଖରେ ଥିଲା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର , ପଶୁଡାକ୍ତରଖାନା ଓ ଉଚ୍ଚବିଦ୍ୟାଳୟ । ଅତଏବ ବର୍ଷସାରା ଲୋକମାନଙ୍କର ନଦୀପାରି ହେବା ଥିଲା ଏକ ନିରନ୍ତର ଧାରା ଓ ନିକଟ ଭବିଷ୍ୟତରେ ଉକ୍ତ ଧାରାଟିର ଏକ ସର୍ବକାଳୀନ ସମାପ୍ତି ଘଟିବାର ସମ୍ଭାବନା ସମ୍ପର୍କରେ ସମସ୍ତେ ଥିଲେ ଅଜ୍ଞ ।

        ପ୍ରତ୍ୟେକ ନିର୍ବାଚନ ସମୟରେ ନେତାମାନଙ୍କର ଗମନାଗମନର ସୁବିଧା ନିମନ୍ତେ ନଦୀଉପରେ ଏକ ଅସ୍ଥାୟୀ କାଠପୋଲର ନିର୍ମାଣ ଓ କିଛିଦିନ ଅନ୍ତେ ପୋଲଟି ନଷ୍ଟ ହୋଇଯିବା ପରେ ତା'ର ଧ୍ଵଂସାବଶେଷ ଭିତରୁ ମୁଣ୍ଡ ଉଠାଇ ଚାହିଁ ରହିଥିବା କେତେଗୋଟି କାଠଗଣ୍ଡି ମଧ୍ୟରେ ଫାଶୀଜାଲ ବନ୍ଧାହୋଇ ମାଛ ଧରାଯିବା ଭଳି ପାରମ୍ପାରିକ ଘଟଣାର ଦୃଶ୍ୟାବଲୋକନରେ ଅଭ୍ୟସ୍ତ ଗ୍ରାମବାସୀମାନେ ହଠାତ ଦିନେ ଏକ ସ୍ଥାୟୀ କଂକ୍ରିଟ ପୋଲ ନିର୍ମାଣ ଜନିତ ଆବିଶ୍ୱସନୀୟ ସମ୍ବାଦଟି ଶ୍ରବଣ କରି ବେଶ ଚକିତ ହେଲେ । ସମ୍ବାଦଟି ସମଗ୍ର ଅଞ୍ଚଳରେ ବ୍ୟାପିଯିବାର ଦୁଇଦିନ ପରେ ନଦୀର ଅନତିଦୂରରେ ପୋଲ ନିର୍ମାଣ ପାଇଁ ଆବଶ୍ୟକୀୟ ସରଞ୍ଜାମ ଯଥା ବାଲି , ଗୋଡି ଓ ଲୁହାଛଡ ଇତ୍ୟାଦି ଗଦା ହେବାରେ ଲାଗିଲା । ଉକ୍ତ ସରଞ୍ଜାମଗୁଡିକର ଆମଦାନୀ ଲାଗି ବ୍ୟବହୃତ ଭାରିଯାନଗୁଡିକର କର୍କଶ ଶବ୍ଦ ଦ୍ଵାରା ଆତଙ୍କିତ ହେଲେ ନିକଟସ୍ଥ ପ୍ରାଚୀନ ବିଶାଳକାୟ ବଟବୃକ୍ଷରେ ଆଶ୍ରିତ ଥିବା ଅନେକ ପ୍ରଜାତିର ପକ୍ଷୀ ତଥା ଦୁଇଦଳ ମାଙ୍କଡ । ସର୍ବଦା ନିଜ ନିଜ ଭିତରେ କଳିରେ ମାତିଥିବା ମାଙ୍କଡମାନେ ସେଦିନ କଳି ଝଗଡା ଭୁଲିଯାଇ ନିରବରେ ବସିରହି ଭୟାତୁର ଦୃଷ୍ଟିରେ ସେ ଯନ୍ତ୍ରଦାନଵ ଗୁଡିକୁ ନିରେଖି ଦେଖୁଥିଲେ ।

         ଉପରୋକ୍ତ ପକ୍ଷୀ ଓ ମାଙ୍କଡମାନଙ୍କ ଅପେକ୍ଷା ଅଧିକ ଆତଙ୍କିତ ଦେଖାଯାଉଥିଲେ ଧିବର ବସ୍ତିର ସମସ୍ତ ବାସିନ୍ଦାମାନେ । ସମସ୍ୟାର ଏକ ସ୍ଥାୟୀ ସମାଧାନ ନିମନ୍ତେ ପୂର୍ବରୁ ନିଜ ନିଜ ଭିତରେ ଥିବା ସମସ୍ତ ମନୋମାଳିନ୍ୟକୁ ଭୁଲିଯାଇ ଦିନେ ସଂଧ୍ୟାବେଳେ ସମସ୍ତେ ଏକତ୍ରିତ ହେଲେ । 

' ଡଙ୍ଗା ତ ବନ୍ଦ ହେବାଟା ନିଶ୍ଚିନ୍ତ ; ଖାଲି ମାଛ ଧରିଲେ କେମିତି ପେଟପୋଷା ହେବ !' ଅପର୍ତ୍ତି କେଉଟ ନିଜ ଅଲରା ଚୁଟି କେରାକ ମଧ୍ୟରେ ଅଙ୍ଗୁଳି ସଞ୍ଚାଳନ ପୂର୍ବକ ସଜାଡି ଦେବା ଅବସରରେ କହିଲା । ' ମୂଲ ମଜଦୂରୀ କରି ଚଳିବା । ଯାହା ଯେତିକି ହବ ସେତିକିରେ ଖୁସି । ' ଆଉ ଜଣେ ପ୍ରସ୍ତାବ ଦେଲା ।'ସବୁଦିନ କାମ ମିଳିବ ବୋଲି କିଛି ସ୍ଥିରତା ଅଛି ?' ଏତକ କହିସାରି ଅପର୍ତ୍ତି ଦୀର୍ଘନିଶ୍ଵାସ ଛାଡିଲା । ସମସ୍ତେ କୌଣସି ଏକ ସିଦ୍ଧାନ୍ତରେ ଉପନୀତ ହେବା ଆଶା ନେଇ ସାହି ମୁଖିଆ ପଦବାଚ୍ୟ ଗତିଶ୍ଵର ମୁହଁକୁ ଚାହିଁଲେ । ଗତିଶ୍ଵର ଥିଲେ କେଉଟ ବସ୍ତିର ସର୍ବାପେକ୍ଷା ବୟସ୍କ । ନିଜର ଜିଦଖୋର ଓ କ୍ରୋଧି ସ୍ବଭାବ ହେତୁ ସେ ଥିଲେ ଅପ୍ରତିଦ୍ଵନ୍ଦୀ ମୁରବୀ । ଥରେ କଥା ଦେଇଛି ଅର୍ଥ ନିଜ ଜୀବନ ବିନିମୟରେ ସେ କଥା ପାଳନ ହେବା ଚାହି । ତାଙ୍କର ଏଭଳି ପ୍ରକୃତି ସଂପର୍କରେ ସେ ଅଞ୍ଚଳର ପ୍ରାୟ ସମସ୍ତେ ଜ୍ଞାତ ଥିଲେ ।'କିଛିଦିନ ଅପେକ୍ଷା କରି ଦେଖିବା । ପୋଲ ତିଆରି ହେବାପାଇଁ ଅନେକ ସମୟ ଲାଗିବ । ସେ ସମୟ ଭିତରେ ହୁଏତ କିଛି ବାଟ ମିଳିଯାଇପାରେ ।' ଗମ୍ଭୀର ସ୍ୱରରେ ଗତିଶ୍ୱର ନିଜ ନିଷ୍ପତ୍ତି ଶୁଣାଇଲେ ।

'ସମସ୍ତେ ଶୁଣ , ଆଉ ଗୋଟାଏ ବଡ ଖବର ଅଛି ।' ଏତକ କହି କହି ଧଇଁସଇଁ ହେଇ ସେଠାରେ ପହଞ୍ଚିଗଲା ଅପର୍ତ୍ତିର ବଡପୁଅ ଶଙ୍କରା । 'ବ୍ରିଜ ତିଆରି ପାଇଁ ଏଠାରୁ କେଉଟ ବସ୍ତି ଉଚ୍ଛେଦ ହେବା କଥା ମୁଁ ଏବେ ଶୁଣିକରି ଆସିଲି ।'

'କେଉଁଠାରୁ ଶୁଣିଲୁ ?' ଅବିଶ୍ଵାସ ସ୍ୱରରେ କେହି ଜଣେ ପ୍ରଶ୍ନ କଲା । ମଧୂ ବିଶ୍ଵାଳ କହୁଥିଲେ ।' ନିଜ ସ୍ଵରରେ ଯଥାସମ୍ଭବ ଗମ୍ଭୀରତା ବଜାୟ ରଖି ଶଙ୍କରା ଉତ୍ତର ଦେଲା ।'ବିଶ୍ୱାଳେ କହୁଥିଲେ ? ତାଙ୍କ କଥା ତ କେବେ ଭୂଲ ହେବନି । ତୁ ନିଜେ ଶୁଣିଛୁ ନା ଆଉ କାହାଠାରୁ ଶୁଣିକି କହୁଛୁ ?' ନିରାଶାପୂର୍ଣ୍ଣ କଣ୍ଠରେ ଗତିଶ୍ୱର ପଚାରିଲେ । 'ହଁ ହଁ , ମୁଁ ନିଜେ ମୋ ନିଜ କାନରେ ଶୁଣିଲି ।' ଶଙ୍କରା ସ୍ୱରରେ ପୂର୍ବବତ୍ ଦୃଢ଼ତା ବଜାୟ ରହିଥିଲା ।  ସମସ୍ତେ ନୀରବ ଥିଲେ । ଏଭଳି ଏକ ଆକସ୍ମିକ ବିପଦଟି ସମସ୍ତଙ୍କ ପାଇଁ କଳ୍ପନାତୀତ ଥିଲା । ମଧୂ ବିଶ୍ଵାଳ ଥିଲେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଗତ ପାଞ୍ଚବର୍ଷ ତଳୁ ଅବସର ଗ୍ରହଣ କରି ବିଭିନ୍ନ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ସେ ଅଞ୍ଚଳରେ କୌଣସି ସଭାସମିତି ହେଲେ ବିଶ୍ଵାଳେ ସଭା ପରିଚାଳନା କାର୍ଯ୍ୟଟି ସୁଚାରୁରୁପେ ସଂପାଦନା କରନ୍ତି । ଉପର ମହଲରେ ତାଙ୍କର ଭଲ ପ୍ରଭାବ ରହିଥିବା ଧାରଣାଟି ପ୍ରାୟ ସମସ୍ତଙ୍କର ଥାଏ । 'ତୁମେମାନେ ନିଶ୍ଚିନ୍ତ ରୁହ । କେଉଁ କାଳରୁ ଆମେମାନେ ଏଠାରେ ବାସ କରୁଛୁ । ଏତେ ଶୀଘ୍ର ଆମକୁ କେହି ଏଠାରୁ ଉଠାଇ ପାରିବେନାହିଁ । ଏ କଥା ମୋର ତୁମମାନଙ୍କ ପାଇଁ ଖାଲି ପ୍ରତିଶ୍ରୁତି ନୁହେଁ , ପ୍ରତିଜ୍ଞା ବୋଲି ଧରିନେବ । ମୁଁ ଜୀବିତ ଥିବାଯାଏଁ ତୁମମାନଙ୍କୁ କଦାପି ଅସୁବିଧାରେ ପଡିବାକୁ ଦେବିନାହିଁ । ମୁଁ ନିଜେ କାଲି ବିଶ୍ଵାଳଙ୍କୁ ସାକ୍ଷାତ କରି କଥା ହେବି । ସେ ଚାହିଁଲେ ଅନ୍ତତଃ ଆମର ଥଇଥାନ ବ୍ୟବସ୍ଥା କରିପାରିବେ । ଜଣେ ସମାଜସେବି ଭାବରେ ଜୀବନରେ କେତେ ଲୋକଙ୍କୁ ସାହାଯ୍ୟ କରିଛନ୍ତି ; ଆମ ପାଇଁ ଅନ୍ତତଃ ଏତିକି ସାହାଯ୍ୟ କରିବେ ନାହିଁ ! ଏବେ ତୁମେମାନେ ନିଶ୍ଚିନ୍ତ ହୋଇ ଘରକୁ ଯାଅ ।' କହିସାରି ଗତିଶ୍ଵର ନିଜେ ଯିବା ପାଇଁ ଉଠିଲେ । ପରଦିନ ସକାଳେ ମଧୂ ବିଶ୍ୱାଳ ନିଜର ପୁରୁଣା ଖାନଦାନୀର ସଙ୍କେତ ବହନ କରୁଥିବା ପୁରୁଷେ ସରିକି ଉଚ୍ଚା ବାରଣ୍ଡାରେ ଏକ ବେତ ନିର୍ମିତ ଆରାମ ଚଉକିରେ ବସି ଚା ପାନ କରିବା ଅବସରରେ ଖବରକାଗଜ ଉପରେ ଦୃଷ୍ଟି ବୁଲାଉଥିଲେ । ଜୁହାର ଆଜ୍ଞା !' ସାମାନ୍ୟ ଦୂରରେ ରହି ଯଥାସମ୍ଭବ ସମ୍ଭ୍ରମତା ଦେଖାଇ ହାତଯୋଡି ଠିଆ ହୋଇଥିଲେ ଗତିଶ୍ଵର । କିହୋ ଗତିଶ୍ୱର ! ଖବର କଣ ? ଭଲ ଅଛତ ?' ବିଶ୍ୱାଳେ ମୃଦୁ ହସି ସମ୍ଭାଷଣ ଜଣାଇଲେ । ନାଇଁ ଆଜ୍ଞା ଭଲ ଆଉ କ'ଣ ! ଆମମାନଙ୍କର ସଂସାର ପ୍ରାୟ ଉଜୁଡିବା ଉପରେ । ବଡ ଆଶାନେଇ ଆପଣଙ୍କ ପାଖକୁ ଆସିଛି । ଆପଣଙ୍କର ସାମାନ୍ୟ କୃପା ହେଲେ ଆମେମାନେ ଏ ଦୁର୍ଗତିରୁ ବର୍ତ୍ତି ଯାଆନ୍ତୁ । ଏତେଦିନର ଭିଟାମାଟି ଛାଡ଼ି ପିଲାପିଲିଙ୍କୁ ଧରି ଆମେ ଯିବୁ କୁଆଡେ ?' ଭିଟାମାଟି !' ବିଶ୍ଵାଳଙ୍କ ସ୍ଵର ସାମାନ୍ୟ କର୍କଶ ଶୁଭିଲା । 'କିହୋ ! ତୁମମାନଙ୍କର ପୁଣି ଭିଟାମାଟି ଆସିଲା କୁଆଡୁ ? ଯେତିକି ଦିନ ସରକାରଙ୍କ ଜାଗାରେ ରହିବା କଥା ରହିଲ ; ଏବେ ପୋଲଟି ତିଆରି ହେବା ଯୋଜନା ସରକାରଙ୍କର । ଅତଏବ ତୁମେମାନେ ସେଠାରୁ ଉଠି ଅନ୍ୟତ୍ର ରହିବା ବ୍ୟବସ୍ଥା କର ।' ଟିକିଏ ଦୟା କରନ୍ତୁ ଆଜ୍ଞା । ପିଲାଛୁଆ ଭାସିଯିବେ ।' ଗତିଶ୍ଵର ମିନତୀ ଭରା ସ୍ଵରରେ କହୁଥିଲେ । ' କିଛି ନହେଲେ ସେମାନଙ୍କର ଥଇଥାନ ବ୍ୟବସ୍ଥାଟି ହୋଇପାରିଲେ ସମସ୍ତେ ଟିକିଏ ଶାନ୍ତିରେ ନିଶ୍ୱାସ ମାରନ୍ତେ ।' ଆଚ୍ଛା ହଉ ; ପରେ ସେକଥା ବୁଝିବା । ଏବେ ତୁମେ ଯାଅ ।' କହିସାରି ବିଶ୍ଵାଳେ ଖବର କାଗଜ ପଢ଼ାରେ ମନ ଦେଲେ । ଅଗତ୍ୟା ଆଖି କଣରୁ ଜକେଇ ଆସିଥିବା ଲୁହ ଟୋପାକ ଗାମୁଛା କାନିରେ ପୋଛିସାରି ଗତିଶ୍ଵର ଘରମୁହାଁ ହେଲେ । ପାଦ ଦୁଇଟି ଘରଆଡକୁ ଯିବାପାଇଁ ଅମଙ୍ଗ ହେଉଥିଲେ । ଜୀବନକାଳ ମଧ୍ୟରେ ଗତିଶ୍ୱର ନିଜକୁ ଏତେ ଅସହାୟ କେବେ ମନେ କରିନଥିଲେ । ବସ୍ତିକୁ ଫେରି ଅନ୍ୟମାନଙ୍କୁ କଣ କହିବେ , ଏହି ଭାବନାଟି ବେଳକୁ ବେଳ ଚେତନାକୁ ଆବୋରି ବସୁଥିଲା । ସମୟ ଗଡି ଚାଲିଥିଲା । କାଳର ପ୍ରବାହମାନ ଗତିକୁ କିଏ ଅବା ରୋକି ପାରିବ ? ଦିବାରାତ୍ର ମିଶି ଆଠପ୍ରହରର ଭୋଗ ଉପରାନ୍ତେ ହୁଏତ କିଏ , ପୌଷ ମାସର ଶିତୁଆ ସକାଳର କମନୀୟ ସୂର୍ଯ୍ୟକିରଣରେ ସ୍ନାନରତ ଅବସ୍ଥାରେ ନିଜକୁ ଆବିଷ୍କାର କରୁଥିବା ସ୍ଥଳେ ଅନ୍ୟକେହି ହୁଏତ ବ୍ରହ୍ମାଣ୍ତର ଦୂରନ୍ତ କୃଷ୍ଣଗର୍ତ୍ତର ( ବ୍ଲାକହୋଲ ) ବିକଟ ଅନ୍ଧକାର ଭିତରେ ସର୍ବଗ୍ରାସୀ ଘୂର୍ଣ୍ଣନ ପ୍ରକ୍ରିୟା ମଧ୍ୟରେ ନିଜକୁ ଘୂର୍ଣ୍ଣିତ ଅବସ୍ଥାରେ ପାଇ ଭୟରେ ଆଖି ବନ୍ଦ କରିଦେଉଛି । ଏବକୁ ଏବକୁ ସଂପୂର୍ଣ୍ଣ ବିବାଲୋକରେ ବିଚରଣ କରୁଥିବା ସମୟରେ ଗତିଶ୍ଵରଙ୍କ ଆଖି ଆଗରେ ଅନ୍ଧକାର ଛାଇଯାଉଛି । ବସ୍ତି ଉଚ୍ଛେଦର ତାରିଖ ଧାର୍ଯ୍ୟ ହୋଇସାରିଛି । ଡାକବାଜି ଯନ୍ତ୍ର ଦ୍ଵାରା ଦୁଇ ଦିନ ମଧ୍ୟରେ ଘର ଖାଲି କରିବାକୁ ପ୍ରଚାର ଚାଲିଛି । ଏ ମଧ୍ୟରେ ଗତିଶ୍ଵର ଆଉ ଦୁଇଥର ଯାଇ ବିଶ୍ଵାଳଙ୍କୁ ସାକ୍ଷାତ କରି ନିରାଶ ହୋଇ ଫେରି ଆସିଲେଣି ।

         ଆଜି ବୁଦ୍ଧ ପୂର୍ଣ୍ଣିମା । ବୈଶାଖ ମାସର ଶେଷଦିନ । ଗତିଶ୍ଵର ନିଜ ଦାଣ୍ଡ ଦୁଆରେ ବସି ନଦୀଆଡକୁ ଚାହିଁରହି ମନେ ମନେ କଣ ଗୁଡାଏ ଭାବୁଥିଲେ । ସକାଳୁ କାହିଁକି ଦେହଟା ଭଲ ଲାଗୁନି । ଶରୀରରେ ପ୍ରବଳ ଜ୍ୱରର ପ୍ରକୋପ । ତାତିରେ ଖଇ ଫୁଟିବା ପରିସ୍ଥିତି । ତଥାପି ଶେଷଥର ପାଇଁ ମଧୂ ବିଶ୍ଵାଳଙ୍କୁ ସାକ୍ଷାତ କରିବା ପାଇଁ ଗତିଶ୍ଵର ସିଦ୍ଧାନ୍ତ କଲେ । ବାଉଁଶ ଖୁଣ୍ଟିକୁ ଆଶ୍ରୟ କରି ଉଠି ଠିଆ ହେଉ ହେଉ କଚାଡି ହୋଇ ପଡିଲେ । ପଡିବା ଶବ୍ଦ ଶୁଣି ଘର ଭିତରୁ ସ୍ତ୍ରୀ ଓ ପିଲାମାନେ ଦୌଡ଼ି ଆସିଲେ । ସମସ୍ତେ ଧରାଧରି କରି ବୁଢାକୁ ଘର ଭିତରକୁ ନେଇଗଲେ । କିଛି ସମୟ ପରେ ବୁଢାର ଚେତା ଫେରିଲା । ଜୁଳୁ ଜୁଳୁ କରି ବୁଢା ସମସ୍ତଙ୍କ ମୁହଁକୁ ଚାହୁଁଥିଲା । କ'ଣ ଗୋଟାଏ ମନେ ପଡିଗଲା ଭଳି ଭାବନେଇ କିଛି କହିବାପାଇଁ ଚେଷ୍ଟା କଲା । ବ୍ଯର୍ଥ ଚେଷ୍ଟା ; ପ୍ରବଳ ଚେଷ୍ଟା ଦ୍ଵାରା ଓଠ ସ୍ପନ୍ଦିତ ହେବା ସତ୍ତ୍ଵେ ଶବ୍ଦର ପ୍ରକାଶ ନାହିଁ । କିଛି ସମୟ ପରେ କେବଳ କିଛି ଦୁର୍ବୋଧ୍ୟ ଶବ୍ଦର ଉଚ୍ଚାରଣ ସମ୍ଭବ ହେଲା । ଡାକ୍ତରଖାନା ନେବାର ବ୍ୟବସ୍ଥାରେ ସମସ୍ତେ ଲାଗି ପଡିଲେ । କିନ୍ତୁ ସେ ବ୍ୟବସ୍ଥାର ସଫଳ ରୂପାୟନ ପୂର୍ବରୁ ବୁଢା ଇହଲୀଳା ସାଙ୍ଗ କଲା ।

         ଇତିମଧ୍ୟରେ ପଶ୍ଚିମ ଦିଗବଳୟରୁ ଏକ ବିଶାଳକାୟ କଳା ବାଦଲର ଆବିର୍ଭାବ ଘଟିଲା । କିଛି ସମୟପରେ ଆରମ୍ଭ ହେଲା ପ୍ରବଳ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା । 

'ଏ ଦୁର୍ଯ୍ୟୋଗ ବେଳାକୁ ପୁଣି ଅପେକ୍ଷା ଥିଲା କାଳବୈଶାଖୀର ? ଶଃ ! ମଣିଷ ଏବେ କରିବ କଣ ? ବୁଢାର ସଂସ୍କାର କେମିତି ହବ ?' ବାରଣ୍ଡାରେ ବସିରହି ଚାଳରୁ ଗଡ଼ୁଥିବା ପାଣିକୁ ଦେଖୁଥିବା ଅଵସ୍ଥାରେ ଅପର୍ତ୍ତି କହିଲା ।

'ବର୍ଷା ଛାଡିଯିବା ପରେ ଆମେ ଏଠାରେ ରହି ଶୁଖିଲା ଜାଳର ବ୍ୟବସ୍ଥା କରୁଛୁ । କେବଳ ଛ'ଟା ମାଢି ପାଇଁ କାଠଗଡ ଦରକାର । ନଈପଠାରେ ବିଶ୍ଵାଳ ବୁଢ଼ାର ଗଛ ଅଛି । ତୁମେ ତ ମଝିରେ ମଝିରେ ତାଙ୍କର ବୋଲହାକ କର । ତୁମ କଥା ବୁଢା ରଖିବ ।' ଶଙ୍କରା ନଡ଼ା ବିଡ଼ାଏ ଆଣି ଥୋଇଦେଇ କହିଲା ।

'ହଉ ! ବର୍ଷା କମୁ , ଦେଖିବା ।' କହିସାରି ଅପର୍ତ୍ତି ପାଳ ଦଉଡ଼ି ବୋଳିବାରେ ମନ ଦେଲା ।

           ବିଶ୍ଵାଳେ ଦାଣ୍ଡ ବାରଣ୍ଡାରେ ବସି ନାତି ସହ ଖେଳୁଥିଲେ । ବର୍ଷା ପବନ ଆରମ୍ଭ ହେବା ଦେଖି ବୋହୁ ଆସି ନାତିକୁ ଘର ଭିତରକୁ ନେଇଗଲେ । ବର୍ଷା ଆରମ୍ଭ ହୋଇଗଲା । ସର୍ବତ୍ର ଧୂଆଁମୟ । ବିଶ୍ଵାଳେ କୌଣସି ଏକ ଭାବନାରେ ମଜ୍ଜିରହି ଘର ସମ୍ମୁଖରେ ଥିବା ଖଳାବାଡି ପଟେ ଦୃଷ୍ଟି ବୁଲାଇ ଆଣିଲେ । ବାଡିର ଗୋଟିଏ ପାଖରେ ଥିବା ପିଜୁଳି ଗଛ ତଳେ କିଏ ଜଣେ ଠିଆ ହୋଇଥିବା ପରି ଲାଗିଲା । କିଏ ହୋଇପାରେ ! ବିଶ୍ଵାଳେ ଅନୁମାନ କରି ଚିହ୍ନିବା ପାଇଁ ଚେଷ୍ଟା କରୁଥିଲେ । 

'କିଏ ? କିଏ ସେଠାରେ ଛିଡା ହୋଇଛି ?' ବିଶ୍ଵାଳଙ୍କ ପ୍ରଶ୍ନର କୌଣସି ଉତ୍ତର ମିଳିଲା ନାହିଁ । କିନ୍ତୁ ସ୍ପଷ୍ଟ ଭାବରେ ନ ହେଲେ ମଧ୍ୟ ସେ ଧୂଆଁଳିଆ ପରିବେଶରେ ଲୋକଟି ହାତଯୋଡି ନମସ୍କାର କରିବାର ଦେଖାଗଲା । ହାବଭାବରୁ ଲୋକଟି ଗତିଶ୍ଵର ବୋଲି ବିଶ୍ଵାଳେ ନିଶ୍ଚିନ୍ତ ହେଲେ ।

' ଧେତ୍ ତେରିକି ! ଏ ବୁଢାକୁ ଏଇ ସମୟରେ ଆସିବାର ଥିଲା ! ମନେ ମନେ ଗୁଣୁ ଗୁଣୁ ହୋଇ ବିଶ୍ଵାଳେ ଘର ଭିତରକୁ ପଶିଗଲେ । 

' କିଏସେ ? କାହା ଉପରେ ବିଗୁଡ଼ୁଛ ?' ବିଶ୍ଵାଳଙ୍କର ଖଟା ଆମ୍ବ ସ୍ଵାଦ ଆସ୍ଵାଦିତ ମୁଖକୁ ଦେଖି ପତ୍ନୀ ପଚାରୁଥିଲେ ।

' କେଉଟ ସାହି ଗତିଆ ବୁଢା ପିଜୁଳି ଗଛ ତଳେ ଛିଡ଼ା ହୋଇଛି । ବାରମ୍ଵାର ଆସୁଛି ।'

' କାହିଁକି ସେ ଆସୁଛି ?'

' ଥଇଥାନ ପାଇଁ । କିହୋ ! ମୁଁ କଣ ମନ୍ତ୍ରୀ ନା ଜିଲ୍ଲାପାଳ ? 

' ତୁମେ ଚେଷ୍ଟା କଲେ ତ ହୋଇପାରନ୍ତା ।' ପତ୍ନୀ ପାନ ଖଣ୍ଡିଏ ବଢାଇ ଦେଇ କହିଲେ ।

' ତୁମେ କଥାଟା ବୁଝିପାରୁନ । ସାନପୁଅ ପଢା ସାରି ବେକାର ବୁଲୁଛି । ମନ୍ତ୍ରୀଙ୍କୁ କହି ତା' ପାଇଁ ବ୍ୟବସ୍ଥା କରୁଛି । ମୁଁ ଯଦି ଏବେ ଏ 'ଥଇଥାନ' ଭୂତଟିକୁ ମନ୍ତ୍ରୀଙ୍କ କାନ୍ଧରେ ଝୁଲେଇବି , ତାହେଲେ ପୁଅ ବ୍ୟବସ୍ଥାଟି ବନ୍ଦ ହୋଇଯିବ । ମୁଁ କୋଉ ଗାନ୍ଧୀ ଗୋପବନ୍ଧୁ ହୋଇଛି ଯେ , ସବୁବେଳେ ମାହାଳିଆ ସମାଜସେବା କରୁଥିବି ! ମୋ ସଙ୍ଗେ ଆଉ ଯୁକ୍ତି ନକରି ତୁମେ ଏବେ ଏଠାରୁ ଯାଇ ସେ ଗତିଆ ବୁଢାକୁ ବିଦାୟ କର ।'

         ବର୍ଷା କମିଗଲାଣି । ଟୋପିପାଣି ପଡୁଛି । ବିଶ୍ଵାଳେ ଧିରେ ଧିରେ ଝରକା ଖୋଲି ପିଜୁଳି ଗଛ ତଳକୁ ଚାହିଁଲେ । ପୂର୍ବଭଳି କେହିଜଣେ ଠିଆ ହୋଇଛି । ଏଥର ସ୍ପଷ୍ଟ ଦେଖାଗଲା । ଅନୁମାନ ସତ୍ୟ । ଗତିଶ୍ୱର ହିଁ ପଥର ମୂର୍ତ୍ତି ଭଳି ଛିଡା ହୋଇ ରହିଥିଲା । ବିଶ୍ଵାଳେ ଝରକା ବନ୍ଦ କରି ପତ୍ନୀଙ୍କୁ ଡାକିଲେ । ପତ୍ନୀ ଯାଇ ଖଳାବାଡି ଦେଖି ଆସିଲେ । କେହି କୁଆଡେ ନାହାଁନ୍ତି ।

କିଛି ସମୟ ପରେ ବାହାରେ କେହି ଜଣେ ଡାକିଲା । 

'ଯାଇ ଦେଖ କିଏ ସେ ! ଗତିଆ ଡାକୁଥିଲେ ତାକୁ 'ମୁଁ ନାହିଁ ' ବୋଲି କହି ଫେରାଇଦେବ ।'

' ଗତିଆ ନୁହେଁ , ଅପର୍ତ୍ତି ଡାକୁଛି ।' ପତ୍ନୀ ବାହାରୁ ଦେଖି ଆସି କହିଲେ ।

ଅଗତ୍ୟା ବିଶ୍ଵାଳେ ବାହାରକୁ ଆସିଲେ ।

'ହଜୁର ! ଜୁହାର ହଉଚି ! ଟିକିଏ ସାହାଯ୍ୟ କରିବେ ।' ଅପର୍ତ୍ତି ଯୋଡ ହସ୍ତ ହେଲା ।

'ଆରେ ବାବୁ ! ଏ ଅଞ୍ଚଳରେ କେବଳ ମୁଁ ଜଣେ ମାତ୍ର ସାହାଯ୍ୟକାରୀ ଅଛି ନା କଣ !' ବିରକ୍ତ ଭାବରେ ବିଶ୍ଵାଳେ କହିଲେ ।

'ନାଇଁ ଆଜ୍ଞା , ମୁଁ କଣ ସେକଥା କହିଲି ? ଦାଦି ଚାଲିଗଲେ । କାଠ ଖଣ୍ଡେ ଦରକାର ଥିଲା ।'

'ଓ ହୋଃ ! ହଉ ହଉ । ଯେଉଁଠାରୁ ସୁବିଧା ପାଉଛୁ ନେଇଯିବୁ । କୋଉ ଦାଦି ଚାଲିଗଲା କିରେ ?' ବିଶ୍ଵାଳେ ସାମାନ୍ୟ କୌତୁହଳରେ ପ୍ରଶ୍ନ କଲେ ।ଗତିଆ ଦାଦି ।' 

ଆଁ !' ବିଶ୍ଵାଳେ ପଡି ଯାଉ ଯାଉ କାନ୍ଥରେ ଭରା ଦେଇ ରହିଗଲେ । ' ଆରେ କେତେବେଳେ ? ପବନ ବର୍ଷା ହେବା ପୂର୍ବରୁ ନା ପରେ ?' ବିଶ୍ଵାଳଙ୍କ ସ୍ଵର ଆତଙ୍କିତ ଶୁଭୁଥିଲା ।

' ଆଜ୍ଞା ପୂର୍ବରୁ ।' ଅପର୍ତ୍ତିର ନିର୍ଲିପ୍ତ ଉତ୍ତର ।

' ଥ..ଇ.ଥାନ . . .ବ୍ୟବସ୍ଥା କଥା କଣ .. ହେବ ..?' ବିଶ୍ଵାଳଙ୍କ ସ୍ଵର ଥରୁଥିଲା ।

' କଣ ଆଉ ହବ ! ଯିଏ ତ ସେଥିପାଇଁ ପ୍ରତିଜ୍ଞା କରିଥିଲା , ସେ ତ ଗଲା । ଏଣିକି ଆମ ଭାଗ୍ୟ ।' ଅପର୍ତ୍ତି ଦୀର୍ଘ ନିଶ୍ଵାସ ଛାଡ଼ିଲା ।

' ଗ..ତି...ଆ ତୁମ. . . .ମାନଙ୍କର  ଥଇ. . .ଥାନ ପାଇଁ  ପ୍ର..ତିଜ୍ଞା  କରି . . . . .' ବିଶ୍ୱାଳେ ବାକ୍ୟ ପୁରା କରିନପାରି କାନ୍ଥ ଧରି ଧରି ଘର ଭିତରକୁ ଗଲେ ।

          ଚାରି ଛ'ଟା ଝାଡ଼ା ; ତାପରେ ବାନ୍ତି ଆରମ୍ଭ ହେଲା । ଡାକ୍ତରଖାନାରେ ପହଞ୍ଚିବା ବେଳକୁ ବିଶ୍ଵାଳଙ୍କର ଉର୍ଦ୍ଧଶ୍ଵାସ ଉଠିଲାଣି । ପାଟି ଖନି ମାରି ଯାଉଛି । ହାତଠାରି ଦୁଇ ପୁଅଙ୍କୁ ପାଖକୁ ଡାକିଲେ । କଣ ଗୁଡାଏ କହିବେ ବୋଲି ଚେଷ୍ଟା କଲେ । ସବୁ ଅସ୍ପଷ୍ଟ ଶୁଭିଲା । ଶେଷରେ ବଡ଼ପୁଅ ବୁଢାର ମୁହଁ ପାଖକୁ କାନ ଆଣି କିଛି ଶୁଣିବାକୁ ଚେଷ୍ଟା କଲା । କିଛି କିଛି ବୁଝିଲା ଭଳି ମୁଣ୍ଡ ହଲାଇଲା । କିଛି ସମୟ ପରେ ସବୁ ଶେଷ । 

         ପରିସ୍କାର ଆକାଶରେ ପୂର୍ଣ୍ଣମି ଜହ୍ନ ହସୁଛି । ଗତିଆ ବୁଢାର ଲିଭି ଲିଭି ଆସୁଥିବା ଜୁଈ ପାଖରେ ବସି ଅପର୍ତ୍ତି ଆକାଶକୁ ଚାହିଁଥିଲା । ବୁଢା ବଞ୍ଚିଥିବା ଯାଏଁ ମଣିଷ କେତେ ନିଶ୍ଚିନ୍ତରେ ସମୟ କାଟୁଥିଲା ! ଏବେ ଏକ ଅନିର୍ଦ୍ଦିଷ୍ଟ ଭବିଷ୍ୟତକୁ ସମ୍ନା କରିବାକୁ ହେବ ।

' ବାପା !' ଶଙ୍କରା ପଛପଟେ ଡାକିଲା ।

' ହଁ ; କଣହେଲା ?' ଅପର୍ତ୍ତିର ସ୍ଵର ବହୁତ ଭାରି ଶୁଭୁଥିଲା ।

' ବିଶ୍ଵାଳ ବୁଢା ଚାଲିଗଲା ।'

' . . . .' ଅପର୍ତ୍ତି ନିରୁତ୍ତର ରହିଲା ।

' ଯିବା ପୂର୍ବରୁ ଆମମାନଙ୍କର ଥଇଥାନ ବ୍ୟବସ୍ଥା କରିଦେଇ ଯାଇଛି ।' ଶଙ୍କରା ମୁର୍ଦ୍ଦାରର ଅବଶେଷାଂଶକୁ ବାଉଁଶ ଦ୍ଵାରା ସାମାନ୍ୟ ଝାଡି ଦେଉ ଦେଉ କହିଲା ।

' ସତେ ? ମୋ ଦାଦିର ପ୍ରତିଜ୍ଞା ଟି ? କିଏ ଟାଳି ପାରିବ କହିଲୁ ? ରାଇ ଶିତଳା କାମ ସାରି ଅସ୍ଥି ଘଡିରେ ରଖ । ଘରକୁ ଯିବା ।' 

      ନଈର ଅପରଦିଗ ପଠାରେ ଆଉ ଏକ ଜୁଈର ଧୂଆଁ ଧିରେ ଧିରେ ପୂର୍ଣ୍ଣମି ଜହ୍ନ ଆଡ଼କୁ ଉଠି ଚାଲିଥିଲା ।  


Rate this content
Log in

Similar oriya story from Abstract