Dr Jagatabandhu Mohapatra

Tragedy Classics Others

4.9  

Dr Jagatabandhu Mohapatra

Tragedy Classics Others

ଗୋଟେ ସୁନ୍ଦର ସପନର ଶେଷ

ଗୋଟେ ସୁନ୍ଦର ସପନର ଶେଷ

5 mins
247



ଅଣ୍ଟାରେ ଗାମୁଛା ବାନ୍ଧି ହାତରେ ଠେଙ୍ଗାଟିଏ ଧରି ବାଇନ ବିଲ ହୁଡା ଉପରେ ଚାଲିଥାଏ, ତା’ର ବାପା ଅଜା ଅମଳର ପୈତୃକ ଜମି ପାଖକୁ I ନଈକୁଳ ପାଖରେ ବାଇନର ଦୁଇ ମାଣ ଜମି I ବାଇନ ସେ ଅଞ୍ଚଳରେ ଭଲ ଚାଷୀଟିଏ ହୋଇଥିବାରୁ ଆଉ ତିନି ଚାରି ଜଣ ଜମିମାଲିକଙ୍କର ବିଲକୁ ବି ସେ ଭାଗ ନେଇ ଚାଷ କରୁଥାଏ I ତା’ ପୁଅ ବସୁକୁ ଡାକୁଥାଏ, ଆ ସାଙ୍ଗ ହୋଇ ବିଲକୁ ଯିବା, ବସୁ ! କିନ୍ତୁ ବିଲକୁ ଯିବାକୁ ବସୁ ନାରାଜ !

ହଠାତ୍ ନିଦ ଭାଂଗିଯାଏ, ବାଇନର I ଆରେ ମୁଁ ତ ମୋ ବିଲରେ ଆଉ ନାହିଁ I ଏଇ ବାରିପଟ ଚାଳିଆ ଘରେ ଶୋଇଛି, ମୁଁ I ହଁ, ସେଇଟା ତା’ହେଲେ ମୋର ସ୍ଵପ୍ନ ଥିଲା I ଯେଉଁ ସ୍ଵପ୍ନ ସରିଯାଇଛି I ବାରମ୍ବାର କାହିଁକି ମୋତେ ଦେଖାଯାଉଛି I

ବାପା ଛାଟିଆ ମଲାବେଳେ କହିଯାଇଥିଲା, ମାଟି ହେଉଛି, ଆମ ମା’ I ମାଟି ମା’କୁ କେବେହେଲେ ହତାଦର କରିବୁନି I ଛାଟିଆ ସବୁବେଳେ କୁହେ, “ଚାଷ କାମ ଯାହାର କେତେ ସୁଖ ତାହାର, ସେଇ ସିନା ଦୁନିଆକୁ ଯୋଗାଉଛି, ଆହାର” I ମାଟି ମା’ ଚାହିଁଲେ, ଆମ ପେଟ କେବେ ବି ଅପୋଷା ରହିବନି ! ଜମି ଆମର ଲକ୍ଷ୍ମୀ ଠାକୁରାଣୀ ତାଙ୍କୁ ବିକିଲେ ଅନ୍ନ ମିଳିବନି I ଆଉ ମା’ ଲକ୍ଷ୍ମୀ କୋପ କରିବେ I

ମୋ ବୋଉ ଶୁକୁଟି ଆମ ବାଡି ପଛପଟେ ବିଭିନ୍ନ ପ୍ରକାରର ପନିପରିବା ଆଉ ଶାଗ ଲଗାଇଥାଏ I କେତେ ସ୍ନେହ ଆଉ ସରାଗରେ ସକାଳ ଆଉ ସନ୍ଧ୍ୟାବେଳେ ପାଣି ଦିଏ I ବର୍ଷଯାକ ପାଇଁ ପରିବା ଆମକୁ ସେଥିରୁ ହୋଇଯାଏ I କେତେ ସୁଆଦ ଓ ବାସ୍ନା ସେ ପନିପରିବା ଓ ଶାଗର I ମୋ ବୋଉର ହତରନ୍ଧା ଯେ କୌଣସି ଜିନିଷ ପାଟିକୁ ବହୁତ ଭଲ ଲାଗେ I ସକାଳୁ ଆମେ ବାପା ପୁଅ ପଖାଳ ଖଣ୍ଡେ ଖାଇ ବିଲକୁ ଯାଉ I ସେତେବେଳର ଚାଉଳ ଆଉ ପନିପରିବାର ସ୍ୱାଦ ଆଉ ବାସ୍ନା ସତରେ ଅଲଗା ଥିଲା I ସନ୍ଧ୍ୟାବେଳେ ନାଲି ଚା ସହିତ ଭୁଜା ପକେଇ ଖାଇବାର ଯୋଉ ମଜା I ଶୀତଦିନେ ନିଆଁ ପୁଆଇଁବାର ଯୋଉ ଆନନ୍ଦ ମିଳେ I 

ପହିଲି ବର୍ଷାରେ ମାଟିର ଯୋଉ ବାସ୍ନା I କେତେ ଶାନ୍ତିରେ ଚଳୁଥିଲା, ତା’ ଘର I ବିଲରେ କାମ କରିବା ବେଳେ କେତେ ଉପଭୋଗ କରି କାମ କରୁଥିଲା, ସେ I ଧାନ ସହିତ ମୁଗ, ବିରି, କୋଳଥ, ସୋରିଷ ଆଦି ଚାଷ କରି କେତେ ସୁଆଦିଆ ଖାଦ୍ୟ ଖାଉଥିଲୁ, ଆମେ I ବର୍ଷା ଦିନେ ମାଛ ବି ଧରୁଥିଲୁ I ଧାନ ଅମଳ ପରେ ବିଭିନ୍ନ ପ୍ରକାରର ଶାଗ ମାଇପେ ମାନେ ତୋଳି ଆଣୁଥିଲେ I କେତେ ସୁଆଦ ସେ ଶାଗର I କଂସାଏ ପଖାଳଟା ଅମୃତ ପରି ଲାଗେ I ଜମି ହିଡରେ ବସି ପଖାଳ, କଞ୍ଚା ଲଙ୍କା ଓ ପିଆଜ ଖାଇବାର ମୋହ ଏବେ ତାକୁ ମୋହିତ କରୁଛି I  

ବିଲ, ହଳ, ଲଙ୍ଗଳ, ମହୀ, ଜୁଆଳି, ବଳଦ ଯୋଡ଼ା ବାଇନକୁ ବହୁତ ନିଜର ନିଜର ଲାଗନ୍ତି I ଏବେ ବି ମନେ ପଡେ, ପବନରେ ଲହଡି ଭାଙ୍ଗୁଥିବା ସବୁଜ ଧାନ କ୍ଷେତ I କେତେ ଭଲ ଲାଗେ, ଯେତେବେଳେ ସେ ଦେଖେ ଚାରିଆଡେ ସବୁଜ ରଙ୍ଗରେ ଆଚ୍ଛାଦିତ ଧାନ କ୍ଷେତକୁ I ଆଖି ତାର ସେମିତି ଲାଖି ରହିଥାଏ, ସବୁଜ ଧାନ କ୍ଷେତ ଉପରେ I

ଘର ଆଗରେ ବନ୍ଧା ହୋଇଥାନ୍ତି, ହଳ ହଳ ଗୋରୁ, ଗାଈ ଓ ଛେଳି ମେଣ୍ଢା ଆଦି I ଘରର ଚାଳ ଉପରେ କାଉ କା କା ଡାକେ I ଗଛଲତାରେ ଭରି ରହୁଥିଲା, ସାରା ପରିବେଶ I ସବୁଜ ବଳୟ ଭିତରେ ବହୁତ ସୁନ୍ଦର ଲାଗୁଥିଲା, ଆମ ଗାଁ I    

ଚାଷ କାମ କରୁଥିବା ବେଳେ ଯାହା ଯେତିକି ମିଳିଲେ ବି ବହୁତ ଭଲରେ ଆମେ ଥିଲୁ I ଜମିରେ ପୂଜା ପାଠ ପର୍ବପର୍ବାଣୀ ହେଉଥିଲା I ଏବେ ବି ଆଖି ଆଗରେ ନାଚି ଉଠୁଛି, ଗାଁର ପୁନିଅଁ ପରବର କଥା I କେତେ ନିଜର ନିଜର ଲାଗନ୍ତି, ଗାଁର ଲୋକମାନେ I ସମସ୍ତେ ମନ ଖୋଲି ସେଥିରେ ସାମିଲ ହେଉଥିଲେ, ଆଉ ଆନନ୍ଦରେ ଜୀବନକୁ ଉପଭୋଗ କରୁଥିଲେ I ପ୍ରତିବର୍ଷ ଅକ୍ଷୟ ତୃତୀୟାରେ ବିହନ ଅନୁକୂଳ କରାହୁଏ I ସେ ଦିନ ତ ବିହନ ଅନୁକୂଳ ଦିନ, ଅକ୍ଷିମୁଠି ଚଳେଇବା ଦିନ I ନୂଆ ଧୋତି ଗଞ୍ଜି ପିନ୍ଧି, ହଳ ବଳଦ ଯୋଚି, ମୁଣ୍ଡରେ ବିହନ ମୁଣ୍ଡେଇ ବିଲକୁ ଯିବାର ଗୋଟେ ନିଆର ଅନୁଭୂତି I 

ସମୟ ବଦଳିଲା I ସଭ୍ୟତା ବିକାଶ ଆଡକୁ ଆଗେଇଲା I ପରିସ୍ଥିତିରେ ବି ଅନେକ ପରିବର୍ତ୍ତନ ହେଲା I ଧୀରେ ଧୀରେ ଚାଷରେ ଖର୍ଚ୍ଚ ବଢୁଥିଲା I ଖତ ଆଉ ଗୋବରର ପରିମାଣ କମୁଥିଲା I ଖତଗାଡ ବି ଆଉ ପୁରୁନଥିଲା I ସମୟକ୍ରମେ ଚାଷୀ ବଜାରର ବିହନ ଠାରୁ ଆରମ୍ଭ କରି ସାର, କୀଟନାଶକ ଆଦି ଉପରେ ନିର୍ଭର କରିବା ଆରମ୍ଭ କଲା I ବୋଝ ଉପରେ ନଳିତା ବିଡା ପରି ମଜୁରିଆ, ଟାକ୍ଟର ହଳ ଆଦିର ମୂଲ୍ୟ ବି ବଢି ଯାଉଥିଲା I ଚାଷରେ ଧାନ ବ୍ୟତୀତ ଅନ୍ୟ ପ୍ରକାରର ଚାଷବାସ ଧୀରେ ଧୀରେ କମୁଥିଲା I ଲୋକମାନେ ଅଧିକରୁ ଅଧିକ ଧାନ ଚାଷ ଉପରେ ନିର୍ଭର କରିବା ଆରମ୍ଭ କଲେ I ଆଉ ଧାନର ମୂଲ୍ୟ କମୁଥିଲା I ଗୋଟିଏ ପଟେ ନିତିଦିନିଆ ଜିନିଷର ଦାମ ବି ବଢି ଚାଲିଥିଲା I             

କ'ଣ ଲାଭ ସେ ପଛ କଥା ସବୁ ମନେ ପକାଇ I କେମିତି ବଦଳିଗଲା, ସମୟ I ଚାଷ କାମ କ'ଣ ଏତେ ଖରାପ ! ଚାଷ କାମ କରୁଥିବା ଲୋକଟି କ'ଣ ମଣିଷ ନୁହେଁ I ବିଲରେ ହଳ ଧରି ଚାଷ କଲେ, ସେ କ'ଣ ଛୋଟ ହୋଇଯାଏ ! ଏ କଥା ତ ନିଜ ପୁଅକୁ ବୁଝେଇପାରିଲାନି I ତା’ ପୁଅ ବସୁଆ ଏବେ ତ ବାବୁ ସାଜିଛି I ଗାଁରେ ବସୁଦେବ ନାଁରେ କ'ଣ ଗୋଟେ କମ୍ପାନୀ କରି ଜାଗାବାଡି ବେପାର କରୁଥିଲା I ଏଥରକ ସେ ୱାର୍ଡମେମ୍ବର ବି ହୋଇଛି I ଆରଥରକ ସରପଞ୍ଚ ହେବା ପାଇଁ ଯୋଜନା ଚଲେଇଛି I ରାଜନୀତିରେ ରହିଲେ ସିନା ସବୁ କାମରୁ ସେ ଟଙ୍କା ପାଇବ, ସେଥିପାଇଁ ତ ସେ ରାଜନୀତି କରୁଛି I 

କେମିତି ସେ ଏତେ ଆଗକୁ ଉଠିଛି I ତା’ର ମୁକସାକ୍ଷୀ ତ ନିଜେ ବାଇନ I ଏବେ ବି ମନେ ଅଛି, ତା’ର I ଛୋଟବେଳୁ ବିଲକୁ ଯାଇ ଚାଷ କରିବାରେ ତା’ର ଜମା ମନ ନଥାଏ I ସବୁବେଳେ କେମିତି ସେ ବଡ ହେବ, ସେହି କଥା ଚିନ୍ତା କରୁଥାଏ I ସ୍କୁଲରେ ତାକୁ ନାଁ ଲେଖାଇଥିଲି, ଯେ ସେ ଦଶମ ପାସ କରିପାରିଲାନି I ପାଠରେ ସିନା ମନ ନାହିଁ, କିନ୍ତୁ ବହୁତ ଠକ ବୁଦ୍ଧି ତା’ର I ବଡ ଲୋକ ହେବାର ନିଶା ଯେ ତାକୁ ପିଲା ବେଳୁ ଘାରିଥିଲା I  

ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଆଉ ଶିକ୍ଷାନୁଷ୍ଠାନ ଗୁଡିକ ସହ ଯୋଗାଯୋଗ କରିବା I ବିଲଡର ମାନଙ୍କଠାରୁ ମୋଟା ଆକାରର କମିଶନି ଆଣିବା ଆଉ ଜମି ମାଲିକମାନଙ୍କୁ ଟଙ୍କାର ଲୋଭରେ ଫସେଇ ନିଜେ ଲାଭବାନ ହେବା I ଘର ତିଆରି କରିବାକୁ ସହରର ଉପକଣ୍ଠର ଲୋକମାନଙ୍କୁ ବି ଗାଁରେ ଥିବା ବିଲକୁ କିଣି ଘର କରିବା ପାଇଁ ବତେଇବା.. ଇତ୍ୟାଦି ଇତ୍ୟାଦି I 

ଅନ୍ୟାୟରେ ଏମିତି ସବୁ ଧନ ଉପାର୍ଜନ କରିବା କ'ଣ ଠିକ ? ବାଇନକୁ କିନ୍ତୁ ବହୁତ ଖରାପ ଲାଗେ I ତା’ର ଅନ୍ତର ଆତ୍ମାକୁ ବହୁତ ବାଧେ I ବହୁତ ବୁଝାଇଛି, ସେ ବସୁକୁ I ତଥାପି ନିରାଶ ସେ I ଯେଉଁଦିନ ତା’ ବୋହୁ ମୁହଁ ଛିଞ୍ଚIଡି ବାଇନକୁ କହିଲା, ତମେ ଆମର କେବେ ବି ଭଲ ଚାହଁନା I ମାଟି କାଦୁଅରେ ଆମ ଜୀବନକୁ ମାଟି କରିବା ପାଇଁ ତମେ ସବୁବେଳେ ଅନେଇ ବସିଛ I ସେଦିନଠୁ ବାଇନ କହିବା ବନ୍ଦ କରିଦେଇଛି I ସବୁ ଦେଖି ଚୁପ ରହୁଛି I ଭଲ ହୋଇଛି, ବସୁ ବୋଉ ଏ ଦୁନିଆଁ ଛାଡି ଚାଲିଯାଇଛି, ନହେଲେ ଏସବୁ ଦେଖି ତାକୁ ବହୁତ କଷ୍ଟ ହୋଇଥାନ୍ତା I ବସୁ ବୋଉ ସହି ପାରିନଥାନ୍ତା, ବୋହୁର ଫିଙ୍ଗା ଫୋପଡା କଥାକୁ I                             

ଏବେ ଗାଁରେ ଚାଷୀ ବୋଲି କେହି ନାହାନ୍ତି I ଅଧିକାଂଶ ଲୋକ ନିଜ କୂଳ ବେଉସା ଚାଷବାସକୁ ଛାଡି ବାହାରେ ଚାକିରି କରିବାକୁ ଭଲ ପାଉଛନ୍ତି I ଦୋକାନରେ ବରଂ ରହିବେ, ପିଚୁ କାମ କରିବାକୁ ଯିବେ କିନ୍ତୁ ପରିଶ୍ରମ କରି ଚାଷ କରିବାକୁ ଇଚ୍ଛା କାହାର ନାହିଁ I ପରିସ୍ଥିତି ବଦଳିଛି, ସମସ୍ତଙ୍କ ଘରେ ଏବେ ସବୁ ସୁବିଧା I କିଏ କ'ଣ ପାଇଁ ଆଉ ଚାଷ କରିବେ ? ଗାଁରେ ଯେଉଁମାନେ ଜମି ବିକି ନଥିଲେ, ସେମାନେ ବି ଜମି ବିକିବାକୁ ଏବେ ବାହାରିଲେଣି I କାରଣ ବିଲରେ ଚାଷ କରିବା ପାଇଁ ଆଉ ଲୋକ ମିଳୁନାହାନ୍ତି I ବର୍ତ୍ତମାନର ଯୁବ ପିଢି ଗାଁ କଥା, ବିଲବାଡି କଥା ବୁଝିବାକୁ ଆଉ ଇଚ୍ଛା ପ୍ରକାଶ କରୁନାହାନ୍ତି I  

ଏବେ ଆମ ଗାଁରେ ବିଲ କମି କମି ଯାଉଛି ଆଉ କୋଠା ଘରର ସଂଖ୍ୟା ବଢି ବଢି ଚାଲୁଛି I ଚାଷ ଜମି ଉପରେ ମାଳ ମାଳ କୋଠା ଘର I ଆଗକୁ ଲୋକେ ଖାଇବେ କ'ଣ ? ଗଛଲତାର ସବୁଜ ପରିବେଶଟା ଧୀରେ ଧୀରେ ସିମେଣ୍ଟ ଚାଦର ତଳେ ପୋତି ହୋଇଯାଉଛି I କଟକର ଚିନ୍ତା ବାଇମୁଣ୍ଡିକୁ ପରି ବାଇନକୁ ତା’ର ଗାଁର ଚିନ୍ତା ସବୁବେଳେ ଘାରୁଥିଲା I କିନ୍ତୁ ସେ କିଛି ବି କରିପାରୁନଥିଲା I ନା’ ବଦଳେଇ ପାରୁଥିଲା, ପରିସ୍ଥିତିକୁ ନା’ ସମୟକୁ I ବଦଳୁଥିବା ସମୟକୁ ଦେଖି ବହୁତ ମର୍ମାହତ ହୋଇପଡ଼ୁଥିଲା, ସେ I ବୟସର ଅପରାହ୍ନରେ ଘରେ, ବାହାରେ ଆଉ ତା’ର ଅତି ପ୍ରିୟ ବିଲରେ ବି ବାଇନର ଆବଶ୍ୟକତା କମି କମି ଯାଉଥିଲା I ଅଲୋଡା ହୋଇଯାଉଥିଲା, ସେ ସମସ୍ତଙ୍କ ପାଇଁ I ଅପରାହ୍ନରେ ପହଞ୍ଚି ଆହତ ହୋଇ ଅନ୍ଧାର ରାତି ଆଡକୁ ଢଳିଢଳି ଅଗ୍ରସର ହେଉଥିଲା, ସେ I        

                                           


Rate this content
Log in

Similar oriya story from Tragedy