Lopamudra Parida

Action Inspirational

3  

Lopamudra Parida

Action Inspirational

ଗୋତ୍ର

ଗୋତ୍ର

11 mins
178


ଆଜି ଭୋର ହବ ହବ ହଉଥିଲା କି ସହର ଆଡେ ଯାଇଥିବା ରବିଦଦେଇ ଆସି ଆମ ଦୁଆରେ ଡାକ ପାରିଲେ ।

" ଆୟେ ମାଷ୍ଟ୍ରେ ଘରେ ଅଛନ୍ତି କି ? "

ନଥିଲେ ଘରେ ବାପା । ଚାଲିଆକୁ ବନ୍ଧ ପଟକୁ ଯାଇଥିଲେ ।ସକାଳୁ କୋଶେ ଚାଲନ୍ତି ଖିସମିଶରୁ ମୁଠେ ମୁଠେଇକି ।ଫେରିଲେ କଷିକି ତୈଳ ମର୍ଦନ , ପରେ ପରେ ପାଧୁଆ,ଗା ଧୁଆ । ତା ପରେ ଘଡିଏ ସରିକି ଦିଅଁ ଖଟୁଲି । ତେଣିକି ଜାମାଜୋଡ ହେଇ ଧପଧପ ନୀଳ ମଣ୍ଡ ଦିଆ ଧଳା ଧୋତିରେ କୁଞ୍ଚ ଭାଙ୍ଗି କାମିଜି ପକେଟରେ ତାଙ୍କ ଗୁରୁସାରେ ଦେଇଥିବା କଲମ ଖଣ୍ଡିକ ଖୋସି ହାୱାଇ ଗଳାନ୍ତି ପାଦରେ । ଗୋଟେ ଥାଟ ବୋଉ ସଜିଲ କି ବାଡିଥାଏ ହାତ ତୁଅଣ ଯାହା ।ବାପାଙ୍କର ଖାଇବାରେ ଏଣାତେଣା କାଢିବାର ନାହିଁ କେବେ ।ସିଏ ପାପୁଲିରେ ଗଡୁରୁ ପାଣି ଛଡାନ୍ତି ବିଷ୍ଣୁ ଙ୍କୁ ,ହାତ ଯୋଜନ୍ତି ନାରାୟଣୀଙ୍କୁ ।ସମାନ କରି ।କୁହନ୍ତି ଯହିଁ ଲକ୍ଷ୍ମୀ ତହିଁ ପ୍ରଭୁ, ଯହିଁ ପ୍ରଭୁ ତହିଁ ଲକ୍ଷ୍ମୀ ।ତାଙ୍କର ସରଳପଣ ସହ ଦାମ୍ଭିକ ଚରିତ୍ର ହି ମତେ ବାପାମୟ କରେ ।

ଜେଜ ଉଠିକି ଆସିଲେ ଦଦେଇଙ୍କ ଡାକ ଶୁଣି ।ଏବେ ଏବେ ବୟସ ଗାଢେଲାଇଲାରୁ ଆଉ ଆଗ ପରି ଏତେ ଭିଡକୁ ପାରୁନାହାନ୍ତି ।ତଥାପି ବେଶ୍ ଚଞ୍ଚଳ ଅଛନ୍ତି ଆମ ସହରୀ ଜୀବନିଆ ମାନଙ୍କଠୁ । ସିଏ ବି ନିତି ଚାଲିବାକୁ ଯାନ୍ତି ଯେ ଆଜି କାଇଁ ଗଲେନି ।କହିଲେ ପାଦଟା ରକଟି ହେଇଯାଇଛି ବିଲେରେ ମୁଗାବୁଣା ଦେଖିବାକୁ ଗଲାବେଳେ ଟେଳେ ଗୋଡି ପଡି ।ମନ ତ ସବୁବେଳେ ତାଙ୍କର ସେଇ ବାରି ଏଇ ବିଲରେ । କୁହୁଡିଆ କରି ରଖୁଛି ଯୋଉ ଏବେ ସତେ ଯେମିତି ଧଳା ଧୋତି ଘୋଡା କାଶ୍ମୀର କି ହୀମାଳୟ !

ମୁଁ ହଷ୍ଟେଲରୁ ଘରୁକୁ ଆସିଥାଏ ।ଖଟ ଉପରେ କନ୍ଥା ଜାକି ପଡିଥାଏ । କିଏ ଉଠିବ ଏ ସକାଳଟାରୁ ! ମୋବାଇଲ୍ ଟିକେ ଘାଣ୍ଟି ଦେଲେ ଦେଶବୁଲାକୁ ପାଇଯିବ ।କିଏ ଏତେ କଷ୍ଟ କରି ମାଇଲେ ପାଦ ଟାଣିବ ! ବାପା ଡାକୁଥିଲେ ଯେ ଗଲାବେଳେ ମୁଁ ଢିଲେଇଦେଇଥିଲି ।

ଗାଲୁଆମୀ ଗୋଟେ ଜାଣିସିଆଣିଆ ରୋଗ ।ମନକୁ ତାଗିଦା ନ କଲେ ବିଇଞି କୁଣ୍ଡିଆ ଭଳିଆ ମାଡି ଯିବ ।

ଜେଜ ଉଠିବା ଦେଖି ମୁଁ ଉଠିଆସିଲି ।ପିଲାଦିନୁ ତାଙ୍କ ହାତବାରିସି ମୁଁ ।ମୋ ନାନୀ ଜନ୍ମ ହେଲା ବେଳେ କାଇଁ

ବଡ ପୁଅର ପ୍ରଥମ କରି ଝିଅ ହେଲା ବୋଲି ଆଠଦିନ ରୁଷି ଘର ଛାଡିଥିବା ଜେଜ ମୁଁ ପୁଅଟେ ବୋଲି କି କଣ ଘରମଣି କରି ରଖିଥାନ୍ତି ମତେ ।ସବୁଥିରେ ମୋର ସିଂହଭାଗ, ନାନୀର ଧାପେ ।ଏଇ ଭଲପାଇବା ର ପ୍ରଭେଦ ନେଇ ଗୋଟେ ବାଦ ପାହାଡଟେ ଉକୁଟୁଥିଲା ତା ମୋ ଭିତରେ ଯାହାର ମଞ୍ଜି ପୋତିଥିଲେ ଜେଜ ।ସେ କଥା ଛାଡ, ଭାଇ ଭଉଣୀ ତ କହ କାହାଣୀ .... ତଥାପି ସିଏ ମତେ ଡାକେ ଗାଦିଗୁରୁଦେବ ତ କେତେବେଳେ ଗେରୁମୁଣ୍ଡି ସାଆନ୍ତେ ଯାହାକି ମତେ ଚିଡି ଲାଗେ ଆଉ ସେତକ ମୁଁ ତାର ବେଣୀ ଟାଣି ସୁଝାଏ ।ଜେଜ ବି ତାକୁ କଡାକି ଆକଟ କରନ୍ତି ।

ହଁ କଣରୁ କୁଆଡେ ଗଲିଣି । ଦେଠେଇ ଡାକୁଥିଲେ ପରା ।

ଜେଜ ଯାଇ ଦାଣ୍ଡ ପଟ ଆରାମ ଚଉକିରେ ବସିଲେ ଆଉ ଦେଠେଇଙ୍କୁ ଠାରିଲେ ବସିବାକୁ ହଂସିଆ ପିଣ୍ଢାଠି । ପାଦ ନ ଧୋଇ ଭିତର ପ୍ରବେଶ ନିଷେଧ ।

ଦଦେଇ କଥା ଆରମ୍ଭ କରୁଥିଲେ କି ବାପା ସେଣୁ ଆସି ପହଞ୍ଚିଲେ ଆଉ ଜୁହାର କରି ସେଇଠି ତାଙ୍କ ପାଖରେ ବସି ପଡିଲେ ।ଦିହେଁ ପାଖାପାଖି ବୟସର ।ସମ୍ପର୍କିୟ ଲେଖା ।ପୁଣି ଏକା ସ୍କୁଲରେ ଚାକିରୀ । ତେଣୁ ସାଙ୍ଗ ପରି ବୁଝାମଣା ବେଶୀ ।

ଭଲମନ୍ଦ ଅଳପ ଶବ୍ଦ ନେଣଦେଣ ପରେ ଦଦେଇ ବାପାଙ୍କୁ ଚାହିଁ କହିଲେ, " ଜାଣିଲୁଣି ? "

ଆଖିରେ ଆଖିଏ ପ୍ରଶ୍ନ ଧରି ବାପା ।

ବୋଉ ତେଣୁ ହାତେ ସରିକି ଓଢଣୀ ଟାଣି ଜଳଖିଆ କଂସା ମୋ ହାତକୁ ଗୋଟି ଗୋଟିକି ବଢେଇଦେଲା ସମସ୍ତଙ୍କ ପାଇଁ ।ପଣା ଭାଙ୍ଗିବାକୁ ଯିବାକୁ ବାହାରୁଥିଲା ତ ବାପା ମତେ କହିଲେ ," ତୁ ଖା, ଦଦେଇ କୁ ଆଉ ଜେଜଙ୍କୁ ଦେ ।ମୋର ଗାଧୁଆ ସରିନି ।" ମୁଁ ତାଙ୍କ ଧଳା ଧୋତିରେ ମୁହଁ ପୋଛୁଥିଲି ।ବାପା ବାପା ବାସ୍ନା ର ଗୋଟେ ଅଲଗା ମହକ ।ବାପା ଆମର ବେଲପତ୍ରି ପରି ବାସନ୍ତି ।କେମିତି କେଜାଣି! ଶିବ ଶମ୍ଭୁ ଙ୍କ ପରି ମଣିଷ ବୋଲି ବୋଧେ ।

ତମେ ଯେତେ ଯେତେ ବୁଢା ହବ ତମକୁ ଲାଗିବ ଘରର ସମସ୍ତେ ତମକଥାକୁ ବେଦର ଗାର କରି ହାତକାଟି ଲେଖିରଖନ୍ତୁ ଛାତିରେ କାହିଁକି ନା ସମୟ ରେ ପାଦ ଦେଇ ତମେ ଚାଲିସାରିଛ ।ହେଲେ ଏ କଥା ବି ବୁଝିବାକୁ ହବ ଯେ ସମୟ ସହ ଆଉ ସମସ୍ତେ ବି ତ ବଡ ହେଉଛନ୍ତି ।ସାନ ଥିଲେ ବିଚାରି, ବଡ ଥିଲେ ପଚାରି ।

ଦଦେଇ କହିଲେ ," ମୁଁ ଏଇ କାଆଲି ବୋଉମାଙ୍କ ଆଡେ ଗୋଟେ କାମରେ ଯାଇଥିଲି । ମାଡିଗଲି ଟିକେ ତାଙ୍କ ଅଗଣା ଆଡକୁ ।ସମୁଦିଙ୍କ ଭଲ ମନ୍ଦ ଦେଖିଆସିବାକୁ । ପିଲାଟା କେଡେ ଦହଗଞ୍ଜ ହଉଛି ହେ ଏକୁଟିଆ ରୋଗିଣା ବାପଟାକୁ ଧରି ।ନା ମୁଠାଏ ଖାଇବାକୁ ବେଳ ନା ଦଣ୍ଡିଏ ନିଶ୍ବାସ ନବାକୁ ।ଦିହ କାଳେ ଦିନୁ ଦିନ ବିଗୁଡୁଛି । "

ବାପା ଦୀର୍ଘଶ୍ବାସଟେ ସହ " ହୁଁ " ଟେ ମାରିଲେ ଯେମିତି କହିବାର କିଛି ଥିଲା ହେଲେ ପାରିଲେନି ।ଢୋକି ହେଇଯାଉଥିବା କଥା ତକ ପେଟକୁ ହୁନ୍ଦାଳିବା ଛଡା ଆଉ କରନ୍ତି କଣ ଯେ !

ଦଦେଇ ପୁଣି କହିଲେ, " ଅବସ୍ଥା ଶୋଚନୀୟ ।ଦେଖିଲେ ଲାଗୁନି ଆଉ ବେଶୀ ଦିନ ।କାମ ପାଇଗଲାଣି । ବୋଉମା ଯାଉନାହାନ୍ତି ଟିକେ ବୁଲିଆସନ୍ତେ ! ନିର୍ମ୍ଯାଲ୍ଯ ତୁଳସୀ ପାଣି ଟୋପେ ଦିଅନ୍ତେ ।ତାଙ୍କ ଆତ୍ମା ଖୋଜୁଥିବ ।ଯେତେ ଯାହା ହେଲେ ରକ୍ତ କି ନାହିଁ ।"

ଉହୁଁକି ଉଠିଲେ ଜେଜ ଯେମିତି ଲାଭା ବହି ପିତ ଚଢି ଉଠିଲା ମୁଣ୍ଡକୁ ।କହିଲେ " ତା' ପୁଅ ଆସିଛି ଏତେ ଦିନେ ।ସିଏ କେମିତି ଯିବ?"

ବୋଉର କାନ୍ଦୁରା ଶବ୍ଦ ଶୁଭିଲା ଭିତରୁ ।କବାଟଫାଙ୍କରୁ ଶୁଣିଦେଇଛି ବୋଧେ କାମ ଖଟୁ ଖଟୁ ।

ଜେଜ ଭିତରକୁ ତେଢା ଚାହାଣୀଟେ ଅଡେଇ କହିଲେ, " କଣ ? କିଛି ନ ହଉଣୁ ? କାଇଁ ସେ ସବୁ ସୁଆଙ୍ଗ? ପରଗୋତ୍ରି ହେଲାପରେ ଏତେ ମାୟା କଣ ! "

ଦୂରେଇଗଲା ଶବ୍ଦଟି ଘୁଞ୍ଚାଇ ନିଜକୁ ଭିତର ଅଗଣା ପଟକୁ ।

ମୁହଁ ଶୁଖିଆସିଥିଲା ସମସ୍ତଙ୍କର ଦାଣ୍ଡ ପଟେ ସେଇ ପଛୁଆ ଯାଉଥିବା ଶବ୍ଦ ର ବାମ୍ପରେ ସିଝି ।

ବିରକ୍ତ ଲାଗୁଥିଲା ମତେ ।ଇଛ୍ଛା ରୁ ଦୁଃଖ । ଦୁଃଖ ରୁ ରାଗ ।ରାଗରୁ ଧ୍ବଂସ ।ମୁଁ କହିଲି, " କାହିଁକି ଜେଜ ? ତା ବାପାଙ୍କ ଦେହ ଭଲ ନାହିଁ, ସିଏ କାନ୍ଦି ବି ପାରିବନି ? " ବାପା ଆକଟ ଭଙ୍ଗୀରେ ଚାହୁଁଥିଲେ ,ହେଲେ ମୁଁ ମୋ ବୋଉ ପଟିଆ ଠିଆ ହେଇଥିଲି ।ମୁଁ ଜାଣିଛି ଏ ଅଲଣା ମର୍ଯ୍ଯଦା, ସଂସ୍କାର, ଭଲପୁଅ ହବା ଚକ୍କର ମଣିଷ ପଣିଆ ବଳି ।ପ୍ରକୃତରେ କାଳେ ସେ ସବୁର ମୂଲ୍ୟ ବୁଝନ୍ତେ !

ମୁଁ ସେଠୁ ଉଠି ଚାଲିଗଲି ।

ସେପଟ କାନ୍ଥ କୁ ଲିପି ସେଠି ଘଷି ପାରୁଥିବା ଜେଜୀମାଆ ମୋର ବାହୁନିଲା । ଅଜଥା ।

ଆମେ ସାଧାରଣତଃ ସେଇ କଥା ଟି କହିପାରୁନା କି ଲେଖିପାରୁନା କି ବୁଝେଇପାରୁନା ଯୋଉଟା ଆମ ମଗଜକୁ ଢୁକେନା ବା ଯାହାକୁ ମଗଜ ଡରେ ନହେଲେ ଶୋଷିଦିଏ ।ମୋଟାମୋଟି କହିଲେ ଜାଣିଥିଲେ ସିନା କହିବ ! ଏବେ କିନ୍ତୁ ପାଣିପାଗ ବଦଳୁଛି ।ଜାଣିବୁଝି ବି ସବୁ ଅଜଣା ।ଡୋଳାପୁଅ ଥାଇ ପରଳ ପରଦା ନିଜେ ଟାଣିକି ପକେଇଦଉଛେ ଆମେ ପଲକ ତଳେ ।ନିଜ ପିଠିରେ ଯେତେବେଳେ ଆଙ୍କୁଡା ବାଜୁଛି, ସେବେ ବୁଦ୍ଧି ଖସୁଛି ।ନେଡି ଗୁଡ କହୁଣୀ ଠି ଲାଗିଲେ ଚାଟିବ କେମିତିକା ଏତେ ବିଚାର ଆଉ ନାହିଁ । ତମେ ପାରିବ ତ କର ନହେଲେ ତେଲି ନା ଯା ପେଲି । କିଏ କାଇଁ ପଙ୍କରେ ପସିବ, ପାଦ କଚାଡିବ ଯେ !

ବୁଢୀମାଆ ର କଳଗାଉଣା ପୁରୁଣା ଟେପରେକର୍ଡ କ୍ଯାସେଟ ବାଜିବା ଆରମ୍ଭ ହେଲା ।କାନ ଘୋରି ହେଲା ଯାଏ ଏଇଲେ ସଁ ପଁ ହବ ବୁଢୀ ।

" ଏ ମାଆ ' ଇଏ ସବୁ ସେ କାଳ ପଖାଳ ।ଆଜି କାଲିକା ଯୋଉ ପିଲେ ।ତାଙ୍କର ଯୋଉ ଖବିସ, ଯୋଉ ଚହଟ ତମ ଚଉଦ ପୁରୁଷକୁ ନାକରେ ପାଣି ନ ପେଇ ଦେବେ କି ଆ ! ଦିନରେ ଲଣ୍ଠନ କଣ ତାରା ଦର୍ଶନ ଯୋଗ ଲେଖେଇଆଣିବେ ଟି !ଦିଶୁଥିବେ ମାଛିକୁ ମ' ,ଖ' କିଛି ନ କହିଲା ପରି ହେଲେ ମଉନ ୠଷି ତକ ସାପ ଗାତରେ ତେଣେ ହାତ ପୁରେଇଥିବେ ।ଏଡେ ଖଜବଜ କାଣ୍ଡ ।ତମେ କଣ ହେଇଛି ବୁଝୁ ବୁଝୁ ହଉ ହଉକା ତେଣେ ଛୋଟ ସାପର ବିଷ ଚହଲି ସାରିବଣି ସିରା ସିରା ।କୋଉ ହାତ ପାଇବ କଣ ! କପାଳରେ ହାତ ମାରିବା କଥା ।ଏ ଟୋକା କୁ ଆହୁରି ପଢିବାକୁ ଘୋଡାଚଢିବାକୁ ପଠାଅ ହଷ୍ଟେଲ! ଆହୁରି ବାପଜେଜ ମୁହଁ ରେ ଜବାବ କଷୁ । ପଥର ଦିହରେ ହୃଦୟ ନଥାଏ ରେ ବାପ, ହୃଦୟ ପଥର ହବା କୋଉ ନୂଆ କଥା । "

ବୋଉ କାନି ମାଡି ଚୁଲିମୁଣ୍ଡରେ ସେତବେଳୁ କାନ୍ଦୁଥାଏ ।ବୁଢୀ ସେପଟକୁ ବୁଲିଯାଇ କହିଲା, " ମଲା କେତେ ଫଟେଇ ହଉଛୁ ବା ।ମୋର ପରା ଜନମକଲା ମାଆ ମରିକି ପଡିଥିଲା ।ଭାଇଟା ଆସି ଆଙ୍କ ଦୁଆରେ ଚାରିଘଡି ଗୋଡଜୋଡି ଠିଆ ହେଲା ।କୋଉ ଛାଡିଥିଲେ?ତିକତ ସୁଦ୍ଧା ପାଇବାକୁ ଟୋପେ ଗଲି କି !ନାଃ । ରକତ ପାଣିଫାଟି ଯାଏ ଲୋ ।ଆଉ ଏକାଳେ ସେକଥା ଦୋହରେଇବେନି ପୁଣି ଭାବିଛୁ ଏମାନେ ।ଯା ଯା ହାତ ଗାଳେ ।ତେଣିକି କେତେ ପାଇଟି ମେଲିଛି ।ତାକୁ ଦେଖେ ।ମାଇକିନିଆ ବାହାହେଲା ଝୁଅ ? ଲୁହ କଣ ଲୋ ! "

ତା ଭିତରେ ଏତେ ଦିନରୁ ସିଏ ସାଇତିଥିବା ଦୁଃଖ କୁ ଓଗାଳି ସାରିଥିଲା ମାଆ ବୋଉ ଉପରେ ଛିନ୍ଚାଡି ହେଇ । ଆହୁରି ଏମିତି କେତେ କଥା ଥିବ ଝିଅଟେର ଝୀନପଣତ ଜାଲ ତଳେ, କେତେ କୋହ ଜମାଟ ବାନ୍ଧୁଥିବେ ବହି ନ ପାରି ।କାହିଁକି? କେତେଦିନ? 

ଦେଖିଲି ମାଆ ବି ଆଖି ପୋଛୁଛି ।ସିଏ ବି ତ ବୋହୁ ଥିଲା ଦିନେ । ମୁଁ ଜେଜଙ୍କୁ ପଚାରିବାକୁ ଯାଉଥିଲି କି କଣ ପାଇଁ ମାଆକୁ ସେତେବେଳେ ଛଡା ହେଲାନି ।ମୋ ତମତମ ଚାଲି ଦେଖି ନାନୀ ମତେ ଭିଡିନେଲା ତା ବଖରାକୁ ।କହିଲା," ରହ ,ପାଗ ବିଗାଡେନି । ଅଜଥା ଏଇଲେ ପାଟିତୁଣ୍ଡ ରୁଷାରୁଷି ବଢିବ । କଥାକଟି କଟି କରେନା ।ଯାହା ଚାଲିଛି ନା ,ତୁ କଣ ରାତାରାତି ସବୁ ବଦାଳିଦବୁ ଏମିତି ଫଁ ଫଁ ହେଇକି? ତୁ ତୋର ଚୁପ୍ ରହ ।ସଚରାଚର ପ୍ରାଣୀ ଜଗତରେ ସାଧାରଣିଆ ଜୀବତକ.... ସବୁବେଳେ ବିଚରା ।ଜୋର ଯାହାର ଶିରପା ତାହାର ।ତୁ କଣ ଜାଣିନୁ?"

ମତେ ରାଗ ଲାଗିଲା ସତରେ ।କାହିଁକି ଏମିତି ଚାଲିଥିବ? କାହିଁକି ଆମେ ସବୁବେଳେ ବିଚରା ହେଇଥିବା?ସେଇ ସମାନ ଶକ୍ତି ରୁ ଜନ୍ମ ପରା ଏ ସଚରାଚରର ।ତେବେ ଏତେ ଭେଦଭାବ କିଆଁ ! କଣ ଅସପତ୍ନ ରାଜୁତି !

ମୁଁ ଓଲଟି ତା ଉପରକୁ ଚିଡିଯାଇ କହିଲି ," ଆଉ ତୁ କଣ କହୁଛୁ , ତୁ ବାହା ହେଇ ଚାଲିଗଲେ ଆଉ ଏ ଘର ଭଲମନ୍ଦରେ ଠିଆ ହବୁନୁ? ଭୁଲିଯିବୁ ସବୁ?ସମସ୍ତଙ୍କୁ ।ଆଉ ଶୁଣେ ମୁଁ ବିଚରା ଫିଚରା ନୁହେଁ ହେଲା । "

ସିଏ ଝିଟିକିଗଲା , ଆଉ କାନ୍ଦ କାନ୍ଦ ହେଇ ଖାଲି ଚାହିଁଲା ଆଖିରୁ ରୁଷିଜଟା ପରି ଧାରଧାର ପାଣି ବୁହେଇ ।ମୁଁ ବୁଝିଗଲି ତାକୁ କାଟିଲା ।ଭାରି କାଟିଲା ।

ଝିଅ ଗୁଡାଙ୍କୁ କାଟିଲେ ଖାଲି କାନ୍ଦିବେ ।ଦୁର୍ଗା, କାଳି, ଝାନ୍ସୀରାଣୀ ଗପ ପିଲାଙ୍କୁ ଶୁଣେଇବେ ।ନିଜେ ହେବେନି ।

ମୁଁ ଦାଣ୍ଡ ପଟକୁ ବାହାରି ଆସିଲି ।ମୋ ଦେହରେ ଯେମିତି ବିଦ୍ରୋହୀ ଯୁଆନ ଦରୋଗାର ବଳ ।ଦଦେଇ ଉଠିକି ଯାଇସାରିଥିଲେ । ଜେଜ ମତେ ଚାହିଁ କହିଲେ ଭଲଲୋକି ଦେଖାନ୍ତି କେତେ ଲୋକ ।ଏତେ କଥା ଏଠି ଆଣି ପୁରେଇବାକୁ ତାକୁ କହୁଥିଲା କିଏ ।ଏ ଘର ମୋର ମୁଁ ମୁରବୀ ।ଆଉ କାହା ମାମତକାର ଏଠି ଚଳିବନି ।" ତାଙ୍କ ମୁହଁ ରେ ଡରଟେ ଦିଶୁଥିଲା ।ମୁଁ ଲକ୍ଷ୍ୟ କଲି ।ସିଂହାସନ ଚ୍ଯୁତ ହେବାର ଡର ।ପଲଟ ଜବାବସୁଆଲକୁ ଆଡେଇଯିବାର ଡର ।ବୋଧେ ସିଏ ବି ଜାଣନ୍ତି ନିଜ ସୁଖ ଟିକକ ପାଇଁ ସିଏ ମଣିଷ ପଣିଆକୁ ଢାଙ୍କୁଣି ମଡେଇ ରଖିଦଉଛନ୍ତି ।ବାପା ଉଠି ଚାଲିଗଲେ ।ବୋଉକୁ ସମ୍ବାଳିବା, ତାର ନୀରିହ ଅଳିକୁ ଦମନ କରିବା ପରି କଠୋର କାମଟି ଜେଜ ତାଙ୍କ ମୁଣ୍ଡରେ ଥାପି ସାରିଥିଲେ ।ମତେ ଲାଗୁଥିଲା ମୁଁ କାଠ କି ପଥର ।କି ଅଶରିରୀଟେ କେଜାଣି ।କିଛି କରିପାରିବିନି କି କହିପାରିବିନି ।ଖାଲି ଛାଇ ହେଇ ଉଡିବୁଲିବି ଅସହାୟ ହେଇ ।ତଥାପି ବଳ ସଞ୍ଚିଲି ମନରେ .....

ମୁଁ ବସିଲି ଜେଜଙ୍କ ଗୋଡ ପାଖରେ ।ତେଲ ଗିନାଟା ଧରି ଘସିଲି ।ସିଏ ମତେ ଚାହୁଁନଥାନ୍ତି ।ରାଗକୁ ମୁଁ ଆଗେ ସମ୍ଭାଳିଲି ।କଥା ନ ବିଗୁଡୁ ଭାବି ।ଅଜଥା ତୁମୁଳକାଣ୍ଡ ରେ ଅଶାନ୍ତି ବଢେ ସିନା ।ନାନୀ ଆଉ ଟିକେ ଆଗରୁ ବୁଝେଇଥିଲା ।

ମୁଁ ପଚାରିଲି ," ଜେଜ ଚାଲ ପୋଖରୀ ଆଡୁ ବୁଲି ଆସିବା ।ଗାଧେଇବାକୁ ମନ ବୁଡ ପକେଇ କାଚମାରେକା ପାଣିରେ ।ଯିବା? "

ବାଡି ଧରି ଉଠିଲେ ଜେଜ ।କହିଲେ, " ଯା ମୋ ତେଲ ଗାମୁଛାଟା ଆଣେ ।ନୀମକାଠି ଖଣ୍ଡେ ଭାଙ୍ଗେ ।"

ସୂର୍ଯ୍ୟ କୁ ପଛେ ଘଡିଏ ଖାଲି ଆଖିରେ ତାଡିଦେଲା ପରି ଚାହିଁ ହବ ,ହେଲେ ଦର୍ପଣରେ ନିଜ ଆଖିରେ ଆଖି ମିଶେଇବା କଲିଜା ସେତିକି ଟାଣ ପଡିଥିବା ଲୋଡା ।

ଆମେ ଜେଜବାପନାତି ମିଶି ଆଗରୁ ଧକ୍କା ପେଲୁଥିବା ପୁରୁବିବାଆ'କୁ ପେଲି ଚାଲୁଥାଉ ।ହାଲୁକେଇ ଯାଉଥାଏ ମନ ତାର ଛୁଆଁରେ ।ପୋଖରରେ ଆଭାସୀ ସୂର୍ଯ୍ୟବିମ୍ବ ଝଲସୁଥାଏ ।ଜଳବିମ୍ବ ହୋଇବି ସତ ପରି ତେଜୋଦ୍ଦୀପ୍ତ ଥାନ୍ତି ସୂର୍ଯ୍ୟ ପାଣି ଭିତରେ ଅଗ୍ନିର ଅପୂର୍ବ ଉପସ୍ଥିତି ସହ ।ଆକାଶର ଲଲାଟରେ ତ ତିଳକବିନ୍ଦୁ ପରି ବସନ୍ତ ରଙ୍ଗୀ ତପନ ହସୁଥାନ୍ତି ।ଦିଟିଯାକ ଯାଗାରେ ତାଙ୍କ ଉପସ୍ଥିତି ସତ୍ଯ ହି ତ ,ସେ ଆଭାସୀ ହେଉ ବା ଅନ୍ତରିକ୍ଷି ।

ପାଣିପଙ୍କୁଳ ଗହୀରରେ ଗୋଲାପି ପଦୁଅଁ ସବୁ ସୂର୍ଯ୍ୟକୁ ଅଭିମାନ କରି ତେରେଛା ଚାହାଁଣୀ ସୂର୍ଯ୍ୟକୁ ଫିଙ୍ଗୁଥିଲା ଆଉ ଗାଉଥିଲା

 " ନିଦ ଭରା ରାତିରେ ତୁମେ ସ୍ବପ୍ନରେ ଆସ ଯାଅ ,

କୁହ ନା ସାଥି କୁହ ନା .... କାହିଁକି ଯେ ଧରା ନ ଦିଅ ।।"

ଜେଜ ବି ତାଙ୍କ ଗରମ ଦେଖେଇଲେ ।ମୁଁ ଭାବୁଥିଲି ଥୟ ପଡି ଯାଇଛନ୍ତି ।କହିଲେ, " ତୁ ଯମା ମତେ ଫୁସୁଲେଇବାକୁ ଚେଷ୍ଟା କରିବୁନି ହେଲା ।କେହି କୁଆଡେ ଯିବେନି କହିଲି ମାନେ କହିଦେଲି ।" ମୁଁ ପରିସ୍ଥିତିକୁ ଭାପିନେଇ କହିଲି, " ନା ମ ,ମୁଁ ତ କେତେବେଳୁ ସେକଥା ପାଶୋରିଲିଣି ।ମୁଁ ତ ଶୁଣିବାକୁ ଚାହୁଁଥିଲି ତମ ପିଲାଦିନ କଥା ।ଆଉ ମୋ ପିଲାଦିନ କଥା ।ତମ ମୁହଁରୁ ।ଗପ ପରି ଲାଗେ ଯେତେଥର ଶୁଣିଲେ ।"

ଜେଜ ଖୁସିଖୁସିଆ ଦିଶିଲେ, ଦାନ୍ଠ କଟିଲା ଟିପେ ।ପିଲାଦିନଟା ହି ସେମିତି।ତମ ଚମ ଯେତେ ଧୋକଡୁ ପଛେ ମନତଳ କୁନିପିଲାଟି ଖୁପୁରୁଖୁପୁରୁ କରୁଥିବ ଗଜିଉଙ୍କୁଣି ପରି ।କଳାଧଳା ଫଟୋ ସବୁରେ ସୁନ୍ଦରତା ବେଶୀ ନିଖୁଣ ପରା ।

ଜେଜ ସଜ ଦିଶିଲେ ।କହିଲେ," ଜାଇଁଲୁ କଥା ଗୋଟେ ପକେଇଲୁ ଯାହା ।ଆମ ପିଲାଦିନପରି ଦିନ କାଇଁ କିରେ ଏକାଳେ! ତମେ ସବୁ ସେ ମଇଦା ଜିଆନାଡ ଖାଇକି ବଡ ହଉଛ ଆମ ବେଳେ କେତେ ଖଜା,ମୁଆଁ ।ଏକାଳେ ପାଣିବି ବୋତଲଗଡା ।ଗୁଡଦହି ପଣାର ଯୋଉ ମଜା ପିଇଲେ ଜାଣିବୁ ।" ମୋ ମୁହଁକୁ ଚାହିଁ ତାଙ୍କ ଅଧାପାକୁଆ ପାଟିରେ ଗୁଲୁଗୁଲିଆ ହସଟେ ଖିଲିପାନ ପରି ଜାକି ଧରି କହିଲେ ," ଖାଲି ତ ନାକ ଟେକିଲ ଆ ।କାହୁଁ ଜାଣିବ ସେ ଦରବ ମୂଲ! ଗଳା ପେଣ୍ଟ ନଳପରି ଗଳଉଛ ।ହେଇ ଦେଖ କଷିକିରି ଗଣ୍ଠିମାରି ଧୋତି ପିନ୍ଧିବୁ ଯେ ଛାନ୍ଟ ଦିଶିବୁ ।ତୁ କଣ ଯାହାତାହି କି ,ରଜା ପିଲା ପରି କଦ ପରା ।ମୋରି ଛାଞ୍ଚ ।" ମୁଁ ଜେଜଙ୍କ ଧୋତିକୁ ହାତ ମାରିଲି ।ଜେଜ କହିଲେ ," ଜାଣିଛୁ ଧନ ଏଇ ଧୋତି ପିନ୍ଧା ମୁଁ ମୋ ମାମୁଁଘରଜେଜଠୁ (ଅଜା) ଶିଖିଥିଲି ।ସେଇ ଜାଣି ମତେ ମଣିଷ କରିଥିଲା ବଢେଇକୁଢେଇ, ରୋଗବଇରାଗ ସହି,ପଥିପାଞ୍ଚଣ ଯୋଗେଇ ।କେତେ ଗାଁ ସିଏ ଖାଲି ପାଦରେ ଡଗଡଗକି ଚାଲିଯାଇନଥିବ ମୋ ପାଇଁ ବିଭୁତି ନଖେ କାଗଜରେ ମୋଡି ଆଣିବାକୁ! ମୋ ବୋଉର ମୁଁ ପ୍ରଥମ ପୁଅ ।ତାର କୋଡପୋଛା ନାତି ।ସିଏ ମତେ ଗଳାମାଳି କରିଥିଲାରେ ।କୁଆଡେ ମିଳେଇଗଲାଣି ପବନରେ ଆହା । ନୂଆ ଧବଫରଫର ଧୋତି ମାଟିଦାଣ୍ଡରେ ପାରି ଆଉ ଗୋଟାକୁ ଚାରିଜଣ ଯେତେବେଳେ ମୋ ମୁଣ୍ଡ ଉପରେ ଧଳାଆକାଶ ପରି ମେଲି ଧରି ବରବରଣି କରି ନଉଥିଲେ ତୋ ବୋଉକୁ ଆଣିବାକୁ ରୋଶଣି କରି ଗଲାବେଳେ ମୋ ମାମୁଁଘର ଅଜା ପରା ମତେ କହୁଣୀରେ ଅଳପେଇ ଖୁସୁରେଇଦେଇ ହସିଦେଇଥିଲା ଯେ ସମସ୍ତେ ଦେଖିପକେଇ ଯୋଉ ହସିଲେ ମୁଁ ଲାଜେଇ ପାଣି ହେଇଯାଇଥିଲି ସେଦିନ ।ସାଙ୍ଗ ପରି ହେଇଯାଇଥିଲା ସିଏ ମୋର ।ସବୁ ଗପିପାରୁଥିଲୁ ଆମେ ।ସବୁ ବୋଇଲେ ସବୁ ।"

ଅନ୍ଯମନସ୍କ ଓ ଭାବଗମ୍ଭୀର ହେଇ ଜେଜ କୋଉଗୋଟେ ଅଜଣା ଦିଗକୁ ଆଖି ପହଁରଉଥିଲେ ।ଲାଗୁନଥିଲା ସିଏ ସେଇଠି ଅଛନ୍ତି ,ଆଉ ମତେ କହୁଛନ୍ତି । ସ୍ମୃତିର ଲବଣାକ୍ତ ମଧୁର ମହାଅର୍ଣ୍ଣବର ଧାରେ ଧୋବ ଢେଉ ପରି ମୁଁ ବି ବହି ଚାଲିଥିଲି ତାଙ୍କ ସହ ।

" ଭଲପାଇବାଟା କୁଆଡେ ମଉଳି ଯାଏନି ଜେଜେ ,ନା !" ସେଇ ଢେଉରେ ଭାସୁ ଭାସୁ କହିଲି ମୁଁ ।ସିଏ ଲମ୍ବେଇଲେ, " ହଁ ରେ ବାଇଆ ।ମାମୁଁଘରଜେଜ କୁ ମୁଁ ହେଜିହଉଥାଏ ଅନ୍ତରେ ।ତାର ସେନେହ ହୃଦତଳ ଗହୀରଗାର ।ମିଟିବକି! ନା ! ଜାଣିଛୁ ଜନମକାଳେ ତାରି ଧୋତି କପଡାରେ ମହୁ କି ଶୋରିଷତେଲ ମଖେଇ ମାଢି ଘଷଉଥିଲା ମାମୁଁଘରମାଆ (ଆଈ) ।ମୋ ବୋଉଟାତ ରୋଗଣିଟା ଚିରକାଳ ।ସେଇନାଗି ବାପଘର ସାହା ନେଇ ରହେ, ଚଳେ ।କାମକରା ବଳଦ ନହେଲେ କୋଉ ମୁନିବ କଣ ଖୁଣ୍ଟ ପୋତି ତୋରାଣି ଦବ! ହେଲେ ଯାହା ଗାଈ ସିଏ କୁଆଡେ ଛାଡିବ, ହଡା ହଉ ମଡା ହଉ, ତା' ସକ୍ଷ ଦେଇ ଘାସପତର ପାଟିରେ ମୁଠେ ଦବ ।ନା ନାଇଁ ! "

_ ହଁ ,ତା' ନୁହେଁ ତ ଆଉ କଣ ! ଦେଖୁନ ଆମ ଅଜା ବି ତ ତମ ଦେହ ଖରାପ ଯୋଉ ଆର ବର୍ଷ ହେଇଥିଲା, କଟକ ବଡ ମେଡିକାଲ ରେ ପଡିଥିଲ ମାସେକାଳ ଯୋଉ ,କେତେ ନ କରିଛନ୍ତି କହିଲ ଆଗେ ।ପାଦ ପା ଚାଲୁନଥିଲା ! ଡାକ୍ତର କଣ କହିଲେ ,ଆଉ ଚଳିବନି ଅଚଳ ହାଡ ।ସେଇ ଅଜା ମୋର ପୁଣି କେତେ ବ୍ଯସ୍ତ ହେଇ ପାରୁ ପର୍ଯ୍ୟନ୍ତ ଲାଗି ଖଟି ସକାଳେ ସଞ୍ଜେ ହାତ ଧରି କାଠଯୋଡି ବନ୍ଧରେ ତମକୁ ଚଲେଇ ଚଲେଇ ହେଇ ଦୌଡେଇଦେଲେ ନାଉ । ଆଜି ସିନା ସିଏ ଅଚଳସୁଉକି ।ପଡିଛନ୍ତି ଯେ ଆଗକୁ ପଛକୁ କେହି ନାହିଁ ।"

ମୁଁ ସିନା ଏତକ କହିଦେଲି ନହସକେ ଗପସୁଅମୁହଁରେ, ଭାବିଲି.... ଗଲି ଆଜ ଆଉ ଏ ପିଠିଛାଲ ନ ରହିବ ।ବାଣୀବର୍ତ୍ତନ ବିପଣୀ ମେଲିଯିବେ ।ମଲି ।

ହେଲେ ଅଜା ନାଁ ଶୁଣି ଚାଉଁ କିନା ହଉଥିବା ଜେଜ ଭୁତ ଛାଡିଗଲା ପରି ଥମ୍ ହେଇଯାଇଥିଲେ ,ଯେମିତି ଚେତୁଥିଲେ, " ଆରେ ହଁ ତ ! ମୁଁ ଏଡେ ଏହସାନ ଫରାମୋଶିଆ କେମିତି ହେଲି ? "

କେଜାଣି ଭିତରେ ଅଗ୍ନେୟଗିରି , ଭୂମିକମ୍ପ କି ମହାବାତ୍ଯା। କଣ ହବାର ଶାନ୍ତପଣ ପୂର୍ବାଭାଷ ଥିଲା ମାଆ ଗଙ୍ଗେଇଙ୍କୁ ଜଣା !ଡରଟେ କଡ ଲେଉଟେଇଲା ମୋ ନାହିମୁଣ୍ଡରେ ଥୁରଥୁରକି ।

ହେଲେ ସେତିକି ବେଳୁସୁ ଆଉ ଛୁଞ୍ଚିଏ ଶବ୍ଦ କରିନଥିବା ଜେଜ ସଂଧ୍ୟାରେ ମତେ ଆଉ ବାପାଙ୍କୁ ଡାକି କହିଲେ, " ହା' ରେ ବୋହୂପିଲାଟାକୁ ଟିକେ ଘେନିଯାଅ ।ତମେ ବାପ ପୁଅ ବି ସାଥିରେ ଯ ।ବୁଢା ଖୁସି ହେବେ ।ଏ ବେଳେ ଠିଆ ହବନି ଆଉ କେବେ ! ଯ ଯ ଚଞ୍ଚଳ ଖାଇ ପି ଶୋଇପଡ ।ସହଳ ଉଠି ବାହାରି ଯ ।ତମେ ଦେଖିକି ଫେରି ଆସିବ ।ସିଏ ଟିକିଏ ରହୁ ।ମନପୁରିଲେ ଆସୁ ।ବାପଟା ପରା ତାର । ଆମେ କଣ ଏତେ ଋଣୀ ହବା! ଯ । ମାଆକୁ କହ ଭଲମନ୍ଦ କଣ ଦିଟା ବାନ୍ଧୁ ।କାଲି ସହଳୁ କଣ୍ଡରାକୁ ଖବର ପଠଉଛି ।ପଇଡ ଗଣ୍ଡେପାଞ୍ଚୁଟା ବେଗେରେ ରଖିଦବୁ ।କସମସଦେହ ।ଉସୁଆସ ଲାଗିବ ।"

ରାତିର ସାଦା ଡାଲମାଟା ବି କ୍ଲାସ ଲାଗୁଥିଲା ।ଜେଜୀ ମୋର ଜେଜଙ୍କ ଥାଳି ପାଖରେ ବଡ ଗୋଟେ ଖୁସି ମୁହଁରେ ପିନ୍ଧି ହାତ ବିଞ୍ଚଣାଟା ବୁଲଉଥିଲା ,ତା' ତଟକାଘା 'ରେ ଯେମିତି ବିଶଲ୍ଯକରଣୀ ଲେପାହେଇ ଉଭେଇଯାଇଛି ଦରଜ ।

ଘର ଯାକରେ ଶୀତଳ ବାୟୁ ବହୁଥିଲା ଏ କୋଣ ସେ କୋଣ ହେଇ ।ମିଠାଳିଆ ପରିବର୍ତ୍ତନ କାହାକୁ ଭଲ ଲାଗେନି ଯେ ।ଝଡ ଆଗର ଆଉ ପଛର ଶାନ୍ତି ଝଡର ତୁମ୍ବି ତୁଫାନକୁ ଭୁଲେଇଦିଏନି କି ! ଆବଶ୍ୟ ଟିକେ ସମୟ ନିଏ ଯେ ।।

ଜେଜ ପୁଣି ରାତିରେ ମୁଁ ତାଙ୍କ ପେଟରୁ ଉଷୁମ ଟାଣି କୋଳପୁଷିପରି ଗେଲିନେସି ହେଲା ବେଳେ କହିଲେ, " ଶୁଣୁ ତୋ ଅଜାର ଯଦି ଠାକୁରେ ନ କରୁ କାଲିକି କାଲି କଣ ଭଲ ମନ୍ଦ ହଏ । ବୋଉ ତୋର ପାଳୁ । ମୋର ମନା ନାହିଁ ।ରକତ ଡାକିବ । ଝୁଅଟି । ହେଲେ ମୋର ସରଗ ଯିବା ତିକତ ନ ପାଇବା ଯାଏ ତୁ ଯେମିତି ସେଠି ଏଠି ବାଳ ନ ପକଉ ।ଲଣ୍ଡା ନ ହଉ ପୁରା ।ଖୁର ଖିଅର ଅଳପକି ସାରିପାରୁ । ଗଣ୍ଠି ପକା ଏ କଥା ।" ମୁଁ ଛିଟ ମାଇଲା ପରି ଘୁଞ୍ଚି ଆସି ସେଇ ଝରକା ବାଟେ ପଡୁଥିବା ଜହ୍ନ ଆଲୁଅରେ ତାଙ୍କ ମୁହଁ କୁ ଚାହିଁଲି , ବଲବଲକି ।ସିଏ କହିଲେ, "ମୁଠେ ଚୁଟି ତକାତେ ମୋ ପାଇଁ ଛାଡିବୁନି ନା କଣ ! ଢେମାଢେମାକି ଚାହୁଁଛୁ! ଯେତେ ହେଲେ ତାଙ୍କ ଗୋତ୍ର ଅଲଗାକି ନାହିଁ ।ଆମର ଖାଇବ, ପିଇବ ।ଯେମିତି ଯାହା ଚଳୁଛ ଚଳିବ ।ଦଶ ଯାଇ ଖଟି ଆସିବ ।ଗଲା। ମତେ ଯମା ଜିଗର ଲଗେଇବୁନି ଆଗୁଆ କହିଦେଲି । "

ମୁଁ ପଚାରିବାକୁ ଭାବୁଥିଲି, " ଗୋତ୍ରଟା କଣ ? ଗୋଟେ ବାହାବେଦୀ ମନ୍ତ୍ର ପଢାରେ ଝିଅଟେର ଗୋତ୍ର ତାର ବାପାଙ୍କ ଗୋତ୍ର ତାଠୁ ଭିନ୍ନେ ହଏ କେମିତି ? ରକ୍ତ କି ଡି ଏନ ଏ ପରିକ୍ଷା କଲେ ହବ ଥରେ ।ବଦଳିଛନ୍ତି ରକ୍ତ କଣିକା ନା ସେମିତି ରହେ ? ଧନ୍ଯରେ ସମାଜ ଆଉ ତୋ ନିୟମକାନୁନୁ ।ଥିବ ଯେ ନିହାତି ସବୁ କଥା ପଛର ଦମଦାର ନଥାଟିଏ , ତଥାପି ଗୁଡେ ଯୋଡାଯୋଡି ପରେ ଖାତାରେ ଚଢିଛି ।ମାନ କି ନ ମାନ । "

କିଛି କଥା ବଦଳେ । କିଛି ସମୟ ନିଏ ।

ଆଉ କିଛି

" ତୁ ଯେତେ ମାଠିବୁ ମାଠେ ......."

ପଥରରେ ଛାର ମୁଣ୍ଡ କୋଢିବା କଥା ।



Rate this content
Log in

Similar oriya story from Action