STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଗିରି ଗୋବର୍ଦ୍ଧନଙ୍କ ଇତିକଥା     

ଗିରି ଗୋବର୍ଦ୍ଧନଙ୍କ ଇତିକଥା     

4 mins
9

        ଗିରି ଗୋବର୍ଦ୍ଧନଙ୍କ ଇତିକଥା     
        ================
ସତ୍ୟ ଯୁଗର କଥା, ଥରେ ମହର୍ଷି ପୁଲସ୍ତ୍ୟ ତୀର୍ଥ ଭ୍ରମଣରେ ବାହାରିଲେ l ସେ ଭାରତ ବର୍ଷର ବହୁ ତୀର୍ଥ ପର୍ଯ୍ୟଟନ କରି ଯାଇ ଭାରତର ଉତ୍ତର ଦିଗରେ ଅବସ୍ଥିତ, ଅତି ରମଣୀୟ ଦ୍ରୋଣାଚଳ ପାଖରେ ପହଁଚିଲେ l ବୃକ୍ଷଲତା ଶୋଭିତ ଦ୍ରୋଣାଚଳର ସୌନ୍ଦର୍ଯ୍ୟ ଦେଖି ମୁନି ପୁଲସ୍ତ୍ୟ ବହୁତ ଉଲ୍ଲସିତ ହୋଇ ପଡ଼ିଲେ l ଦ୍ରୋଣ ପର୍ବତଙ୍କ ପୁତ୍ର ଥିଲେ ଗିରି ଗୋବର୍ଦ୍ଧନ l ମୁନି ଦ୍ରୋଣ ପର୍ବତଙ୍କୁ କହିଲେ, ହେ ପର୍ବତରାଜ ! ମୁଁ ତୁମର ସୌନ୍ଦର୍ଯ୍ୟରେ ଖୁବ୍ ବିମୋହିତ ହୋଇ ପଡ଼ିଛି l ତୁମେ ଯଦି ଅନୁମତି ଦିଅନ୍ତ, ମୁଁ ତୁମ ପୁତ୍ର ଗୋବର୍ଦ୍ଧନଙ୍କୁ କାଶୀ ନେଇ ଯାନ୍ତି ଓ ସେଠାରେ ରୋପଣ କରି ପୂଜାକରନ୍ତି l ଦ୍ରୋଣଗିରି ମୁନିଙ୍କ କଥା ଶୁଣି ଦୁଃଖିତ ହେଲେ l କିନ୍ତୁ ଗୋବର୍ଦ୍ଧନ ପିତାଙ୍କୁ ବୁଝାଇ ଦେ଼ଇ କହିଲେ ମୁନିଙ୍କ ଶ୍ରଦ୍ଧାକୁ ଆମେ ସମ୍ମାନ ଦେବା, ବିଧେୟ l ଏଣୁ ମୋତେ ଯିବାକୁ ଅନୁମତି ଦିଅନ୍ତୁ l ଗୋବର୍ଦ୍ଧନ ପର୍ବତ ପ୍ରସ୍ତୁତ ହେଲେ ୠଷି ପୁଲସ୍ତ୍ୟଙ୍କ ସହ କାଶି ଯିବା ପାଇଁ l ସେ ପୁଲସ୍ତ୍ୟଙ୍କୁ କହିଲେ, ମୁଁ ଆପଣଙ୍କ ସହିତ ଯିବାକୁ ପ୍ରସ୍ତୁତଅଛି, କିନ୍ତୁ ମୋର ଗୋଟିଏ ସର୍ତ୍ତ ଆପଣଙ୍କୁ ରକ୍ଷା କରିବାକୁ ପଡ଼ିବ l ସେହି ସର୍ତ୍ତଟି ହେଲା, ଆପଣ ନେଇଗଲା ବେଳେ ମୋତେ ବାଟରେ କେଉଁଠି ରଖିବେ ନାହିଁ l ମୁନି ଗୋବର୍ଦ୍ଧନଙ୍କ ସର୍ତ୍ତ ମାନିଗଲେ l ଏହାପରେ ଗୋବର୍ଦ୍ଧନଗିରି କହିଲେ, ମୋର ଉଚ୍ଚତା ଦୁଇ ଯୋଜନ ଓ ମୋ ବ୍ୟାସ ପାଞ୍ଚ ଯୋଜନ ବିସ୍ତୃତ l ଆପଣ, ମୋର ଏପରି ବିଶାଳ ଶରୀରକୁ କାଶୀ ପର୍ଯ୍ୟନ୍ତ କିପରି ନେଇଯିବେ l ପୁଲସ୍ତ୍ୟ କହିଲେ, ତୁମେ ଚିନ୍ତା କର ନାହିଁ l ମୁଁ ତୁମକୁ ତପ ବଳରେ ମୋ ହାତରେ ବସାଇ ନେଇଯିବି l
ଏପରି କଥା ବାର୍ତ୍ତା ହୋଇଯିବା ପରେ ପୁଲସ୍ତ୍ୟ ଗୋବର୍ଦ୍ଧନଙ୍କୁ ତୁଳାପଟ ସଦୃଶ ହସ୍ତରେ ଧରି କାଶୀ ଅଭିମୁଖେ ଆକାଶ ମାର୍ଗରେ ଯାତ୍ରା କଲେ l ଆକାଶ ମାର୍ଗରେ ସେ ଉଡ଼ି ଯାଉ ଥାନ୍ତି, ପଥରେ ପଡ଼ିଲା, ବ୍ରଜଭୂମି l ବ୍ରଜ ଭୂମିକୁ ଦେଖିବା ମାତ୍ରେ ଗିରିରାଜ ଗୋବର୍ଦ୍ଧନଙ୍କ ମନରେ ଭାବାନ୍ତର ଜାତହେଲା l ସେ ଚିନ୍ତା କରିବାକୁ ଲାଗିଲେ, ଏଇଠି ଦିନେ ଭଗବାନ ଶ୍ରୀକୃଷ୍ଣ ଅବତାର ନେଇ ଲୀଳା ଖେଳା କରିବେ l ଆଉ କାଶୀ ଯିବି କଅଣ l ଯାଉଛି ଏହିଠାରେ ରହିଯିବି ଏବଂ ଭଗବାନଙ୍କ ଦିବ୍ୟ ଲୀଳାର ରସ ଆସ୍ଵାଦନ କରିବି l ମନରେ ତାଙ୍କର ଏହି ଅଭିଳାଷ ଧୀରେ ଧୀରେ ବଳବତି ହେବାରେ ଲାଗିଲା l ତାଙ୍କର ଓଜନ କ୍ରମେ ବଢ଼ି ବଢ଼ି ଚାଲିଲା l କିଛି ସମୟ ମଧ୍ୟରେ ସେ ଏତେ ଭାରି ହୋଇ ଗଲେ ଯେ ମୁନି ପୂଲସ୍ତ୍ୟଙ୍କ ପକ୍ଷେ ତାଙ୍କୁ ଆଉ ବହନ କରିବା ସମ୍ଭବ ହେଲାନାହିଁ l ସେ ନିଜକୁ ଖୁବ୍ ଅବଶ ମନେ କରି ସେଇଠି ଗୋବର୍ଦ୍ଧନଙ୍କୁ ରଖି ଦେଲେ l କିଛି ସମୟପରେ ସେ ପର୍ବତକୁ ଉଠାଇବା ଚେଷ୍ଟା କଲେ l କିନ୍ତୁ ଗୋବର୍ଦ୍ଧନ ଗିରି ଆଉ ଟିକିଏ ହଲିଲେ ନାହିଁ l ସେ ଋଷିଙ୍କୁ କହିଲେ, ମୁନିବର ! ଆପଣ ଟିକିଏ ଆପଣଙ୍କ ପ୍ରତିଜ୍ଞା ସ୍ମରଣକରନ୍ତୁ l ମୁଁ ଏହିଠାରେ ରହିଲି l ଆଉ କୁଆଡ଼େ ଯିବି ନାହିଁ l ପୁଲସ୍ତ୍ୟ ଖୁବ୍ କ୍ରୋଧିତ ହୋଇ ଗୋବର୍ଦ୍ଧନ ଗିରିଙ୍କୁ ଅଭିଶାପ ଦେଲେ, ତୁ ମୋର ମନୋରଥ ପୂରଣ ହେବାକୁ ଦେଲୁ ନାହିଁ ଏଣୁ ତୁ ଖଣ୍ଡ ଖଣ୍ଡ ହୋଇ ମାଟିରେ ମିଶି ଯିବୁ l ଗୋବର୍ଦ୍ଧନ ଗିରି ସେହିଦିନ ଠାରୁ କ୍ଷୟ ହେବାକୁ ଲାଗିଛନ୍ତି l କୁହାଯାଏ, କଳି ଯୁଗ ଶେଷବେଳକୁ ସେ ସମ୍ପୂର୍ଣ୍ଣ ରୂପେ ମାଟିରେ ମିଶି ଯିବେ l କିମ୍ବଦନ୍ତୀ ଅନୁଯାୟୀ ଦ୍ଵାପର ଯୁଗ ଆରମ୍ଭରେ ଗୋବର୍ଦ୍ଧନ ପର୍ବତଙ୍କ ଉଚ୍ଚତା ତିରିଶି ହଜାର ମିଟର ଥିଲା l କ୍ରମେ କ୍ରମେ କ୍ଷୟହୋଇ ଏହାର ଉଚ୍ଚତା ବର୍ତ୍ତମାନ ତିନି ହଜାର ମିଟରରେ ଆସି ପହଞ୍ଚିଲାଣି l
ଅନ୍ୟ ଏକ କିମ୍ବଦନ୍ତୀରୁ ଜଣା ଯାଇ ଥାଏ ସେତୁବନ୍ଧ ନିର୍ମାଣ କାଳରେ ହନୁମାନ ଗୋବର୍ଦ୍ଧନ ପର୍ବତଙ୍କୁ ହିମାଳୟରୁ ଉଠାଇ, ଦକ୍ଷିଣ ସିନ୍ଧୁ ତଟକୁ ନେଇ ଯାଉ ଥିଲେ l ଇତ୍ୟବସରେ, ସେତୁବନ୍ଧ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଗଲା l ଏଣୁ ଗୋବର୍ଦ୍ଧନଙ୍କୁ ଆଉ ନେବା ଆବଶ୍ୟକ ପଡ଼ିଲା ନାହିଁ l ହନୁମାନ ଆସି ବ୍ରଜଭୂମି ନିକଟରେ ପହଞ୍ଚି ଯାଇ ଥିଲେ l ଏଣୁ ସେ ସେହିଠାରେ ତାଙ୍କୁ ରଖିଦେଲେ l
ଏପରି ଗୋବର୍ଦ୍ଧନ ଗିରି ବ୍ରଜ ଭୂମିରେ ରହିଲେ l ସମୟ ଆସିଲା ଭଗବାନ ଶ୍ରୀକୃଷ୍ଣ ଗୋକୁଳରେ ଜନ୍ମ ହେଲେ l କୃଷ୍ଣ ସେତେ ବେଳକୁ ମାତ୍ର ସାତ ବର୍ଷର ବାଳକ ହୋଇ ଥାନ୍ତି l ସେହି ସମୟରେ ଦିନେ ଗୋପାଳ ମାନେ ଚିନ୍ତା କଲେ ଚାଲ ଇନ୍ଦ୍ରପୂଜା କରିବା l ପୂଜା କଲେ ଇନ୍ଦ୍ର ତୁଷ୍ଟ ହୋଇ ଭଲ ବୃଷ୍ଟି କରିବେ l ଆମ ଗୋ ସମ୍ପଦ ମାନେ ପ୍ରଚୁର ତୃଣ ପାଇବେ ଇତ୍ୟାଦି l କିନ୍ତୁ ଶ୍ରୀକୃଷ୍ଣ କହିଲେ, ଆମ ଗାଈମାନେ ତ ଗୋବର୍ଦ୍ଧନ ପର୍ବତରେ ଚରି ଆମକୁ କ୍ଷୀର ଦେଉଛନ୍ତି l ଆମେ ସବୁ ଗୋପାଳ ପିଲା ମାନେ ସେଇଠି ଖେଳ କୁଦ କରୁଛୁଁ l ଏଣୁ ଗିରି ଗୋବର୍ଦ୍ଧନ ହିଁ ଆମ ପାଇଁ ଦେବତା l ଏଣୁ ଚାଲ ଇନ୍ଦ୍ର ପୂଜା ପରିବର୍ତ୍ତେ, ଆମେ ଗୋବର୍ଦ୍ଧନପୂଜା କରିବା l ଶ୍ରୀକୃଷ୍ଣଙ୍କ କଥାରେ ବ୍ରଜବାସୀ ମାନେ ଇନ୍ଦ୍ର ପୂଜା ବନ୍ଦ କରି, ଗୋବର୍ଦ୍ଧନ ପୂଜା କଲେ l ଏଥିରେ ଦେବରାଜ କୁପିତହୋଇ ଚାରି ମେଘକୁ ଆଦେଶ ଦେଲେ ତୁମେ ମୂଷଳ ଧାରାରେ ବର୍ଷା କରି ଗୋପ ପୂରକୁ ଭସାଇ ଦିଅ l ତାହାହିଁ ହେଲା l ଇନ୍ଦ୍ର ସାତଦିନ ଯାଏ ମୂଷଳ ଧାରାରେ ବୃଷ୍ଟି କଲେ l ବଜ୍ରାଘାତରେ ବ୍ରଜଭୂମୀ ଥରହର ହେଲା l ଗୋପବାସୀଙ୍କୁ ରକ୍ଷା କରିବା ପାଇଁ କୃଷ୍ଣ କାଣି ଅଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତକୁ ଛତ୍ର ପ୍ରାୟେ ଟେକି ଧରିଲେ l ସମସ୍ତ ବ୍ରଜବାସୀ ଗୋଧନସହ ଗୋବର୍ଦ୍ଧନ ଗିରି ତଳେ ଆସି ପଶି ଯାଅ ବୋଲି ସେ ଡାକିଲେ l ଶ୍ରୀମଦ୍ ଦ୍ଭାଗବତ ଏହାକୁ ବର୍ଣ୍ଣନା କଲେ:-
    ଛତ୍ର ପ୍ରାୟେକ ଗିରି ତୋଳି l
           ଡ଼ାକନ୍ତି ପ୍ରଭୁ ବନମାଳୀ ll
    ହେ ତାତମାତ ଗୋପବାଳେ l
            ବହନ ପଶ ଗିରି ତଳେ ll
କୃଷ୍ଣ କାଣିଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତକୁ ସାତଦିନ ଯାଏ ଟେକିଧରି ଗୋକୁଳକୁ ରକ୍ଷା କଲେ l ଏଣୁ ଶ୍ରୀକୃଷ୍ଣଙ୍କ ଏକ ନାମ ରହିଲା ଗିରିଧାରୀ l ଇନ୍ଦ୍ର ବୃଷ୍ଟି କରି କରି ଥକିଲେ, ମାତ୍ର ଗୋକୁଳର କିଛି କରିପାରିଲେ ନାହିଁ l ମଘବାଙ୍କ ଅହଙ୍କାର ଭାଙ୍ଗିଗଲା l ଶେଷରେ ଆସି ଶ୍ରୀକୃଷ୍ଣଙ୍କ ଶରଣ ପଶିଲେ ଲଜ୍ଜିତ ଇନ୍ଦ୍ର ଓ ତାଙ୍କୁ ଗୋବିନ୍ଦ ବୋଲି, ନାମ ଦେଲେ l ଶ୍ରୀମଦ୍ଭାଗବତ ଏହାକୁ ବର୍ଣ୍ଣନା କଲେ:-
     ତୁ ନାଥ ଗୋକୁଳର ଇନ୍ଦ୍ର l
           ନାମ ମୁଁ ଦେବଇଁ ଗୋବିନ୍ଦ ll
     ସୁରଭି କ୍ଷୀର ବରଷିଲା l
        ଗୋବିନ୍ଦ ବୋଲି ନାମ ଦେଲା ll
ସେହି ଦିନ ଠାରୁ ଗୋବର୍ଦ୍ଧନ ପୂଜା ଆରମ୍ଭ ହେଲା l ପ୍ରତିବର୍ଷ କାର୍ତ୍ତିକ ଶୁକ୍ଳ ପ୍ରତିପଦାରେ ଗିରିରାଜ ଗୋବର୍ଦ୍ଧନଙ୍କ ପୂଜା ହୋଇଥାଏ l ବ୍ରଜ ମଣ୍ଡଳ ଦର୍ଶନରେ ଗୋବର୍ଦ୍ଧନ ଗିରିଙ୍କ ପରିକ୍ରମା ଏକ ଗୁରୁତ୍ତ୍ଵପୂର୍ଣ୍ଣ ଅଙ୍ଗ ବୋଲି ବିବେଚିତ ହୋଇ ଥାଏ l ଶ୍ରୀଗୋବର୍ଦ୍ଧନ ଗିରିଙ୍କ ପରିକ୍ରମା ଅଶେଷ ପୁଣ୍ୟପ୍ରଦ ବୋଲି ବିଶ୍ୱାସ ରହିଛି l ପୂଲ୍ୟସ୍ତ ମୁନିଙ୍କ ହସ୍ତରୁ ଆସି ଗୋବର୍ଦ୍ଧନଗିରି, ସେଦିନ ବ୍ରଜଭୂମିରେ ଯେଉଁ ଆଶା ପୋଷଣ କରିଥିଲେ ତାହା ଭକ୍ତବତ୍ସଳ ଭଗବାନ୍ ଶ୍ରୀକୃଷ୍ଣ ଏହିପରି ପୂର୍ଣ୍ଣ କରିଛନ୍ତି l                🙏🙏🙏
                  ଅର୍ଜୁନୀ
                --------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971


Rate this content
Log in

Similar oriya story from Inspirational