Padmalaya Padhy

Inspirational

4  

Padmalaya Padhy

Inspirational

ଘରବାଲା

ଘରବାଲା

5 mins
338


କିଛି ମାସ ତଳେ ସ୍ୱାମୀ ଶିଶିର ଏକ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ସୁଲତାର ଦୁନିଆରୁ ଆଲୋକ ପ୍ରାୟ ହଜି ଯାଇଥିଲା କହିଲେ ଚଳେ l ଖାଇବାରେ ଆଗ୍ରହ ନଥିଲା କି ଶୋଇଲେ ଶାନ୍ତିରେ ଦି ଘଡି ଆଖି ପତା ପଡୁ ନଥିଲା l ଏମିତି ନଖାଇ ନଶୋଇ ମରି ଯାଆନ୍ତା କି ସବୁ ଚିନ୍ତାରୁ ସବୁଦିନ ପାଇଁ ମୁକ୍ତି ମିଳି ଯାଇଥାନ୍ତା ବୋଲି ବାରମ୍ବାର ମନକୁ ଆସେ l କିନ୍ତୁ କାହାକୁ ବି ଚାହିଁବା ଅନୁଯାୟୀ ଏତେ ସହଜରେ ମୁକ୍ତି ମିଳେ ନାହିଁ l ମରି ମରି ବଳକା ସମୟ ଗୁଡିକ ଜିଇଁବାକୁ ହୁଏ l

ଘର ଲୋକଙ୍କ ପାଖେ ରହିଲେ ସମସ୍ତେ ତାକୁ ସେଇ ପୁରୁଣା ରୂପରେ ଦେଖିବାକୁ ଚାହୁଁଥିଲେ l ଯେମିତି ସେ ପୂର୍ବରୁ ଥିଲା ଏକ ଚଳ ଚଞ୍ଚଳ ନିର୍ଝରିଣୀ l ସବୁ ବାପା ମାଆଙ୍କ ପରି ସୁଲତାର ବାପ ମାଆ ବି ଚାହୁଁଥିଲେ ଧୀରେ ଧୀରେ ଝିଅ ତାଙ୍କର ଅନ୍ୟ ମାନଙ୍କ ପରି ଠିକଠାକ ହୋଇଯାଉ ବୋଲି l ଠିକ ହେବାଟା ବି ବେଳେ ବେଳେ ଏତେ ସହଜସାଧ୍ୟ ହୋଇ ନଥାଏ l ଅନ୍ୟ ମାନଙ୍କ ପାଇଁ ଯାହା ମାତ୍ର ଏକ ଦୁଃଖଦ ଘଟଣା କାହା ପାଇଁ ସେଇଟା ହୁଏତ ଜୀବନର ଶେଷ ବିନ୍ଦୁ ହୋଇଥିବ l ଏହା ପରେ ଜୀବନକୁ କଳନା କରା ଯାଇ ନପାରେ l କିନ୍ତୁ ସାମ୍ନା ଲୋକତ ଉପଦେଶ ଦେବ କାରଣ ସେଇଟା ଅତି ସହଜ ବ୍ୟାପାର l

ଏଇ ସବୁଠୁ ଦୁରକୁ ଖସି ଆସିବା ପାଇଁ ଚାକିରିଟାକୁ ହିଁ ଅନ୍ୟ ଏକ ସହରକୁ ସ୍ଥାନାନ୍ତରିତ କରି ଦେଇଥିଲା ସୁଲତା ଯୋଉଠି ସବୁ କିଛି ନୂଆ ଥିଲା ତା ପାଇଁ l ସୁଲତାର ମନ ମୁତାବକ ସବୁ ଯୋଗାଡ଼ ହୋଇ ଯାଇଥିଲା l ରହିବା ପାଇଁ ଘର ସାଙ୍ଗକୁ ନିକଟରେ ଦୋକାନ ବଜାର ଏବଂ ପାରିପାର୍ଶ୍ଵିକ ପରିବେଶ ଅତି ଚମତ୍କାର ଥିଲା l ଅଳ୍ପ ଘରଦ୍ୱାର ଏବଂ କମ ଲୋକ ଆତଯାତ ହେଉଥିବା କଲୋନୀଟିରେ ପାଦ ଦେଉ ଦେଉ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖିବାର କଳ୍ପନା କରି ପକାଇ ଥିଲା ସୁଲତା l କଲୋନୀଟିରେ ପ୍ରାୟ ଅଧିକାଂଶ ଲୋକ ପ୍ରକୃତିପ୍ରେମୀ ଥିଲା ଭଳି ମନେ ହେଉଥିଲା l ବଡ଼ ଛୋଟ ଫୁଲ ଫଳ ଆଦି ବୃକ୍ଷ ଲତାରେ ଘେରି ହୋଇ ରହିଥିଲା ଘର ଗୁଡିକ l ଦିନର ଅଧିକାଂଶ ସମୟରେ ପ୍ରତ୍ୟେକ ଘର ଗୋଟିଏ ଗୋଟିଏ ଧ୍ୟାନସ୍ଥ ଯୋଗୀଙ୍କ ପରି ପ୍ରତୀୟମାନ ହେଉଥିଲା କାହିଁକି ନା ବାହାରେ ଲୋକଙ୍କ ବିଶେଷ ଗମନାଗମନ ନଥିଲା l ଅଧିକାଂଶ ସମୟରେ ଯିଏ ଯାହାର ଘର ଭିତରେ ହିଁ ରହିବାକୁ ପସନ୍ଦ କରୁଥିଲେ କାରଣ ସେଠାକାର ଅଧିବାସୀ ମାନଙ୍କ ମଧ୍ୟରେ ନବେ ପ୍ରତିଶତ ବରିଷ୍ଠ ନାଗରିକ ହିଁ ଥିଲେ ଯେଉଁମାନଙ୍କ ପିଲାମାନେ ଏକେତ ପଢ଼ିବା ପାଇଁ ନଚେତ ଚାକିରୀ ବାକିରି କରି କିମ୍ବା ବିବାହ କରି ସହର ବାହାରେ ରହୁଥିଲେ l ସହରଟିର ଏଇ ଇଲାକାଟି ଅନ୍ୟ ଅଞ୍ଚଳ ଗୁଡିକ ଠାରୁ ସମ୍ପୂର୍ଣ୍ଣ ରୂପେ ଅଲଗା ପ୍ରକାର ଥିଲା l ସୁତରାଂ ଦିନ ହେଉ କି ରାତି ହେଉ ସମଗ୍ର ଇଲାକାଟିରେ ନୀରବତା ତଥା ଶାନ୍ତି ହିଁ ବିରାଜମାନ କରୁଥିଲା l ଏତେ ସୁନ୍ଦର ପାରିପାର୍ଶ୍ଵିକ ସ୍ଥିତି ପୁଣି ଅଫିସରୁ ଫେରିଲେ କାମ କିଛି ନାହିଁ l ଖାଲି କଣ ଦି ଟା ଫୁଟାଇ ଖାଇଦେବା କଥା l ନା କେହି ଆସିବାକୁ ଅଛି ନା କୁଆଡେ ଯିବାକୁ ଅଛି l ନୂଆ ସହର ନୂଆ ଲୋକଙ୍କ ମେଳରେ ଖାପ ଖୁଆଇ ଚଳିବା ପାଇଁ ଛୋଟିଆ 9ଛୋଟିଆ ଅସୁବିଧା ଗୁଡ଼ିକୁ ଅଣଦେଖା କରିବ ସିନା ପୁରୁଣା ଜାଗାରେ ଆଉ ରହିବ ନାହିଁ ବୋଲି ନିଷ୍ପତ୍ତି ନେଇ ଚାଲି ଆସିଥିଲା ସୁଲତା l କିନ୍ତୁ ସେ ଅସୁବିଧାଟା ଯଦି ବଡ଼ ଧରଣର ହୋଇଥିବ ତେବେ ? ଅସୁବିଧାଟି ହେଲା ତା ଭଡାଘର ମାଲିକ ଭକ୍ତ ଚରଣ ବାବୁଙ୍କୁ ନେଇ l

ଶୁଣ ଲତା ମୁଁ ଚାହେଁ ରହିବା ପୂର୍ବରୁ ସବୁ ବିଷୟରେ ଖୋଲାଖୋଲି କଥା ହୋଇଯିବା l ପରେ ଯେପରି କୌଣସି କେଁ ରହିବ ନାହିଁ l ଘରବାଲା ଭକ୍ତବାବୁ ବୟସରେ ଷାଠିଏ ଦଶକ ପାର କରି ସାରି ଥିଲେବି ସୁଲତାକୁ ଲତା ବୋଲି ଡାକିବାକୁ ସେ ହଜମ କରି ପାରି ନଥିଲା l ସେ ପୁଣି ଆରମ୍ଭ କଲେ l

ତୁମେ ଏକୁଟିଆ ଆସି ଏଇଠି ରହିବ କହୁଛ l ମୁଁ କହିବି ତୁମ ପରିବାରରୁ କାହାକୁ ଆଣି ଏଠାରେ ରଖିଲେ ଭଲ l ଭଗବାନ ନ କରନ୍ତୁ କାଲିକି ଯଦି କିଛି ଅଘଟଣ ହୁଏ ଯେମିତି କି ଦେହ ମୁଣ୍ଡ କଥା ରହିଛି l ମୋର ଜଣେ ବନ୍ଧୁ ଏକୁଟିଆ ରହୁଥିଲେ ତାଙ୍କୁ ରୁମ ଭିତରେ ହାର୍ଟ ଆଟାକ ହୋଇଗଲା ଯେ କବାଟ ଭଙ୍ଗା ଯାଇ ତାଙ୍କୁ ବାହାର କରାଗଲା l ତୁମ କ୍ଷେତ୍ରରେ ବି ଯଦି ସେମିତି କିଛି ହୁଏ ତେବେ ଭଙ୍ଗାରୁଜା କଥା ଉଠିବ l ସୁଲତା ଭାବୁଥିଲା କି ଭଳିଆ ଖଡୁସ ଲୋକ ଇଏ ? ଘରେ ନପସୁଣୁ ମୁଣ୍ଡରେ ଚାଳ ବାଜିଲାଣି l ଯେତେ ସବୁ ଅଶୁଭ କଥା ଗୁଡାକ କହୁଛନ୍ତି l ସେଇଠୁ ଚିଡି ଯାଇ କହିଲା l

ମଉସା ମୁଁ ପରା ଆପଣଙ୍କୁ ଅଗ୍ରିମ କୋଡିଏ ହଜାର ଟଙ୍କା ଦେଇଛି ? ସେଥିରେ ଆପଣ ଦରଜା ଭାଙ୍ଗି ସାରି ନୂଆ ଦରଜା ଲଗାଇ ଦେବେ ଆଉ ବଳକା ଯାହା ରହିଲା ଆପଣ ରଖିନେବେ l ମୁଁ କଣ ଆଉ ଥିବି କି ମାଗିବା ପାଇଁ ? ଏତେ ଡରନ୍ତୁ ନାହିଁ l ମୁଁ ଗୋଟେ ଏକୁଟିଆ ଝିଅ ହୋଇ ଡରୁନାହିଁ କିମ୍ବା ଆପଣଙ୍କ ବିଷୟରେ ଆଜି ସୁଦ୍ଧା କୌଣସି ଅନୁସନ୍ଧାନ କରିନାହିଁ l ଆଉ ଆପଣ ଏତେ ଚିନ୍ତା କରିବେ ଯଦି ଏକୁଟିଆ ପୁଅ ଝିଅ ମାନଙ୍କୁ କିଏ ଆଉ ଘର ଦେବ କହିଲେ ?

ଏକଥା ଶୁଣି ଭକ୍ତବାବୁ ଯାହା ଟିକିଏ ହସି ଦେଇଥିଲେ l ଗୋଟିଏ ସପ୍ତାହ ପରେ ସୁଲତା ନୂଆ ଘରକୁ ଚାଲି ଆସିଥିଲା l ଜଣେ ଲୋକ ପାଇଁ ୱାନ ବିଏଚକେ ଘରଟି କିଛି ମନ୍ଦ ନୁହେଁ l ଜଣେ ସହକର୍ମୀ କହିଲେ ଯୋଉଠି ଘର ମାଲିକ ପାଖରେ ରହୁଥିବେ ସେଠାରେ ରହିବା କଥା ନୁହେଁ l ଆପଣ ମାଡାମ ଘର ନେବା ପୂର୍ବରୁ ଟିକିଏ ପଚାରିଥାନ୍ତେ ଭଲା l ଘରବାଲା ପାଖରେ ରହିଲେ ମାନେ ସବୁ କଥାରେ ମୁଣ୍ଡ ଖେଳାଇବେ l ତେଣୁ ଯୋଉ ଘରେ ଘର ମାଲିକ ଦୂରରେ ଅବସ୍ଥାନ କରୁଥିବେ ସେଇ ଘର ହିଁ ଭଲ l ସୁଲତାର ଚିନ୍ତାଧାରା କିନ୍ତୁ ଅଲଗା ପ୍ରକାରର l ଘର ମାଲିକ ପାଖାପାଖି ରହିବା ଦରକାର l ଯେତେହେଲେ ଏକୁଟିଆ ଝିଅଟିଏ l କେତେବେଳେ ଭଲ ଅଛି ମନ୍ଦ ଅଛି l ଘରର ମରାମତି କିମ୍ବା କିଛି ସୁବିଧା ଅସୁବିଧାକୁ କେହି ଜଣେ ଚିନ୍ହା ଜଣା ଲୋକ ଥାଉ l 

ଭକ୍ତ ବାବୁ ଯିଏ କି ନିଜ ପୁଅ ବୋହୁଙ୍କ ପାଖରେ ତଳଘରେ ରହନ୍ତି ଘରଟିକୁ ନେଇ ଅତି ମାତ୍ରାରେ ଭାବ ପ୍ରବଣ l କାନ୍ଥରୁ ଯଦି ଚୂନ ଟିକିଏ ବି ଝଡିଗଲା ତେବେ କାନ୍ଥଟିକୁ ଚାରିଥର ଆଉଁସି ପକାଇବେ l ଜିନିଷ ବୁହାହୋଇ ଆସିଲା ବେଳେ କାନ୍ଥରେ ଯଦି ସାମାନ୍ୟ ବାଜି ଯାଉଥିଲା ଭକ୍ତ ବାବୁ ସେଠାରେ ପହଞ୍ଚି ସେଇ ସ୍ଥାନଟିକୁ ଝାଡ଼ି ପୋଛି ଦେଉଥିଲେ l ଚଟାଣରେ ଯଦି ସାମାନ୍ୟ ଧୂଳି ଜମି ଯାଉଥିଲା ଭକ୍ତବାବୁ ନିଜେ ଗୋଟିଏ ଝାଡୁଟିଏ ଆଣି ସଫା କରିଦେବା କଥା ସୁଲତା ଆଖିରୁ ବାଦ ଯାଉ ନଥିଲା l ମୁଲିଆ ମାନେ ଜିନିଷ ପତ୍ର ବୋହିଲା ବେଳେ ସୁଲତା ଖାଲି ଭକ୍ତ ବାବୁଙ୍କୁ ହିଁ ଦେଖି ଚାଲିଥିଲା l ଏ ବୟସରେ ସବୁ କଥାରେ କେତେ ମୋହ କେତେ ଆସକ୍ତି ତାଙ୍କର l

ରହିବା ପରେ ଦିନେ ଶୁଣିଲା ଯେ ତାଙ୍କ ପତ୍ନୀ ପାଞ୍ଚ ବର୍ଷ ପୂର୍ବରୁ ଚାଲି ଯାଇଛନ୍ତି ଏବଂ ବୃଦ୍ଧାବସ୍ଥାରେ ସେ ଏକୁଟିଆ ଅବଶ୍ୟ ପିଲା ମାନେ ପାଖରେ ଅଛନ୍ତି କିନ୍ତୁ ପତ୍ନୀର ଆସନ ତ ସେମାନେ ପୂରଣ କରି ପାରିବେ ନାହିଁ l କ୍ୟାନ୍ସର ପୀଡିତା ପତ୍ନୀଙ୍କ ନିକଟରେ ଦୀର୍ଘ ଦୁଇ ବର୍ଷ କାଳ ସୁଦୂର ମୁମ୍ବାଇରେ ରହି ଚିକିତ୍ସା କରାଇବା ପରେ ବି ତାଙ୍କୁ ବଞ୍ଚାଇ ପାରି ନଥିଲେ l ଏ ବୟସରେ ବିପତ୍ନୀକ ହୋଇ ମଧ୍ୟ ଭକ୍ତ ବାବୁଙ୍କର ସବୁ ବିଷୟରେ ଅଂଶ ଗ୍ରହଣ ଶିଖିବା ଉପଯୋଗୀ ଥିଲା l ବଗିଚା ଯେମିତି ସଫା ସୁତରା ତାଙ୍କ ଜ୍ଞାନର ପରିଧି ମଧ୍ୟ ସେମିତି ପ୍ରଗାଢ଼ l ତା ମାନେ ନୁହେଁ ଯେ ସେ ଜ୍ଞାନର ଗୋଟେ ଅସରନ୍ତି ଭଣ୍ଡାର ଥିଲେ କିନ୍ତୁ ଯାହା ଯେତିକି ଜାଣିଥିଲେ ସଠିକ ଏବଂ ନିର୍ଭୁଲ ରୂପେ ଜାଣିଥିଲେ ତାହା ଘର ତିଆରି ହେଉ କିମ୍ବା ବଗିଚା କାମ ହୋଇଥାଉ l ସୁଲତା ଯେତିକି ତାଙ୍କ ବିଷୟରେ ତାଙ୍କ ଠାରୁ ଶୁଣିଛି ନିଜ ପତ୍ନୀଙ୍କୁ ତିଳ ତିଳ ହୋଇ ଶେଷ ହେବାର ସେ ନିଜ ଆଖିରେ ଦେଖିଛନ୍ତି l କେତେ ଥର ଅପରେସନ କେତେ କେମୋ ଦିଆ ଯାଇଥିବ କେତେ କଷ୍ଟ ସେ ପାଇଥିବେ ଏବଂ ଭକ୍ତବାବୁ ହିଁ ପ୍ରତିଥର ଏହାର ମୁକସାକ୍ଷୀ ରହିଥିବେ l 

ପତ୍ନୀଙ୍କର ଗୋଟି ଗଣତି ନିଶ୍ୱାସ ତ ଭକ୍ତବାବୁଙ୍କ ହାତରେ ନଥିଲା l ତାଙ୍କ ନିଜର ଜନ୍ମ ମୃତ୍ୟୁ ବି ତାଙ୍କ ହାତରେ ନାହିଁ l କିନ୍ତୁ ଜନ୍ମ ଏବଂ ମୃତ୍ୟୁ ମଧ୍ୟରେ ଯେଉଁ ଅନ୍ତର ରହିଛି ସେଇ ସ୍ୱଳ୍ପ ବ୍ୟବଧାନଟି ତାଙ୍କ ହାତରେ ଅଛି ଏବଂ ତାହା ସମସ୍ତଙ୍କ ହାତ ପାଆନ୍ତାର ଜିନିଷ l କିଏ କିଭଳି ତାହାକୁ ବ୍ୟବହାର କରୁଛି ତାହା ନିଜ ଉପରେ ନିର୍ଭର କରେ l ଆସକ୍ତି ମାୟାମୋହ ଯୁକ୍ତ ଜୀବନ ହିଁ ଜୀବନ ନହେଲେ ଜୀବନଟା ତ ଅନିଶ୍ଚିତ l ଆସନ୍ତା କାଲିର ମୋହ ହିଁ କାଲି ସକାଳ ପାଇଁ ଆଜିଠାରୁ ଆଲାର୍ମ ସଜାଡି ରଖିବା ନିମନ୍ତେ ପ୍ରବର୍ତ୍ତାଉଛି l

ସ୍ୱାମୀ ଶିଶିରର ଆବର୍ତ୍ତମାନରେ ସୁଲତା ନିଜେ ଶେଷ ହୋଇଯିବା ପାଇଁ ଚାହିଁଲା ବେଳେ ଭକ୍ତବାବୁ ପତ୍ନୀଙ୍କର ଅନୁପସ୍ଥିତିରେ ତାଙ୍କ ଜୀବନର ବଳକା ସମୟକୁ ସଦୁପଯୋଗ କରି ପ୍ରତ୍ୟେକ ମୁହୂର୍ତ୍ତର ଉପଯୁକ୍ତ ବିନିଯୋଗ କରୁଛନ୍ତି l ଭକ୍ତବାବୁ ଆଜିକାଲି ସୁଲତାକୁ ଆଉ ଖଡୁସ ଭଳି ଲାଗୁ ନଥିଲେ ବରଂ ତାକୁ ପରୋକ୍ଷରେ ଜିଇଁବା ନିମନ୍ତେ ଅହର୍ନିଷି ପ୍ରେରଣା ଯୋଗାଉ ଥିଲେ l


Rate this content
Log in

Similar oriya story from Inspirational