Lina Dhal

Tragedy

4.2  

Lina Dhal

Tragedy

ଗଡ୍

ଗଡ୍

3 mins
264


ଘର ସାମ୍ନା ରାସ୍ତାର ଶେଷ ମୁଣ୍ଡରେ ସେ ବସିଥାଏ। ଅନ୍ଧାରିଆ,ଅସନା ଆବର୍ଜନା ପରିବେଶ ରେ ନିଜକୁ

ଛିଣ୍ଡା କମ୍ବଳ କିମ୍ବା କନ୍ଥା ରେ ଘୋଡେଇ ରଖିଥାଏ।କିଏ ଖାଇବାକୁ ଦେଲେ ଖାଏ ନହେଲେ ସବୁବେଳେ ବସିକି ଇଆଡ଼େ ସିଆଡେ ଅନଉଥାଏ। ବେଳେ ବେଳେ ଆକାଶ କୁ ଅନେଇ କ'ଣ କ'ଣ ଗପୁଥାଏ। ବୁଲା କୁକୁର ଠୁଁ ଆରମ୍ଭ କରି ଗଛ ଡାଳରେ ବସିଥିବା ଚଢେଇ ସହିତ ସେ କେତେ ଶ୍ରଦ୍ଧା ରେ କଥା ହୋଇ ହୋଇ ହସୁଥାଏ। ବର୍ଷା କି ଖରା ବେଶୀ ହେଲେ ପାଖରେ ଥିବା କେଉଁ କାଳରୁ ଭଙ୍ଗା, ଅପନ୍ତରା ଘରେ ପଶିଯାଏ।

ସେ ପାଖ ପାନ ଦୋକାନ ରୁ ,ଅଫିସ ଗଲାବେଳେ ଆଉ ଫେରିଲା ବେଳେ ତାକୁ ଦେଖେ। ବେଳେ ବେଳେ ବିସ୍କୁଟ ପାକେଟ ଟିଏ କିମ୍ବା ଚା ନେଇକି ଥୋଇଲେ ଭାରି ଆଗ୍ରହ ର ସହିତ ପିଏ।ଦୟାପାଇକି ଯିଏ ଯେତେବେଳେ ଯାହା ଦିଏ ତାକୁ ଖାଇ ସେ ବଞ୍ଚେ।ତା ଆଖପାଖରେ ଟିକେ ପତ୍ର କି ଚିରାକାଗଜ ଖଣ୍ଡିଏ ପଡ଼ିଥିଲେ ବି ଗୋଟେଇକି ନେଇ ଡଷ୍ଟବିନ୍ ରେ ପକାଏ।ନିଜ ଚାରିପାଖକୁ ପରିଷ୍କାର ପରିଚ୍ଛନ୍ନ ରଖୁଥିଲେ ବି ନିଜେ ଏତେ ଅପରିଷ୍କାର ଲୁଗାପଟା ବ୍ୟବହାର କରେ କାହିଁକି। ନିଜ ପ୍ରତି ଏତେ ଉଦାସୀନ କାହିଁକି।ସମୟ ଅଭାବରୁ ହେଉ କି ଆଗ୍ରହ ଅଭାବରୁ ତା କଥା ବିଷୟରେ ଭାବିବା ସେଇଠି ଅଟକି ଯାଏ ଆଉଥରେ ଦେଖାହେବା ପର୍ଯ୍ୟନ୍ତ। କେବେ କିନ୍ତୁ କିଛି ଘଟଣା ଘଟାଏନି କି କିଛି କାଣ୍ଡ କରେନି ଯେ ତାକୁ ପାଗଳ କୁହାଯିବ।ଲୋକେ ତାକୁ ପାଗଳ ‌କୁହନ୍ତି। ଶୀତଦିନ ସନ୍ଧ୍ୟା ହେଇଆସୁଥିଲା। ଶୀଘ୍ର ଅନ୍ଧାର ହୋଇଯିବ। ଡ଼ଲି ଫୋନ୍ କରି କହିଲା ଶୀଘ୍ର ଆସିବାକୁ ମିଶିଆଉ ତା ସାଙ୍ଗ ଖେଳୁଥିଲା ବେଳେ ମିଶି କୁଆଡେ଼ ଚାଲିଯାଇଛି।ତା ସାଙ୍ଗ କହୁଥିଲା ଜଣେ ଅଙ୍କଲ ତାକୁ ଡାକିନେଇଛନ୍ତି।ସାତ ବର୍ଷର ମିଶି। କୁଆଡେ ଗଲା, କେହି ଦେଖିପାରିଲେନି। ସବୁ ଆଡେ ଖୋଜି,ଆଖପାଖ ଯେତେ ଚିହ୍ନାପରିଚିତ ଥିଲେ ସମସ୍ତ ଙ୍କ ଘରେ ଖୋଜିଲା ପରେ ବ୍ୟସ୍ତ ବିବ୍ରତ ହେଇଯାଉଥିଲି ମୁଁ।

କୁଆଡେ ଗଲା ମିଶି, ପୋଲିସ ଷ୍ଟେସନ ଯିବାକୁ ପଡିବ

ଏତେ ଲୋକଙ୍କ ହୋହାଲ୍ଲା ଶବ୍ଦ ଶୁଭୁଥିଲା।ଭାରି ଡର ଲାଗି ଦେହ ଥରି ଉଠୁଥିଲା।ଭିଡ଼ ଭାଙ୍ଗି ପାଗଳ ରହୁଥିବା ଭଙ୍ଗା ଘର ଆଡ଼କୁ ତରତର ହୋଇ ଯାଉ ଯାଉ ମନରେ ଆସୁଥିଲା ପାଗଳ କିଛି କରିଛି ବୋଧେ ଆଜି। ମିଶି ଭଳି ଛୋଟ ନିଜପର ଭଲମନ୍ଦ ଜାଣିନଥିବା ଶିଶୁଟି ତା'ର ଶୀକାର ହୋଇଯାଇନି ତ।

ପାଖକୁ ଯାଇ ଯାହା ଦେଖିଲି ମୋ ମନରେ ଆଜି ପର୍ଯ୍ୟନ୍ତ ଥିବା ଦ୍ଵନ୍ଦ ପରିଷ୍କାର ହୋଇଯାଇଥିଲା। ପାଗଳ ଆଜି ତା ପାଗଳାମୀର ଏକ ନିଖୁଣ କାରନାମା ସମସ୍ତଙ୍କୁ ଦେଖଉଥିଲା। ପରିଷ୍କାର ପ୍ୟାଣ୍ଟ୍ ସାର୍ଟ ପିନ୍ଧା ବାବୁଲୋକ ଜଣଙ୍କୁ ନିଆଁହୁଳା

ଦେଖେଇ ମାରିବାକୁ ଚେଷ୍ଟା କରୁଛି।ଦପ୍ ଦପ୍ କରି

ଜଳୁଥିବା ତା ଆଖିରେ ସେ ସମସ୍ତଙ୍କୁ ଇସାରା କରୁଛି, ତାକୁ ମରିବାକୁ ଦିଅ, କେହି ସାହାଯ୍ୟ କରନି। ପାଖକୁ ଯିଏ ଆସିବ ଜାଳିଦେବି। ମୁଁ ମାରିଦେବି ଶଳା କୁ। ଭଦ୍ରଲୋକି ଦେଖେଇ ଛୋଟ ଛୁଆକୁ ଭି ଛାଡୁନି।ଏତେ ଦିନ ପରେ ତା କଥା ସ୍ପଷ୍ଟ ଶୁଭୁଥିଲା ସଭିଙ୍କୁ। ନିଃସ୍ଵାର୍ଥପର ଭାବେ ଅନ୍ୟ ପାଇଁ ସାହାଯ୍ୟ କରିବାର ଶବ୍ଦ ଏତେ ତୀକ୍ଷ୍ଣ ଥିଲା ଯେ ଅନେକ ଲୋକ ଥାଇ ମଧ୍ୟ ଜଣଙ୍କୁ ଅଟକେଇ ପାରୁନଥିଲେ। ମୁଁ ଏତେ ବ୍ୟସ୍ତ ବିବ୍ରତ ଯେ ଇଚ୍ଛା ହେଉନଥିଲା ସେଠି ଆଉ ଛିଡା ହେବାକୁ।ମୋ ମିଶି କୁଆଡେ଼ ଗଲା ଫେରିଆସୁ ଆସୁ ମୋ ନଜର ପଡିଲା ପାଗଳର କାଖରେ ମଇଳା କମ୍ବଳ ଭିତରୁ ଭୟରେ କାତର ହୋଇ ଯାଇଥିବା ଜୁଳୁଜୁଳୁ ଆଖି ଦୁଇଟି କୁ। ମିଶି ପାଖକୁ ଦଉଡିଗଲି। ମୋତେ ଦେଖି କାଖରୁ ଡେଇଁ ପଡିଲା ମିଶି। ସମ୍ପୂର୍ଣ ସୁରକ୍ଷିତ ଆଉ ସଦ୍ୟ ଏକ ବଡ଼ ବିପଦରୁ ଉଦ୍ଧାର ହୋଇ ଡରରେ କମ୍ପିଉଠୁଥିବା ମିଶି କହୁଥିଲା- ପାପା ସେ କ'ଣ ଗଡ୍। ତମେ ତ‌ କୁହନା ବିପଦରେ ପଡ଼ିଲେ ଗଡ୍ ନିଜେ ଆସନ୍ତି ତାଙ୍କ

ସନ୍ତାନ କୁ ରକ୍ଷା କରିବାକୁ। ପାପା ଜାଣିଛ ନା ସେ ବଦମାସ୍ ଅଙ୍କଲ ମୋତେ ଅନ୍ଧାର ଘରକୁ ନେଇ ଯାଉଥିଲେ।

ଆଉ କିଛି ଶୁଣିପାରୁନଥିଲି। କୃତଜ୍ଞତା ଜ୍ଞାପନ କରିବା ପାଇଁ ଅନଉଥିଲି ମିଶି ର ଗଡ୍ ଙ୍କୁ। କେଉଁଠୁ କେଉଁ କୋଣରୁ ସେ ତ ଲାଗୁନଥିଲା ପାଗଳ ବୋଲି। ବରଂ ସେଠି ଜଣେ ଅତିଭଦ୍ର, ସଚ୍ଚୋଟ, ନିଃସ୍ଵାର୍ଥପର, ପରୋପକାରୀ, ଦାରୀଦ୍ର୍ଯର

କଷାଘାତରେ ଜୁଝୁଥିବା ଭଲ ମଣିଷ ଟିଏ ଛିଡା ହୋଇଥିଲା। ମିଶି ବୋଧେ ଭଲରେ ଚିହ୍ନିଲାଣି ମଣିଷକୁ ଏବେ ଠୁଁ।


Rate this content
Log in

Similar oriya story from Tragedy