ଗାଁ ଭାରି ମିଠା
ଗାଁ ଭାରି ମିଠା
କଳ୍ପିତା କେତେ କଥା ଭାବୁଥିଲେ. ଏବେ ଶୀତ ଋତୁ ଚାଲିଛି ବୋଲି ଗାଁର ମାଟି ଘରେ ଚଳି ଯାଉଛି ଜୀବନ . ଖରା ଦିନେ ମଧ୍ୟ ଖୁବ ସୁବିଧା ଗାଁରେ,ହେଲେ ବର୍ଷାଦିନେ କଣ ମାଟି ଘରେ ରହି ହେବ?ଝଡ଼, ବର୍ଷା,ବାତ୍ୟା,ବନ୍ୟାକୁ କାହାର ବା ହାତ ଅଛି !ଏବେ ମଧ୍ୟ ଗାଁ ଘର ତୋଳି ହେବ ନାହିଁ. ଏଇ ଏଇ ସହରରେ ଥିବା ଘରଟିର ଆଗପଟ କାନ୍ଥ ଟାଇଲ ପଡିଛି. ତା ଛଡା ଜିଟୁ ରିଟୁ ଆସ୍ତେ ଆସ୍ତେ ଚଗଲା ହୋଇ ପାଠରେ ମନ ନଦେଲେ ସେ କଣ କରିପାରିବେ, ଆଦିତ୍ୟଙ୍କ ଅନୁପସ୍ଥିତିରେ !ଗାଁ ଓ ସହର ପରସ୍ପର ପରସ୍ପରର ପରିପୂରକ ସତ କିନ୍ତୁ କିଛି କିଛି ଅପକାରିତା ଓ ଉପକାରିତା ଉଭୟ ଗାଁ ଓ ସହରରେ ଅଛି ନିଶ୍ଚୟ. ଏକଥା ସବୁ ଶୁଣି ସ୍ୱାମୀ କହୁଥିଲେ ଗାଁରେ ଚଳିଯିବା. ସହର ଘରଟିକୁ ଭଡା ଲଗେଇ ଦେବା. ଗାଁରୁ ଯିବା ଆସିବା କରିବାରେ ଅସୁବିଧା ନାହିଁ. କେଇଟା ଦିନ ପରେ ସ୍ୱାମୀଙ୍କର ଦେହ ଖରାପ ହୋଇ ଶ୍ୱାସ ବଢିବାକୁ ଲାଗିଲା. ସହରୀ ଔଷଧ ସାଙ୍ଗକୁ ଗାଁର ଦେଶୀ ଔଷଧରେ ଆଦିତ୍ୟ ଭଲ ହୋଇଗଲେ ସତ କିନ୍ତୁ ସହରକୁ ଯିବାକୁ ପିଲାଙ୍କୁ ବୁଝେଇଲେ. ସେଠିକାର ହସ୍ପିଟାଲ ସୁବିଧା ଯୋଗୁଁ କଳ୍ପିତା ଯିବାକୁ ଚାଁହୁଥିଲେ ବି ପିଲା ଦୁହିଁଙ୍କର ଏକା ଜିଦ ଜେଜେ ଓ ଜେଜେମା ଗଲେ ସେମାନେ ଯିବେ.।
ଦାଦା ଶାଶୁ ଶଶୁର, ଦେଠେଇ ଶାଶୁ ଶଶୁର ଇତ୍ୟାଦି ଜ୍ଞାତି କୁଟୁମ୍ବଙ୍କ ଭିତରେ ଥିବା ଯେତେ ବୁଢା ବୁଢ଼ୀ ଥିଲେ,ସେମାନେ ଜିଟୁ ରିଟୁଙ୍କୁ ଖୁବ ଭଲ ପାଉଥିଲେ ବି ଗାଁ ଘର, ଗାଁର ମେଳା ମଉଛବ, ପୁନେଇଁ ପରବ, ସଂସ୍କୃତି ପରମ୍ପରା ଛାଡ଼ି ଯିବାକୁ ରାଜି ନଥିଲେ. ସହରର ବନ୍ଦୀ ଜୀବନ ଅପେକ୍ଷା ଗାଁର ପରିବେଶରେ ସେମାନେ ମୁଗ୍ଧ ଥିଲେ.ଶେଷକୁ ଗାଁରେ ପୁଅ ଝିଅଙ୍କୁ,ଯା, ଦିଅର, ଦେଢ଼ଶୁର, ଜେଜେ ଜେଜେମାଙ୍କ ପାଖେ ଛାଡ଼ି ସହରକୁ ସ୍ୱାମୀଙ୍କ ସ
ଙ୍ଗେ ଆସିଲେ କଳ୍ପିତା. ସହରରେ ଥିବା ଘରର ଦେଖାଶୁଣା କରିବାର ଆବଶ୍ୟକତା ସାଙ୍ଗକୁ, ସ୍ୱାମୀଙ୍କର ଖିଆପିଆ ଓ ସ୍ୱାସ୍ଥ୍ୟ ସୁରକ୍ଷା ମଧ୍ୟ ଜରୁରୀ ଥିଲା. ଗାଁରେ କଟକଣା ଅଭାବ ଓ ଅତ୍ୟଧିକ ଗେଲବସର ଫଳରେ ଜିଟୁ ସେଦିନ କୁକୁରକୁ ଟେକା ମାରିବକୁ ଯାଇ କୁକୁର ଦଉଡି ଆସିବାରୁ ଲହୁ ଲୁହାଣ ହୋଇଥିଲା. ରିଟୁ ମଧ୍ୟ ସାଙ୍ଗ ଝିଅ ମାନଙ୍କ ସହ ଖେଳୁ ଖେଳୁ ପଡିଯାଇ ତା ହାତ ଭାଙ୍ଗିଯିବା ପରେ ସେମାନେ ବାପା ମାଆଙ୍କ ପାଖକୁ ଆସିଥିଲେ. ଘରେ ପହଞ୍ଚୁ ପହଞ୍ଚୁ ଜେଜେ ଓ ଜେଜେମାଙ୍କୁ ଦେଖି ଯେତିକି ଆଶ୍ଚର୍ଯ୍ୟ ସେତିକି ଖୁସି ହୋଇଥିଲେ. ଜେଜେଙ୍କ ସଙ୍ଗେ ପ୍ରାତଃ ଭ୍ରମଣ, ଯୋଗ ଓ ବଗିଚା କାମ କରି ସ୍ପୁର୍ତ୍ତି ଓ ଜେଜେମାଙ୍କ ହାତର ସ୍ୱାଦିଷ୍ଟ ରାନ୍ଧଣା ସାଙ୍ଗକୁ ଗପ ଭାରି ମଜାଦାର ଥିଲା. ଆଜିଯାଏଁ କୋଉଠି ଥିଲ ଜେଜେ ଓ ଜେଜେମା ଉତ୍ତରରେ, ବୃଦ୍ଧ ବୃଦ୍ଧା ଆଶ୍ରମରେ ଥିଲୁ ନକହି ତୀର୍ଥ ଭ୍ରମଣରେ ଯାଇଥିଲୁ କହିବାକୁ ଶିଖେଇ ଥିଲେ କଳ୍ପିତା ଓ ଆଦିତ୍ୟ .ଆଗରୁ କାମ କରୁଥିବା ପାର ଫେରିଆସି ଘର କାମରେ ହାତ ବଟେଇବା ସହ ଜେଜେ ଜେଜେମାଙ୍କ ସେଵା ଯତ୍ନ କରୁଥିଲା. ଆଉ କେବେ ତାଙ୍କ ଘରକୁ ବରଫ ଘର କହିବା ଶୁଣୁ ନଥିଲେ କଳ୍ପିତା, କାରଣ ସେ ପାଇଥିବା ଅନୁଦାନ ଛାତ ଘରେ ଖୁବ ଗରମ ହେଉଥିଲା ଏଣିକି.ଖରା ଛୁଟି ଓ ଅନ୍ୟ ଛୁଟି ମାନଙ୍କରେ ଗାଁକୁ ଗଲାବେଳେ ପାରକୁ ମଧ୍ୟ ଗାଁ ବୁଲେଇବାକୁ ନିଅନ୍ତି କଳ୍ପିତା ଓ ଆଦିତ୍ୟ. ଗାଁରେ ସମସ୍ତେ କଳ୍ପିତା ଓ ଆଦିତ୍ୟଙ୍କୁ ଧନ୍ୟ ଧନ୍ୟ କରୁଥିଲେ. ଦୁଇ ଅପରିଚିତ ତଥା ଦୁଇ ପରିବାରର ଦୁଇ ଅଚିହ୍ନା ଅନାଥ ବୁଢା ବୁଢ଼ୀଙ୍କର ସହାୟତା କରି ନିଜର ବାପା ମାଆ କରିପାରି ଥିବାରୁ ସମସ୍ତେ ପ୍ରଶଂସା କରୁଥିଲେ . ପାର ଏଡ଼େ ଗରମ ଦିନେ ଏ ଘର ବରଫ ଘର ପରି ଲାଗୁଛି କହିବାରେ ସମସ୍ତେ ହସୁଥିଲେ. ଆମ୍ବ, ପଣସ, ତାଳ, ଖଜୁରୀ, ପଇଡ଼ ଖାଇ ପାର କହୁଥିଲା ଗାଁ ଘର ଭାରି ମିଠା.।