ଏମିତି ଦିନ ଆସିବ
ଏମିତି ଦିନ ଆସିବ
ସନାତନ , ଛ'କାଠିଆରୁ, ଗୋଟିଏ କାଠ କାନ୍ଧରେ ପକେଇ ମଡ଼ାକୁ ବୋହି ନେଉ ଥିବାବେଳେ, " ରାମ ନାମ ସତ୍ୟ ଯେ, ହରି ନାମ ସତ୍ୟ ହେ "କୁ ନ ଶୁଣି ଭାବୁଥିଲା, ଦିନ ତାକୁ ବି ତ ଛ'କାଠିଆ ରେ ପକେଇ ବହି ନଉଥିବେ ମଶାଣି କୁ ।କିନ୍ତୁ ସେତେ ବେଳେ ଏତେ ଗଛ ଥିବ ତ!
ବଡ଼ ବିଚିତ୍ର ଲାଗେ ତାକୁ । ଯେତେବେଳେ ସେ ଘରେ ଥାଏ ତାକୁ ଡାକରା ଆସେ ମଡ଼ା ସାଙ୍ଗିଆ ହେବା ପାଇଁ । ଗାଁ ଠାରୁ ଅନତି ଦୂରରେ ଶାଳ ଜଙ୍ଗଲ ଟିଏ । ଏ ଜଙ୍ଗଲ ଟିକୁ ଗ୍ରାମବାସୀ ପାଳି କରି ଜଗନ୍ତି । କେବଳ ମଡ଼ା ପୋଡିବା ପାଇଁ ଏହା ବ୍ୟବହୃତ ହୁଏ । ଆଗରୁ ଅସଂଖ୍ୟ ଗଛ ଥିଲା । ଧୀରେ ଧୀରେ କମି ଚାଲିଛି।
ତା' ,ଗୋସମା, ବାପା, ବଡବାପା, ମା', ମାନଙ୍କ ର ମଡ଼ା କୁ ସେ ଏଇ କାନ୍ଧରେ ବୋହି ନେଇଛି ।ଆହୁରି ଅନେକ ;ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ । ଶବ କୁ ମଶାଣି କୁ ନେବା ପୂର୍ବ କରୁଣ ଦୃଶ୍ୟ ସିଏ ଦେଖିଛି । ଚତୁର୍ଥୀ ରାତିରେ ସର୍ପ ଦଂଶନ ରେ ସ୍ବାମୀ କୁ ହରେଇ ଥିବା ସ୍ତ୍ରୀ, ଗାଡ଼ି ଚାପ ରେ ପ୍ରାଣ ହରେଇ ଥିବା ଏକମାତ୍ର ପୁଅ ପାଇଁ ବେସାହାରା ହୋଇ ଯାଇଥିବା ବୁଢ଼ା ବାପା ମା', ଋଣ ଶୁଝି ପାରୁନଥିବା ଚାଷୀ ର ଆତ୍ମ ହତ୍ୟା ରେ ମ୍ରିୟମାଣ ହୋଇ ଯାଇ ଥିବା କୁନି କୁନି ପିଲାମାନଙ୍କର ବିଳାପ ସେ ଚାକ୍ଷୁଷ କରିଛି । ସେ ଥାଏ ନିର୍ବିକାର। ସ୍ବାଭାବିକ ମୃତ୍ୟୁ ସେ କମ୍ ଦେଖିଛି । ନରୋଗ ରହି , ମରିବା ଲୋକ ବିରଳ । ଚିତା ଚୈତନ୍ୟ କାଟି, ତୁଳସୀ ମାଳ ଗଡଉ ଥିବା ବୈଷ୍ଣବ ମାନେ ବିଛଣା ରେ ପଡି ପଡି ମଶାଣି ଭୁଇଁକୁ ଯିବା ; ସମସ୍ତଙ୍କର ଆତ୍ମା ବୁଝି ନିଜେ ନ ଖାଇ ଆଉ ଜଣକ ପେଟ ପୂରାଉ ଥିବା ସାଧାରଣ ଲୋକଟିର ସୁଖ ମୃତ୍ୟୁ ବି ସେ ଦେଖିଛି । କେହି ମାନୁ ବା ନ ମାନୁ ସେ ମାନେ ଏ ସବୁ ନିଜ କର୍ମ ଫଳ। କର୍ମ ହେତୁକ, ଦୁଃଖ ସୁଖ ।
ପ୍ରତିଥର , ମଡା ର ଅବଶେଷରୁ ଅସ୍ତିଟିଏ ରଖି, ସବୁ ରୀତିନୀତି ପରେ ସାରବଧି ରେ ଗାଧୋଇ ସାରି,ଗଙ୍ଗା କୂଳିଆ ମାନଙ୍କ ସାଙ୍ଗରେ ପେଟେ ଖାଇ ସେ ଘରକୁ ଫେରେ । ସେଇ ରାତିଟି ସେ ଭଲରେ ଶୋଇ ପାରେ ନାହିଁ । ମଡ଼ା ପୋଡ଼ା ଦୁର୍ଗନ୍ଧ କୁ ନାକ ପର୍ଯ୍ୟନ୍ତ ବୋହିଆଣେ ପବନ ! ପରେ ବୁଝିପାରେ ଇଏ ତା'ର ଭୁଲ । ଯିଏ ଗଲା ; ଭଲରେ ଯାଉ କି ମନ୍ଦରେ ଯାଉ: ସିଏ ଏକ ଅଜଣା ରାଇଜ କୁ ଚାଲିଗଲା_ ସିଏ ଆଉ ଫେରିବେନି । ସିଏ ପଞ୍ଚଭୂତ ରେ ମିଶିଗଲା । ତା'ର ପୁଷ୍କର ଶାନ୍ତି କରାଯାଏ । ଗୁଣିଆ କଣ୍ଟା ପିଟି କିଳି ଦିଏ ଘରକୁ । ଆଉ ସେ ଘରକୁ ଭୂତ ହୋଇ ଆସିବନି କି କାହାକୁ ଡରେଇପାରିବନି ।
ଏ ମଣିଷ ଙ୍କୁ ସେ ଭଲ ଭାବରେ ଚିହ୍ନିଛି । ମରିବା ପୂର୍ବରୁ ଶିବ ଶିବ କହି ପୂଜା କରୁଥିବା ସେଇ ଜଣକୁ , ମରିବା ପରେ ଶବ କହି କେହି ଛୁଇଁ ଵେନି !
ତା' ଚେହେରା କୁ ଦେଖି ଛୋଟ ପିଲାମାନେ ଡରନ୍ତି । କାଳିଆ, ଭୁସୁଣ୍ଡା, ଆଖି ଗୁଡା ବଡ଼ ବଡ଼ । କେହି କେହି ମନ୍ତବ୍ୟ ଦିଅନ୍ତି," ଏଇଟା ସାକ୍ଷାତ ଯମ ଦୂତ ; ମଡ଼ା ଚଣ୍ଡିଆ ହେବା ଦରକାର ।"
ସେମାନଙ୍କ ମନ କଥା ସେ ଜାଣି ପାରେକି !
ଏଇ ସମୟରେ କରୋନା ମାତିଲା । କାମ ଧନ୍ଦା କିଛି ନ ଥାଏ ।ଏଇ ମହାମାରୀ ପାଇଁ ବହୁତ ଲୋକ ମଲେ । ସେ ଭାବିଲା , ଶବ ଦାହ କୁ ବୃତ୍ତି କଲେ ତ ଦି ପଇସା ହାତ କୁ ଆସନ୍ତା !
ସେବେ ଠାରୁ ସେ ମଡ଼ା ଚଣ୍ଡିଆ ହୋଇ ଗଲା । ମଡ଼ା ପିଛା, କୋଡିଏ, ତିରିଶ, ପଚାଶ ଦାବି କରୁ କରୁ ; ଦୁଇଶହ ରୁ କମ୍ କଲାନି । ବେହରଣ ଟି କେତେ ବେଳେ ବଦଳେଇ ପାରେନି । ଏତେ ବେସ୍ତ ରହେଯେ , ମଡାକୁ ଖୋଇବାକୁ ଆଣିଥିବା ଭାତ ସେ ମଦ ମଖାଇ ଖାଇ ଦିଏ । ଦିନେ ଦିନେ ରାତି ପାହିଯାଏ କିନ୍ତୁ ମଡ଼ା ପୋଡ଼ା ସରେ ନାହିଁ ।
ଦିନେ ତା' ଭାରିଯା କୁ କହିଲା,"ମୋର ବେଳ ହଉନି , ଘରକୁ ଖାଇ ଆସିବା ପାଇଁ । ମଶାଣି କୁ ଲାଗି, ଛୋଟ ଘର ଟିଏ କରି ସେଠି ରହିଯାନ୍ତେ!"
ମୁହଁ ମୋଡ଼ି ଦେଇ ତା' ମାଇକିନା ଛବି କହିଲା," ନା ଲୋ ମା' , ମତେ ଡର ମାଡିବ। ମୋ ଜେଜେ ବାପାକୁ ଆମ ବାଡି ପଛ ଆଡ଼େ ପୋଡିଥିଲେ । ଜେଜେବାପା ଢେର ଆମ୍ବଗଛ ପୋତି ଥିଲେ । ବଢିଆ ମିଠା ଆମ୍ବ । ସେଥିରୁ ଗୋଟେ କାଟି ତାଙ୍କ ମଡ଼ା ପୋଡ଼ାଗଲା। କ'ଣ ଢାଳି ଦେଲେ କେଜାଣି ହୁତ ହୁତ ହୋଇ ଜଳିଲା। "
"ପେଟ୍ରୋଲ, କିରୋସିନି ନା ଗୁଆ ଘିଅ ? ପଚାରିଲା ସନା ।ଜଣେ ଧନୀ ଲୋକ ତାଙ୍କ ମାଆ କୁ ଚନ୍ଦନ କାଠ, ଆଉ ଗୁଆ ଘିଅ ରେ ପୋଡିଥିଲେ । ମୁଁ ବୁଝି ପାରିନଥିଲି,ଏତେ ପଇସା ବୁଢୀଟା ପଛରେ ସାରିଲେ .......!"
"ଜାଣିନ, ସିଏ ସରଗ ଗୁ ଗଲେ "।
"ଆଲୋ ହେ ଓଲୀ, ସରଗ କୁ ନା ଚୂଲିକୁ । ମୁଁ ତାକୁ ନିଜେ ଜାଳିଛି ଜାଣେନି ? ଭଲ କର୍ମକରିଥିଲେ , ପୋଡ଼, ପୋତ, ପକା_ ସବୁ ଏକା ।
ଗାଁ ଲୋକ ମାନେ ଚାନ୍ଦା ଭେଦା ଦେଇ ,ଇଟା ବାନ୍ଧୁଣି ର ଦି ବଖୁରିଆ ଘରଟିଏ ତାଙ୍କ ଦି ପରାଣୀ ପାଇଁ ବନେଇ ଦେଲେ। ମାଇପ କୁ ମଙ୍ଗେଇ ସେ ସେଠି ରହିଲା ।
ଛବିକୁ ସବୁବେଳେ ସାହସ ଦେଇ କୁହେ ," ତୁ ଜମା ଡରନା । ମଣିଷ ଦେହରୁ ପବନ ଟିକକ ଚାଲିଗଲେ, ସିଏ କାଠ ଗଡ ଟାଏ , ମାଟି ହାଣ୍ଡିଟାଏ ; ତା' ନ ହୋଇଥିଲେ, ଜଳନ୍ତା ନାହିଁ କି ପୋଡନ୍ତା ନାହିଁ । ମୋ ସାଙ୍ଗରେ ଥରେ ଦିଥର ଚାଲ ଡର ଭାଙ୍ଗି ଯିବ । , ତୁ ଆଖି ପିଛୁଳା ମାରୁଥିବୁ, ମୁଁ ମଡ଼ା ଟାକୁ କେମିତି ପାଉଁଶ କରିଦେବି_ ଜମିଦାର ହେଉ କି ଜମାଦାର । ତୋର ,ମୋର , ସେମାନଙ୍କର ପାଉଁଶ ସବୁ ଏକା ପରି" ।
ଛବି, ସନାର ହାତ ଧରି ଥରେ ଦିଥର ମଡ଼ା ପୋଡ଼ା ଦେଖିବାକୁ ଗଲା ; ମେଳା ଦେଖିବାକୁ ଯିବା ପରି। ଆରେ ସତେତ ତ! ମେଳା ଭାଙ୍ଗି ଗଲେ , ପଡିଆ ଶୁନ୍ ଶୁନ୍
ହୋଇ ଯାଏ; ଲାଗେ ଶ୍ମଶାନ ପରି ! ଏ ଦୁନିଆ ବି ଦି ଦିନିଆ ମେଳା ; କିଏ ମେଳା ବୁଲି ଆଗେ ପଳେଇ ଯିବ ତ ଆଉ କିଏ ପଛରେ !!
ଛବି କେତେଟା ପାଇଟି ସାରି, ମୁଠେ ଫୁଟେଇ ଦେଇ ତା ଲୋକଟିକୁ ଅନିଶା କରି ବସିଥାଏ । ଯେତେବେଳେ ଫାଙ୍କା ପାଏ ସନା ଆସି କବାଟ ବାଡାଏ । ଅନ୍ୟମନସ୍କ ଥାଇ ଦୁଆର ଖୋଲିଦେଲେ, ସେ ଚମକି ପଡ଼ି ଦୁଇ ପାଦ ପଛକୁ ଘୁଞ୍ଚିଯାଏ । କଳା କୁରୁତା ସାଙ୍ଗକୁ କଳା ହାଫ୍ ପେଣ୍ଟ;ଦେହ ସାରା ପାଉଁଶ _କିମ୍ଭୁତ କିମ୍ଭାକାର ଲାଗେ ସନା ।ତାକୁ ଏ ସବୁ ର ଫରକ୍ ନଥାଏ । ବୁଡିଆସେ ପାଖ ଗଡ଼ିଆ ରୁ । ପଖାଳ ସାଙ୍ଗକୁ ଶିଳା ଶୁଖୁଆ ପତୁଆ , କଞ୍ଚା ଲଙ୍କା , ପିଆଜ; ବାସ୍ , ଦି ସଟକା ରେ ଭାତ, ତୋରାଣି ଟାଣିଦିଏ ।
ବିଲେଇ କପାଳ କୁ ଶିକା ଛିଡିଲା ପରି , କରୋନା କମି ଯିବାରୁ ମଡ଼ା କମିଗଲେ ।
ଛବି ଅଳିକଲା ଜଗନ୍ନାଥ ପୁରୀ ବୁଲି ଆସିବା ପାଇଁ । ସେ ଭାରିଯା କଥା କାଟି ପାରିଲାନି ।ଦାଢି ମାଢି କାଟି, ସାବୁନ ରେ ଭଲ କିନା ଘସି ମାଜି , ପରିସ୍କାର ହୋଇ , ଘର ରଖା , ଧୋତି କାମିଜି ପିନ୍ଧି, ଛବି କୁ ନେଇ ବସ୍ ଚଢି ପୁରୀ ପହଞ୍ଚିଲା ।
ତଥାପି କଟକଣା ଉଠିନଥାଏ । ପତିତପାବନ ଙ୍କୁ ଜୁହାର କରି, ଦୀପ ଜାଳି, ଦରିଆ କୂଳେ କୁ ଗଲେ ,ଦି' ସୁଆ ସାରି । ଚାଲି ଚାଲି
ଯାଉଥାନ୍ତି, ସନା ର ନଜର ପଡିଲା ,ସମୁଦ୍ର ପାଣି କୁ ଅଟକାଉ ଥିବ ଉଚ୍ଚା ପାଚେରୀ ଆର ପାଖରେ ମଡ଼ା ପୋଡ଼ା ଚାଲିଛି।
ଛବିର ହାତ ଧରି ପକେଇ ସେ କହିଲା, "ଦେଖି ଲୁଣି ନା?"
"କ'ଣ?"
"ଦେଖ୍, ଏଇଟା ସ୍ଵର୍ଗଦ୍ଵାର । ବଡ଼ ବଡ଼ ଲୋକମାନେ ଏଠି ମଡ଼ା ପୋଡ଼ନ୍ତି । ହେଇ ଚାହାଁ, ବିଜୁଳି ଚୂଲା ରେ ମଡ଼ା ପୂରେଇବା ବେଳକୁ ଆଖି ପିଛୁଳାକେ ପାଉଁଶ ହୋଇ ବାହାରି ଆସୁଛି ।"
"ଏଠି କାଠ ରେ ମଡ଼ା ପୋଡ଼ା ଯାଏ ନାହିଁ?"
"ହଁ, ଏଇ ଦେଖୁନୁ ଯୁଇ ଜଳୁଚି । ହଉ, ତୁ ଏଇଠି ଠିଆ ହୋଇଥା ମୁଁ ଟିକେ ଆସେ ।"
ସ୍ବର୍ଗ ଦ୍ବାର ଭିତର କୁ ପଶିଯାଇ ଦେଖିଲା ଏକାଥରେ ଆଠ ଦଶ ସରିକି ଯୁଇ ଜଳୁଚି । ମଶାଣି ର ମାର୍ମିକ ପରିବେଶ ସହିତ ସେ ଜଡ଼ିତ । ସେ ଖାଲି ଦେଖି ବାକୁ ଆସିଛି ମଡ଼ା ପୋଡ଼ିବା କୌଶଳ , ଭିନେ ନା ତା'ପରି । ସେ ଭଲ କି ଲକ୍ଷ୍ୟ କଲା , ଅଳ୍ପ କାଠ ; ପୁଣି ତାହା ଇଉକାଲିପଟାସ ହେଇଥବ ନହେଲେ ଆକାଶିଆ। ବଢିଆ ଶେଯ ଟିଏ କରି ମଡ଼ା କୁ ଆରାମ ସେ ଶୁଆଇ ଦେଲେ। , ମୁଖାଗ୍ନି ଦେବାକୁ ଚାହିଁ ଥାନ୍ତି । ତାପରେ, ମୁଣ୍ଡ ଗୋଡ଼ କୁ ଭାଙ୍ଗି ଏକାଠି କରି ଦେଉଛନ୍ତି , ପେଟ୍ରୋଲ,କି କ।ରୋସିନି ଟିକେ ଢାଳି ଦେଲେ ;ଦେଖନା ଉପରକୁ ଶିଖା ଟେକି ଜଳିଲା ;ମୁର୍ଦ୍ଦାର ସଫା । ରହିଲା ଅବଶିଷ୍ଟ ଅଙ୍ଗାର ଆଉ ପାଉଁଶ । ମନେ ମନେ ଭାବିଲା ଶାଳ ଗଛ ସରିବା ଆଗରୁ, ସେ ଇଉକାଲିପଟାସ,ଆକାଶିଆ ଚାରା ପୋତିବା ନିହାତି ଦରକାର ;ତା' ନ କଲେ ,ଲୋକେ ମଡ଼ା ପୋଡ଼ିବେ କେମିତି ? ସେ ଶିଖି ଆସିଛି ଅଳ୍ପ କାଠରେ ଶବ କେମିତି ରଫା ହେଇଯାଏ।
"ଏଥର ମନ ଲଗେଇ ଅନା ,ଢେଉ କେମିତି ଉଠୁଚି, ପଡୁଛି । ଥକା ଲାଗୁନି କେତେବେଳେ । ସମସ୍ତେ ନିଦ ଯାଇଥିଲେ ବି ସେ ଚେଇଁ ଥାଏ ।ଆମେ ଅଟକି ଯାଉ ଚାଲୁ ଚାଲୁ ; ଗୋଡ଼ ଉଠେନି ଆଗକୁ।ଆଖି ମୁଦି ହୋଇଯାଏ । ଫିଟେନି । ଗାଁ ମଶାଣିରେ ; ସ୍ଵର୍ଗ ଦ୍ଵାର ରେ ଶୋଇପଡୁ ଯେ ଶୋଇ ପଡ଼ୁ, ଆଉ ନିଦ ଭାଙ୍ଗେ ନି ।"ସେ ଛବି କୁ ତା ଦର୍ଶନ ତତ୍ତ୍ଵ ଶୁଣେଇଲା।
ଛବି ମୁଣ୍ଡରେ ଏ ସବୁ କିଛି ପଶୁନଥିଲା ।
ସେ ଦୌଡି ଯାଉଥିଲା ,ଆଗକୁ ପଛକୁ ।ଢେଉ ଆସି ତା ଦେହ ରେ ଧକ୍କା ଖାଇ ଫେରି ଯାଉଥିଲା । ସେ ,ସାଗର ର ବ୍ୟାପକତା ରେ ଏମିତି ବିଭୋର ହୋଇ ଯାଇଥିଲା ଯେ, ଶାଢ଼ୀଟା ତା' ଦେହରୁ କେତେଵେଳେ ଖସି ଗଲାଣି ,ଜାଣେନି ।
ସନା ଡାକରେ ସେ ପଛ କୁ ଘୁରି ଚାହିଁଲା । ଜିଭ କାମୁଡି ପଣତ ଟା ଢାଙ୍କି ହେଲା ।
ସେ ତା ପାଖକୁ ଯାଇ ତା' କାନ ପାଖରେ ଚୁପ୍ କିନା କହିଲା ,"ଆଲୋ , ତୁ ସେମିତି ରେ ଭଲ ଦେଖା ଯାଉଥିଲୁ ।"
ଛବି ଲାଜେଇ ଗଲା ।ତା ସାମ୍ନାରେ ହାଫ୍ ପେଣ୍ଟ ଆଉ ଢିଲା ଗଞ୍ଜି ଟିଏ ପିନ୍ଧି ତା'ଠାରୁ ବୟସରୁ ଢେର ବଡ଼ ମାଇକିନା ଟା ଢେଉ ଭାଙ୍ଗୁଥିଲା । ତା ପାଟିରୁ ବାହାରି ଆସିଲା,"ଛିଃ"।
ସନା ହସିଲା । ଛବି ଜାଣିବ କେମିତି ଯୁଗ କେତେ ଆଗେଇଲାଣି । ଖୋଲା ଖୋଲି ପ୍ରେମ ଚାଲେ ; ସମୁଦ୍ର କୂଳରେ ,ବଜାର୍ ରେ ହାଟରେ। ଶାଢ଼ୀ ସଉକ୍ ରେ ପିନ୍ଧନ୍ତି । ହାଫ୍ ପୋଷାକ ; ଟୋକି ଠୁ
ବଢୀ, ସମସ୍ତେ ପସନ୍ଦ କରନ୍ତି ।
ଫେରିବାର ବେଳ ହେଲା । ଭୋଗ ଦି ତିନି ଟୋକେଇ କିଣି ବସ୍ ଚଢିଲେ ସନା ଆଉ ଛବି । ତାକୁ ମଶାଣି ଡାକିଲାଣି । ତାକୁ ମୁର୍ଦ୍ଦାର ଦିଶିଲାଣି_ ନିଆଁ ଦିଶିଲାଣି ।
ପୁରୀ ରୁ ଫେରିବାର ବର୍ଷ କ ଭିତରେ ଛବି ମାଆ ହେଲା । ପୁଅଟିଏ ହେଲା ତା'ର। ସେ ଉପରକୁ ହାତ ଟେକି , ମହାପ୍ରଭୁଙ୍କୁ ଜୁହାର କରି କହିଲା" ମୋ ଧନ ତୁମରି କୁରୁପା ରୁ ।"
ଏଣିକି ଦି ବର୍ଷ ଛାଡି ଗୋଟେ । ସବୁ ଅଇଣ୍ଡି । ଏକ ଦୁଇ ତିନି ଚାରି ପାଞ୍ଚ। ଧୀରେ ଧୀରେ ସେମାନେ ବଡ଼ ହେଲେ ।ପେଟ ବଢିଲା। ଖୋରାକ ବଢିଲା ।ଆୟ ବି ସେମିତି ବଢିବା ଦରକାର।
ଜୀବନ ର, ପରିହାସ, ପରାଜୟ, ଗ୍ଳାନି ,ନିନ୍ଦା ଅପନିନ୍ଦା ସହି ସହି , ଅସହାୟ ମଣିଷ ମୃତ୍ୟୁ ଖୋଜେ । କାଳ କିନ୍ତୁ ତା' ଇଚ୍ଛା ଅନୁସାରେ ଆସେନି ;ସେଇ ସମୟ , ସେଇ ମୂହୁର୍ତ୍ତ ପହଞ୍ଚିଲେ ସେ ଆସେ, ଆଉ ତାକୁ ନେଇ ଯାଏ । ସମସ୍ତଙ୍କର ମିଛ କାନ୍ଦଣା କୁ ଉପେକ୍ଷା କରି , ଶବ ଚାଲିଯାଏ ଶ୍ମଶାନ ।
ଗୋଟିଏ ପରିବାର ର ଅପୂରା କ୍ଷତି ରେ , ସନା, ଛବି ପରି ମଡ଼ାଚଣ୍ଡିଆ ଙ୍କ ଲାଭ ।
ପାଞ୍ଚଟି ପିଲାଙ୍କୁ ଆହାର ଦେବା ପାଇଁ ,ଅଣ୍ଟା ଭିଡିଲା ଛବି। ଦିଜଣ ଭାଗ ଭାଗ କରି ମୁର୍ଦ୍ଦାର ପୋଡ଼ନ୍ତି। ସେ ଠାକୁରଙ୍କୁ ଡାକେ " ଆଜି ବେଶି ମଡ଼ା ଆସୁ ।"
ଘରବାଲା ଘରବାଲି, ସୁଵୁବେଳେ ବ୍ୟସ୍ତ ରୁହନ୍ତି ସେମାନଙ୍କ କାମରେ । ପିଲା ଗୁଡାକ ; ଚୂଲାମାନଙ୍କରେ ପଶି ଯାଉଥିଵେ ଵାହାରି ଆସୁଥିବେ । ଛବି, ସନା ଏ ସବୁ ଦେଖୁଥିଲେ ବି , କିଛି କହୁ ନ ଥିବେ । ଯେତେବେଢଳେ ମନହେଲା ଗାଧୋଇଲେ ଆଉ ଖାଇଲେ ।
ଖାଇବେ ଆଉ କ'ଣ ? ହାଣ୍ଡିରୁ ପଖାଳ , ଖଟା କି ସଜ ଚାଖି, ବାଢି ଆଣିବେ କଂସା ରେ । ମଡ଼ା ପୋଡ଼ିବା ପରି, ଶୁଖୁଆ ଦି' ଚାରିଟା ଚୂଲି କୁ ଫୋପାଡି ଦେଲେ; ବାହାର କରିନେଲେ। ଲୁଣ କଞ୍ଚା ଲଙ୍କା ଦଳିଦେଲେ।ପଖାଳ ଟାଙ୍କି ଦେଲେ। କଂସା ଆଉ ଧୁଆ ହେବନି । ସେଇଠି ଥିବ ; ଯେ ଯାହାର ସୁବିଧା ଅନୁସାରେ ସେଇ ବେଲା ରେ ପଖାଳ ବାଢ଼ି ଖାଇଲେ ।
ଯେତେଵେଳେ ସମୟ ହୁଏ, ଛବି ଘରକୁ ଆସି , ମଡ଼ା ପୋଡ଼ା ରୁ ବଳିଥିବା କାଠରୁ,ଭାତ ଆଉ ଆଳୁ, ବାଇଗଣ , ଶୁଖୁଆ ପକେଇ ତରକାରୀ କରିଦିଏ।
ତାପରେ ବାରଣ୍ଡାରୁ ଡାକ ପକାଏ," କି ଆଡ଼େ ଗଲ ....ଖାଇବା ଆସ...."
ଯିବା ପୂର୍ବ ରୁ ବାରବର୍ଷ ର ପୁଅ ବୁଧିଆ କୁ କହିଯାଏ," ଏଇ ଶେଯ ଟାକୁ ତିଆରି କରୁଥା, ମୁଁ ଗଲି ଆଉ ଅଇଲି ।"
ସନା ଗଲାରୁ, ଦି' ଜଣ ଯାକ ଗୋଟିଏ ବେଲାରେ ଖାଇ ବସିଲେ ।
ଖାଉ ଖାଉ କହୁଥାଏ," ଯୋଉଗଛ ଗୁଡ଼ିକ ଲଗେଇ ଥିଲି ସେ ଗୁଡ଼ିକର ଟୋକା ହୋଇ ଗଲେଣି ।ବାର ବର୍ଷ ରେ ଥରେ ତିନି ମୂର୍ତ୍ତି ଙ୍କ ନାଭିରୁ ବ୍ରହ୍ମ ଖୋଲି ନେଇ କୋଇଲି ବୈକୁଣ୍ଠରେ ବିସର୍ଜନ ଦିଆ ଯାଇ ନବ ଯୌବନ ବେଶ କରାଯାଏ , ସେହିପରି ବୟସ୍କ ଗଛ ଗୁଡ଼ିକୁ କାଟି ସେଇ ଜାଗାରେ ନୂଆ ପୋତିବା
ସେ ଗୁଡ଼ିକୁ କାଟି ମୁର୍ଦ୍ଦାର ପୋଡ଼ିବା "
ସେଇୟା କଲେ । ମଡ଼ା ପୋଡ଼ା ର ସଂଖ୍ୟା ବଢ଼ି ଚାଲିଲା ପରି , ସେମାନଙ୍କ ବୟସ ବଢି ଚାଲିଥିଲା । ଚାରୋଟି ଯାକ ଝିଅ ବୟୋ ପ୍ରାପ୍ତ ହୋଇ ଯାଇ ଥିଲେ ଆଉ ଯେ ଯାହା ଇଚ୍ଛା ରେ ଇଆଡ଼େ ସିଆଡେ ପଳେଇ ଯାଇଥିଲେ ; ଯେମିତି ଆଜିକାଲି ନବ୍ୟ , ସଭ୍ୟ, ସମ୍ଭ୍ରାନ୍ତ ଘର ମାନଙ୍କ ରେ ହେଉଛି !
ସନା ଛବି , ବୁଢା ବୁଢୀ ହୋଇଗଲା ପରେ, ପୋଡ଼ା ପୋଡ଼ି ଦାଇତ୍ୱ ବୁଧିଆ ସମ୍ଭାଳୁଛି ।
ଥରେ ଗୋଟିଏ ହୃଦୟ ଥରା ଡାକରେ, ମଡ଼ା ପୋଡ଼ା ଅଧାରୁ ଛାଡ ଘରକୁ, ଧାଇଁଲା ବୁଧିଆ ।
ମା' କାନ୍ଦୁଛି ବାପାଙ୍କ ଛାତିରେ ମୁଣ୍ଡ କୋଡ଼ି, " ମତେ ଛାଡ଼ି ଦେଇ , କୁଆଡେ ଚାଲିଗଲ ମୋ ଧନ...."
କିଛି ସମୟ ପରେ ମା' ଚେତା ହରେଇ ବସିଲା । ଆଉ ତା ଚେତା ଫେରିଲା ନି ।
ଦୀର୍ଘ ସମୟ ଧରି ବୁଧିଆ ନ ଫେରିବାରୁ, ମଡ଼ା ସାଙ୍ଗିଆ ମାନେ , ସନା ଘରେ ପହଞ୍ଚି ଯେଉଁ କରୁଣ ଦୃଶ୍ୟ ଦେଖିଲେ କାହାରି ଆଖିରୁ ଲୁହ ରହିଲାନି। ସମସ୍ତେ ମିଶି ଛ' କାଠିଆ ତିଆରି କରି ,"ରାମ ନାମ ସତ୍ୟ" ଆଉ ଖୋଳ କୁବୁଜି ବଜେଇ ମଶାଣି କୁ ନେଇଗଲେ । ବାପା ମା ଦି' ଜଣକୁ ଚିତାରେ ଶୁଆଇ , ଶେଷ ଥର ପାଇଁ ଯୁଇ ରୁ ପାଉଁଶ ମୁଠାଏ ଧରି , ସେ ଆଉ ପଛକୁ ଥରେ ବୁଲି ନ ଚାହିଁ ମିଶି ଯାଇଥିଲା ସୀମାହୀନ ସବୁଜିମା ରେ ।