Tosarani Mama

Horror Romance Fantasy

4.7  

Tosarani Mama

Horror Romance Fantasy

ଏକୁଟିଆ

ଏକୁଟିଆ

7 mins
685



ସନ୍ଧ୍ୟା ଛ'ଟା । ରାଉଲକେଲା ଦୁଇନମ୍ବର ବସ୍ ଷ୍ଟାଣ୍ଟରୁ ବସ୍ ଛାଡିଲା । ମାଘ ମାସର ରାତିରେ ଏପରି ଏପରି ଯାତ୍ରା ଥିଲା ବେଶ୍ ଉପଭୋଗ୍ୟ । ବାଘ ଭଳି ଶୀତ , ତେଣୁ ଜ୍ୟାକେଟଟିକୁ ବାଗେଇ ପିନ୍ଧିଲି । ଦୁଇ ଟିକିଆ ସିଟରେ ଝରକା ପାଖକୁ ଲାଗି ବସିଲି। ବାହାରର ରାତ୍ରି ଦୃଶ୍ୟ ଥିଲା ବେଶ୍ ମନୋରମ । ଡାହାଣ ପାଖରେ ଥିବା ସିଟ ଟି ପଙ୍କା ଥିଲା । ସହଯାତ୍ରୀ ର ମହତ୍ତ୍ୱ କିଛିଟା ଅନୁଭବ କଲି । ହଠାତ ଦଲକାଏ ଥଣ୍ଡା ପବନ ମୋର ନିଃସଂଗତାର ଅନୁଭବକୁ ଶକ୍ତ ଧକ୍କା ଦେଲା । ସଂଗେ ସଂଗେ କାଚ ବନ୍ଦ କଲି । ଦୀର୍ଘ ଦି' ବର୍ଷ ପରେ ଗାଁକୁ ଯାଉଛି। ବାପା ଫୋନ କରି କହିଥିଲେ - ଏଥର ସରସ୍ୱତୀ ପୂଜାକୁ ନିଶ୍ଚୟ ଆସିବୁ। ନାନୀର ବି ଏକା ଜିଦ ଆସିଲେ ସାଙ୍ଗ ହୋଇ ମାମୁଁ ଘରକୁ ଯିବା । ମୋ ମନରେ ମଧ୍ୟ ଉତ୍କଣ୍ଠା ଆଉ ପ୍ରବଳ ଆଗ୍ରହ ଯେ ଗାଁକୁ ଯିବି । ମନେ ପଡିଗଲା ପୁରୁଣା ଦିନ କଥା । ଏଥର ସେଇ ସ୍ମୃତି ସବୁକୁ ସାଉଁଟି ନେଲି।


    ଗାଉଁଲି ଜୀବନର ପାଠ ପଢା, ଖେଳାବୁଲା, ଗୁଡି ଉଡା, ନଇଁ ପହଁରା ଆଉ କ୍ଲବ ଡ୍ରାମାରେ ବାନର ସେନାରେ ଅଭିନୟ । ବେଶ୍ ମଜା ଲାଗୁଥିଲା । କିନ୍ତୁ ହାୟ ! ଏଇ ଦୁଇ ବର୍ଷରେ ମନ ଭରି ସମୟ ଦେଇପାରିନଥିଲି ମୋ ପ୍ରିୟ ଗାଁ ପାଇଁ। ଯାହା ହଉ ଅପରାହ୍ନ ର ଅସ୍ତ ପ୍ରାୟ ସୂର୍ଯ୍ୟର ତେଜହୀନ କିରଣରେ ସ୍କୁଲ ଫେରନ୍ତା ପିଲାମାନଙ୍କ ସହ ବୁଲାବୁଲି ପୁଣି ଚୋର ପୁଲିସ ଖୋ- ଖୋ , ଲୁଚକାଳୀ ଆଉ ଦୌଡ଼ କଂଫିଟିସନ । ମନେ ପଡ଼ିଲା ମଣିଆଇ କଥା । ସବୁ ଖେଳରେ ସେ ଆଗେ । ଯାହା ପଟରେ ସେ ଖେଳିବ ତାର ଜିତାପଟ ସୁନିଶ୍ଚିତ । ଏଥର ମୋ ଭାବନାରେ ନଈକୂଳକୁ ସ୍ଥାନ ଦେଲି । ଦିନେ ନ ଦେଖିଲେ ପାଗଳ ପ୍ରାୟ ହୋଇଯାଏ ସେଇ ନଈକୂଳ ଆଉ ବରମୂଳ କୁ । ଦୂର ବହୁ ଦୁରକୁ କେଉଁ ଏକ ଅଜଗର ସର୍ପର ଅଙ୍କାବଙ୍କା ଶୟନସିକ୍ତ ଶରୀର ପରି କୁଳୁକୁଳୁ ଗୀତଗାଇ ଦୁଃଖୀ ମନରେ ଦୁଃଖ ଦୁରୀଭୂତ କରିଥାଏ ଏଇ ନଈ। ତା ସାଙ୍ଗକୁ ନାଉରିଆ ଭାଇର ମନଖୋଲା ଗୀତ , କୃଷକର ଧାନକଟା ଏବଂ ସୁଦୂର ବନଲତା ପର୍ବତର ଆକର୍ଷଣୀୟ ଦୃଶ୍ୟ। କେବେ କେମିତି ଏହି ପ୍ରକୃତିକ ସୌନ୍ଦର୍ଯ୍ୟ ପ୍ରେମିଯୁଗଳ ଙ୍କ କୃଷ୍ଣଚୁଡା ବୃକ୍ଷରାଜିର ପତ୍ର ଗହଳରେ ଚାପର ଆସର। ସାଙ୍ଗକୁ ପୁଣି ନଈପାଖ ଦେଇ ବହି ଆସୁଥିବା ସୁଲୁସୁଲିଆ ମଳୟ ପବନ। ଏହା ହିଁ ଉପଯୁକ୍ତ ପରିବେଶ ହୋଇଥାଏ ଦୁଇ ମନରେ ଭାବ ବିନିମୟ କରିବାକୁ । ସବୁବେଳେ ପ୍ରାୟ ମୁଁ ଆକାଶ ଭାଇଙ୍କୁ ନଈକୂଳରେ ନିର୍ଜନତା ରେ ଏକୁଟିଆ ବସିବାର ଦେଖିଛି। ବିସ୍ତୀର୍ଣ୍ଣ ନୀଳ ଆକାଶର କାୟକୁ ଚାହିଁ ଅବା ସମସ୍ତଙ୍କ ପ୍ରିୟ ଏଇ ନଈ କୁଳୁକୁଳୁ ସ୍ୱର ଝଙ୍କାରରେ ବିମୋହିତ ହୋଇ କଣ ଗୁଡିଏ ଏଣୁତେଣୁ ଭାବିଯାନ୍ତି ସେ। ମୋ ଠାରୁ ଚାରି ପାଞ୍ଚ ବର୍ଷ ବଡ଼ ହେବେ । ଭାରି ଗମ୍ଭୀର । ଗାଁର କ୍ଲବ ଡ୍ରାମାରେ ଅଭିନୟ ସାଙ୍ଗକୁ ଭାବ ଉବ୍ଦୀପନ କବିତା ସବୁ କାମରେ ସେ ଆଗଭର । ବେଳେବେଳେ ବାହାରର ବଡ଼ ବଡ଼ କବି ସମିଳନୀ ରେ ଯୋଗ ଦିଅନ୍ତି ସେ। ଘରେ କେବଳ ବୁଢ଼ୀମା' ଟିଏ । ବହୁତ ହଇରାଣ ହେଉଛି। କେତେଥର ତାଙ୍କୁ ହାତକୁ ଦି ହାତ ହେବାକୁ ବାଧ୍ୟ କଲାଣି। ହେଲେ ଏକଥା ଶୁଣିଲା ମାତ୍ରେ ଚିଡିଚିଡି ହୁଅନ୍ତି ସେ । ତାଙ୍କୁ କଲମ ମୁନରେ ବହାରିପଡ଼େ ଅଜସ୍ର କବିତା କେବେ ନଈକୁ ତ କେବେ ପ୍ରମକୁ ନେଇ । ଯଦି ମୁଁ କେବେ ତାଙ୍କ କବିତା ପଢିନିଏ , ତା ହେଲେ କବିତାର ଆମୂଳଚୂଳ ପଚାରିନିଏ । ଯଦି ପ୍ରେମ କବିତା, ତା ହେଲେ ପଚାରି ବସେ ତାଙ୍କ ପ୍ରଣୟୀନିର ଗୁଣସବୁ । ସେ କେମିତିକା , ତାଙ୍କ ନାଁ କଣ , ଦେଖିବାକୁ କେମିତି ଇତ୍ୟାଦି।


   ଦୀର୍ଘଦିନର ବ୍ୟବଧାନ ପରେ ଏବେ ଗାଁକୁ ଯାଉଛି । ଜୀବନରେ କିଛିଉନ୍ନତି କରିବାକୁ ହେଲେ ନିଜର କୌଣସି ନା କୌଣସି ପ୍ରିୟ ଜିନିଷ ଛାଡିବାକୁ ପଡିଥାଏ । ସେ ଯାହା ହଉ ଏବେ ତ ମୁଁ ପୁଣି ସେଇ ସ୍ମୃତିର ଗନ୍ତାଘରକୁ ଫେରିପାଇବି । ହଠାତ ମୋ ଭାବନା ରାଇଜରେ କେହି ଜଣେ ଆଘାତ ଦେଲା ଭଳି ଲାଗିଲା। ପଛକୁ ଚାହିଁ ଦେଖିଲି ଜଣେ ସରଳ , ସୁନ୍ଦରୀ ନିରୀହ ବିବାହିତା ନାରୀ। ମଥାରେ ନାଲି ସିନ୍ଦୂର ଆଉ ହାତରେ ହ୍ୟାଣ୍ଡବ୍ୟାଗ । ନବବିବହିତା ପରି ଲାଗିଲା । ରାତି ପ୍ରାୟ ଏଗାରଟା ହେବ। ଥକ୍କାମାରି ମୁଣ୍ଡରେ ହାତ ଦେଇ ବସିପଡିଲେ ସେହି ଅନନ୍ୟା ନାରୀଜଣକ । ବୋଧେହୁଏ ଏଇ ଷ୍ଟେପେଜ ରୁ ଉଠିଲେ। ଏଥର ସହଯାତ୍ରୀର ଉପସ୍ଥିତି ପାଇଲି । କିଛି ସମୟ ଯାନ୍ତେ, ପଚାରିଲି କେଉଁ ଠିକୁ ଯିବେ। ଧୀରେ ମନ୍ଥର ସ୍ୱରରେ ଉତ୍ତର ଦେଲେ କଟକ । ଗାଡିର ବେଗ ଏବେ ଅପରିବର୍ତ୍ତିତ । ବେଶ୍ ନିରାଶ ଜଣାପଡୁଥିଲେ ସେ। ମୋ ପ୍ରଶ୍ନର ଉତ୍ତର ଦେଇ ପଚାରିଲେ ଆପଣ କଣ ରାଉରକେଲାରୁ ଆସିଲେ । ତାଙ୍କର ଏହି ସରଳ , ଭଦ୍ର ପ୍ରଶ୍ନର ଉତ୍ତରରେ ହଁ ଭରିଲି । କାହିଁକି କେଜାଣି ସେ ମୋର ଗନ୍ତବ୍ୟ ସ୍ଥଳ ଗାଁ ର ନା ପଚାରିଲେ ନାହିଁ ହୁଏତ କିଛି ଅଜଣା ରାଗ ଆମ ଗାଁ ଉପରେ ଥିବ । ତା ପରେ ସେ ତାଙ୍କ ବ୍ୟାଗରୁ ଏକ ଡାଏରି ବାହାର କରି କିଛି ଗୋଟେ ପଢିବାକୁ ଲାଗିଲେ। ହଠାତ ମୋର ନଜର ପଡ଼ିଲା ସେ ପଢ଼ୁଥିବା ପୃଷ୍ଠା ଉପରେ । ସେଥିରେ ଥିଲା ଆକାଶ ଭାଈଙ୍କ ନାଁ ଆଉ ତାଙ୍କ କବିତା ତାଙ୍କ ଆଖିରୁ ବହିଯାଉଛି ଲୁହର ଶ୍ରାବଣ ଆଉ ସେଇ କବିତା ଲେଖିଥିବା ପୃଷ୍ଠାଟି କେତେକାଂଶ ଭିଜିଯାଇଛି। ଭାବିଲି ଏହି କବିତା ହିଁ ତାଙ୍କ ଦୁଃଖର କାରଣ। ପଚାରିଲି ଆପଣ କଣ ଆକାଶ ମହାନ୍ତିଙ୍କୁ ଜାଣନ୍ତି। ସେ ଅଶ୍ରୁଭିଜା ନୟନରେ ମୋତେ ଚାହିଁ ହଁ କଲେ । ପଚାରିଲେ ଆପଣ କଣ ତାଙ୍କର କୌଣସି ରିଲେଟିବ ମୁଁ ଆବେଗ ସ୍ୱରରେ ଉତ୍ତର ଦେଲି ହଁ ସେ ମୋର ପୋଡ଼ାଶୀ ଭାଇ ହେବେ । ସେ ମୋତେ କିଛି ସମୟ ଚାହିଁ ତାଙ୍କ ନଜର ଫେରାଇ ନେଲେ ମୁଁ ପଚାରିଲି ଆକାଶ ଭାଇ କଣ ଆପଣଙ୍କ ଦୁଃଖର କାରଣ । ସେ କାନ୍ଦି ପକାଇଲେ କହିଲେ ନା ନା ମୁଁ ହିଁ ତାଙ୍କ ଦୁଃଖର କାରଣ ଏଥର ସେ ତାଙ୍କ କୁନି କୁନି ଆଖି କଣରେ ଦୁଇ ବିନ୍ଦୁ ଲୁହକୁ ଆଙ୍ଗୁଠିରେ ଏଡାଇ ଦେଇ ଆରମ୍ଭ କଲେ ତାଙ୍କ ଅତୀତ ପ୍ରେମକାହାଣୀ। ମୁଁ ଲକ୍ଷକଲୀ ସେ ଯେପରି ନିଜ ଭୂଲର ପ୍ରାୟଶ୍ଚିତ କରିବା ପାଇଁ ମୋ ଆଗରେ ତାଙ୍କ ଅତୀତ ଘଟଣାବଳୀ ସବୁ କହିବା ପାଇଁ ବ୍ୟଗ୍ର ହୋଇ ଉଠୁଛନ୍ତି ସେ କହିଲେ ଆମ କଲେଜ ଆନୁଆଲ ଫଙ୍ଗସନରେ ସେ କବିତା ପାଠ କରିବାକୁ ଆସିଥିଲେ ସେହିଠାରେ ହିଁ ତାଙ୍କର ଓ ମୋର ପ୍ରଥମ ପରିଚୟ । ଆଉ ପରେ ତାଙ୍କ ସହିତ ମୋର ବହୁବାର ଦେଖାହୋଇଛି । ଏହି ଦେଖା ସାକ୍ଷାତ ମଧ୍ୟ ରେ ଆମ ମଧ୍ୟରେ ଗଢି ଉଠିଲା ପ୍ରେମର ସମ୍ପର୍କ ପରେ ଏହି ସମ୍ପର୍କ କ୍ରମଶଃ ଗାଢ଼ ହେବାକୁ ଲାଗିଲା ତାଙ୍କର ପ୍ରବଳ ଇଚ୍ଛା ମୋ ମନରେ ତାଙ୍କୁ ବିବାହ କରିବା ପାଇଁ ସାହସ ଯୋଗେଇଲା ଘରେ ମୋର ବାପା ଓ ମାଆ ବାପ ଜଣେ ଅବସର ପ୍ରାପ୍ତ ବ୍ୟଙ୍କ ମ୍ୟାନେଜର ସେ ଯେତେବେଳେ ଆମ ସମ୍ପର୍କ ଜାଣିଲେ ତାକୁ ସେ ଗ୍ରହଣ କରିଲେ ନାହିଁ ସେ ଚାହୁଁଥିଲେ ଜଣେ ଇଂଜିନିୟର କିମ୍ବା ଡାକ୍ତର ଜ୍ୱାଇଁ , ଜଣେ କବି ନୁହେଁ । ଯାହାର ଶରୀର କେବଳ ଦୁଃଖର ମାଂସରେ ତିଆରି । ଦିନେ ହଠାତ ଏକ ନାଟକୀୟ ଘଟଣା କ୍ରମରେ ବାପା ନିଜ ମୁଣ୍ଡରେ ବନ୍ଧୁକ ଲଗାଇ ଜିଦ ଧରିଲେ ଆଲୋକ ସହିତ ବାହା ଦେବାକୁ । ତାଙ୍କର ଏହି ପରିସ୍ଥିତିରେ ମୁଁ ବାପା ଙ୍କୁ କଥା ଦେଲି ଆଉ ଆକାଶକୁ ଭୁଲି ଯାଇ ନିଜର କରିନେଲି ଆଲୋକକୁ ଯିଏ କି ଜଣେ ଡାକ୍ତର।


  ଏତିକି କହିସାରି ସେ ଛେପ ଢ଼ୋକି ଦମ ନେଲେ ଆଉ ତଳକୁ ମୁହଁ କରି କେବଳ ଲୁହ ଆଉ ଲୁହ ଗଢେଇ ଚାଲିଲେ। ବିଚାରା ଆକାଶ ଭାଇ । ନିଃସଂଗତାର କଳାବାଦଲରେ ବୁଡ଼ି ରହି କଣ ବା ପାଇଲେ , ମେଞ୍ଚାଏ ଦୁଃଖ। ତାଙ୍କ ଓ ମୋ ମଧ୍ୟରେ ଏଇ ଦୁଃଖଦ ବର୍ତ୍ତାଳାପ ମଧ୍ୟରେ ଗାଡି କଟକରେ ପହଞ୍ଚି ଗଲା । ସକାଳ ପ୍ରାୟ ଉପନୀତ । ଶୀତୁଆ ସକାଳର ପହିଲି ସୁନେଲି କିରଣ ପୃଥିବୀ ବକ୍ଷରେ ଏକ ଦିବ୍ୟ ଆଲୋକ ପରି ପ୍ରତୀୟମାନ ହେଲା । ସାରି ରାତ୍ରିର ଅନିଦ୍ରା କଷ୍ଟ ଟିକେ ଦୁରୀଭୂତ ହେଲା । ମୋର ସହଯାତ୍ରୀ ସେହି ନାରୀ ଜଣକ ନିଜ ବ୍ୟାଗରୁ ଖଣ୍ଡେ ଚିଠି ବାହାର କରି ମୋତେ ଦେଲେ ଏବଂ କହିଲେ ଏଇଟିକୁ ଆକାଶକୁ ଦେଇଦବ । ଶେଷରେ ମୁଁ ତାଙ୍କୁ ଧନ୍ୟବାଦ ଜଣାଇଲି ତା ପରେ ସେ ସେହି ଅଶ୍ରୁଭିଜା ନୟନରେ ମୋତେ ଚାହିଁ ଟିକେ ହସିଦେଇ ଚାଲିଗଲେ। କିଛି ଦୂର ପର୍ଯ୍ୟନ୍ତ ସେ ମୋତେ ହାତ ହଲେଇ ଅଭିବାଦନ ଜଣାଇଲେ । ଏହାପରେ ପୁଣି ମୋତେ କାହିଁ ଏକା ଏକା ଲାଗିଲା । ମନକୁ ବୁଝେଇବା ପାଇଁ ଖଣ୍ଡେ ନ୍ୟୁଜ ପେପର ଆଣି ପଡିଲି। ପୃଷ୍ଠା ପରେ ପୃଷ୍ଠା ଲେଉଟୁ ଲେଉଟୁ ହଠାତ ନଜର ପଡିଲା ଆକାଶ ଭାଇଙ୍କ ନାଁ ଆଉ କବିତା ଥିବା ପୃଷ୍ଠା ଉପରେ । ପେପର ଟିକୁ ପଢିସାରି ମୋ ଏୟାର ବ୍ୟାଗରେ ସାଇତି ରଖିଲି। ଗାଁରେ ସମସ୍ତଙ୍କୁ ଦେଖାଇବି।


   କିଛି ସମୟ ପରେ ବସ୍ ଟି ଏଥର ମୋ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଗଲା । ଓହ୍ଲାଇପଡି ପାଦକୁ ଗାଁ ଅଭିମୁଖେ ବଢାଇଲି। ଆନିଦ୍ରା ସାଙ୍ଗକୁ ଚାଳିବାରେ ସାମାନ୍ୟ କଷ୍ଟ ହଉଥିଲେ ବି ରାସ୍ତାର ଦୁଇ ପାର୍ଶ୍ୱର ଧାଡି ଧାଡି ରଙ୍ଗୀନ ଫୁଲ ଗଛ ତା ସାଙ୍ଗକୁ ନଈକୁଳ ବନଲତା ଆଦିର ପ୍ରାକୃତିକ ସୌନ୍ଦର୍ଯ୍ୟ ମୋତେ ସେହି କଷ୍ଟରୁ ବିରତ କଲା । ଏହା ଭିତରେ ମୁଁ ମୋର ସେହି ସ୍ମୃତିର ନଈକୂଳେ ପହଁଚିଗଲି । ଟିକେ ଥକା ବସିଗଲି । ଓଃ! କି ଶାନ୍ତି ହେଲେ ସେଠାରେ କାହାକୁ ବି ଦେଖିବାକୁ ପାଇଲି ନାହିଁ । କିନ୍ତୁ ଆକାଶ ଭାଇତ ଥିବା କଥା । ନା ବୋଧେ ହୁଏ ଦୁଃଖର ଯନ୍ତ୍ରଣାରେ ପଡି ସେ ଆଉ ନଦୀକୁଳକୁ ଆସୁନାହାନ୍ତି ଏଣୁ ସାଙ୍ଗେ ସାଙ୍ଗେ ଗାଁ ଭିତରକୁ ଆଗେଇଲି ।କିନ୍ତୁ ଝୁଣ୍ଟି ପଡିଲି । ଉଠିପଡି ପୁଣି ଚାଲିଲି । ବାଟରେ ମଣିଆଇ ଆସୁଥିଲା ଖୁସିରେ ଦୌଡି ଯାଇ କୁଣ୍ଢେଇ ପକାଇଲି । ହେଲେ ମୋତେ ଲାଗିଲା ସେ ଯେମିତି ମୋ ଖୁସିରେ ଭାଗ ନବାକୁ ଚାହୁଁନଥିଲା । ପଚାରିଲି କେମିତି ଅଛୁ। ରୁକ୍ଷଗଳାରେ ଉତ୍ତର ବଢ଼ିଦେଲା ହଁ ଭଲ । ପୁଣି ପଚାରିଲି କଣ ହୋଇଛି । ଏତେ ନିରାଶ ଜଣାପଡୁଛୁ । ଭୋ ଭୋ କରି କାନ୍ଦି ପକାଇଲା । କହିଲା ଆକାଶ ଭାଇ ଆଉ ନାହିଁ ତାର ଏତକ କଥା ଶୁଣି ମୋ ପାଦ ତଳୁ ଭୂଇଁ ଖସିଗଲା ପରି ଲାଗିଲା । ନୟନ ଯୁଗଳରୁ ଅମାନିଆ ଲୁହଧାରା ଦି ଟୋପା ବହିଗଲା। ଦୌଡ଼ିଗଲି ଘରଆଡ଼େ , କିନ୍ତୁ ହାୟ । ସବୁଆଡେ ସେଇ ଲୁହର ବତାବରଣ। ପାଗଳ ପରି ଖୋଜିପକାଇଲି ଆକାଶ ଭାଇଙ୍କୁ କିନ୍ତୁ ପାଇଲିନି। ପୁଣି ଏକମୁହାଁ ହୋଇ ଦୌଡ଼ିଲି ନଈଆଡେ। 


    ବରଗଛ ମୂଳେ ଠିଆ ହୋଇ ଚାରିଆଡେ ଚାହିଁଲି । ଶ୍ମାଶାନ ଆଡେ ଧୂଆଁ ବାହାରୁଥିଲା । କ୍ଷିପ୍ର ଗତିରେ ପାଖକୁ ଗଲି। କିନ୍ତୁ ମୁଠାଏ ପାଉଁଶ ବ୍ୟତୀତ କିଛି ବି ନଥିଲା ସେଠାରେ। ବସି ପଡିଲି ପଥର ପରି । ଚାରି ପାର୍ଶ୍ୱର ବୃକ୍ଷଲତା ଯେପରି ଇଙ୍ଗିତ କରୁଥିଲେ ଫେରିଯା - ଫେରିଯା । ଆକାଶ ଆଉ ଫେରିବନି । କଣ ବା ଥିଲା ତାଙ୍କର ପରିଚୟ । କବି ଅବା ନିଃସଂଗ ମଣିଷ ନା ଜଣେ ପ୍ରତାରିତ ପ୍ରେମିକ । ସତେ କେତେ ନିଷ୍ଟୁର ସେହି ନାରୀଜଣକ । ଜଣେ ନିରୀହ ନିଃସଙ୍ଗ ସାଥିହୀନ ମଣିଷକୁ ଠକି ଦେଇ ନିଜ ସୁଖରେ ଚାଲିଗଲେ। ମନେମନେ ବହୁତ ଗାଳିଦେଲି ତାଙ୍କୁ । ସେ ଦେଇ ଥିବା ଚିଠିଟିକୁ ବାହାର କରି ସେଇ ପାଉଁଶ ଉପରେ ଥୋଇଦେଲି । ନଈକୂଳ ଆଡେ ଚାହିଁଲି । ନଈସ୍ରୋତ ଚାଲିଛି ଆଗକୁ ଆଉ ଆଗକୁ। କହି ଯାଉଛି ଭୁଲି ଯା ଅତୀତକୁ ଭୁଲିଯା । ନଈ କୂଳର ସେହି ପୂର୍ବ ପ୍ରାକୃତିକ ଦୃଶ୍ୟ ଯେପରି ମଳିନ ପଡିଯାଇଛି । ବୃକ୍ଷଲତା ପ୍ରାୟ ପତ୍ରଶୂନ୍ୟ। ଲାଗିଲା ସମସ୍ତେ ପ୍ରାୟ ଏ ଦୁଃଖରେ ସମଭାଗୀ । ପୁଣି ପାଉଁଶ ଆଡେ ଚାହିଁଲି , ଭାବିଲି ଏ କଣ ନିଃସଂଗତାର ମୂଲ୍ୟ । 



Rate this content
Log in

Similar oriya story from Horror