Bijayalaxmi Das

Others

5  

Bijayalaxmi Das

Others

ଏକ ଦିବ୍ୟ ଅନୁଭୂତି...

ଏକ ଦିବ୍ୟ ଅନୁଭୂତି...

6 mins
326


ଗନ୍ନାଥଙ୍କ ଅନୁଭୂତିକୁ ଲେଖିବାକୁ ବହୁତ ଥର ଭାବେ। ଗଳ୍ପ ଲେଖି ପୋଷ୍ଟିଂ କରେ। କିନ୍ତୁ ଜଗନ୍ନାଥଙ୍କ ଲେଖା ରହିଯାଏ ଅଧୁରା ସ୍ୱପ୍ନ ହୋଇ। ହଠାତ୍ ସୁଦର୍ଶନ ସାର୍ ଙ୍କ ଲେଖା ଦେଖିଲି-- ଜଗନ୍ନାଥଙ୍କ ଅନୁଭୂତିକୁ ନେଇ ଲେଖାଟିଏ ଲେଖିବାକୁ। ତୃଷାର୍ତ୍ତକୁ ଜଳଟୋପେ ମିଳିଗଲା ଯେପରି !!! ସବୁ ତାଙ୍କରି ଇଚ୍ଛାରେ ଚାଲେ। ଆମେ କେବଳ ପୁତ୍ତଳିକା ମାତ୍ର। ତାଙ୍କରି ଇଛା ଆଉ ଆଶୀର୍ବାଦରୁ ଏକ ଦିବ୍ୟ ଅନୁଭୂତିକୁ ବର୍ଣ୍ଣନା କରିବାର ପ୍ରୟାସ କରୁଛି।


ପ୍ରାୟ ୧୫ବର୍ଷ ତଳର କଥା। ମିଷ୍ଟରଙ୍କ ଜଣେ ସାଙ୍ଗ ତାଙ୍କ ପୁଅ ବାହାଘରକୁ ନିମନ୍ତ୍ରଣ କରିଥିଲେ। ଘର ତାଙ୍କର ପୁରୀରେ। ମୁଁ ତାଙ୍କୁ ଏତେ ଚିହ୍ନି ନଥିଲି। ମିଷ୍ଟର କହିଲେ ଯେ ସେ ନିଶ୍ଚିତ ଯିବେ। ଆମର , ମାନେ ମୁଁ ଓ ମୋ ପୁଅ ୨ଜଣ ଙ୍କର ଯିବାକୁ ଇଚ୍ଛା ନଥିଲା। କାରଣ ଆମେ ତାଙ୍କୁ ଚିହ୍ନି ନଥିଲୁ। ପୁଣି ଭାବିଲି ପୁରୀ ଯିବାକୁ ଯୋଗ ତ ହେଉନି। ସବୁବେଳେ ପିଲାମାନଙ୍କ ପାଠପଢ଼ାରେ ବ୍ୟସ୍ତ ରହି , ପୁରୀ ଏତେ ପାଖରେ ଥାଇ ବି ଯାଇହେଉନି। ପୁଣି ମନ ପରିବର୍ତ୍ତନ ହୋଇଗଲା। ପିଲାମାନଙ୍କୁ କହିଲି , "ଚାଲଯିବା , କେହି ନ ଚିହ୍ନିଲେ ନାଇଁ , ଭୋଜି ଖାଇବାକୁ ପାଇବ , ପୁରୀ ଧାମ ବି ବୁଲାହେବ।" ପିଲାମାନଙ୍କୁ ସମୂଦ୍ରକୂଳରେ ବୁଲିବାକୁ ବହୁତ ଭଲଲାଗେ। ସେଇ ଲୋଭରେ ସେମାନେ ରାଜି ହୋଇଗଲେ। କାଳିଆର ଡୋରି ଲାଗିଲା। ତାଙ୍କ ଇଛା ନହେଲେ ଆମେ କିଏ ସ୍ଥିର କରିବାକୁ। ଶେଷରେ ସମସ୍ତେ ଯିବାକୁ ସ୍ଥିର ହେଲା। ସେ ଆମପାଇଁ ଗେଷ୍ଟହାଉସ୍ ବୁକିଂ କରି ଥିଲେ। ତେଣୁ ଆମର କିଛି ଚିନ୍ତା ନଥିଲା।

ନିର୍ଦ୍ଦିଷ୍ଟ ଦିନ ଆମେ ସକାଳୁ ବାହାରିଲୁ ପୁରୀ। ପୁରୀରେ ପହଞ୍ଚି ଗେଷ୍ଟ ହାଉସ୍ ରେ ଜିନିଷ ପତ୍ର ରଖି ଆମେ ପ୍ରଥମେ ମନ୍ଦିର ଗଲୁ ଜଗନ୍ନାଥ ଦର୍ଶନ ପାଇଁ। ଗୋଡହାତ ଧୋଇ ହୋଇ ଅରୁଣ ସ୍ତମ୍ଭକୁ ଛୁଇଁ ମନ୍ଦିର ଭିତରେ ପ୍ରବେଶ କଲୁ। ମୁଁ ଜାଣିନି ପ୍ରକୃତରେ କେହି ଭଗବାନ୍ ଅଛନ୍ତି କି ନାହାନ୍ତି। ଅନୁଭବ କରିପାରେ ଯେ ଜଣେ କେହି ଅଛନ୍ତି ଯିଏକି ସମଗ୍ର ବ୍ରହ୍ମାଣ୍ଡକୁ ଧରି ରଖିଛନ୍ତି। ସେଇ ବିଶ୍ୱାସକୁ ମୋର ସତ୍ୟରେ ପରିଣତ କରିଛନ୍ତି ସେଇ କାଳିଆ ଠାକୁର।

 

ମନ୍ଦିରର ପ୍ରଥମ ପାହାଚ ସ୍ପର୍ଶ ମାତ୍ରେ ଶରୀରରେ ଏକ ପ୍ରକାରର ଭକ୍ତିର ଶିହରଣ ଖେଳିଯାଏ। ତାହା କେବଳ ଅନୁଭବର କଥା। ଏକ ଅଦ୍ଭୁତ ପ୍ରକାର ଶିହରଣ ସୃଷ୍ଟି ହୁଏ ହୃଦୟରେ। ଆଖି ଲୁହରେ ଛଳଛଳ ହୋଇଯାଏ। ମନେ ମନେ କହିଲି ,"କାଳିଆରେ ! ତୋ ଲାଗି ମନ୍ଦିରରେ ଆଜି ମୁଁ ଠିଆ ହୋଇଛି। ତୁ ଡୋରି ନ ଲଗାଇ ଥିଲେ ମୁଁ କିଏ ? ପିଲାମାନେ ପଚାରନ୍ତି , ମାମା ! ସତରେ କ'ଣ ଭଗବାନ୍ ଅଛନ୍ତି ??? କାଇଁ ସେ ତ ଦେଖାଯାଉ ନାହାନ୍ତି। ମୁଁ କୁହେ-- ମଣିଷ ଲୋଭ , ମୋହ , ମାୟା ସବୁ ଛାଡ଼ିଦେଇ କେବଳ ତାଙ୍କୁ ନିଃସ୍ୱାର୍ଥପର ଭାବେ ଡାକିଲେ ସେ ଦେଖାଦିଅନ୍ତି। ତମେ ସେମିତି ଡାକି ପାରିବ କି ତାଙ୍କୁ ??? କିଛି ବି ପାର୍ଥିବ ସୁଖ କାମନା କରିବନି। ଖାଲି ଚାରିଆଡ଼େ ସେ ହିଁ ସେ ଦେଖାଯିବେ। ମୋ ଉତ୍ତରରେ ସେମାନଙ୍କ ପାଟି ବନ୍ଦ ହୋଇଯାଏ। ତାଙ୍କୁ କ'ଣ ବର୍ଣ୍ଣନା କରିହୁଏ !!! ଯେତେ ଲେଖିଲେ ଜାଗା କମ୍ ପଡ଼ିଯିବ। ବର୍ତ୍ତମାନ ମୋର ଏକ ଅନୁଭୁତିକୁ ବର୍ଣ୍ଣନା କରୁଛି।


ଆମେ ମନ୍ଦିରରେ ଦୀପ ଜାଳି ପ୍ରଭୁଙ୍କ ଦର୍ଶନ ପାଇଁ ଭିତରକୁ ଗଲୁ। ଭିଡ଼ ଭିତରେ ତାଙ୍କୁ ଦେଖିବା ପାଇଁ ଠେଲାପେଲା ହୋଇ ଶେଷରେ ତାଙ୍କ ସାମ୍ନାରେ ଠିଆ ହେବାକୁ ସୁଯୋଗ ଟିକେ ମିଳିଲା। ପ୍ରଭୁ ବଳଭଦ୍ର, ସୁଭଦ୍ରା ଓ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ମାତ୍ରେ ଭକ୍ତିରେ ତଲ୍ଲୀନ ହୋଇଗଲୁ ଆମେ। କେତେ ସୁନ୍ଦର ପ୍ରଭୁଙ୍କର ଚତୁର୍ଦ୍ଧାମୂର୍ତ୍ତି !!! ତାଙ୍କୁ ଦେଖିଲେ ସେଠୁ କ'ଣ ଆଉ ଘରମୁହାଁ ହେବାକୁ ଇଚ୍ଛା ହୁଏ। ମନଚାହେ‍ଁ ଏଇଠି ଶୋଇଯାଆନ୍ତି କି !! କିନ୍ତୁ ଆମେ ତ ସଂସାର ସାଗରରେ ମଗ୍ନ। ତ୍ୟାଗ କରିପାରିଲେ ଯାଇ ସିନା ଏଇଠି ସ୍ଥାନ ଦେବେ ସେ ! ଭାବ ବିହ୍ୱଳ ହୋଇ ଯାଇଥିଲି ମୁଁ। ପୁଅ ମୋତେ ହଲାଇ ଡ଼ାକ ଦେଲା-- ତୁଳସୀ ନିଅ ମାମା'। ତୁଳସୀ ପାଇସାରି ଆମେ ତା'ପରେ ଲକ୍ଷ୍ମୀ ମନ୍ଦିର ଗଲୁ। ଦର୍ଶନ ସାରି ସେଠାର ମଗଜ ଲଡୁ ଖାଇ ବାହାରକୁ ଆସିଲୁ। ମଧ୍ୟାହ୍ନ ଭୋଜନ କେଉଁଠି ଖାଇବୁ ବୋଲି ଭାବିଲୁ। ପିଲାମାନଙ୍କର ହୋଟେଲ୍ ରେ ଖାଇବାକୁ ଇଚ୍ଛା ଥାଏ। ମୁଁ କହିଲି ,"ରାତିରେ ଭୋଜି ଖାଇବ। ଏଇନେ ଅଭଡ଼ା ଖାଅ। ଶାନ୍ତି ଲାଗିବ। ବଡ଼ପୁଅ ମୁହଁକୁ ଶୁଖାଇ ହଁ' କହିଲା।" ଅଭଡା ଖାଇବାକୁ ଆନନ୍ଦ ବଜାରରେ ଯାଇ ବସିଲୁ। ବସିବା ମାତ୍ରେ ଦୋକାନୀ ଜଣେ କଦଳୀ ପତ୍ର ପକାଇ ଦେଲେ। ବେଶି ବେଳ ହୋଇ ନଥିଲା। ତେଣୁ ପ୍ରଥମ ଭୋଗ (୧୨ଟା ବେଳକୁ ବାହାରିଥାଏ) ଉଠିଥାଏ। କେବଳ ଅନ୍ନ , ଡାଲମା , ବେସର ଲେମ୍ବୁ , ଲୁଣ ଓ ଲଙ୍କା ଦେଇ ବାଢିଦେଲେ। କାକୁଡ଼ି କହିବାରୁ ଗୋଟେ ପିଲା ହାତରେ ମଗାଇ ଆଣି ଦେଲେ। ଖାଇସାରିବା ପରେ ବଡ଼ପୁଅ ମୋର କହିଲା ,"ସତରେ ମାମା , କି ଶାନ୍ତି !!! ମନ ଖୁସି ହୋଇଗଲା।" 


ତା'ପରେ ସମୁଦ୍ରକୂଳ ଗଲୁ। ସେଠାରେ ସମୁଦ୍ର କୂଳରେ ବୁଲାବୁଲି ସାରି ମିଷ୍ଟରଙ୍କ ସାଙ୍ଗଙ୍କ ପୁଅର ଭୋଜିରେ ଯୋଗ ଦେବାଲାଗି ଗଲୁ। ସେଠାରେ ପହଞ୍ଚି ଖିଆପିଆ ସାରି ଗେଷ୍ଟ ହାଉସ୍ କୁ ଫେରି ଆସିଲୁ। ସେତେବେଳକୁ ରାତି ୧୧ଟା ବାଜିଲାଣି। ହାଲିଆ ଲାଗୁଥିଲା। ପୋଷାକ ପତ୍ର ବଦଳାଇ ଶୋଇବାକୁ ଗଲୁ। 


ଠିକ୍ ରାତି ୧୨ଟା ବେଳକୁ ମୋ ସାନ ପୁଅର ଦେହରେ ହଠାତ୍ ଜ୍ୱର ଆସିଲା। ନାକ ଚୁଣ୍ଟି ହୋଇ ନିଃଶ୍ୱାସ ନେଇ ପାରୁନଥାଏ। ସେଥିରେ ପୁଣି ଜୋରରେ କାଶ ଆରମ୍ଭ ହୋଇଗଲା। ପାଖରେ କାଶ ‌ଔଷଧ ଥିଲା। ତାକୁ ଦେବାରେ ବି କାଶ କମିଲାନି। କଷ୍ଟ ହେଉଥିଲା ବୋଧହୁଏ ତାକୁ। ତେଣୁ କାନ୍ଦିବାକୁ ଲାଗିଲା। ଏମିତି ପିଲାଦିନରୁ ତା'ର ବେଳେବେଳେ ହୁଏ। ନିଃଶ୍ବାସ ନେଇପାରେନି। ଡାକ୍ତରଙ୍କୁ ଦେଖାଇ ‌ଔଷଧ ଖାଇଲେ ଭଲ ହୁଏ। ସନ୍ଧ୍ୟାବେଳେ ଭଲଥିଲା ଦେହ ତା'ର। ଏମିତି ଭୟଙ୍କର ଭାବେ ଦେହଟା ଖରାପ କିପରି ହୋଇଗଲା , କିଛି ବୁଝି ପାରୁନଥିଲୁ ଆମେ।ରାତିଟା ଗଲେ ସକାଳୁ ଆମେ ଘରକୁ ଫେରି ଆସିଥାଆନ୍ତୁ। ହଠାତ୍ ଲାଇନ୍ କଟିଗଲା ସେ ଗେଷ୍ଟହାଉସ୍ ରେ ଅନ୍ୟ ଲାଇଟ୍ ର ବ୍ୟବସ୍ଥା କିଛି ନଥିଲା। ଆମ ପାଖରେ ମହମବତୀ ଆଉ ଦିଆସିଲି ଥିଲା। ବାହାରକୁ କୁଆଡ଼େ ଗଲେ ସାଙ୍ଗରେ ରଖିଥାଉ। ଲାଇଟ୍ ସିନା ଲଗାଇଦେଲୁ। ଦେହ କଥା କ'ଣ କରିବୁ !!! ଆମେ ଉପାୟ ଶୂନ୍ୟ ହୋଇ କେବଳ ପରସ୍ପରକୁ ଅନାଉଥାଉ। ମା' ମନ ମୋର। ପୁଅର ବିକଳ କାନ୍ଦ ସହିପାରିଲିନି ଆଉ । ସେଇ କାଳିଆକୁ ଡାକିଲି। କିଏ ବା ସେଠି ଆଉ ସାହା ଅଛି ଆମର। ମିଷ୍ଟରଙ୍କୁ କହିଲି--ବାହାରକୁ ଯାଇ ଦେଖ ତ , କେ‌ଉଁଠି ମେଡିସିନ୍ ଷ୍ଟୋର୍ କାଳେ ଖୋଲାଥିବ। ବାଲକୋନୀକୁ ଯାଇ ସେ ତଳକୁ ଅନାଇ ଦେଖିଲେ ଯେ ଚାରିଆଡ଼ କିଟକିଟ୍ ଅନ୍ଧାର। ମୁଁ କିନ୍ତୁ ତାଙ୍କୁ ଜବରଦସ୍ତି ତଳକୁ ପଠାଇଲି। ସେ ବାହାର କୁ ଗଲେ। ଦୂରରୁ ଜୁଳୁଜୁଳୁ ହୋଇ ଟିକେ ଲାଇଟ୍ ଦେଖାଯିବାରୁ ସେଇ ଆଡ଼କୁ ସେ ଗଲେ। ଛୋଟିଆ କ୍ୟାବିନ୍ ଟେ ଥିଲା। ୨-୩ଜଣ ଠିଆହୋଇ ଗପସପ ହେଉଥିଲେ। ମେଡିସିନ୍ ଷ୍ଟୋର ଆଖପାଖରେ କେଉଁଠି ଅଛି ବୋଲି ପଚାରିଲେ। ସେମାନେ କହିଲେ-- ନାଁ , ଏତେ ରାତିରେ କିଛି ଖୋଲାନାହିଁ। ଜଣେ ସେ ଭିତରୁ ବାହାରି କହିଲା-- ହଁ , ବଡ଼ ଦାଣ୍ଡରେ ଗୋଟେ ଦୋକାନ ଖୋଲାରୁହେ। ଆପଣ ଜାଣିପାରିବେନି ସାର୍। ମୁଁ ଗଲେ ଶୀଘ୍ର ନେଇ ଆସିବି। ପାଖରେ ଆଉ ଜଣେ ସାଇକେଲ ଧରି ଠିଆ ହୋଇଥିଲେ। ତାଙ୍କୁ ଅନୁରୋଧ କରି ତାଙ୍କଠାରୁ ସାଇକେଲ ନେଇ ଲୋକ ଜଣକ ଆମପାଇଁ ମେଡ଼ିସିନ୍ ଆଣିବାକୁ ଗଲେ। ଅଧଘଣ୍ଟା ଭିତରେ ମେଡ଼ିସିନ୍ ଆଣିକରି ଆମକୁ ଦେଲେ। ସେତେବେଳ ପର୍ଯ୍ୟନ୍ତ ପୁଅ ରଡ଼ି ଛାଡ଼ି କାନ୍ଦୁଥାଏ। ମିଷ୍ଟର ମେଡିସିନ୍ ଆଣିବା ମାତ୍ରେ ମୁଁ ପୁଅକୁ ଖୁଆଇଦେଲି। ଆଶ୍ଚର୍ଯ୍ୟର କଥା। ୧୦-୧୫ମିନିଟ୍ ରେ ସେ ମୋ କୋଳରେ ଚୁପଚାପ୍ ଶୋଇ ପଡ଼ିଲା। ସେତେବେଳକୁ ଆସି ରାତି ଦୁଇଟା ହେଲାଣି। ଲାଇଟ୍ ବି ଆସିଗଲା। ଆମେ ସମସ୍ତେ ଶାନ୍ତିରେ ଶୋଇପଡ଼ିଲୁ। ସକାଳୁ ଉଠି ଆଉ କିଛି ସମସ୍ୟା ହେଲାନି। ନିତ୍ୟକର୍ମ ସାରି ଭଲରେ ଭଲରେ ଘରକୁ ଫେରିଲୁ।


ମିଷ୍ଟର୍ ଙ୍କ ଠାରୁ ସବୁକଥା ଶୁଣି ମୋତେ ଅନୁଭବ ହେଲା-- ଜଣେ ଅଜଣା ଲୋକ ସାଇକେଲ ନେଇ ଆମପାଇଁ ମେଡ଼ିସିନ୍ କାହିଁକି ଆଣିବାକୁ ଗଲା ??? ପୁଣି ଆଉ ଜଣକ ସାଇକେଲ ନେଇ , ଅନ୍ଧାର ରାତିରେ !!! ଏ ସବୁ ସେଇ କାଳିଆର ଇଛା ନୁହେଁ ତ ଆଉ କ'ଣ !!! ତାଙ୍କୁ ଭକ୍ତି ଆଉ ଶ୍ରଦ୍ଧାର ସହ ଡାକିଲେ ଆମକୁ ସେ ଅନ୍ୟ କାହା ମାଧ୍ୟମରେ ସାହାଯ୍ୟ କରନ୍ତି। 

***********************************************


ଆଉ ଏକ ଘଟଣା। ଆମେ ଚେନ୍ନାଇରେ ଜଗନ୍ନାଥ ମନ୍ଦିର ବୁଲିବାକୁ ଯାଇଥିଲୁ। ମିଷ୍ଟର କହିଲେ ମନ୍ଦିରରେ ପ୍ରାୟ ରୋଷେଇ ହୋଇଥାଏ ଭକ୍ତ ମାନଙ୍କ ପାଇଁ। ତେଣୁ ସେଠି ପ୍ରସାଦ ସେବନ କରିଦେବା। ସେଠି ପହଞ୍ଚିବାପରେ ଜଣାପଡିଲା ଯେ କେବଳ ଠାକୁରଙ୍କ ପାଇଁ ଖେଚୁଡ଼ି ଭୋଗ ଲଗାହୋଇଛି। ଆଜି ବିଶେଷ ରୋଷେଇ ହୋଇନି। ବିରାଟ ମନ୍ଦିର। ଦେଖିକରି ଖୁସି ଲାଗିଲା। ଜଗନ୍ନାଥଙ୍କ ଦର୍ଶନ ହେଲା। ପ୍ରସାଦ ହାତରେ ଟିକେ ଟିକେ ପାଇଦେଲୁ। ମିଷ୍ଟର ସେଇ ମନ୍ଦିରକୁ ଛୁଟି ଦିନରେ ଯାଆନ୍ତି ଓ ଖାଇକରି ଆସନ୍ତି। ଖରାବେଳ , ତେଣୁ ଭୋକ ସମସ୍ତଙ୍କୁ ଜୋରରେ ହେଲାଣି। ବାହାରକୁ ଆସିଲୁ। କେଉଁଠି ପାଖରେ ସେଠି ହୋଟେଲ୍ ନାହିଁ। ଟାଉନ୍ ଭିତରକୁ ଆସିଲେ ଯାଇ ଖାଇବାକୁ ମିଳିବ। ପାଖରେ ସାଇ ମନ୍ଦିରଟିଏ ଅଛି। ମିଷ୍ଟର କହିଲେ-- ଚାଲ , ଟିକେ ବୁଲିଦେଇ ଆସିବା। ଆଉ ଧୈର୍ଯ୍ୟ ନଥାଏ ପିଲାଙ୍କ ପାଖରେ। ମୁହଁଟି ମାନ ଶୁଖାଇ ସାଇ ମନ୍ଦିର ଭିତରକୁ ଗଲୁ। ସେଠାର ଲୋକ ଜଣକ ମିଷ୍ଟରଙ୍କ ଚିହ୍ନା। ଦେଖିକି କହିଲେ-- ସାର୍ ! ବାବାଙ୍କ ଦର୍ଶନ ସାରି ଖାଇସାରି ଯିବେ। ଆମେ ଆଶ୍ଚର୍ଯ୍ୟ ହୋଇଗଲୁ। ଭୋକବେଳେ ଖାଇବା ମିଳିଗଲେ ତା'ଠୁ ଆଉ କ'ଣ ଅଧିକ ଦରକାର !! ମୁଁ ମନେ ମନେ ଭାବୁଥିଲି କାଳିଆ ଖାଇବାର ବନ୍ଦୋବସ୍ତ କରିଦେଇଛି ଆମପାଇଁ। ଆମେ ଖାଇସାରି ଭଗବାନ୍ ଙ୍କୁ ଅନ୍ତରର ସହ ଧନ୍ୟବାଦ ଅର୍ପଣ କରି ଫେରିଲୁ।


ସେ ଅଛନ୍ତି। ଏଇଠି , ଆମ ପାଖରେ ସଦାସର୍ବଦା। ଭକ୍ତି ଆଉ ଶ୍ରଦ୍ଧାର ସହ ଡାକିଲେ ଆମକୁ ପ୍ରତିକ୍ଷଣରେ ସାହାଯ୍ୟ କରନ୍ତି। ତାଙ୍କୁ ଦେଖିବାକୁ ହେଲେ ସବୁ କିଛି ତ୍ୟାଗ କରି କେବଳ ତାଙ୍କୁ ହିଁ ଧ୍ୟାନ କରିବା ଦରକାର।

                   



Rate this content
Log in