Gangadhar Nanda

Abstract Tragedy Inspirational

4  

Gangadhar Nanda

Abstract Tragedy Inspirational

ଏକ ଐତିହାସିକ ଚାବି

ଏକ ଐତିହାସିକ ଚାବି

8 mins
192



           ଦୁଇ ଆଣ୍ଠୁ ଉପରେ ହାତ ଦୁଇଟିକୁ ଛନ୍ଦିଦେଇ ପାପୁଲି ଉପରେ ମୁହଁଟିକୁ ରଖି , ଦୂର ଦିଗବଳୟକୁ ଅପଲକ ଦୃଷ୍ଟିରେ ଚାହିଁ ରହିଥିଲା ବିକାଶ । ସମୁଦ୍ରର ଘୁ ଘୁ ଗର୍ଜନ ବ୍ୟତୀତ ଅନ୍ୟ କିଛି ଶୁଭୁନି । ଅଶାନ୍ତ ଲହରୀମାଳା ପାଦଠାରୁ ଅଳ୍ପଦୂର ପର୍ଯନ୍ତ ପହଞ୍ଚି ପୁନଃ ଫେରି ଯାଉଛନ୍ତି । ସବୁଦିନ ଭଳିି ସେଦିନ ମଧ୍ୟ ସୂର୍ଯ୍ୟ ଅସ୍ତ ହେବାକୁ ଆରମ୍ଭ କରିଛନ୍ତି । ଠିକ୍ ସେହିଭଳି , ଯେଉଁଭଳି ଭାବରେ ବିକାଶର ଭାଗ୍ୟାକାଶରେ ଆଜି ସୂର୍ଯ୍ୟାସ୍ତ ହେବାକୁ ଯାଉଛି । ଜୀବନରେ ପ୍ରଥମଥର ପାଇଁ ତା'ର ଏଭଳି ପରିସ୍ଥିତି ସହିତ ପ୍ରକୃତିର ଏ ନିର୍ଦ୍ଦିଷ୍ଟ ଦୃଶ୍ୟଟି ବେଶ୍ ଖାପ ଖାଇଲା ଭଳି ଲାଗୁଛି । ପ୍ରକୃତି ସହିତ ଆମର ସଂପର୍କ କେଡେ ନିଗୁଢ ସତେ ! ତା'ର ନିସ୍ପନ୍ଦ ଦୃଷ୍ଟି ଅସ୍ତଗାମୀ ସୂର୍ଯ୍ୟଙ୍କ ଆଡକୁ ସାମାନ୍ୟ ପହଁରିଗଲା । ପଶ୍ଚିମ ଦିଗରେ ଏକ ବିଶାଳ ଅଗ୍ନିପିଣ୍ଡ ଧିରେ ଧିରେ ଅଦୃଶ୍ୟ ହୋଇ ଆସୁଛି , ଠିକ ତା ଆଖି ସାମ୍ନାରୁ ତା'ର ସୁଖର ଦିନ ଅଦୃଶ୍ୟ ହେଲା ଭଳି ।

        ବିକାଶ ଉଠି ଠିଆ ହୋଇ ଲୁଙ୍ଗି ତଳେ ପିନ୍ଧିଥିବା ସର୍ଟପ୍ୟାଣ୍ଟ ପକେଟକୁ ହାତ ଦ୍ଵାରା ଟିକିଏ ଅଣ୍ଡାଳି ଆଣିଲା । ଚାବିଟି ଯଥାସ୍ଥାନରେ ଅଛି । ଆଜି ସେଇଟିକୁ ତା'ର ପ୍ରକୃତ ମାଲିକକୁ ସମର୍ପି ଦେବାକୁ ହେବ । ଚାବିଟିକୁ ହସ୍ତାନ୍ତର କରି ସାରି ସେ ପୁଣି ଫେରିଯିବ ତା'ର ପୂର୍ବ ଜୀବିକାକୁ । ପକେଟରୁ ଚାବିଟିକୁ କାଢି ଟିକିଏ ନିରେଖି ଦେଖିଲା । ଚାବି ସହିତ ଛୋଟିଆ ପ୍ଲାଷ୍ଟିକ ଡଙ୍ଗାଟିଏ ମୁଦିଆରେ ଲାଗିଛି । ସେ ନିର୍ଦ୍ଦିଷ୍ଟ ଚାବିଟି ପାଇଁ ମୁଦିଆ ଓ ଡଙ୍ଗା ସେ ନିଜେ କିଣିଛି । ଶେଷଥର ପାଇଁ ଚାବିଟିକୁ ମୁଣ୍ଡରେ ଲଗାଇସାରି ପକେଟରେ ରଖିଲା । ନିଜ ଅଜ୍ଞାତରେ ସେ ଏକ ଗଭୀର ଦୀର୍ଘ ନିଶ୍ଵାସ ନେଇ ପୁଣି ଛାଡିଦେଲା । ପୁଣି ସେଇ ଜାଲ ଭରା ଡଙ୍ଗା ସହିତ ସମୁଦ୍ର ସହ ସଂଘର୍ଷ ଚାଲିବ । ମାଛ ଧରିଲେ ପେଟ ପୋଷା ହେବ ; ନଚେତ ପରିବାର ସହିତ ଦାରୁଣ ଅଭାବରେ ଚଳିବାକୁ ପଡିବ । ନିଜକୁ ମିଶାଇ ପାଞ୍ଚ ପ୍ରାଣୀର ସଂସାର । ଯେମିତି ହେଲେ ବି ପିଲାଙ୍କ ପେଟ ପାଇଁ କିଛି କରିବାକୁ ହେବ । ସେଣିକି ଜୀବନ ଯାଉ କି ରହୁ । ସମୁଦ୍ରକୂଳର ନୋଳିଆ ବସ୍ତିର ସବୁ ବାସିନ୍ଦାଙ୍କର ଏଇ ଅବସ୍ଥା । କେତେ କିଏ ଏଇ ସମୁଦ୍ର ଗର୍ଭରେ ମରିହଜି ଯାଇଛନ୍ତି ; କିନ୍ତୁ ବେଉସା ହଜିନି । ଅଧିକ ମାଛ ପଡିଲେ ସମୁଦ୍ର ଗର୍ଜନ ଭାରି ଆପଣାର ଲାଗେ । ନ ହେଲେ ସେ ଗର୍ଜନ ଭାରି ଭୟଙ୍କର ଶୁଭେ । ବର୍ଷା ତୋଫାନରେ ମାଛ ବିନା ଖାଲି ଡଙ୍ଗା ନେଇ ଘରକୁ ଫେରିବା ସମୟରେ ସେ ଅଶାନ୍ତ ଫୁତକାରର ଗର୍ଜନ ଛାତି ଥରେଇ ଦିଏ । 

        କୂଳ ଛାଡି ବିକାଶ ପିଚୁ ସଡକ ଉପରକୁ ଉଠିଲା । ସଡକର ଅପରପଟେ ଏକ ନୂଆ ତୋଳା ହୋଇଥିବା ତିନି ମହଲା ଘର । ସାମ୍ନାରେ ଏକ ବଡ ଗ୍ରୀଲ ଗେଟ ଲାଗିଛି । କୋଠାଟିର ଚତୁର୍ଦ୍ଦିଗରେ ସୁଉଚ୍ଚ ପ୍ରାଚୀର । ବିକାଶ ପକେଟରୁ ଚାବି ବାହାର କରି ଗେଟ ତାଲା ଖୋଲି ଭିତରକୁ ପଶିଲା । ଏ କୋଠାଟି ତା' ରହିବା ଘର ଠାରୁ ଅଳ୍ପ ଦୂରରେ । କଲିକତାର କିଏ ଜଣେ ଧନୀ ବଙ୍ଗାଳୀ ଏଠାରେ ଭୂମି ଖର୍ଦ୍ଦି କରି ଘରଟିକୁ ତିଆରି କରିଛନ୍ତି । ଘର ତିଆରି ହେବା ଆରମ୍ଭରୁ ହିିଁ ରକ୍ଷଣା ବେକ୍ଷଣା ଭାର ବିକାଶକୁ ଦିଆଯାଇଛି । ତିନି ବର୍ଷ ତଳେ ଭୂବନେଶ୍ୱରର ଜଣେ ବାବୁ ଆସି ନୋଳିଆ ବସ୍ତି ଭିତରେ ବିକାଶକୁ ଖୋଜୁଥିଲେ । ସାହିର କିଏ ଜଣେ ସେ ବାବୁଙ୍କୁ ସାଙ୍ଗରେ ଆଣି ବିକାଶ ଘର ଦେଖେଇ ଦେଇ ଗଲା । ଆଗକୁ ବର୍ଷା ଆସୁଥିବାରୁ ସେ ସେତେବେଳେ ତା ଝୁମ୍ପୁଡିର ଛାତ ମରାମତି କରୁଥିଲା । ପିଲାଙ୍କ ସହାୟତାରେ ତାଳ ବରଡ଼ା ଓ ପୁରୁଣା ପଲିଥିନ ଦ୍ଵାରା ଛପର ବନ୍ଧା କାର୍ଯ୍ୟ ସୁରୁଖୁରୁରେ ଚାଲିଥିଲା । ଏଇ ସମୟରେ ବାବୁ ଜଣକ ନାଁ ଧରି ଡାକିଲେ । 

' ଆପଣ କିଏ ଆଜ୍ଞା ମୁଁ ଜାଣିପାରୁନି ।' ପ୍ରଶ୍ନିଳ ଆଖି ବିକାଶର

 ' ମୁଁ ଭୁବନେଶ୍ୱରର ଗୋଟିଏ କନଷ୍ଟ୍ରକସନ କମ୍ପାନୀର ମେନେଜର । କଲିକତାର ଜଣେ ସେଠ ଏଠାରେ ଗୋଟିଏ ନୂଆ ଘର ତିଆରି କରିବେ । ସେ ଏଠାକୁ ମଝିରେ ଆଦୌ ଆସିବେନାହିଁ । କାମ ଶେଷ ହେବା ପରେ ଆସିବେ । ସବୁ ଆମେ କରିବୁ । ତୁମେ କେବଳ ଜଗା ରଖା କରିବ । ପାରିବ ତ ଆମକୁ ଲେବର ଯୋଗାଇବ । ଲୋକାଲ ଲେବର ହେଲେ ଆମ କାମଟି ଶସ୍ତାରେ ଓ ସୁବିଧାରେ ହୋଇଯିବ । ତୁମକୁ ମଧ୍ୟ ପ୍ରତି ଲେବର ପିଛା କମିଶନ ଦିଆଯିବ । ତା'ଛଡା ତୁମ ମଜୁରୀ ଓ ଦରମା ଅଲଗା ମିଳିବ ।' ମେନେଜର ଆଶ୍ୱାସନା ଭରା କଣ୍ଠରେ କହୁଥିଲେ ।

'ଆଜ୍ଞା ସେସବୁ ସୁବିଧା ହେଇଯିବ । କିନ୍ତୁ ଏ କାମ ମୁଁ କରିବି ବୋଲି ମୋତେ କିଏ କେମିତି ଜାଣିଲା ?' ବିକାଶର ଆଶ୍ଚର୍ଯ୍ୟ ଭାବ ଏବେ ବି କଟି ନଥାଏ ।

'ସେ କଥା ପରେ ଜାଣିବ । ତୁମକୁ ଜାଣିଥିବା କୌଣସି ଲୋକ ତୁମ ନାଁ କୁ ସୁପାରିଶ କରିଛି । ଏବେ ତୁମେ ଏ କାମରେ ରହିବ ନା ନାହିଁ ?' ସାମାନ୍ୟ ବିରକ୍ତ ହୋଇ ମେନେଜର କହିଲେ । 

'ହଁ ବାବୁ ମୁଁ ରହିବି । ପଇସା କାହାର ଦରକାର ନାହିଁ ଯେ ! ବିକାଶ କୃତ୍ୟ କୃତ୍ୟ ହୋଇ ଉତ୍ତର ଦେଲା । ମାଛ ଧରା ଅପେକ୍ଷା ଏ କାମ ଢେର୍ ଭଲ । ଅନ୍ତତଃ ଜୀବନଟା ନିରାପଦ ରହିବ ।

          କେତେ ଶୀଘ୍ର ତିନି ବର୍ଷ କଟିଗଲା ! ଘରକାମ ସରିଯିବା ସହିତ ବିକାଶର ଦାୟିତ୍ଵ ମଧ୍ୟ ଶେଷ ହୋଇଗଲା । ଭଲ ରୋଜଗାର ଦିପଇସା ହେଉଥିଲା । ଉପୁରି ମଧ୍ୟ ଭଲ ମିଳୁଥିଲା । ଅବଶ୍ୟ ଥରେ ଦୁଇଥର ଉପୁରି ନେଲାବେଳେ ଧରା ମଧ୍ୟ ପଡ଼ିଛି । ସେ ହାରାମି ସୁପରଭାଇଜର ସବୁ କଥା ମେନେଜର ସାରଙ୍କ କାନରେ ଫୋଡିଚି । କିନ୍ତୁ ମେନେଜର ସବୁ ଶୁଣି ହସି ଦେଇ କହନ୍ତି , 'ଗରୀବ ଲୋକଟା କିଛି ପାଉ । ପରିଶ୍ରମ ମଧ୍ୟ କରୁଛି । ତୁମେ ବ୍ୟସ୍ତ ହୁଅନି । ସେ ତୁମ ପଇସା ତ ଖାଉନି ।'

             ପିଲା ତିନିଟା ସ୍କୁଲରେ ପଢୁଥିଲେ । ଟ୍ଯୂସନ ଯାଉଥିଲେ । ଏବେ ସବୁ ବନ୍ଦ ହୋଇଯିବ । ପୁଣି ଦୁଇ ଓଳି ଖାଇବା ମିଳିବା କଷ୍ଟକର ହେବ । ଆକାଶରେ ଥରୁଟେ ବିଜୁଳି ଚମକିଗଲା । ବର୍ଷା ପକେଇ ଆସୁଛି । ପହିଲି ଆଷାଢ଼ର ବର୍ଷା । ବିକାଶ ଉପର ମହଲାକୁ ଉଠିଲା । ଅନ୍ଧାରରେ ଦରାଣ୍ଡି ଲାଇଟ ସୁଇଚ ଅନ୍ କରି ବାଲକୋନୀରେ ବସି ସମୁଦ୍ରକୁ ଦେଖିଲା । ସମୁଦ୍ର ଅଶାନ୍ତ ହେଉଛି । କୂଳରେ କେହି ଦେଖା ଯାଉନାହାଁନ୍ତି । ବର୍ଷା ଭୟରେ ଯେ ଯାହାର ସୁବିଧାରେ ଠିଆ ହୋଇଯିବେଣି ।

         ଆଜିଠାରୁ ତିରିଶ ବର୍ଷ ତଳେ ଏମିତି ଏକ ବର୍ଷା ମୁଖର ରାତିରେ ବିକାଶ ଅନାଥ ହୋଇଯାଇଥିଲା । ବାପାଙ୍କର ଡଙ୍ଗା ଦିଗହରା ହୋଇ ସୀମାହୀନ ମହାସମୁଦ୍ରରେ ନିଖୋଜ ହୋଇଯାଇଥିଲା । ପୂର୍ବରୁ ମା ଯାଇଥିଲେ । ଏବେ ବାପା ଗଲା ପରେ ଜୀବିକା ପାଇଁ ଜାଲ ଭିଡ଼ାଠାରୁ ଆରମ୍ଭ କରି ଶଙ୍ଖ ମାଳୀ ବିକ୍ରି ଇତ୍ୟାଦି ଯାବତୀୟ କାମ କରିବାକୁ ପଡିଲା । ନବମ ଶ୍ରେଣୀରୁ ପାଠରେ ଡୋରି ବନ୍ଧା ହେଲା । ଏବେ ମଧ୍ୟ ମନେ ଅଛି , ସ୍କୁଲ ଛାଡ଼ିବା ପରେ ଗୋଟିଏ ସାଙ୍ଗ ତା ସହିତ ମିଶିବାକୁ , ଖେଳିବାକୁ ଆସେ । ନାଁ ଟା ଚନ୍ଦନ ବୋଲି ମଧ୍ୟ ମନେ ଅଛି । ନୋଳିଆ ପିଲା ବୋଲି ଅନ୍ୟମାନଙ୍କ ଭଳି ନୀଚ ମାନସିକତା ଚନ୍ଦନର ନଥିଲା । ଉଭୟଙ୍କ ମଧ୍ୟରେ ବହୁତ ଭଲପାଇବା ଥିଲା । ଏଇ ସମୁଦ୍ରକୂଳରେ ସେମାନେ କେତେ ଦୌଡିଛନ୍ତି , ଖେଳିଛନ୍ତି । ଲଙ୍କାଆମ୍ବ ଠାରୁ ଖରାଦିନିଆ ତାଳ ସଜ ବହୁତ ଖାଇଛନ୍ତି । ବିକାଶ ତାଳ ଗଛ ଚଢି ତାଳ ତୋଳିଦିଏ । ଦିନେ ଚନ୍ଦନ ତାଳ ହାଣିବା ଭିତରେ ଭୂଲରେ କଟୁରୀ ଚୋଟ ଯାଇ ବସିଲା ବାମ ହାତ ବୁଢା ଆଙ୍ଗୁଠିରେ । ଆଙ୍ଗୁଠି ଅଧାରୁ କଟିଯାଇ ଦୁଇଖଣ୍ଡ ହୋଇଗଲା । ତା'ପରେ କଣ ପାଇଁ କେଜାଣି , ଆଉ ଚନ୍ଦନ ଆସିଲାନି । ବିକାଶ ମନେ ମନେ ବହୁତ ଝୁରିଛି , ଖୋଜିଛି ; କିନ୍ତୁ ପାଇନି । ଏବେ କେଉଁଠି କଣ କରୁଥିବ କେଜାଣି ? 

         ଗେଟ ସାମ୍ନାରେ କାର ହର୍ଣ୍ଣ ବାଜିବାରେ ବିକାଶର ଧ୍ୟାନ ଭଗ୍ନ ହେଲା । ବୋଧହୁଏ ଚାବି ନେବାକୁ ମେନେଜର ଆସିଲେ । ଦଉଡି ଯାଇ ଗେଟ ଖୋଲିଲା । କାରଟି ଗେଟ ଟପି ଭିତରକୁ ପଶିଲା । ପବନ ସହିତ ମୂଷଳ ଧାରାରେ ବର୍ଷା ହେଉଛି । ବିକାଶ ଓଦା ସର ସର ଅବସ୍ଥାରେ ଗେଟ ବନ୍ଦ କରିସାରି ଘର ଭିତରକୁ ଦୌଡିଲା । ପାଖରେ କେଉଁଠି ଗୋଟାଏ ବଜ୍ରପାତ ହେବା ସଙ୍ଗେ ସଙ୍ଗେ କରେଣ୍ଟ ଚାଲିଗଲା । ସର୍ବତ୍ର ଅନ୍ଧାର । ମୁହଁକୁ ମୁହଁ ଦେଖାଯାଉନି । କାର ମଧ୍ୟରୁ କେହିଜଣେ ଛତା ଧରି ଟର୍ଚ୍ଚ ଆଲୋକରେ ଓହ୍ଲାଇପଡି ଅନ୍ୟଜଣଙ୍କୁ ଛତା ଦେଖାଇଲେ । ଦୁଇଟି ଛାୟାମୂର୍ତ୍ତି ଧିରେ ଧିରେ ଚାଲି ଆସି ଘରର ସମ୍ମୁଖ ବାରଣ୍ଡାରେ ଠିଆ ହେଲେ ।

' ବିକାଶ !' 

'ଆଜ୍ଞା ! ନମସ୍କାର ସାର ।'

'ମୋତେ ଜାଣି ପାରୁଛ ତ ?'

'ଆଜ୍ଞା ! ଆପଣ ମେନେଜର ସାର ।'

'ଓକେ । ଏ ସାରଙ୍କୁ ଚିହ୍ନିଛ ?'

'ନାଇଁ ଆଜ୍ଞା ! ଆଗରୁ ତ ଦେଖିନି , ଏବେ କେମିତି ଚିହ୍ନିବି ?' ବିକାଶ ଟିକିଏ ହଡବଡେଇ ଯାଇ ଉତ୍ତର ଦେଲା ।

'କିଏ କହିଲା ତୁମେ ସାରଙ୍କୁ ଆଗରୁ କେବେ ଦେଖିନ ବୋଲି ? ତୁମେ ଦେଖିଛ , ଥରେ କି ଦୁଇଥର ନୁହେଁ ; ଅନେକଥର ଦେଖିଛ ।' ଶେଷ ଆଡ଼କୁ ମେନେଜରଙ୍କ ସ୍ଵର ଅଧିକ ଗମ୍ଭୀର ଶୁଭିଲା । ବିକାଶ ନିଜ ମୁଣ୍ଡ କୁଣ୍ଡେଇ ମନେ ପକେଇବାକୁ ଚେଷ୍ଟା କଲା । ଇତି ମଧ୍ଯରେ କରେଣ୍ଟ ଆସିଯିବାରୁ ସମଗ୍ର କୋଠାଟି ଆଲୋକିତ ହୋଇଗଲା । ଉଜ୍ଜଳ ଆଲୋକର ସାହାରାରେ ବିକାଶ ସେ ନୂତନ ଆଗନ୍ତୁକ ମହୋଦୟଙ୍କୁ ଭଲକରି ଚାହିଁଲା ।

'ନାଇଁ ସାର୍ । ମୁଁ ଜାଣିପାରୁନି ।' ହତାଶ ସ୍ଵରରେ ବିକାଶ ନିଜର ଅସହାୟତା ପ୍ରକାଶ କଲା ।

'ଏ ସେହି ବ୍ୟକ୍ତି , ଯେ ଏଠାର ଦାୟିତ୍ଵ ନେବାକୁ ତୁମ ନାମକୁ ସୁପାରିଶ କରିଥିଲେ । ଏବେ ଚିହ୍ନିଲ କିଏସେ !'

'ନାଇଁ ସାର ମୁଁ ପାରୁନି । ମୁୁଁ ଗରିବ ଲୋକ ଆଜ୍ଞା ; ମୋତେ ଏ ଗୋଲକଧନ୍ଦାରେ କାହିଁକି ପକାଉଛନ୍ତି ! 

' ହଉ ଠିକ୍ ଅଛି । ମୁଁ ତାଙ୍କର ପରିଚୟ କହିଦେଉଛି । ସେ ଏ ଘରର ମାଲିକ ।' ମେନେଜର ମୃଦୁ ହସି କହୁଥିଲେ , 'ଏବେ ଚାବିଟିକୁ ଆମକୁ ଦିଅ । ତୁମ ଦାୟିତ୍ଵ ବର୍ତ୍ତମାନଠାରୁ ଶେଷ ।'

'ଆଜ୍ଞା ଦଉଛି ।' ବିକାଶ ଚାବିଟିକୁ ମେନେଜରଙ୍କ ହାତକୁ ବଢେଇସାରି ସାମାନ୍ୟ ନଇଁଯାଇ ମାଲିକଙ୍କୁ ନମସ୍କାର ପକାଇଲା ।

       ଦୀର୍ଘ ତିନିବର୍ଷ ଧରି ନିଜ ହେପାଜତରେ ରଖିଥିବା ଚାବିଟିକୁ ଅନ୍ୟକୁ ସମର୍ପି ଦେଲାବେଳେ ବିକାଶର ହାତ କମ୍ପୁଥିଲା । ସେ ଚାବିଟି ତାର ଓ ତା ପରିବାର ପାଇଁ ସର୍ବସ୍ଵ ଥିଲା । ଚାବିଟି ତା' ପାଖରେ ଥିବାଯାଏ ସେ ନିଜକୁ ଢେର ସୁରକ୍ଷିତ ମନେକରେ । ପାଗ ଯେମିତି ହୋଇଥାଉ କି ସମୁଦ୍ର ଯେତେ ବି ଗର୍ଜନ କରୁ , ତା'ର ସେଆଡକୁ ନିଘା ନଥାଏ । ନିଜର ବା ପିଲାଙ୍କର ଖାଇବା ଚିନ୍ତା ନଥାଏ । ପ୍ରବଳ ବର୍ଷା ପବନରେ ବସ୍ତିରେ ଅନ୍ୟମାନଙ୍କ ଘରେ ଚୂଲି ଜଳୁନଥିବା ସ୍ଥଳେ ବିକାଶ ଘରୁ ଚିକେନ ତରକାରୀର ବାସ୍ନା ଆସେ । ସବୁ ସେଇ ଚାବିଟି ଲାଗି ସମ୍ଭବ ହେଉଥିଲା । ଚାବି ସହିତ ଜଡିତ ଥିଲା ତା'ର ନିରାପତ୍ତା ପୂର୍ଣ୍ଣ ଜୀବିକା ; ପରିବାର ଚଳିବା ପାଇଁ ଏକ ନିର୍ଭର ଯୋଗ୍ୟ ଭରସା । ଏପରିକି ପୂର୍ବରୁ ଅନେକ ଥର ସଟ୍ଟା ଖେଳରେ ପଇସା ହରେଇ ଥିବା ସତ୍ତ୍ଵେ ନିଜ ସହିତ ଚାବିଟିର ଉପସ୍ଥିତି ପରଠାରୁ ସେ ଅଧିକାଂଶ ବାର ଜିତିଛି । ଚାବିଟି କ'ଣ ମନ୍ତ୍ରିତ ଥିଲା ? ହେଇଥିବ କାଳେ ! କିନ୍ତୁ ଏ କଥା ସତ୍ୟ ଯେ ତା' ପାଖରେ ଚାବି ଥିବା ପର୍ଯ୍ୟନ୍ତ ଅନେକ ଝଡ ରାତିର ସମୁଦ୍ର ଗର୍ଜନ ତାକୁ ଭୟ ଦେଖାଇ ପାରିନି । ଚାବିଟି ହେତୁ ସେ ନିଜ ପରିବାର ସହିତ ବିତାଇଥିଲା ତା ଜୀବନ କାଳର ତିନିବର୍ଷିଆ ଛୋଟିଆ ସୁବର୍ଣ୍ଣମୟ ଯୁଗଟିଏ । ତା' ଜୀବନ ଇତିହାସରେ ଅଳ୍ପଦିନ ପାଇଁ ହେଲେ ମଧ୍ୟ , ସେ ଐତିହାସିକ ଚାବିଟିର ଥିଲା ମହତ୍ତ୍ଵପୂର୍ଣ୍ଣ ଭୂମିକା । ଚାବିଟିର ପ୍ରତ୍ୟାର୍ପଣ ପରେ ତା' ଜୀବନର ସେ ଐତିହାସିକ ସୁବର୍ଣ୍ଣଯୁଗର ଘଟିଲା ଏକ ଦାରୁଣ ପରିସମାପ୍ତି ଏବଂ ଏବେଠାରୁ ଆରମ୍ଭ ହେଲା ବାକି ଜୀବନର କଷ୍ଟକର ସଙ୍କଟମୟ ମୂହୁର୍ତ୍ତ । 

        ଉଭୟଙ୍କୁ ବିଦାୟ କାଳୀନ ଶେଷ ନମସ୍କାର କରିସାରି ବିକାଶ ଗେଟ ଆଡ଼କୁ ଧିର ଗତିରେ ଚାଲିଲା । ହୃଦୟ ଭିତରୁ ରହି ରହି କୋହର ଜୁଆର ଉଠୁଛି । ଯେତେ ବୁଝାଇଲେ ମଧ୍ଯ ମନ ବୁଝୁନି । ବାହାରକୁ ଯିବା ଉଦ୍ଦେଶ୍ୟରେ ଗେଟ ଖୋଲିଲା ।

'ବିକାଶ !' ପଛରୁ ଗୋଟିଏ ଗମ୍ଭୀର ସ୍ୱର ଶୁଣାଗଲା । ସେ ସ୍ଵର ମେନେଜରଙ୍କର ନଥିଲା । ବୋଧହୁଏ ମାଲିକ ଡାକୁଥିଲେ । 'ଏଆଡେ ଆସ , ମୋ ପାଖକୁ !'

ବିକାଶ ନିର୍ଜିବ ଗତିରେ ପଛକୁ ଫେରିଲା । ବର୍ଷା କମି ଆସୁଥିଲା । ବିକାଶ ନିରବରେ ପାଖକୁ ଆସି ଠିଆ ହେଲା । 

'ଚନ୍ଦନ ମନେ ଅଛି ?' ପୂର୍ବର ସେଇ ଗମ୍ଭୀର ସ୍ଵର ।

'ଆଜ୍ଞା । ମନେଅଛି । ଆପଣ ତାକୁ କେମିତି ଜାଣିଲେ ? ସେ ଏବେ କେଉଁଠି ?' 

'ଏଇଠାରେ , ତୁମ ସାମ୍ନାରେ । 

'ଆଁ . . . ତୁମେ ଚନ୍ଦନ ! ଦେଖି ଦେଖେଇଲ ତୁମ ବାଁ ହାତ ବୁଢା ଆଙ୍ଗୁଠି !' ବିକାଶ ସେ ଭଦ୍ରବ୍ଯକ୍ତିଙ୍କର ବାମ ହାତ ଭିଡ଼ି ଆଣି ଦେଖିଲା । ପରେ ପରେ ଧପାସ କରି ଶବ୍ଦ ହେଲା । ଚନ୍ଦନ ପାଦ ପାଖରେ ବିକାଶ ପଡ଼ିଯାଇ ପାଦ ଦୁଇଟାକୁ ଧରି କାନ୍ଦୁଥିଲା । 

'ଉଠ ବିକାଶ ! ଆମେ ଦୁହେଁ ସାଙ୍ଗ ଥିଲେ , ଆଗକୁ ମଧ୍ଯ ରହିବା ।' ବିକାଶକୁ ଦୁଇ ହାତରେ ତଳୁ ଉଠାଇଧରି ଚନ୍ଦନ ଆଲିଙ୍ଗନ କଲେ । ବିକାଶ ଆଖିରୁ ଲୁହ ବୋହିବାକମୁନଥିଲା।

'ବିକାଶ ! ତୁମ ପାଇଁ ଗୋଟିଏ ଛୋଟିଆ ଉପହାର ଆଣିଛି । ଦୟାକରି ଉପହାରଟିକୁ ଗ୍ରହଣ କରିବ । ନଚେତ ତୁମର ଏ ସାଙ୍ଗଟିର ମନ ବହୁତ କଷ୍ଟ ହେବ ।' 

'ଦିଅ କଣ ଆଣିଛ ; ଯାହା ଦେବ ନେବି ।' ବିକାଶ କହିସାରି ଆଖିରୁ ଲୁହ ପୋଛିଲା ।

'ନିଅ ତୁମ ଚାବିଟି ; ଏଇଟି ଏବେଠାରୁ ତୁମର । ଏ ଘର ଜାଗା ସମେତ ସବୁ ତୁମର ।' ଚନ୍ଦନ ବାସ୍ପରୁଦ୍ଧ ସ୍ଵରରେ କହୁଥିଲେ , ' ସେଦିନ ମୋ ଅଙ୍ଗୁଳି କଟିଯିବା ପରେ ଏଥିପାଇଁ ମା'ଙ୍କର ଅବହେଳାକୁ ଦାୟୀ କରି ବାପା ଛାଡପତ୍ର ଦେଲେ । ମାମୁଁ କଲିକତାରେ ବ୍ୟବସାୟ କରୁଥିଲେ । ଅଗତ୍ୟା ମା'ଙ୍କ ସହିତ ମାମୁଁଙ୍କ ପାଖକୁ ଯାଇ କଲିକତାରେ ରହି ପଢ଼ାପଢି କଲି । ମାମୁଁ ନିସନ୍ତାନ ଥିଲେ । ଅତଏବ ମାମୁଁଙ୍କ ଅନ୍ତେ ତାଙ୍କ କପଡ଼ା ବ୍ୟବସାୟ ମୁଁ ବୁଝିଲି । ଭଗବାନଙ୍କ ଦୟାରୁ ମୁଁ ବହୁତ ଭଲରେ ଅଛି । ତୁମପାଇଁ କିଛି କରିବାଲାଗି ମନସ୍ଥ କରିଥିଲି । ପ୍ରଭୂ ସେ ସୁଯୋଗ ଦେଲେ । ଏହାପର କଥା ତୁମେ ଜାଣିଛ । ଏ ଘର ତୁମରି ପାଇଁ ନିର୍ମାଣ ହେଲା । ଏବେ ଉପର ମହଲାରେ ତୁମେ ରହିବ । ଦ୍ଵିତୀୟ ମହିଲାକୁ ଭଡ଼ା ଦେଇଦେବ । ତଳ ମହଲାରେ ରେଡିମେଡ ଡ୍ରେସ ଓ ଶାଢୀ ଦୋକାନ କରିବ । ସବୁ ମୁଁ କରିବି । ତୁମର ବ୍ୟସ୍ତ ହେବା ଆବଶ୍ୟକ ନାହିଁ । ଏବେ ମୋତେ ବିଦାୟ ଦିଅ । ରାତି ବାରଟାରେ ଫ୍ଲାଇଟ ଅଛି । ଯେତେବେଳେ ଆସିବି ତୁମରି ପାଖରେ ରହିବି ।'  

        ସମୁଦ୍ରର ଗର୍ଜନ କମିଆସିଥିଲା । ଚାବିଟି ହାତରେ ଧରି ବିକାଶ ଆକାଶକୁ ଚାହିଁଲା । ମେଘମୁକ୍ତ ଆକାଶରେ ଶୁକ୍ଳପକ୍ଷର ତ୍ରୟୋଦଶୀ ଜହ୍ନ ହସୁଥିଲେ । ସେ ହସ ଭିତରେ ବିକାଶ ଅନୁଭବ କରୁଥିଲା ଭବିଷ୍ୟତର ଏକ ନିରାପତ୍ତାପୂର୍ଣ୍ଣ ଭରସା।


Rate this content
Log in

Similar oriya story from Abstract