ଏ ଘର ମାଉସୀ ସେ ଘର ପିଉସୀ
ଏ ଘର ମାଉସୀ ସେ ଘର ପିଉସୀ
ଗାଁ ଘର ଦେଖି ତଥା ବର ଦେଖି କନ୍ୟା ପକ୍ଷ ଗଲେଣି ପନ୍ଦର ଦିନ ହେଲାଣି କିନ୍ତୁ କିଛି ଖବର ଆସିନି ତ ଜେଜେ ନୀଳମାଧବ କପାଳ ମନ୍ଦ କହି କର କଚାଡି ହେଉଥିଲେ ଆଉ କହୁଥିଲେ ସତେ କି ଏ ଭାଗ୍ୟ ହେବ.... ନାତୁଣୀ ବୋହୁ ଏ ନେତ୍ର ଦେଖିବ.. ହେ ରାଧାମାଧବ... କେଵେ ଜୀଵନ ନିଶ୍ଚୟ ଯିବ ହେ ରାଧାମାଧବ. ବାପାଙ୍କ କଥା ଶୁଣି ପତିତପାବନବାବୁ ଆଖିରୁ ଦୁଇଟୋପା ଲୁହ ନିଗାଡି ପକେଇଲେ. ସତେତ ବାପା ନୀଳମାଧବ ଆଉ କେତେଟା ଦିନ!ପାଚିଲା ପତର, କୋଉଦିନ କୋଉକଥା. ଖାଲି ବୋଉ ତାଙ୍କର ତାଙ୍କୁ ଜନ୍ମ କରି ବାପାଙ୍କ ହାତରେ ଦେଇ ଯାଇଛି ବୋଲି ସମସ୍ତେ କହନ୍ତି ତୁମେ କପାଳିଆ ନୀଳମାଧବ ପତିତପାବନ ପରି ପୁଅ ଧରେଇ ଆୟୁଷତକ ଦେଇ ବସେଇ ଦେଇ ଯାଇଛନ୍ତି ତୁମ ସ୍ତ୍ରୀ କମଳା ବୋଲି ଚାରିକୋଡ଼ି ଦଶ ହେଲାଣି ତୁମକୁ ଗୋଡ଼ ଉପରେ ଗୋଡ଼ ପକେଇ ବସିଛ. ପତିତପାବନଙ୍କର ମଧ୍ୟ ସେଇ ଦଶା. ପୁଅ ରାଧାକାନ୍ତକୁ କୋଳରେ ଧରେଇ ଦେଇ ଆଖି ମୁଜିଲେ ସୀତା. ଆଉ ସେ ବି ତିନିକୋଡ଼ି ଉପରେ ଦେଖିସାରିଲେଣି ବୟସ ଗଛ କିନ୍ତୁ ବାପା ଓ ପୁଅ ଦୁହିଁଙ୍କର ଇଛା ନାତୁଣୀ ବୋହୁ ବା ବୋହୁ ଦେଖିବେ କିନ୍ତୁ ଯୋଉ କଥାଟା ଏଯାଏଁ ତାଙ୍କ ପାଇଁ ଶୁଭଙ୍କର ହୋଇଥିଲା ସେଇ କଥାଟା ବୁମେରାଙ୍ଗ ପରି ଲୋକଙ୍କ ତୁଣ୍ଡରେ ବାଜୁଛି ପ୍ରତିକୂଳ ହୋଇ ଯେ ଏଘରକୁ କିଏ ଝିଅ ଦେବ ଲୋ ମାଆ. ନିଜେ ବଞ୍ଚିଲେ ସିନା ବାପାର ନାଆଁ. ଯୋଉ କନିଆଁ ଆସିବ ସେ କଣ ତିଷ୍ଠିବ ଏ ଘରେ! କଥାଟା ଝିଅ ଘର କାନରେ ପଡେ ତ ପୁଅ ପାଇଁ ଆସୁଥିବା ପ୍ରସ୍ତାବ ସବୁ ଭାଙ୍ଗିଯାଏ ହେଉ ହେଉ.ରାତି ପାଇଲେ ରାଧାକାନ୍ତକୁ ବି ଦି କୋଡ଼ି ପୁରିବ.ପୁରିଲା ପୁରିଲା ଘରେ ବୋହୁ ବ୍ୟତିରେକେ ଭଲ ଲାଗୁନି ତ ନବଗ୍ରହକୂଟ କାଟିବାକୁ କେତେ କୋଉଠି ମାନସିକ,ଜାଗ,ଯଜ୍ଞ କରି ପୁଣି ବାସ୍ତୁ୍ଦୋଷ ଠିକ କରିବାକୁ ଯାଇ ଘରର କେଵେ ଝରକା ଦିଗ ବଦଳୁଛି ତ କେଵେ କବାଟ ଦିଗ ପୁଣି କେଵେ ଆଗପଟ ରଙ୍ଗ ହେଉଛି ଜୋତିଶଙ୍କ ପରାମର୍ଶ କ୍ରମେ ତ କେଵେ ଘର ଭିତରପଟ ରଙ୍ଗ ବଦଳୁଛି ବାସ୍ତୁ ଅନୁଯାୟୀ.
ଏତେ ଦିନ ପରେ ଏଥର ମଧ୍ୟସ୍ଥି ଆଣିଥିବା ପ
୍ରସ୍ତବାର ସୁରାକ ଯେମିତି କେହି ନପାଆନ୍ତି ତାର ସୁବନ୍ଦୋବସ୍ତ କରିଥିଲେ ବାପା ପତିତପାବନ ଓ ଜେଜେ ନୀଳମାଧଵ. ସେଦିନ ଘରର ଚକରାଣୀ କି ଆସିବାକୁ ମନା କରିଦେଇଥିଲେ ଜେଜେ. ବାପା ମଧ୍ୟ ଡାକିନଥିଲେ କୋଉ କୁଣିଆ ମଇତ୍ର କି ବନ୍ଧୁ ବାନ୍ଧବ ନିଜ ପଟରୁ . ଏମିତିକି ଘର ରଙ୍ଗ ମିସ୍ତ୍ରୀ ପକେଟରେ ଖଡ଼ଖଡିଆ ଦୁଇଟି ପାଞ୍ଚଶହ ନୋଟ ଗୁଞ୍ଜି ଦେଇ ଜେଜେ କହିଥିଲେ କୁଣିଆ ଆସୁଛନ୍ତି ବୋଲି ଯେମିତି କେହି ନଜାଣନ୍ତି. ବାପା ମଧ୍ୟ ପୁଅକୁ ତାଗିଦ କରିଥିଲେ ସାଙ୍ଗ ସୁଖ କାହାକୁ ନକହିବାକୁ. ପୁଣି ପଇଡ଼ ତୋଳିବାକୁ ଆସିଥିବା ଲୋକକୁ ମଧ୍ୟ ଦିଅଣ୍ଡା ଅଧିକା ପଇଡ଼ ସହ ଗୋଟେ ପାଞ୍ଚଶହ ନୋଟ ଦେଇ କହିଥିଲେ ବାପା ଏଠି ପ୍ରାୟ କଥାଟା ଆଗେଇଛି ବୋଲି କାହାକୁ ଯେମିତି ନକହୁ. ସବୁତ ଠିକ ଥିଲା. ତେବେ ଝିଅ ଘର ପଟ ମଧ୍ୟସ୍ଥିକୁ ଚାହିଁ ବାପା ପତିତପାବନ ଦାଣ୍ଡ ଦୁଆରେ ଆରାମଚେୟାରରେ ଝୁଲୁଛନ୍ତି କିନ୍ତୁ ତାର ଦେଖାନାହିଁ. ଏତିକି ବେଳେ ଗାଁର ରମାନାନୀ କହିଲା ସେଦିନ କିଏ ସବୁ ତୁମ ଘରକୁ ଆସିଥିଲେ କି ପତିଆ ନନା?ଚମକି ପଡି ପତିତପାବନ କହିଲେ ସେଦିନ,ହଁ ହଁ ଘର ରଙ୍ଗ ହେବାକୁ ଡାକିଥିଲି ତ. ମୁହଁ ମୋଡି ରମାନାନୀ କହୁଥିଲା ମତେ କାହିଁ ଲୁଚାଉଛ ବା ପତିଆନନା, ଘର ରଙ୍ଗ କରିବାକୁ କଣ ଇଞ୍ଜିନିଅର ଦରକାର ପଡିଲେଣି ନା କଣ! ମୁଁ ଜାଣିଛି ଏଇଠି ବାହାଘର ନିଶ୍ଚୟ ହେବ. ଆହେ ବର ଛାଡିଦେଇଥିବା ଝିଅକୁ ଆଉ କେତେ ଦିନ ବାପା ମାଆ ଦିଟା ଘରେ ରଖିବେ!ତା ଛଡା ତୁମ ପୁଅ କୋଉ ଆଉ ଯୁବା ହୋଇ ରହିଛି ଯେ!କାନମୁଣ୍ଡା ଝାଏଁ ଝାଏଁ ହେଉଥିଲା ବେଳେ ଦୂରରୁ ମଧ୍ୟସ୍ଥି ଆସିବା ଦେଖି ମଧ୍ୟ ପତିତପାବନଙ୍କ ଆଉ ଆଗ୍ରହ ନଥିଲା.ରମାନାନୀ କହୁଥିଲା ହେଇଲୋ ଭଦ୍ରଲୋକ ଆସିଲେଣି. ଭଦ୍ରଲୋକ ବା ମଧ୍ୟସ୍ଥି କଣ କହିବ କହିବ ହୋଇ କହିବାକୁ ବସିଥିବା ବେଳେ ନୀଳମାଧବ କହୁଥିଲେ ଆରେ ଆମ ନାତି ପରା ସାହାଡା ଗଛକୁ ବାହା ହୋଇ ସାରିଛି. ପୁଅଠି ଯଦି ସାତଖୁଣ ମାଫ ଝିଅଠି କାହିଁ ଦେଖିବା. ରମାନାନୀ କହୁଥିଲା ହେଇ ଦେଖିଲ ନନା,ବୁଢା ମଞ୍ଜି କଥା କହିଲା. ମଧ୍ୟସ୍ଥି ସେତେବେଳକୁ ପତିତପାବନଙ୍କ ଗୋଡ଼ ଧରି ପକେଇସାରିଥିଲା.