Prasanta kumar Hota

Romance Others

3.4  

Prasanta kumar Hota

Romance Others

ଦୁର୍ଘଟଣା ବି ଏକ ରୋମାଞ୍ଚକର ସ୍ମୃତ

ଦୁର୍ଘଟଣା ବି ଏକ ରୋମାଞ୍ଚକର ସ୍ମୃତ

6 mins
186



ପରିମଳ ରୋଷେଇ ଘରେ ପଶି ଚାହା କରୁଥାନ୍ତି। ମଝିରେ ମଝିରେ ଚାହା ଉତୁରି ଯିବ ବୋଲି ହାତରେ କେଟିଲଟା କୁ ଧରି ହଲେଇ ଦେଉଥାନ୍ତି। ଗ୍ୟାସ୍ ଟା ପୁରା ଧିମା କରି ସାରିଲା ପରେ ବି ଚାହାଟା କାହିଁକି ଉପରକୁ ଉଠୁଛି ବୋଲି ଭାବି ବିରକ୍ତ ହେଉଥାନ୍ତି। ତଥାପି ସମ୍ପୂର୍ଣ୍ଣ ଧ୍ୟାନରେ ଚାହା କେଟିଲଟା ଉପରେ ନଜର ରଖିଥାନ୍ତି ଯେମିତି ଟିକିଏ ବି ଉତୁରି ନ ଯାଏ। ଚାହାଟା ଭଲ କରି ଫୁଟିଲେ ପାଲିକୁ ଭଲ ଲାଗେ। ସାମାନ୍ୟ ଚାହାରେ ଯଦି ଜଣଙ୍କର ନିଷ୍ଠା ନାହିଁ ଭଲ ପାଇବାର ହକ୍ ଜଣେଇ ହେବାଟା କଣ ଏକ ଛଳନା ହେବନି। ଚାହା ଭଲ କରି ଫୁଟିଲେ ପାଲିକୁ ଭଲ ଲାଗେ ବୋଲି ଜାଣିଲା ପରେ ବି ଯଦି ସେ ବ୍ୟସ୍ତ ହେଇ କାଢି ଦେବେ ଓ କହିବେ ହୋଉ ହୋଉ ଯାହା ହେଲା, ନିଆ ପାଣି କଥା ଚଳାଇ ନିଅ, ତାହେଲେ କଣ ଏଇଟା ତାଙ୍କ ଭଲ ପାଇବାର ଛଳନା କୁହା ଯିବନି!! ଯାହା ଜାଣି ଶୁଣି କରାଯାଏ ତାହା ନିଶ୍ଚିତ ଭାବରେ ବିଶ୍ୱାସ ଘାତକତା ଓ ଅନ୍ୟ ପ୍ରତି ଅନାଦରର ଭାବ। ଏଥିରେ ଯେତେ ପ୍ରକାର ପ୍ରାୟଶ୍ଚିତ କଲେ ମଧ୍ୟ କମ୍ ପଡିଯାଏ। କାରଣ ଭଲ ପାଉଛି ବୋଲି ନିଜର ଅଭିବ୍ୟକ୍ତି କରି ସାରିଲା ପରେ କୌଣସି କାର୍ଯ୍ୟରେ ଭଲ ନ ପାଇବା ପରି ଆଚରଣ କରିବା ଓ ନିଜକୁ ନିଜେ ଠିକ୍ ବୋଲି ଅଭିହିତ କରିବା, ଏପରି ବୀପରିତାଭିମୂଖୀ ଢଙ୍ଗ ମଣିଷର ଅହଂକାର କୁ ବଢାଇବା ସଙ୍ଗେ ସଙ୍ଗେ ବ୍ୟକ୍ତିତ୍ୱ କୁ ହୀନ କରିଦିଏ।


ଚାହା ଟା ବୋଧେ ଭଲ କରି ଫୁଟି ଗଲାଣି। ପରିମଳ ଚାହାଛଣା ଟିକୁ ଥାକରୁ ଆଣି ଆଗ ଟିକିଏ ଧୋଇଦେଲେ କାରଣ ପାଲି ଅନେକ ସମୟରେ କହନ୍ତି ଥାକରେ ଥିବା ଜିନିଷ ଉପରେ ବି ଅସରପା ଝିଟିପିଟି ବେଳେ ବେଳେ ଚଢି ଯାଆନ୍ତି। ଯାହା ହେଉ ଠିକ୍ ସମୟରେ ମନେ ପଡିଗଲା ନହେଲେ ପାଲିକୁ ଚାହା ଦେଲାବେଳେ ଜଣା ପଡିଥିଲେ ଅବଶୋଷ ରହି ଯାଇଥାନ୍ତା। କପ୍ ଉପରେ ଛଣାଟିକୁ ଥୋଇ ଚାହା କେଟିଲରୁ ଢାଳିବାକୁ ଲାଗିଲେ। କାନ୍ଧ ଉପରେ ପାଲିର ନରମ ହାତ ଅନୁଭବ କଲେ। ପାଲି ଆସି ପାଖରେ ଠିଆ ହେଇ ଯାଇଛି ଜାଣି ପାରିଲେ ବି ଚାହା ଛାଣି ସାରି କେଟିଲକୁ ତଳେ ରଖିସାରିଲା ପରେ ପାଲିର ହାତକୁ କାନ୍ଧରୁ ହଟାଇ ଆଣି ଛାତି ପାଖକୁ ଭିଡି ନେଲେ। 

ପାଲି ଲାଜେଇ ଯାଇ କହିଲେ, ଏଇ ମାସ ରିଟାୟାର କରିବ ପରା! ପାଲିଙ୍କର ବୟସକୁ ଇଙ୍ଗିତ କରିବା ପରିମଳ ବୁଝି ପାରୁଥିଲେ, କହିଲେ ହୃଦୟର ପ୍ରେମରେ ବୟସର କଣ ଆବଶ୍ୟକତା। 

ଏତିକି କଥାରେ ପାଲି ଅଭିଭୂତ ହୋଇ ପଡ଼ି ପରିମଳଙ୍କ ଛାତିରେ ନିଜ ମୁଣ୍ଡଟିକୁ ଗୁଞ୍ଜି ଦେଲେ, କହିଲେ, ତମ କାନ୍ଧ ଉପରେ ଯୋଉ ଦିନ ମୁଁ ପ୍ରଥମ କରି ହାତ ରଖିଥିଲି ସେଦିନ ର ଅପମାନ ମୁଁ କେବେ ଭୁଲି ପାରିବି ନାହିଁ କି ହାତ ରଖିଥିବାରୁ ନିଜ ସୌଭାଗ୍ୟ କୁ କେବେ ଖୁଣି ପାରିବି ନାହିଁ। ମୋ ଜୀବନରେ ସେ ଘଟଣା ଯେମିତି ଭାଗ୍ୟର ଦ୍ଵାର ହେଇ ଆସିଥିଲା। ମୁଁ ଯଦି ସେ ଦ୍ଵାର ଫିଟେଇ ନଥାନ୍ତି, ତୁମକୁ କଣ ପାଇଥାନ୍ତି ନା ପୁରୁଷର ପ୍ରେମରେ ବି ଏତେ ମଧୁରତା ଥାଏ ବୁଝି ପାରିଥାନ୍ତି। 


ଚାହା କପଟା ଧରି ପରିମଳ ଓ ପାଲି ଆସି ସୋଫା ଉପରେ ବସି ପଡିଲେ। ପରିମଳ କହିଲେ ପ୍ରେମରେ ନିବିଡତା ଜଣଙ୍କ ଦ୍ଵାରା କେବେ ହୂଏ ନାହିଁ। ତମର ମୋ ପ୍ରତି ସମର୍ପଣ ଭାବ, ମୋ ବାପା ମାଆଙ୍କର ପ୍ରତି ତମର ସମ୍ମାନ ଓ ସେବା, ଏ ସବୁ ସେଥିପାଇଁ ଦାୟୀ। ମୁଁ ତ ବେଳେ ବେଳେ ଭାବେ ମୋର ତୁମକୁ ଭଲ ପାଇବାରେ କିଛି କମ୍ ହେଇ ଯାଉନି ତ!! ତମ ଭଲ ପାଇବା ପାଖରେ ମୋ ପ୍ରେମ ମୋତେ ବୋହୁତ ଛୋଟ ପରି ଲାଗେ। 


ପାଲି ପରିମଳଙ୍କ ମୁହଁରେ ହାତ ରଖି ଦେଇ କହିଲା, ଥାଉ ! ଆଉ କୁହନି। ମୁଁ ଜୀବନରେ ସ୍ଵାମୀଙ୍କ ଠାରୁ ଯେତିକି ଭଲ ପାଇବା ଓ ସ୍ନେହ ଆଶା କରୁଥିଲି, ତାଠାରୁ ଯଥେଷ୍ଟ ଅଧିକ ପାଇଛି । ସଦାବେଳେ ନାରୀର ଭଲ ପାଇବା ଓ ପ୍ରେମ ମହାନ ବୋଲି ଅଭିହିତ କରା ହେଇଛି। ପୁରୁଷର ପ୍ରେମ କୁ କ୍ଵଚିତ ଉଚ୍ଚ ଆସନ ଦିଆ ହେଇଛି। ପୁରୁଷ ପାଖରେ ବି ଯେ ଏତେ ପ୍ରେମ ମହଜୁଦ୍ ଥାଇପାରେ ତାହା ଜଣେ ଅନୁଭବି ନହେଲେ ବୁଝି ପାରିବନି। 

ପରିମଳ ହସିଦେଇ କହିଲେ ମୋତେ ଟିକେ ଅଧିକ ପ୍ରଶଂସା କରି ଦେଉନ ତ! 


- ଯେତେ ଅଧିକ ପ୍ରଶଂସା କରିବାକୁ ଚାହୁଁଥିଲେ ବି କମ୍ ପଡିଯିବ। 

ପରିମଳଙ୍କ ଆଖିରେ ପ୍ରେମପୂର୍ଣ୍ଣ ଚାହାଣୀ ଥିଲା। ପାଲିର ହାତ ଉପରେ ହାତ ଥୋଇ ଦେଇ କହିଲେ, ଆଜି କଣ ହେଇଛି! ଏତେ ଭାବ ପ୍ରବଣତା କଣ ପାଇଁ! 

ପାଲି କହିଲେ ତମର ମନେ ଅଛି ବିଜେବି କଲେଜ ପଡିଆରେ କ୍ରିକେଟ ମ୍ୟାଚ ଦେଖୁଥିବା ବେଳେ ମୁଁ ତମ କାନ୍ଧ ଉପରେ ହାତ ରଖି ଠିଆ ହେଇଥିଲି। ତମେ ମୋ ଆଡକୁ ନ ଅନେଇ ମୋ ହାତଟିକୁ ତଳକୁ ଖସାଇ ଦେଇଥିଲ। ମୁଁ ପୁଣି ଜିଦିରେ ରଖିଥିଲି। ତମେ ପୁଣି ମୋ ହାତକୁ କାଢି ଦେଇଥିଲ। ଆଉଥରେ ବି ରଖିଥିଲି, ତମେ କିନ୍ତୁ ଆଶ୍ଚର୍ଯ୍ୟ ମୋ ଆଡକୁ ଥରୁଟିଏ ବି ନ ଅନାଇ ଖେଳ ଦେଖିବାରେ ଏତେ ନିମଗ୍ନ ଯେ ମୋ ହାତକୁ ତମ କାନ୍ଧରୁ ସେମିତି ଖସେଇ ଦେଉଥିଲ। ପଛପଟେ ମୋ ସାଙ୍ଗ ମାନେ ଏ ଦୃଶ୍ୟ ଦେଖି ହସୁଥିଲେ। ମୁଁ ଯେତେବେଳେ ବିରକ୍ତ ରେ ଚାଲି ଆସିଲି ମୋର ଜଣେ ସାଙ୍ଗ ତମକୁ ଲକ୍ଷ କରି ବିଦ୍ରୁପରେ କହିଥିଲା - ଛକାଙ୍କ ସହିତ ପ୍ରେମର ପରିଣତି ଭଲ ନୁହେଁ। ତମେ ବୁଲି ଚାହିଁଲା ବେଳକୁ ଆମେ ମୁହଁ ଫେରାଇ ନେଇଥିଲୁ। 


ପରିମଳ ହସି କହିଲେ ଘଟଣା ମୋର ପୁରା ମନେ ଅଛି, କିନ୍ତୁ ତମେ ସେ ଝିଅ ବୋଲି ଜାଣି ନଥିଲି, ତମ ସାଙ୍ଗ ନୀତା ଯିଏ ସେହି ଶାଣିତ ମନ୍ତବ୍ୟ ଟି ଦେଇଥିଲା ତାକୁ କିଛି ଦିନ ମନେ ରଖିଥିଲି। ବହୁତ ଦିନ ପର୍ଯ୍ୟନ୍ତ ଭାବୁଥିଲି ଯେ ମୋ କାନ୍ଧ ଉପରେ ହାତ କିଏ ରଖିଥିଲା। ବେଳେବେଳେ ଇଛା ହେଉଥିଲା ନୀତାକୁ ଡାକି ପଚାରିବା ପାଇଁ, ପୁଣି କିନ୍ତୁ ତାର କଠୋର ଦୃଷ୍ଟି କୁ ଦେଖି ଡରି ଯାଉଥିଲି। ସେତେବେଳେ ତମକୁ ନା ଦେଖି ପାରିଲି ନା ଜାଣି ପାରିଲି। 


- ମୁଁ କିନ୍ତୁ ତମକୁ ସବୁଦିନ ଦେଖୁଥିଲି। ସେଦିନ ମୋତେ ଯେତେ ଅପମାନ ଲାଗିଥିଲା ସେ ଅପମାନ ର ପ୍ରତିଶୋଧ ନେବାପାଇଁ ବି ଚିନ୍ତା କରୁଥିଲି। ନୀତା ମୋ ପାଇଁ ପ୍ରତିଶୋଧ ନେବାର ସମସ୍ତ ବ୍ୟବସ୍ଥା କରି ସାରିଥିଲା କିନ୍ତୁ ତା ପରେ ପରେ ଘଟଣା ସବୁ ଏମିତି ବଦଳି ଗଲା ଯେ ତମେ କେତେବେଳେ ବିଜେବି ଛାଡି ବାଣୀବିହାର ରେ ଆଡମିଶନ କରି ସାରିଲଣି ଆଉ ଜଣା ପଡିଲା ନାହିଁ। ଉଣେଇଶ ବୟାଅଶି ମସିହାର ବନ୍ୟା ଛାତ୍ର ଆନ୍ଦୋଳନ ଓ ଏମିତି ଅନେକ କିଛି ନୀତାକୁ ବାନ୍ଧି ରଖିଥିଲା। ଏବେ ଭାବୁଛି କୋଉ ଜନ୍ମର ପୂଣ୍ୟ ପାଇଁ ସିନା ଏପରି ଏକ ଦୁର୍ଘଟଣା ଭଗବାନ ଅଟକାଇ ଦେଲେ ନହେଲେ ତ ନୀତା ତମ ସାଙ୍ଗରେ ପ୍ଲଟ୍ କରିବା ପାଇଁ ପୁରା ପ୍ରସ୍ତୁତିରେ ଥିଲା। ଆଉ ଯଦି ସେ କରିଥାନ୍ତା ସେ ନିଶ୍ଚୟ ତମକୁ ମୋଠୁ ଛଡେଇ ନେଇଥାନ୍ତା। 

ପାଲି ଚାହା କପ୍ ଦି'ଟା ଟିପୟ ଉପରେ ଥୋଇ ଦେଇ ପରିମଳଙ୍କ ଉପରେ ଆଉଜାଇ ହେଲା। ପରିମଳ ସୋଫା କୁସନକୁ ବାଡ ଉପରେ ଥୋଇ ପାଲିକୁ ଆଉଟିକେ ଆଉଜାଇ ଆଣି କହିଲେ, ଏଥର କୁହ। 

ପାଲି ପଚାରିଲେ, ତମର ବାହାଘର କଥା ମନେ ଅଛି! 

ହଁ ପୁରା ମନେଅଛି, ତମର ଯେତିକି ନଖରାମି କଣ ଭୁଲି ହେବ! 

ପାଲି ଉଠିପଡି ପରିମଳଙ୍କୁ ସାଙ୍ଗେ ସାଙ୍ଗେ କହିଲେ ଜୀବନରେ ଆଉ କେବେ ଭୁଲ ମାଗିବାର ସୁଯୋଗ ମିଳିବକି ନାହିଁ, ମୁଁ ମୋର ଭୁଲ୍ ପାଇଁ କ୍ଷମା ମାଗୁଛି ବୋଲି କହିଲେ ପାଲି ।


ପରିମଳ ଦେଖିଲେ ପାଲି କାନ୍ଦୁଛନ୍ତି। ପଚାରିଲେ, ଆରେ ଇୟେ କଣ!! ଜୀବନରେ ଏମିତି ଅନେକ ଘଟଣା ଘଟେ। ନିଜ ଦୁର୍ଘଟଣା ନିଜ କର୍ମରେ ପ୍ରାୟଶ୍ଚିତ ହୋଇଯାଏ। କୌଣସି ପୁରୁଷ ଖାଲିଟାରେ କାହାକୁ ଏତେ ଦୀର୍ଘକାଳ ଭଲ ପାଇପାରେ ନାହିଁ। ମୋ ସ୍ତ୍ରୀ ପାଖରେ ମୁଁ ଯାହା ଆବଶ୍ୟକ କରୁଥିଲି ସବୁ ପାଇଛି। ତେଣୁ ମୁଁ ତମକୁ ଖୁସି ରଖିବା ପାଇଁ ଯଥା ସାଧ୍ୟ ଚେଷ୍ଟା କରିଛି। କାହାଠାରୁ ଭଲ ପାଇବା ଆଶା କରିବା ପୂର୍ବରୁ ନିଜେ ମଧ୍ୟ ଭଲପାଇ ଶିଖିବା ଦରକାର। ଯିଏ ନିଜର ଭୁଲ ଉପରେ ସଚେତନ ହୋଇଯାଏ ତା ପାଇଁ ଉଚିତ ମାର୍ଗ ଆପେ ଆପେ ଖୋଲିଯାଏ। 


ପାଲିଙ୍କର ଆଖିରୁ ଲୁହ ପୋଛି ଦେଇ କହିଲେ ତମେ ମୋ ବାପା ମାଙ୍କର ଯତ୍ନ ନେଇ ଯାହା କରିଛ ତମର ସବୁ ଭୁଲ ତ ସେଇଥିରେ ଧୋଇ ହେଇ ଯାଇଛି। ଆଉ ପୁଣି ଭୁଲ୍ କଣ! 

ପାଲି କହିଲେ ମୁଁ ବାହାଘର ଦିନ ଯେତେବେଳେ ଜାଣିବାକୁ ପାଇଲି ତମେ ସେଇ ବିଜେବି କଲେଜ ଟୋକା ମୋ ମନରେ ରାଗ ପୁଣି ଥରେ ବାହାରି ଆସିଥିଲା। ବାହାଘର ବନ୍ଦ କରିବାର ଆଉ ସମୟ ନଥିଲା କିନ୍ତୁ ବାହାଘର ପରେ ମୋର ବ୍ୟବହାର ତମ ସମସ୍ତଙ୍କୁ ଅଡୁଆରେ ପକେଇ ଦେଇଥିଲା। ଯଦ୍ୟପି ତମର ରାଗ ଆସୁଥିଲା ତମେ ନିଜ ରାଗକୁ ସଂଯତ ରଖି ଚୁପ ରହୁଥିଲ। ତମେ ମୋର ବୋହୁତ କଟୁକଥା ସହିଛ। ବାହାଘରର ପ୍ରଥମ ବର୍ଷ କାହାର ଆନନ୍ଦମୟ ହୁଏ, ମୁଁ କିନ୍ତୁ ତମ ପାଇଁ ଦୁଃଖର କାରଣ ଥିଲି। 

ପରିମଳ କହିଲେ ଥାଉ ସେସବୁ। ଯେଉଁ ଇତିହାସରେ ଆନନ୍ଦ ନାହିଁ ତାର ପୁନରାବୃତ୍ତି କଣ ପାଇଁ। 


ପାଲି କହିଲେ, ପ୍ଲିଜ୍ ମୋତେ କହିବାକୁ ଦିଅ, କହିଦେଲେ ଲାଗୁଛି ଯେମିତି ମୋ ହୃଦୟଟା ପାପ ଭାରରୁ ହାଲୁକା ହେଇ ଯାଉଛି। 

ପରିମଳ ହସିଲେ, କହିଲେ ଏବେ ଆଉ ବ୍ୟାକ୍ ପେନ ନାହିଁ ତ! 

ପାଲି କହିଲେ, ତମ କୋଳରେ ଶୋଇଛି ପରା! କୋଉ ପେନ ଆସିବାକୁ ସାହାସ କରିବ। 

ପରିମଳ ହସି ଦେଇ ହାତକୁ ଥରେ ପାଲିଙ୍କ ମୁଣ୍ଡ ଉପରେ ବୁଲାଇ ଆଣିଲେ ।


ପରିମଳ କହିଲେ ତମେ ଯଦି କହୁ କହୁ କ୍ରିକେଟ ପଡିଆ କଥା କହି ନଥାନ୍ତ ମୁଁ କଣ ଆଉ ଖୋଜି ଖୋଜି ନୀତା ପାଖକୁ ଯାଇ ଥାନ୍ତି! 

ନୀତାଟା ବଦମାସଟା, ସେ ତମ ଉପରେ ଆଖି ପକେଇ ଥିଲା। ସେଥିପାଇଁ ତମେ କହୁ କହୁ ଚାଲି ଆସିଲା। 

ବଦମାସ ହେଉ ପଛେ ତମକୁ ପାଇବାରେ ବୋହୁତ ସାହାଯ୍ୟ କରିଛି। ମୋ ସାଙ୍ଗରେ ପ୍ରେମର ଯେଉଁ ନିଖୁଣ ଅଭିନୟ ସେ କଲା, ଆଉ କଣ କିଏ କରି ପାରିବ। ତମର ପରିବର୍ତ୍ତନ ପାଇଁ ତାର ବହୁତ ବଡ ଭୂମିକା ଥିଲା। ତମର ମନେ ଅଛି ଯେତେବେଳେ ସେ ଆମ ଘରକୁ ଆସେ ଆଉ ମୋ କାନ୍ଧ ଉପରେ ହାତ ରଖେ, ମୁଁ ତା ହାତ ନ କାଢି ତାକୁ ସତୃଷ୍ଣ ନୟନରେ ଦେଖେ। ତମେ ସହି ନପାରି ଛଡେଇବା ପାଇଁ ଆସ। 


ମୁଁ ତମକୁ ଥଟାରେ କହିଥିଲି, କାନ୍ଧରୁ ହାତ କାଢିଦେଲେ ମୁଁ ଛକା ହେଇ ଯିବିନି! ସେଦିନ ତମେ ବୁଝି ପାରିଥିଲ ଯେ ମୁଁ ତମ ଭିତରର ଅନ୍ତର୍ଦାହକୁ ଜାଣି ସାରିଲିଣି। ତାପର ଠାରୁ ତମେ ଆଉ ମୋତେ କିଛି କହିନ। ଆମର ପ୍ରଥମ ସହବାସ ଦୀର୍ଘ ପନ୍ଦର ମାସ ପରେ ହେଇଥିଲା। ଯୌବନର ସେ ଦିନକୁ ସ୍ମରଣ କରୁ କରୁ ପାଲି ଆଖିରୁ ଲୁହ ବୋହି ଯାଉଥିଲା। 


ପରିମଳ ପାଲି ର କପାଳରେ ହାତ ରଖି କହିଲେ କାନ୍ଦୁଛ କାହିଁକି ଯାହାର ସ୍ମରଣ ଆନନ୍ଦ ଦାୟକ ସେଥିରେ ତ ଖୁସି ହେବା କଥା। ଆମ ଜୀବନରେ ଯୋଉ ଘଟଣା ଘଟିଲା ତାହା ଦୁର୍ଘଟଣା ହେଲେ ବି ଏକ ରୋମାଞ୍ଚକର ସ୍ମୃତି ହୋଇ ଚିରଦିନ ରହିଥିବ। 

ତମେ ଜାଣିଛ ପାଲି! ତମେ ଯେତେବେଳେ ବି ମୋ କାନ୍ଧ ଉପରେ ହାତ ରଖ, ସୁଖର ସ୍ମୃତି ସ୍ଵରୂପ ମୁଁ ମୋର ପ୍ରେମିକ ପଣର ପରିଚୟ ଦେବାକୁ ଇଛା କରେ ।

ପାଲି ହସିଦେଇ ପଚାରିଲା, ମାନେ!! ବୁଝି ପାରୁଥିଲେ ବି ପାଲି ନବୁଝିବାର ଅଭିନୟ କରୁଥିଲା। 

ପରିମଳ ଗେଲ କରି କହିଲେ, ନହେଲେ ପୁଣି ତମେ କହିବ - ଛକା ଙ୍କ ସହ ପ୍ରେମର ପରିଣତି ଭଲ ନୁହେଁ। 

ଦୁହେଁ ବିଗତ ଯୌବନକୁ ସ୍ମରଣ କରୁ କରୁ ଆନନ୍ଦରେ ହସି ପକାଇଲେ।




Rate this content
Log in

Similar oriya story from Romance