ଦୁଇ ଧର୍ମୀ
ଦୁଇ ଧର୍ମୀ
ଶୀତ ସକାଳ ର ସୁନେଲି କିରଣ ଚତୁର୍ଦ୍ଦିଗରେ ବିଛାଡି ହୋଇ ପଡିଛି । କାକର ବୁନ୍ଦା ମାନ ପତ୍ର ଉପରେ ପଡି ଢଳ ଢଳ ହଉଛି । କଅଁଳିଆ ଖରାର ମଜ୍ଜାନଉଛି ସିମି,ତା ଘରର ବାଲ୍କୁନିରେ ବସି। କିନ୍ତୁ ତାର ଭାବନାର ଅନ୍ତ ନାହିଁ ।କଣ ସବୁ ସେ ଭାବିଚାଲିଛି । କେଉଁଟା ଠିକ୍, କେଉଁଟା ଭୁଲ ସେ ନିଜେ ଜାଣିପାରୁନି ବିଶ୍ଳେଷଣ କରି । ସିମି ଥିଲା ଏକ ସରଳ,ସୁନ୍ଦର ଆଉ ମେଧାବୀ ଛାତ୍ରୀ । ବହୁତ ଶୃଙ୍ଖଳିତ ତାର ଜୀବନଶୈଳୀ । ସରନ ଥିଲା ଏକ ଦୁଷ୍ଟ ,ଅମାନିଆ ଓ ଅବୁଝା ପିଲାଟିଏ । ମାତ୍ର ଦୁହେଁ ଥିଲେ ପିଲାଦିନର ସାଥି । ଦୁହେଁ ଧୂଳିମାଟି ରେ ସାଙ୍ଗହୋଇ ଖେଳି ଖେଳି ବଡହୋଇ ଯାଇଛନ୍ତି ।ଦୁହେଁ ଥିଲେ ପାଖାପାଖି ପଡୋଶୀ ଘରର ପିଲା । ଏମିତି ହାତ ଧରାଧରି ହୋଇ ଖେଳୁ ଖେଳୁ ତାଙ୍କର ବାଲ୍ୟକାଳ ଉଭାନ୍ ହୋଇଯାଇଛି ଓ ସେମାନେ ଯୌବନ ରେ ପଦାର୍ପଣ କରିଛନ୍ତି । ତାଙ୍କ ମନ ମଧ୍ୟ ରେ ଅନେକ ପରିବର୍ତ୍ତନ ଆସିଯାଇଛି ।ସିମି ସରନ୍ କୁ ଦିନେ ନ ଦେଖିଲେ ମନଟା ତାର ବିକଳ ହୋଇଉଠେ ।ସରନ ମଧ୍ୟ ସିମି କୁ ଦିନେ ନଦେଖିଲେ ରାଗରେ ପ୍ରଚଣ୍ଡ ହୋଇଯାଏ ।ସେ ଜାଣି ପାରେନି ତାର ମନଭିତରେ ଏ କି ପରିବର୍ତ୍ତନ ଆସିଛି । ଏ ଭିତରେ ଦୁହିଁଙ୍କ ଭିତରେ ଯେ ଅଗାଧ ପ୍ରେମ ସୃଷ୍ଟି ହୋଇଯାଇଛି, ତାଙ୍କୁ ଜଣାନାହିଁ ।
ସିମି ଆଉ ସରନ ଦୁହେଁ ଦୁଇଟି ଗଛର ଦୁଇଟି ମୂଲ୍ୟବାନ ଫଳ ସ୍ବରୂପ ।ଦୁହେଁ ବାପ ମାଁ ଙ୍କର ଗୋଟିଏ ଗୋଟିଏ ସନ୍ତାନ । ଗୋଟିଏ ହିନ୍ଦୁ ଧର୍ମର ଆଉ ଗୋଟିଏ ଖ୍ରୀଷ୍ଟଧର୍ମର । ପରସ୍ପର ଧର୍ମ ବିରୋଧି ।ମାତ୍ର ଦୁଇ ପରିବାର ମଧ୍ୟରେ ଏତେ ଆପଣାର ଭାବ ବଢିଯାଇଥିଲା ଯେ ଦିନେ ସରନ୍ ର ମାଁ ସିମି ର ମାଁ କୁ କହିଲେ--" ସିମି ଆସି ସରନ କୁ ପଢେଇବାରେ ସାହାଯ୍ୟ କରିବ "।
ସରନ ଟା ବହୁତ ଅମାନିଆ ହୋଇଯାଇଛି ,ପଢାପଢି ରେ ଆଦୌ ମନ ଦଉନି । ସିମି ର ମାଁ କହିଲେ--ଏଥିରେ ଏତେ ବ୍ୟସ୍ତ ହେବାର କିଛି ନାହିଁ ।ସିମିଯାଇ ସଂଧ୍ୟା ବେଳେ ସରନ୍ କୁ ପଢେଇଦେଇ ଆସିବ ।ଦୁଇଜଣ ସାଙ୍ଗ ହୋଇ ଗୋଟିଏ ଜାଗାରେ ପଢିବେ ।ଦୁଇ ଭାଇଭଉଣୀ ହୋଇ ଏମାନେ ତ ଚଲୁଛନ୍ତି । ମା ମାନଙ୍କର ଏ କଥୋପକଥନ ସରନ୍ କୁ ବେଶ୍ ଭଲ ଲାଗିଲା । ସରନ୍ ର ପଢିବା ବେଳ ହୋଇଗଲେ ସିମି ର ଆସିବା ବାଟକୁ ସେ ଚାହିଁ ରହିଥାଏ ।ସିମି ନଆସିବା ପର୍ଯ୍ୟନ୍ତ ସେ ପଢାପାଖରେ ବସେନାହିଁ । ସିମି ମଧ୍ୟ କିଛି କିଛି ବାହାନାକରି ସରନ୍ କୁ ଦେଖିବା ପାଇଁ ସରନ୍ ଘରେ ଆସି ପହଞ୍ଚି ଯାଏ । ସିମି ସରନ୍ କୁ ପଢେଇବାରେ ବହୁତ୍ ସାହାଯ୍ୟ କଲା ।ଏ ଭିତରେ ଅନେକ ଦିନ ବିତି ଯାଇଛି ।ସିମି ର ବାପା ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ପଡିଲେ । ସିମି ପଢା ପଢି ରେ ବହୁତ ସଂଜତ ଓ ସେ ପଢାରେ ଭଲକରି ଦୂରଜାଗାରେ ଯାଇ ଆଡମିସନ୍ ନେଲା । ମାତ୍ର ସରନ୍ ସେହି ଗାଁ କଲେଜରେ ସାଧାରଣ ଗ୍ରାଜୁଏଟ୍ ହବାକୁ ଚେଷ୍ଟା କଲା ।ସିମି ଦୂରରେ ରହିବାରୁ ବାଧ୍ୟ ହୋଇ ସିମି ର ମାଁ, ସିମି ର ବାପାଙ୍କର ସାହାଯ୍ୟ ପାଇଁ କିଛି ଦରକାର ପଡିଲେ ସରନ୍ ର ହିଁ ସାହାଯ୍ୟ ନିଅନ୍ତି । ବିନା ବାକ୍ୟ ବୟରେ ସରନ୍ ଆସି ସିମି ର ମାଁ ଙ୍କୁ ସାହାଯ୍ୟ କରେ । କୁଆଡେ ଯିବାକୁ ଥିଲେ ସରନ୍ କୁ ସାଙ୍ଗରେ ନେଇ ଯିବାକୁ କୁଣ୍ଠାବୋଧ କରନ୍ତି ନାହିଁ ।ସମୟଟା ଆଗକୁ ଆଗକୁ ବଢି ଚାଲିଲା ।
ସିମି ତାର ପଢା ପଢିନେଇ ବ୍ଯସ୍ତ । ନିଜ ଗାଁ କୁ ଦିନେ ଛୁଟି ଆସିଛି ପଢାରୁ ଅବସର ପାଇବା କ୍ଷଣି । ପନ୍ଦର ଦିନ ଗାଁ ରେ କଟେଇ ଯିବାକୁ ମନକରି ଫେରିଆସିଛି ଗାଁ କୁ । ସରନ୍ ମନରେ ଏତେ ଖୁସି, ଏତେ ଆନନ୍ଦ କାହିଁକି ?ସେ ନିଜେ ହିଁ ବୁଝି ପାରୁନି । ସିମି ମଧ୍ୟ ଗାଁ କୁ ଆସି ତାର ଖୋଜିଲା ଆଖି କାହାକୁ ଖୋଜି ଚାଲିଛି । କିଛି ଗୋଟେ ମୂଲ୍ୟବାନ ପଦାର୍ଥ ପାଇଲାଭଳି ସିମି ମଧ୍ୟ ସରନ୍ କୁ ଦେଖି ବହୁତ ଖୁସି ହୋଇ ଯାଇଛି ।.
ଦୁହେଁ ସ୍ଥିର କଲେ ସନ୍ଧ୍ୟା ରେ ଟିକେ ବୁଲାବୁଲି କରିବାକୁ ଯିବେ ।ଏମିତି ଯାଉ ଯାଉ ଦୁହେଁ ଅନେକ ବାଟ ଚାଲିଆସିଛଂତି ।ଦୁହେଁ ଦୁହିଁଙ୍କର ମନକଥା କହିବାକୁ ବାଟ ଖୋଜିଛନ୍ତି । ସରନ୍ ଆଉ ରହି ନପାରି ନିଜର ମନକଥା ଖୋଲି କହିଛି ସିମିକୁ ।ସରନ୍ ର ପ୍ରେମଭିକ୍ଷା କୁ ସିମି ସମର୍ଥନ କରିଛି । ଦୁହେଁ ବିଚାରକଲେ ବାପା ମା ଙ୍କ ପାଖରେ ଏ କଥା ର ଆଲୋଚନା କରିବେ । ସିମି ର ବାପା ପକ୍ଷାଘାତ ରୋଗୀ, ଏଣେ ମା ଏକୁଟିଆ । ସିମି ଭାବିଲା,ମା ନିଶ୍ଚୟ ଏଥିରେ ଅମତ ହେବେନି ।ସେମିତିରେ ସେ ସରନ୍ କୁ ବହୁତ୍ ଭଲ ତ ପାଆନ୍ତି । ସରନ୍ ଭି ଭାବି ନେଇଛି, ସିମି ଭଳି ଝିଅକୁ ମା ଙ୍କର ଅମତ ହେବାର କିଛି ନାହିଁ ।କିନ୍ତୁ ଏସବୁ ଭିତରେ ଯେ ଆକାଶ ପାତାଳ ର ତଫାତ୍, ସେମାନଙ୍କୁ ଜଣା ନଥିଲା ।ସିମି ଥିଲା ହିନ୍ଦୁ ଘରର ଝିଅ ଆଉ ସରନ୍ ଥିଲା ଖ୍ରୀଷ୍ଟିଆନ ଘରର ପୁଅ ।
ଏମିତିଦିନେ ସିମି ତାର ମା ସହିତ କଥାବାର୍ତ୍ତା ହେଲାବେଳେ ସରନ୍ କଥା ମା କୁ କହିବସିଲା ।ମା ସବୁ ଶୁଣି ଗୁମ୍ ମାରି ବସିଗଲେ ।କହିଲେ ତୁ କଣ୍ କହୁଛୁ ଆଉ ମୁଁ କଣ ଶୁଣିଛି ? ମୋ ନିଜ କାନକୁ ମୁଁ ବିଶ୍ବାସ କରି ପାରୁନି ସିମି । ଜଣେ ପବିତ୍ର ହିନ୍ଦୁ ଧର୍ମର ଆଉ ଜଣେ ଖ୍ରୀଷ୍ଟିଆନ ଧର୍ମର । ଏ ମିଳନ ଅସମ୍ଭବ ।ଏହା କଦାପି ହୋଇ ପାରିବନି । ସିମି କୁ ଆକାଶରୁ ଖସି ପଡିଲା ଭଳି ଲାଗିଲା । ସେ ବହୁତ କିଛି ଭାବି ନେଇଥିଲା, ଭବିଷ୍ୟତର ସପ୍ନ ରେ ବୁଡି ଯାଇଥିଲା । ମା ର ନିଷ୍ଠୁର ବାଣରେ ସେ ଶରବିଦ୍ଧ ହୋଇଗଲା ଯେମିତି । ମା ର କୌଣସି କଥା ଆଉ ଶୁଣିବାକୁ ପ୍ରସ୍ତୁତ ନଥିଲା ।ମା କିନ୍ତୁ କହି ଚାଲିଥାନ୍ତି---ଝିଅ ହୋଇ ଘରର ମାନ ମହତ ର ଚିନ୍ତା କରିବା କଥା । ସରନ୍ ଭଲ ପିଲା, ମୁଁ ତାକୁ ବହୁତ ଭଲ ପାଏ ,ସବୁ ଠିକ୍ ଅଛି ।କିନ୍ତୁ ମୁଁ ତା ହାତରେ ମୋ ଝିଅକୁ ଟେକିଦେବି,ଏ କଥା ତ ମୁଁ କଳ୍ପନା ରେ ଭି ଭାବିନଥିଲି ସିମି ।ମୋ ମୁଣ୍ଡ ଝିମ୍ ଝିମ୍ ହୋଇ ଯାଉଛି ସିମି ।
ମା ର ପ୍ରତିକ୍ରିୟା ଦେଖି ସିମି ରାଗରେ ଗର ଗର ହୋଇ ତା ବେଡ୍ରୁମ୍ର କବାଟ ବନ୍ଦ କରି ସେ ରୁମ୍ ରେ ପଡିରହିଲା ।ଖାଇଲାନି,ପିଇଲାନି,ମା ସାଙ୍ଗେ ଭଲରେ କଥା ଭି ହେଲାନି । ଛୁଟି ପୁରିବା ପୂର୍ବରୁହିଁ ସିମି କଲେଜ୍ ହଷ୍ଟେଲକୁ ପଳେଇ ଆସିଲା । ସରନ୍ ବହୁତ ମନଦୁଃଖ ରେ ସମୟ କାଟିଲା,ମାତ୍ର ତାର ଘରଲୋକ ଙ୍କର ଅମତ ନଥିଲା ।ଏମିତି ଅପ୍ରୀତିକର ପରିସ୍ଥିତି ର ଯେ ସାମନା କରିବାକୁ ପଡିବ,ସେମାନେ ଭାବି ନଥିଲେ । ସିମି ବର୍ତ୍ତମାନ ଚିଂତାଗ୍ରସ୍ତ ।ମାନସ ମନ୍ଥନ ରେ ମନଟା ତାର ମନ୍ଥି ହୋଇ ଯାଉଛି ।ବାପା ତାର ଏବେ ରୋଗ ଶେଯ ରେ ।ଯିଏ ପିଲାଦିନୁ ଏତେ ସଂସ୍କାର ଦେଇ,ଏତେ ଯତ୍ନ ରେ ତାକୁ ଲାଳନପାଳନ କରି ଆସିଛନ୍ତି, ତାଙ୍କ ମନରେ କେମିତି ଦୁଃଖ ଦେବ ସେ ? ଏପଟେ ନିଜର ଭଲପାଇବାକୁ ବଳିଦାନ କରିବ ନା ବାପ ମା ଙ୍କୁ ସନ୍ତୋଷ କରିବ? ମୁଣ୍ଡ ଟା ତାର ଓଲଟପାଲଟ ହୋଇ ଯାଉଛି । ସିମି ମନେ ମନେ ଉପଲବ୍ଧି କରିଛି-- ସରନ୍ ବିନା ତାର ବଞ୍ଚିବା ଅସମ୍ଭବ ।ମାତ୍ର ଉପାୟହୀନା ସେ ହୋଇପଡିଛି। କଣ କରିବ ସେ ?ଏଇ କେତେ ଘଣ୍ଟାର ବ୍ଯବଧାନ ରେ ସେ ବ୍ୟତିବ୍ୟସ୍ତ ହୋଇପଡେ ସରନ୍ ବିନା ,ତେବେ ସାରା ଜୀବନ ତାକୁ ଛାଡି ଅନ୍ୟତ୍ର ଜୀବନ ବିତେଇବ,ଏହା ତାର ଭାବନାର ବାହାରେ ।
ମା କୁ ଅନେକ ବୁଝାଇଛି ସେ ,ଗୋଡତଳେ ପଡି ନେହୁରା ହୋଇଛି କେତେ । ଜୀବନରେ କିଛି ନ ଆଶା କରି, ନମାଗିବା ଝିଅ ଆଜି ଅଭିମାନ କରୁଛି । କିଛି ଅଳିକରି ମାଗୁଛି । ଝିଅର ଏ ଅଳିରେ ମା ଙ୍କ ଆଖିରୁ ଲୁହ ଧାର ଧାର ହୋଇ ବହିଚାଲିଛି । ମାତ୍ର ସେ ନିରୁପାୟ ହୋଇ ପଡି ରହିଛନ୍ତି । ସିଏ କଣ କରିବେ କିଛି ଭାବି ପାରୁନାହାନ୍ତି ।ଏଣେ ଗାଁ ଲୋକ, ବନ୍ଧୁ ବାନ୍ଧବ ଙ୍କ କଥା ଭାବିବେ ନା ଏକମାତ୍ର ଝିଅ ର ଅଳି ଶୁଣିବେ ? ସେ ମଧ୍ୟ ଉପାୟହୀନା ।ମାତ୍ର ସେ ତାଙ୍କର ଧାର୍ମିକ ମନୋବୃତ୍ତି ରୁ ବାହାରିପାରୁନାହାନ୍ତି । ନା! ଶେଷରେ ସେ ସ୍ଥିର କଲେ କଦାପି ଏହା ସମ୍ଭବ ନୁହେଁ । ଏହା ସେ କେଭେଭି କରେଇ ଦେବେନି । ମାତ୍ର ପର ମୁହୂର୍ତ୍ତରେ ଝିଅର ଶୁଖିଲା ମୁହଁ କୁ ଦେଖିଲେ ଛାତିଟା ଥରି ଉଠୁଛି ।ବାପ ମା ସବୁବେଳେ ପିଲାମାନଙ୍କ ଆଗରେ ହିଁ ହାର ମାନନ୍ତି ।ସେମାନଙ୍କ ଖୁସି ପାଇଁ ସବୁ କିଛି ଛାଡିବାକୁ ବାଧ୍ୟ ହୁଅନ୍ତି ।
ସବୁ ଭାବନାକୁ ଅନ୍ତ ଘଟାଇ ସିମି କହି ବସିଲା--"ନା ମୋତେ ଭୁଲିଯାଆ ସରନ୍" ,ମୁଁ ତୋ ପାଇଁ ଏତେ ସ୍ନେହ ଶ୍ରଦ୍ଧା ରେ ପାଳିଥିବା ବାପା ମା ଙ୍କୁ ଅସ ନ୍ତୁଷ୍ଟ ,ଧୋକା ଦେଇ ପାରିବିନି ।ସରନ୍ ସିମି ର କଥାଶୁଣି ତା ମୁଣ୍ଡ ଟା ଭାରା କ୍ରାନ୍ତ ହୋଇଗଲା ।ସରନ୍ କହିଲା, "ଏମିତି କହନି ସିମି "। ମୁଁ ତୋ ବିନା ବଞ୍ଚି ପାରିବିନି ।ମୁଁ ତୋପାଇଁ ସାରାଜୀବନ ଅପେକ୍ଷା କରିବାକୁ ରାଜି ଅଛି । ସରନ୍ ମନରେ ଏକ ମହାନ୍ ଦ୍ୱନ୍ଦ ଆସି ପହଞ୍ଚିଛି ।ସିମି ଘରଛାଡି ହଷ୍ଟେଲ କୁ ଚାଲିଯାଇଛି ।ସରନ୍ ମନଦୁଃଖରେ ଗୋଟେ ଘର କୋଣରେ ପଡି ରହିଛି । ଆଉ ସିମି ର ମା ଘରର ଅନ୍ଧକାରରେ ବସି ଭାବନାରେ ଥଳକୂଳ କିଛି ପାଉନାହାଁନ୍ତି । ସେ ଯାହା କରୁଛନ୍ତି ଠିକ କରୁଛନ୍ତି ନା ଭୁଲ ।ସମାଧାନ ର ପନ୍ଥା କିଏ ବାହରକରିବ ? ଘରର ବନ୍ଧୁ ବାନ୍ଧବ, ଗାଁ ପରିଜନ ଙ୍କୁ ଖୁସି କରିବାକୁ ଯାଇ ନିଜ ଝିଅର ଖୁସି କୁ ବଳିଦାନ୍ କରିବେ ? ଝିଅ ତାଙ୍କର ମନକୁ ମାରି ସାରା ଜୀବନ ନିଃସଙ୍ଗ ଜୀବନ ବିତେଇବ?
ଏ ଭିତରେ ବାପା ବି ତାର ଆରପାରିକୁ ଚାଲିଯାଇ ଛନ୍ତି । ମା ଙ୍କ ମନରେ ବିଭ୍ରାଟ ସୃଷ୍ଟି ହୋଇଛି । ସେ କଣ କରିବେ କିଛି ଭାବି ପାରୁନାହାନ୍ତି। ବହୁତ ଭଲ ଭଲ ପ୍ରସ୍ତାବ ମାନ ଆଣି ସିମି ସହିତ ଯୋଗାଯୋଗ କରି କଥା ଆଗେଇ ବାକୁ ଚେଷ୍ଟା କରିଛନ୍ତି ।ମାତ୍ର ସିମି ନିରୁତ୍ତର ।ସେ କହୁଛି, " ମୁଁ ସାରା ଜୀବନ ସେମିତି ରହିଯିବି " । ସିମି ର ମା ଶେଷରେ ହାର ମାନିଲେ ।ନା!ଏତେ ଯତ୍ନ ରେ,ଏତେ କଷ୍ଟ ରେ ପାଳିଥିବା ସେଇ ଅତି ଆଦରର ଫୁଲଟିକୁ ଦଳି ଫୋପାଡି ଦେବେନି ସେ । ତାର ଉଚିତ୍ ମୂଲ୍ୟ ଦେବେ ସେ । ଦୁଇ ଆଖିରୁ ଦୁଇ ଧାର ଲୁହ ବୁହାଇ ସରନ୍ ପାଖକୁ ଯାଇ ଭିକ୍ଷା ମାଗିଲେ ।ତାଙ୍କ ର ଅତି ଆଦରର ଝିଅକୁ ଅତି ଯତ୍ନ ରେ ସାଇତି ରଖିବାର ଶପଥ କରେଇଲେ ତାଠାରୁ । ତାପରେ ଗୋଟେ ମୁହୂର୍ତ୍ତ ଅପେକ୍ଷା ନକରି ସରନ୍ କୁ ନେଇ ସିମି ର ହଷ୍ଟେଲ ଆଗରେ ଯାଇ ପହଞ୍ଚିଗଲେ । ହଠାତ୍ ସିମି ଏମାନଙ୍କୁ ହଷ୍ଟେଲ ଆଗରେ ଦେଖି ଚକିତ ହୋଇ ରହିଗଲା । ସିମି କୁ ପାଛୋଟି ଆଣିଲେ ମା ଘରକୁ ଓ ସରନ୍ ସହିତ ସିମି ର ବାହାଘର ପ୍ରସ୍ତାବ ନିଜେ ଯାଇ ସରନ୍ ମା ଙ୍କୁ ଦେଇ ଆସିଲେ ।