Sachidananda Kar

Abstract

4  

Sachidananda Kar

Abstract

ଦୁଃଖରେ ଅଛି

ଦୁଃଖରେ ଅଛି

2 mins
155



          ଏବେ ମୋର ସହରର ଜୀବନ।ଏମିତି ଜୀବନକୁ ବାଧ୍ୟ ହୋଇ ମୁଁ ଆଦରି ନେଇଛି।ମୋର ଏ ଜୀବନ ଆଗକୁ ବଦଳିଯିବା ପରି ମୋତେ ଦିଶୁନାହିଁ।


           ଗାଆଁରେ ଜନ୍ମ।ଛୋଟରୁ ବଡ ହୋଇଛି ଗାଆଁର ମାଟି,ପାଣି, ପବନରେ।ହେଲେ କାହିଁକି କେଜାଣି ଏବେ ଆଉ ସେକଥା ମୁଁ ଭାବି ପାରୁନାହିଁ।


           ଋତୁର ବାସ୍ନା,ପ୍ରେମର ରଙ୍ଗ, ସ୍ନେହର ସ୍ବାଦ,ସାଙ୍ଗମେଳର ମାଦକତା, ବର୍ଷାମୁଖର ରାତିର ସ୍ବପ୍ନ - ଏବେ ସବୁକିଛି ମୋ ପାଇଁ ବଦଳି ଯାଇଛି।


          ଏସବୁ ସତ୍ତ୍ୱେ ବେଳେବେଳେ ମୁଁ ଖୁବ୍ ଦୁଃଖରେ ଭାଙ୍ଗି ପଡୁଛି।କାହିଁକି ମୋ ଗାଆଁ ମାଟି ମୋତେ ବେଶୀ ବେଶୀ ଡାକୁନି ଭାବୁଛି।


          ଏବେ ଏବେ ମୋର ପିଲାଦିନର ସାଙ୍ଗ ଜଣେ ଗାଆଁରୁ ଫୋନ୍ କରି କହୁଥିଲା ମୋ ଗାଆଁ କୁଆଡେ ଆଉ ଆଗ ଭଳି ନାହିଁ।ଯେଉଁ ଦାଣ୍ଡରେ ବସି ଆମେ ସଢେଇ ଖେଳ ଖେଳୁଥିଲୁ ତାହା ଏବେ ପକ୍କା ହୋଇଛି।ସେଠି ଧୂଳି ମୁଠେ ନାହିଁ।


           ଖାଲବିଲରେ ଯେଉଁଠି କଇଁଫୁଲ ଫୁଟୁଥିଲା ସେସବୁ ପୋତି ହୋଇ ଶୁଖିଲା ପଡିଛି।ଖୁଦୁରୁକୁଣୀ ଓଷାରେ ଗାଆଁ ଝିଅଙ୍କ ପାଇଁ ପାଣିରେ ପଶି ସେଇଠୁ ବହୁତ କଇଁଫୁଲ ତୋଳୁଥିଲୁ ଆମେ ସବୁ ଭୋଦୁଅ ରବିବାର ସକାଳେ।


           ଗାଆଁ ବିଲ ଆଡକୁ ଯିବାବେଳକୁ ଗୋଟେ ସରୁ ବାଟରେ ଯିବାକୁ ପଡୁଥିଲା।ବାଟ ଦୁଇ କଡେ ବୁଦିବୁଦିକିଆ ବଣ।ସବୁ ଋତୁରେ ସେସବୁରେ କିଛି ନା କିଛି ଫୁଲ ଫୁଟୁଥିଲା।କି ସୁନ୍ଦର ମିଠା ବାସ୍ନା ସେଇ ସବୁ ଫୁଲର ! ସରୁ ବାଟ ମହମହ ବାସି ଉଠୁଥିଲା।ଏବେ ଆଉ ସେସବୁ ନାହିଁ।ଗାଆଁ ଲୋକେ ସେସବୁକୁ କେବେଠୁ ସଫା କରି ସାରିଲେଣି।


           ଗାଆଁରେ କେତେ ଯେ କୁନି କୁନି ପିଲା ନାହାନ୍ତି ! ହେଲେ ରଜ ଦୋଳି,ବୋହୂଚୋରୀ,ପୁଚି ଖେଳ,କୁଆଁର ପୁନେଇଁ ଆଉ ଆଗ ଭଳି ହେଉନାହିଁ।ସମସ୍ତେ ଏବେ ପଢାପଢିରେ ବ୍ୟସ୍ତ ରହୁଛନ୍ତି।ସକାଳେ ଗାଡ଼ି ଆସି ଲାଗୁଛି।ଟାଇ,ବୁଟ୍ ପିନ୍ଧି ଇନ୍ କରି ପିଲାଏ ପବ୍ଲିକ ସ୍କୁଲକୁ ବାହାରି ଯାଉଛନ୍ତି।ଅବସର ମିଳିଲେ ଟିଭି ଖୋଲି ବସୁଛନ୍ତି,ନ ହେଲେ ମୋବାଇଲ ଧରି ଖେଳୁଛନ୍ତି।ଅନଲାଇନରେ ରହୁଛନ୍ତି।


           ଦିନେ ଯେଉଁ ବରଗଛ ଛାଇରେ ବସି ଆମେ ଦୁଇଜଣ ଆମଠୁଁ ପାଞ୍ଚ ବର୍ଷ ବଡ ଆମ ଗାଆଁର ଗୋଟେ ପିଲାଠାରୁ ଚଉଠିରାତି ଗପ ଶୁଣି ଗୋଟାପଣେ ଝାଳରେ ଓଦା ହୋଇ ଯାଇଥିଲୁ,ସେ ଗଛ ଆଉ ନାହିଁ।କେବେଠାରୁ ସେ ମରି ହଜି ଗଲାଣି।କେତେ ଚଢେଇ କୁଆଡୁ ଉଡି ଆସି ସେଥିରେ ବସୁଥିଲେ।ବସା ଗଢୁଥିଲେ।କିଚିରି ମିଚିରି ଗାଉଥିଲେ।ଏବେ ଭାବିଲେ କେମିତି କେମିତି ଲାଗୁଛି।


           ଗାଆଁରେ ଆଉ ଗାଈଆଳ ନାହିଁ।ଗୋଧୂଳି ଦୃଶ୍ୟ ଏବେ ସାତ ସ୍ବପ୍ନ।ଯେଉଁ ଅଳ୍ପ କିଛି ଗାଈ ଅଛନ୍ତି ପଡିଆରେ ବନ୍ଧାହୋଇ ଘାସ ଚରୁଛନ୍ତି।


           ଏବେ ସେଇ ଗାଆଁ ମନ୍ଦିର ଅଛି।ହେଲେ ସେଠାକାର ପରିବେଶ ବହୁତ ବଦଳି ଯାଇଛି।ସଂଧ୍ୟା ହେଲେ ଗାଆଁର ଟୋକାମାନେ ସେଠାରେ ବସି ମଦ,ଗଂଜେଇ ପିଉଛନ୍ତି।ଗୁଲିଖଟି, ରାଜନୀତି, ପରଚର୍ଚ୍ଚା କରୁଛନ୍ତି।


           ଦିନେ ସେଇଠି ବସି ଆମେ ବହୁତ ଖୁସି, ମଜା ଗପ କରୁଥିଲୁ।କାହାପାଇଁ ଝିଅ କୋଉ ଦିଗରେ ଅଛି ପରସ୍ପରକୁ ପଚାରୁଥିଲୁ।ହେଲେ ଏବେ ଆଉ ସେମିତି କିଛି ହେଉନାହିଁ।ଅଧିକାଂଶ ପିଲା ନିଜ ନିଜ ମନକୁ ଚାହିଁ ଗୋଟେ ଗୋଟେ ଝିଅକୁ ସାଙ୍ଗରେ ଧରି ଚାଲି ଆସୁଛନ୍ତି।


           ରାତିରେ ଗାଆଁ ମଶାଣି ବାଟେ ଗଲେ କେତେ ଡର ଲାଗୁଥିଲା ! ଏବେ ଆଉ ସେମିତି ନାହିଁ।ସରକାର ବିଜୁଳି ଆଲୁଅ ଖଞ୍ଜି ଦେଇଛନ୍ତି।ରାତିସାରା ସେଠି ଆଲୋକର ବନ୍ୟା।


            ସଂଜ ହେଲେ କିଆ ଗୋହିରୀରୁ ବିଲୁଆର ହୁକେ ହୋ ଡାକ ଆଉ ଶୁଭୁନି।ବିଲ ମାଛ ମିଳୁନାହିଁ।ସାରୁପତ୍ରରେ କେତେ ମଉରାଳି ମାଛ ଦିଆନିଆ ହୁଏ।ସେସବୁ ଆଉ ନାହିଁ।


           ମୋତେ ଏବେ ଭାବିବାକୁ ପଡୁଛି ଏଇଥିପାଇଁ ବୋଧେ ମୋ ଗାଆଁ ଆଉ ମୋତେ ବେଶୀ ବେଶୀ ଡାକୁନି।ସତରେ ମୋ ଗାଆଁ ବହୁତ ବଦଳି ଯାଇଛି।ହଁ ,ବଦଳି ଯାଇଛି ଯେତେବେଳେ . . . ।


           ମୋର ପ୍ରିୟ ଗାଆଁ ଯଦି ଏତେ ବଦଳିଯାଏ ମୁଁ ଦୁଃଖରେ ଭାଙ୍ଗି ପଡିବା ସ୍ବାଭାବିକ।ତେଣୁ ଦୁଃଖରେ ଭାଙ୍ଗି ପଡୁଛି ମୁଁ।ଦୁଃଖରେ ଅଛି।


Rate this content
Log in

Similar oriya story from Abstract