ଦର୍ଶନାତୀତ
ଦର୍ଶନାତୀତ
ଏଥର ବି ଯିବାର ଯୋଜନା ଥିଲା ତାଙ୍କର। ସବୁ ବର୍ଷ ସେ ଏଇ ଦିନ ସପରିବାର ପୁରୀ ଯାଆନ୍ତି । କେତେ ବଡ଼ ଦିନ । ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରାଙ୍କ ସହ ରତ୍ନ ସିଂହାସନରୁ ଓହ୍ଲାଇ ଆସି ସ୍ନାନ କରିବେ। ବର୍ଷକରେ ଥରେ ଏଇ ଦିନଟି ପଡୁଥିବାରୁ ଭକ୍ତମାନେ ଚାହିଁ ରହିଥାଆନ୍ତି ଏଇ ସ୍ନାନ ପୂର୍ଣ୍ଣମୀ ଦିନଟିକୁ।
ଅତ୍ଯନ୍ତ ପବିତ୍ର ଦିନ। ଜ୍ଯେଷ୍ଠମାସର ଶେଷଦିନରେ ପଡେ ଏଇତିଥି। ସ୍ନାନବେଦିରେ ତିନିପ୍ରଭୁଙ୍କ ଦର୍ଶନ ଭାଗ୍ୟରେ ଥିଲେ ମିଳେ। ତେଣୁ ଯିବାର ନିଶ୍ଚିତ ଥିଲା। ଖାଲି ଯାହା ଯିବାଟା, ମନ୍ଦିର ପ୍ରବେଶ ଓ ଦର୍ଶନ ବ୍ୟବସ୍ଥା ସବୁ କରିବାକୁ ପଡିବ। ଦେବୀଦତ୍ତ ବାବୁ ଓ ତାଙ୍କ ପରିବାର ଲୋକେ ପ୍ରସ୍ତୁତ ହେବାକୁ ଲାଗିଲେ।
ସହରର ଜଣେ ନାମକରା ଆଇନଜୀବୀ ସେ। ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ସେ ବିଭିନ୍ନ ମକଦ୍ଦମା ସଫଳତାର ସହ ଲଢିଛନ୍ତି। ବର୍ତ୍ତମାନ ସେ ବରିଷ୍ଠ ଆଇନଜୀବୀ ଭାବରେ ଅବସ୍ଥାପିତ । ତେଣୁ ଓଡିଶାର ବିଭିନ୍ନ ଜିଲ୍ଲାରେ ତାଙ୍କର ମହକିଲମାନେ ଅଛନ୍ତି। ଜଗନ୍ନାଥଙ୍କର ଅନେକ ସେବାୟତଙ୍କର ମକଦ୍ଦମା ମଧ୍ୟ ଲଢନ୍ତି ସେ। ପୁରୀ ଗଲେ, ତାଙ୍କର ଚିନ୍ତା ନଥାଏ। ମନ୍ଦିର ଭିତରେ ପ୍ରବେଶ, ମହାପ୍ରଭୁଙ୍କ ଦର୍ଶନ , ବିଶେଷ ପ୍ରସାଦ ସେବନ ଇତ୍ୟାଦି ସମସ୍ତ କାର୍ଯ୍ୟ ବିଭିନ୍ନ ସେବାୟତ ମାନେ କରେଇଦିଅନ୍ତି। ତେଣୁ ଦେବୀଦତ୍ତ ବାବୁ ନିଶ୍ଚିନ୍ତ ଥାଆନ୍ତି, ଜଗନ୍ନାଥଙ୍କର ଦର୍ଶନ ବିଷୟରେ।
ଏବର୍ଷ ସ୍ନାନ ପୂର୍ଣ୍ଣମୀରେ ତାଙ୍କ ସାନଭାଇ ଓ ଭାଇବୋହୁ ଯିବାକୁ ଇଛା ପ୍ରକାଶ କରିଥିଲେ। ତେଣୁ ସେମାନେ ଦୁଇଜଣ ସେ ଯାତ୍ରାରେ ସାମିଲ୍ ହେଲେ।
ନିର୍ଦ୍ଦିଷ୍ଟ ଦିନ ସକାଳ ହେବା ପୂର୍ବରୁ, ମାନେ ରାତି ଥାଉ ଥାଉ ସେମାନେ ବାହାରି ପଡିଲେ। କିନ୍ତୁ ଭାଇ ଆସି ତାଙ୍କ ଘରେ ପହଞ୍ଚିବାରେ କିଛିଟା ଡେରି ହେଇଥିବାରୁ ବାହାରିବାରେ ମଧ୍ୟ ବିଳମ୍ବ ହେଲା। ସେ ଯାହାବି ହେଉ କଟକରୁ ବାହାରି ପୁରୀରେ ପହଞ୍ଚିବାକୁ ତାଙ୍କୁ ଦୁଇଘଣ୍ଟା ଲାଗିଗଲା। ରାସ୍ତାରେ କିଛିଟା ଗାଡ଼ି ମଟର ଯାଉଥାଏ। ତାଙ୍କପରି ବୋଧେ କିଛି ଲୋକ ପୁରୀ ଯାଉଥାଆନ୍ତି ଜଗନ୍ନାଥଙ୍କୁ ଦର୍ଶନ କରିବାକୁ। ସକାଳ ପାଞ୍ଚଟା ବେଳକୁ ସେମାନେ ପୁରୀ ପହଞ୍ଚି ଗଲେ। ଆଗରୁ ତ ତାଙ୍କର ଜଣାଶୁଣା ପଣ୍ଡାଙ୍କ ସହ କଥାବାର୍ତ୍ତା ହେଇଥିଲା। ସିଏ ତାଙ୍କୁ ପଶ୍ଚିମ ଦ୍ଵାର ପଟେ ମନ୍ଦିର ଭିତରକୁ ନେଇଗଲେ । କିଛିବାଟ ଯିବାପରେ ଆଉଜଣେ ସେବାୟତ ସେମାନଙ୍କୁ ସ୍ନାନ ମଣ୍ଡପ ପର୍ଯ୍ୟନ୍ତ ନେବାକଥା। ବେଶ୍ ଭିଡ ଥାଏ। ତେଣୁ ସେମାନେ କିଛି ବେଳ ସେଇଠି ଅପେକ୍ଷା କଲେ ଆର ସେବାୟତ ଆସିବା ପର୍ଯ୍ୟନ୍ତ। ପ୍ରାୟ ଦୁଇଘଣ୍ଟା ଅପେକ୍ଷା ପରେ ମଧ୍ୟ ତାଙ୍କର ଦେଖା ଦର୍ଶନ ନାହିଁ।
'କଣ କିଛି ଅସୁବିଧା ହେଲାକି।
ଆମର ଡେରି ହେଇଗଲା କି?
ଦେବୀଦତ୍ତ ବାବୁ ଭାବୁଥିଲେ ଆଉ ମନେ ମନେ ସାନଭାଇର ବିଳମ୍ବ ଲାଗି ତାକୁ ଗାଳି ଦେଉଥିଲେ।
ଯେଉଁ ପଣ୍ଡା ଜଣଙ୍କ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ନେଇଯାଇଥିଲେ ସେ ତାଙ୍କୁ କହିଲେ ଆପଣ ଆଉଟିକେ ଆଗାନ୍ତୁ, ତିନ ଠାକୁର ପହଣ୍ଡି କରି ସେଇବାଟେ ଯିବେ। ଏଇ ସମୟରେ ପୂର୍ବରୁ କଥା ହେଇଥିବା ସେବାୟତ ଭିଡ଼ ଭିତରୁ ଆସିଗଲେ ଓ କହିଲେ, "ସାର୍ ଆଜି ପହଣ୍ଡି ଟିକେ ଡେରି ହେଇଯାଇଛି। ଅଳ୍ପ ସମୟ ଭିତରେ ଠାକୁରମାନେ ଆସିଯିବେ।" ଏହାକହି ଏମାନଙ୍କୁ ବାଟ କଢ଼େଇ ନେଲେ ଆଗକୁ ତାପରେ ଡାହାଣ ପଟକୁ ମୋଡିଲେ ସେମାନେ। ସେଇଠି ପ୍ରଚଣ୍ଡ ଭିଡ। ଠେଲାପେଲାରେ ସେ ସେବାୟତ ଜଣଙ୍କ ହାତ, ଦେବୀଦତ୍ତ ଙ୍କ ହାତରୁ ଖସିଗଲା। ସେମାନେ ଆଗକୁ ଯାଇ ପାରିଲେନି। ବାଧ୍ୟ ହେଇ ଗୋଟେ କଡ଼କୁ ଠିଆହେଇଥାଆନ୍ତି । ଦେବୀଦତ୍ତ ବାବୁ ନିଜକୁ ବଡ଼ ଅସହାୟ ମନେ କରୁଥିଲାବେଳେ। ଭାବିଦେଲେ, ବୋଧେ ଜଗନ୍ନାଥ ଦର୍ଶନ ଆଉ ସମ୍ଭବ ନୁହେଁ।
ହଠାତ୍ ତାଙ୍କ ପତ୍ନୀ କହିଉଠିଲେ, " ହେଇ ଦେଖ ଦେଖ" କିଛିଦୂରରୁ ବଳଭଦ୍ରଙ୍କର ମୁକୁଟ ଦିଶିଲା। କିନ୍ତୁ ତାଙ୍କ ମୁଖ ଦର୍ଶନ ହେଇପାରୁନଥିଲା। ତାଙ୍କ ପଛକୁ କିଛି ହଲିବା ପରି ଦେଖାଯାଉଥାଏ। କିଛି ଲୋକ କଣଗୋଟେ ଟେକି ଟେକି ଆଣିବା ପରି ଲାଗୁଥାଏ। ବୋଧେ ମା ଶୁଭଦ୍ରା ଓ ଜଗନ୍ନାଥ ଆସୁଛନ୍ତି। ସେ ଭିଡ଼ ତାଙ୍କରି ଆଡ଼କୁ ଆସୁଥଏ। କିନ୍ତୁ କାହିଁ, କାହାର ଶ୍ରୀମୁଖ ଦର୍ଶନ ତ ହେଇପାରୁନି।
ହଠାତ୍ ଦେବୀଦତ୍ତ ବାବୁଙ୍କ ଦେହରେ କିଛି ଗୋଟାଏ ଓଜନିଆ ଜିନିଷ ଆସ୍ତେକରି ପିଟି ହେଲାପରି ଲାଗିଲା। ଆଉ ସେଇଟା ଘଷିହେଇ ଚାଲିଗଲା। ଆଖି ପଲକରେ ସବୁ କିଛି ହେଇଗଲା, ସେ ବୁଝିପାରିଲେନି। ଏଇ ସମୟରେ ଦେବୀଦତ୍ତ ବାବୁଙ୍କ ଭାଇ ତାଙ୍କୁ କହିଲେ, "ଭାଇ ତୁମ ପଞ୍ଜାବୀରେ କଣ କଳା ଦାଗ"। ନିଜ ପଞ୍ଜାବୀ ଆଡ଼କୁ ନଜର ପକେଇଲେ ସେ। ସତରେତ କଳାରଙ୍ଗ ବୋଳି ହେଇଯାଇଛି। ଠାକୁର ଦର୍ଶନ ପାଇଁ କଚା ହେଇଥିବା ପରିଷ୍କାର ପଞ୍ଜାବୀ ପିନ୍ଧି ସେ ଘରୁ ଆସିଥିଲେ। ଧୋବ ଫରଫର କୁର୍ତ୍ତାରେ କଳା ଲାଗିଗଲା କିପରି ? ଆଶ୍ଚର୍ଯ୍ୟ ହୋଇଗଲେ ଦେବୀଦତ୍ତ ବାବୁ।
ସେଇ ସ୍ଥାନରେ ଭିଡ଼ କମିଗଲା ଏଥର। ଏଇ ସମୟରେ ତାଙ୍କର ଚିହ୍ନା ସେବାୟତ ତାଙ୍କ ପାଖରେ ପହଞ୍ଚିଗଲେ ଆଉ ତାଙ୍କ ପଞ୍ଜାବୀରେ କଳାଦାଗ ଦେଖି କହିଲେ "କାଳିଆ ଆପଣଙ୍କ ଦେହରେ ଘଷି ହେଇଗଲେକି? ସେତ ସେତରେ ଭାରି ନଟ ଖଟିଆ"। ଦେବୀଦତ୍ତ ବାବୁ, ତାଙ୍କ ମହକିଲ, ସେ ସେବାୟତଙ୍କ ମୁହଁ କୁ ଚକିତ ହେଇ ଚାହିଁଲେ। ସତରେ କଳା ଠାକୁର ତାଙ୍କୁ ଛୁଇଁକି ଚାଲିଗଲେ, ଅଥଚ ସେ ଜାଣି ପାରିଲେନି। ଏକଥା ଭାବି ତାଙ୍କ ଶରୀରରେ କମ୍ପନ ଜାତ ହେଲା। କିଛି ସମୟ ପାଇଁ ତାଙ୍କ ମୁଖରୁ ବାକସ୍ଫୁରଣ ହେଲାନାହିଁ। ଭାବ ବିହ୍ୱଳ ହେଇ ଚାହିଁ ରହିଲେ ସେଇଆଡକୁ।
"ଚାଲନ୍ତୁ ସାର୍ ଜୀଉମାନେ ସ୍ନାନମଣ୍ଡପରେ ବିଜେ ହେଲେଣି" ସମ୍ବିତ ଫେରିପାଇଲେ ସେବାୟତଙ୍କ ଡାକରେ ଦେବୀଦତ୍ତ ବାବୁ।ତାଙ୍କ ପତ୍ନୀ ଦେଖୁଥିଲେ ତାଙ୍କ ସ୍ବାମୀଙ୍କ ଆଖିରେ ଦୁଇଧାର ଅଶ୍ରୁ ।