Sambit Srikumar

Inspirational

4.0  

Sambit Srikumar

Inspirational

ଦଙ୍ଗାରେ ଦିନେ

ଦଙ୍ଗାରେ ଦିନେ

5 mins
195


ମୁଁ ରହୁଥିବା ସହରରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଗଲା। ଏହା ଆକସ୍ମିକ ଥିଲା ଅବା ସୁପରିକଳ୍ପିତ ତାହା ଅବଶ୍ୟ ତଦନ୍ତ ସାପେକ୍ଷ। କିନ୍ତୁ ଏସବୁ ଜାଣିବାକୁ କାହାର ଫୁରସତ୍ ନାହିଁ। କେମିତି ପୈତୃକ ପ୍ରାଣ ରକ୍ଷା କରାଯିବ ସେଥିପାଇଁ ସଭିଏଁ ତତ୍ପର। ଏ ଘଡିସନ୍ଧି ମୁହୂର୍ତ୍ତରେ କିଏ କେଉଁଠି ରହିଲା ତାହା ବିଚାର କରିବା କାଠିକର ପାଠ।

ମୁଁ ବି ଦଙ୍ଗାର ଖବର ଶୁଣୁଶୁଣୁ ସବୁ କାମଦାମ ପଛରେ ପକାଇ ଦପ୍ତରରୁ ଘର ଅଭିମୁଖେ ଅନ୍ଧାଧୁନିଆ ଧାଇଁବାକୁ ଲାଗିଲି। ଦପ୍ତରଠୁ ବସାଘର ପାଖାପାଖି ତିନି କିଲୋମିଟର ଦୂରରେ ଅବସ୍ଥିତ। ମଝିରେ ଦୁଇ କିଲୋମିଟର ବ୍ୟାପି ମୁସଲମାନ ବହୁଳ ଇଲାକା। ଏତିକି ବାଟ ପାର କରି ପାରିଲେ ଜୀବନ ରକ୍ଷା ହୋଇପାରିବ। କାରଣ ମୋ ବସାଘର ଇଲାକା ଆର୍ମି କ୍ୟାଣ୍ଟନମେଣ୍ଟ୍ ଅଧୀନରେ ରହିଛି। ସେଠାକାର ସୁରକ୍ଷା ଟିକେ ଅଲଗା ପ୍ରକାରର।

ଏଇ ଦୁଇ ତିନି କିଲୋମିଟର ରାସ୍ତା ଯାହା ସମସ୍ୟା। ଟିକିଏ ଅସାବଧାନତା ଯୋଗୁଁ କିଛି ବି ଘଟିପାରେ। ଗାଡ଼ି ମଟର ସବୁ ବନ୍ଦ। ରାସ୍ତାରେ ଟାୟାର ଜଳୁଥାଏ ହୁତୁ ହୁତୁ ହୋଇ। ଚାରିଆଡ଼େ ଗାଢ ଧୂଆଁର ଚାଦର ଆଚ୍ଛାଦନ କରି ରହିଥାଏ। ଏହା ମଧ୍ୟରେ ଦୁଇ ପାର୍ଶ୍ୱରେ ଥିବା ଉଚ୍ଚ କୋଠାଗୁଡ଼ିକରୁ ଅନବରତ ଢେଲା ପଥର ସହିତ କାଚ ବୋତଲ ବୃଷ୍ଟି ହେଉଥାଏ। ଧାଇଁବା ବେଳେ କିଛି ପଥର ଖଣ୍ଡ ଦେହରେ ଆସି ବାଜୁଥିଲା। ସେଥି ପ୍ରତି ଭ୍ରୂକ୍ଷେପ ନକରି ମୁଁ ଆଗକୁ ଆଗକୁ ଧାଇଁଥାଏ।

ଏ ଦେଶର ଲୋକଙ୍କ ଉପରେ ମୋର କ୍ରୋଧ ଜାତ ହେଉଥିଲା। ଦୁନିଆଁର ଅନେକ ଦେଶ କେଉଁଠୁ ଯାଇ କେଉଁଠି ପହଞ୍ଚି ଗଲେଣି କିନ୍ତୁ ଆମେ ଧର୍ମ ସମ୍ପ୍ରଦାୟର ବିଭେଦ ରଚି ପରସ୍ପରର ରକ୍ତରେ ହୋଲି ଖେଳିବା ପାଇଁ ମୌକା ଖୋଜୁଛୁ। ଆରେ ବାବୁ, ଏତେ ବଡ଼ ଦେଶ ଆମ ଭାରତ। କେତେ ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟ ଭାଷାଭାଷୀ ଲୋକେ କାହିଁ କେଉଁ କାଳରୁ ବସବାସ କରନ୍ତି ଏଠି। ଅତୀତରେ ଯାହା ଘଟିବାର ଥିଲା ତ ଘଟି ସାରିଛି। ଏବେ ପରସ୍ପରକୁ ସମ୍ମାନ ଦେଇ ସୁଖ ଶାନ୍ତିରେ କଣ ଜୀଇଁ ହେବ ନାହିଁ? ନା... ଆମ ଧର୍ମ ବଡ଼ ତୁମ ଧର୍ମ ଛୋଟ... ଏମିତି ନୀଚ ଚିନ୍ତାଧାରରେ ଦେଶକୁ ନିତି ଜାଳିବା। ଏଇ ନିଆଁରେ ରୁଟି ସେକି ଖାଇବା!

ଖାଲଢିପ କିଛି ବି ନମାନି ମୁଁ ଧାଇଁଥାଏ ମୋର ବସାଘର ଆଡ଼କୁ। ମନରେ ଭୟ ତଥାପି ଜୀବିତ ରହିବାର ଆଶା ମୋତେ ଦୌଡ଼ାଇଥାଏ। ମନେ ମନେ ଇଷ୍ଟ ଦେବତାଙ୍କ ଉଦ୍ଦେଶ୍ୟରେ ଭକ୍ତି ଅର୍ଘ୍ୟ ଅର୍ପଣ କରି ମୁଁ ଧାଇଁଥାଏ। ଦୌଡ଼ିବା ହେତୁ ମୁଁ ଧଇଁ ସଇଁ ହୋଇଯାଉଥାଏ। କିନ୍ତୁ କୌଣସି ଜାଗାରେ ଅଟକିବାର ପ୍ରଶ୍ନ ଉଠୁନଥାଏ।

କେମିତି ଆସି ବସାଘରେ ପହଞ୍ଚିଛି, ମୁଁ ହିଁ ଜାଣିଛି। ଇଷ୍ଟ ଦେବତାଙ୍କ କୃପାରୁ ସାମାନ୍ୟ ଆଘାତ ପ୍ରାପ୍ତ ହୋଇ ମଧ୍ୟ ସୁରକ୍ଷିତ ଘରେ ପହଞ୍ଚି ପାରିଛି। ସନ୍ଧ୍ୟା ଆଗତ ପ୍ରାୟ। ଦୃତପଦରେ ମୁଁ ଘରର ପାଚେରୀ ଅତିକ୍ରମ କରି ହତା ଭିତରକୁ ଗଲି। ମାତ୍ର ଏ କଣ? କେହି ଜଣେ ମୋ ଘର ବାରଣ୍ଡାରେ ଠିଆ ହୋଇଛନ୍ତି ଭୟାତୁର ଅବସ୍ଥାରେ। କୁର୍ତ୍ତା ପାଇଜାମା ପରିହିତ ଜନୈକ ପ୍ରୌଢ଼। ସଫେଦ୍ ପୋଷାକ ଠାଏ ଠାଏ ଚିରି ଯାଇଥିଲା। ମଥାରେ କୁଞ୍ଚିତ ରେଖା ସ୍ପଷ୍ଟ ବାରି ହୋଇ ପଡୁଥିଲା। ମୁହଁରେ ସଯତ୍ନ ବର୍ଦ୍ଧିତ ଶ୍ମଶ୍ରୁ। ଆଖିରେ ମୋଟା ଫ୍ରେମର ଚଷମା।

ମୋତେ ଦେଖିବା ପରେ ଆମ ଦୁହିଁଙ୍କ ଚାରି ଚକ୍ଷୁ ମିଳନାନ୍ତେ ସିଏ ହତପ୍ରଭ ଦିଶିଲେ। ମୋ ମଥାରେ ଶୋଭା ପାଉଥିବା ତିଳକ ସିନ୍ଦୂର ଏହାର କାରଣ ହୋଇପାରେ। ତାଙ୍କର ହାବଭାବ କିଛି ରହସ୍ୟମୟ ଜଣା ପଡୁଥିଲା। ମୁଁ ଏକ ଲୟରେ ତାଙ୍କ ମୁଖମଣ୍ଡଳକୁ ଚାହିଁ ରହିଥାଏ। କେଜାଣି କାହିଁକି ଏମିତି ଲାଗୁଥିଲା ଯେମିତି ଏଇ ଭଦ୍ରବ୍ୟକ୍ତିଙ୍କୁ ମୁଁ ପୂର୍ବରୁ କେଉଁଠି ଦେଖିଛି। ସ୍ୱଦେହରେ ନହେଲେ ମଧ୍ୟ ଖବରକାଗଜ ଅବା ଦୂରଦର୍ଶନ ପରଦାରେ ତାଙ୍କୁ ଦେଖିଛି। କିନ୍ତୁ ନିଶ୍ଚିତ ଦେଖିଛି। ତାଙ୍କର ପରିଚୟ ଜାଣି ପାରୁନାହଁ। ତାଙ୍କ ନାମଟା ହଠାତ୍ ମନେ ପଡୁନଥାଏ।

ଉକ୍ତ ପ୍ରୌଢ଼ଙ୍କୁ ମୁଁ କିଛି ପଚାରିବାକୁ ଯାଉଥିବା ବେଳେ ସିଏ ତାଙ୍କ ପକ୍ଷରୁ କହିଲେ, "ମୁଁ ସାଜିଦ୍ ଅଲ୍ଲୀ!"

ମୋର ବିଶ୍ୱାସ ହେଉନଥାଏ। ଆଶ୍ଚର୍ଯ୍ୟର ସୀମା ନଥିଲା। ବିଶ୍ୱ ବିଖ୍ୟାତ ବ୍ୟକ୍ତିତ୍ୱ ମୋ ବସାଘରର ବାରଣ୍ଡାରେ ଠିଆ ହୋଇଛନ୍ତି। ଅଥଚ ମୁଁ ତାଙ୍କୁ ଚିହ୍ନି ପାରୁ ନାହିଁ। ପୃଥିବୀ ପ୍ରସିଦ୍ଧ ଚିତ୍ରଶିଳ୍ପୀ ସାଜିଦ୍ ଅଲ୍ଲୀ! ଯାହାଙ୍କ ଦ୍ୱାରା ଅଙ୍କିତ ତୈଳଚିତ୍ରର ପ୍ରଦର୍ଶନୀ ଆୟୋଜିତ ହୁଏ ବଡ଼ ବଡ଼ ସହରର ସମ୍ଭାନ୍ତ ହୋଟେଲରେ। କଳାକୃତି ବିଶ୍ୱବଜାରରେ କୋଟି କୋଟି ଟଙ୍କାରେ ନିଲାମ ହୁଏ। ସେହି ମହାନୁଭବ ଆଜି ନିଃସହାୟ ହୋଇ ମୋ ଘରେ ଆଶ୍ରୟ ଲୋଡ଼ୁଛନ୍ତି। କିନ୍ତୁ କାହିଁକି? ମନରେ ମୋର ଅସୁମାରି ପ୍ରଶ୍ନର ଜୁଆର ଉଠୁଥିଲା।

କୌଣସି ବାକ୍ୟ ବ୍ୟୟ ନକରି ଅବିଳମ୍ବେ ମୁଁ ବସାଘର ସଦରଦ୍ୱାରର ତାଲା ଖୋଲିଲି। ତାଙ୍କୁ ଯଥାମାନ୍ୟ ଆଦର ସହକାରେ ଘର ଭିତରକୁ ପାଛୋଟି ନେଲି। କିଛି କହିବା ପୂର୍ବରୁ ଦିବାନ୍ ଉପରେ ଥକ୍କା ମାରି ବସିପଡ଼ିଲେ ସେ। ତତକ୍ଷଣାତ୍ ମୁଁ ପାଣି ଗ୍ଲାସ୍ ବଢାଇ ଦେଲି ତାଙ୍କ ହାତକୁ। ଢକ ଢକ କରି ପିଇଗଲେ ସବୁତକ ପାଣି ଏକା ନିଃଶ୍ୱାସକେ। କିଛି ସମୟ ପାଇଁ ନିରବତା ଖେଳିଗଲା ଘର ଭିତରେ।

ମୋର ବଖୁରିଏ ଭଡାଘର। ଛୋଟିଆ ଗାଧୁଆଘର ସଂଲଗ୍ନ ହୋଇଥାଏ। ରୋଷେଇ ନିମନ୍ତେ ସେପରି କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ। ପୂଜାପାଠ ପାଇଁ କାନ୍ଥରେ ଥିବା ଥାକରେ ଇଷ୍ଟ ଦେବତାଙ୍କ ଫଟୋଚିତ୍ର ଥାଏ। ଷ୍ଟାଣ୍ଡରୁ ଅଗରବତୀ ଜଳି ଜଳି ଗାଢ଼ କଳା ହୋଇ ଥାଏ ଥାକଟି। ଘରର ସଫାସୁତୁରା ଅନ୍ୟ ଅବିବାହିତ ଯୁବକଙ୍କ ତୁଳନାରେ ଢେର୍ ଭଲ। ଅଳ୍ପ କିଛି ଆସବାବପତ୍ର, ବାସନକୁସନ ଥାଏ। ଶୋଇବା ପାଇଁ ଦିବାନ୍ ସେଟ୍। ବାସ୍ ଏତିକି ମୋର ସମ୍ବଳ।

ପାଣି ପିଇବା ପରେ ସାଜିଦ୍ ଅଲ୍ଲୀ ଟିକେ ସାମାନ୍ୟ ଆଶ୍ୱସ୍ତି ଅନୁଭବ କଲେ। ଘର ଭିତରେ ନିରବତା ପୂର୍ବ ପରି ବିରାଜମାନ କରୁଥାଏ। ତଳକୁ ମୁହଁ ପୋତି ଦିବାନ୍ ଉପରେ ବସିଥାନ୍ତି ସିଏ। କେଉଁଠୁ କଥାଭାଷା ଆରମ୍ଭ କରିବି ମୁଁ ଜାଣି ପାରୁନଥିଲି।

ଥଙ୍ଗମଙ୍ଗ ହୋଇ ମୁଁ ପଚାରିଲି, "ସାର୍! ଆପଣଙ୍କ ସହିତ କଣ ଏମିତି ଘଟିଲା ଯେ, ଆପଣ ଏମିତି ଏଠାରେ ଠିଆ ହୋଇ ରହିଥିଲେ?"

: କଣ କହିବି ବନ୍ଧୁ? ସବୁ ମୋର କର୍ମଫଳ...

: ଆପଣ କଣ ଯେ କହୁଛନ୍ତି, ମୁଁ କିଛି ବୁଝି ପାରୁନାହଁ ସାର୍...

: ଏ ସହରରେ ଆଜି ଯେଉଁ ଦଙ୍ଗା ସୃଷ୍ଟି ହୋଇଛି ତାହାର କେନ୍ଦ୍ରବିନ୍ଦୁ ମୁଁ...

: ଦଙ୍ଗା ତ ଏବେ ଦେଶସାରା ଦେହସୁହା ହୋଇଗଲାଣି। କିଏ କିଛି ବି କହିଲେ ପ୍ରତିଦିନ ଦଙ୍ଗା କେଉଁଠି ନା କେଉଁଠି ଘଟୁଛି। ହେଲେ ଏଥିପାଇଁ ଆପଣ କେମିତି ଦାୟୀ? ଆପଣ ଏମିତି କଣ କାଣ୍ଡ କାରଖାନା କଲେ କି? ଆପଣ ତ ସ୍ୱନାମଧନ୍ୟ ଚିତ୍ରଶିଳ୍ପୀ। ଦେଶର ଗୌରବ। ଆପଣଙ୍କର କିଏ ଅବା ଶତ୍ରୁ?

: ଦେଶ ଅସହିଷ୍ଣୁ ହୋଇ ନାହିଁ ବରଂ କଳାତ୍ମକ ସୃଜନଶୀଳତା ନାମରେ ଅଭିବ୍ୟକ୍ତିର ଅଧିକାର ସୀମା ଊଲ୍ଲଘଂନ କରିଛି ମୁଁ। ଜାତିରେ ମୁସଲମାନ ହୋଇ ହିନ୍ଦୁ ଦେବାଦେବୀଙ୍କ ବ୍ୟଙ୍ଗ ଚିତ୍ର ବା କାର୍ଟୁନ୍ ଆଙ୍କି ବିବାଦକୁ ଆମନ୍ତ୍ରଣ କରିଛି। ଜୀବନ ସାରା ଅନେକ ଚିତ୍ର ଆଙ୍କିଛି, ବହୁତ ଅର୍ଥ ରୋଜଗାର କରିଛି। କିନ୍ତୁ ଦୁର୍ବୁଦ୍ଧିର ଶୀକାର ହୋଇ ଏମିତି କରିଛି। ଏହାକୁ ନେଇ ଏବେ ଦେଶ ଉଠୁଛି ପଡୁଛି। କିଛି ଲୋକ ମୋତେ ବିରୋଧ କରି ମୋର ୱାର୍କସପ୍ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଠିକ୍ ଏତିକି ବେଳେ ଆଉ କିଛି ଲୋକ ସେମାନଙ୍କୁ ଅଚାନକ ଭାବରେ ଟେକାପଥର ମାଡ଼କଲେ। ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ଫଳରେ କେହି ଜଣେ ଦୁବୃର୍ତ୍ତ ମୋ ୱାର୍କଶପ୍.ରେ ନିଆଁ ଲଗାଇ ଦେଲା। ସେଇଠୁ ହିଁ ଆରମ୍ଭ ଏଇ ଦଙ୍ଗା। ୱାର୍କଶପ୍ ହିଁ ମୋର ଘର ଥିଲା। ମୋର ସବୁକିଛି ଥିଲା। ଜୀବନ ବ୍ୟାପି ସାଧନାର ଜମାପୁଞ୍ଜି ଥିଲା। ଆଜି ଜଳି ପୋଡ଼ି ଛାରଖାର ହୋଇଯାଇଛି। ଯାହିତାହି ଜୀବନ ବଞ୍ଚାଇ ସେଠାରୁ ପଳାଇ ଆସିଛି ତୁମ କଲୋନୀକୁ ସୁରକ୍ଷା ଆଶାରେ। ଆଜି ମୁଁ ନିଃସ୍ୱ, ନିଃସଙ୍ଗ, ନିଃସହାୟ। ଏଇ କଲୋନୀରେ ଅନେକ ଲୋକଙ୍କ ଘରକୁ ଯାଇଥିଲି, ସଭିଏଁ ମୋତେ ଫେରାଇ ଦେଲେ। ବଡ଼ ଆଶା ନେଇ ତୁମ ବାରଣ୍ଡାରେ ଠିଆ ହୋଇଥିଲି। ଦୟାକରି କିଛି ଦିନ ମୋତେ ଏଠାରେ ରହିବାକୁ ଦିଅ ବନ୍ଧୁ। ଏ ଭୁଲ୍ ଆଉ କେବେ କରିବି ନାହିଁ...

ମୋର ଆଉ କିଛି ଅବୁଝା ନଥିଲା। ସବୁକିଛି ଜଳ ଜଳ ହୋଇ ଦିଶୁଥିଲା। ମୋର ତାଙ୍କୁ ଆଉ କିଛି ପଚାରିବାର କି କହିବାର ନଥିଲା। ଧର୍ମ, ଧର୍ମୀୟ ଭାବନା, ବାକ୍ ସ୍ୱାଧୀନତା, କଳାତ୍ମକ ସ୍ୱତନ୍ତ୍ରତା, ସୃଜନଶୀଳତାର ପରିସୀମା ଆଦି ବିଷୟରେ ତର୍କ ବିତର୍କର କୌଣସି ଆବଶ୍ୟକତା ନଥିଲା ଅନ୍ତତଃପକ୍ଷେ ଆମ ଦୁହିଁଙ୍କ ଭିତରେ।

ପରିସ୍ଥିତିରେ ପଡି ଏତେ ବଡ଼ ବ୍ୟକ୍ତିତ୍ୱର ଅଧିକାରୀ ମୋ ଭଙ୍ଗା ଦଦରା ବସାଘରେ କିଛି ଦିନ ରହିବାକୁ ଅନୁରୋଧ କରୁଥିଲେ। କେବଳ ମୁଁ ଏତିକି ବୁଝିଥିଲି ଯେ, ଶରଣାପନ୍ନ ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ମୋର ପ୍ରଥମ ଏବଂ ପ୍ରଧାନ କାର୍ଯ୍ୟ। ଏଥିପାଇଁ ମୋତେ ଯାହା ବି କିଛି କରିବାକୁ ପଡିବ ସେଥିପାଇଁ ମୁଁ ସ୍ୱତଃସ୍ଫୁତ ଭାବେ ପ୍ରସ୍ତୁତ ଥିଲି। ଏଣୁ ମୁଁ ମୁଣ୍ଡ ଟୁଙ୍ଗାରି ସମ୍ମତି ଜଣାଇଲି ନିଶ୍ଚୁପରେ।

ସହରରେ ସାନ୍ଧ୍ୟ ଆଇନ୍ କଡାକଡି ଲାଗୁ କରାଯାଇଥିଲା ତତ୍କାଳ ପ୍ରଭାବରେ। ଅର୍ଦ୍ଧ ସାମରିକ ବଳ ଫ୍ଳାଗ୍ ମାର୍ଚ୍ଚ୍ କରୁଥିଲେ। କର୍ଫ୍ୟୁ ଯୋଗୁଁ ଧିରେ ଧିରେ ପରିସ୍ଥିତିରେ ସୁଧାର ଆସିବାରେ ଲାଗୁଥିଲା। ଟିଭି ଚ୍ୟାନେଲରେ ବାରମ୍ବାର ଏହି ଖବର ପ୍ରସାରିତ ହେଉଥିଲା। କଥାଭାଷା ହେବା ଭିତରେ ମୋର ସନ୍ଧ୍ୟା ଆରତୀ କରିବାର ବେଳ ଗଡି ଯାଇଥିଲା। ତରବର ହୋଇ ଅଗରବତୀ ଜଳାଇଲି ଆରତୀ ପାଇଁ।

ଘଣ୍ଟିର ଶବ୍ଦ ଶୁଣି ଦିବାନ୍ ଉପରୁ ଉଠି ଠିଆ ହେଲେ ସାଜିଦ୍ ଅଲ୍ଲୀ। କାନ୍ଥରେ ଥିବା ମୋର ଇଷ୍ଟ ଦେବତାଙ୍କ ସମ୍ମୁଖରେ ଭୂମିଷ୍ଠ ପ୍ରଣାମ ପୂର୍ବକ ନିଜ କୃତକର୍ମର ପ୍ରାୟଶ୍ଚିତ କରୁଥିଲେ ସିଏ ଶୁଦ୍ଧାନ୍ତକରଣରେ। ଦୁଇ ଆଖିରୁ ତାଙ୍କର ଅମାନିଆ ଲୁହ ଧାର ଧାର ହୋଇ ବହିଯାଉଥିଲା। 



Rate this content
Log in

Similar oriya story from Inspirational