ଧାରେ ହସ
ଧାରେ ହସ
କାର୍ତ୍ତିକ ମାସ ସାରା ବିନି ହାତରେ ଚଉରାମୂଳେ ଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରାଙ୍କ ରଙ୍ଗ ଚିତ୍ରପଟରେ ଝଟକୁ ଥିଲେ ତ ଦାମୋଦର ପୂଜା ଖୁବ ଜମୁଥିଲା. କିଏ କହୁଥିଲା ବାପା ଗୁଣ ଆଣିଛି ବିନି ତ କିଏ କହୁଥିଲା ବିନି ପରି ଝିଅ ଆମ ଗାଁରେ ଆଉ କିଏ କାହିଁ!ବୋଉର ଛାତିଟା ଫୁଲି ଉଠିଲା ବେଳେ ବାପାଙ୍କ ଛାତିଟା କରତି ହୋଇଯାଏ. ତିନି ତିନିଟା ସନ୍ତାନ ତାଙ୍କର. ଦୁଇପୁଅ ମଝିରେ ଝିଅ ବିନି. କେଜାଣି କାହିଁକି ବିନିକୁ ଖୁବ ଭଲ ପାଆନ୍ତି ବାପା. ସେଇଥିପାଇଁ ତ ତା ଦୁଃଖ ସହି ନପାରି ତାକୁ ଶାଶୁଘରୁ ନେଇଆସିଛନ୍ତି ବିନୋଦ. ରଙ୍ଗ ଶିଳ୍ପୀ ହେଲେ କଣ ହେଲା ସଂସାରଜାକର ରଙ୍ଗ ଦେଖୁ ଦେଖୁ ନିଜ ଝିଅ ବିନି ସଂସାର ରଙ୍ଗ ଫିକା ପଡିଯିବାକୁ କେମିତି ସହନ୍ତେ ବିନୋଦ!ପିଲାପିଲି ନଥିବାରୁ ଝିଅଟା ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଭୋଗୁଥିଲା ଶାଶୁଘରେ.ତା ମୁଁହରେ ଖୁସିର ରଙ୍ଗ ଟିକେ ଦେଖିବାକୁ ତାକୁ ନେଇଆସିଥିଲେ ଯେ ଝିଅ ବିନି ଖୁସି ହେଉଥିଲା କି ନାହିଁ କିନ୍ତୁ ଖୁସି ବାଣ୍ଟି ଚାଲିଥିଲା ଗାଁର ସାଇଜାକର ମାଆ, ମାଉସୀ, ପିଇସୀ, ଖୁଡି, ଦେଠେଇଙ୍କ ମୁଁହରେ. ରଙ୍ଗ ଦେଇ ଏମିତି ଚତୁର୍ଦ୍ଧା ଆଙ୍କିଦେଉଥିଲା ଯେ ଲାଗୁଥିଲା ସତେକି ରତ୍ନ ବେଦୀରୁ ଓଲ୍ହେଇ ଆସିଛନ୍ତି ଚତୁର୍ଦ୍ଧା. କାର୍ତ୍ତିକ ଯାଇ ମଗୁଶିର ଆସିଲାଣି ହେଲେ ବିନିର, ଚଉରାମୂଳେ ଚତୁର୍ଦ୍ଧା ଅଙ୍କା ଚାଲିଥିଲା. ମାଣବସା ଆସୁଛି ତ ପକାଉ ଝିଅଟା ବୋଲି ଖୁସି ପାଉଥିବା ବୋଉ ସେଦିନ ଚମକି ପଡିଲେ ଯେବେ ବିନି କହୁଥିଲା ଦେଖିଲୁ ଦେଖିଲୁ ବୋଉ ଆଜି ବଡ଼ ଭାଇ ବଳଭଦ୍ର ଓ ଜଗନ୍ନାଥ ଦୁଇ ଭାଇ ମୋ ଦୁଇ ଭାଇ ବଡ଼ ରାଜେନ୍ଦ୍ର ଓ ସାନ ମହେନ୍ଦ୍ର ଭଳି ଓ ମୁଁ ନିଜେ ତାଙ୍କ ମଝିରେ ସୁଭଦ୍ରା ମାଆ ଭଳି ଅବିକଳ ଦେଖାଯାଉନି?ବିନି ଭାବିଥିଲା ବୋଉ ଖୁସିରେ ଫାଟି ପଡିବ ଓ ତାକୁ ପ୍ରଶଂସା କରିବ କିନ୍ତୁ ଫଳ ଓଲଟା ହେଲା ବୋଉ କାନ୍ଦୁଥିଲା ବହୁନା ପକେଇ ରାଜେନ୍ଦ୍ରର ଗୁଣ ସୁମରି ଆଉ ବାପା ବିନୋଦ କାହାକୁ କିଛି ନକହି ବାହାରିଯାଇଥିଲେ ତାଙ୍କ ପୁରୁଣା ସାଇକେଲରେ. ତାଙ୍କୁ ଆଜି କାନ୍ଥରେ ଆଙ୍କିବାକୁ ହେବ. ତୁଳୀ ଓ ରଙ୍ଗର ଫେଣ୍ଟାଫେଣ୍ଟି ମିଶ୍ରଣରେ ଜେଜେ ନାତିକୁ ଶିଶୁ ଗପ ବହି ପଢି ବୁଝାଉଥିବାର ଚିତ୍ର.
ଆଜି କିନ୍ତୁ ତୁଳୀଟା ଅଙ୍କା ବଙ୍କା ଚାଲୁଥିଲା ବିନୋଦଙ୍କର. ଏହା ବୟସର ଦୋଷ ବୋଲି ଆଉ ଆଗଭଳି କାମ ମିଳୁନି ତାଙ୍କୁ କିନ୍ତୁ ଦୁଇ ପୁଅର ବାପା ଆଜି ରଙ୍ଗ ନଦେଲେ ପେଟ ପିଠିକୁ ଯଥାକ୍ରମେ ଦାନା ଓ କନା କୋଉଠୁ ଯୋଗାଡ଼ କରିବେ? ରୋଜଗାରିଆ ବଡ଼ପୁଅ ରାଜେନ୍ଦ୍ର କାହିଁକି ବେକରେ ରଶି ଲଗେଇଲା ଆଜି ଯାଏଁ ସେକଥା ରହସ୍ୟ ହୋଇ ରହିଛି. ସାନ ପୁଅ ଭଲ ପାଇ ଯୋଉ ଝିଅକୁ ବାହା ହେଲା ସେ ଶାଶୁ ଶଶୁରଙ୍କ ପାଖେ ଚଳିପାରିବ ନାହିଁ ଗାଁରେ ବୋଲି ମୁହେଁ ମୁହେଁ ଶୁଣେଇ ସହର ଚାଲିଗଲା ତ ଚାଲିଗଲା ପୁଅ ସହରକୁ.ନାତିଟିଏ ହେଲା ପରେ କେତେ ନେହୁରା ହେଲେ ବି ଆଉ ଫେରିଲାନି ଗାଁ ମୂଲକକୁ. ଏଣେ ନିଅଣ୍ଟିଆ ସଂସାରରେ କେମିତି କେମିତି ବୁଢା ବୁଢ଼ୀ ଦିଟା ଚଳି ଯାଉଥିଲେ ଯେ ରାଜେନ୍ଦ୍ର ମରିବା କେଶରେ ଘାଣ୍ଟି ହୋଇ ହୋଇ, ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲା ପରେ ବି ଦୁଃଖ ସରୁନି କି ସ୍ତ୍ରୀ ବାସନ୍ତୀଙ୍କ ଆଖିରୁ ଲୁହ ଶୁଖୁନି. ନାତି ଟୋକାଟା ପାଖରେ ଥିଲ
େ ତା ଛୋଟ ଛୋଟ ଖେଳ କୌତୁକ ଓ ମଜ୍ଜା ମସ୍ତି ଦେଖି ଭୁଲିଯାଆନ୍ତେ ଅଙ୍ଗେ ନିଭା ଦୁଃଖ!ସେଥିରେ ଗୋଟିଏ ବୋଲି ଝିଅର ପିଲାଛୁଆ ନହେବାରୁ ନିର୍ଯ୍ୟାତିତା ବିନିକୁ ସେ ନେଇ ଆସି ଭାବିଥିଲେ ଗାଁ ପୁଅ ମଦନର ସ୍ତ୍ରୀ ମରିଯିବା ପରେ ତା ଛୋଟ ପୁଅଟି ଟିକୁନର ଲାଳନ ପାଳନ କରିବାକୁ ବିନିକି ମନେଇ ଦ୍ୱିତୀୟ ବିବାହ ଦେଇଥାଆନ୍ତେ କାରଣ ବିନିର ସ୍ୱାମୀ ଦ୍ୱିତୀୟ ବିବାହ କରିବା ମସୁଧାରେ ଅଛି ବୋଲି ସେ ଭିତିରି ଖବର ପାଇଛନ୍ତି. ସହଜେ ବିନିକୁ ଭଲପାଉଥିଲା ମଦନ. ହେଲେ ନିୟତିର ଖେଳ କିଛି ଅଲଗା ଥିଲା. ଆଉ ଏବେ ଏ ଯୋଜନା ଭାବିଲେ ହେବ କେମିତି!
ଏଣେ ରାତି ଆସିବା ପୂର୍ବରୁ ସନ୍ଧ୍ୟା ସୁଦ୍ଧା ରଙ୍ଗ ଦେବା କାମ ସାରିବାକୁ ଯେତେ ତୁଳୀଟାକୁ ଜୋର କରି ଭିଡି ଧରିଲେ ମଧ୍ୟ ସରୁନି. ଭାବନା ତାଙ୍କୁ ଦୁର୍ବଳ କରୁଛି. ତଥାପି ପାରୁପର୍ଯ୍ୟନ୍ତ ଚେଷ୍ଟା କରିଚାଲିଛନ୍ତି ବିନୋଦ . ହଠାତ ଚମକି ପଡିଲେ ବିନୋଦ କାମ ଶେଷ ହେଲାବେଳକୁ ସେ ଦେଖିଲେ ଜେଜେ ବୁଢା ମୁହଁଟା ଖୁବ କାନ୍ଦ କାନ୍ଦ ଲାଗୁଛି ଆଉ ନାତି ଟୋକାଟା ଠିକ ମଦନ ପୁଅ ଟିକୁନ ପରି ଲାଗୁଛି. ହଡ଼ବଡେଇ ପୁଣି ଜେଜେଙ୍କ ମୁହଁରେ ଅନ୍ତତଃ ହସ ଫୁଟେଇବାକୁ ଚେଷ୍ଟା କଲାବେଳକୁ ଆଉ ଦିଶୁ ନଥିଲା ଚଷମା ଫାଙ୍କରୁ କିଛି. ଏଣେ ସୁରୁଜ ଦେବତା ଡୁବିବାକୁ ବସିଲେଣି. ଏଯାଏଁ କଣ୍ଟ୍ରାକ୍ଟର ବାବୁର ମଧ୍ୟ ଦର୍ଶନ ନାହିଁ. କାଲିକି ଆସିଲେ ଯାହା ଭାବି ସାଇକେଲ ପେଡାଲ ମାରିଲେ ବିନୋଦ. ଝିଅ ବିନି ରାଣ ନିୟମ ପକେଇ ବାପା ସନ୍ଧ୍ୟା ପୂର୍ବରୁ ସହରରୁ ଫେରିଆସିବ କହିଛି . ଆଲୋକ ଆଖିରେ ପଡିଲେ ସାଇକେଲ ଗଡିବ ନାହିଁ. ତୁମେ ଫେରିଲେ ସୋରିଷ ତେଲ ରସୁଣ ଫୁଟେଇ ସବୁଦିନ ପରି ତୁମ ଅଣ୍ଟାରେ ମାଲିସ କରିଦେବି. ଝିଅ କଥା ମନେପକେଇ ଧଡ଼ପଦ ହୋଇ ଫେରୁଥିଲେ ବିନୋଦ.
ଗାଁରେ ପହଁଞ୍ଚି ସ୍ତବ୍ଧ ବିବ୍ରତ ବିନୋଦ. ରାତି ପାହିଲେ ମାଣବସା ତ ତାଙ୍କ ଝିଅ ଝୋଟି ଚିତା ଦେଇ ଦାଣ୍ଡ, ବାରି, ଅଗଣା, ଠାକୁରଘର ରଙ୍ଗ ଭରିଦେବା ବଦଳରେ କାନ୍ଦୁଛି କାହିଁକି? ସକାଳ କଥା ମନେପଡ଼ିଗଲା ବାପା ବିନୋଦଙ୍କର. ବଡ଼ପୁଅ ରାଜେନ୍ଦ୍ର କଥା ଉଠେଇଥିବାରୁ ବୋଉ ବାସନ୍ତୀ କିଛି କଟୁ କହିଲେକି ଝିଅକୁ? ନା ବରଂ ବିନି ଖବର ପାଇଥିଲା ତା ସ୍ୱାମୀ ମନ୍ଦିରରେ ଆଜି ଦ୍ୱିତୀୟ ବିବାହ କରି ତା ପାଖକୁ ଡିଭୋର୍ସ ନୋଟିସ ଦେଇଛି. ଗାଁଟା ଯାକର ଲୋକଙ୍କ ଭିଡ଼. ମଦନ ତା ପୁଅ କାନରେ ଚୁପି ଚୁପି କଣ କହିଲା ତ ଛୋଟ ପିଲାଟା ଆଗେଇଯାଇ ବିନି ଆଖିରୁ ଲୁହ ପୋଛି କହିଲା କାନ୍ଦେନା ବୋଉ. ମୁଁ ଆଉ ମୋ ବାପା ପରା ଅଛୁ ତୁ କାନ୍ଦୁଛୁ କାହିଁକି? ଠପ ହୋଇଗଲା ବିନିର କାନ୍ଦ. ଖୁସି ହୋଇଗଲେ ଗାଁ ଲୋକ ଓ ମଦନ ନିଜେ ମଧ୍ୟ ଖୁବ ଖୁସି ହୋଇଗଲା କାରଣ ବିନି ପିଲାଟିକୁ କୋଳକୁ ନେଇ କହୁଥିଲା ହଁ ଧନ. ବିନୋଦ ପଛକୁ ସାଇକେଲ ଫେରାଇ ପହଁଞ୍ଚି ଯାଇଥିଲେ ତାଙ୍କ ପୂର୍ବ ଚିତ୍ରପଟ ପାଖେ. ଚିତ୍ରରେ ଥିବା ଜେଜେଙ୍କ ମୁହଁରେ କାନ୍ଦ ବଦଳରେ ଧାରେ ହସ ଫୁଟେଇବାକୁ ଇଲେକ୍ଟ୍ରି ଲାଇଟ ତଳେ ଲାଗିପଡ଼ିଥିଲେ ବିନୋଦ ତ ପଛରୁ କଣ୍ଟ୍ରାକ୍ଟର କହୁଥିଲେ ଏଯାଏଁ ଘରକୁ ଯାଇନ ମଉସା? କେମିତି ଯିବି ବାବୁ. ଆଜିର ପଇସା ନେଲେ କାଲି ପରା ମାଣବସିବ. ମା ଲଷ୍ମୀ ସାଆନ୍ତାଣୀ ପରା ଖୁସି ହେଲେ ଛପରା ଫାଡି ମୋ ଦୁଃଖ ଲାଘବ କରିବେ ବାବୁ ।