ଦେବୀ ସ୍ଵଧାଙ୍କ କଥା
ଦେବୀ ସ୍ଵଧାଙ୍କ କଥା
ଦେବୀ ସ୍ଵଧାଙ୍କ କଥା
============
ସୃଷ୍ଟି ଆଦ୍ୟ କାଳର କଥା, ସୃଷ୍ଟିକର୍ତ୍ତା ବ୍ରହ୍ମା ସମସ୍ତ ସୃଷ୍ଟି ସଂରଚନା କରୁଥିବା ବେଳେ ତ୍ରିତେଜ ସ୍ୱରୂପ ଚାରି ଗୋଟି ପିତୃ ଗଣଙ୍କୁ ସୃଷ୍ଟି କଲେ l ସେମାନେ ଥିଲେ ସପ୍ତମୁଖା l ତାଙ୍କର ରୂପ ଅତୀବ ସୁନ୍ଦର ଥିଲା l ସେହି ପିତୃଗଣଙ୍କ ପାଇଁ, ଶ୍ରାଦ୍ଧ ଓ ତର୍ପଣ ବ୍ୟବସ୍ଥା ମଧ୍ୟ ବ୍ରହ୍ମା କଲେ l
କିନ୍ତୁ ଏକ ବିଚିତ୍ର ସମସ୍ୟା ଦେଖାଦେଲା l ରୁତ୍ତ୍ୱିଜ ବ୍ରାହ୍ମଣମାନେ ଯେତେ ଶ୍ରାଦ୍ଧାଦି କଲେ ମଧ୍ୟ ତାହା ପିତୃଗଣଙ୍କୁ ପ୍ରାପ୍ତ ହେଲା ନାହିଁ l କ୍ଷୁଧାତୁର ହୋଇ ପିତୃଗଣ ଯାଇ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ l ସମସ୍ୟା କିପରି ସମାଧାନ କରାଯାଇ ପାରିବ, ତାହା ବ୍ରହ୍ମା କିଛି ସ୍ଥିର କରି ପାରିଲେ ନାହିଁ l ପିତୃଗଣଙ୍କୁ ତୃପ୍ତ କରିବା ପାଇଁ ଶେଷରେ ବ୍ରହ୍ମା ନିଜ ମନରୁ ଜଣେ ଦେବୀଙ୍କୁ ସୃଷ୍ଟି କଲେ l ବ୍ରହ୍ମାଙ୍କ ମାନସସୃଷ୍ଟ ସେହି ଦେବୀଙ୍କ ନାମ, ସ୍ବଧା l ସ୍ବଧା, ଦେଖିବାକୁ ଥିଲେ ଅତୀବ ସୁନ୍ଦର l ଶ୍ରୀମଦ୍ଦେବୀ ଭାଗବତରେ ତାଙ୍କ ରୂପର ସୁନ୍ଦର ବର୍ଣ୍ଣନା ରହିଛି:-
ବ୍ରହ୍ମା ଚ ମାନସୀଂ କନ୍ୟାଂ
ସସୃଜେ ଚ ମନୋହରମ୍ l
ରୂପ ଯୌବନ ସମ୍ପନ୍ନାଂ
ଶତ ଚନ୍ଦ୍ର ନିଭାନନାମ୍ ll
ଅର୍ଥାତ୍ ବ୍ରହ୍ମାଙ୍କ ସୃଷ୍ଟ ସେହି ମାନସୀ କନ୍ୟା ଖୁବ୍ ସୁନ୍ଦର ଥିଲେ l ତାଙ୍କର ମୁଖ ଶହେଟି ଚନ୍ଦ୍ରଙ୍କ ଶୋଭା ବହନ କରୁଥିଲା l ଆହୁରି ବର୍ଣ୍ଣନା ରହିଛି ସେ କମଳପୁଷ୍ପ ଉପରେ ତାଙ୍କ ପାଦ ରଖିଥିଲେ l ତାଙ୍କର ମୁଖ ଓ ନେତ୍ରଦ୍ବୟ କମଳ ସଦୃଶ ଉଜ୍ଜ୍ବଳ ଦେଖା ଯାଉଥିଲା l
ବ୍ରହ୍ମା ସେହି ସ୍ଵଧା ଦେବୀଙ୍କୁ ପିତୃଗଣଙ୍କ ହସ୍ତରେ ପତ୍ନୀରୂପେ ସମର୍ପଣ କଲେ l ସେହି ସମୟରେ ଦେବତା, ବ୍ରାହ୍ମଣ, ପିତୃ ଓ ମୁନି ୠଷି ମାନେ ଅତି ଆଦର ସହକାରେ ଶକ୍ତି ସ୍ୱରୁପିଣୀ ଭଗବତୀ ସ୍ଵଧାଙ୍କୁ ପୂଜାକରି ସ୍ତୁତି କଲେ l ସ୍ବଧା ଯୁକ୍ତ ମନ୍ତ୍ର ଉଚ୍ଚାରଣ କରି ପିତୃ ଗଣଙ୍କ ଉଦ୍ଧେଶ୍ୟରେ ଏଣୁ ଅର୍ଘ୍ୟ ଦାନ କରା ଗଲେ ତାହା ପିତୃଗଣଙ୍କୁ ପ୍ରାପ୍ତ ହୋଇଥାଏ l ଯଜ୍ଞକର୍ମ ସମୟରେ ଦେବତାଙ୍କ ଉଦ୍ଧେଶ୍ୟରେ ସ୍ୱାହା ଓ ଶ୍ରାଦ୍ଧକର୍ମ ସମୟରେ, ପିତୃ ଗଣଙ୍କ ଉଦ୍ଦେଶ୍ୟରେ ସ୍ଵଧାଶଦ୍ଦ ଉଚ୍ଚାରଣ ବିଧେୟ l
ଶରତଋତୁ, ଆଶ୍ୱିନମାସର କୃଷ୍ଣ ତ୍ରୟୋଦଶୀ ତିଥି, ମଘା ନକ୍ଷତ୍ରରେ ସ୍ୱଧାଦେବୀଙ୍କ ପୂଜା ଅର୍ଚ୍ଚନା କଲେ ବ୍ୟକ୍ତି ତୀର୍ଥସ୍ନାୟୀ ତଥା ପାପ ମୁକ୍ତ ହୋଇ ବାଜପେୟ ଯଜ୍ଞର ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ l ସ୍ୱଧା ଦେବୀଙ୍କ ବୀଜ ମନ୍ତ୍ର ହେଉଛି,ଓଁ ହ୍ରୀଙ୍ଗ ଶ୍ରୀଙ୍ଗ କ୍ଲୀଙ୍ଗ ସ୍ୱଧା ଦେବୈ ସ୍ୱାହା l
ଦେବୀ ସ୍ୱାହାଙ୍କୁ ପୂଜାକଲା ବେଳେ ଶ୍ରୀମଦ୍ଦେବୀ ଭାଗବତ ପ୍ରୋକ୍ତ ସ୍ତୁତି କରା ଯାଇ ଥାଏ :-
ପିତୃଣାମ୍ ପ୍ରାଣତୁଲ୍ୟା ତ୍ଵଂ
ଦ୍ୱିଜଜୀବନରୁପିଣୀ l
ଶ୍ରାଦ୍ଧାଧିଷ୍ଟାତୃ ଦେବୀ ଚ
ଶ୍ରାଦ୍ଧଦାନଂ ଫଳପ୍ରଦା ll
ଶ୍ରୀମଦ୍ଦେବୀ ଭାଗବତ, ନବମ ସ୍କନ୍ଧ, ସପ୍ତ ତ୍ରିଂଶ ଅଧ୍ୟାୟରେ ଦେବୀ ସ୍ୱଧାଙ୍କ ଚରିତ ବର୍ଣ୍ଣିତ ଅଛି l ବୈକୁଣ୍ଠରେ ଶ୍ରୀମନ୍ ନାରାୟଣ, ନାରଦଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସ୍ଵଧା ଦେବୀଙ୍କ କଥା ଶୁଣାଇ ଥିଲେ l ସ୍ୱଧା ଦେବୀଙ୍କ ଆବିର୍ଭାବ ଫଳରେ ଶ୍ରାଦ୍ଧ କର୍ମରେ ଦେଖା ଦେଇଥିବା ସମସ୍ତ ସମସ୍ୟା ଦୂର ହୋଇଥିଲା l ସ୍ୱଧା ଯୁକ୍ତ ମନ୍ତ୍ର ଉଚ୍ଚାରଣ ଫଳରେ ପିତୃ ଗଣଙ୍କୁ ଶ୍ରାଦ୍ଧ ପ୍ରାପ୍ତ ହେଲା l
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ -7693091971
