STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଦେବୀ ଗଙ୍ଗାଙ୍କ କଥା

ଦେବୀ ଗଙ୍ଗାଙ୍କ କଥା

4 mins
299



ଶ୍ରୀମଦ୍ ଦେବୀ ଭାଗବତର କଥା l ସେଦିନ ଥାଏ ପବିତ୍ର ରାହାସ ପୂର୍ଣ୍ଣିମା l ଗୋଲୋକ ଧାମର ନିତ୍ୟ ରାସ ମଣ୍ଡଳରେ ଅନୁଷ୍ଠିତ ହେଉଥାଏ, ଶ୍ରୀରାଧାଙ୍କ ମହୋତ୍ସବ l ସମସ୍ତ ଦେବଗଣ ପହଞ୍ଚି କୃଷ୍ଣ ପୂଜିତା ଦେବୀ ଶ୍ରୀରାଧାଙ୍କ ପୂଜାକଲେ l ଦେବୀ ସରସ୍ଵତୀ ବୀଣାରେ ଅପୁର୍ବ ଝଙ୍କାର ତୋଳିଥାନ୍ତି l ସେଠାରେ ଶିବ ଉପସ୍ଥିତ ଥିଲେ l ସେ ବ୍ରହ୍ମାଙ୍କ ଅନୁରୋଧରେ ରାସୋଲ୍ଲାସ ସମ୍ବଳିତ ଅପୂର୍ବ ସଙ୍ଗୀତ ଗାନକଲେ l ଶିବଙ୍କ ସେହି ସଙ୍ଗୀତ ମୂର୍ଚ୍ଛନାରେ ଉପସ୍ଥିତ ସମସ୍ତ ଦେବତାମାନେ ସମ୍ମୋହିତ ହୋଇପଡ଼ିଲେ l ଶିବଙ୍କ ସେହି ସଙ୍ଗୀତ ଶେଷ ହେବାର ବହୁ ସମୟ ପରେ ସେମାନେ ଆତ୍ମବିସ୍ମୃତି ସ୍ଥିତିରୁ ଫେରିଆସି ଦେଖନ୍ତି, ସମଗ୍ର ରାସ ମଣ୍ଡଳ ଜଳମୟ ହୋଇ ଯାଇଛି ଆଉ ସେଠାରେ ରାଧା ଓ କୃଷ୍ଣ ନାହାଁନ୍ତି l ସମସ୍ତେ କ୍ରନ୍ଦନ କରିବାକୁ ଲାଗିଲେ l

ବ୍ରହ୍ମା ଧ୍ୟାନ ବଳରେ ଜାଣିପାରିଲେ, ଭଗବାନ କୃଷ୍ଣ ଓ ଦେବୀ ଶ୍ରୀରାଧା, ଶିବଙ୍କ ସଙ୍ଗୀତରେ ଦ୍ରବୀଭୂତ ହୋଇ, ଜଳରେ ପରିଣତ ହୋଇଛନ୍ତି l ତେଣୁ ବ୍ରହ୍ମା ଓ ସମସ୍ତ ଦେବ ଗଣ ଶ୍ରୀକୃଷ୍ଣଙ୍କୁ ପୂର୍ବ ରୂପକୁ ଫେରି ଆସିବାପାଇଁ ସ୍ତୁତିକଲେ l ଏହି ସମୟରେ ଶୂନ୍ୟରୁ ବାଣୀ ହେଲା,ହେ ଦେବଗଣ, ତୁମ୍ଭେମାନେ ଶିବଙ୍କୁ ତନ୍ତ୍ରଶାସ୍ତ୍ର ରଚନା କରିବାକୁ ଅନୁରୋଧକର l ସେହି ଶାସ୍ତ୍ରରେ ମୋ ସମ୍ବନ୍ଧୀୟ ସମସ୍ତ ମନ୍ତ୍ର ସ୍ଥାନ ପାଇବ l ଶିବ ଏହା କରିବାକୁ ପ୍ରତିଶ୍ରୁତହେଲେ ଆମ୍ଭେ ପୁନଃ ନିଜ ସ୍ୱରୂପକୁ ଫେରି ଆସିବୁ l

ଦେବ ଗଣଙ୍କ ପ୍ରାର୍ଥନାରେ ଶିବ ସେହି ତୀର୍ଥ ରୂପିଣୀ ଜଳକୁ ଅଞ୍ଜଳୀରେ ଧାରଣ କରି ତନ୍ତ୍ରଶାସ୍ତ୍ର ରଚନା କରିବାକୁ ପ୍ରତିଶ୍ରୁତି ଦେଲାରୁ ରାସେଶ୍ୱରୀ ଶ୍ରୀରାଧା ଓ ରାସେଶ୍ୱର ଶ୍ରୀକୃଷ୍ଣ ନିଜ ସ୍ୱରୁପରେ ଦେବତାଙ୍କ ସମ୍ମୁଖରେ ପ୍ରକଟହେଲେ l ସମୟ କ୍ରମେ ଭଗବାନ ଶିବ, ଜୀବଙ୍କ କଲ୍ୟାଣ ନିମନ୍ତେ ସମସ୍ତ ତନ୍ତ୍ର ଶାସ୍ତ୍ର ରଚନା କଲେ l ଶଙ୍କରଙ୍କ ଭକ୍ତିସଙ୍ଗୀତ ମୂର୍ଚ୍ଚନାରେ ଦ୍ରବିଭୁତ ହୋଇ ଶ୍ରୀରାଧା, ଶ୍ରୀକୃଷ୍ଣ ଯେଉଁ ଜଳରେ ପରିଣତ ହୋଇଥିଲେ, ସେହି ଜଳହିଁ ଗଙ୍ଗା l କୃଷ୍ଣ ଅଙ୍ଗ ସମ୍ଭୂତା ହୋଇ ଥିବାରୁ, ସେ ପରମ ପାବନୀ ରୂପେ ବ୍ରହ୍ମାଣ୍ଡ ପୂଜିତା l

ଜଳରୁ ପ୍ରକଟିତା ଦେବୀ ଗଙ୍ଗା ଥିଲେ ଦିବ୍ୟ ନାରୀ ଓ ପରମାସୁନ୍ଦରୀ l ପ୍ରକଟିତ ହେବା ମାତ୍ରେ କୃଷ୍ଣଙ୍କୁ ଦର୍ଶନ କରି ତାଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ପଡ଼ିଲେ ଓ ତାଙ୍କ ପାଖରେ ବସି ତାଙ୍କ ମୁଖ ସୁଧାକୁ ପାନ କରିବାକୁ ଲାଗିଲେ l ଏହି ସମୟରେ ଦେବୀ ରାଧା, ଗୋପୀ ମାନଙ୍କ ଗହଣରେ ଆସି ସେଠାରେ ପହଞ୍ଚିଲେ l କୃଷ୍ଣଙ୍କ ପାଖରେ ଗଙ୍ଗାଙ୍କୁ ଦେଖି ରାଧା କ୍ରୋଧିତ ଅଥଚ ସ୍ମିତ ହାସ୍ୟରେ କୃଷ୍ଣଙ୍କୁ ପଚାରିଲେ, ହେ ପ୍ରାଣେଶ୍ୱର ! ଅପଲକ ଚକ୍ଷୁରେ ଆପଣଙ୍କ ମୁଖ ସୁଧା ପାନକରୁଥିବା ଏହି ସୁନ୍ଦରୀ ରମଣୀଟି କିଏ ? ମନେ ହେଉଛି ସେ ଆପଣଙ୍କ ପ୍ରତି ଖୁବ୍ କାମାସକ୍ତ ହୋଇ ପଡ଼ିଛି l ଆପଣଙ୍କ ଚିରକାଳେ ଏ ଲାମ୍ପଟ୍ୟ ପ୍ରବୃତ୍ତି ଗଲାନାହିଁ l ଆପଣଙ୍କର ଭଲ ଗତି ଅଛି ତ 

ଏ ମନୋହାରୀଣି ନାୟିକାକୁ ନେଇ ଏ ଗୋଲକରୁ ବାହାରି ଯାଆନ୍ତୁ l ପୂର୍ବେ ଆପଣ ଏହିଭଳି ଅନେକ କର୍ମକରି ମୋତେ ଲଜ୍ଜିତା କରିଛନ୍ତି l ତୁମର ସେହି ସବୁ ଗୋପନ ପ୍ରଣୟ ଧରାପଡ଼ି ଯିବାରୁ, ଆପଣଙ୍କ ଶରୀର ଲଜ୍ଜାରେ କୃଷ୍ଣ ବର୍ଣ୍ଣ ଧାରଣ କରିଛି l

ଏହାକହି ରାଧା କ୍ରୋଧପୁର୍ଣ୍ଣ ଦୃଷ୍ଟିରେ ଗଙ୍ଗାଙ୍କୁ ଚାହିଁ ଦେବାରୁ ଗଙ୍ଗା ଭୟଭୀତା ହୋଇ ପୁନଃ ନିଜ ଜଳ ରୂପରେ ପରିବର୍ତ୍ତିତ ହୋଇ ଗଲେ l ରାଧା ରାଗରେ ସେହି ଜଳରୂପୀ ଗଙ୍ଗାଙ୍କୁ ପାନକରିଦେବେ ବୋଲି ଉଦ୍ୟତ ହୁଅନ୍ତେ ଗଙ୍ଗା ଯାଇ ଶ୍ରୀକୃଷ୍ଣଙ୍କ ଚରଣରେ ଅନ୍ତର୍ହିତ ହୋଇଗଲେ l ଫଳରେ ଜଳଶୂନ୍ୟ ଅଖିଳ ଜଗତରେ ହା ହାକାର ପଡ଼ିଗଲା l

ବ୍ରହ୍ମାଙ୍କସହ ସମସ୍ତ ଦେବଗଣ ଯାଇ ସୃଷ୍ଟିର କଷଣ ବିଷୟରେ କୃଷ୍ଣଙ୍କୁ ଜଣାଇବାରୁ ସେ କହିଲେ ଗଙ୍ଗା ପୁଣି ପ୍ରକଟ ହେବେ l କିନ୍ତୁ ତା ପୂର୍ବରୁ ତୁମେ ମାନେ

ଦେବୀ ରାଧାଙ୍କ କ୍ରୋଧ ଶାନ୍ତକର l ଶ୍ରୀକୃଷ୍ଣଙ୍କ କଥା ଶୁଣି ଚତୁର୍ମୁଖ ବ୍ରହ୍ମା, ଯୋଡ଼ ହସ୍ତରେ ରାଧାଙ୍କୁ ସ୍ତୁତି କରି କହିଲେ, ଆପଣଙ୍କ କ୍ରୋଧରୁ ଆପଣଙ୍କ କନ୍ୟା ତୁଲ୍ୟା ଗଙ୍ଗା ଅନ୍ତର୍ହିତ ହୋଇ ଯାଇଛନ୍ତି l ଫଳରେ ସୃଷ୍ଟିରେ ଜଳ କଷ୍ଟ ଦେଖା ଦେଇଛି l ଆପଣ କୃପା କଲେ, ସେ ପୁଣି ଆବିର୍ଭୁତା ହୋଇ ବୈକୁଣ୍ଠାଧିପତି ନାରାୟଣଙ୍କୁ ପତିରୂପରେ ବରଣକରିବେ ଓ ନଦୀ ରୂପେ ଧରାରେ ପ୍ରବାହିତ ହେବ l 

ବ୍ରହ୍ମାଙ୍କ କର୍ତ୍ତୃକ ଦେବତାଙ୍କ ସ୍ତୁତିରେ ଶ୍ରୀରାଧା ଶାନ୍ତ ହେଲାରୁ ଗଙ୍ଗା କୃଷ୍ଣଙ୍କ ଚରଣ ଅଙ୍ଗୁଳି ଅଗ୍ରଭାଗରୁ ବହିର୍ଗତ ହେଲେ l ସମସ୍ତେ ପ୍ରୀତ ହେଲେ l ସେହି ଗଙ୍ଗା ଜଳରୁ କିଛି ନେଇ ବ୍ରହ୍ମା ତାଙ୍କ କମଣ୍ଡଳୁରେ ଭରିନେଲେ l ଭଗବାନ ଶଙ୍କର କିଛି ଗଙ୍ଗାଜଳକୁ ତାଙ୍କ ମସ୍ତକରେ ଧାରଣ କଲେ l ଗଙ୍ଗା ଶ୍ରୀକୃଷ୍ଣଙ୍କ ପଦରୁ ଆବିର୍ଭୁତ ହୋଇ ନାମବହିଲେ ବିଷ୍ଣୁପଦୀ l ପାବନ ରାଧିକାମନ୍ତ୍ର ବ୍ରହ୍ମା ତାଙ୍କୁ ପ୍ରଦାନ କରିବାରୁ ସେ ତାକୁ ଜପକରି, ବୈକୁଣ୍ଠ ଯାତ୍ରା କରି ଶ୍ରୀମନ୍ ନାରାୟଣଙ୍କୁ ପତିରୂପେ ବରଣ କଲେ l ଭଗବାନ୍ ବିଷ୍ଣୁଙ୍କ ଏଣୁ ଚାରିପତ୍ନୀ ହେଲେ ଯଥାକ୍ରମେ ଲକ୍ଷ୍ମୀ, ସରସ୍ଵତୀ, ଗଙ୍ଗା ଓ ତୁଳସୀ l

ଥରେ ବୈକୁଣ୍ଠରେ ଶ୍ରେଷ୍ଠ ପତ୍ନୀ କିଏ ବୋଲି, ତିନି ଦେବୀ ଲକ୍ଷ୍ମୀ, ସରସ୍ୱତୀ ଓ ଗଙ୍ଗାଙ୍କ ମଧ୍ୟରେ କଳି ଲାଗିଲା l କ୍ରମେ ଏ କଳହ ତୀବ୍ର ହୋଇ, ପରସ୍ପର ଭିତରେ ଅଭିଶାପ ରୂପ ନେଲା l ଦେବୀ ସରସ୍ୱତୀ ଲକ୍ଷ୍ମୀଙ୍କୁ ବୃକ୍ଷ ଓ ନଦୀ, ଗଙ୍ଗାଙ୍କୁ ନଦୀ ହୋଇଯାଅ ବୋଲି ଅଭିଶାପଦେଲେ l ଗଙ୍ଗା ମଧ୍ୟ ସରସ୍ୱତୀଙ୍କୁ ନଦୀ ହୋଇଯାଅ ବୋଲି ଅଭିଶାପ ଦେଲେ l ବିଷ୍ଣୁ ଏହାଶୁଣି ଖୁବ୍ ଦୁଃଖିତହେଲେ l ସେ ମହାଲକ୍ଷ୍ମୀଙ୍କୁ କହିଲେ, ହେ କଲ୍ୟାଣମୟୀ ! ଏହି ଅଭିଶାପ ସବୁ ସତ୍ୟରେ ପରିଣତ ହେବ l ତୁମେ ମର୍ତ୍ତ୍ୟରେ ଯାଇ ଧର୍ମଧ୍ଵଜ ରାଜାଙ୍କ ଗୃହରେ ଆଯୋନି ସମ୍ଭୂତ କନ୍ୟା ଭାବେ ଜନ୍ମ ହୋଇ କାଳ ବଶରେ ବୃକ୍ଷ ରୂପ ପ୍ରାପ୍ତ ହେବ ତୁମର ନାମହେବ ତୁଳସୀ l ସେତେବେଳେ ତୁମେ ମୋ ଅଂଶରେ ଜାତ ହୋଇଥିବା, ଶଙ୍ଖଚୂଡ଼ ଦୈତ୍ୟର ପତ୍ନୀ ହୋଇ ରହିବ l ପରେ, ମୁଁ ତୁମକୁ ଉଦ୍ଧାର କରି ଆଣିବି l ବର୍ତ୍ତମାନ ତୁମେ ପଦ୍ମା ନାମ ଧାରଣ କରି ନଦୀ ରୂପେ ଆବିର୍ଭୁତ ହୁଅ l

ଭଗବାନ୍ ପୁଣି ଗଙ୍ଗାଙ୍କୁ କହିଲେ, ରାଜା ଭଗୀରଥ କଠୋର ତପକରି ତୁମକୁ ମର୍ତ୍ତ୍ୟକୁ ନେଇ ଯିବେ l ସେଠାରେ ତୁମେ ବିଶ୍ଵପାବନୀ ଗଙ୍ଗା ରୂପେ ପାପୀ ମାନଙ୍କ ପାପ ପ୍ରକ୍ଷାଳନ କରିବ l ତୁମେ ପୃଥିବୀରେ ମହାରାଜ ଶାନ୍ତନୁଙ୍କ ପତ୍ନୀ ହେବ l ପୁଣି ଭଗବାନ ସରସ୍ୱତୀଙ୍କୁ କହିଲେ, ତୁମେ ମଧ୍ୟ ମର୍ତ୍ତ୍ୟରେ ନଦୀ ରୂପେ ପ୍ରବାହିତ ହେବ l ତୁମେ ବେଦ ପତି ବ୍ରହ୍ମାଙ୍କ ପତ୍ନୀ ହେବ l 

ବିଷ୍ଣୁଙ୍କ ବାକ୍ୟ ଶୁଣି ସରସ୍ବତୀ ଓ ଗଙ୍ଗା ଜୋରରେ ରୋଦନ କରିବାକୁ ଲାଗିଲେ l ସେମାନଙ୍କୁ ସାନ୍ତ୍ଵନା ଦେଇ ପ୍ରଭୁ କହିଲେ, ଦେବୀ ସରସ୍ବତୀ, ଗୋଟିଏ ଅଂଶରେ ନଦୀ ଓ ଅନ୍ୟ ଅଂଶରେ ବ୍ରହ୍ମାଙ୍କର ପତ୍ନୀ ହେବେ ଏବଂ ପୂର୍ଣ୍ଣରୂପେ ବୈକୁଣ୍ଠବାସିନୀ ହେବେ l ଦେବୀ ଗଙ୍ଗା ଏକ ଅଂଶରେ ନଦୀ ହେବେ l ଅନ୍ୟ ଏକ ଅଂଶରେ ଶିବଙ୍କ ଜଟାରେ ବାସ କରିବେ l ଦେବୀ ଲକ୍ଷ୍ମୀ ଏକ ଅଂଶରେ ନଦୀ, ଏକ ଅଂଶରେ ତୁଳସୀ ବ୍ରୁକ୍ଷ ହେବେ ଓ ପୁର୍ଣ୍ଣତଃ ମୋ ନିକଟରେ ବୈକୁଣ୍ଠ ପୁରରେ ଅବସ୍ଥାନ କରିବେ l 

ପରସ୍ପର ଅଭିଶାପ ଯୋଗୁଁ କାଳ କ୍ରମେ ତ୍ରିଦେବୀ ମର୍ତ୍ତ୍ୟରେ ପଦ୍ମା, ସରସ୍ବତୀ ଓ ଗଙ୍ଗା ନଦୀ ହୋଇ ପ୍ରବାହିତ ହେଲେ l ତ୍ରିଲୋକ ପାବନୀ ଗଙ୍ଗା ଇନ୍ଦ୍ର ଲୋକରେ ମନ୍ଦାକିନୀ, ପାତାଳରେ ଭୋଗବତୀ, କୈଳାସରେ ଗଙ୍ଗା ତଥା ଭୁମଣ୍ଡଳରେ ଅଳକାନନ୍ଦା ନାମରେ ପରିଚିତା l ପୃଥିବୀରେ ଗଙ୍ଗା ଜଳମୟୀ, ସ୍ବର୍ଗରେ କ୍ଷୀରମୟୀ ରୂପେ ନିତ୍ୟପ୍ରବାହିତା l ଏହା କହିବା ବାହୁଲ୍ୟ ପତିତ ପାବନୀ, ପାପ ବିନାଶିନୀ ଭଗବତୀ ଗଙ୍ଗାଙ୍କ ବିନ୍ଦୁ ମାତ୍ର ଜଳ ସ୍ପର୍ଶରେ କଳି ହତ ମଣିଷର ସମସ୍ତ ପାପ ନାଶ ହୋଇଥାଏ l


Rate this content
Log in

Similar oriya story from Inspirational