ଡେମୋ
ଡେମୋ


ଗାଁରେ ରହୁଥିବା ବାପା ମାଆ ରାକେଶର ବାହାଘରକୁ ନେଇ ଚିନ୍ତିତ ଥିଲେ ମଧ୍ୟ କୌଣସି ପ୍ରକାର ରାକେଶକୁ ବିବାହ ବନ୍ଧନରେ ଆବଦ୍ଧ କରିବାକୁ ବାପା ମାଆ ରାଜି କରେଇ ପାରୁନଥିଲେ. ବୈବାହିକ ଜୀଵନ ପାଇଁ ରାଜି ନହେବାର କାରଣ କେହି ଜାଣୁନଥିଲେ ମଧ୍ୟ ରାକେଶ ତା ସାଙ୍ଗ ପ୍ରକାଶ ଜୀଵନ କାହାଣୀ ଶୁଣି ବାହାଘରକୁ ଏକଦମ ନା କହୁଥିଲା. ପ୍ରକାଶର ମାଆ ରୋଗଗ୍ରସ୍ତ ହେବା ଫଳରେ ପ୍ରକାଶ ବାହା ହୋଇଥିଲା ସୁଲଗ୍ନାକୁ. ଗାଁକୁ ବଧୂ ହୋଇ ଆସିବା ପରେ ସୁଲଗ୍ନାର ସ୍ୱାମୀ ପ୍ରତି ଭକ୍ତି ଓ ଶାଶୁ ଶଶୁରଙ୍କ ପ୍ରତି କର୍ତ୍ତବ୍ୟରେ ସମସ୍ତେ ମୁଗ୍ଧ ହୋଇ ଭୁରି ଭୁରି ପ୍ରଶଂସା କରୁଥିଲେ. ପ୍ରକାଶର ଅସଜଡ଼ା ଜୀବନରେ ସୁଲଗ୍ନାର ସ୍ନେହ, ଶ୍ରଦ୍ଧା, ପ୍ରେମ ଓ ଭକ୍ତି ପୂର୍ଣ୍ଣ କର୍ତ୍ତବ୍ୟ ଦେଖି ପ୍ରକାଶ ନିଜେ ମଧ୍ୟ ଚମତ୍କୃତ ହେଉଥିଲା ଓ ନିଜର ପରିଷ୍କାର ପରିଚ୍ଛନ୍ନ ପୋଷାକ ସାଙ୍ଗକୁ, ସ୍ୱାଦିଷ୍ଟ ଖାଦ୍ୟପେୟ ଓ ଭଲ ଭଲ ଟିଫିନ ଓ ମାଆ ବାପାଙ୍କ ପ୍ରତି ସ୍ତ୍ରୀ ର ଉଦାର କର୍ତ୍ତବ୍ୟ ଦେଖି ପ୍ରକାଶ ଖୁବ ଖୁସି ହୋଇ ପାର୍ଥିବ ଆନନ୍ଦ ନେଲା ବେଳେ ଦୁଇମାସ ପରେ ଯେବେ ସୁଲଗ୍ନା ନିଜ ବେଡିଙ୍ଗ ବନ୍ଧାବନ୍ଧି କରି ତାର ନୂଆ ପୋଷ୍ଟିଙ୍ଗ ଲେଟର ଦେଖାଇ ଜଏନ କରିବାକୁ ଗାଁ ଛାଡି ଯିବାକୁ ବାହାରିଲା ତ ପ୍ରକାଶ ବିସ୍ମିତ ହୋଇଥିଲା. ତୁମ ବିନା ଏସବୁ ଦାଇତ୍ୱ କର୍ତ୍ତବ୍ୟ କେମିତି ତୁଲାଇବି କହି ସୁଲଗ୍ନାକୁ ଚାକିରୀ ନକରିବାକୁ ପରାମର୍ଶ ଦେଲାବେଳେ ସୁଲଗ୍ନା କହିଥିଲା ପାଠ ଶାଠ ପଢିଥିବା ଝିଅକୁ କର୍ମ ମିଳିଗଲାପରେ ତାକୁ ଘରକାମ ପାଇଁ ବାନ୍ଧି ରଖିଲେ ବିସ୍ଫୋରଣ ହେବ ବରଂ ଘରର ସମସ୍ତ କର୍ମ କିପରି ତୁଲେଇବାକୁ ହେବ ସେ ଡେମୋ ତ ମୁଁ ଦେଖାଇ ସାରିଛି ଏଣିକି ତୁମେ ତାକୁ ଠିକ ଭାବେ ନେଇଆଣି ଥୋଇପାରିବ. ଏକଥା ଶୁଣି ପ୍ରକାଶର ଖାଲି ମୁଣ୍ଡ ଟିଣା ହୋଇଯାଇଥିଲା ତା ନୁହେଁ ବରଂ ଖୁବ ଶୀଘ୍ର ସେ ନାଣ୍ଡୁ ବାବାଜୀ ହୋଇ ସଂସାର ତ୍ୟାଗୀ ହୋଇଯିବା ନିଜ ଆଖିରେ ଦେଖିଥିଲା ରାକେଶ ତ ମହିଳା ଵା ନାରୀଙ୍କ ପ୍ରତି ଗୋଟେ ଅହେତୁକ ଭୟ ତା ମନରେ ବସାବାନ୍ଧି ଯାଇଥିଲା. ରାକେଶ କାହିଁକି ରାଜି ହେଉନି ବିବାହ କରିବାକୁ ଭାବି ବାପା ମାଆ ତାର ବ୍ୟସ୍ତ ହୋଇପଡୁଥିଲେ.
ଗାଁକୁ ଡାକି,ସେଦିନ ବାପା ଯେବେ ପୁଅ ରାକେଶକୁ ଡାକି ପଚାରିଥିଲେ ରାକେଶ ପାଟିରୁ ବାହାରିଯାଇଥିଲା ତାର ମହିଳା ଵା ନାରୀମାନଙ୍କ ପ୍ରତି ଗୋଟେ ଅଜଣା ଭୟ ରହୁଛି ତ ବାପା ପିଠି ଆଉଁସି ପୁଅକୁ କହିଥିଲେ କି ଗୋଟେ ଝିଅକୁ ବିବାହ କରି ଓ ତାକୁ ନାରୀ ଵା ମହିଳାର ପରିଚୟ ଦେଇ ସାରିଲା ପରେ ଦେଖିବୁ ମହିଳାମାନଙ୍କ ପ୍ରତି ତୋର ଅହେ
ତୁକ ଭୟ ଛାଡ଼ିଯିବ. ରାକେଶ ଯଦିଓ ବାପାଙ୍କର ଏହା ନାରୀଜାତିଙ୍କ ପ୍ରତି କିଛି ପରିମାଣରେ କଟାକ୍ଷ ବୋଲି ବୁଝିପାରିଥିଲା ତଥାପି ନିଜ ଜନ୍ମଦାତ୍ରୀ ଉପରୁ ଅସମ୍ମାନ କାଟିବାକୁ ଯାଇ ବିବାହ କରିବାକୁ ରାଜି ହୋଇଗଲା. ସ୍ତ୍ରୀ ଅଳକା ଥିଲା ଠିକ ତା ବୋଉ ପରି. ସକାଳୁ ଉଠି ଗାଧୁଆ ପାଧୁଆ ସାରି, ଠାକୁର ଓ ତୁଳସୀ ପୂଜା କରି ରାଜେଶ ସହ ବାପା ମାଆଙ୍କର ସବୁପ୍ରକାର ସେବା ସଦିଛାର ସହ କରୁଥିଲା ଠିକ ତା ଜନ୍ମଦାତ୍ରୀ ଭଳି. ଚାକିରୀ ପାଇବାର ସୁଯୋଗକୁ ମଧ୍ୟ ହାତଛଡା କରିଥିଲା ଅଳକା, ଏମିତି କହିକି ଯେ ଘରର ସ୍ତ୍ରୀ ଲୋକମାନେ ସମସ୍ତେ ଯଦି ଚାକିରୀ ନାମରେ ତଥା ଆର୍ଥିକ ସହାୟତା ନାମରେ ବାହାରକୁ ଯିବେ ତେବେ ଗାଁ ଘରର ଦାଇତ୍ୱ କିଏ ନେବ!ଶାଶୁ ଏ ଘରକୁ ବୋହୁ ହୋଇ ଆସିବା ପରେ ଏ ଘରର ସମସ୍ତ ଦାଇତ୍ୱ କର୍ତ୍ତବ୍ୟ ତୁଲେଇ ପୁଣି ପୁଅ ଝିଅ ବଢ଼େଇ ଓ ତାଙ୍କ ଶାଶୁ ଶଶୁରଙ୍କ ଯତ୍ନ ନେଇ ଏବେ ଯେଉଁ ବୟସରେ ଉପନୀତ ହୋଇଛନ୍ତି ସେଇଟା ତାଙ୍କର ବିଶ୍ରାମ ନେବା ସମୟ. ମୁଁ ଯଦି ଚାକିରୀ କରିବାକୁ ଯାଏ,ସେମାନଙ୍କ ଯତ୍ନ ସହ ଆସୁଥିବା ଭବିଷ୍ୟତ ସନ୍ତାନମାନଙ୍କ ଦାଇତ୍ୱ କିଏ ନେବ!ଆଶ୍ଚର୍ଯ୍ୟ ଓ ଚମତ୍କୃତ ହେଲା ରାକେଶ. ଅଳକାର ଏକମାତ୍ର ଅଳି ଥିଲା ପୂର୍ଣ୍ଣକୁମ୍ଭ ମେଳାକୁ ଯିବା ଓ ସେଠି ନାଗାସାଧୁମାନଙ୍କୁ ଭକ୍ତିପୁତ ପ୍ରଣାମୀ ଜଣାଇବା. ମହାପୂର୍ଣ୍ଣକୁମ୍ଭମେଳାରେ ନାଗାସାଧୁମାନଙ୍କ ଜୀଵନ ଶୈଳୀ କଥା ଓ ଗାଥା ଶୁଣି ଦେଖି ଓ ଅନୁଭବ କରି ଅଳକା କାନ୍ଦିପକାଏ ତ ରାକେଶ ବୁଝେଇ ଦିଅନ୍ତି ସେମାନେ ସମସ୍ତେ ମୋହ, ମାୟା, ଆସକ୍ତି, ଲୋଭ, ମୋହ, ଅହଂକାର, ଲୁହ, ଲହୁ, ଶୋକର ଉର୍ଦ୍ଧରେ. ତା ସହିତ ପ୍ରକୃତି ନିୟମରେ ବାନ୍ଧି ହୋଇ ପ୍ରକୃତି କୋଳରେ ଜୀଵନ ବିତେଇ ସଦ୍ଭାବନା ଓ ଶାନ୍ତି ପ୍ରତିଷ୍ଠା ତାଙ୍କର ମୂଳଲକ୍ଷ.ଆମ ଜୀଵନ ଶୈଳୀ ଆମକୁ ଯେମିତି ଭଲ ତାଙ୍କ ଜୀଵନ ଶୈଳୀ ସେମିତି କେବଳ ଐଶ୍ବର୍ଗୀକ ଶକ୍ତି, ଭକ୍ତି ଓ ପ୍ରୀତି ପାଇଁ ଉଦିଷ୍ଟ. ଅଳକା କିଛି ବୁଝିଯାଇଥିଲେ ମଧ୍ୟ ନାଣ୍ଡୁବାବାଜୀମାନଙ୍କୁ ଖୋଜି ଖୋଜି ସେମାନଙ୍କୁ କମ୍ବଳ,ଲୋଟା ଇତ୍ୟାଦି ବାଣ୍ଟି ଚାଲିଥିଲା. ରାକେଶ ଅଳକାର ବାପା ନାଣ୍ଡୁ ବାବାଜୀ ହୋଇ ଚାଲିଯାଇଥିବା ଶୁଣିଥିବା କଥାଟା ବୋଧହୁଏ ସତ ଥିଲା ବୋଲି ଭାବୁଥିଲା ସିନା ଅଳକାକୁ କେଵେ ପଚାରିନଥିଲା.ଅଳକା ଗାଁରେ ରହି ଶାଶୁ, ଶଶୁର, ଗାଁ ଘର ଓ ସମସ୍ତ କଥା ଠିକ ଠିକ ବୁଝୁଥିଲା ତ ଶାଶୁ କହୁଥିଲେ ତୋର ପ୍ରଥମ ସନ୍ତାନ ଝିଅ ହେଇଛି ବୋଲି ଆଉ ଦୁଃଖ ନାହିଁ. ତୋଠୁ ପାଇଥିବା ସଂସ୍କାର ଡେମୋ ତାକୁ ନିଶ୍ଚୟ ଗୋଟେ ସଂସ୍କାରୀ ଝିଅରୁ ବୋହୁ କରିବାକୁ ସମୟ ଲାଗିବ ନାହିଁ.