Lokanath Rath

Classics Inspirational Children

4  

Lokanath Rath

Classics Inspirational Children

ଡାମରା କାଉ

ଡାମରା କାଉ

4 mins
181



ସାବିତ୍ରୀ ଦେବୀ ଏତେ ବଡ଼ ଖଞ୍ଜାଟାରେ ଏକୁଟିଆ । ବୟସ ଆସି ୮୦ ପାଖ ପାଖି ହେଲାଣି କିନ୍ତୁ ଅତୀତର ସବୁ ସ୍ମୃତିକୁ ଧରି ସେ ସମୟ କାଟୁଛନ୍ତି । ମନରେ ଯେତେ କିଛି ଭାବୁଥିଲେ ବି ସେ ମୁହଁରେ ହସ ଫୁଟାଇ ସବୁବେଳେ ସମସ୍ତଙ୍କ ଭଲ ମନ୍ଦ ବୁଝନ୍ତି । ସେ ଗାଁ ରେ ସମସ୍ତେ ତାଙ୍କୁ ସାବି ଖୁଡି ବୋଲି ଡାକନ୍ତି । ପାଠ ବେଶୀ ପଢି ନାହାନ୍ତି କିନ୍ତୁ ଜୀବନ ଜିଇଁବାର ବେଶ ଅଭିଜ୍ଞତା ଅଛି । ସାଇ ପଡିଶାର ସମସ୍ତେ ତାଙ୍କ ପାଖକୁ ଆସନ୍ତି କିଛି ଭଲ ମନ୍ଦ କଥା ବି ହୁଅନ୍ତି । ସମସ୍ତେ ଚାଲି ଗଲାପରେ ସେ ପୁଣି ନିଜ ଆଶା ଓ ଅପେକ୍ଷାକୁ ନେଇ ନିଜକୁ ସମ୍ଭାଳି ନିଅନ୍ତି । ଅତି ଅଳ୍ପ ବୟସରେ ତାଙ୍କ ବାହାଘର ହେଇଥିଲା । ଭଗବାନ ଗୋଟିଏ ବୋଲି ପୁଅ ସୁବ୍ରତକୁ କୋଳରେ ଦେବାର କେଇଟା ବର୍ଷ ପରେ ତାଙ୍କ ସ୍ୱାମୀ ଆଖି ବୁଜିଲେ କିନ୍ତୁ ସେ ଦମ୍ଭ ହାରି ନ ଥିଲେ । ସେ ସୁବ୍ରତକୁ ପାଠ ପଢାଇଲେ ଓ ନିଜେ ତାକୁ ସବୁ ବେଳେ ବଡ଼ ସ୍ବପ୍ନ ଦେଖିବା ପାଇଁ କହୁଥିଲେ । ଗାଁ ରେ ଜମି ବାଡ଼ିରୁ ଯାହା ଆମଦାନୀ ହୁଏ ସେଥିରେ ବେଶ ଚାଲି ଯାଉଥିଲେ । ସୁବ୍ରତ ବଡ଼ ହୋଇ ଯେବେ ସହର ଗଲା ପଢିବାକୁ ,ସେ କିଛି ଜମି ବିକ୍ରି କରି ତାକୁ ପାଠ ପଢ଼ାଇଲେ । ସୁବ୍ରତ ପି ଜି କରି ସାରିବା ପରେ ସହରରେ ଗୋଟିଏ ବଡ଼ ଘରୋଇ ସଂସ୍ଥାରେ ଚାକିରୀ କଲା । ସାବିତ୍ରୀ ଏବେ ସୁବ୍ରତକୁ ହାତରୁ ଦୁଇ ହାତ କରିଦେଲେ । ସୁବ୍ରତର ବାହାଘର ସହରର ଜଣେ ଧନୀ ବ୍ୟକ୍ତିଙ୍କ ଝିଅ ସୁନିତା ସହ ହୋଇଗଲା । ପ୍ରଥମେ ପ୍ରଥମେ ସୁବ୍ରତ ଓ ସୁନିତା ଗାଁକୁ ପ୍ରତ୍ୟେକ ମାସେ ଦୁଇ ମାସରେ ଆସୁଥିଲେ । ସାବିତ୍ରୀ ବି ଭାରି ଖୁସି ହେଉଥିଲା । ବିହାଘରର ଦୁଇ ବର୍ଷ ପରେ ସୁବ୍ରତର ଗୋଟିଏ ପୁଅ ଜନ୍ମ ହେଲା । ବହୁତ ଧୁମ ଧାମରେ ନିଜ ନାତିର ସତ୍ୟନାରାୟଣ ପୂଜା ସାବିତ୍ରୀ କଲେ । ଗାଁ ର ସମସ୍ତଙ୍କୁ ଡାକିଲେ । ବଡ଼ ଆନନ୍ଦରେ ନାତିର ନାଁ ସମୀର ବୋଲି ରଖିଲେ ।

ଏମିତି କିଛି ଦିନ ବିତି ଗଲା । ଏବେ ସୁବ୍ରତ ଓ ସୁନିତା ଗାଁକୁ ଆସିବା ଟିକେ କାମ କରିଦେଲେ ,ସମୀରର ପାଠ ପଢା ଆରମ୍ଭ ହୋଇ ଯାଇଥିଲା ବୋଲି । ସେମାନେ ଯେତେ ବାଧ୍ୟ କଲେ ବି ସାବିତ୍ରୀ ଗାଁ ଛାଡି ଯିବାକୁ ମୋଟେ ରାଜି ହେଲେ ନାହିଁ । ସେ କହୁଥିଲେ ,'' ମୁଁ ଏ ଭିଟା ମାଟି ଛାଡି କୁଆଡେ ଯିବି ନାହିଁ । ମୋର ଏହି ଚାଳଘର ମୋ ପାଇଁ ରାଜନଅର। '' ଏବେ ସମୀରର ସ୍କୁଲ ଛୁଟି ହେଲେ ସୁବ୍ରତ ସୁନିତା ଓ ସମୀରକୁ ତାଙ୍କ ପାଖରେ ଛାଡି ଦେଇ ଯାଆନ୍ତି। ସମୀର ତାଙ୍କଠାରୁ ଭଲ ଗପ ଶୁଣେ ଓ ତାଙ୍କରି କୋଳରେ ରାତିରେ ସୋଇପଡ଼େ। ବେଳେ ବେଳେ ସମୀର ପ୍ରଶ୍ନ କରେ ,''ଜେଜେ ମା ତମକୁ ଆମ କଥା ମନେ ପଡ଼େନି? ଆଉ ଆମେ ଆସିବା ବେଳେ ତୁମେ ଆଗରୁ କେମିତି ସବୁ ଠିକ ଠାକ କରି ଘର ସଜାଡି ଦେଇଥାଅ?ତୁମକୁ କଣ କେହି ଖବର ଦେଇ ଦିଏ ?''ସାବିତ୍ରୀ ହସି ହସି କହନ୍ତି ,'' ଆରେ ମୋ ଧନ ତୁମକୁ ମୁଁ କେମିତି ଭୁଲିବି କହିଲୁ । ? ତୁମେ ସବୁ ମୋ ହୃଦୟରେ ସବୁବେଳେ ଅଛ । ଆଉ ତୁମ ଆସିବା କଥା ପରା ମତେ ଆମ ଚାଳ ଉପରେ ବସି ସେ ଡାମରା କାଉ ରାବି ରାବି ଖବର ଦେଇ ଦିଏ । ତୁ ଦେଖିନୁ ସବୁଦିନେ କେମିତି ଆସି ସେ ଆମ ଚାଳରେ ବସେ ଆଉ ମୁଁ ଭାତ ଦିଟା ଦେଇଦେଲେ ଖୁସିରେ ଖାଇ ଚାଲି ଯାଏ । '' ସମୀର ସବୁଦିନେ ଦେଖେ ତାକୁ ଓ ତା ଜେଜେ ମା ର ତା ପ୍ରତି ରହିଥିବା ସ୍ନେହକୁ । ତେଣୁ ସେ ଆଉ କିଛି ନ ପଚାରି ସୋଇପଡ଼େ । ଧୀରେ ଧୀରେ ସମୀର ବଡ଼ ହେଲା । ସୁବ୍ରତ ବି ନିଜ କାମରେ ବହୁତ ବ୍ୟସ୍ତ ରହିଲେ । ଏବେ ଗାଁକୁ ଆସିବା ଦୁଇ ତିନି ବର୍ଷ ହେଲା ହୋଇ ନାହିଁ । ସମୀର କିନ୍ତୁ ତା ଜେଜେ ମାକୁ ଆଦୌ ଭୁଲି ନାହିଁ । ଏଣେ ସାବିତ୍ରୀ ଦେହ ଖରାପ ହେଲା । ସେ ବିଛଣାରୁ ଉଠି ପାରୁ ନ ଥିଲା । ଗାଁ ର ପଡୋଶୀ ତାଙ୍କୁ ସାହାଯ୍ୟ ହେଲେ । ସୁବ୍ରତକୁ ଖବର ପଠେଇଦେଲେ । ସୁବ୍ରତ ପାଖରେ ଖବର ପହଞ୍ଚିଲା ଓ ସେ ଖାଲି ସୁନିତାକୁ କହିଲା କାଲି ଗାଁକୁ ଯିବା ମାଙ୍କ ଦେହ ଖରାପ । ତୁମେ ଏବେ ସମୀରକୁ କିଛି କୁହନା । ସେତିକି ବେଳେ ସମୀର ଆସି କହିଲା ,''ବାପା ଦେଖ ତ ,ଆମ ଗାଁ ର ଡାମରା କାଉ ଆସି ରାଉ ରାଉ ହୋଇ କିଛି କହୁଛି । ସତରେ କଣ ଜେଜେ ମା ତା ହାତରେ ଖବର ପଠାଇଛନ୍ତି ?'' ଏତକ ଶୁଣି ସୁବ୍ରତ ଓ ସୁନିତଙ୍କର ଆଖିରୁ ଲୁହ ବୋହିଗଲା.. ସମୀରକୁ ପାଖକୁ ଟାଣି ଆଣି ସୁବ୍ରତ କହିଲେ ,''ହଁ ସେ ଖବର ପଠେଇଛି ,ଆମେ ସମସ୍ତେ କାଲି ଯିବା । '' ଏତକ ଶୁଣି ସମୀର ବହୁତ ଖୁସି ହେଇଗଲା ।

ପରଦିନ ସୁବ୍ରତ ସମସ୍ତଙ୍କୁ ନେଇ ଗାଁକୁ ବାହାରିଲେ । ଘର ପାଖରେ ପହଞ୍ଚିଲା ବେଳକୁ ଦେଖିଲେ ତାଙ୍କ ଘରେ ବହୁତ ଲୋକ ଜମା ହୋଇଛନ୍ତି । କିଛି ବୁଝି ପାରିଲେ ନାହିଁ । ସମୀର ଦେଖିଲା ଚାଳ ଉପରେ ଡାମରା କାଉ ବସିଛି ଓ ତାକୁ ଦେଖି ରାଉ ରାଉ ହେଲା । ସମୀର ଘର ଭିତରକୁ ଯାଉ ଯାଉ କହିଲା ,''ଆରେ ଡାମରା କାଉ ଆଉ କାହିଁକି ରାଉ ରାଉ ହେଉଚୁ ?ଆମେ ପରା ଆସିଗଲୁ । '' ଏତକ କହି ସେ ଦୌଡ଼ିଗଲା ତା ଜେଜେ ମା ସାବିତ୍ରୀ ପାଖକୁ । ପଛରେ ସୁବ୍ରତ ଓ ସୁନିତା ଡରି ଡରି ଆସୁଥାନ୍ତି । ସମୀର ଦେଖିଲା ତା ଜେଜେ ମା ଶୋଇଛି ଓ ଲୋକେ କାନ୍ଦୁଛନ୍ତି । ସେ ଦେଖିଲା ତା ବାପା ଓ ମା ବି କାନ୍ଦିବାରେ ଲାଗିଲେ । ସେ କିଛି ନ ବୁଝି ସାବିତ୍ରୀକୁ କହିଲା ,''ଜେଜେ ମା ଦେଖ ମୁଁ ଆସିଛି । ଆମେ ସମସ୍ତେ ଆସିଚୁ । ତୁମ ଡାମରା କାଉ ପରା ଖବର ଦେଇଥିଲା । '' ଏତକ ଶୁଣି ସୁବ୍ରତ ଆହୁରି କାନ୍ଦିଲେ । ସୁନିତା କାନ୍ଦି କାନ୍ଦି ସମୀରକୁ କହିଲେ ,''ତୋ ଜେଜେ ମା ଆମକୁ ଛାଡି ସବୁଦିନ ପାଇଁ ଚାଲିଗଲେ । ସେଇଥିପାଇଁ ସେ ଡାମରା କାଉ ବି ଆଜି କାନ୍ଦୁଛି। ''ତାପରେ ସମୀର ବୁଝି ପାରିଲା ଯେ ତା ଜେଜେ ମା'ର ମୃତ୍ୟୁ ହୋଇ ଯାଇଛି । ସେ ବି ତାଙ୍କୁ ଧରି କାନ୍ଦିବାକୁ ଲାଗିଲା ।

ସୁବ୍ରତ ଓ ସୁନିତା ସାବିତ୍ରୀଙ୍କର କ୍ରିୟା କର୍ମ ସାରିଲେ । ତା ପରେ ସମୀର ଦେଖିଲା ସେ ଡାମରା କାଉ ଆଉ ଆସିଲା ନାହିଁ । ସେ ସୁନିତାକୁ ପଚାରିଲା ,''ମା ସେ ଡାମରା କାଉକୁଆଡେ ଗଲା ?'' ସୁନିତା ତା ମୁଣ୍ଡକୁ ଆଉଁସି ଦେଇ କହିଲେ ,'' ସେ ତୋ ଜେଜେ ମା'ଙ୍କ ସାଙ୍ଗରେ ସାଙ୍ଗ ହୋଇ ଚାଲିଗଲା । ''ତାପରେ ସୁବ୍ରତ ଗାଁ ର ସମସ୍ତଙ୍କ ଠାରୁ ବିଦାୟ ନେଇ ସୁନିତା ଓ ସମୀରକୁ ନେଇ ସହର ଚାଲିଗଲେ ।



Rate this content
Log in

Similar oriya story from Classics