Padmalaya Padhy

Inspirational

4  

Padmalaya Padhy

Inspirational

ଦାୟିତ୍ତ୍ୱ

ଦାୟିତ୍ତ୍ୱ

5 mins
266



ସାତ ବର୍ଷର ଲୋରି ଯେତେ ଚତୁର ଓ ବୁଦ୍ଧିମତୀ ହେଲେ ବି ଜାଣି ପାରୁ ନଥିଲା ଯେ ଦେହ ଖରାପ ହେବା ସତ୍ତ୍ୱେ ମାଆ କାହିଁକି ଅଜାଙ୍କ ଘରକୁ ଯିବାକୁ ବାହାରିଛି l ଦେହ ଭଲ ହେଲା ପରେ ଗଲେ କଣ ହୁଅନ୍ତା ନାହିଁ ?


—ମାଆ ତୋର ତ ଦେହ ଭଲ ନାହିଁ ତୁ ଏବେ ଅଜାଙ୍କ ଘରକୁ ଯିବା କଣ ନିହାତି ଜରୁରୀ ? ଆମ ସହ ସେଇଠି ତୁ ବୁଲି ପାରିବୁ ନାହିଁ l ଆମେ କେତେ ଜାଗା ବୁଲିବାକୁ ଯିବୁ କିନ୍ତୁ ତୁ ଖାଲି ଶୋଇ ରହିବୁ l ସେଥିପାଇଁ ଏବେ କେହି ଯିବା ନାହିଁ ତୁ ଭଲ ହୋଇ ସାରିବା ପରେ ଯାଇ ସମସ୍ତେ ଏକାଠି ଯିବା l


ଲୋରି ଚଟାପଟ ପ୍ରତ୍ୟେକ କଥାର ଉତ୍ତର ଦେବା ଶିଖି ଯାଇଛି ସିନା ଜୀବନର ଏତେ ଜଟିଳ ମାନସାଙ୍କ ପାଇଁ ଏପର୍ଯ୍ୟନ୍ତ ତାର ବୟସ ହୋଇନାହିଁ l ଯାହା ଶୁଣିବ ସବୁ କଥା ମୁଣ୍ଡକୁ ନେବ ଓ ଅନେକ ସମୟ ବସି ଭାବିବ l ଲୋରିର ମାଆ ଶ୍ରୀୟା ସାତ ବର୍ଷର ଏଇ ବାଳୁତଟିକୁ କେମିତି ବୁଝେଇବ ଯେ ତାର ଦେହ ଖରାପ ସହ ବାପ ଘରର କଣ ସମ୍ପର୍କ ରହିଛି l ଶ୍ରୀୟାର ଦ୍ଵିତୀୟ ସଂସ୍କରଣ ହେଲା ଲୋରି l ଲୋରି ଏବେ ଧୀରେ ଧୀରେ ବଡ଼ ହେଉଛି ଏବଂ ଜୀବନର ସେଇ ମୋଡ଼ରେ ପହଞ୍ଚିଲେ ଆପେ ଆପେ ତାକୁ ସବୁ ପ୍ରଶ୍ନର ଉତ୍ତର ମିଳିଯିବ l


ଉଚ୍ଚ ବେତନଭୋଗୀ ସ୍ୱାମୀ ସନ୍ତାନ ଏବଂ ଶାଶୁ ଘରର ପରିପୂର୍ଣ୍ଣ ସଂସାରଟିରେ ସର୍ବଦା ସେ ସମସ୍ତଙ୍କୁ ସ୍ନେହର ଡୋରିରେ ବାନ୍ଧି ରଖିବାକୁ ଚେଷ୍ଟା କରି ଆସିଛି l ତାର ସାନ ଯାଆ ତ ଛୋଟିଆ ଛୋଟିଆ କଥାର ବାହାନା କରି ବାପ ଘରକୁ ଯିବାକୁ ଉଣ୍ଡି ବସିଥାଏ l କିନ୍ତୁ ଶ୍ରୀୟାକୁ ତାହା ଭଲ ଲାଗେନା l ଦରକାର ଥାଉ କି ନଥାଉ ଛୋଟ ଛୋଟ କଥାରେ ବାପ ଘରକୁ ଦୌଡ଼ି ଯିବାକୁ ଶ୍ରୀୟା ପସନ୍ଦ କରେନାହିଁ l


ଲୋରି ଜନ୍ମ ବେଳେ ବି ସେମିତି ହୋଇଥିଲା l


—ଲୋରି କଣ ଏଇଠି ଜନ୍ମ ହୋଇ ପାରିବ ନାହିଁ ? ଏତେ ଦୂର ଯିବା କଣ ଦରକାର ?


—ଝିଅର ପ୍ରଥମ ଡେଲିଭରି ବାପା ମାଆଙ୍କ ପାଖେ ହିଁ ହେବା କଥା ଶ୍ରୀୟା l ଏପରି ସମୟରେ ଆରାମଦାୟକ ସ୍ଥାନ ଏବଂ ମାନସିକ ନିରାପତ୍ତାର ଆବଶ୍ୟକତା ରହିଛି l ବାପ ଘରକୁ ଯିବା ପାଇଁ ଝିଅ ମାନେ ଗୋଡ଼ ଟେକି ବସିଥାନ୍ତି ଆଉ ତୁମେ କହୁଛ ଯେ….. l


—ବାପ ଘର ଆରାମଦାୟକ ନା ତୁମେ ଦାୟିତ୍ତ୍ୱ ନେବାକୁ ଅକ୍ଷମ ? ଆମ ଛୁଆ ଉପରେ ମୋର ଯେତିକି ତୁମର ବି ସେତିକି ଅଧିକାର ରହିଛି l ତାର ଦାୟିତ୍ତ୍ୱ ବି ଆମେ ଦୁହେଁ ଏକତ୍ର ତୁଲେଇବା କଥା

ନୁହେଁ କି ?


ଶ୍ରୀୟା ଚାହୁଁଥିଲା ସ୍ୱାମୀ ଅନୁପ ଯେତେବେଳେ ବାପା ହେବାକୁ ଯାଉଛି ତାର ବି କିଛି ଦାୟିତ୍ତ୍ଵବୋଧ ରହିବା ଦରକାର l ନିଜ ପତ୍ନୀ ଏବଂ ସନ୍ତାନ ପ୍ରତି ଅନୁପ ବି ସେତିକି ସଚେତନ ରହିବା ଦରକାର ଯେତିକି ଶ୍ରୀୟାର ନିଜ ସ୍ୱାମୀ ଓ ସନ୍ତାନ ପ୍ରତି ରହିଛି l କିନ୍ତୁ ଯେତେ ଯାହା କହିଲେ ବି ଅନୁପ ଶ୍ରୀୟାକୁ ନିଜ ପାଖରେ ରଖି ନିକଟସ୍ଥ ହସ୍ପିଟାଲରେ ଡେଲିଭରି କରାଇବା ପାଇଁ ରାଜି ନଥିଲା ସୁତରାଂ ଶ୍ରୀୟା ମାଆ ବାପାଙ୍କ ନିକଟରେ ରହି ହିଁ ଲୋରିକୁ ଜନ୍ମ ଦେଇଥିଲା l ଲୋରିକୁ ପ୍ରାୟ ଦେଢ଼ ବର୍ଷ ହେବା ଯାଏଁ ଶ୍ରୀୟା ବାପ ଘରେ ରହିଛି l ଅବଶ୍ୟ ଅନୁପ ପ୍ରତି ସପ୍ତାହରେ ମାଆ ଓ ଛୁଆକୁ ଦେଖିବାକୁ ଯାଏ l


ଏବେ ପୁଣି ଆଉ ଗୋଟିଏ ଅଡୁଆ l ଶ୍ରୀୟାର ଗଲ ବ୍ଲାଡରରେ ଷ୍ଟୋନ ହୋଇଥିବାରୁ କେତେ ଦିନର ହସ୍ପିଟାଲ ରହଣି ପାଇଁ ସେ ପଡିଶା ଘର ରୁନୁ ମାଉସୀଙ୍କ ସାଙ୍ଗେ ବି ତାଙ୍କ କାମବାଲୀକୁ ନେଇ କଥା ପକ୍କା କରି ସାରିଥିଲା l ତାଙ୍କ କାମବାଲୀ କେତେ ଦିନ ଆସି ରୋଷେଇବାସ କରି ଦେଇ ଯାଇଥାନ୍ତା ଏବଂ ସେଥିପାଇଁ ତାକୁ ଉଚିତ ପାରିଶ୍ରମିକ ବି ଦିଆ ହୋଇଥାନ୍ତା l ଅପରେସନ ପରେ ବି ଘରର ଦାୟିତ୍ତ୍ୱକୁ କାମବାଲୀ ହାତରେ ନ୍ୟସ୍ତ କରି ଶ୍ରୀୟା ସମ୍ପୂର୍ଣ୍ଣ ବିଶ୍ରାମ ପାଇ ପାରିଥାନ୍ତା l କିନ୍ତୁ ଅନୁପ ସ୍ତ୍ରୀ କୁ ନେଇ ବାପ ଘରେ ଛାଡିବା ପାଇଁ ଏଣେ ପ୍ରସ୍ତୁତି ଆରମ୍ଭ କରି ଦେଲାଣି l ବାପ ଘରେ ଛାଡିଦେଲେ ସକାଳ ପ୍ରକାର ଦାୟିତ୍ତ୍ଵରୁ ମୁକ୍ତି ମିଳିଯିବ ତାକୁ l


ଶ୍ରୀୟା ମନେ ମନେ ଭାବେ ସେଇଟା ତା ବାପା ମାଆଙ୍କ ଘର ନା ହସ୍ପିଟାଲ ? ଯେତେବଳେ କିଛି ବି ଦେହ ମୁଣ୍ଡ ଖରାପ ହେବ ସେ ଯାଇ ପହଞ୍ଚି ଯିବ ଏବଂ ପରିବାରର ସଦସ୍ୟ ମାନେ ସେବା ଶୁଶ୍ରୁଷାରେ ତାକୁ ସୁସ୍ଥ କରି ପଠାଇବେ l କୋଉ ଥର କୋଉ ପ୍ରକାର ବାହାନା l ଏଥରକ ଅନୁପକୁ ପୁଣି ଛୁଟି ମିଳିବ ନାହିଁ l ଶ୍ରୀୟା କହିଲା ଡକ୍ଟର କହିଛନ୍ତି ମାସେ ଦେଢ଼ ମାସ ପର୍ଯ୍ୟନ୍ତ ଆମେ ସମୟ ନେଇ ପାରିବା l ତେଣୁ କିଛି ଚିନ୍ତା ନାହିଁ l ତୁମର ପ୍ରୋଜେକ୍ଟ କାମ ସରୁ ଯେତେବଳେ ଛୁଟି ମିଳିବ ସେତେବେଳେ ଯାଇ ଅପରେସନ ହେବ l କିନ୍ତୁ ଅନୁପ ପ୍ରତିଥର ଭଳି ଏଥରକ ବି ଶ୍ରୀୟାକୁ ପାଖରେ ରଖି ତାର ଦାୟିତ୍ତ୍ୱ ନେବା ପାଇଁ ଅନିଚ୍ଛୁକ l


ତହିଁ ପରଦିନ ସକାଳୁ ଟ୍ରେନ ଅଛି ଶ୍ରୀୟାର ବାପ ଘରେ ପହଞ୍ଚିବା ପାଇଁ ମାତ୍ର ତିନି ଘଣ୍ଟା ଲାଗିବ l ରାତିରୁ ଜିନିଷ ସଜଡା ସଜଡ଼ି ସରିଛି l ଏଥର କିନ୍ତୁ ଲୋରିର ମନ ବିଶେଷ ଖୁସି ନାହିଁ l ମାଆର ଦେହ ଖରାପରେ କିଏ ବା ଖୁସି ହୋଇ ପାରିବ l ଅଜା ଆଈଙ୍କ ପାଖେ ଥିଲେ ବି କିଛି ମଜା ଲାଗିବ ନାହିଁ ଏଥର l ବରଂ ମାଆ ଭଲ ହୋଇସାରିବା ପରେ ଗଲେ ଚଳିଥାନ୍ତା l ମାଆର ବି ମନ ଭଲ ଲାଗିଥାନ୍ତା l ତେଣୁ ଯିବା କଥା ଶୁଣି ପୂର୍ବଥର ମାନଙ୍କରେ ଖୁସିରେ ଉଛୁଳି ପଡୁଥିବା ଲୋରି ଆଜି କୌଣସି ପ୍ରତିକ୍ରିୟା ଦେଖାଉ ନଥିଲା l ରାତିରେ ଖାଇଲା ବେଳେ ଅନୁପ କହିଲା l


—ମା ଲୋରି ? ତୁ ଠିକରେ ଖାଉନାହୁଁ କାହିଁକି ?


—ବାବା ଆମେ ଏଇଠି ରହିଗଲେ ହୁଅନ୍ତା ନାହିଁ l ଏଠି ତ କେତେ ବଡ଼ ବଡ଼ ହସ୍ପିଟାଲ ଅଛି ଯାହା ଅଜାଙ୍କ ଘର ପାଖେ ନାହିଁ l


—ବାବାକୁ ଛାଡି ଯିବା ପାଇଁ ଦୁଃଖ କରନା ମା l ମୁଁ ପ୍ରତି ସପ୍ତାହରେ ତୁମ ମାନଙ୍କୁ ଦେଖିବାକୁ ଯିବି ଯେ l ଏଇଠି ରହିଲେ ମୁଁ ତୋର ମାଆ ପାଖେ ସବୁବେଳେ ରହିବା ସମ୍ଭବ ନୁହେଁ l ଛୁଟି ମିଳିବା କଷ୍ଟ ବୋଲି ତ ତୁମ ମାନଙ୍କୁ ମୁଁ କୁଆଡେ ବୁଲାଇବାକୁ ବି ନେଇ ପାରୁନି l ପୁଣି ଅପରେସନ ପରେ ଏଠାରେ ମାଆର ଯତ୍ନ ନେବାକୁ କିଏ ଅଛି

କହିଲୁ ? ସେଇଠି ସିନା ଅଜା ଆଈ ମାଉସୀ ସମସ୍ତେ ଅଛନ୍ତି l


କିଛି ସମୟ ପର୍ଯ୍ୟନ୍ତ ଚିନ୍ତା କରି ବହୁତ ମୁଣ୍ଡ ଖଟାଇ ଲୋରି କହିଲା l


— ହେଲେ ମାଆର ସିନା ସେଇଠି ଅଜା ଆଈ ସମସ୍ତେ ଅଛନ୍ତି ତୁମ ଗାଁଆରେ କିନ୍ତୁ ଜେଜେ ଓ ଜେଜୀ ତ ଆଉ ନାହାନ୍ତି l ଯଦି ତୁମ ଦେହ କେବେ ଖରାପ ହୁଏ ତୁମେ କୋଉଠିକି ଯିବ ?


ଲୋରିର ପଦେ କଥାରେ ଅନୁପ ଓ ଶ୍ରୀୟାର ଚିନ୍ତା ଶକ୍ତି ଲୋପ ପାଇ ଯାଇଥିଲା ଏବଂ କାହାରି ମୁହଁରେ ଭାଷା ନଥିଲା l ଉଭୟେ କେବଳ ପରସ୍ପରକୁ ଚାହିଁ ରହିଥିଲେ l ଅନୁପ ରାତିସାରା ସେଇ ଗୋଟିଏ କଥା ଭାବୁଥାଏ l ଅଫିସ ଯିବା ମସ୍ତି କରି ବୁଲିବା ହୋଟେଲରେ ଖାଇ ଆସି ଘରେ ଶୋଇବା ଭିତରେ ସେ ନିଜ ପତ୍ନୀ ଓ ସନ୍ତାନର ଦାୟିତ୍ତ୍ୱ ନିର୍ବାହ କରି ପାରୁନାହିଁ ଯାହା ଗୋଟିଏ ସ୍ୱାମୀ ଓ ପିତାର ଭୂମିକା ନିଭାଇବା ନିମନ୍ତେ ନିତାନ୍ତ ଆବଶ୍ୟକ l ସର୍ବୋପରି ସେ ନିଜେ ଜଣେ ପୁରୁଷ ହୋଇ ନିଜ ଲୋକଟିକୁ ଘାଣ୍ଟି ହେବାକୁ ଛାଡ଼ିଦେଇ ଖସି ଯାଉଛି l ତହିଁ ପରଦିନ ଶ୍ରୀୟାର ଟ୍ରେନ ଟିକଟ କ୍ୟାନସେଲ କରା ହୋଇଥିଲା l ସୁରୁଖୁରୁରେ ନିଜ ଘର ପାଖ ହସ୍ପିଟାଲରେ ଶ୍ରୀୟାର ଅପରେସନ ବି ହୋଇଗଲା l ଘରକୁ ଫେରିବା ପରେ ଦିନେ କଥା ପ୍ରସଙ୍ଗରେ ଶ୍ରୀୟା କହିଲା l


—ମୋ ଲାଗି ତୁମକୁ ଗୁଡ଼ାଏ ଦିନ ଛୁଟିରେ ରହିବାକୁ ହେଲା l ତେଣେ ଅଫିସରେ ସବୁ ଏପଟ ସେପଟ ହୋଇଥିବ l


—ଏପରି ହେବା ଦ୍ୱାରା ତୁମେ ଦୁହେଁ ମୋ ଆଖି ସାମ୍ନାରେ ତ ରହିଲ ଏବଂ ତୁମେ ମାନେ ଦୂରରେ ଥିଲେ ମୁଁ ତୁମ ମାନଙ୍କ ଭଲ ମନ୍ଦ ଚିନ୍ତା କରି ଅଶାନ୍ତିରେ ଘାଣ୍ଟି ହୋଇଥାନ୍ତି ଏବେ ସେମିତି ହେଲାନାହିଁ l ସତରେ ମୋ ଝିଅ ହିଁ ମୋତେ ରାସ୍ତା ଦେଖାଇଲା l ତୁମ ବଦଳରେ ମୋର ଯଦି କିଛି ହୋଇଥାନ୍ତା ମୋ ପିତାମାତା ଆଜି ବଞ୍ଚିଥିଲେ ବି ତୁମେ କଣ ମୋତେ ସେମାନଙ୍କ ନିକଟକୁ ପଠାଇ ଦେଇଥାନ୍ତ ? ମୋ ପାଇଁ ତୁମେ ସବୁ କରିଥାନ୍ତ ନଚେତ ଆବଶ୍ୟକ ପଡିଲେ ସେମାନଙ୍କୁ ଏଠାକୁ ଡାକିଥାନ୍ତେ l ଆଜିଯାଏଁ ମୁଁ ମୋର ଦାୟିତ୍ତ୍ୱ ଏବଂ କର୍ତ୍ତବ୍ୟ ପଥ ହୁଡ଼ି କୌଣସି ଝାମେଲାର ସାମ୍ନା କରି ପାରୁ ନଥିଲି l ମୋ ଝିଅ ଯୋଗୁଁ ହିଁ ପରିଶେଷରେ ମୋ ଆଖି ଖୋଲିଗଲା l


Rate this content
Log in

Similar oriya story from Inspirational