Turn the Page, Turn the Life | A Writer’s Battle for Survival | Help Her Win
Turn the Page, Turn the Life | A Writer’s Battle for Survival | Help Her Win

Lipi Sahoo

Tragedy

4  

Lipi Sahoo

Tragedy

ଦାଦାଘର ପୂଜା

ଦାଦାଘର ପୂଜା

8 mins
391


କାହିଁ କେତେ କାଳ ପୁରୁଣା ସେ କୋଠି କିଏ ଜାଣେ ?? ପାଖାପାଖି ଯେତେ ଘର ଏଠି ଅଛି ସବୁ ଠାରୁ ଅଲଗା ବାରି ହେଇ ପଡେ ଏବେ ବି । କଟକ ରାଉସାପାଟଣା ର ଜଗଦାନନ୍ଦ ମୁଖାର୍ଜୀ ଙ୍କ ଘର । ଜେଜେମା କହେ ଦେଶ ସ୍ବାଧୀନ ହେବା ସମୟରେ ଏଇ ମୁଖାର୍ଜୀ ଦାଦା ତାଙ୍କ ପରିବାର ଧରି କଲିକତା ରୁ କଟକ ଚାଲି ଆସିଥିଲେ । ଏଇ କୋଠି ଥିଲା କୋଉ ଗୋଟେ ବଡ ଜମିଦାର ଙ୍କର । ସେ ବିକି ଦେଇଥିଲେ ଏଇ ମୁଖାର୍ଜୀ ଦାଦାଙ୍କୁ । ସେତେବେଳେ ଦାଦାଙ୍କ ପ୍ରତିପତ୍ତି ବହୁତ ଥିଲା । ଆୟୁର୍ବେଦ ଡାକ୍ତର ଥାଲେ ତା ସହ ଆୟୁର୍ବେଦ ଔଷଧ ବି ବିକୁଥିଲେ । ନାମିଦାମୀ ଲୋକଙ୍କ ଭିତରେ ନାଁ ଡାକ ଥିଲା ତାଙ୍କର ସେତେବେଳେ । ଲୋକେ କୁହନ୍ତି କଲିକତାରେ ବି ତାଙ୍କର ବହୁତ ସମ୍ପତି ବାଡି ଅଛି ବୋଲି । ତାଙ୍କ ସ୍ତ୍ରୀ ଙ୍କ ନାମ ବେଲା । ହେଲେ ଏଠି ସମସ୍ତେ ତାଙ୍କୁ ବୋଉଦି ବୋଉଦି ବୋଲି ଡାକନ୍ତି । ସେ ଯେତେବେଳେ କଟକ ଆସିଥିଲେ ସେତେବେଳେ ଦାଦାଙ୍କ ବୟସ ୩୦ ବର୍ଷ ପାଖାପାଖି ଆଉ ବୋଉଦି ବୟସ ୧୫ /୧୭ ପାଖାପାଖି ହେବ । ତାଙ୍କ ପିଲାପିଲି ସବୁ ଏଇଠି ଜନ୍ମ ହେଇଥିଲେ ଆଉ ଏଇଠି ହିଁ ପାଠ ପଢ଼ିଛନ୍ତି । ପିଲା କହିଲେ ୨ ପୁଅ ଆଉ ଦୁଇ ଝିଅ ।


                  ହେଲେ ଆମର ମୁଖ୍ୟ ଚର୍ଚ୍ଚା ର ବିଷୟ ବୋଉଦି କି ଦାଦା ନୁହଁ । ଆମ ଚର୍ଚ୍ଚା ର ବିଷୟ ସେ ଏଠି ପ୍ରତିବର୍ଷ କରୁଥିବା ଦୂର୍ଗା ପୂଜା । ଓଃ !! କେତେ ନିଷ୍ଠାପର ଭାବରେ ଆଉ କେତେ ଯାକଯମକ ରେ ସେ ପ୍ରତିବର୍ଷ ଦୂର୍ଗାପୂଜା କରନ୍ତି ନ ଦେଖିଲା ଲୋକ ବିଶ୍ୱାସ କରିବେନି । ଝୁଣା ଧୂପ ଅଗୂର ରେ ମହକି ଯାଏ ଚାରିଆଡ଼ । ତା ସହ ମାଦଳ ର ତାଳ । ଦେହ ମନ ଆପେ ଆପେ ଭକ୍ତିରେ ଭରିଯାଏ । ସେତେବେଳେ ତ ଏବେ ଯେମିତି କଟକର ଚାରିଆଡ଼େ ଦଶହରା ମେଢ ହେଉଛି ସେମିତି ହେଉ ନଥିଲା । ରାଉସାପାଟଣା ପାଖାପାଖି ଅଞ୍ଚଳ ର ଯେତେ ଲୋକ ଏଇଠି ଆସି ଏକାଠି ହୁଅନ୍ତି । ବୋଉଦି ସାହିରେ ଘର ଘର ବୁଲି ପୂଜା ପାଇଁ ନିମନ୍ତ୍ରଣ କରି ଯାଆନ୍ତି । ସାନ ବଡ଼ ଗରିବ ଧନୀ କିଛି ବି ବାଛ ବିଚାର କରନ୍ତି ନି । ସେ ଯେତିକି ସୁନ୍ଦରୀ ସେତିକି ସରଳ ଆଉ ମେଳାପି । ପାନ ଖଣ୍ଡେ ସଦାବେଳେ ପାଟିରେ ଯକା ହେଇଥାଏ । ଦଶହରା ଦିନ ବିସର୍ଜନ ପୂର୍ବରୁ ଖଣ୍ଡମଣ୍ଡଳ ଟା ଯାକୁ ଖାଇବାକୁ ଦିଅନ୍ତି । ସେ ଦିନ ସାହିରେ କାହା ଘରେ ସକାଳେ ଚୂଲି ଜଳା ହୁଏ ନାହିଁ ।


                 ସତୁରୀ ବର୍ଷ ଭିତରେ ବହୁତ କିଛି ବଦଳି ଯିବା ସ୍ୱଭାବିକ । ଜଗଦାନନ୍ଦ ଦାଦା ମରିବା ର କୋଡ଼ିଏ ବର୍ଷ ହେଲାଣି । ବେଲା ବୋଉଦି ୯୫ ବର୍ଷ ରେ ପହଞ୍ଚିଲେଣି । ହେଲେ ଏଇ ବୟସରେ ବି ଖୁବ୍ ଚଳଚଞ୍ଚଳ ଅଛନ୍ତି । ବଡ଼ପୁଅ କୁ ଛାଡି ଦେଲେ ଆଉ ସମସ୍ତେ ଓଡିଶା ବାହାରେ ରୁହନ୍ତି । ମଙ୍ଗଳାବାଗ ଛକରେ ବଡ଼ ପୁଅ ଦୁଇଟା ବିରାଟ ଔଷଧ ଦୋକାନ ଖୋଲିଛି । ଗୋଟେ ଆୟୁର୍ବେଦୀ ଆଉ ଗୋଟେ ଏଲୋପାଥି ର । ଏବେ ବି ଦଶହରାରେ ତାଙ୍କ ପରିବାର ଏକାଠି ହୁଅନ୍ତି । ସେଇ ନିଷ୍ଠାରେ ପୂଜା ହୁଏ । 

                ଆମ ବାପା ଯେତେବେଳେ ଛୋଟ ଥିଲେ ସେ ପୁରୁଣା ସମୟର ଦାଦା ଘର ପୂଜା କଥା ଜେଜେମା ଆମକୁ କହେ । ସେ ସବୁ କୋଉ କାହାଣୀ ଠାରୁ କମ୍ ନୁହେଁ । ଦେହ ଶିତେଇ ଉଠେ । ବହୁତ କଥା ତ ବିଶ୍ୱାସ ହୁଏନି । ଆଜି କାଲିକା ପିଲା ଆମେ ସେ ସମୟର ନିଷ୍ଠା ଆଉ ଅଲୌକିକତା କୁ କ'ଣ ସହଜରେ ହଜମ କରି ପାରିବା ?? ହେଲେ ଜେଜେମା କଥାରେ ଏତେ ଦୃଢ଼ତା ଥାଏ ଯେ , ହଁ ହେଇପାରେ ଅବସ୍ଥାରେ ଆମେ ରହୁ । ହେଲେ ପ୍ରତିଦିନ ରାତିରେ ତାକୁ ବେଢ଼ି ଯାଇ ପଚାରୁ ଆଉ କ'ଣ ସବୁ ଘଟଣା ହେଇଛି ଦାଦା ଘର ପୂଜା ରେ , କହ ନା ... ।


             ତା ଠାରୁ ଯାହା ଶୁଣିଥିଲି । ଦାଦା କଟକ ଆସିବା ପରେ ପରେ ସେ କଲିକତାର ତାରାପୀଠ ରୁ ଜଣେ ନୈଷ୍ଠିକ ବ୍ରାହ୍ମଣ ତଥା ଶକ୍ତି ଉପାସକ ବାମଦେବ ଭଟ୍ଟାଚାର୍ଯ୍ୟ ଙ୍କୁ ଡକେଇ ଆଣି ଏଇଠି ଥଇଥାନ କରେଇଲେ । ତାଙ୍କ ଘରେ ସବୁ ଦିନେ ମାଁ ଙ୍କ ପୂଜା ହୁଏ ଆଉ ପୂଜା ଏଇ ନନା କରନ୍ତି । ଆମ ଘର ପଛପଟେ ନନାଙ୍କ କୋଠା ଘର । ବାମଦେବ ତ କେବେଠୁ ମରିଗଲେଣି । ଏବେ ତାଙ୍କ ପୁଅ ଅଛି । ତାଙ୍କୁ ଆମ ସାହିରେ ସମସ୍ତେ ବଙ୍ଗାଳୀ ନନା ବୋଲି ଡାକନ୍ତି । ଜେଜେମା କହେ ରାତିରେ ବାମ ନନା କୁ ଯିଏ ଦେଖିବ ସେ ଡରି ଯିବ । କଳା ରଙ୍ଗର ଲମ୍ବା ଚଉଡା ମଣିଷ । ମୁଣ୍ଡ ରେ ସିନ୍ଦୁର ର ବିରାଟ ତିଳକ । ଆଉ ଆଖି ଗୁଡା ସବୁବେଳେ ଲାଲ ଲାଲ । ସେଥିରେ ସେ ପିନ୍ଧିଥିବେ ଲାଲ ରଙ୍ଗର ଧୋତି ଚାଦର । ଲୋକେ ଭାବନ୍ତି ସେ ମଦ ମାଂସ ଖାଆନ୍ତି ବୋଧେ ଯାହା ହେଲେ ବି ଶକ୍ତି ଉପାସକ ନା । ହେଲେ ସେ ୟେ ସବୁ କିଛି ବି ଛୁଅନ୍ତି ନି । କେବଳ ଦଶହରା ବେଳେ ଯୋଉ ବଳୀ ପଡେ ତା'ରି ମାଂସ ବର୍ଷ ରେ ଥରେ ଖାଆନ୍ତି । ସେ ବି ଦାଦା ଘରେ । ନିଜ ଘରେ କେବେ ଆମିଷ ପଶାନ୍ତି ନି । ତାଙ୍କ ଗୁରୁ ଗମ୍ଭୀର ସ୍ୱରରେ ଯେତେବେଳେ ନନା ମନ୍ତ୍ର ପାଠ କରନ୍ତି ମନେ ହୁଏ ଗଗନେ ପବନେ ଯେମିତି ଏକ କମ୍ପନ ସୃଷ୍ଟି ହୁଏ । ତା ସହ ଝୁଣା ଆଉ ଧୂପର ଧୂଆଁ ଆଉ ବାସ୍ନା ରେ ଆପେ ଆପେ ଭକ୍ତିରେ ଯେ କେହି ବି ବୁଡି ଯିବେ । 


              ଜେଜେମା କହେ ତମକୁ ମିଛ ମତେ ସତ, ବହୁତ ଥର ଆମେ ଦେଖିଛୁ ପୂଜା ବେଳେ ମାଁ ଙ୍କ ଆଖି ପତା ପଡ଼ିବା , ପାଦ ହଲିବା ଏମିତି କି ବିସର୍ଜନ ପୂର୍ବରୁ ମାଁ ଙ୍କ ଆଖି ରୁ ଲୁହ ବୋହିବା । ଦଶହରା ସମୟରେ ସାହିରେ ରାତି ବାରଟା ପରେ ମାଁ ଙ୍କ ପାଉଁଜି ଶବ୍ଦ ବି ଶୁଭେ । ଲୋକ କୁହନ୍ତି ମାଁ ସାହି ପରିକ୍ରମା କରନ୍ତି । ତାଙ୍କ ସିକୃତୀରୁ ଆମ ସାହିରେ ସେତେବେଳେ କେବେ ବି ମହାମାରୀ ଆସିନି । ସେ ସମୟରେ ଗୋଟେ ଗୋଟେ ମହାମାରୀ ଆସେ ଗାଁ ଗାଁ ପଦା ହେଇଯାଏ । ସବୁ ସେଇ ମାଁ ର କୃପା କହି ଜେଜେମା ହାତଯୋଡେ ।

              

        

            ସବୁ ବର୍ଷ ଦୂର୍ଗା ଙ୍କ ମୂର୍ତ୍ତି ଗଢିବା ପାଇଁ ମାସକ ଆଗରୁ କଲିକତା ରୁ ମିସ୍ତ୍ରୀ ଡକାନ୍ତି । ବିଧି ଅନୁସାରେ ଗଡଗଡିଆ ରୁ ମାଟି ଉଠା ହୁଏ । ପୁଣି ଦାଦା ନିଜେ ଯାଆନ୍ତି ବାଇଜି କୋଠାକୁ । ସେଠୁ ବି ମାଟି ଅଣାହୁଏ ନିୟମ ଅଛି । ସେ ବାଇଜି ନାଁ ଥିଲା ଶାନ୍ତା । ଶାନ୍ତା ପାଇଁ ଥାଳିରେ ଶାଢ଼ୀ ଫଳମୂଳ ମିଠା ଆଉ ନିମନ୍ତ୍ରଣ ପତ୍ର ନେଇ ଯାଆନ୍ତି । ସାଥୀ ରେ ବାମା ନନା ବି ଯାଆନ୍ତି । ପୂଜା ପାଠ ପରେ ଶାନ୍ତା ନିଜ ହାତରେ ମୁଠାଏ ମାଟି ଟେକିଦିଏ ନନା ହାତକୁ । 

             

          ଶାନ୍ତା ପାଲିଙ୍କି ଚଢି ଆସେ ଦଶମୀ ଦିନ । ବେଲା ବୋଉଦି ମା ଭଳି ତା'ର ସତ୍କାର କରନ୍ତି । ସେ ପାଲିଙ୍କି ଚଢି ଆସିଲେ ସାହିରେ ତାକୁ ଦେଖିବା ପାଇଁ ଭିଡ଼ ଯମେ । କି ସୁନ୍ଦର ଲହୁଣୀ ଭଳି ଗୋରା ତକ୍ ତକ୍ ଚେହେରା କୁ ଟଣାଟଣା ବଡ଼ ବଡ଼ ଆଖି । ସୁନା ଗହଣା ସବୁ ଚକ୍ ଚକ୍ କରୁଥାଏ ତା'ର । ନାଲି ପାଟ ନ ହେଲେ ଧଳା ପାଟରେ ନାଲି ଧଡିର ଶାଢ଼ୀ ପିନ୍ଧି ସେ ଆସେ । ମୁଣ୍ଡ ରେ ବଡ଼ ଟୋପା । ପାଲିଙ୍କି ରୁ ଓହ୍ଲାଇ ସିଧା ଯାଇ ମାଁ ଙ୍କୁ ମୁଣ୍ଡିଆ ମାରି ସେଇଠି ବସିବ । ଯେତେ ପର୍ଯ୍ୟନ୍ତ ମାଁ ଙ୍କ ପାଦରୁ ଫୁଲ ନ ଖସିଚି ସେମିତି ଏକ ଲୟରେ ଅନେଇ ବସିଥିବ । ମାଁ ଙ୍କ ପାଦରୁ ଫୁଲ ଖସିଲେ ଯାଇ ସିନ୍ଦୂର ଖେଲା ହୁଏ । ପ୍ରତିବର୍ଷ ସେଇ ଧାରା ଚାଲେ । ବେଲା ବୋଉଦି ତାକୁ ପେଟ ପୂରା ଖୁଏଇ ପିଏଇ ମେଲାଣି ଦିଅନ୍ତି । ଏମିତି ତିରିଶ ବରଷ ଯାଏଁ ମାଁ ଙ୍କ ପୂଜା ବିନା ବାଧା ରେ ଚାଲିଥିଲା । ମାଁ ର କୃପା ହାତ ଆମ ମୁଣ୍ଡ ଉପରେ ଥିଲା । ମାଁ ର ମହିମା ପାଖାପାଖି ଗାଁ ମାନଙ୍କୁ ବି ପ୍ରସାରି ଯାଇଥିଲା । ବରଷ କୁ ବରଷ ଭକ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିଲା । ହେଲେ ଯେମିତି କାହା ନଜର ଲାଗିଗଲା ।


                 ଯୋଉ ବରଷ ଦାଦା ମଲେ । ସେଇ ବରଷ କଥା ପୂଜାରେ ବଡ଼ ଅଘଟଣ ଘଟିଲା । ତୁମେମାନେ ସବୁ ଛୋଟ ଛୋଟ ହେଇଥିଲ । ସବୁଥର ମାଁ ଙ୍କର ରାତିରେ ଗୋଟେ ଗୁପ୍ତ ପୂଜା ହୁଏ । ବାମା ନନା ଏକା ମଣ୍ଡପ ରେ ବସି ରାତିସାରା ସେ ପୂଜା କରନ୍ତି । ମଣ୍ଡପ ଆଗରେ କନା ବନ୍ଧା ହେଇ ବନ୍ଦ କରି ଦିଆଯାଏ । ଯେମିତି କେହି ଦେଖି ପାରିବେ ନାହିଁ । ଦାଦା ବୋଉଦି ଘର ଭିତରେ ରାତିସାରା ଉଜାଗର ହୋଇ ବସନ୍ତି । ଭୋରବେଳକୁ ପୂଜା ସରେ । ନିସ୍ତବ୍ଧ ରାତିରେ କେବଳ ନନାର ମନ୍ତ୍ର ଅସ୍ପଷ୍ଟ ଭାବରେ ଶୁଣାଯାଏ । ସେଇ ବର୍ଷ କ'ଣ ହେଇଚି ନା ରାତି ଦୁଇଟା ପରେ ଆଉ ନନାର ପାଟି ଶୁଭିଲା ନାହିଁ । ଦାଦା ବ୍ୟସ୍ତ ହେଇଗଲେ କ'ଣ ହେଲା ବୋଲି । ତଥାପି କିଛି ସମୟ ଅପେକ୍ଷା କଲେ ସବୁ ଆଡ଼େ ସେଇ ନୀରବତା । ଶୀତ ରାତିରେ ଅଳପ ଅଳପ କୁହୁଡି ପଡ଼ିଥାଏ । ସେ ଆଉ ଧୈର୍ଯ୍ୟ ଧରି ରହି ପାରିଲେନି । ଦୌଡିଲେ ମଣ୍ଡପ ଆଡ଼କୁ । ବୋଉଦି ଯେତେ ଅଟକେଇଲେ ସେ ମାନିଲେ ନାହିଁଁ । ସେ ପୂଜା କେହି ଦେଖିବା କଥା ନୁହେଁ । ପୂଜାରେ କିଛି ଏପଟ ସେପଟ ହେଲେ ଗୋଟେ ଦୁଇଟା ମୁଣ୍ଡ ଗଡ଼ିବା ସୁନିଶ୍ଚିତ । ବୋଉଦି ପାଗିଳୀ ଙ୍କ ଭଳି ଦାଦା ଙ୍କ ପଛରେ ଦୌଡିଲେ । କନା ଟେକି ଦେଇ ଯେତେବେଳେ ଦାଦା ଭିତରକୁ ପଶିଗଲେ । ଦେଖିଲେ ଯନ୍ତ୍ର କଟା ହେଇଚି , ଫୁଲ ସିନ୍ଦୂର ପଡ଼ିଛି , ଝୁଣା ଧୂଆଁ ଚାରିଆଡ଼େ ଭରି ରହିଛି ହେଲେ ନନା ଆଖି ତରାଟି ଜିଭ କାଢି ଆସନ ପାଖରେ ପଡ଼ିଛି । ଦାଦା ସାଙ୍ଗେ ସାଙ୍ଗେ ଯାଇ ନନା ମୁହଁ ରେ ପାଣି ଛାଟି ଗାମୁଛା ରେ ପବନ କଲା ପରେ ନନା ଟିକେ ଆଖି ଖୋଲି ଚାହିଁଲେ । ତାଙ୍କୁ ଟେକି ନେଇଗଲେ ଘର ଭିତରକୁ । ସେଠି ତ ନନା ଖାଲି କାନ୍ଦିଲେ କିଛି କହିଲେନି । ଯେତେ ପଚାରିଲେ ସେ କିଛି ଉଁ କି ଚୁ‍ଁ କଲେନି । ଭୟରେ ଏପଟ ସେପଟ କୁ ଅନଉଥାନ୍ତି ଆଉ କାନ୍ଦୁ ଥାଆନ୍ତି । ବହୁତ ପରେ କହିଲେ କେମିତି କେଜାଣି ମୋ ଆଖି ଲାଗିଗଲା । ମୁଁ ଢୋଳେଇ ପଡ଼ିଲି । ମନ୍ତ୍ର ଉଚ୍ଚାରଣ ରେ ଭୂଲ ହେଇଗଲା । ମାଁ ଙ୍କ ଆଖି ରୁ ଯେମିତି ଅଗ୍ନି ବର୍ଷା ହେଲା । ମୁଁ କିଛି ଆଉ ଜାଣିନି ବେହୋସ୍ ହେଇ , ପଡିଲି । 

                 ଯେନତେନ ପ୍ରକାରେ ସେ ବର୍ଷ ପୂଜା ସରିଲା । ବାମା ନନା କାହା ସାଙ୍ଗରେ ବି କଥାବାର୍ତ୍ତା କରୁ ନଥାନ୍ତି ଠିକ୍ ସେ । ଖାଲି ବିଧି ଅନୁସାରେ ପୂଜା କରି ଚାଲି ଥାଆନ୍ତି । ସେଥର ବି ମାଁ ଙ୍କ ଶାନ୍ତ ସୁନ୍ଦର ଆଖି ବେଶୀ ଲାଲ ଦେଖା ଯାଉଥାଏ । ସତେ ଯେମିତି ରାଗିଛନ୍ତି । ଶାନ୍ତା ଆସିଲା ହେଲେ ପାଦରୁ ଫୁଲ ଖସିଲାନି । ୪ଘଣ୍ଟା ଅପେକ୍ଷା କଲା ହେଲେ ଯମା ଖସିଲାନି । ସେମିତି ସିନ୍ଦୂର ଖେଳା ହେଲା । କାହା ମନରେ ସରସତା ନଥିଲା । କିଛି ଗୋଟେ ବଡ ଅଘଟଣ ଘଟିବାକୁ ଯାଉଛି ସମସ୍ତେ ଅନୁମାନ କରୁ ଥାଆନ୍ତି । ଦାଦା ତ ମାଁ ଗୋଡ଼ ତଳେ ପଡି କାନ୍ଦି କାନ୍ଦି ଗଡିଲେ । କହିଲେ କିଛି ବି ଯଦି ଦୋଷ ହେଇଛି ମୋତେ ହିଁ ଦଣ୍ଡ ଦେ ମାଁ । ସବୁ ଦୋଷ ମୋର । ଆଉ କାହାର କିଛି କରନା ମାଁ । 

                 ସତ କୁ ସତ ପାଞ୍ଚ ଦିନ ପରେ କୁମାର ପୂର୍ଣ୍ଣିମା ଦିନ ସକାଳୁ ଦାଦା ଦୁଲ୍ କରି କଚାଡି ହେଇ ପଡିଲେ । ତା ପରେ ତ ହାତ ଗୋଡ଼ ଅଚଳ । ଟେକି ନେଇ ଖଟ ଉପରେ ଶୁଏଇ ଦେଲେ । ଦାଦା କଥା ବି କହି ପାରୁ ନଥାନ୍ତି । ଖାଲି ହାତ ଠାରି କହିଲେ ମୁଁ ଆଉ ରହିବିନି କିର୍ତ୍ତନୀଆ ଦଳ ଡକାଅ । ଏତିକି ରେ ତ ବୋଉଦି ଙ୍କର କାନ୍ଦ ବୋବାଳି ଆରମ୍ଭ ହେଇଗଲା । ସାହି ସାରାରୁ ଉଠି ଆସିଲେ ତାଙ୍କ ଘରକୁ । ସବୁ କାନ୍ଦୁ ଥାଆନ୍ତି । ବାମା ନନା ଦୌଡ଼ିକି ଆସିଲା । ସେ ତ ଖାଲି ଆକାଶ କୁ ଅନେଇ କାନ ମୋଡ଼ି ଚାପୁଡ଼ା ଖାଇଲା । ମାଁ ମୋତେ କ୍ଷମା କରିଦେ , ମାଁ ମୋତେ କ୍ଷମା କର କହି ଗଡିଲା । ଦାଣ୍ଡରେ କାଉ କୋଇଲିଟେ ବି ଦେଖା ହେଉ ନଥାନ୍ତି । ସବୁ ତ ସେଇଠି ବସି କାନ୍ଦୁ ଥାଆନ୍ତି । ସଂଧ୍ୟା ସମୟରେ ଦାଦା ହାତ ଠାରି ଦେଖେଇଲେ ମାଁ ଆସିଲେଣି ମୋତେ ନେବାକୁ । ଖୁସିରେ ହାତ ଜୋଡି ପ୍ରଣାମ କଲେ ତା ପରେ ତ ସବୁ ଶେଷ । ଘରେ ଘରେ ଶଂଖ ହୁଳହୁଳି ବଦଳରେ କାନ୍ଦବୋବାଳି ପଡ଼ିଗଲା । ପିଠାପଣା ତ ଦୂରର କଥା କାହା ଘରେ ଚୂଲି ଜଳିନି ସେ ଦିନ । କୁମାର ପୂର୍ଣ୍ଣିମା କ'ଣ ପାଳିବେ ସବୁ ପୁରୁଷ ଚାଲିଲେ ଶ୍ମଶାନ ଘାଟକୁ । 


              ଘଟଣା ପରଠାରୁ ବାମା ନନା ଆଉ ମାଁ ଙ୍କ ପୂଜା କରି ନାହାନ୍ତି । ତାଙ୍କ ପୁଅ ପୂଜା ସମ୍ଭାଳିଲା । ସବୁ ବର୍ଷ ପୂଜା ହେଉଛି ହେଲେ ସେବେ ଠାରୁ ମାଁ ଙ୍କ ଅଲୌକିକ ଲୀଳା ଆଉ କେହି ଦେଖିବାକୁ ପାଉ ନାହାଁନ୍ତି । ବଙ୍ଗାଳୀ ନନା ଭାରି ନିଷ୍ଠାରେ ପୂଜା କରେ । ବୋଉଦି ବି ସେଇ ପୁରୁଣା ସବୁ ଧାରାକୁ ପାଳନ କରନ୍ତି । ହେଲେ କାହାର ନଜର ଲାଗିଲା କେଜାଣି ସେବେଠାରୁ ଆଉ ଜୀବନ୍ତ ମାଁ ଙ୍କ ଦର୍ଶନ କେହି ପାଇ ନାହାଁନ୍ତି ।

                 

      ହଁ ଦାଦା ଗଲା ପରେ ବାମା ନନା ପାଗଳ ପରିକା ଏଣେତେଣେ ଘୂରି ବୁଲିଲା । ଯାହାକୁ ବି ଦେଖେ ତାକୁ କୁଣ୍ଢେଇ ବହେ କାନ୍ଦେ । ଖାଇବା ପିଇବାରେ ଠିକ୍ ଠିକଣା ରହିଲାନି । ଘରକୁ ବି ଯାଏନି । ଏମିତି ମାସେ ବିତିଗଲା । ଠିକ୍ ପୂର୍ଣ୍ଣିମା ଦିନ ତାକୁ କେହି ଦେଖିବାକୁ ପାଇଲେ ନି । ସବୁ ଆଡ଼େ ଖୋଜାଖୋଜି କଲେ ରାତିରେ କେହି ଜଣେ ଆସି କହିଲା ମଶାଣିରେ ଦାଦାଙ୍କ ସମାଧି ପାଖରେ ପଡ଼ିଛନ୍ତି ନନା । ସମସ୍ତେ ଧାଇଁଲେ ମଶାଣି । ସେତେବେଳେ କୁ ସବୁ ଶେଷ । ନନା ପର ପାରି କୁ ଚାଲି ଯାଇ ଥିଲେ । 


                 ଜେଜେମା କହେ ତୁମେମାନେ ତ ସେତେବେଳେ ବହୁତ ଛୋଟ ଛୋଟ ହେଇଥିଲ । ତୁମେମାନେ ୟେ ସବୁ କିଛି ଜାଣି ପାରି ନଥିବ । ଏବେ ଶୁଣିକି ବି ବିଶ୍ୱାସ କରିବନି । ସେ ଯୁଗ ଥିଲା ଅଲଗା ଆଉ ଲୋକ ମାନେ ବି । ଦେବାଦେବୀ ଥିଲେ କଥାକୁହା । ଡାକିଲେ 'ଓ' କରୁଥିଲେ । କୁଆଡେ ଗଲା ସେ ଯୁଗ ??? ଟିକେ ଟିକେ ଭୂଲ ପାଇଁ ପ୍ରାୟଶ୍ଚିତ କରୁଥିଲେ । ହସି ହସି ସବୁ ଦଣ୍ଡ କୁ ଗ୍ରହଣ କରୁଥିଲେ ।


Rate this content
Log in

More oriya story from Lipi Sahoo

Similar oriya story from Tragedy