Padmalaya Padhy

Inspirational

3  

Padmalaya Padhy

Inspirational

ଚିଠି

ଚିଠି

4 mins
169



କୁନି ଲୋ !

ଆଶିଷ ନେବୁ l ଉଡ଼ାଜାହାଜରେ ଏବେ ବସିଲୁ l ବସିବା ପରେ ଫୋନ ବନ୍ଦ କରିବା ପାଇଁ କହୁଛନ୍ତି ସେଥିପାଇଁ ମନକଥା ଗୁଡିକ ଲେଖି ଦେଉଛି l ଗଲେ ସବୁ କଥା କହିଥାନ୍ତି କିନ୍ତୁ ତୁ ସବୁବେଳେ ଚିଠି ଲେଖିବାକୁ କହୁଥିଲୁ ନା ଚିଠି ପୁଣି ଶୀଘ୍ର ସରେନାହିଁ ଏବଂ ଆମେ ଥିବା ଯାଏଁ ସେଗୁଡିକ ବି ସେମିତି ସତେଜ ରହିଥାଏ ସେଥିପାଇଁ ଭାବିଲି ଆଜି ହିଁ ଉପଯୁକ୍ତ ସମୟ ଆସିଛି ତୋତେ ଚିଠି ଲେଖିବା ପାଇଁ l କପାଳରେ ଦୁଃଖ ପାଇବାକୁ ଲେଖା ହୋଇଥିଲା ଦୁଃଖ ପାଇଲି ଏବଂ ଲୁହ ଗଡ଼ାଇବାକୁ ଲେଖା ହୋଇଥିଲା ତେଣୁ ଲୁହ ବି ଗଡ଼ାଇଲି l ତିନି ବର୍ଷର ନର୍କ ଯନ୍ତ୍ରଣା ଆଜି ସରିଲା l 


ବିଦେଶର ଚାକଚକ୍ୟ ବହିରେ ପଢ଼ିଥିଲି ସିନା ସେଠି ଏତେ କଥା ହୁଏ ଜାଣି ନଥିଲି ଲୋ ମୁଁ l ମୋ ଦେଶ ମୋ ମାଆର କୋଳ ମୋତେ ଗନ୍ଧେଇଲା ତେଣୁ ମୋର ଏ ଦଶା l ଗାଁ ରେ ଥିବା ବେଳେ ତ ଟଙ୍କା ବିଡ଼ା ଗୁଡାକ ଖାଲି ସ୍ୱପ୍ନରେ ଆସୁଥିଲେ l ଭାବିଲି ଏଠି ଶାଗ ପଖାଳ ଖାଇ ଜୀବନ ଯାକ ଟଙ୍କାର ସ୍ବପ୍ନ ଦେଖିବା ଅପେକ୍ଷା ସେଠାରେ ଯାଇ ନଗଦ ଟଙ୍କା କମାଇଲେ ଆମର ଭବିଷ୍ୟତ ଉଜ୍ଜଳ ହେବ l ଆଜି ସିନା ଆମେ ଦୁଇ ଜଣ ଅଛୁ କାଲି ପୁଣି ଆମର ପରିବାର ବଢ଼ିବ ନା ନାହିଁ କହିଲୁ l ସେତେବେଳେ କେମିତି ଚାଲିବ ବୋଲି ଚିନ୍ତା କରି ଆଗପଛ ନଭାବି ଚାଲିଗଲି ସିନା ହେଲେ ସେଇଠୁ ଆଉ ବାହାରି ପାରିଲି ନାହିଁ l ତିନି ବର୍ଷର ଯମ ଯନ୍ତ୍ରଣା ଆଉ କହନା ଲୋ କୁନି l ତୋଅରି ମୁହଁ ଖାଲି ଦିଶି ଯାଉଥାଏ l


ଗଲାବେଳେ ତୋର ମନେ ଥିବ ଗୋଟେ କଳା ବହି ମୋ ପାଖରେ ଥିଲା ତାକୁ ଦେଖାଇଲେ ପୁଣି ବିଦେଶ ଭିତରକୁ ଯାଇହୁଏ ଓ ଆସିହୁଏ l କଣ କହନ୍ତି ନା…ତାକୁ…ମନେ ପଡୁନି…ହଁ ହଁ ପାସପୋର୍ଟ l ସେଇ ବହିଟା ଦେଖାଇ ଆମେ ସିନା ବିଦେଶରେ ପହଞ୍ଚି ଗଲୁ କିନ୍ତୁ ସେଠିକି ଯାଉ ଯାଉ ସେ ବହିଟା ଆମଠୁ ଛଡେଇ ନେଇଗଲେ ଲୋ l ରୁନା ଭାଇ କହିଲା ସେ ବହିଟି ନଥିଲେ ଆମେ ଆଉ ଆମ ଦେଶକୁ ଫେରି ପାରିବା ନାହିଁ l ଆମେ କାଳେ ଚାଲି ଯିବୁ ବୋଲି ସେମାନେ ପାସପୋର୍ଟଟା ଛଡାଇ ନେଲେ ଆମଠାରୁ ଯେପରି ଆମେ ସାରା ଜୀବନ ତାଙ୍କ ପାଇଁ ହିଁ ଖଟିବୁ l ରୁନା ଭାଇର କଥା ସତ ହେଲା l ସେ ବହି ଯାହା ପାଖେ ଥିଲା କେତେ ନେହୁରା ହେଲେ ବି ସେ ଆମକୁ ଛାଡିଲା ନାହିଁ l ଯେ ପର୍ଯ୍ୟନ୍ତ ତା ପାଖରେ ବହିଟି ଥିବ ସେପର୍ଯ୍ୟନ୍ତ ଆମେ ତାର ଚାକର ହୋଇ ରହିଥିବୁ l କେତେ କଷ୍ଟରେ ଯାଇ ଆମକୁ ଉଦ୍ଧାର କରାହେଲା ତୁ ତ ସବୁ ଜାଣିଥିବୁ l ଆଜିର ଦିନରେ ଆମେ ସ୍ୱାଧୀନ ହୋଇ ଭାରତ ମାତାର କୋଳକୁ ଫେରି ଯାଉଛୁ l


ଆମ ମାଟି ମାଆ ସ୍ୱାଧୀନ ହେବାର ତିନି ବର୍ଷ ପରେ ସମ୍ବିଧାନ ପ୍ରଣୟନ ହୋଇଥିଲା ବୋଲି ପଢ଼ିଥିଲି ଯେଉଁଥିରେ ସବୁ ନାଗରିକଙ୍କର ସମାନ ଅଧିକାର ଏବଂ କର୍ତ୍ତବ୍ୟ ମଧ୍ୟ ସମାନ ରହିଛି l ହେଲେ ଏ ନୂଆ ଜାଗାରେ ବହୁତ ବାଛ ବିଚାର ଲୋ କୁନି l ତୁ କହିଥିଲୁ ମୋ ସାଙ୍ଗରେ ଆସିବା ପାଇଁ l ଏସବୁ ଦେଖି ପାରି ନଥାନ୍ତୁ l ଆଉ କେବେ ବି ଦେଶ ଛାଡି ଯିବି ନାହିଁ ଲୋ l କେତେ ପରିଶ୍ରମ କରିବାକୁ ପଡ଼ୁ କରିବି ଏବଂ ତୋତେ ସୁଖରେ ରଖିବି l କେତେ ବାଧାବିଘ୍ନ ଆସୁ ଲଢ଼ିବି ସିନା ମୋ ଦେଶ, ମୋ ମାଟି ମାଆକୁ ଛାଡି ଯିବି ନାହିଁ l ଯୋଉ ଦେଶ ମୋତେ ମାଟି ଦେଲା ଯାହାର ପାଣି ପବନରେ ମୁଁ ବଡ଼ ହେଲି, ଯୋଉ ଦେଶର ଦାନା ଖାଇ ମୋ ପେଟ ପୁରିଲା ମୁଁ ସେଇ ଦେଶକୁ ହିଁ ଆଡେଇ ଦେଇ ଚାଲିଗଲି l


ଏଡ଼େ ଏଡ଼େ ତିନି ବଖରା ଚାଳଘର ମୋତେ ଅଣ୍ଟିଲା ନାହିଁ କି ରଙ୍ଗମାଟି ଲିପା ମୋର ପିଣ୍ଡାରେ ସମୁଦ୍ର ତଟର ସୁଲୁସୁଲିଆ ବାଆ ମୋତେ ସୁହାଇଲା ନାହିଁ ଯେ ମୁଁ ଚାଲି ଗଲି ଗୋଟେ ଏମିତି ଗୋଟେ ଦେଶକୁ  କହିଲେ ତୁ ବିଶ୍ୱାସ କରିବୁନି ଗୋଟେ ବଖରାରେ ଆମେ ଦଶ ଜଣ ଖୁଁନ୍ଦାଖୁନ୍ଦି ହୋଇ ରହୁଥିଲୁ l ପିଲାଦିନେ ବୋଉର ଛୁଙ୍କ ଦିଆ ଶାଗ ଭଜା ପସନ୍ଦ ହେଉ ନଥିଲା ଆଉ ଏବେ ବେଳାଏ ଖାଇଲେ ବେଳାଏ ଉପାସ l ଭାଗ୍ୟ ଭଲ ଏସବୁ ଦେଖିବା ପାଇଁ ବାପା କି ବୋଉ କେହି ନାହାନ୍ତି l ନଚେତ ସେମାନେ କେତେ କଷ୍ଟ ପାଇଥାନ୍ତେ l ଯୋଉ ଦେଶର ମାଟିରେ ପାଦ ରଖି ମୁଁ ଏଡେରୁ ଏଡ଼େ ବଡ଼ ହେଲି ସେ ଦେଶ ପ୍ରତି କଣ ମୋର କିଛି କର୍ତ୍ତବ୍ୟ ନଥିଲା କି ? କାହିଁକି ମୁଁ ପଳାୟନପନ୍ଥୀ ସାଜି ଏଭଳି କାମ କଲି ?


ଆଲୋ ଚାଷ କାମ ସିନା ମୋତେ ଆସୁ ନଥିଲା ହେଲେ ସିଟି ଟ୍ରେନିଂ ତ ନେଇଥିଲି l ଛୋଟ ଛୋଟ ପିଲାଙ୍କୁ ଟ୍ୟୁସନ କରିଥିଲେ ପିଲା ଗୁଡାକ ଉପକୃତ ହୋଇଥାନ୍ତେ ମୋର ବି ଗୁଜୁରାଣ ମେଣ୍ଟି ଥାଆନ୍ତା l ସେଠି ଝାଳ ବୋହି ପେଟ ପୁରୁନାହିଁ କିନ୍ତୁ ଏଠି ଖଟିଲେ ପେଟ କେବେ ବି ଆପୋଷା ରହି ନଥାନ୍ତା l କାହାର କାମରେ ଆସିଲି ନାହିଁ ମୁଁ l ସେଠାରେ କ୍ରୀତଦାସ ପରି ତିନି ବର୍ଷ କଟିଗଲା l ତା ଠାରୁ ବି ହୀନ ଅବସ୍ଥା ନଦେଖିଲେ ତୁ ବିଶ୍ୱାସ କରି ପାରିବୁ ନାହିଁ l ଚାହୁଁଛି ପ୍ରାୟଶ୍ଚିତ କରିବି ଯୋଉଥିରେ ମୋର ବି ଜୀବିକା ନିର୍ବାହ ହେବ ଆଉ କାହାର ବି ଉପକାର ହଉଥିବ l 


କୁନି ଲୋ ! ବିବାହ ପରଠୁ ତୋତେ ଖାଲି ନାହିଁ ନାହିଁର ସଂସାର ଭିତରେ ରଖି ଆସିଥିଲି l ଏବଂ ଆଉ ସେ ଦିନ ନାହିଁ l ଏବେ ଜାଣିଲି ସଂଘର୍ଷ ବିନା ଜୀବନରେ କିଛି ମିଳିବ ନାହିଁ l ମୁଁ ଗୋଟେ ମସ୍ତବଡ଼ ବୋକାଟିଏ ସେଥିପାଇଁ ହାତ ପାଆନ୍ତରେ ସବୁ ପାଇ ଯିବାକୁ ଚାହୁଁଥିଲି ତାହା ପୁଣି ବିନା ସଂଘର୍ଷରେ l ସେମିତି କେମିତି ହେବ କହିଲୁ ? ରଘୁ ସାର କେତେ ମନା କରୁଥିଲେ l ଦେଶ ଛାଡି ଯାଆନାରେ କିଶୋର ବାଟବଣା ହୋଇଯିବୁ ତୁ l ଶୁଣିଲି ନାହିଁ ଏବଂ ଚାଲିଗଲି l ବାଟବଣା କଣ ଜୀବନ ଘେନି ଫେରିବାର ବି କିଛି ଠିକ ଠିକଣା ନଥିଲା l ଖାଲି ବାପା ବୋଉଙ୍କର ଆଶୀର୍ବାଦ ଏବଂ ତୋର ପ୍ରାର୍ଥନା ଯୋଗୁଁ ହିଁ ଜୀବନଟା ନେଇ ଫେରି ପାରିଲି l ମୋ ଦେଶ ମୋ ମାଟି ସାତ ପୁରୁଷର ପରମ୍ପରାକୁ ଲାଭ କ୍ଷତିରେ ତଉଲି ଭୁଲିଗଲି ମୋଦେଶକୁ ମୋ ମାଆ ବାପାଙ୍କର ଭିଟାମାଟିକୁ ମୋ ଜନ୍ମ ଜନ୍ମାନ୍ତରର ସାଥି କୁନିକୁ ବି l


ଆଜି ସୈନିକ ମାନଙ୍କର ପ୍ୟାରେଡ ଟିଭିରେ ଦେଖୁଥିବୁ l ଦେଶର ବୀରପୁତ୍ର ମାନେ ଆମକୁ ସୁରକ୍ଷା ଦେବାପାଇଁ ସୀମାନ୍ତରେ ଅହରହ କାର୍ଯ୍ୟରତ ଅଥଚ ମୁଁ ଗୋଟିଏ ଅପଦାର୍ଥ ଦେଖ ମହଲର ସ୍ବପ୍ନ ଦେଖି ନୋଟ ବିଡାର ଗଦିରେ ଶୋଇବା ପାଇଁ ମୋ ମାଆକୁ ଛାଡି ବିଦେଶରେ ଅଇଁଠା ଖାଇ ପଡି ରହିଲି l ଗଲେ ମୋତେ ଦେଖି ରାଗିବୁ ନାହିଁ l ତୋତେ ଆରମ୍ଭରୁ କ୍ଷମା ମାଗି ନେଉଛି l ଏମିତି ଭୁଲ ଆଉ କରିବି ନାହିଁ l ରଖୁଛି l

                                           


Rate this content
Log in

Similar oriya story from Inspirational