Click here to enter the darkness of a criminal mind. Use Coupon Code "GMSM100" & get Rs.100 OFF
Click here to enter the darkness of a criminal mind. Use Coupon Code "GMSM100" & get Rs.100 OFF

Sachidananda Kar

Classics


3  

Sachidananda Kar

Classics


ଛୋଟ ଛୋଟ ଖୁସି

ଛୋଟ ଛୋଟ ଖୁସି

2 mins 129 2 mins 129


       ଛୋଟ ଛୋଟ ଖୁସି ପଛରେ ଆଉ ନ ଥିଲା ସେ।ଏବେ ତା'ର ସବୁ ମୁହୂର୍ତ୍ତରେ ଦରକାର ପଡୁଥିଲା ବଡ଼ ଖୁସି। 


       ସବୁଦିନେ ସକାଳ ହଉ ନ ହଉଣୁ ବଡ଼ ଖୁସିର ସନ୍ଧାନ କରୁଥିଲା ସେ।କେମିତି ସେଇ ଖୁସି ତା' ହାତମୁଠାକୁ ଆସିବ ଚିନ୍ତା କରୁଥିଲା। 


       ଖୁସିର ସିଡ଼ି ଚଢ଼ି ଚଢ଼ି ଆସିଥିଲା ସେ।ସବୁବେଳେ କୌଣସି ନା କୌଣସି ଖୁସି ଦୌଡ଼ରେ ରହୁଥିଲା।ସମୟ ସହିତ ବେଶ୍ ଜମିଥିଲା ତା'ର ପ୍ରତିଯୋଗିତା।ସେ କୁଆଡ଼େ ଧାଉଁଛି ତା'ର ହିସାବ ନ ଥିଲା ତା' ପାଖରେ।ବଡ଼ ଖୁସି ପାଇବାର ଆଶା ପାଖରେ ସବୁବେଳେ ଅଟକି ରହୁଥିଲା ତା'ର ଅସ୍ଥିର ମନ। 


       ଖୁସି ତ ସବୁବେଳେ ଗୋଟେ ସୁନା ହରିଣୀ।କେତେବେଳେ ଦୃଶ୍ୟ ତ କେତେବେଳେ ଅଦୃଶ୍ୟ।ମଣିଷ ତା' ପ୍ରେମରେ ଥାଏ।ସେ ଥିଲା।ତାକୁ ଧରିବାକୁ,ପାଇବାକୁ ନିଜ ଭିତରେ ବଢ଼ାଉଥିଲା ଗୋଟେ ଅଫୁରନ୍ତ ଆବେଗ।ନିଜର ସମସ୍ତ ସମୟକୁ ଖୁବ୍ ଛଳଛଳ, ପ୍ରେମମୟ କରି ରଖୁଥିଲା। 


       ଖୁସି ଓ ତା' ଭିତରେ କୌଣସି ଦୂରତା ନ ରହୁ,ସବୁବେଳେ ଏପରି ଚାହୁଁଥିଲା ସେ।ସେଥିପାଇଁ ତ ବେଳେବେଳେ ତା'ର ଅନୁପସ୍ଥିତି ସେ ଆଦୌ ବରଦାସ୍ତ କରିପାରୁ ନ ଥିଲା।ସେ ଚାହୁଁଥିଲା ତା'ର ଆତ୍ମାକୁ ସବୁବେଳେ ଛୁଇଁ ରହିଥାଉ ଖୁସି।ତାକୁ ଓ ତା'ର କର୍ମମୟ ଜୀବନକୁ ସ୍ଵୀକୃତି ଦେଉଥାଉ।ସଂପୂର୍ଣ୍ଣ କରି ରଖୁଥାଉ। 


       ଗୋଟିଏ ଖୁସି ତାକୁ ଆଉ ଗୋଟିଏ ତା' ଠାରୁ ବଡ଼ ଖୁସି ପାଇଁ ବାଟ କଢ଼ାଇ ନେଉଥିଲା।ଉଦ୍ୟମ ଥିବାରୁ ସେ ପହଞ୍ଚି ଯାଉଥିଲା ଅକ୍ଳେଶରେ।ଖୁସିର ସିଡ଼ିରେ ଏମିତିରେ ଉପରକୁ ଉପରକୁ ଉଠିବାକୁ ଚାହୁଁଥିଲା ସେ।ଛୋଟ ଖୁସି ଆଉ ତାକୁ ଖୁସି ଭଳି ଲାଗୁ ନ ଥିଲା।ଜୀବନ ଘଟଣାମୟ ହୋଇ ରହୁଥିଲା।ତା' ଆଖିରେ ଭାସୁଥିଲା ଢଳଢଳ ସ୍ଵପ୍ନ। 


       ତା'ର ବୟସ ବଢ଼ିବାରେ ଲାଗିଥିଲା।ବୟସ ସହିତ ତାଳ ଦେଇ ତା'ର ଖୁସିର ସଂଖ୍ୟା ବି ବଢ଼ିବାରେ ଲାଗିଥିଲା।ଆଉ ଛୋଟ ନୁହେଁ, ବଡ଼ରୁ ବଡ଼ ବଡ଼ ଖୁସି ପଛରେ ପଡ଼ିଥିଲା ସେ।ପାଉଥିଲା।ଖୁସି ରହୁଥିଲା। 


       ହେଲେ ଧୀରେ ଧୀରେ ଏମିତି ଗୋଟିଏ ସମୟ ଆସି ପହଞ୍ଚିଲା, ଖୁସି ସହିତ ତା'ର ନିବିଡ଼ତା କମିଗଲା।ନା ସେ ମନେପକାଇ ପାରୁଥିଲା ସେଇ ଖୁସିର ଖୁସିକୁ ନା ସେଇ ଖୁସି ସବୁ ତାକୁ ଖୁସି ଆଣି ଦେଉଥିଲେ।ଏକ ବିଚିତ୍ର ଅବସ୍ଥା ବାସ୍ତବରେ ଆସି ଯାଇଥିଲା ତା' ଜୀବନରେ।ଖୁସି ଠାରୁ ସେ ଦୂରେଇ ଗଲା ଭଳି ତାକୁ ଲାଗୁଥିଲା।ବେଳେବେଳେ ତାକୁ ଏମିତି ଲାଗୁଥିଲା ଯେମିତି ଖୁସି ତାକୁ ପର କରିଦେଇ ଦୂରେଇ ଯାଇଛି। 


       ଏକାନ୍ତରେ ବସିଗଲେ ସେ ଖୁସିକୁ ଖୋଜୁଥିଲା।ଖୁସି କାହିଁ, କେଉଁଠି?ପ୍ରଶ୍ନ ପଚାରୁଥିଲା ନିଜକୁ।ସମ୍ଭବତଃ ଖୁବ୍ ଗୋଟେ ବଡ଼ ଖୁସିର ପରିକଳ୍ପନା କରୁଥିଲା ସେ।ସେଇ ଖୁସିର ଅପେକ୍ଷାରେ ଥିଲା। 


       ଏବେ ତା'ର ଜୀବନ ତାକୁ ଖୁବ୍ ବେକାର୍ ଲାଗୁଥିଲା।ଜୀବନରେ ଆଦୌ ଖୁସି ପାଇ ନ ଥିବା ତା'ର ମନେ ହେଉଥିଲା।ପୁରୁଣା ଖୁସିକୁ ସେ ମନେ ପକାଉଥିଲା ବାରମ୍ବାର।ଦେଖୁଥିଲା,ଅନ୍ୟଙ୍କୁ ଦେଖାଉଥିଲା।ହେଲେ ସେଥିରୁ କିଛି ଲାଭ ତାକୁ ମିଳିପାରୁ ନ ଥିଲା।ସେ ଖୁବ୍ ଚିନ୍ତାରେ ରହୁଥିଲା।ଚିନ୍ତାରେ ଚିନ୍ତାରେ ଥକି ପଡୁଥିଲା। 


       ବୁଢ଼ା ବୟସ ଆସି ଯାଇଥିଲା ତା' ଜୀବନରେ। 


       ଦିନେ ହଠାତ୍ ତା' ପାଞ୍ଚ ବର୍ଷର ନାତିର ଛୋଟ ଖୁସି ତା' ଆଖିରେ ପଡ଼ିଲା।ନାଲି ଗୁଲୁଗୁଲୁ ସାଧବବୋହୂକୁ ଦେଖି ଖୁସି ହେଉଥିଲା ନାତି।ଟିକିଏ କାରଣରେ ତା'ର ଖୁସି ଓ ତା'ର ଆହ୍ଲାଦିତ ଚେହେରା ଦେଖି ସେ ଚମକିଗଲା। 


       ଛୋଟ ଭିତରେ ବି ଲୁଚି ରହିଥାଏ ଏତେ ହସ,ଖୁସି ଜୀବନର ଆହ୍ଲାଦ?ନାତିର ନିର୍ଭେଜାଲ୍ ହସ ଓ ଖୁସି ତାକୁ ଏ ପ୍ରଶ୍ନ ନିଜକୁ ପଚାରିବାକୁ ବାଧ୍ୟ କଲା।ହଠାତ୍ ସେ ଫେରିଲା ତା' ପିଲାଦିନକୁ।ବର୍ଷା ପାଣି ସୁଅରେ ଗାଆଁ ଦାଣ୍ଡରେ ଭାସି ଯାଉଥିବା କାଗଜର ଡଙ୍ଗା,ଖପ୍ ଖପ୍ ଡେଉଁଥିବା ବେଙ୍ଗ ବେଙ୍ଗୁଲୀ,କୋଇଲିର କୁହୁ ଗୀତ,ଲଗାଲଗି ହୋଇ ବସି ରହିଥିବା ଠାକୁରପାରା,ଡାମରାକାଉର କା' ଓ ଏମିତି କେତେ ଛୋଟ ଛୋଟ ଖୁସି ତା'ର ମନେପଡ଼ିଲା।ସେସବୁକୁ ମନେପକାଇ ନିଜ ଅଜାଣତରେ ଖୁସି ହେଲା, ହସିଲା ସେ। 


       ଏବେ ସେ ତା' ନାତିର ଖୁସି ଆଡ଼େ ଚାହିଁଲା।ନାତିର ଚାଲି, ହସ, ପାଟିଲଗା କଥା ତାକୁ ହସିବାକୁ,ଖୁସି ହେବାକୁ ବାଧ୍ୟ କଲା।ସେ ଖୁସି ହେଲା, ହସିଲା।ତା' ଜୀବନ ଭିତରେ ତାକୁ ଆଉ ଏକ ଜୀବନର ସନ୍ଧାନ ମିଳିଲା।ଏଇ ସବୁ ଛୋଟ ଛୋଟ ଖୁସିରୁ ସେ ଆନନ୍ଦ ପାଇବାକୁ ଲାଗିଲା। 


       ଖୁସି କେଉଁଠି ଥାଏ ଏବେ ପ୍ରାୟ ଭଲ ଭାବରେ ବୁଝି ସାରିଥିଲା ସେ।ଆଉ ବଡ଼ ନୁହେଁ, ଏବେ ତା'ର ଛୋଟ ଛୋଟ ଖୁସି ହିଁ ଖୁବ୍ ଦରକାର ପଡୁଥିଲା।ଛୋଟ ଛୋଟ ଖୁସି।


Rate this content
Log in

More oriya story from Sachidananda Kar

Similar oriya story from Classics