Satyabati Swain

Tragedy

4  

Satyabati Swain

Tragedy

ଛନ୍ଦା ମାମ୍

ଛନ୍ଦା ମାମ୍

7 mins
294



ଆପଣଙ୍କୁ ଖୁବ୍ ବିକଳ ହୋଇ ମୋ ମନ ଖୋଜେ  ଛନ୍ଦା ମାମ୍ ।


  କୋମଳ କୈଶୋର ହୃଦୟ ମୋର ନିଃଶବ୍ଦେ କେତେ ଆଲୋଡିତ ହୋଇଛି , ଝୁରୁଛି ଆପଣଙ୍କ ପାଇଁ ସେ କଥା ନା କେହି ବୁଝି ପାରିବେ ନା ମୁଁ କହି ପାରିବାକୁ ସମର୍ଥ ହେବି। ଏତିକି କହିବି ଆପଣ ଅଛନ୍ତି ମୋ ଭିତରେ ଏକ ସ୍ୱତନ୍ତ୍ର ସ୍ଥାନରେ ସବୁଦିନ। ନିଇତି ନିରବେ ଆପଣଙ୍କ ସହ ମୋର ଭେଟ ହୁଏ, କଥା ହୁଏ। ଆଖି ବୁଜି ଦେଖେ ଆପଣଙ୍କୁ ସେଇ ଝିଅ ବଯସରେ ଯେଉଁ ବୟସ ରେ ଆପଣ ଛାଡି ଯାଇଥିଲେ ଆମକୁ। ଝୁରୁଛି କେତେ ଆପଣଙ୍କ ପଢାକୁ । କାହିଁକି ଚାଲିଗଲେ ଆମକୁ ଛାଡି। ଅନେକ ବର୍ଷ ବିତି ଗଲାଣି ।ଆପଣ ଚାଲିଯିବାର ଅନେକ ବର୍ଷ ବିତି ଗଲାଣି। କିନ୍ତୁ ଯେତେ ଖୋଜିଲେ ବି ପାଉ ନାହିଁ ଆପଣଙ୍କୁ। କେଉଁଠି ହଜିଗଲେ ମାମ୍ ? ଆଉ ଯେ ଦେଖା ହେବ ସେ ଆଶା ଛାଡି ଦେଇଥିଲି।କିନ୍ତୁ .


   ଆପଣ ଥିଲେ ମୋ କୋମଳ କୈଶୋରର ଆଦର୍ଶ। ଏତେ ଭଲ ଲାଗୁଥିଲେ ମୋତେ ଯେ ବଡ଼ ହେଲା ପରେ ମୋ ଯୁବ ଔପନ୍ୟାସିକ ପ୍ରାଣ ପ୍ରଥମେ ଆପଣଙ୍କୁ ନେଇ" ଛନ୍ଦା" ଉପନ୍ୟାସ ଲେଖିଲି। ଭାଗ୍ୟ ଦେଖନ୍ତୁ ସେ ଉପନ୍ୟାସ ମୋତେ କେଉଁଠୁ ନେଇ କେଉଁଠି ପହଞ୍ଚେଇ ଦେଲା। ଯୁବ ଶ୍ରେଷ୍ଠ ଔପନ୍ୟାସିକ ସମ୍ମାନରେ ଭୂଷିତ କରି ରାତା ରାତି ମୋତେ ଷ୍ଟାର କରିଦେଲା । କିନ୍ତୁ ଯେଉଁ ମାମ୍ ଙ୍କୁ ଲେଖି ମୁଁ ଏତେ ବଡ଼ ସମ୍ମାନର ଅଧିକାରୀ ତାଙ୍କୁ ଯେ ପାଉ ନ ଥିଲି। ଦେଖା ହେଲେ କୃତଜ୍ଞତା ଜ୍ଞାପନ କରିବି, ଢେର୍ ସଶ୍ରଦ୍ଧ ସମ୍ମାନ ଜଣାଇଁବି ବୋଲି ଆଶା ବାନ୍ଧି ବସିଥିଲି। ଦୈବାତ କାଲି ଆପଣଙ୍କ ସହ ଦେଖା ହେଲା। ଆପଣ ମୋତେ ଚିହ୍ନିଲେ କିନ୍ତୁ ପରିଚୟ ଗୋପନ ରଖିଲେ। ଭାରି ବାଧିଲା ମାମ୍। 


   ଜଣେ ଅଚିହ୍ନା ମଣିଷ ମୋତେ ଫୋନ୍ ରେ ଠିକଣା ଦେଇ ତାଙ୍କ ଘରକୁ ଡକାଇଥିଲେ। ଫେସବୁକ୍ ରୁ ଜଣା ପରିଚୟ। ପରିଚୟରୁ ଆତ୍ମୀୟତା। ଆତ୍ମୀୟତାରୁ ସମ୍ପର୍କଟିଏ ଗଢି ଉଠିଥିଲା ଆମ ଭିତରେ । ଦେଖି ନଥିଲି ତାଙ୍କୁ । କେବଳ ଫୋନ୍ ରେ କଥା ବାର୍ତ୍ତା । କିନ୍ତୁ ଆକର୍ଷିତ ହେଉଥିଲି ତାଙ୍କ ସ୍ୱର ପ୍ରତି। ସ୍ୱରରୁ ଦେଖିବାକୁ ଇଚ୍ଛା ବଳବତ୍ତର ହେଉ ଥିଲା । କଥାରେ ଯେମିତି ମହୁଗୋଳା ହେଲା ପରି ଲାଗେ।ଅନ୍ୟ ଅର୍ଥରେ କହିଲେ ସେ ଯେମିତି ମୋତେ ତାଙ୍କ ଆଡ଼କୁ ଆକର୍ଷିତ କରୁଥିଲେ। 


ତାଙ୍କୁ ଦେଖିବାକୁ ମୋ ଭିତରେ ବ୍ୟାକୁଳ ତା ବଢି ଚାଲୁଥିଲା । ତାଙ୍କ ସ୍ଵର ମୋତେ ଜଣଙ୍କୁ ମନେ ପକାଇ ଦେଉଥିଲା ବାରମ୍ବାର।


  ପଚାରି ପଚାରି ପହଞ୍ଚିଲି ତାଙ୍କ ଘରେ । ପଚାଶ ବର୍ଷରୁ ଅଧିକ ହେବେ ବୋଧେ । ମୋ ମା ବୟସର ଲାଗୁଥିଲେ।ଗାଲ ଓ କପାଳରେ କ୍ଷତ ଚିହ୍ନ ତାଙ୍କ ଅନିନ୍ଦ୍ୟ ସୁନ୍ଦର ରୂପର ବାଧକ ହେଉଥିଲା। ମୋତେ ଦେଖି ଖୁବ୍ ଖୁସିହୋଇ କହିଲେ ବସିଥାଅ ତୁମ ପାଇଁ ଚା ଟିକେ କରି ଆଣେ ।


    ସ୍ୱରଟି ଚିହ୍ନା ଚିହ୍ନା ଲାଗୁଥିଲା।ଏତେ ବୟସ୍କ ଲୋକ ମୋତେ ଚା କରି ଆଣି ଦେବେ;ଆଉ ମୁଁ ପିଇବି ? କେମିତି ଗୋଟେ କୁଣ୍ଠିତ ଭାବ ମୋଡ଼ି ମାଡି ହେଲା ମୋ ଭିତରେ।


ମୁଁ କହିଲି , ଥାଉ ମୁଁ କରି ଆଣୁଛି ଆଜ୍ଞା ।


ତୁମକୁ ଚା କରି ଆସେ ?


   ଆଜ୍ଞା ମାମ୍। ବାହାରେ ଏକା ରହୁଛି ତ। ଏଣୁ ରୋଷେଇ ସହ ଚା, କଫି ସବୁଆସେ।


   ଖୁବ୍ ଭଲ।ମଣିଷ କେଉଁ କଥାରେ କାହା ଉପରେ ଏତେ ନିର୍ଭର ଶୀଳ ହେବା ଠିକ୍ ନୁହେଁ। ଆଉ ଥରେ ଆସିଲେ ତୁମ ହାତ ଚା ଖିଆ ଯିବ। ଆଜି ମୋ ହାତ ଚା ଖାଇଥାଅ। ମୋତେ ଖୁବ୍ ଭଲ ଚା କରି ଆସେ। ଥରେ ଖାଇଲେ କେବେ ଏ ବାଟେ ଯାଉଥିଲେ ଏଇ ଚା ଲୋଭ ତୁମକୁ ମୋ ଯାଏ ହୁଏତ ଟାଣି ଆଣିବ।


   କଥା ଓ ଚା ରେ ସତରେ ବିସ୍ମୟ ଅଦ୍ଭୁତ ସ୍ୱାଦ ସହ ସମ୍ମୋହନ ଥିଲା । କଥା ଖୁବ୍ ମିଠା । ମସ୍ତିଷ୍କ ଖୋଜୁଥିଲା କେଉଁଠି ଶୁଣିଛି ୟାଙ୍କୁ । କଥା ବାର୍ତ୍ତା ଅବଶ୍ୟ ଫୋନ୍ ରେ ହୋଇ ଚିହ୍ନା ହୋଇ ଥାଇ ପାରେ ଭାବିଲି। ମସ୍ତିଷ୍କ ଭିତରେ ବିସ୍ଫୋରଣ ସୃଷ୍ଟି କରି ଅଲଗା କଣ ଗୋଟେ ସିଗନାଲୄ ଦେଉଥିଲା।


  କଥା ଭିତରେ ସେ କହିଲେ କି ତୁମ" ଛନ୍ଦା "ଉପନ୍ୟାସଟା ଦୁଇ ଥର ପଢିଲିଣି। ଖୁବ ଭଲ ଲାଗୁଛି। କେମିତି ଲେଖଛ ନିଛକ ଜଣଙ୍କ ଜୀବନ ! ଲଫାପାଟିଏ ମଗେଇଥିଲି; ତୁମ ପାଇଁ ଦି ଧାଡି ଲେଖିବା ପାଇଁ। କଣ କରିବି ହାର୍ଟ ପେସେଣ୍ଟ । ମନ ଥିଲେ ବି ହୃଦୟଟି ସବୁ କଥା କରିବାକୁ ଅନୁମତି ଦେଉ ନାହିଁ। ପ୍ରବଳ ଇଚ୍ଛା ଲେଖିବାକୁ ହେଲେ ନା ଏ ବଦମାସ ହୃଦୟ ନା ଏ ବେଇମାନୀ ଆଖି ଲେଖିବାକୁ ଦେଉଛନ୍ତି। ତୁମେ ଆସିଲ ଭଲ ହେଲା ମୋ ହୃଦୟର କୃତଜ୍ଞତା ଜଣାଇଁବାର ଥିଲା ତୁମକୁ।


   ମହିଳା ଜଣଙ୍କ ମୋତେ କୃତଜ୍ଞତାରେ ପୋତି ପକାଉଥିଲା ବେଳେ ମୁଁ କିନ୍ତୁ ଖୋଜୁଥିଲି ଅନ୍ୟ କିଛି।ବାହାରେ ଖୁସିର ସମୁଦ୍ର ଜୁଆର; ଭିତରେ ଶୁଖିଲା ଠକ୍ ଠକ୍ ତାଙ୍କ ହୃଦ ନଈ। ମୁଁ ପଶିଗଲି ତାଙ୍କ ଭିତରେ। ଧେତ୍ ଏଇ ବାଜେ ଅଭ୍ୟାସଟି ମୋର ଆଦୌ ଗଲାଣି।


   ଆପଣ ଭାବୁଥିବେ ମୁଁ ଆପଣଙ୍କ ସହ କଥା ହେଉଛି;ଆପଣଙ୍କ ଆଗରେ ମୋ ସ୍ଥୁଳ ଶରୀରଟି ହୁଁ ହାଁ କହୁଥିବ; ତେଣେ କିନ୍ତୁ ମୋ ସୁକ୍ଷ୍ମ ଶରୀର ପଶି ଖୋଜୁଥିବ କିଛି।ଯଦି ଆନନ୍ଦ,ଖୁସି ଫୁଲ ସେ ହୃଦୟ ତଳେ ପାଇଯିବ ତେବେ ମୋତେ ଖୁସି ଲାଗେ। ନଚେତ୍ ଯଦି ଦୁଃଖ ଯନ୍ତ୍ରଣା ଜର୍ଜରିତ କିମ୍ବା ଅଭିମାନ ଭରା ଭାରି ହୃଦୟଟିଏ ଦେଖେ ଅନେକ କଷ୍ଟ ପାଏ ମୋ ବୋକା ହୃଦୟଟି।


  ଏ ମହିଳା ଜଣଙ୍କ କଥା ବର୍ତ୍ତାରୁ ଯାହା ଅନୁମାନ ଲଗାଇଲି ଯେ ସେ ବଞ୍ଚିଛନ୍ତି କିନ୍ତୁ ଜୀଇଁ ନାହାନ୍ତି।ହଁ କିଛି ଲୋକ ଆମ ଭିତରେ ଅଛନ୍ତି ଯେଉଁମାନେ ବଞ୍ଚିଛନ୍ତି କିନ୍ତୁ ଜୀଇଁବା ଭୁଲି ଯାଇଛନ୍ତି।


  ମୁଁ ତାଙ୍କୁ କହିଲି ଆପଣଙ୍କୁ ମାଆ ଡାକି ପାରିବି !


ମାଆ !!


ମୁଁ ପୁଣି ମାଆ ! ମୁଁ କଣ ମାଆ ହୋଇ ପାଇବି!


   ଡାକିଲ ଡାକିଲ ମୁଁ ଟିକେ ଅନୁଭବ କରେ ଏ ଡାକଟି କେତେ ମଧୁର ଲାଗେ !


ମାଆ ..ଆଆ


   ମୋତେ କୁଣ୍ଢେଇ ପକେଇ ନିଜେ ଓଦା ହେବା ସହ ମୋତେ ଓଦା କରିଦେଲେ।


ଆପଣଙ୍କର କେହି ପିଲା ନାହାନ୍ତି କି ମାଆ ! ନା ସଭ୍ୟତା ସୁଅରେ ଆପଣଙ୍କ ପିଲା ମାନେ ଭାସି ଯାଇ ବିଦେଶରେ ?


ମୋର ପିଲା କୁଆଡୁ ଆସିବେରେ ବାବୁ !


କାହିଁକି ନୁହେଁ !


    ଵଳତ୍କାର ହୋଇ ମୋର ପରା ୟୁଟ୍ରସ୍ କାଟି ଫିଙ୍ଗି ଦିଆ ଯାଇଛି ! ଏ ମୁହଁର ଯେଉଁ କ୍ଷତ ଚିହ୍ନ ଦେଖୁଛ ସେ ସବୁ ସେଇ ବଳତ୍କାରର ଫଳରେ ବାବୁ। ବଳତ୍କାରୀ ଝିଅ କଣ ଘର ସଂସାର କରି ପାରେ , ନା ମାଆ ହେବା ସ୍ୱପ୍ନ ଦେଖି ପାରେ।


ବଳତ୍କାର !!


   ହଁ । ମୁଁ ନୂଆ ନୂଆ ଶିକ୍ଷକତା କରୁ ଥିଲି। ଘରକୁ ଫେରିଲା ବାଟରେ ଶମ୍ଭୁ ନାମକ ଜଣେ ଗୁଣ୍ଡା ଓ ତାର ସାଥି ମୋତେ ଉଠାଇ ଆଣି ବଳତ୍କାର କରି ଫିଙ୍ଗି ଦେଇଥିଲେ ଗୋଟେ ଘଞ୍ଚ ବୁଦା ମୂଳେ। ଜଣେ ରିକ୍ସା ଵାଲା ଦୟା ପରବଶ ହୋଇ ମୋତେ ମେଡିକାଲ ଆଗରେ ପକାଇ ଦେଇ ଯାଇଥିଲା। ହୋସ୍ ଆସିଲା ବେଳକୁ ନିଜକୁ ମେଡିକାଲରେ ଖଣ୍ଡିଆ ଖାବରା ଅବସ୍ଥାରେ ପାଇଥିଲି ସାତ ଦିନ ପରେ। ଡାକ୍ତର କହୁଥିଲେ ସେ ନୃଶଂସ ମାନେ ମୋର ଯେପରି ଅବସ୍ଥା କରିଥିଲେ ସେଥିରୁ ବଞ୍ଚିବା ଅତି କଷ୍ଟକର।ମାତ୍ର ମୁଁ ବଞ୍ଚି ଯାଇଥିଲି ଆୟୁଷ ଥିଲା ବୋଲି କି କଣ। ସବୁ ଆଡେ ବ୍ୟାଣ୍ଡେଜ ।


   ପନ୍ଦର ଦିନ ପରେ ମୋତେ ଡ଼ିସ୍ ଚାର୍ଜ କରି ଦିଆ ଗଲା। ଘରକୁ ନ ଯାଇ ଜଣେ ଚିହ୍ନା ନର୍ସଙ୍କ ଘରେ କିଛି ଦିନ ରହିଲି।ତାଙ୍କରି ସହାୟତାରେ ସୁସ୍ଥ ହୋଇ ଗଲା ପରେ ଭୁବନେଶ୍ୱରରେ ଏକ ପବ୍ଲିକ ସ୍କୁଲରେ କାମ କଲି । ଗାଁ ରେ ପ୍ରଚାର ଓ ପ୍ରସାର ହୋଇ ଯାଇଥିଲା ମୁଁ କୁଆଡେ ମୋ ପ୍ରେମିକ ଅଂଶୁ ସହିତ ପଳେଇ ଆସିଛି । ଅଂଶୁକୁ ପ୍ରକୃତ ସତ୍ୟ କହିବାରୁ ସେ ମୋ ପରି ଜଣେ ବଳତ୍କାରୀ ଝିଅକୁ ଜୀବନ ସାଥି କରିବାକୁ ରୋକଠୋକ ମନା କରିଦେଲେ । ବରଂ ଉପଦେଶ ଦେଲେ ଆତ୍ମ ହତ୍ୟା କରି ଏମିତି ଏକ ଘୃଣିତ ଜୀବନକୁ ଶେଷ କରି ଦେବାକୁ। ବାପାମାଆ ମୁଁ ମରି ଯାଇଛି ବୋଲି ଘୋଷଣା କରି ସାରିଥିଲେ। କୁହ କାହାକୁ ଆଉ ଏ ମୁହଁ ଦେଖାଇବାକୁ ଯାଇ ଥାଆନ୍ତି ? 


    ମାମ୍ ଆପଣଙ୍କ କଥା ସହ ଆମର ଜଣେ ମାମ୍ ଙ୍କ କଥା ମିଶି ଯାଉଛି ଆଜ୍ଞା ।ତଫାତ ଏତିକି ଆପଣଙ୍କୁ ଗୁଣ୍ଡା ଉଠେଇ ନେଇଥିଲା ବେଳେ ଆମ ମ୍ୟାଥ୍ ମାମ୍ ତାଙ୍କ ପ୍ରେମିକ ସହ ନିଜ ଇଛାରେ ପଳେଇ ଥିଲେ ବୋଲି ହାଲ୍ଲା ହୋଇଥିଲା। ନବମରେ ପଢ଼ୁଥିଲି ମାମୁଁ ଘରେ ରହି। ଜଣେ ମାମ୍ ଭଲ ମ୍ୟାଥ୍ ପଢ଼ାନ୍ତି । ମୋର ସେ ପ୍ରିୟ ମାମ୍ ଥିଲେ। କାହିଁକି ଏତେ ଶିକ୍ଷିତ ହୋଇ ପଳେଇଲେ ଭାବି ବହୁ ବ୍ୟଥିତ ହୋଇଛି ତାଙ୍କ ପାଇଁ। କେତେ ଶ୍ରଦ୍ଧା ସମ୍ମାନ ଓ ଭଲ ପାଉଥିଲି ତାଙ୍କୁ । ବୋଧେ ପ୍ରେମ ହୋଇ ଯାଇଥିଲା ସେ ମାମ୍ ଙ୍କୁ ମୋର।ପରେ ତୀବ୍ର ଘୃଣା କଲି ଜଣେ ଶିକ୍ଷକ ହୋଇ ଏମିତି କାମ କଲେ କେମିତି ! ପିଲାମାନେ ତାଙ୍କ ଠାରୁ ଶିଖିବେ କଣ ?


   ଆପଣ ଜାଣନ୍ତି ସେଇ ଆଜ୍ଞା ସେଇ ମାମ୍ ଙ୍କୁ ମନେ ପକେଇ ମୋ ଯୁବ ସୁଲଭ ପ୍ରାଣର ଭଲ ପାଇବାକୁ ଢାଳି ଦେଇଛି ମୋର ପ୍ରଥମ ଉପନ୍ୟାସ " ଛନ୍ଦା " ରେ।ସେ ମାମ୍ ଙ୍କ ପ୍ରତି ମୋ ହୃଦରେ ଜମା ହୋଇଥିବା ପ୍ରେମ, ସମ୍ମାନ, ପଳେଇଲେ ବୋଲି ମୋ ଭିତର ଥିବା ଅପ୍ରକାଶ୍ୟ କ୍ଷୋଭ , ଘୃଣା , ତାଙ୍କୁ ଛି ଛାକର କରିବା ଶୁଣିଲେ ଫାଟି ଯାଉଥିବା ମନର ବେଦନା ସବୁ ପ୍ରତିଫଳିତ କରିଛି ଏଇ ଉପନ୍ୟାସରେ।ଛନ୍ଦା ଉପନ୍ୟାସର ନାୟିକା ସେଇ ମାମ୍ । ଛନ୍ଦା ନାମ୍ନୀ ଝିଅଟି ବି ଉପନ୍ୟାସ ର ନାୟିକା ନାମ।


   ଏବେ ମଧ୍ୟ ମୋ ଭିତରେ ସେଇ ଅମୀମାଂସିତ ପ୍ରଶ୍ନ କାହିଁକି ମାମ୍ ଏମିତି କଲେ ? ସେ କେବଳ ମୋର ନୁହେଁ ଅନେକ ଛାତ୍ରଛାତ୍ରୀଙ୍କ ରୋଲ୍ ମଡେଲ୍ ଥିଲେ।


    ସବୁ ଶୁଣା କଥା ସତ ହୋଇ ନଥାଏ ରେ ବାବୁ ଅତି ଦରଦ ଭିଜିଲା କଣ୍ଠ ରେ କହିଲେ ସେ ମାମ୍। ମୋତେ ଦେଖ । ମୁଁ କଣ ପଳେଇ ଆସିଥିଲି ! କିନ୍ତୁ ଚାରିଆଡେ ହାଲ୍ଲା ହୋଇଗଲା ମୁଁ ପଳେଇ ଆସିଛି। ଆମ ସମାଜ ଏମିତି।ସତ୍ୟ ପାଖରେ ପହଞ୍ଚିବା ପୂର୍ବରୁ ଅନେକ ଗୁଜବ ପ୍ରଚାର କରି ସାରିଥାଏ । ସତ୍ୟ ସହ ମୁହାଁ ମୁହିଁ ହେବାକୁ କାହାର ତର ନ ଥାଏ।କିନ୍ତୁ ମିଥ୍ୟା ଅପପ୍ରଚାର କରିବାକୁ ଖୁବ୍ ସମୟ ମିଳେ। ଅନ୍ୟ କଥା ଛାଡ ନିଜର ବାପାମାଆ ବି ଝିଅକୁ ଗ୍ରହଣ କରନ୍ତି ନାହିଁ। ତୁମେ ତ ଜଣେ ଭଲ ପିଲା ସୁବୁ। ଭାବୁଛି ବୁଝି ପାରୁଥିବ ଆମ ସମାଜର ସଂକୀର୍ଣ୍ଣ ଧାରା ଓ ଧରା।


    ହଠାତ୍ ଚମକି ପଡି କହିଲି ସୁବୁ ! ଆପଣ କେମିତି ଜାଣିଲେ ମୋ ନାଁ ସୁବୁ ! ଦୁଇ ଜଣଙ୍କୁ ଛାଡିଦେଲେ ଏ ନାଁ ରେ ମୋତେ ଆଜିଯାଏ କେହି ଡାକି ନାହାନ୍ତି ! ସେଇ ଦୁଇ ଜଣଙ୍କ ଭିତରୁ ଜଣେ ମୋ ପ୍ରିୟ ଛନ୍ଦା ମାମ୍ ଅନ୍ୟ ଜଣକ ନିକିତା ମୋ ଗାର୍ଲଫ୍ରେଣ୍ଡ। ଏ ନା ମୋ ମାମ୍ ନା ନିକିତା ! 


   ପାଗଳାଟା କାନ୍ଧରେ ପକାଇ ଥିବା ବ୍ୟାଗ୍ ରେ ପରା ସୁବୁ ଲେଖା ହୋଇଛି ।


    ଗୋଟେ ବ୍ୟସ୍ତ ଦୁନିଆଁ ରୁ ଫେରି ଆସି ହସି ଦେଇ କହିଲି ,ଓ ହଁ ହଁ ମୋ ଗାର୍ଲଫ୍ରେଣ୍ଡ ନିକିତା ଏ ବ୍ୟାଗ୍ ରେ ଲେଖିଛି ସୁବୁ । ମୁଁ କିନ୍ତୁ ଅନ୍ୟ କଥା ଭାବୁଥିଲି । ହଁ ଏବେ ମନେ ପଡ଼ିଲା ସ୍ୱରଟି ଆପଣଙ୍କର ପଳାଇ ଥିବା ମୋର ସେଇ ମାମ୍ ଙ୍କ ସହ ମିଶି ଯାଉଛି ।


ତୁମ ମାମ୍ ଙ୍କ ନାଁ କଣ ଥିଲା ?


   "ମଧୁଛନ୍ଦା "। ସମସ୍ତେ ମଧୁ ମାମ୍ ଡାକୁଥିଲା ବେଳେ ମୁଁ ଛନ୍ଦା ମାମ୍ ଡାକୁଥିଲି।


   ହଠାତ ମହିଳା ଜଣଙ୍କ ମୁହଁର ଭାବ ବଦଳି ଗଲା । ସେ କହିଲେ ହଉ ବାପା ତୁମେ ଏବେ ଆସି ପାର ମୋର ଟିକେ କାମ ଥିଲା । ଖୁବ୍ ଲେଖ ଖୁବ୍ ତର୍କି କର ବାବୁ।


    ମୁଁ ନଈ ପଡି ପାଦ ଛୁଇଁଲା ବେଳକୁ ଦେଖିଲି ମହିଳା ଜଣଙ୍କର ଙ୍କର ବାଁ ପାଦ କାଣି ଆଙ୍ଗୁଠି ଟି ନାହିଁ ।ଏତ ମୋ ଛନ୍ଦା ମାମ୍ ! ସ୍କୁଟି ଧକ୍କାରେ ବାଁ ପାଦ କାଣି ଆଙ୍ଗୁଠି ଟି କଟି ଯାଇଥିଲା !!ନିଜ ପରିଚୟ ମୋ ପାଖେ ଲୁଚାଉଛନ୍ତି ବୋଧେ ତାଙ୍କୁ ଘୃଣା କରିବି ବୋଲି !! ହେଉ ଅନ୍ଧାର ରେ ଥାଉ କିଛି କଥା।


 ଆପଣ ତ ମୋ ହଜିଲା "ଛନ୍ଦା ମାମ୍ " ମୋ ଉପନ୍ୟାସର ନାୟିକା ମନେ ମନେ କହି ଭାରି ମନ ନେଇ ଫେରିଲି। ମାମ୍ ଆଜି ଆପଣଙ୍କ ପାଖକୁ ଗପ ମାଧ୍ୟମରେ ଏତକ ଲେଖୁଛି । ଆପଣ ମୋ ପ୍ରିୟ ମାମ୍ ଜାଣି ବି ମୋତେ ପରିଚୟ ଲୁଚେଇଲେ କାହିଁକି ? ନିଜର ଦୋଷ ନ ଥାଇ ବି ଆଜୀବନ କାହା ସହ ପଳେଇବା ବଦନାମ ସହିଲେ କାହିଁକି ? ପାରିବେ ତ ପଢି ଉତ୍ତର ରଖିବେ। 





Rate this content
Log in

Similar oriya story from Tragedy