Nibedita Mishra

Tragedy

3  

Nibedita Mishra

Tragedy

ଛଳନା

ଛଳନା

2 mins
197



ମାନିନୀ କେବେ ବି ଭାବି ନ ଥିଲା ଯେ ଏମିତି ଏକ ପରିସ୍ଥିତି ଦିନେ ତା'ଜୀବନରେ ଆସିବ ବୋଲି।କେତେ ସୁନ୍ଦର ଥିଲା ତା'ଜୀବନ।ବାପା ମା ଙ୍କର ଏକମାତ୍ର ଅଲିଅଳି ଥିଲା ସେ।ବାପାଙ୍କର ସ୍ବଳ୍ପ ଆୟ ରେ ଭି ସେ ମାନିନୀକୁ କୋଉ ରାଜକୁମାରୀ ଠାରୁ କମ୍ ଗେଲ୍ହାରେ ବଢେଇ ନ ଥିଲେ। 

ପାଠସାଠ ହଉ କି ବ୍ଯବହାର କୋଉଥିରେ ବି କମ୍ ନ ଥିଲା ସେ।ତେଣୁ ସମସ୍ତେ ତାକୁ ଖୁବ ଭଲ ପାଉଥିଲେ।ସମସ୍ତେ କହନ୍ତି ମାନିନୀ ପରି ଝିଅ ଯାହା ଘରକୁ ଯିବ ,ତା'ର ଭାଗ୍ଯ ବହୁତ ଭଲ ହେଇଥିବ।

ଏଇ କଥା ପଦକ ଶୁଣିଲେ ମାନିନୀର ବାପାଙ୍କ ଛାତି କୁଣ୍ଢେମୋଟ ହେଇଯାଏ।ତେଣୁ ସେ ମାନିନୀ ଲାଗି ଲକ୍ଷେ ରେ ଗୋଟିଏ ନୂହେଁ ବଂର କୋଟିଏରେ ଗୋଟିଏ ପିଲାଟିଏ ଖୋଜୁଥା'ନ୍ତି।

ଦିନେ ମାନିନୀ ଲାଗି ଗୋଟିଏ ପ୍ରସ୍ତାବ ଆସିଲା।ଯଦିଓ ମାନିନୀର ବାପା ପ୍ରାଇଭେଟ କାମକୁ ପ୍ରଥମେ ପ୍ରଥମେ ପସନ୍ଦ କରୁ ନଥିଲେ କିନ୍ତୁ ଏଇ ପ୍ରସ୍ତାବଟି ତାଙ୍କର ଜଣେ ଅତି ନିଜର ବନ୍ଧୁ ଜଣେ ଦେଇଥିବାରୁ।ସେ ଏହି ପ୍ରସ୍ତାବଟିରେ ରାଜି ହେଇଥିଲେ।ମାନିନୀ ମଧ୍ଯ ବାପାଙ୍କ କଥାରେ ସମ୍ମତି ଜଣାଇଥିଲା।ଶେଷରେ ମାନିନୀର ବାହାଘର ସେଇଠାରେ ହେଲା।

ମାନିନୀ ନିଜର ନୂଆ ସଂସାରକୁ ନେଇ ଅନେକ ସ୍ବପ୍ନ ଦେଖିଥିଲା।ବନ୍ଧୁ ପରି ସ୍ବାମୀ ,ବାପା ମା ପରି ଶାଶୁ ଶ୍ବଶୁର ପାଇବ।ସେ ନିଜେ ଯେହେତୁ ସମସ୍ତ ଘରକରଣା ଜିନିଷ ରେ ପାରଙ୍ଗମ ତେଣୁ ସେ ଦୃଢ ନିଶ୍ଚିତ ଥାଏ ଯେ,ସେ ଗୋଟେ ଭଲ ସ୍ତ୍ରୀ,ଭଲ ବୋହୁ ଅକ୍ଳେଶରେ ହେଇଯିବ।ଆଉ ବାକି ଯେତକ ସମ୍ପର୍କ ଆଗକୁ ଆସିବ ,ସେଯବୁକୁ ସେ ଏହି ପରିବାରର ହାତ ଧରି ନିଶ୍ଚୟ ପାର୍ କରିଯିବ।ହେଲେ ତା'ର ସମସ୍ତ ସ୍ବପ୍ନ କେବଳ ସ୍ବପ୍ନରେ ହିଁ ରହିଗଲା,ଯେତେବେଳେ ଶ୍ବଶୁର ଘରର ଅସଲି ଚେହେରା ତା ସାମ୍ନାକୁ ଆସିଲା।

ମୁର୍ଖ ରାଜାଟିଏ ଯେତେବେଳେ ରାଜଗାଦିରେ ବସେ,ଅବା ଅଯୋଗ୍ଯ ବ୍ଯକ୍ତିକୁ ଉଚ୍ଚ ଆସନ ମିଳିଯାଏ,ସେ ଯେମିତି ଧରା କୁ ସରା ମନେ କରେ।ଠିକ୍ ସେମିତି ମାନିନୀର ଶାଶୁ ଘରେ ତା ଶାଶୁ(ଯିଏକି ନା ପାଠ ପଢିଛନ୍ତି,ନା କୌଣସି ସଂଢଣା ଶିଖିଛନ୍ତି)ଙ୍କର ରାଜତ୍ବ ଚଳେ।ତେଣୁ ଏପରି ଏକ ପରିବେଶରେ ରହିବା ମାନିନୀ ଲାଗି ଅସହ୍ଯ ହୋଇଉଠିଲା।ଅବଶ୍ଯ ଏହାର ପ୍ରମାଣ ସେ ପ୍ରଥମ ଦିନରୁ ପାଇସାରିଥିଲା ଯେତେବେଳେ କି ଯୌତୁକ ବିରୋଧୀ ବୋଲି ଦେଖେଇ ହେଉଥିବା ପରିବାରରେ ବିବାହ ପର ଦିନ ହିଁ ଯୌତୁକ କୁ ନେଇ ଫୁସୁରୁ ଫାସୁରୁ ଆରମ୍ଭ ହୋଇଯାଇଥିଲା।କଥା କଥାରେ ସବୁବେଳେ ମାନିନୀ ଅନେକ ଟାହିଟାପରା ର ସମ୍ମୁଖୀନ ହେଉଥିଲା।

ସେ ଯାହା ହେଉ ବାପା ମାଙ୍କ ମାନ ରକ୍ଷା ଲାଗି ସେ ସବୁ ସହି ଯାଉଥିଲା।

ଯେତେ ଯାହାହେଲେ ବି ମାନିନୀ କୌଣସି କଥା ତା ବାପ ଘରେ କହେନାହିଁ।ହେଲେ ତା ଉଦାସୀ ମନୋଭାବ କା ଚେହେରାରୁ ସ୍ପଷ୍ଟ ବାରିହୁଏ।ସେ ଯେ ଲୁହର ସାଗରରେ ବୁଡିରହି ହସିବାର ଛଳନା କରୁଛି ତାହା ତା ବାପା ମା ଜାଣିପାରୁଥିଲେ।ହେଲେ ସେତେବେଳେ ମାନିନୀର ବାପାଙ୍କ ଦେହ ଭୀଷଣ ଖରାପ ଥାଏ।ତେଣୁ ମାନିନୀ ଏ କଥାକୁ ସେତେ ଗୁରୁତ୍ବ ଦେଲାନାହିଁ।

କିଛି ଦିନ ପରେ ଦିନେ ମାନିନୀ ତା ସଦ୍ଯଜନ୍ମିତ ଝିଅଟିକୁ କୋଳରେ ଧରି ବସିଥାଏ।ପାଖ ଖଟରେ ତା ବାପା(ଯିଏକି ଏକ ଦୁରାରୋଗରେ ପିଡିତ ହୋଇ ଶଯ୍ଯାଶାୟୀ)ପାଖରେ ଶୋଇଥାନ୍ତି।ମାନିନୀ ତା ଝିଅକୁ କୋଳରେ ଧରି ଗେଲ କରୁଥାଏ।ଏହି ସମୟରେ ତା ବାପା ମାନିନୀକୁ କିଛି ସମୟ ଲକ୍ଷ କଲା ପରେ କହିଲେ -"ମା ରେ ମୋର ବଡ ଭୂଲ ହେଇଗଲା,ଏହି ଘରେ ତୋ ବିବାହ ନିଷ୍ପତ୍ତି ନେଇ,କିନ୍ତୁ ବିଶ୍ବାସ କର ଏମାନେ ଏତେ ଛୋଟ ମାନସିକର ହେଇଥିବେ ବୋଲି ମୁଁ ଭାବି ନଥିଲି। ତୁ ଭାବୁଥିବୁ ମୁଁ ତୋ ସହ ଛଳନା କରିଛି।"ମାନିନୀ ତାଙ୍କ ଆଡକୁ ଲୁହ ଭରା ଚାହାଁଣିରେ ଚାହିଁଲା ଓ ମନେ ମନେ ଭାବିଲା ତୁମେ ନୂହେଁ ବାପା ବଂର ମୋ ଭାଗ୍ଯ ମୋ ସହ ଛଳନା କରିଛି।

ସେ ଝିଅକୁ ଧରି ଉଠି ଚାଲିଗଲା।


Rate this content
Log in

Similar oriya story from Tragedy